Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ନନାଙ୍କ ସାଇକେଲ୍

ନନାଙ୍କ ସାଇକେଲ୍

3 mins
191


      

ରଘୁନନ୍ଦନବାବୁ ବ୍ଯସ୍ତ ହୋଇଗଲେଣି। କି କରୋନା ଆସିଲା କେଜାଣି,ଆଜିକୁ ଦୁଇମାସ ହେବ ତାଲାବନ୍ଦ  ହେଲାଣି ମଣିଷ କୁଆଡେ ଯାଇପାରୁନି। ବଜାର, ହାଟ ଗଲାମାନେ ପୋଲିସ୍ ର ଲାଠିମାଡ। ମଣିଷ ଘରେ ବସିବସି ବିରକ୍ତ ହୋଇଗଲାଣି। ଏଭଳି ବିରକ୍ତି ଭାବରେ ରଘୁନନ୍ଦନ ଓରଫ ରଘୁ ଦାଣ୍ଡ ଦୁଆର ଗେଟ୍ ପାଖରେ ଚୌକିଟିଏ ପକାଇ ବସିଲେ। ଏହି ସମୟରେ ପାଖ ଗାଁ'ର ଶନିଆଭାଇ ସାଇକେଲଟିଏ ଧରି ଆସିଲା । ରଘୁ ଡାକ ପକାଇଲେ ସାମାଜିକ ଦୂରତା ରକ୍ଷା କରି ଗେଟ୍ ଭିତରେ ଥାଇ ଦୁଇ ପଦକଥା ହୋଇଯିବେ । ଆରେ ଶନିଆ କୁଆଡେ ଯାଇଥିଲୁ। ଏଇ ବଜାର ଆଡେ । ସଉଦା ପରିବା ଟିକେ ନ ଆଣିଲେ ଘର ଚଳୁଛି କୋଉଠି? ହଁ, ଯେ ପୋଲିସ୍ ର ଲାଠିମାଡ? ନାଇଁ ଭାଇ ଚାଲି ଚାଲି ଗଲେ ପୋଲିସ୍ କିଛି କହୁନି।ସାଇକେଲରେ ଗଲେ ବି କିଛି କହୁନି। ଗାଡି ମଟରରେ ଯିବାକୁ ବାରଣ କରୁଛି । ହଉ ମୁଁ ଯାଉଛି ଭାଇନା,ହଉ ଯା'।

          ରଘୁ ବସି ମନେ ପକାଇଲେ ଆରେ ଆମର ବି ସାଇକେଲଟିଏ ଥିଲା। ମୁଁ ସେ ହରି କାକାଙ୍କ କହିଥିଲି ବିକି ଦେବାକୁ। ଆଜିକାଲିର ଗାଡି ମଟର ଯୁଗରେ ସାଇକେଲଟି ଯାହା ଘରେ ଜାଗା ମାଡି ବସିବା କଥା।

       ଏଇ ସାଇକେଲଟି ଥିଲା ମୋ ନନାଙ୍କର ଅତି ପ୍ରିୟ। ସତେ ଯେପରି ତାଙ୍କ ଜୀବନ। କାହାକୁ ଛୁଆଁଇ ଦିଅନ୍ତି ନାହିଁ ସାଇକେଲ । ନିତି ପୋଛା ପୋଛି କରି ଚିକ୍। ଚିକ୍ କରି ରଖନ୍ତି ।ଅହେତୁକ ମମତା ନନାଙ୍କର ସାଇକେଲ ପ୍ରତି। ସାଇକେଲର ପିତ୍ତଳ ବେଲ୍ ର ଶବ୍ଦ ନନାଙ୍କ ବଜାର ଫେରିବାର ସୂଚନା ଜଣାଇ ଦିଏ। ଏବେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଯୋଗୁଁ ନନା ସାଇକେଲ ଚଲାଇ ପାରୁନାହାଁନ୍ତି । ତେଣୁ ସାଇକେଲଟି ଅଲୋଡା ହୋଇଯାଇଛି ।  

