ଗର୍ବ
ଗର୍ବ
କଲ୍ୟାଣୀ ବାଲକୋନିରେ ବସି ଆକାଶକୁ ଚାହିଁଲା, ଜହ୍ନପଡ଼ିଛି, ଆଜି ବୋଧେ ପୂର୍ଣ୍ଣମୀ। ଜହ୍ନକୁ ଚାହିଁଲା ସେ ମନ ଭିତର କେମିତି ଘାଣ୍ଟି ହୋଇଗଲା।ଜହ୍ନ ଭିତରେ ଶିବୁର ମୁହଁ ତାକୁ ଦେଖା ଯାଉଥିଲା ଆଜି ବି ଫୋନ ରିଂ ହୋଇ କଟିଲା ଉଠେଇ ଲାନି ।କେତେ ଜିଦ୍ ଖୋର୍ ପିଲା।୬ ମାସ ହେଲା ଯାଇଛି ଯେ ଯାଇଛି।
"ମୋ କଥା କଣ ତା'ର ମନେ ପଡୁନି।" ଏତେ ଜିଦ୍ ଯେ ଆସିବା ତ ଦୂର, ଫୋନ ବି କରୁନି,କି ମୋ ଫୋନ ଉଠଉନି। ମଳୟ କେମିତି ଚୁପ୍ ରହିଛନ୍ତି କେଜାଣି? କେତେବେଳେ ତ କାହିଁ ପୁଅ କଥା ପଚାରୁ ନାହାଁନ୍ତି। ବାପ ମନ ତ ସିଏ କେମିତି ଜାଣିବେ ମା ପୁଅଙ୍କର ସ୍ନେହ ଆଉ ସମ୍ପର୍କର କଥା। ମୋୖନବ୍ରତ ନେଇଛନ୍ତି ଯେମିତି।
********
ଠିକ୍ ଏଇ କଥା ଭାବୁଛି ଶିବୁ,ଏତେ ଦିନ ଧରି ମୁଁ ମାମାକୁ ଫୋନ କରୁନି କି ଫୋନ ଉଠଉନି ତଥାପି ସେ ତାର ଜିଦରେ ଅଟଳ । ମୋ କଥା ତା ମନକୁ ପାଇଲାନି । ମୁଁ ବି ତୋ ପୁଅ ମାମା।ମୁଁ ଦେଖେଇ ଦେବି ଘର ଛାଡ଼ି ଆସିଥିବା ପୁଅର ମାଆ କେମିତି ରନ୍ଥାଳି ହୁଏ ପୁଅକୁ ଟିକେ ଦେଖିବା ପାଇଁ।
***
"ଶିବୁ ମୋର ବଡ଼ ହେଇ ଗଲାଣି,ମୋ ପାଇଁ ସିଏ ତା ମା ସହିତ ଟକର୍ ଦେଇଛି।ମୁଁ ଯେଉଁ ଅବଶୋଷ ନେଇ ବଞ୍ଚିଛି ମୋ ମା ଯେଉଁ ହତାଶ ଆଉ ଦୁଃଖ ଭୋଗିଛି, ତାର ବିରୁଦ୍ଧରେ ବିଦ୍ରୋହ ଜାରିକରିଛି। ମୁଁ ବାପା ହୋଇ ଯାହା କରି ପାରିନଥିଲି ସିଏ ପୁଅ ହେଇ କରି ବାକୁ ଚେଷ୍ଟା କରୁଛି। ମଳୟର ମନେ ପଡୁଛି ତା ବାହାଘର କଥା,ମା ସାଙ୍ଗେ ସତସଙ୍ଗକୁ ଯାଇ ଦେଖା ହୋଇଥିଲା କଲ୍ୟାଣୀ ସହିତ।
କଲ୍ୟାଣୀର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲା ସେ। ସେଦିନ ରୂପ, ଗୁଣ ଆଉ ବ୍ୟବହାରରେ କଲ୍ୟାଣୀ କିଣି ନେଇଥିଲା ମଳୟର ହୃଦୟକୁ। ଫେରିଲାବେଳେ ମା କୁ ପଚାରି ବୁଝି ଥିଲା ତାର ପରିଚୟ । ମା ଜାଣି ପାରିଥିଲା ଏଇ ଝିଅଟିକୁ ତା ପୁଅ ଭାରି ପସନ୍ଦ କରୁଛି, ଧୀରେ ଧୀରେ ସମ୍ପର୍କ ବଢିଲା ଏବଂ ବାହାଘର ହୋଇଗଲା ।
