ଗୁଣ୍ଡିଚା ଯାତର ନାମକରଣ
ଗୁଣ୍ଡିଚା ଯାତର ନାମକରଣ
ପୁରୁଷୋତ୍ତମ କ୍ଷେତ୍ରର ମହିମା ଅପାର। ଏଠାରେ ଦେଉଳ ବଡ଼,ରଥ ବଡ଼,ପଥ ବଡ଼, ଭକ୍ତ ବଡ ଏବଂ ସବୁଠାରୁ ବଡ଼ ଠାକୁରଙ୍କମାନଙ୍କ ଭାବ।ଦେବତାମାନେ ଯାହାର ଆଦିଅନ୍ତ ପାଆନ୍ତି ନାହିଁ ଆମେ ଛାର ମନୁଷ୍ୟ ବା କ'ଣ !!
"ସର୍ଵଂ ରହସ୍ୟମ୍ ପୁରୁଷୋତ୍ତମସ୍ୟ
ଦେବାଃ ନ ଜାନାନ୍ତି କୁତଃ ମନୁଷ୍ୟଃ !"
ପ୍ରଭୁଙ୍କ ଯାତ୍ରାର ନାମ କାହିଁକି "ଗୁଣ୍ଡିଚା ଯାତ" ଜାଣିବାକୁ ହେଲେ କିମ୍ବଦନ୍ତୀ ଓ ଇତିହାସ ଘାଣ୍ଟିବାକୁ ପଡିବ। ମହାଜନମାନେ ଏ ବିଷୟରେ ଦେଇଥିବା ତଥ୍ୟ ଉପରେ ଆସନ୍ତୁ ଟିକିଏ ବିହଙ୍ଗାବଲୋକନ କରିବା। 'ଉତ୍କଳ ପ୍ରସଙ୍ଗ' ୨୦୧୬ ମସିହାର ଜୁଲାଇ ମାସ ସଂଖ୍ୟାରେ ଗବେଷକ ଡଃ ଶ୍ରୀଚରଣ ଦାସ ଉଲ୍ଲେଖ କରିଛନ୍ତି ଯେ ଖ୍ରୀଷ୍ଟିୟ ଚତୁର୍ଥ ଶତାବ୍ଦୀରୁ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇ ଆସୁଥିଲା। ଐତିହାସିକ କେଦାରନାଥ ମହାନ୍ତି "ଖୁରୁଧା ଇତିହାସ"ନାମକ ଗ୍ରନ୍ଥରେ ଲେଖିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ନିର୍ମାଣ ହେବାପରେ ହିଁ ଜଗନ୍ନାଥଙ୍କ ଯାତ୍ରାର ନାମ ଗୁଣ୍ଡିଚା ଯାତ୍ରା ନାମରେ ନାମିତ ହେଲା। ଐତିହାସିକମାନେ ଗୁଣ୍ଡିଚା ମନ୍ଦିରର ନିର୍ମାଣ କାଳ ଦ୍ବାଦଶ ଶତାବ୍ଦୀର ଆଦ୍ୟ ଭାଗ ବୋଲି ଅନୁମାନ କରିଛନ୍ତି।ଉତ୍କଳର ରାଜା ଅନନ୍ତ ବର୍ମନ୍ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଏହା ନିର୍ମିତ ହୋଇଥିଲା। ଚୋଡ଼ଗଙ୍ଗ ଦେବଙ୍କ ରାଣୀଙ୍କ ନାମ ଥିଲା 'ଗଣ୍ଡିଚୋଡି' ଏବଂ ସେ ଗୋଦାବରୀ ଜିଲ୍ଲାର "ଗଙ୍ଗଗଣ୍ଡଚୋଡନାଡି" ଗ୍ରାମର ଅଧିବାସିନୀ ଥିଲେ। ଗୋଟିଏ ମତ ଅନୁଯାୟୀ, ଚୋଡ଼ଗଙ୍ଗ ଦେବଙ୍କ ଏହି ରାଣୀଙ୍କ ନାମାନୁସାରେ ଯାତ୍ରାର ନାମ ଗୁଣ୍ଡିଚା ରଖାଯାଇଥିବା ସମ୍ଭବ।
ଡଃ ହରେକୃଷ୍ଣ ମହତାବଙ୍କ ମତରେ ଗୁଣ୍ଡିଚା ଶବ୍ଦଟି ଦ୍ରାବିଡ଼ ଶବ୍ଦ "ଗୁଡିସା"ର ଅପଭ୍ରଂଶ। ତେଲୁଗୁ ଭାଷାରେ ଗୁଡିସା ଶବ୍ଦର ଅର୍ଥ କୁଟୀର।ବର୍ଷକୁ ଥରେ ଜଗନ୍ନାଥ, ଜନ୍ମଗ୍ରହଣ କରିଥିବା କୁଟୀରକୁ ସାତଦିନ ପାଇଁ ଯାଆନ୍ତି; ସେଥିପାଇଁ ଏହି ଯାତ୍ରାର ନାମ ଗୁଣ୍ଡିଚା ଯାତ।
