ଗୋଶିଙ୍ଗ ଦୈତ୍ୟର ଆରାଧ୍ୟା ଠାକୁରାଣୀ
ଗୋଶିଙ୍ଗ ଦୈତ୍ୟର ଆରାଧ୍ୟା ଠାକୁରାଣୀ


ରାତ୍ରୀର ମଧ୍ୟମ ପ୍ରହର।ଅନ୍ଧକାର କକ୍ଷ ଭିତରେ ଗବାକ୍ଷଦେଇ ପୂର୍ଣ୍ଣମାସୀ ଜ୍ୟୋସ୍ନା ଭଦ୍ରାଙ୍କ କମନୀୟ ମୁଖ ମଣ୍ଡଳରେ ପଡି ଅପରୂପା ସୁନ୍ଦରୀଙ୍କର ମୁଖ ଲାବଣ୍ୟକୁ ବହୁଗୁଣିତ କରୁଥିଲା।ରତିକ୍ଳାନ୍ତ ନିଦ୍ରାଗତା ସୁଭଦ୍ରାଙ୍କର ପାରିଜାତ ଭଳି ଦିଶୁଥିବା ସୁନ୍ଦର ମୁଖ ମଣ୍ଡଳକୁ ଦେଖି ସ୍ୱପ୍ନ ବିଭୋର ହୋଇ ଉଠିଲେ ତୃତୀୟ ପାଣ୍ଡବ ଅର୍ଜୁନ।ବାହାରେ ଆକାଶରେ ପୂର୍ଣ୍ଣମାସୀ ଜହ୍ନ ,ଆଉ ତାଙ୍କ ପାଖରେ ପର୍ଯ୍ଯଙ୍କରେ ତା'ଠାରୁ ସୁନ୍ଦର ଆଉ ଗୋଟିଏ ଚନ୍ଦ୍ର - - --ଭଦ୍ରାଙ୍କ ମୁଖ ଚନ୍ଦ୍ରମା।ଆଳୁଳାୟୀତ ଚୁର୍ଣ୍ଣକେଶ ଗାଲରେ ପଡି ପ୍ରିୟତମାର ମୁଖଶ୍ରୀକୁ ଆହୁରି ସ୍ୱପ୍ନିଳ କରି ତୋଳିଥିଲା।ଇଚ୍ଛା ହେଉଥିଲା ଗଭୀର ଆଶ୍ଳେଷରେ ବାହୁବନ୍ଧନରେ ଭିଡିଧରିବେ ପ୍ରିୟତମାକୁ ଏବଂ ଆଙ୍କିଦେବେ ଅଜସ୍ର ଚୁମ୍ବନ ସେହି ପାରିଜାତ-ବିନିନ୍ଦିତ ମୁଖଚନ୍ଦ୍ରମାରେ।କିନ୍ତୁ ରତିକ୍ଳାନ୍ତ ପ୍ରିୟତମାର ନିଦ୍ରା ଭାଙ୍ଗିବାକୁ ଚାହୁଁନଥିଲେ ସବ୍ୟସାଚୀ।
ମନେପଡେ ସେହିଦିନର କଥା।ବଳାତ୍କାର କରି ଗୋଶିଙ୍ଗ ଦୈତ୍ୟ ,ସୁଭଦ୍ରାଙ୍କୁ ହରଣକରି ,ରଥରେ ବସାଇ ନେଇଯାଉଥିଲା।ରକ୍ଷରାଜ ରାବଣ କବଳରେ ଅସହାୟା ଜାନକୀ କ୍ରନ୍ଦନ କଲାପରି ବିକଳରେ କ୍ରନ୍ଦନ କରୁଥିଲେ ସୁଭଦ୍ରା ।ସେ ସମୟରେ ପାଣ୍ଡବମାନେ ବନବାସ ଅତିବାହିତ କରୁଥିଲେ।ଅର୍ଜୁନଙ୍କ କାନରେ ପଡିଲା ସେ ବିକଳ କ୍ରନ୍ଦନ ଧ୍ୱନି।ଦୈତ୍ୟରାଜ ଗୋଶିଙ୍ଗ ଅଟ୍ଟହାସ କରି କହୁଥିଲା "କାନ୍ଦିଲେ କି ହେବ କରିନ୍ଦ୍ରଗମନା,ଗୋଶିଂଙ୍ଗ କି ସତେ ଛାଡିବ----"