        ସାଇକେଲଟି ମୁଁ ବିକିବାକୁ କହିବା ପରେ ସାଇକେଲ ପ୍ରତି ନାନାଙ୍କ ଅହେତୁକ ମୋହ ଯୋଗୁଁ ହରିକାକାଙ୍କୁ କହି ବାଡିପଟେ ଥିବା ଭଙ୍ଗା ଜାଳ ରଖା ଘରେ ଲୁଚାଇ ରଖିଛନ୍ତି। ନନା ଲୁଚିଲୁଚି ଯାଇ ତାର ଦେଖା ଶୁଣା କରୁଛନ୍ତି। କପଡାରେ ପୋଛାପୋଛି କରି ତେଲ ଦେଇ ଯତ୍ନରେ ରଖିଛନ୍ତି। ହରିକାକା ଠାରୁ ସାଇକେଲ କଥା ଶୁଣି ମୁଁ ପଚାରିଲି କ'ଣ ପାଇଁ ଏଇ ପୁରୁଣା ରାଲେ ସାଇକେଲଟି ପ୍ରତି ନନାଙ୍କର ଏତେ ମମତା କ'ଣ ପାଇଁ?

     କାକା କହିଲେ, ସାଇକେଲ ପ୍ରତି ବାବୁଙ୍କର ମମତା କେମିତି ହେବନି କହିଲ ଛୁଆବାବୁ? ଏଇ ସାଇକେଲଟି କଲେଜ ପଢିଲା ବେଳେକୁ ବଡବାବୁ ମାନେ ତମ ଜେଜେ ପୁରା ପଣେ ନଡିଆ ବିକି ବାବୁଙ୍କ ପାଇଁ ଏଇ ସାଇକେଲଟି କିଣିଥିଲେ ୧୫ ଟଙ୍କା ଦେଇ । ସେଇଦିନରୁ ଏ ସାଇକେଲଟି ପରା ଏ ଘରର ସୁଖ ଦୁଃଖ,ହାନିଲାଭ,ଭଲମନ୍ଦ ସହ ଜଡିତ। ଛୁଆବାବୁ ତମେ ଜନମ ହେବା ବେଳକୁ ପରା ଶଗଡ ମିଳିଲାନି ବୋଲି ଏଇ ସାଇକେଲରେ ମାଆ ସାଆନ୍ତାଣିଙ୍କୁ ବସାଇ ବାବୁ ଡାକ୍ତରଖାନା ନେଇଯାଇଥିଲେ। ଛୁଆ ଦିନେ ଏଇ ସାଇକେଲ୍ ଘଣ୍ଟି ନ ଶୁଣିଲେ ତ ତମେ ଖାଉ ନ ଥିଲ। ତମକୁ ଏ ସାଇକେଲର କୁନି ସିଟ୍ ରେ ବସାଇ ଏ ଓଳି ସେ ଓଳି ବଜାର ବୁଲାଇ ଛେନାପୋଡ ନଖୁଆଇ ଆଣିଲେ ବାବୁଙ୍କର ପରା ଭାତ ହଜମ ହୁଏନି। ଏଇ ସାଇକେଲରେ ବସାଇ ତମକୁ ପାଠ ପଢାଇବାକୁ ଇସୁକୁଲରେ ଛାଡି ଆସୁଥିଲେ। ଏଇଥିରେ ବସାଇ କୁଣିଆ ମଇତର ଘର ବୁଲାଇଛନ୍ତି। ତମର ଅତିପ୍ରିୟ ଆଈଘରକୁ ନେଇଛନ୍ତି। କେତେ ମେଳା କେତେ ମେଳଣ ଏଇଥିରେ ତମକୁ ବୁଲାଇ ଛନ୍ତି। ଯେଉଁ ଦିନ ତମ କଥାରେ ପଡି ମୁଁ ସାଇକେଲ ବିକିବା କଥା କହିଲି..ଗର୍ଜି ଉଠି ବାବୁ କହିଲେ, ଆରେ ହରିଆ ଯେଉଁ ସାଇକେଲଟିରେ ଏବେ ବି ମୋ ରଘୁଆ ହାତର କଅଁଳ ସ୍ପର୍ଶ ଅଛି, ତା ଛୁଆ ଦିନର ସ୍ମୃତି ଅଛି ସେ ସାଇକେଲ ମୁଁ ବିକିବି କହିଲୁ ହରିଆ ।ଏବେ ବି ମୋ ରଘୁଆ ସେମିତି କୁନି ଛୁଆ ଭଳି କୁନି ସିଟ୍ ବସିବା ପାଇଁ ଅଳି କରି କହୁଛି,ନ.....ନା.....ମୁଁ.....,ଇବି....ବୁଇ(ବୁଲି)

