ଗଳ୍ପ:-ସୁନା ( ଭାଗ ୩ ବା ଶେଷ ଭାଗ)
ଗଳ୍ପ:-ସୁନା ( ଭାଗ ୩ ବା ଶେଷ ଭାଗ)


ସମୟ ଚକ୍ରରେ ଏମିତି ଦିନ ପରେ ଦିନ ଗଡିଚାଲେ ,ଆଉ ପ୍ରତ୍ୟେକ ଥର ଯେତେବେଳେରାଜବୀର ଘରକୁ ଫେରନ୍ତି ସ୍ମିତା ପାଇଁ ନିଶ୍ଚୟ କିଛି ସୁନା ଅଳଙ୍କାର ଆଣିଦିଅନ୍ତି ।
କଥାରେ ଅଛି କଳି ପୁରୁଷ ଚାରି ସ୍ଥାନରେରୁହେ -ଯେଉଁଠି ମଦ୍ୟପାନ ହୁଏ,ଯେଉଁଠି ବ୍ୟଭଚାରୀ ହୁଏ,ଯେଉଁଠି ଜୁଆଖେଳ ହୁଏ ଆଉ ସୁବର୍ଣ୍ଣ ବା ସୁନା । ଆଉ କଳିର ପ୍ରବେଶରେ ସୁଖର ସଂସାର ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଏ ।
ଆଜି ସ୍ମିତା ଭାବନ୍ତି ବୋଧେ ସୁନାର ଲୋଭ ତାଙ୍କ ସୁନା ସଂସାରକୁ ଅଶାନ୍ତର ଅନଳରେ ପ୍ରତିକ୍ଷଣ ଦଗ୍ଧୀଭୂତ କରୁଛି ।
ଇଶ୍ୱର ଙ୍କ କଣ ବା ଇଚ୍ଛା ଅଛି କେବେ ରାଜାବୀର ଓ ସ୍ମିତା ପରସ୍ପର ପ୍ରେମପୂର୍ଣ୍ଣ କଥା ହେବେ ଓ ତାଙ୍କ ସଂସାରରଥ ପୁଣିଥରେ ସୁରୁଖୁରୁରେ ଆଗେଇଯିବ ।
ଅପରାହ୍ନ ସମୟ ।
ଘରେ ରାଜବୀର ଓ ସ୍ମିତା ଥାନ୍ତି । ତାଙ୍କ ଘର ସାମନାରେ କାର ଟିଏ ଅଟକିଲା । କାର ଭିତରୁ ଜଣେ ଯୁବତୀ ବାହାରିଲେ ।
ଘରର ଆଲାର୍ମ ଘଣ୍ଟି ବଜେଇଲାପରେ ସ୍ମିତା ଯାଇ କବାଟ ଖୋଲି ଦେଖିଲେ ! ଏ କଣ ତାଙ୍କ କଲେଜ ସହପାଠୀ ବିନ୍ଧ୍ୟା । ଏ ସହରର କୋଟିପତି ରମେଶ ବାବୁ ଙ୍କ ଅଲିଅଳି କନ୍ୟା ।
ସେ ପୁଣି ଆଜି ଏ ଘରେ !
କଣ କରିବେ କିପରି ସ୍ବାଗତଂ କରିବେ ଭାବିପାରୁନ ଥାନ୍ତି । ଏହା ଦେଖି ବିନ୍ଧ୍ୟା କହିଲେ ଆରେ କଣ ଏମିତି ହେଉଛୁ ,କିଛି ବ୍ୟସ୍ତ ହେବା ଦରକାର ନାହିଁ ବାବା !
ତୁ ସିନା ବାହାଘର ସମୟରେ ଖବରଦେଲୁନାହିଁ, ମୁଁ କିନ୍ତୁ ମୋ ପ୍ରିୟ କଲେଜ ସାଥୀ ଙ୍କୁ କେମିତି ଭୁଲିପାରିବି କହିଲୁ ?
ଆସନ୍ତା ସପ୍ତାହରେ ଆମ ବିବାହରର "ରିଂ ଶରିମନି" ଅଛି ,ଯେମିତି ବି ତୋତେ ପହଞ୍ଚିବାକୁ ପଡ଼ିବ ?