ଆଉ ସମ୍ଭାଳି ପାରିଲେ ନାହିଁ ମଧ୍ୟମ ପାଣ୍ଡବ।ଦୈତ୍ୟରାଜ କବଳରେ ପଡିଥିବା ରମଣୀଙ୍କର ପରିଚୟ ତାଙ୍କ ପାଖରେ ଅଜ୍ଞାତ ଥିଲେ ମଧ୍ୟ, ଅବଳାକୁ ଉଦ୍ଧାର କରିବା କ୍ଷତ୍ରିୟର କର୍ତ୍ତବ୍ୟ ମନେକରି ଗୋଶିଙ୍ଗ ସହିତ ଭୀଷଣ ଯୁଦ୍ଧରେ ମଜ୍ଜିଗଲେ ଅର୍ଜୁନ।ଶେଷରେ ଦୈତ୍ୟରାଜର ପରାଜୟ ହେଲା।ଦୈତ୍ୟକୁ ହତ୍ୟାକରି ଅର୍ଜୁନ ସୁଶ୍ରୀ ଅବଳାଙ୍କର ପରିଚୟ ପାଇ ଆଶ୍ଚର୍ଯ୍ଯ ହେଲେ।ସେ ଥିଲେ ପ୍ରିୟ ସଖା ଶ୍ରୀକୃଷ୍ଣଙ୍କର ଅଲିଅଳୀ ଭଗ୍ନୀ ସୁଭଦ୍ରା ।ସାଙ୍ଗରେ ତାଙ୍କର ଥିଲେ ରାଣୀ ସତ୍ୟଭାମା।ସ୍ୱପ୍ନେଶ୍ୱର ଶିବଙ୍କୁ ଦର୍ଶନ କରିବା ଅବସରରେ ଗୋଶିଙ୍ଗ ଦୈତ୍ୟର ପାପଦୃଷ୍ଟି ଭଦ୍ରାଙ୍କ ଉପରେ ପଡିଥିଲା।
ଏ ସବୁ ଜାଣିବାପରେ ସୁଭଦ୍ରାଙ୍କୁ ସସମ୍ମାନେ ସତ୍ୟଭାମାଙ୍କ ଅଧିକାରରେ ଦେଇ ସ୍ୱନିବାସକୁ ଫେରିଗଲେ ଅର୍ଜୁନ ।କିନ୍ତୁ ଅର୍ଜୁନଙ୍କ ବୀରତ୍ୱ ଓ ପୌରୁଷ ସଂଦର୍ଶନରେ ତାଙ୍କ ପ୍ରେମରେ ପଡିଯାଇଥିଲେ ଭଦ୍ରା।ଅର୍ଦ୍ଧ ରାତ୍ରରେ ଅର୍ଜୁନଙ୍କ ପାଖରେ ପହଞ୍ଚି ପ୍ରେମ ଭିକ୍ଷା କରିଥିଲେ ସୁଭଦ୍ରା।ପ୍ରଥମେ ମଧ୍ୟମ ପାଣ୍ଡବ ପ୍ରତ୍ୟାଖ୍ୟାନ କରିଥିଲେ।କିନ୍ତୁ ଭଦ୍ରାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ତାଙ୍କୁ ବିବାହ କରିଥିଲେ।
ଆଜି ପ୍ରିୟାର ସୌନ୍ଦର୍ଯ୍ୟର ମଧୁ ଆକଣ୍ଠ ପାନ କରିବା ପରେ ମଧ୍ୟ ଅତୃପ୍ତ ଥିଲେ ସବ୍ୟସାଚୀ।ଚାହିଁ ରହିଥିଲେ ପ୍ରିୟତମାର ମୁଖମଣ୍ଡଳକୁ "ଆଃ ! ସୌନ୍ଦର୍ଯ୍ୟ-ତୃପ୍ତିରେ ବାସ୍ତବିକ୍ ଅବସାଦ ନାହିଁ !"
