Sachidananda Kar

Romance

4.0  

Sachidananda Kar

Romance

ଗୋଟିଏ ଚୋରି ଗପ

ଗୋଟିଏ ଚୋରି ଗପ

3 mins
15



          - " ତୁମେ କେବେ ଅନୁଭବ କରିଛ,କମି କମି ଗଲାଣି ଆମ ସାମର୍ଥ୍ୟ ? " ପତ୍ନୀ କହିଲେ।


          - " ହଁ,ସମୟ ସୂଚେଇ ଦେଲାଣି।ଥକ୍କା ଦେହ ମନକୁ ଏବେ ସଜାଡିବାକୁ ହେବ। " ପତି କହିଲେ।


          - " ଏ ଜୀବନକୁ ଭୋଗିବା କ'ଣ ସରିଯିବ ଏମିତି ? ନା, ଆମ ଭିତରେ ଥିବା ସ୍ନେହ, ଅନୁରାଗକୁ ନୂଆ ପଣରେ ଚାଖିବା,ପାଇବା ? " ପତ୍ନୀ କହିଲେ ପୁଣି।


          - " ହେଲେ କେମିତି ? କାଇଁ ଆଖିରେ ତ ଆଉ ସ୍ବପ୍ନ ଆସୁନି।କାହିଁ ସେଦିନର ଉଦ୍ଦାମତା ? " ପତି କହିଲେ।


          ସଂଧ୍ୟା ସମୟ।ସମୁଦ୍ରକୁ ମୁହଁ କରି ବସିଥିଲେ ପତି ପତ୍ନୀ।ସହଭାଗିତାରେ ଖୋଜୁଥିଲେ ଗୋଟେ ନିର୍ମଳ ଆନନ୍ଦର ମିଠା ମିଠା ଅନୁଭବକୁ।


          - " ଦେଖ ଏ ସମୁଦ୍ରକୁ।ଆଜି ବି ସେ କେଡେ ଉଦ୍ଦାମ !ଧାଇଁ ଆସୁଛି।କୂଳକୁ ଟିକେ ଛୁଇଁ ଦେଇ ଫେରି ଯାଉଛି।କେଡେ ଆନନ୍ଦ ଇଏ ତା'ର ! " ପତ୍ନୀ କହିଲେ।


          - " ହଁ,ସେଇଥିପାଇଁ ତ ସେ ସମୁଦ୍ର।କିଏ ବା ପରଖି ପାରିବ ତା'ର ଉଦ୍ଦାମତାକୁ ! " ପତି କହିଲେ।


           - " ମନେଅଛି ନା ମୋ ପାଖକୁ ଲାଗି ଦିନେ ଏଇଠି ବସିଥିଲ ତୁମେ ? ମଝିରେ ମଝିରେ ମୋ ହାତକୁ ଧରି ନେଉଥିଲ।ମୋ ସାଙ୍ଗରେ ଆହୁରି କେତେ ବି କ'ଣ କରିବାକୁ ଇଚ୍ଛା କରୁଥିଲ - ଲାଜର କଥା। "ପତ୍ନୀ କହିଲେ।


           - " ମନେଅଛି। "


           - " ଦିନେ ଦିନେ ରାତିରେ ମୋ ଲମ୍ବା ଚୁଟିରେ ମୁଁ ଗୁଡେଇ ବାନ୍ଧିଥିବା ଖୋସାକୁ ଶ୍ରଦ୍ଧାରେ ଖୋଲି ଦେଉଥିଲ।ସ୍ନେହରେ ସେସବୁକୁ ସାଉଁଳି ଦେଇ ଚୁପି ଚୁପି କାନ ପାଖରେ କହୁଥିଲ - ଏ ରାତିଟା ଆହୁରି ଲମ୍ବା ହୋଇ ଯାଆନ୍ତାକି। " ପତ୍ନୀ ପୁଣି କହିଲେ।


           - " ମନେଅଛି। "


           - " କେବେ କେମିତି ପାର୍କରେ ମୋ ହାତରେ ହାତ ଛନ୍ଦି ଚାଲୁଥିଲ।କହୁଥିଲ - ଆମ ଦୁଇ ଜଣଙ୍କର ଡେଣା ଲାଗିଯାଆନ୍ତା କି !ସାତ ସମୁଦ୍ର, ତେର ନଈ ପାରି ହୋଇ ଆମେ ଗୋଟେ ଆମ ଇଚ୍ଛାର ନୂଆ ଦୁନିଆକୁ ଉଡି ଚାଲିଯାଆନ୍ତେ। " ପତ୍ନୀ କହିଲେ।


          - " ମନେଅଛି। "


          - " ଆଉ ଆମ ଜୀବନର କିଛି ଅନ୍ତରଙ୍ଗ ଦୃଶ୍ୟ ମନେଅଛି ନା ତୁମର ? ଜହ୍ନ ଆଲୁଅରେ କେତେ ଗାଧୋଉ ନ ଥିଲେ ଆମେ ! " ପତ୍ନୀ ପୁଣି କହିଲେ।


