ଗରୀବର ହୃଦୟ
ଗରୀବର ହୃଦୟ


ଝୁମ୍ପୁଡି ଘରଟିରେ ତିନି ଜଣ ଲୋକଙ୍କର କଥାବାର୍ତ୍ତା ଶୁଣାଯାଉଥିଲା।ବାପା ମା' ପିଲାଟିକୁ ବିଞ୍ଚଣାରେ ବିଞ୍ଚିଦେଉଥିଲେ।ପିଲାଟି ଚେପଟା ଏକ ରସ ବେଲାରୁ ଛାଣି ଛାଣିକି ପଖାଳ ଖାଇ ପକାଉଥିଲା।ପିଲାଟିର ପେଟ ଯେତେ ପୁରି ଆସୁଥିଲା,ମା' ବାପାଙ୍କ ମୁହଁରେ ଖୁସିର ହସ ସେତିକି ଅଧିକ ଫୁଟି ଉଠୁଥିଲା।ଦାରିଦ୍ର୍ୟର କଷାଘାତ ସେମାନଙ୍କ ଖୁସିରେ ଆଦୌ ପ୍ରତିବନ୍ଧକ ସାଜିବା ଭଳି ମନେ ହେଉନଥିଲା।
ଖାଇସାରି ପିଲାଟି ଖୁସିରେ ଗାଁ ଦାଣ୍ଡକୁ ଚାଲିଗଲା।ବାପା ମା ଦୁଇଜଣ ଯାକ ପରସ୍ପରର ମୁହଁକୁ ଚାହିଁଲେ।ବେଲାରେ ବଳିଥିବା ତୋରାଣି ପ୍ରଥମେ ଗିରସ୍ତକୁ ପିଇବାକୁ ଦେଇକି ଶେଷ ମୁନ୍ଦାକ ନିଜେ ପିଇଲା ସ୍ତ୍ରୀ ଲୋକଟି।
ଦିନେ ଗାଁ ଦାଣ୍ଡରେ ଖେଳିବା ସମୟରେ କିଏ ଗୋଟେ ଚିଲେଇ ଉଠିଲା.....ରାସ୍ତାରେ ପଡିଥିଲା ଇଏ।ଆମ ସନିଆ ବଡାପା ଓ ବଡୋଉ ୟାକୁ ଘରକୁ ଆଣି ପାଳିଲେ ବୋଲି ବଞ୍ଚିଗଲା ଇଏ।ଗାଡି ମାଡରେ ୟିର ଅସଲି ବାପା ମା ତ ଭଗବାନଙ୍କ ପାଖକୁ ଚାଲିଯାଇଥିଲେ।
ବାସ ପିଲାଟି ଆଉ ଝୁମ୍ପୁଡି ଭିତରକୁ ଫେରିଲାନି।କୁଆଡେ ଗଲା ତାର ଖୋଜ ଖବର ଆଉ ମିଳିଲାନି।ସନିଆ ଓ ତାର ପତ୍ନୀ ସାରିଆ ମୁଣ୍ଡପିଟିକି କାନ୍ଦୁଥାନ୍ତି।ହେଲେ କିଛି ଲାଭ ହେଲାନାହିଁ।
ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା। ବୁଢା ବୁଢି ହେଇସାରିଥାନ୍ତି ସନିଆ ଓ ସାରିଆ ଦୁଇଜଣ।ଆଣ୍ଠୁକୁଡା ବୋଲି କେତେ କଥା ଶୁଣିବାକୁ ପଡିଥାଏ ତାଙ୍କୁ।କାମ ଉପରୁ ଫେରିଲା ସମୟରେ ଦୁଇଜଣ ଯାକ ଦୁର୍ଘଟଣାରେ ଓଲଟି ଯାଇଥିବା ଗୋଟିଏ କାରକୁ ଦେଖିଥିଲେ।ବାପା ମା ଙ୍କ ପାଖରେ ପିଲାଟି ରକ୍ତରେ ଜୁଡୁବୁଡୁ ହେଇ ପଡିଥାଏ।ଛାତିରେ ହାତ ଦେଇ ଦେଖିଲେ ପିଲାଟି ବଞ୍ଚିଛି।ତୁରନ୍ତ ତାକୁ କାନ୍ଧରେ ପକାଇ ପାଞ୍ଚ କିଲୋମିଟର ଦୂରରେ ଥିବା ଡାକ୍ତରଖାନାକୁ ନେଇଯାଇଥିଲେ ଦୁଇଜଣଯାକ।ପିଲାଟି ଭଗବାନଙ୍କ ଦୟାରୁ ସୁସ୍ଥ ହୋଇଗଲା ପରେ ତାକୁ ଘରକୁ ଆଣିଥିଲେ ଓ ନିଜର କରି ପାଳିଥିଲେ।ଦୈବ ଯୋଗକୁ ପିଲାଟିର ସ୍ମୃତିଶକ୍ତି ଚାଲିଯାଇଥିଲା।ଅନାଥ ପିଲାଟି ବାପା ମାଙ୍କୁ ପାଇଥିଲା ଓ ଆଣ୍ଠୁକୁଡା ଦମ୍ପତିଙ୍କୁ ବାପା ମା ଡାକ ଶୁଣିବାର ସୌଭାଗ୍ୟ ମିଳିଥିଲା।