ଡଃ ଵେଣୀମାଧବ ପାଢ଼ୀ ତାଙ୍କ ପୁସ୍ତକ "ଦାରୁ ଦେବତା"ରେ ଉଲ୍ଲେଖ କରିଛନ୍ତି ଯେ ଜଗନ୍ନାଥ ଶବର ମାନଙ୍କ ଦେବତା ଥିଲେ। ସୌର ଭାଷାରେ 'କୁନ୍'ଅର୍ଥ ଦାରୁ ଏବଂ ଡିଜା ଅର୍ଥ ଗଣ୍ଡି; ଅର୍ଥାତ୍ ଯେଉଁ ଠାରେ ଦାରୁଗଣ୍ଡି ନିର୍ମିତ ହୋଇଥିଲା ସେହି ସ୍ଥାନର ନାମ କୁନ୍-ଡିଜା; କାଳକ୍ରମେ ତାହା ଅପଭ୍ରଂଶ ହୋଇ ଗୁଣ୍ଡିଚାରେ ପରିଣତ ହୋଇଛି।ଶବର ମାନଙ୍କ ଦାରୁଗଣ୍ଡି(କୁନ୍ ଡିଜା) ଦେବତା ବା ଖମ୍ବ-ରୂପ ଦେବତାରୁ ଯେଉଁ ହସ୍ତପଦହୀନ ମୂର୍ତ୍ତି ଗଢା ଯାଇଥିଲେ ସେ' ହିଁ ଆଜିର ରହସ୍ୟମୟ ପ୍ରଭୁ ଜଗତ୍ପତି ଜଗନ୍ନାଥ।
ଚତୁର୍ଦ୍ଦଶ ଶତାବ୍ଦୀର ବୈଦିକ ଟୀକାକାର ସାୟଣାଚାର୍ଯ୍ୟଙ୍କ ମତରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ହିଁ ଦାରୁ ରୂପରେ ଋକବେଦ (ଶ୍ଳୋକ ସଂଖ୍ୟା ୧୦.୧୫୫-୩)ରେ ବର୍ଣ୍ଣନା କରାଯାଇଛି।ସାୟଣାଚାର୍ଯ୍ୟଙ୍କର ଏହି ମତ ଗଜପତି କପିଳେନ୍ଦ୍ର ଦେବଙ୍କ "କୋଣ୍ଡାବିଡୁ ତାମ୍ର ଫଳକ"ରେ ସମର୍ଥନ କରାଯାଇଛି। ଏଥିରୁ ଅନୁମେୟ, କେତେ ପୁରୁଣା ଆମ ଜଗନ୍ନାଥ ସଂସ୍କୃତି ।
ସ୍କନ୍ଦ ପୁରାଣ,ଉତ୍କଳଖଣ୍ଡ, ପୁରୁଷୋତ୍ତମ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି ଯେ ଜଗନ୍ନାଥଙ୍କ ଦାରୁବ୍ରହ୍ମ ଚକ୍ରତୀର୍ଥ ଠାରୁ ଅଣାଯାଇ, ଯେଉଁଠାରେ ମୂର୍ତ୍ତି ନିର୍ମାଣ କରାଗଲା,ସେହି ସ୍ଥାନର ନାମ ଗୁଣ୍ଡିଚା ଘର ରଖାଗଲା। ତାହା ଜଗନ୍ନାଥଙ୍କ "ଜନକ ବେଦୀ" ବା ଜନ୍ମବେଦୀ ନାମରେ ମଧ୍ୟ ପରିଚିତ।
ଏ ସମସ୍ତ ଐତିହାସିକ ଓ ପୌରାଣିକ ତଥ୍ୟ ଯାହା ହେଉନା କାହିଁକି ସାଧାରଣ ବ୍ୟକ୍ତି,କିମ୍ବଦନ୍ତୀରେ ବର୍ଣ୍ଣିତ ଗୋଟିଏ ମତକୁ ମାନନ୍ତି; ତାହା ହେଲା..ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ, ସ୍ବପ୍ନାଦେଶ ଅନୁଯାୟୀ ସମୁଦ୍ରରେ ଭାସି ଆସିଥିବା ଦାରୁବ୍ରହ୍ମଙ୍କୁ ବାଙ୍କି ମୁହାଣରୁ ଆଣି ତ୍ରିମୂର୍ତ୍ତି ଗଠନ କରିଥିଲେ ଏବଂ ଜିଉମାନଙ୍କର ଏହି ଜନ୍ମବେଦୀ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଙ୍କ ନାମ ଅନୁସାରେ ନାମିତ ହୋଇଛି।
ଅନନ୍ତ କାଳରୁ ନୀଳଶୈଳ ମଣ୍ଡନ କରୁଥିବା ଶ୍ରୀଜଗନ୍ନାଥ ପ୍ରତିଟି ଓଡ଼ିଆର ଜୀବନର ପ୍ରାଣକେନ୍ଦ୍ର।ଅତୀତରେ, ବାମନଙ୍କୁ ରଥରେ ଦର୍ଶନ କରିବା ପାଇଁ ଢିଙ୍କି,କଂସା ବାସନ ବନ୍ଧା ପକାଇ ଓଡ଼ିଆ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଉଥିଲା।ସେ ତ ଭାବରେ କଥା। ଏହି ଅବସରରେ ଭାବର ଠାକୁରଙ୍କ ପାଇଁ ନିମ୍ନୋକ୍ତ ଆବେଗପୂର୍ଣ୍ଣ ଦୁଇ ପଦ ପରିବେଷଣ କରୁଛି ।