ସେଇ ସ୍ବର ଆଜି ବି ମୋତେ ଶୁଣାଯାଏ ରେ ହରିଆ। ସେଇଦିନୁ ମୁଁ ତାକୁ ବିକିବାର  ନାଁ ଧରିନି ଛୁଆବାବୁ । ରଘୁନନ୍ଦନବାବୁ ,ହରିକାକା ଦୁଇ ଜଣଙ୍କ ଆଖିରେ ଲୁହ ।

        ଯାଅ,ହରିକାକା ସାଇକେଲଟି ଆଣ ଟିକେ ବଜାର ବୁଲି ଆସିବା । ଯାଉଛି ଛୁଆବାବୁ । ଆରେ ହରି କାକା ପମ୍ପଟା ଆଣ ସାଇକେଲରେ ପମ୍ପ ଦେଇ ରଘୁବାବୁ ସାଇକେଲରେ ବସିପଡିଲେ। ଲାଗିଲା ସତେ ଅବା ନନାଙ୍କ କୋଳରେ ବସିଛନ୍ତି। ଆଉ ନନା ମଥା ଆଉଁସି ଦେଇ ଗପ କହି କହି ଗଡାଇ ଚାଲିଛନ୍ତି ସାଇକେଲଟି। ସାଇକେଲଟି ଟିଂ ଟିଂ ବେଲ ବଜାଇ। ଓଃ କି ଶାନ୍ତି। ଦେହ ମନରେ ଅପୂର୍ବ ଆନନ୍ଦ। ସତରେ ମାଆ ବାପାଙ୍କ ପରି ସାଇକେଲ ସହ ମଣିଷ ସଂପର୍କ ଅତି ନିବିଡ। ସେ୫୦ବର୍ଷ ପୂର୍ବରୁ ହେଉ ଅଥବା ଆଜିର ଅତ୍ଯାଧୁନିକ ଗାଡି ମଟର ଯୁଗରେ । ନା ପେଟ୍ରୋଲ, ଡିଜେଲ ସରିବାର ଅଛି ନା ପ୍ରଦୂଷଣର ଭୟ। ସାଇକେଲରେ ରହିଛି ସୁସ୍ଥ, ନିରାମୟ, ସରଳ ଜୀବନ ଯାପନର ରହସ୍ୟ। ଯାହା ରହିଛି ଆଉ ରହିଥିବ ଚିରକାଳ। 

        ହାଟ ,ବଜାର, ଡାକ୍ତରଖାନା,ଅବା ଶ୍ମଶାନ ଘାଟ,ଅଥବା " ଫଣୀ" ବାତ୍ଯା ବେଳେ ହେଉ ଅବା" କରୋନା" ସମୟରେ। ପ୍ରତି କ୍ଷେତ୍ରରେ ସାଇକେଲଟି ରହିଛି ମଣିଷ ଜୀବନ ସହିତ। ସତରେ କେବେ ବି ଅଲୋଡା ନୁହଁନ୍ତି ବୃଦ୍ଧ ପିତାମାତା କି ଅଲୋଡା ନୁହେଁ ସାଇକେଲ। 

# MyDadMyHero


Rate this content
Log in

Similar oriya story from Inspirational