ସ୍ମିତା ଏ କଥା ଶୁଣି ହସିଦେଲା ।
ବିନ୍ଧ୍ୟା-"ସ୍ମିତା,ତୁମ ସିଏକୁଆଡେ ଗଲେ ମାନେ ହଜବେଣ୍ଡ ମ ?
ଅଛନ୍ତି ନା ତାଙ୍କ କାମରେ ବାହାରକୁ ଯାଇଛନ୍ତି ?
ସ୍ମିତା-ହଁ ଅଛନ୍ତି ?
ରାଜବୀର କୋଠରୀ ଭିତରୁ ବାହାରିଲେ ।
ବିନ୍ଧ୍ୟାରାଜାବୀରକୁ ଦେଖି - (ଆଶ୍ଚଯ୍ୟ) ଓଃ ! ଆପଣ ସ୍ମିତାର ସ୍ୱାମୀ । ସ୍ମିତା ସତରେ ତୁମେ ବହୁତ ଲକି । ଏମିତି ଜଣେ ମହାନ ବ୍ୟକ୍ତିକୁ ତୁମେ ସ୍ୱାମୀରୂପରେ ପାଇଛ । ହଁ ତାଙ୍କ ପରିଚୟ କରେଇବାର ଦରକାର ନାହିଁ ,ଆମେ ପରସ୍ପରକୁ ଭଲ ଭାବେ ଜାଣିଛୁ ଯଦିଓ ଗୋଟିଏ ବର୍ଷ ତଳେ ଆମ ଭେଟ ହୋଇଥିଲା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ !
ରାଜବୀର ସାର,ଆପଣ ମୋ ମେରେଜରିଙ୍ଗ ଶରିମୋନୀକୁ ନିଶ୍ଚିନ୍ତ ଆସିବେ । ହଉ ଆସୁଛି ସାର,ଆସୁଛି ସ୍ମିତା ବହୁତ କାମ ଅଛି ,ନିଶ୍ଚୟ ଆସିବୁ ।
ସ୍ମିତା ଆଶ୍ଚର୍ଯ୍ୟ ଏ କଣ ଦେଖୁଛି,ସ୍ୱପ୍ନ ନା ବାସ୍ତବତା ।ରାଜବୀର ସହ ବିନ୍ଧ୍ୟାର ସମ୍ପର୍କ କଣ ?
ଯେଉଁ ଝିଅ ସାଙ୍ଗେ ସାଙ୍ଗ ହେବା ପାଇଁ ସହରର ସବୁ ଝିଅ ଚାହୁଁଥିଲେ ସେ ଭିତରୁ ସ୍ମିତା ନିଜେ ଜଣେ !
କିନ୍ତୁ ସେ ଝିଅ ବିନ୍ଧ୍ୟାର ରାଜବୀର ପ୍ରତି ଏମିତି ଶ୍ରଦ୍ଧା ଓ ସମ୍ମାନ କେଜାଣି କାହିଁକି ସ୍ମିତାକୁ ଅବିଶ୍ୱାସ ଲାଗୁଥାଏ !
ଠିକ ରିଙ୍ଗ ଶରିମୋନୀ ସମୟରେ ଉଭୟ ସ୍ମିତା ଓ ରାଜବୀର ପହଞ୍ଚିଲେ ।
ଅତି ସାଧାରଣ ସାଜସଜ୍ଜା ଯାହା ସ୍ମିତାକୁ ବିସ୍ମିତ କଲା ।
ଏତେବଡ଼ କୋଟିପତି ହୋଇ ଏମିତି ଆୟୋଜନ ସ୍ମିତାକୁ କେମିତି ଅଜବ ଲାଗିଲା । ଦୂରରୁ ରାଜବୀର ଓ ସ୍ମିତାକୁ ଦେଖି ବିନ୍ଧ୍ୟା ଷ୍ଟେଜରୁ ନିଜେ ଉଠିଆସି ସ୍ବାଗତଂ ଜଣାଇଲେ ।
ତାଙ୍କ ପତି ଗୋଟିଏ ସାମାନ୍ୟ ଇଂଜିନିୟର ତାଙ୍କୁ ପୁଣି ଏତେ ସମ୍ମାନ କେଜାଣି କାହିଁକି ସ୍ମିତାଙ୍କ ପାଇଁ କୌଣସି ବିସ୍ମୟ କାହାଣୀଠାରୁ କମ ନ ଥିଲା ।
ବାସ ଅତି ନିରାଡ଼ମ୍ବର ଭାବେରିଙ୍ଗ ଶରିମୋନୀ କାଯ୍ୟକ୍ରମ ହେଲା । କିନ୍ତୁ ସ୍ମିତା ମନରେ କୋଟିଏ ପ୍ରଶ୍ନ !