××× ××× ×××
ମହାଭାରତର ଉପରୋକ୍ତ ଉପାଖ୍ଯାନଟି ଗଡଜାତ ଅଞ୍ଚଳରେ "ଦୂଆରୀ ନାଚ" (ଲୋକଗୀତ) ଭାବରେ ଅଭିନୀତ ହୁଏ।ମୂଳ ମହାଭାରତରେ ,ଦୈତ୍ୟରାଜ ଗୋଶିଙ୍ଗ ଦ୍ୱାରା ସୁଭଦ୍ରାଙ୍କ ହରଣ ଉପାଖ୍ଯାନଟି ନାହିଁ ।ତେଣୁ ଏହି ଉପାଖ୍ଯାନ ଯେ କେବଳ ଦୁଆରୀନାଚ ଉଦ୍ଦେଶ୍ୟରେ ଆଞ୍ଚଳିକ କବିଙ୍କ ଦ୍ୱାରା ଲିଖିତ,ଏଥିରେ ସନ୍ଦେହ ନାହିଁ ।
କିନ୍ତୁ ଏହା ସହିତ ଗୋଟିଏ କିମ୍ବଦନ୍ତୀ ଜଡିତ। କଣ୍ଟିଲୋ ଠାରୁ ତିନି କିଲୋମିଟର୍ ଦୂର ଏବଂ 'ପଥରଚକଡା' ଗ୍ରାମ ନିକଟରେ "ନାରାୟଣୀ ପୀଠ" ଅବସ୍ଥିତ।କିମ୍ବଦନ୍ତୀ ଅନୁଯାୟୀ ମା'ନାରାୟଣୀ ପ୍ରବଳ ପ୍ରତାପୀ ଗୋଶିଙ୍ଗଦୈତ୍ୟ ଦ୍ୱାରା ଏହି ସ୍ଥାନରେ ସ୍ଥାପିତା ହୋଇଥିଲେ ଏବଂ ଦୈତ୍ୟରାଜଙ୍କର ପରମଆରାଧ୍ୟା ଦେବୀ ଥିଲେ।
ପ୍ରକୃତିର ପ୍ରାଚୁର୍ଯ୍ୟ ଭିତରେ ଅବସ୍ଥିତ ଏହି ନାରାୟଣୀ ପୀଠ,ଆସ୍ଥା ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଅନୁପମ।ଉତ୍କଳ-ଗଙ୍ଗା ମହାନଦୀ କୂଳରେ ଅବସ୍ଥିତ ଏହି ପୀଠର ଉତ୍ତରରେ ମହାନଦୀ,ଦକ୍ଷିଣରେ ଗୋଶିଙ୍ଗ ପର୍ବତମାଳା,ପୂର୍ବରେ ପଥର ଚକଡା ଗ୍ରାମ ଏବଂ ପଶ୍ଚିମରେ କୁମାରୀକା (କୁଆଁରିଆ)ନଦୀ।
ଦୈତ୍ୟରାଜ ଗୋଶିଙ୍ଗ ନାମ ଅନୁଯାୟୀ, ପର୍ବତମାଳାର ନାମ ଗୋଶିଙ୍ଗ ରଖାଯାଇଛି।କିମ୍ବଦନ୍ତୀ କହେ ଯେ ଏହି ପର୍ବତ ଉପରେ ଗୋଶିଙ୍ଗ ଦୈତ୍ୟର ରାଜଧାନୀ ଥିଲା। ଏହା ଖଣ୍ଡପଡା ଅଞ୍ଚଳର ଦ୍ୱିତୀୟ ଉଚ୍ଚତମ ପର୍ବତ।(ସର୍ବୋଚ୍ଚ ରାଜଗିରି)।ଫତେଗଡ ଠାରୁ କଣ୍ଟିଲୋ ଯିବା ବାଟରେ ବାମ ପାଖରେ ଏହି ପର୍ବତ ଅବସ୍ଥିତ ।ପର୍ବତର ଶୀର୍ଷଭାଗ ଗାଈର ଦୁଇଟି ଶିଙ୍ଗ ପରି ଦେଖାଯାଏ, ତେଣୁ ପର୍ବତଟିକୁ ଚିହ୍ନିବା ସହଜ। ଗୋଶିଙ୍ଗ ଦୈତ୍ୟର ଅଷ୍ଟ ପାଟରାଣୀ ମଧ୍ୟରେ ରାଣୀ ପଦ୍ମାବତୀ ଦୈତ୍ୟରାଜଙ୍କର ଅତି ପ୍ରିୟତମା ଥିଲେ।ରାଣୀଙ୍କ ନାମ ଅନୁସାରେ ,ଦୈତ୍ୟରାଜ 'ପଦ୍ମାବତୀ 'ନାମକ ଗ୍ରାମ ପ୍ରତିଷ୍ଠିତ କରିଥିଲେ ବୋଲି ଜନଶ୍ରୁତି ଅଛି।ଏହି ବିଶାଳ ଗ୍ରାମଟି କଣ୍ଟିଲୋ ନିକଟରେ ଏବେ ମଧ୍ୟ ଅବସ୍ଥିତ।