ମଳୟ ଥିଲା ଘରେ ସମସ୍ତଙ୍କଠାରୁ ସାନ,ଭାରି ଗେଲ୍ହାରେ ବଢ଼ି ଥାଏ। ସବୁବେଳେ ଖୁସ୍ ମିଜାଜ ଆଉ ପ୍ରଗଲ୍ଭ। ଯାହା ସାଙ୍ଗରେ ମିଶିବ ତାକୁ ନିଜର କରିନେବ। ଭଲପିଲା ବୋଲି ସାଇଠାରୁ ଗାଁ, ସ୍କୁଲ କଲେଜ୍ ସବୁଠି ସମସ୍ତଙ୍କର ଅତି ପ୍ରିୟ ସେ। ହେଲେ ବାହାଘର ପରେ ତାର ସେ ହସିଲା ମୁହଁ ଆଉ ରହି ନ ଥିଲା। କଥା କହିବା ତ ଦୂର ଯେମିତି ମୌନବ୍ରତ ପାଳନ କରି ନେଇଛି।
ଏକଦମ ଚୁପ୍।.................
କଲ୍ୟାଣୀର ତା ନିଜ ରୂପକୁ ନେଇ ଖୁବ୍ ଗର୍ବ। ତେଣୁ ସେ ମଳୟ କିମ୍ବା ତାଙ୍କ ଘରେ କାହାକୁ ପସନ୍ଦ କରେନା। ବାହାଘର ପରେ ତାର ପ୍ରକୃତ ସ୍ୱରୂପ ଜଣା ପଡ଼ିଲା। କଲ୍ୟାଣୀ କେଉଁଥିରେ ସନ୍ତୁଷ୍ଟ ହୁଏନା। ଯାହା ଫଳରେ ସବୁ କଥାରୁ ଖିଅ ବାହାର କରି ଝଗଡା ଲଗାଏ ଭାଉଜ, ମା, ଭାଇ, ବାପା ସମସ୍ତଙ୍କ ବିରୁଦ୍ଧରେ ମଳୟ ଆଗରେ ମିଛ କୁହେ। ସିଏ କାହା ସହିତ କଥା ହୁଏନି,
ମଳୟକୁ ମଧ୍ୟ କାହା ସହିତ କଥା ହେବାର ଦେଖିଲା ତ ଆଉ ସେଦିନ ଶୋଇବା ଘର ଭିତରେ ପଶିବାକୁ ଦିଏନି,ବିଚରା ମଳୟ ଆସି ମା ପାଖରେ ଶୋଇଯାଏ ।
ତା ପରଦିନ ସକାଳୁ ଆରମ୍ଭ ହୋଇ ଯାଏ ଫୋପଡା ଫିଙ୍ଗା।କାହାକୁ ମାନ୍ୟଦେଇ କଥାକହି ଜାଣେନା। ବାପା ବଡ଼ଭାଇ କାହାକୁ ସମ୍ମାନ ଦେବା ବଦଳରେ ଘୃଣା କରେ କାରଣ ମଳୟର ଭାଇ ଆଉ ବାପା ଦୋକାନ କରିଛନ୍ତି। ପ୍ରତିଦିନ ପଚାରେ କେବେ ମୋତେ ଏ ଘରୁ ବାହାରକୁ ନେବ,ମୁଁ ଏଠାରେ ଅଣନିଶ୍ୱାସୀ ହୋଇଯାଉଛି। ଜାଣିଛ, ଏମିତି ଘରେ ଆମର ଚାକରବାକାର ରହନ୍ତି।
ଆଉ ମୋତେ ଏଠି ରହିବାକୁ ପଡୁଛି।
