ଗଣ୍ଠି
ଗଣ୍ଠି
ପଡ଼ିଯାଏ କିଛି ଗଣ୍ଠି ଜୀବନରେ କେବେ ନ ଫିଟିବାର ପ୍ରତିଶ୍ରୁତି ଭିତରେ ।
ସେ ଜମା ବ୍ୟସ୍ତ ନଥିଲା । ଯେମିତି କିଛି ଘଟିନି । ଆଦୌ ନଥିଲା ଆଲୋଡନ ତା' ଆୟତ୍ତ ଆଖିରେ । ସେଠି ବରଞ୍ଚ ଥିଲା ଅଦ୍ଭୁତ ସ୍ଥିରତା । ସକାଳର ପୂଜା ସାରି ସେ ନିଜ ଲ୍ୟାପଟପ ସହ ବସିଥିଲା । ହାତରେ ପ୍ରିୟ ଲେମ୍ବୁ ଚା ଥିଲା ଓ ଓଠରେ ତା ସ୍ୱାଦ । ଲୁଣି ମରା ଲୁହର ସ୍ୱାଦ ନଥିଲା କେଉଁଠି ।
କିନ୍ତୁ ନିଲ ଅନୁଭବ କରିପାରୁଥିଲେ ସ୍ୱରା ଭିତରେ ଝଡ଼ର ନିର୍ଘାତ ତାଣ୍ଡବ । ସେ ଅସ୍ତବ୍ୟସ୍ତ ଅଛି , ହୁଏତ ଖିନଭିନ ହେଉଯାଉଛି ବଡ଼ ଅସହାୟ ଭାବେ । ସମୟର କ୍ରୁର ସ୍ରୋତର ଆତଡା ଭାଙ୍ଗି ଦେଇଛି ଗୋଟେ ଶକ୍ତ ଚଟାଣ । ଢେର ସାହସ ଲୋଡ଼ା ଏଇ ମୁହୂର୍ତ୍ତକୁ ସାମ୍ନା କରିବାକୁ । ହୁଏତ ନିଜେ ନିଲ ପାରିବେ ନାହିଁ ଏମିତି ସମୟରେ ନିଜକୁ ସମ୍ଭାଳି ।
ଚିନୁ କୁନ୍ତଳା ପାଖକୁ ଚିରଦିନ ପାଇଁ ଚାଲିଯିବା ଗୋଟେ ତୀବ୍ର ଯନ୍ତ୍ରଣା
ହୃଦୟରେ । ହୁଏତ ଏମିତି ଘଟୁନି ସାଧାରଣ ଜୀବନରେ । ସ୍ତ୍ରୀ ଓ ସ୍ତ୍ରୀ ପ୍ରବୃତ୍ତି ଭିତରେ ଗୋଟେ ସୂକ୍ଷ୍ମ ଚେତନା ରାଜୁତି କରେ ସେଇଟି ହେଲା ହିଂସା । କହିବାକୁ ଖରାପ ଲାଗିଲେ ମଧ୍ୟ ବୋଧେ ଏଇଟି ନିରାଟ
ସତ୍ୟ ।
ନାରୀ ହିଁ ନାରୀର ଶତ୍ରୁ । ପୁରୁଷ କେବଳ ନେପଥ୍ୟରେ ନାରୀର ନିର୍ଦେଶରେ । ନିଲ ଏତକ ଅନୁଭବ କରୁଛନ୍ତି ମର୍ମେମର୍ମେ ।
କୁନ୍ତଳା ସାଧାରଣ ନୁହେଁ ଅତି ସାଧାରଣ କାମବାଲୀ । ଚାରିଟି ଝିଅ ଜନ୍ମ କରିଛି ବୋଲି ସ୍ୱାମୀ ଘରୁ ତଡି ଦେଇଛି । ପରଘରେ ବାସନ ମାଜି ନିଜ ପେଟ ପୋଷୁଥିବା ଦୁଇ କୋଉଡିର କାମବାଲୀ ସ୍ୱରାକୁ ଆହତ କରିପାରେ ଏତକ ଆବିଶ୍ୱାସନୀୟ କିନ୍ତୁ ଘଟିଛି ଏମିତି ।
ଏଇ ଚିନୁ ଯେବେ ଖୁବ୍ ଅସୁସ୍ଥ ଥିଲା ସ୍ୱରା ନିଜେ ତା'ର ସମସ୍ତ ଯତ୍ନ କରିଥିଲା । ହସ୍ପିଟାଲରେ ପ୍ରାୟ ପଚାଶ ହଜାର ଖର୍ଚ୍ଚ ଉଠେଇଥିଲା । ଭୋକ ଶୋଷ ଭୁଲି ଛୁଆଟିକୁ ବଞ୍ଚେଇ ପାରିଥିଲା ।
ପଛରେ ଥିଲା ଛୋଟ ଗୋଟେ ମୋହ । ତା' କୋଳକୁ ପିଲାଟି ଆସିବ । ଅବଶ୍ୟ ଏସବୁ ନୀଲ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଅସହାୟ ମଣିଷ ଗୁଡା ବେଳେବେଳେ ଭାରି ଅନ୍ଧବିଶ୍ୱାସୀ ହେଇଯାନ୍ତି । ହୁଏତ ନିଜ ଅଭାବବୋଧ ଦାୟରେ । ସେମାନଙ୍କ କୋଳରେ ପିଲାଟିଏ ପାଇଁ ଗୋଟେ କନ୍ୟା ରତ୍ନର ସେବା କଲେ ସୁଫଳ ମିଳିବ । କହିଦେଲେ ତାଙ୍କ ମମିଙ୍କ ପିରିଚିତ ଜଣେ ପ୍ରସିଦ୍ଧ ବାବା । ଜାତକରେ ଅଛି ଟିକେ ଅଡ଼ୁଆ । କନ୍ୟା ସେବା ଜରୁରୀ ପାତକ ମୁକ୍ତି ପାଇଁ ।
ବିଶ୍ୱାସ କରିଗଲା ବିଚାରୀ ଆଉ କଥା ସତ ମଧ୍ୟ ହେଲା ପରୋକ୍ଷରେ । କୁନ୍ତଳା ନିଜେ ଟେକି ଦେଲା ଚିନୁକୁ ସ୍ୱରା ହାତରେ ।
--'' ଥାଉ ଏଇଟି ଆପଣଙ୍କ ଛତ୍ରଛାୟାରେ , ଅଭାବୀ ଘରେ ଟିକେ ସୁବିଧା ହେବ । ବାହା ଚୌରା କରିଦେବେ ଦେଈ।"
ଗୋଟେ ଶୁନ୍ୟ ମାତୃତ୍ୱ ପରିପୂର୍ଣ୍ଣ
ହେଇଗଲା । ଜୀବନର ଚିତ୍ର ସ୍ୱର୍ଣ୍ଣିମ ହେଇଗଲା । ଚିନୁ କେବଳ ରଙ୍ଗ ଭରିଲା ନାହିଁ ଜୀବନରେ ତାସହ ଯୋଡ଼ିଲା ଅଗଣିତ ସ୍ୱପ୍ନ । ' ମୀରା କିଡ୍ସ ପ୍ଲେ ' ସ୍କୁଲରେ ସାମିଲ କରିଦିଆଗଲା ତାକୁ । ସେ କୁନି ପରୀ ହେଇ ଗୋଲାପୀ ସ୍କୁଲ ୟୁନିଫର୍ମ ପିନ୍ଧି ରୋଜ ଯାଉଥିଲା ସ୍ୱରା ହାତଧରି । ସ୍ନିଗ୍ଧ ସକାଳୁ ସେ ଦୃଶ୍ୟ ଦେଖି ପ୍ରାଣ ତୃପ୍ତ ହେଉଥିଲା ଆମର ।
ତା' ଲାଗି ସୁନ୍ଦର ବେଶ ପୋଷାକ , ଭଳିକି ଭଳି ଖେଳଣା , ବ୍ରେସଲେଟ , ଚୁଡ଼ି , ବିନ୍ଦି ଓଃ ! ଗୋଟେ ଅଜବ ସୁଖ ଭିତରେ ବିତୁଥିଲା ସମୟ । ସ୍ୱରା ଭିତରେ ଏତେ ବ୍ୟାକୁଳ ଥିଲା ଗୋଟେ ମା' ଏଯାଏଁ ସେ ସଂକ୍ରାନ୍ତରେ ନୀଲ ମଧ୍ୟ ଅନଭିଜ୍ଞ ଥିଲି ।
ମା' ଝିଅ ଦୁହେଁ ପ୍ରଜାପତି ଭଳି ବୁଲୁଥିଲେ ରୋଜ ପାର୍କରେ । ବେଳେବେଳେ ସମାନ ରଙ୍ଗର ପୋଷାକ ପିନ୍ଧି ନୀଲଙ୍କୁ ଅଭିଭୂତ କରୁଥିଲେ ।