ମା'ନାରାୟଣୀଙ୍କ ମନ୍ଦିରର ଉଚ୍ଚତା 15 -16 ଫୁଟରୁ ଅଧିକ ହେବନାହିଁ ।ପାଖକୁ ଲାଗି ,35-36 ଫୁଟ ଉଚ୍ଚତା ବିଶିଷ୍ଚ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିର ।ପ୍ରଥମେ ଏଠାରେ ମନ୍ଦିର ନଥିଲା।ମା'ନାରାୟଣୀ ଏବଂ ସ୍ୱପ୍ନେଶ୍ୱର ମୁକ୍ତ ଆକାଶ ତଳେ ପୂଜା ପାଉଥିଲେ। ପ୍ରାୟ ଶହେ ବର୍ଷତଳେ କଣ୍ଟିଲୋ,ପାଟଣାର ଖୁଦ ବେହେରା ନାମକ ଜଣେ ବଦାନ୍ୟ ବ୍ୟକ୍ତି ,ଉଭୟ ନାରାୟଣୀ ଓ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିର ନିର୍ମାଣ କରିଥିଲେ।
ମା'ନାରାୟଣୀଙ୍କ ମନ୍ଦିରକୁ ଲାଗି ରହିଛି ଗୋଟିଏ ସୁଗଭୀର ଏବଂ ସ୍ୱଚ୍ଛ ସଲୀଳା ପୁଷ୍କରିଣୀ ।କଥିତ ଅଛି ଏହି ପୁଷ୍କରିଣୀ ନିକଟରେ ଗୋଶିଙ୍ଗ ଦୈତ୍ୟ ସହସ୍ର ଧେନୁ ବଧକରି ,ଏକ ଯଜ୍ଞ ସମାପନ କରି ଅଲୌକିକ ଶକ୍ତିର ଅଧିକାରୀ ହୋଇଥିଲେ।ତେଣୁ ଏହି ପୁଷ୍କରିଣୀରୁ ଏବେ ମଧ୍ୟ, ନିକଟରେ ଚରୁଥିବା ଗାଈ-ଗୋରୁ ଜଳପାନ କରନ୍ତି ନାହିଁ ।ଅବଶ୍ୟ ଅନ୍ୟ ଜୀବ-ଜନ୍ତୁ ସେହି ପୁଷ୍କରିଣୀରୁ ଜଳପାନ କରିବାର ଦେଖାଯାଏ ।ଏହା ଏକ ଆଶ୍ଚର୍ଯ୍ଯ ଘଟଣା ଭାବରେ ସେହି ଅଞ୍ଚଳରେ ଆଲୋଚିତ ।
ଜାଗର ଅମାବାସ୍ୟା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ,ଶୁଦ୍ଧପୂତ ଭାବରେ ଏଠାରେ ସ୍ନାନକରି ,ବନ୍ଧ୍ୟା ସ୍ତ୍ରୀ ,ପୁଷ୍କରିଣୀ ଗର୍ଭରୁ ପାଇଥିବା ପଦାର୍ଥ, ମା'ନାରାୟଣୀଙ୍କ ନାମ ସ୍ମରଣକରି ଗର୍ଭସ୍ଥ କଲେ ସନ୍ତାନବତୀ ହୁଅନ୍ତି ବୋଲି ଲୋକଙ୍କର ବିଶ୍ଵାସ।
ଆଶ୍ବୀନ ଶୁକ୍ଳ ମହାଷ୍ଟମୀ ଠାରୁ ଦଶହରା ପର୍ଯ୍ଯନ୍ତ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ ।ମହିଷାମର୍ଦ୍ଦିନୀ ଦୁର୍ଗା ରୂପରେ ମା'ନାରାୟଣୀ ଏହି ପୀଠରେ ପୂଜା ପାଆନ୍ତି ।
ଜାଗର ଏବଂ କାର୍ତ୍ତିକ ପୂର୍ଣ୍ଣିମା, ପ୍ରଭୁ ସ୍ୱପ୍ନେଶ୍ୱରଙ୍କ ପୀଠରେ ମହା ଆଡମ୍ବରରେ ପାଳିତ ହୁଏ।
ମା'ନାରାୟଣୀ ପ୍ରତ୍ୟକ୍ଷ ଠାକୁରାଣୀ ଭାବରେ ବିଦିତା ଏବଂ ଭକ୍ତ ମାନଙ୍କର ଯାଚଜ୍ଞା ନିଶ୍ଚିତଭାବରେ ପୂର୍ଣ୍ଣକରନ୍ତି ବୋଲି ବିଶ୍ୱାସ।