"ବଡ଼ଘର ଝିଅ ମୁଁ ମୋ ବାପାଙ୍କର ଅଚଳାଚଳ ସମ୍ପତ୍ତି, କେବଳ ତମର ଜବ୍ ଦେଖି ବାପା ଏଠି ମୋତେ ବାହା କରିଛନ୍ତି। ମୋ ବାପା ତମ ପରି ଦଶ ଦଶଟା ପରିବାର କୁ ପୋଷିବାକୁ ସକ୍ଷମ।"
ମଳୟ ପଶ୍ଚାତାପ କରୁଥିଲା। କଲ୍ୟାଣୀର ବ୍ୟବହାରରେ ଘରଲୋକ ଅତିଷ୍ଠ ହୋଇ ଯାଉଥିଲେ, କିନ୍ତୁ ମଳୟର ମନ ଦୁଃଖହବ ଭାବି ଚୁପ୍ ରହୁଥିଲେ। ମା ଆଉ ବଡ଼ ଭାଉଜ କୌଣସି ପ୍ରକାରେ ପରିସ୍ଥିତିକୁ କଷ୍ଟେ ମଷ୍ଟେ ସମ୍ଭାଳି ନେଉଥିଲେ।
ଜାଣି ଜାଣି ମଳୟ ବଦଳି ହୋଇ ଅନ୍ୟ ଗୋଟିଏ ସହର କୁ ଚାଲିଯାଏ। ସରକାରୀ କ୍ୱାଟର୍ ପାଇ ସେଠାକୁ କଲ୍ୟାଣୀକୁ ନେଇଗଲା। ଦୂରରେ ରହିଲେ କାଳେ କଲ୍ୟାଣୀ ବଦଳି ଯିବ ସେଇ ଆଶାରେ ମା ବଞ୍ଚିଥିଲା।ମଳୟ ଘରକୁ ଲୁଚି ଲୁଚି ଆସେ କଲ୍ୟାଣୀ ଜାଣିଲେ ତାର ଚଉଦପୁରୁଷ ଉଝାଳିବାଟା ଥୟ।ଧିରେ ଧିରେ ମଳୟ ମୂକ ପାଲଟି ଗଲା। ସବୁ ବେଳେ ହସ ଖୁସିରେ ରହୁଥିବା ଲୋକଟା ନୀରବ ରହିବାକୁ ପସନ୍ଦକଲା, କାରଣ ସେ କଲ୍ୟାଣୀକୁ କଥାରେ ପାରେନି।
****
ପୁଅ ଜନ୍ମ ହେଲା ପରେ ଘରକୁ ଯିବାକୁ କେତେ ଥର ମଳୟ କହିଛି, ସବୁଥର ନୂଆ ନୂଆ ପ୍ରକାର ବାହାନା ବନେଇ ଦିଏ କଲ୍ୟାଣୀ। ଦୀର୍ଘ ତିନି ବର୍ଷ ପରେ ମଳୟର ବଦଳି ନିଜ ସହରକୁ ହୋଇ ଯାଏ।
ଏଇ ସମୟ ରେ ମା'ର ଦେହ ଖରାପ ହେଲା ସବୁବେଳେ ମଳୟ ଲୁଚି ଲୁଚି ଆସେ ମା କୁ ଦେଖା କରିବାକୁ।ଦିନେ ମା' ର ମନ ରଖି ପୁଅକୁ ଦେଖାଇବାକୁ ଆଣିଲା। ମା ଯେତିକି ଖୁସି ହେଲା, ତା ଠାରୁ ଅଧିକ ଆନନ୍ଦିତ ହେଲା ପୁଅ। ଘରେ ସମସ୍ତଙ୍କୁ ଭଲ ପାଇଗଲା। ସିଏ ଆସିଲେ ଘରେ ଯେମିତି ଆନନ୍ଦର ଲହରୀ ଖେଳି ଯାଉଥିଲା।ବାପା, ମା ,ବଡ଼ ଭାଇ, ଭାଉଜ ସମସ୍ତେ ଖୁସିରେ ଉତ୍ଫୁଲ୍ଲିତ ହୋଇ ଯାଉଥିଲେ। ଘରେ ରହିଲା ବେଳେ ଶିବୁ ଯେତିକି ଖୁସି ହେଉଥିଲା,ମଳୟ ମଧ୍ୟ ବିଭୋର ହେଇ ତାର ଖୁସିକୁ ଉପଭୋଗ କରୁଥିଲା। କଲ୍ୟାଣୀ ଜାଣୁ ନ ଥିଲା ଶିବୁକୁ ନେଇ ମଳୟଘରକୁ ଯାଉଛି ବୋଲି, ହଁ ଏ କଥା ଜାଣୁଥିଲା ମଳୟ ଯାଉଛି ମାଙ୍କୁ ଦେଖା କରିବ ବୋଲି।
