STORYMIRROR

Sangita Mishra Satapathy

Tragedy

3  

Sangita Mishra Satapathy

Tragedy

ମାତୃ ରୂପେଣ ସଂସ୍ଥିତା

ମାତୃ ରୂପେଣ ସଂସ୍ଥିତା

2 mins
190


ଘରର ଯାବତୀୟକାମ ସାରି ସଞ୍ଜ ବତୀ ଦେଇ ବାଲ୍ କୋନିରେ ବସିପଡିଲି।ଅବଶ ଶରୀରର କ୍ଳାନ୍ତି ମେଣ୍ଟାଇବା ପାଇଁ। ଏତିକି ବେଳେ ଭାସି ଆସିଲା ଗଙ୍ଗଶିଉଳିର ଭୁରୁ ଭୁରୁ ମହକ।ଦେହମନରେ ବି ଖେଳାଇ ଦେଲା ଅପୂର୍ବ ପୁଲକ।ଆଖି ଆଗରେ ନାଚି ଉଠିଲା ଜୋତ୍ସ୍ନା ପ୍ଳାବିତ ନିର୍ମଳ ଆକାଶ।ନଈପଠାରେ କାଶତଣ୍ଡୀର ସମ୍ଭାର ମାଆଙ୍କ ଅର୍ଚ୍ଚନା ପାଇଁ ସଜ ହେଲେଣି ପାର୍ବଣପରା ଆସିଲାଣି ।କେଜାଣି କେମିତି ମୁଁ ଭୁଲିଯାଇଥିଲି!

   ଗାଁ ମନ୍ଦିରରୁ ଭାସି ଆସିଲାଣି ଘଣ୍ଟ,ଘଣ୍ଟା, ଅଗୁର ଚନ୍ଦନର ମହମହ ସୁବାସ।ଆରମ୍ଭ ହେଲାଣି ଭେରୀ,ତୂରୀ,ମୃଦଙ୍ଗ ତାଳରେ ମାଆର ସ୍ବାଗତ ପାଇଁ ପ୍ରସ୍ତୁତି ପର୍ବ ସହ ସବୁଆଡେ ଶୁଭିଯାଉଛି "ଯା ଦେବୀ ସର୍ବଭୂତେଷୁ"ର ମନ୍ତ୍ର ଧ୍ବନି।

ଆଖି ଆଗରେ ନାଚିଉଠିଲା ମୃଣ୍ମୟୀ ଦେବୀ ପ୍ରତିମା।ଖୁବ୍ ଭଲ ଲାଗେ ମଣ୍ଡପରେ ମୃଣ୍ମୟୀ ଦେବୀ ଦର୍ଶନ। ମୁଁ ବି ଅତି ଭଲ ପାଏ ମାଆର ଏହି ମୃଣ୍ମୟୀ ରୂପ ଦେଖିବାକୁ। 

     ମାଆ ଜୀବନ ର ରାହା।ଜୀବନ ପଥରେ ସାହା।ପଡିଗଲେ ଯାହାର ନାଁ ଆପେ ଆପେ ପାଟିରୁ ବାହାରି ଆସେ ସେ ମଧୁର ନାଁ ହେଉଛି ମାଆ।ତା ରୂପ ଦର୍ଶନର ଲାଳସା କିଏ ବା ଛାଡି ପାରିଛି?।କଳ୍ପନାରେ ନାଚିଉଠିଲା ମୃଣ୍ମୟୀ ମାଆର ଚିନ୍ମୟୀ ମୂର୍ତ୍ତି। ପୀଠେ ପୀଠେ ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜା।ମାଆ ତାର ଅଭୟ ପଣତରେ ସକଳ ଧରାକୁ ଘୋଡାଇ ଦିଏ।ବରଦ ହସ୍ତରେ ଶୁଭାଶିଷ ଢାଳିଦିଏ।ସୁରକ୍ଷା ର ମନ୍ତ୍ର ଦେଇ ସତେ ଯେପରି କାନେ କାନେ କହିଯାଏ ମୁଁ ଅଛି ପରା ବ୍ଯସ୍ତ କାହିଁକି?

 

 ଏଇ ଦୁଇ ବର୍ଷହେଲା ମାଆ ଯେପରି ନିରୁପାୟ ହୋଇଯାଇଛି ଏଇ କରୋନା ପାଇଁ ତା ଦର୍ଶନରୁ ବଞ୍ଚିତ ଭକ୍ତ। ସେ କିନ୍ତୁ ଆସୁଛି, ଆସିବନି କିପରି! ସେ ପରା ମାଆ।ସନ୍ତାନ ର ଅନ୍ତରର ଡାକ ମାଆ କଣ ଏଡାଇ ପାରେ ଯେ ସେ ପାରିବ?