କେଉଁ ପୁରୁଣା ଦିନର ନୃତ୍ୟ କଳା ପ୍ରତି ସ୍ୱରାର ଅନୁରକ୍ତି ଜୀବନ୍ତ ହେଇଥିଲା ପୁଣି ।ଚିନୁ ମମି ସହ ତାଳ ଦେଇ ବେଶ ସୁନ୍ଦର ନାଚୁଥିଲା । ମା' ଝିଅ ଦୁହେଁ ଚମତ୍କାର ଯୁଗଳବନ୍ଦୀ କରୁଥିଲେ କିଛି ଚଳଚ୍ଚିତ୍ର ଗୀତରେ । ତାଙ୍କ ଡ୍ୟାନ୍ସ ସବୁ ୟୁ ଟ୍ୟୁବରେ ଦାଖଲ କରି ନୀଲ ବେଶ ଖୁସି ହେଉଥିଲେ। କେତେ ପ୍ରଶଂସା ଭିତରେ ଉଛୁଳି ପଡୁଥିଲା ସ୍ୱରା ଆଃ !
ସବୁ ଠିକ ଥିଲା ସେଇ ସମ୍ବାଦ ମିଳିବା ଯାଏଁ । ହଁ ଈଶ୍ବରଙ୍କ ଆଶୀର୍ବାଦ କି ସେଇ ବାବାଙ୍କ ଆପ୍ତ ବାକ୍ୟ ଜଣା ନାହିଁ । କିନ୍ତୁ ସ୍ୱରା ଅନ୍ତସତ୍ଵା ହେଲା । ନିଜର ଅପତ୍ୟ ଗୋଟେ ମୋହ । ସେ ଦୁହେଁ ଖୁବ୍ ଖୁସି ହେଲେ । ଆଉ ସ୍ୱରା ଚିନୁ ପ୍ରତି ଆହୁରି ମମତ୍ୱ ଢାଳିଲା । ବିଚାରୀ ବିଶ୍ୱାସ କରି ଯାଇଥିଲା କେବଳ ଚିନୁ ପାଇଁ ହିଁ ସେ ପୂର୍ଣ୍ଣତା ପାଇଲା ।
ବାଳଗୋପାଳ ଆସିବେ ବୋଲି ଖବର ମିଳିବା କ୍ଷଣି ବୋଉ ଆସିଲା ନିଜ ପେଡି ପୁଟୁଳି ଧରି । ଘରଟି ତା ' ଅଧିକାର ଭୁକ୍ତ ହେଇଗଲା ତୁରନ୍ତ । କୌଣସି କାମ କରିବାକୁ ଦିଆଗଲା ନାହିଁ ସ୍ୱରାକୁ ।
କୁନ୍ତଳାକୁ ଏବେ ସମଗ୍ର ଘରର ଯାବତୀୟ କାମ କରିବାକୁ ପଡୁଥିଲା । ଯଦିଓ ଘର ପ୍ରତି ସ୍ୱରା ଟିକେ ଅବହେଳା କରୁଥିଲା ନିଜ ଅସୁସ୍ଥତା ହେତୁ କିନ୍ତୁ ଚିନୁ ପ୍ରତି ସେ ଖୁବ୍ ଯତ୍ନଶୀଳ ଥିଲା । ତା' ସ୍କୁଲ ଯିବା , ତା' ନାଚ ଶିଖିବା , ତା' ବୁଲାବୁଲି ସବୁଥିରେ ଏବେ ନିଲ ଥିଲେ ।
ପାପା ବୋଲି ଚିନୁ ଓଠର ସବୋଧନ କିନ୍ତୁ
ବୋଉକୁ ଭାରି ଅଡୁଆ ହେଉଥିଲା । "ତୁଚ୍ଛା ଚାକରାଣୀର ଝିଅ , କେଡେ ସରାଗ କାହିଁକି ବା' , ଦୂର ହୋ ପୋଡାମୁହିଁ ।'' ବୋଉ ଓଠରେ ଏଇ ଅପଶବ୍ଦ ବଡ଼ ବାଧୁଥିଲା । ସ୍ୱରାକୁ , ନୀଲଙ୍କୁ ଆଉ କୁନ୍ତଳାକୁ । ଲାଗୁଥିଲା ଯେମିତି ତାଙ୍କ ଅଧିକୃତ ପୃଥିବୀ ଏବେ ବିପନ୍ନ । ଚିନୁ ପ୍ରତି ଏଭଳି କ୍ରୁରତା କି ସହ୍ୟ ହେବ ?....