ସେ ମନର ଭାବକୁ ବେଶୀ ସମୟ ଚାପିରଖି ନ ପାରି ବିନ୍ଧ୍ୟାକୁ ପଚାରିଲେ-ବିନ୍ଧ୍ୟା,ସତ କହିବ ତୁମ ବାପ କୋଟିପତି କିନ୍ତୁ ଏ ନିରାଡ଼ମ୍ବର ଆୟୋଜନ କାହିଁକି ?
ମୋ ମନେ ଅଛି ତୁମେ କଲେଜ ପଢ଼ୁଥିବା ବେଳେ ଡାଇମଣ୍ଡ ହାର ଓ ଗୋଲଡରିଙ୍ଗର ବହୁତ ପ୍ରିୟ ଥିଲ କିନ୍ତୁ କେଜାଣି ଆଜି ତୁମ ଗଲାରେ ମାତ୍ର ଗୋଟିଏ ସୁନାର ହାର !
ଲୋକେ ତୁମକୁ କଣ ଭାବିବେ ?
ବିନ୍ଧ୍ୟା ହସି କହିଲେ - ବୁଝିଲ ମୋ ପ୍ରିୟ ସାଙ୍ଗ ସ୍ମିତା,ସମୟ ମଣିଷକୁ କଣ ନ ଶିଖାଏ ।
ସମୟ ମୋତେ ଶିଖେଇଛି ଏ ଦୁନିଆରେ ସୁନା,ରୁପା ଆଉ ହୀରା ଠାରୁ ମୂଲ୍ୟବାନ ଜିନିଷ ହେଲା ଜଣେ ଭଲ ମଣିଷକୁ ଖୋଜି ପାଇବା ।
କଥାରେ ଅଛି - ମଣିଷକୁ ବିପଦ ହିଁ ଭଲ ଶିକ୍ଷ। ଦିଏ ।
ତୁ ବହୁତ ଭାଗ୍ୟବାନ ରାଜାବୀର ପରି ସ୍ୱାମୀ ପାଇଛୁ । ମୁଁ ଜାଣେ ସ୍ମିତା ତୋର ସୁନା ଅଳଙ୍କାର ପ୍ରତି ଦୁର୍ବଳତା ଏ ପ୍ରଶ୍ନ ତୋତେ ପଚାରିବା ପାଇଁ ବାଧ୍ୟ କରିଛି ।
ଗୋଟିଏ କଥା ଶୁଣ :-ସ୍ତ୍ରୀର ପ୍ରକୃତ ଅଳଙ୍କାର ତାହାର ସ୍ୱାମୀ । ସ୍ୱାମୀ ହିଁ ଜଣେ ସ୍ତ୍ରୀର ଉତ୍ତମ ବନ୍ଧୁ । ସେ ସାତ ଜନ୍ମ ପାଇଁ ସାଥି ।
ମୋର ଜଣେ ସାଙ୍ଗ ମିତା ତାହାର ଏ ଅଳଙ୍କାର ପ୍ରତି ବଡ ଦୁର୍ବଳତା ଥିଲା ,ସେଥିପାଇଁ ତାହାର ସ୍ୱାମୀକୁ ବହୁତ କଥାକୁହେ ,ଯଦି ପତ୍ନୀର ଇଚ୍ଛା ପୂରଣ କରିପାରୁନ କାହିଁକି ବାହା ହେଉଥିଲା କହୁଥିଲା ହାପରଠାରୁ ମିତାର ସ୍ୱାମୀ ମିତାର ଆଶା ପୂରଣ ପାଇଁ ଅନ୍ୟାୟ ଉପାୟରେ ମଧ୍ୟ ଅର୍ଥ ଅର୍ଜନ ପାଇଁ ମନୋନିବେଶ କଲା ,ଶେଷରେ ନିଜ ଚାକିରିରୁ ନିଲମ୍ବନ ହେବା ସହ ଏବେ ଦିନରାତି ମଦପିଇ ଗଡୁଛି ଆଉ ମିତାକୁ ବି ମାରୁଛି ।
ଗୋଟିଏ ନିରୀହ ଲୋକକୁ ସୁନାର ମୋହ ମଦ୍ୟ ପାଖକୁ ଟାଣିନେଇ ମଦୁଆ କରି ଗୋଟିଏ ପରିବାରକୁ ନଷ୍ଟ କରିଦେଲା । ଯେତିକି ଆମକୁ ଭଗବାନ ଦେଇଛନ୍ତି ସେତିକିରେ ଖୁସିହେଲେ କଣ ହୁଅନ୍ତାନି ?