   ତା ଦର୍ଶନ ନମିଳୁ।ମୁଁ କଳ୍ପନା ନେତ୍ରରେ ଦେଖୁଥାଏ ମୃଣ୍ମୟୀ ରୂପ।ଏ କଣ! ମୁଁ ଯେତେ ମୂର୍ତ୍ତି ଦେଖୁଛି ସବୁଠି ମୋତେ ଗୋଟିଏ ଚିହ୍ନା ମୁହଁ ହିଁ ଦିଶୁଛି। ମନେପକାଇଲି ହଁ ଇଏ ସେଇ ମୁହଁ କରୋନାରେ ପିତାମାତାଙ୍କୁ ହରାଇଥିବା ବାଲେଶ୍ବର ଭୋଗରାଇ ଅଞ୍ଚଳର ସେଇ ୭୵୮ ବର୍ଷର କଅଁଳ ଝିଅ କ୍ରିଷ୍ଣାର ମୁହଁ। ଯାହାକୁ ମୁଁ ଟି.ଭି. ପରଦାରେ ଦେଖିଥିଲି।କୁନିଝିଅ କୋଳେର ତାର ଦେଢମାସ ( ମାତ୍ର୪୫ ଦିନର)ର କୁନିଭାଇ।କେତେବେଳେ ତାକୁ ବୋତଲରେ କ୍ଷୀର ପିଆଇ ଦେଉଛି ତ ଆଉ କେତେବେଳେ ଲୁଗାର ଝୁଲାରେ ଝୁଲାଇ ଦେଉଛି ପୁଣି ଆଉ କେତେବେଳେ କାନ୍ଧରେ ପକାଇ ନାନାବାୟା ଗାଇ ବୋଧ ଦେଉଛି।କଥାରେ ଦାମ୍ଭିକତା। ମୁଁ ୟାକୁ ବଡମଣିଷ କରିବି।ମାଆର ପଣତ ଛାଡି ନଥିବା କୁନିଝିଅ କଥାରେ କି ସମ୍ମୋହନ ଶକ୍ତି! ଉଦାସ ଆଖିରେ କି ଚମକ! ନିଜେ ଦୁନିଆ ଦେଖିନଥିବା କୁନିଝିଅର ସ୍ବପ୍ନ ପୁଣି କେତେ ବଡ।ଛୋଟ ଭାଇକୁ ବଡ କରିବାର ବିରାଟ ସ୍ବପ୍ନ। ଏ କଣ ପବିତ୍ର ଦେବଭୂମି ଭାରତ ଛଡା ଆଉ କେଉଁଠି ସମ୍ଭବ? ବୋଧ ହୁଏ ନା। ଆର୍ଯ୍ୟଭୂମି, ଦେବଭୂମି, ପୁଣ୍ଯଭୂମି ଭାରତ।ଏଇଠି ଜନମିବାକୁ କେତେ ଦେବାଦେବୀଙ୍କ ତପସ୍ୟା। ଦେବାଦେବୀ କଣ ଆଉ ସ୍ବୟଂ ଆସନ୍ତି କି? ନା,ମାନବ ରୂପ ଧରି ହିଁ ତ ଆସନ୍ତି ଯୁଗେ ଯୁଗେ।

   ହଁ ମାଆ ଆସିଛନ୍ତି  ଏଇ କୁନିଝିଅ ରୂପରେ।ଅପୂର୍ବ ଆଭା।ଦୟା,କ୍ଷମା,ଶାନ୍ତି ମୂର୍ତ୍ତି ମାଆ ରୂପରେ।ଶକ୍ତିମୟୀ,ସ୍ନେହମୟୀ,ମମତାମୟୀ,ଭଗିନୀରୂପରେ।ଆଖିରେ ମୋର ଧାରଧାର ଲୁହ।ସ୍ନେହରେ,ପ୍ରେମରେ,ଭକ୍ତିରେ,

ଶ୍ରଦ୍ଧାରେ ମଥାନତ ହେଉଥିଲି ମାଆର ସାକ୍ଷାତରୂପ ଦର୍ଶନରେ।ଆପେ ଆପେ ପାଟିରୁ ବାହାରି ଆସିଲା,

"ୟାଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା, ନମୋ ତସ୍ମୈ ନମୋ ତସ୍ମୈ ନମୋ ତସ୍ମୈ

 ନମୋ ନମଃ"।

   ହାତଯୋଡି ନମସ୍କାର ମୁଦ୍ରାରେ ଠିଆହୋଇଥାଏ ମୁଁ।ଆଖିରୁ ବହିଯାଉଥାଏ ଧାର ଧାର ଲୁହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy