ଗପ ହେଲେ ବି ସତ
ଗପ ହେଲେ ବି ସତ
କରୋନାର କରାଳରୂପ ଅନେକ ଙ୍କୁ ଦିଗହରା ଆଉ ବେସାହାରା କରିଛି ।ଅନେକଙ୍କ ସଂସାର ଉଜାଡିବା ସହ ଜୀବନ ଜୀବିକା ବି ବନ୍ଧା ପଡିଛି।ଏମିତି କଟକ ଜାଉଁଳିଆପଟି ଅଞ୍ଚଳର ସୁରେଶ ଚୌଧୁରୀଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି।ଚା ଦୋକାନ କରି ପରିବାର ଚଳାଉଥିବା ବେଳେ କରୋନା ପରିବାରର ଆର୍ଥିକ ସ୍ଥିତି ଦୋହଲାଇ ଦେଲା ବେଳେ ସାହାରା ସାଜିଛି ତାଙ୍କ ସାନ ପୁଅ ଉମାଶଙ୍କର ଓରଫ ଦିପୁ।ବୟସ ମାତ୍ର ୧୧ବର୍ଷ। ପରିବାରର ଆର୍ଥିକ ସ୍ଥିତି ସଜାଡ଼ିବା ପାଇଁ ବାପା କିଣି ଦେଇଥିବା କୁନି ସାଇକେଲ ଧରି ଚା ବିକ୍ରି କରିବା ପାଇଁ ଅଣ୍ଟା ଭିଡିଛି ଦିପୁ। ଲକ୍ଡାଉନ୍ ର କରାଳ ସମୟ ହେଉ ଅବା ଡିସେମ୍ବର--ଜାନୁଆରୀ ମାସର ଶୀତୁଆ ସକାଳ କଟକର ଗଳିକନ୍ଦି ବୁଲି ଚା ବିକ୍ରି କରେ ଦିପୁ। ସବୁଠାରୁ ତାର ନିର୍ଭୀକ କଥା ଚା ବିକ୍ରି କଲେ ଖରାପ କାଇଁ ଲାଗିବ? ମୁଁ ତ ଚୋରି କରୁନି।ଚା ବେପାର ଛୋଟ ବେପାର ନୁହେଁ।"ମୋତେ କଷ୍ଟ କାଇଁ ଲାଗିବ?କଷ୍ଟ କଲେ ତ କୃଷ୍ଣ ମିଳିବ।"ଏତେ ସବୁ ପରେ ବି ସେ ତାର ମୂଳ ଲକ୍ଷ୍ଯ ପାଠ ପଢାକୁ ଛାଡିନି।ସବୁଠାରୁ ବଡ କଥାହେଉଛି ,ଯାହା ମୋତେ କାହିଁକି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ତୋ ଜୀବନର ଲକ୍ଷ୍ୟ କ'ଣ?ଦିପୁର ଉତ୍ତର "ବଡ ହୋଇ ସମାଜସେବୀ ହେବି।ସମାଜର ସେବା କରିବି ଆଉ କିଛି ନାହିଁ ।"
ସାମ୍ପ୍ରତିକ ସମାଜରେ ଅନେକ ଉଚ୍ଚଶିକ୍ଷିତ ଯୁବକଗୋଷ୍ଠି ଚାକିରି ପଛରେ ଦୌଡୁଥିବା ବେଳେ ଦିପୁର ଆତ୍ମନିର୍ଭରଶୀଳତା ଆମ ପାଇଁ ଏକ ପ୍ରେରକ ପ୍ରସଙ୍ଗ ନୁହେଁ କି?ପୁନଶ୍ଚ ଅର୍ଥ ସର୍ବସ୍ବ ଓ ସ୍ବାର୍ଥ ସର୍ବସ୍ବ ଦୁନିଆର ସନ୍ତାନ ସନ୍ତତିମାନେ ପିତାମାତାଙ୍କୁ ହତାଦର କରୁଥିବା ବେଳେ ବାପାଙ୍କ ଆର୍ଥିକ ଦୁଃସ୍ଥିତି ସମୟରେ ୧୧ବର୍ଷ ବାଳକ ଦିପୁର ସାହାସିକତା ତଥା ବାପାଙ୍କ କାନ୍ଧରେ କାନ୍ଧ ମିଳାଇ ଘରର ଆର୍ଥିକ ସ୍ଥିତି ସୁଧାରିବା ଲାଗି କରୁଥିବା ଶ୍ରମ ଆଜିର ସମୟରେ ଆଉ ଜଣେ ଶ୍ରବଣ କୁମାର ନୁହେଁ କି?ଏମିତି ଅନେକ ଦିପୁ ଆମ ଆଖି ଆଢୁଆଳରେ ଶ୍ରବଣ କୁମାର ପରି ପିତାମାତାଙ୍କ ସେବା କରିଚାଲିଛନ୍ତି ମୁଁ ତ କହିବି ପରିବାର ପାଇଁ ତଥା ଘର ପାଇଁ ଦିପୁ ପରି ଅଣ୍ଟା ଭିଡିଥିବା ସମସ୍ତେ ଜଣେ ଜଣେ ଶ୍ରବଣ କୁମାର।