ସ୍ମିତାର ଆଖିରେ ଅଶ୍ରୁ !
ବିନ୍ଧ୍ୟା- କୋରାପୁଟକୁ ଆମେ ବ୍ୟକ୍ତିଗତ କାମ ପାଇଁ ଯାଇଥାଉ ଆଜିକୁ ଗୋଟିଏ ବର୍ଷ ତଳର କଥା ।
ଶୀତଦିନ ଆମ ଗାଡ଼ିରାସ୍ତାରେ ଖରାପ ହେଲା । ହଟାତ କିଛି ବ୍ୟକ୍ତି ଆମ ଗାଡି ପାଖକୁ ଆସି ମୋ ବାପା ଓ ମୋତେ ଆକ୍ରମଣକରି ଆମ ପାଖରେ ଥିବା ଟଙ୍କା ଓ କିଛି ଅଳଙ୍କାର ନେଇଗଲେ ।
ଆମେ ଅସହାୟ ,କେହି ମଧ୍ୟ ସାହାଯ୍ୟ କରିବାକୁ ନାହିଁ ।
ସେ ସମୟରେ ଦେବଦୂତ ପରି ଆସି ତୁମ ସ୍ୱାମୀ ରାଜବୀର ଆମ ଦୁହିଁଙ୍କୁ ସେହି ଜଙ୍ଗଲ ପାଖରେ ଥିବା ଅନାଥାଶ୍ରମକୁ ନେଇ ସେବା ଶୁଶ୍ରୁଷା କରିଥିଲେ ।
ପ୍ରାୟ ସପ୍ତାହରହିଲା ପରେ ଭଲ ହୋଇ ଆମେ ଘରକୁ ଫେରିଲୁ ।
ସେଠି ଜାଣିଲି ରାଜାବୀର ଏମିତି ଦୁଇତିନି ଜାଗାରେ ଥିବା ଅନାଥ ଆଶ୍ରମରେ ପ୍ରତିମାସ କିଛି ନିଜ ଦରମାରୁ ସଞ୍ଚିତ ଅର୍ଥ ଦାନ କରନ୍ତି ଯାହା ଦ୍ୱାରା ଗରିବ ଶିଶୁଟିକୁ କିଛି ଖାଇବାକୁ ମିଳିଥାଏ ।
ସେଠି ଯେଉଁ ସ୍ନେହ ଶ୍ରଦ୍ଧା ଅନାଥାଶ୍ରମର ପିଲା ମାନଙ୍କ ଠାରୁ ମିଳିଥିଲା ତାହା ସ୍ମୃତିହୋଇ ଜୀବନ ବ୍ୟାପିରହିବ ।
ଏଥିରୁ ଆମ ରାଜାବୀର ଓ ମୋ ଭିତରେ ବନ୍ଧୁତା ହେଲା ଓ ଆମେ ଦୂରରେରହି ମଧ୍ୟ ସମାଜରେ ନିଷ୍ପେସିତ ,ଅବହେଳିତ ଶିଶୁ ମାନଙ୍କର ବିକାଶ ପାଇଁ କିଛି କାମ କରୁଛୁ ।ଆଉ ହଁ ତୁମ ମନରେ ଆମ ସାଜସଜ୍ଜା ପ୍ରତି ଟିକିଏ ଅଲଗା ଧାରଣା ହୋଇଥିବ ।
ମୋ ବାପାରିଙ୍ଗ ଶରିମୋନୀ ଅତି ଧୂମଧାମରେ କରିବାର ଇଚ୍ଛାରଖିଥିଲେ କିନ୍ତୁ ମୁଁ ହିଁ ମନାକରି ନିରାଡ଼ମ୍ବର ସାଜସଜ୍ଜା ଉପରେ ଗୁରୁତ୍ୱ ଦେଇଥିଲି ।