ପୁଅର ଘରକୁ ଆସି ସମସ୍ତଙ୍କ ସହିତ ପରିଚୟ ହେବା ପରେ, ସେ ବାରମ୍ବାର ଆସିଲା। ଏମିତିରେ ତିନି ବର୍ଷ ପରେ ପୁନର୍ବାର ବଦଳି ହେବାର ସମୟ ଆସିଲା। କିନ୍ତୁ ମଳୟ ପୁଅର ଆଉ ମା ବାପାଙ୍କର ଖୁସି ପାଇଁ ନିଜର ଅସୁସ୍ଥତା ଦର୍ଶାଇ ବଦଳିକୁ ବାତିଲ କରିଦେଲା । ଏବେ ସାମାନ୍ୟ ସନ୍ଦେହରେ ପଡ଼ିଲା କଲ୍ୟାଣୀ, ବଦଳି କାହିଁକି ହେଲାନାହିଁ କିନ୍ତୁ ମଳୟ ତାକୁ ଅଫିସର କିଛି ଅସୁବିଧା ହୋଇଛି ଏଵଂ ସମସ୍ତଙ୍କର ଟ୍ରାନ୍ସଫର କ୍ୟାନସେଲ ହୋଇଯାଇଛି, କହି କଥା ବଦଳେଇ ଦେଇଥିଲା।
ୟା ଭିତରେ ପୁଅ ବଡ଼ ହେବାରୁ ଅନେକ କଥା ବୁଝି ପାରୁଥାଏ । ଜେଜେମା, ଜେଜେବାପାଙ୍କ ପାଖକୁ ଗଲେ ପାପା କାହିଁକି ମାମାଙ୍କୁ ଲୁଚାଉଛନ୍ତି ? ମାମା କାହିଁକି ସେମାନଙ୍କୁ ଦେଖା କରିବାକୁ ଯାଉ ନାହାଁନ୍ତି? ଏମିତି ଅନେକ ପ୍ରଶ୍ନ ଭିତରେ ସେ ଦେଖେ ନିଜ ଘରେ ପାପା କେତେ ଖୁସି ହୁଅନ୍ତି, ସମସ୍ତଙ୍କ ସହିତ ଗପନ୍ତି। କିନ୍ତୁ ଘରକୁ ଆସିଲେ ତାଙ୍କର ସେ ଖୁସି ମୁହଁରୁ ଲିଭିଯାଏ। ମାମା ପାପାଙ୍କ ସହିତ ବହୁତ ସମୟ ଝଗଡା କରନ୍ତି କେବଳ ଜେଜେ ବାପାଙ୍କ ଘରକୁ ନ ଯିବାପାଇଁ। ଆଉ ଅଜା ଘରକୁ ଯାଇ ବହୁତ ଦିନ ରହି ଆସନ୍ତି, ଏମିତି
ସବୁ ଦେଖିବା ଭିତରେ ବହୁତ କଥା ଜାଣିଲା। ପୁଅ ବଡ଼ ହୋଇ ବାହାରକୁ ପାଠ ପଢିବାକୁ ଗଲା ଏ ଭିତରେ ମଳୟର ମା ମୃତ୍ୟୁ ବରଣକଲେ । ବହୁତ ଦୁଃଖୀ ହୋଇଥିଲା ମଳୟ। ମା ପାଇଁ କିଛି ନ କରିପାରି ନିଜକୁ ନିଜେ କ୍ଷମା କରି ପାରୁନଥାଏ ସେ। ଶିବୁ ମଧ୍ୟ ଅତ୍ୟନ୍ତ ମର୍ମାହତ ହେଲା ଶେଷ ବେଳେ ଜେଜେ ମା ଙ୍କୁ ଦେଖି ପାରିଲାନି ବୋଲି। ଶିବୁର ପାଠପଢା ସରି ଚାକିରି କଲାପରେ କଲ୍ୟାଣୀ ପୁଅର ବାହାଘର ଠିକ୍ କରିଲା। ଝିଅ ଦେଖା ବାହାଘର ଭିତରେ ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍ କିଣିବାକୁ କଲ୍ୟାଣୀ ସ୍ଥିର କରିଥାଏ। ବାହାଘର ପୁର୍ବରୁ ଘର କିଣା ହେବା ଯେମିତି ସରିବ ସେଥିରେ ଲାଗି ପଡ଼ିଲା। ଶିବୁକୁ ତୁରନ୍ତ ଆସି ବାହାଘର ଆଉ ତା ପୁର୍ବରୁ ଘର କିଣା ଫାଇନାଲ କରିବାକୁ କଲ୍ୟାଣୀ ଜଣାଇ ଦେଲା।
ଶିବୁ ଆସିବା ପରେ ବାହାଘର ଠିକ୍ ହେଲା ଏବଂ ଘର କିଣା ମଧ୍ୟ ହୋଇଗଲା। ତା ପରେ ପଡ଼ିଲା ବାହାଘର କେଉଁଠାରେ ହେବ। ଶିବୁ ଯେମିତି ଆଗରୁ ପ୍ରସ୍ତୁତ ହୋଇଆସିଥିଲା।
କହିଲା ମାମା "ମୁଁ ଜେଜେବାପାଙ୍କ ଘରୁ ଅର୍ଥାତ ଆମଘରୁ ବାହାହୋଇ ଯିବାପାଇଁ ଚାହୁଁଛି।"
କଲ୍ୟାଣୀ ହଟାତ ବୁଝି ପାରିନ ଥିଲା ଶିବୁର କହିବା କଥା। ପୁଣି କଣ କହି ପଚାରିଲା" ଶିବୁ ପୁଣି କହିଲା ମୁଁ ପାପାଙ୍କ ଘରେ ବାହା ହେବାକୁ ଚାହୁଁଛି।" ରାଗରେ ଲାଲ ହୋଇଗଲା କଲ୍ୟାଣୀ, କଣ୍ !! ତୁ କହ କେମିତି ଚିହ୍ନିଲୁ ସେ ଛୋଟ ଲୋକ ମାନଙ୍କୁ? ଯାହା ଘରେ ରହିବାକୁ ମୁଁ ଘୃଣା କରେ ତାଙ୍କ ଘରେ ତୋର ବାହାଘର କରିବି ? ଶିବୁ କହିଲା ଠିକ୍ ଅଛି, ତମେ ଆଉ ଯେଉଁଠି ବାହାଘର କରିବାକୁ ଚାହିଁବ କର ମୁଁ ଯାଉଛି।
କୁଆଡେ? କଲ୍ୟାଣୀ ପଚାରିଲା।
ମୋ ଚାକିରି ଜାଗାକୁ ଯେଉଁଦିନ କହିବ ମୋ ବାହାଘର କଥା ମୁଁ ସେଇ ଗୋଟିଏ କଥା କହିବି ମୁଁ ମୋ ନିଜ ଘରେ ବାହା ହେବି। ଯେଉଁ ଦୁଃଖରେ ଜେଜେମା ଏ ସଂସାର ଛାଡ଼ିଲେ, ସେଇ ଦୁଃଖ ଜେଜେବାପା ନ ପାଆନ୍ତୁ। ଶେଷ ବେଳେ ଆମସମସ୍ତଙ୍କୁ ଗୋଟିଏ ଘରେ ରହି ଥିବାର ଦେଖନ୍ତୁ। ମୁଁ ଆଜି ଯାଉଛି, ଯେଉଁଦିନ ମୁଁ ଜାଣିବି ତୁମେ ପାପାଙ୍କ ସହିତ ଘରକୁ ଫେରିଛ ସେଇ ଦିନ ମୁଁ ତୁମ ପାଖକୁ ଫେରିଆସିବି। ସେଇ ଦିନ ଶିବୁ ଫେରିଗଲା ତା ଚାକିରି ସ୍ଥାନକୁ। କଲ୍ୟାଣୀର ସବୁତକ ରାଗ ମଳୟ ଉପରେ ବର୍ଷିଗଲା। ସେଇଦିନରୁ ଆଜି ପର୍ଯ୍ୟନ୍ତ ଶିବୁ ଫୋନ ଉଠାଉନି। କି କାହାକୁ ଫୋନ କରୁନି।