କିନ୍ତୁ ବୋଉକୁ ବୁଝେଇବାର ରାସ୍ତାଟିଏ ମଧ୍ୟ ନାହିଁ । ସେ ଠିକ ତା ହିସାବରେ । ନିଜ ଓ ପର ଭିତରେ ଥିବା ପାର୍ଥକ୍ୟ କିଏ କେମିତି ଅଣଦେଖା କରିବ ଭଲା ?........
ଏ ପରିବେଶ ସ୍ୱରାକୁ ବିଷାଦଗ୍ରସ୍ତ କରୁଥିଲା ପରୋକ୍ଷରେ । ବେଶ ବୁଝୁଥିଲେ ନୀଲ । କିନ୍ତୁ ସମାଧାନ ଟିଏ ନଥିଲା ।
******************
ଆଜି କିନ୍ତୁ ଘର ଶାନ୍ତ । ପରିବେଶରେ ଗୋଟେ ଅଜବ ଶୁନ୍ୟତା । କୁନ୍ତଳା ନେଇଯାଇଛି ଚିନୁକୁ । ଖୋଦ ବୋଉ ତାକୁ ଜୋର କରି ପଠେଇ ଦେଇଛି । ନୀଲ ନିଜକୁ ଦୋଷୀ ଭାବୁଛନ୍ତି । କିନ୍ତୁ ସ୍ୱରା , କେମିତି ଏତେ ସହଜ ଲାଗୁଛି ।
କୌଣସି ପ୍ରତିକ୍ରିୟା ନାହିଁ ତା' ପାଖରେ । ଆଶ୍ଚର୍ଯ୍ୟ ହେଉଛନ୍ତି ନୀଲ । ତେବେ କ'ଣ ନିଜ ପିଲାଟି ଆସିବାର ସମ୍ବାଦ ପାଇବା ପରେ ସେ ଚିନୁ ପ୍ରତି ଅନାସକ୍ତ ?......
ଦୁର୍ବୋଧ୍ୟ ହେଉଛି ଗୋଟେ ନାରୀର ଚରିତ୍ର !........
ଏକଦମ ସଦ୍ୟ ଜାତ ଗୋଲାପ ରଙ୍ଗର କୁନି ପୁଅକୁ ଧରି ଘରକୁ ଫେରିଲା ଆଜି ସ୍ୱରା । ପିଲାଟା ଭାରି ଗୁଲୁ ଗୁଲିଆ ସିନା କିନ୍ତୁ ନା' ବାପା ଭଳି ନା ମା' ଭଳି । ବୋଉ ତାକୁ ଧରି ବେଜାଏ ବୋକ ଦେଇ ଅଥୟ କରୁଛି । କହୁଛି ସେ କୁଆଡେ ତା' ଜେଜେ ଭଳି ।
ଚୁପକି ସ୍ୱରା କହିଲା , " ଜାଣ ସେ ଏକଦମ ଚିନୁ ଭଳି । ବୋଉ ତ କାଲି ଫେରିଯିବେ ଗାଁ ତୁମେ ଯାଇ ନେଇ ଆସିବ ତାକୁ ।" ଆଶ୍ଚର୍ଯ୍ୟ ନୀଲ ; ଚିନୁକୁ ଫେରେଇ ଆଣିବା ମାନେ !...
ବୁଝିଗଲା ସ୍ୱରା ନୀଲଙ୍କ ଦ୍ଵିଧା , ବଡ଼ କୋମଳ ସ୍ୱରରେ କହିଲା , " ଗଣ୍ଠି ଟିଏ ପଡିଯାଇଛି ମା' ଝିଅ ଭିତରେ । ବୋଉଙ୍କ ଉପଦ୍ରବ ହେତୁ ଝିଅ ମୋର ଦୁଃଖୀ ହେବା ଅପେକ୍ଷା କୁନ୍ତଳା ପାଖରେ ସାଇତି ଦେଇଥିଲି ତାକୁ । ''