ନିରାଡ଼ମ୍ବର ସାଜସଜ୍ଜା କରି ଯଦି କିଛି ଅନାଥ ପୁଅଝିଅକୁ କିଛି ସେବା କରିବାର ସୌଭାଗ୍ୟ ମିଳେ ସବୁଠୁ ବେଶୀ ଖୁସି ମତେମିଳିବ । ଏହା ହିଁ ମୋର ଉଦ୍ଧେଶ୍ୟ ଥିଲା ।
ତୁମ ସ୍ୱାମୀ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ସେ ଯେତେବେଳେ ତୁମ ବିଷୟରେ କହିଲେ ମୁଁ ଜାଣିଶୁଣି ତୁମେ ମୋ ସହପାଠୀ ଥିଲ ବୋଲି ଜଣେଇନଥିଲି ,ମୁଁ ପଢ଼ିବା ବେଳୁ ତୁମ ଅଳଙ୍କାର ପ୍ରତି ଦୁର୍ବଳତା ଜାଣିଥିଲି ତେଣୁ ବିବାହ ପରେ ଏମିତି ଜଣେ ସୁନ୍ଦର ବ୍ୟକ୍ତିକୁ ପାଇଁ ତୁମେ ବଦଳିଲ ନା ନାହିଁ ତାହା ଦେଖିବାକୁ ତୁମ ଘରକୁ ଯାଇଥିଲି ।
ତୁମକୁରାଜାବୀର ଏତେ ଭଲପାନ୍ତି ଯେ ସଦା ସର୍ବଦା ତୁମ ବିଷୟରେ ବହୁତ ଭଲ କଥାକୁହନ୍ତି ।.କୁହନ୍ତି ମୋ ପତ୍ନୀ ମୋ ପାଇଁ ପ୍ରେରଣାର ଉତ୍ସ ।
ମୋର ସବୁ କାମରେ ତାଙ୍କ ସହଯୋଗ ଅଧିକ ।
ସ୍ମିତା ତୁମ ସ୍ୱାମୀ ପରି ବ୍ୟକ୍ତି ଏ ଦୁନିଆରେ ମିଳିବା ବହୁତ କଷ୍ଟକର ।ସୁନାର ଲୋଭରେ ପଡ଼ି ହୀରା ପରି ମୂଲ୍ୟବାନ ବ୍ୟକ୍ତିକୁ ହାତଛଡା କରନା ।
Dont judge a book by its cover.
କାହାରି ଚେହେରା ଦେଖି,ମନ୍ତବ୍ୟ ଦିଅନା ସଖି ।
ବିନ୍ଧ୍ୟା ଙ୍କ କଥା ଶୁଣି ସ୍ମିତା ଆଖିରେରେ ଆଜି ସତରେ ପଶ୍ଚାତାପ ନୁହେଁ ଅଥଚ ସ୍ୱାମୀ ପାଇଁ ଗର୍ବ ଓ ଆନନ୍ଦର ଅଶ୍ରୁ ଅବିରତ ବହିଚାଲୁଥିବା କହିଲେ ଭୁଲ ହେବ ନାହିଁ ।ଦୂରରୁ ସ୍ମିତା ଦେଖିଲେ ତାଙ୍କ ସ୍ଵାମୀ ରାଜାବୀର କିଛି ଛୋଟ ପିଲା ମାନଙ୍କ ସହ ସେଲ୍ଫି ରେ ଵ୍ୟସ୍ତ !
ସତରେ ରାଜାବୀରକୁ ବୁଝିବା ମୁସ୍କିଲ ।
ରାଜାବୀର ହିଁ ସ୍ମିତା ଙ୍କ ପ୍ରକୃତ ସୁନା ଅଳଙ୍କାର ।