ପାଖା ପାଖି ଗୋଟିଏ ବର୍ଷ ହେବାକୁ ବସିଲାଣି, କଲ୍ୟାଣୀର ଆଉ ଧୈର୍ଯ୍ୟ ରହୁନି। ସବୁ ଆଡେ ଖାଲି ଶିବୁର ମୁହଁ ଦେଖା ଯାଉଛି। ରାତିରେ ସ୍ବପ୍ନ ଦେଖି ନିଦ ଭାଙ୍ଗିଯାଉଛି ଆଉ ନିଦ ହଉନି।ବେଳେ ବେଳେ ଫୋନକୁ ଚାହିଁ ବସି ରହୁଛି। ବାୟାଣି ଭଳି ଗପୁଛି ମନକୁ ମନ। ମଳୟ ଥରେ ଫୋନ କରି ଶିବୁକୁ କହିଲା, ତୋ ମାମା ବହୁତ ବ୍ୟସ୍ତ ହେଉଛି। ସେ କହିଲା ତୁମେ ଖାଲି ଅପେକ୍ଷା କର ଆଉ କିଛି ଦିନ ନିଶ୍ଚୟ ମାମା ଯିବ .....ତା ଗର୍ବ ଭାଙ୍ଗି ଆଉ ଥରେ ସେଇ ଘରକୁ ଫେରିବ। ତା କଥା ଠିକ୍ ହେଲା, ଦିନେ କଲ୍ୟାଣୀ ବିକଳ ହୋଇ ମଳୟକୁ କହିଲା ଚାଲ ଆମେ ଘରକୁ ଫେରିଯିବା। ମୁଁ ମୋ ଭୁଲ ବୁଝି ପାରିଛି। ମୁଁ ଏଇ କିଛି ଦିନ ପୁଅକୁ ନ ଦେଖି ରହି ପାରୁନି। ମା କେତେ ଦୁଃଖୀ ହୋଇଥିବେ ଯେତେବେଳେ ମୁଁ ତୁମକୁ ତାଙ୍କ ଠାରୁ ଅଲଗା କରି ନେଇ ଆସିଲି । ମୋର ବହୁତ ବଡ଼ ଭୁଲ ହୋଇ ଯାଇଛି। ମଳୟର ଆଖିରୁ ଆନନ୍ଦର ଲୁହ ବୋହି ଗଲା। ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ ଘରକୁ। ଘରେ ଯେତେବେଳେ ବାପା ଭାଇ ଓ ଭାଉଜ ଏ କଥା ଶୁଣିଲେ ଖୁସିରେ ଆଶୀର୍ବାଦ କଲେ ଶିବୁକୁ। କହିଲେ ବଡ଼ ମାନେ ଯାହା କରି ପାରିଲେନି। ସେ କଥା ଛୋଟ ପିଲା ହୋଇ ସେ କରି ଦେଖାଇଲା। କଲ୍ୟାଣୀ ସମସ୍ତଙ୍କୁ କ୍ଷମା ମାଗି, ଶାଶୁଙ୍କ ଫଟପାଖରେ କାନ୍ଦି କାନ୍ଦି କ୍ଷମା ମାଗୁଥାଏ।
ଏଇ ସମୟରେ ଜେଜେ ବାପା ଶିବୁକୁ ଫୋନ କରି ଶୁଭ ସମ୍ବାଦ ଜଣାଇ ଦେଲେ ଏବଂ ଶୀଘ୍ର ଆସି ବାହା ହୋଇ ଯିବାକୁ କହିଲେ। ନ ହେଲେ ସେଇ ଝିଅ ସଙ୍ଗରେ ମୋର ବାହାଘର ହୋଇଯିବାର ସମ୍ଭାବନା ଅଛି ବୋଲି କହି ହୋ ହୋ ହସି ବାକୁ ଲାଗିଲେ।
ତାଙ୍କ କଥାରେ ସମସ୍ତେ ହସିବା ଭିତରେ ଶିବୁ ସେପଟୁ ମୁଁ ଅତି ଶୀଘ୍ର ଆସୁଛି କହି ଫୋନ ରଖିଲା।