          - " ମନେଅଛି।ସବୁ ମନେଅଛି।ହେଲେ ଏ ସମୟଟା କେଡେ କ୍ରୁର ଦେଖ।କିଛି ରଖିନି।ସବୁ ଛଡେଇ ନେଇଛି। " ପତି ଅନୁଭବୀ ସ୍ବରରେ କହିଲେ।


          - " ନା,ସେମିତି କହିଲେ ହେବନି।ଆମକୁ ସମୁଦ୍ର ପରି ହେବାକୁ ପଡିବ।ଆଉ ଥରେ ନୂଆ କରି ଦୁନିଆକୁ ଦେଖିବାକୁ ହେବ। " କହିଲେ ପତ୍ନୀ।


           - " ଭଲକଥା।କୁହ କ'ଣ କରିବାକୁ ହେବ ତେବେ ? " ପତି କହିଲେ।


           - " ଦୂରରେ ନୁହେଁ, ଆସ ମୋ ପାଖକୁ ଲାଗି ବସ।ମୋତେ ଟିକେ ଛୁଇଁ ଦିଅ।ମୋ ହାତକୁ ଧରି ନିଅ।ଖୋଲି ଦିଅ ମୋ ଖୋସାକୁ।ସ୍ନେହରେ ଚୁଟିସବୁକୁ ସାଉଁଳି ଦିଅ।ଚାଲ ଆମେ ଦୁହେଁ ହାତ ଧରାଧରି ହୋଇ ଏଇ ସମୁଦ୍ର କୂଳରେ ବାଲିରେ ଚାଲି ଚାଲି ଯିବା।ସଂଧ୍ୟାର ସମୁଦ୍ରରେ ହଜିବା,ଭିଜିବା।ସ୍ବପ୍ନର ଡେଣା ଲଗେଇ ଉଡିବା। " ପତ୍ନୀ ହସିଦେଇ କହିଲେ।


           - " ହଁ,ତୁମେ ଠିକ୍ କହିଛ।ମୁଁ ଏବେ ସେପରି କରିବି।ତୁମ ସହ ଜୀବନକୁ ଭୋଗିବାର ସମୟ ସରିଯିବା ଆଗରୁ ଆଉ ଥରେ ମୋ ଭିତରେ ଥିବା ପ୍ରେମକୁ ପାଇ ନେବି। " କହିଲେ ପତି।


           ଏହାପରେ ସେ ପତ୍ନୀଙ୍କ ପାଖକୁ ଲାଗି ବସିଲେ।ତାଙ୍କୁ ଟିକେ ଛୁଇଁ ଦେଲେ।ମିଠ ହସ ହସି ଶ୍ରଦ୍ଧାରେ ତାଙ୍କ ହାତ ଧରିନେଲେ।ଲାଜ ଲାଜ ହୋଇ ଖୋଲି ଦେଲେ ତାଙ୍କ ଖୋସାକୁ।ଦୀର୍ଘ ମୁକୁଳା ଚୁଟିସବୁକୁ ଥରେ ସାଉଁଳି ଦେଇ କହିଲେ - " ଆସ ହାତ ଛନ୍ଦା ଛନ୍ଦି ହୋଇ ଚାଲିବା।ଦୂରରେ ଦିଶୁଥିବା ନୋଳିଆର ପାଲଟଣା ପୋତ ଦେଖିବା। "


           ମୃଦୁ ହସିଲେ ପତ୍ନୀ।ଲାଜେଇ ଗଲେ।ପଛକୁ ବୁଲି ଚାହିଁଲେ।


           ସେତେବେଳକୁ ଦୁହିଙ୍କର ସବୁ କଥାକୁ ମୋ ଡାଏରୀରେ ଲେଖି ସାରିଥିଲି ମୁଁ।


           ସେ ସନ୍ଦେହ କରି ପଚାରିଲେ - " ଆମ ଗପକୁ ଚୋରି କରି ନେଇ କ'ଣ କରିବ ? "


           - " ଗପ ଲେଖିବି।ଆସୁଛି।ଧନ୍ୟବାଦ। " କହି ଉଠି ଚାଲିଗଲି ମୁଁ।


           ଦୁହେଁ ଖୁବ୍ ଆଶ୍ଚର୍ଯ୍ୟରେ ମୋ ଆଡେ ଚାହିଁ ରହିଲେ।ହସ ହସ ଦିଶୁଥିଲେ।ବେଶ୍ ପ୍ରେମପୂର୍ଣ୍ଣ ବି।


           ମୋତେ ଗପ ମିଳି ଯାଇଥିବାରୁ ମନେମନେ ଖୁସି ହେଉଥିଲି ମୁଁ।


          ଗୋଟିଏ ଚୋରି ଗପ ! ! !


Rate this content
Log in

Similar oriya story from Romance