ବିହି ସେତକ ବି ତାଙ୍କ ଠାରୁ ଛଡାଇ ନେଲା।
ସନିଆର କ'ଣ ଗୋଟେ ହେଲା କେଜାଣି,ଆଉ ସେ ବିଛଣାରୁ ଉଠି ପାରିଲା ନାହିଁ।କତରା ଲଗା ହୋଇଗଲା।ସାରିଆ ଠି ଆଉ ଆଗପରି ବଳ ନଥାଏ।ତଥାପି ମନଧ୍ୟାନ ଦେଇ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥାଏ ସନିଆର ସେବା କରିବାକୁ।
ଗାଁ ଦାଣ୍ଡରେ ହୁରି ପଡିଗଲା।ଆରେ କିଏ ଗୋଟେ ବାବୁ ସନିଆ ଦାସର ଘର ଖୋଜୁଛନ୍ତି।ପିଲା ଦଳକ ତାଙ୍କୁ ସାଙ୍ଗରେ ନେଇ ସନିଆର ଭଙ୍ଗା ଝୁମ୍ପୁଡି ପାଖରେ ପହଞ୍ଚି ଗଲେ।ଭିତରକୁ ଯାଇ ସନିଆକୁ କୁଣ୍ଢେଇ ପକାଇଲା ବାବୁ ଜଣକ।ସନିଆ ଓ ସାରିଆ ଆବାକାବା ହୋଇ ଅନାଇଥା'ନ୍ତି।ପକେଟରୁ ମୋଡା ହୋଇଥିବା ଗୋଟିଏ ଫଟୋ ବାହାର କଲା ବାବୁ ଜଣକ।ସେଇ ଫଟୋରେ ସନିଆ ଓ ସାରିଆଙ୍କ ମଝିରେ ନଅ ବର୍ଷର ଗୋଟିଏ ପୁଅ ଛିଡା ହୋଇଥିଲା।ଫଟୋଟିକୁ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲା ସାରିଆ।
କୋଉଠୁ ପାଇଲୁ ବାବୁ ଏ ଫଟୋଟି।ଇଏତ ମୋ ପୁଅର ଫଟୋ।ମୋ ପୁଅ କୁଆଡେ ଆମକୁ ଛାଡି ଚାଲିଗଲା ଯେ ଆଉ ଆସିଲାନି।ମୋ ପୁଅ କୁଆଡେ ଚାଲିଗଲା କହି ବିଳାପ କରିବାକୁ ଲାଗିଲା ସାରିଆ।
ଆଲୋ ବୋଉ, ମୁଁ ପରା ତୋର ପୁଅ ।ସେଦିନ ସାହି ପିଲାମାନେ ମତେ ତୁମ ଦୁଇଜଣଙ୍କ ପିଲା ନୁହେଁ ବୋଲି କହିବାରୁ ମୁଁ ରାଗରେ ଗାଁ ଛାଡି ପଳାଇଥିଲି।କିନ୍ତୁ କେତେଦିନ ଆଉ ତୁମ ଦୁଇଜଣଙ୍କଠାରୁ ଦୂରରେ ରହିଥାନ୍ତି ଯେ?ଆପେଆପେ ଟାଣିହୋଇ ଆସିଲି।ମତେ ଯଦି ସେଦିନ ସେମିତି ମରଣ ମୁହଁରେ ଛାଡିକି ତୁମେ ଦୁହେଁ ଚାଲିଯାଇଥାନ୍ତ ତେବେ ଆଜିକଣ ଆଉ ମୁଁ ବଞ୍ଚିଥାନ୍ତି?
କିଏ କହେ ଗରୀବ ମାନଙ୍କର ଧନ ନାହିଁ ବୋଲି।ତୁମ ଦୁହିଁଙ୍କର ସ୍ନେହ ରୂପୀ ଧନରେ ତୁମେ ମାନେ ମତେ ଋଣୀ କରି ଦେଇଛ।
ଏଥର ଆମ ଭାଗରେ ଖୁସି ହିଁ ଖୁସି ହେବ।ଦୁଃଖକୁ ତୁମ ଦୁଇଜଣଙ୍କ ପାଖ ପଶିବାକୁ ଦେବିନି ମୁଁ।
ସନିଆ ଓ ସାରିଆଙ୍କ ଆଖି ଓଦା ହୋଇ ଆସୁଥିଲା।