ଡିଷ୍ଟର୍ବ
ଡିଷ୍ଟର୍ବ


ସ୍ଵାମୀ ଅଜୟ ସହ ମନ୍ଦାକିନୀ ଗୋଟିଏ ଦାମିକା କାରରେ ଆସି ମନ୍ଦିର ନିକଟରେ ପହଞ୍ଚିଲେ l ସେମାନଙ୍କୁ ଦେଖି କିଛି ଭିକ ମାଗୁଥିବା ଛୋଟ ଛୁଆ ମାନେ କାରର ଚାରି ପାଖରେ ଠିଆ ହୋଇ ହାତକୁ ପତେଇ କହିଲେ :- ମାଆ, କିଛି ଦିଅନ୍ତୁ ମାଆ l ଆଜି ନୂଆବର୍ଷ ଆମେ ବି ଖୁସିରେ ପାଳନ କରିବୁ l
ଏପରି ଘଟଣା ଦେଖି ମନ୍ଦାକିନୀ ଦେବୀ ଚିତ୍କାର କରି କହିଲେ :-
" ଏ ଛୁଆମାନେ ମୋତେ ଡିଷ୍ଟର୍ବ କରନା l ଆମେ ନୂଆବର୍ଷରେ ମନ୍ଦିରକୁ ଆସିଛୁ ଆଉ ଆଜି ବି ମୁଁ କିଛି ଦେବି ନାହିଁ l ପ୍ରଥମ ଦିନ ଏମିତି ଭିକାରୀ ଛୁଆମାନଙ୍କୁ ମୁଣ୍ଡରେ ଚଢ଼େଇଲେ ମୋତେ ବର୍ଷ ସାରା ଖାଲି ବାଣ୍ଟିବାକୁ ପଡ଼ିବ l "
ଏମିତି କହି ମନ୍ଦାକିନୀ ଦେବୀ ମନ୍ଦିର ଭିତରକୁ ସ୍ଵାମୀ ସହ ପୂଜା କରିବାକୁ ଚାଲିଗଲେ l ପୂଜା ସାରି ବାହାରକୁ ଆସିବା ପରେ ମନ୍ଦାକିନୀ ଦେବୀଙ୍କ ହଠାତ ମନେ ଲାଗିଲା ତାଙ୍କ ବେକରେ ପିନ୍ଧିଥିବା ଛୋଟିଆ ହାରଟି କେଉଁଠି ପଡିଯାଇଛି ?
ସତକୁ ସତ ତାଙ୍କ ବେକରେ ହାର ନାହିଁ l
ମନ୍ଦାକିନୀ ଦେବୀଙ୍କ ଚାରିଦିଗ ଅନ୍ଧକାର ଦେଖାଗଲା l
କାଲି ହିଁ ତାଙ୍କ ସ୍ଵାମୀ ନୂଆବର୍ଷ ଉପହାର ରୂପେ ଏହି ହାରଟି ଆଣିଦେଇଛନ୍ତି l
ମନ ଦୁଃଖରେ କାର ପାଖକୁ ଆସିଲା ପରେ ଦେଖିଲେ ଜଣେ ଯୁବକ ଏହି ଭିକାରୀ ପୁଅ ଝିଅ ମାନଙ୍କୁ କିଛି ମିଠା, ଚକୋଲେଟ, ବେଲୁନ ବାଣ୍ଟୁଛନ୍ତି ଆଉ ପିଲାମାନେ ଅତି ନିଜର ପରି ତାଙ୍କ ଚାରି ପାଖରେ ଖୁସିରେ କଥାବାର୍ତ୍ତା କରୁଛନ୍ତି l
କାର ପାଖକୁ ଆସିଲା ପରେ ଗୋଟିଏ ଭିକାରୀ ଆସି କହିଲା : ମାଆ, ତୁମେ କାରରୁ ବାହାରିଲା ବେଳେ ଏହି ହାର ପଡି ଯାଇଥିଲା l ଆଉ ମୋ ନାତୁଣୀ ସେହି ହାର ଦେଖି ପଛରୁ ଡାକଦେଲା ହେଲେ ଶୁଣିଲ ନାହିଁ l
ଏଇ ନିଅ ହାର l
ଭିକାରୀ ହାତରୁ ହାରଟି ପାଇଁ ମନ୍ଦାକିନୀ ଦେବୀ ସେ ଝିଅକୁ ଡାକିବାକୁ କହିଲେ I
ଝିଅଟି ଆସିଲା ପରେ ଗୋଟିଏ ଶହେ ଟଙ୍କା ବାହାର କରି ଝିଅର ହାତକୁ ବଢ଼େଇବା ପାଇଁ ମନ୍ଦାକିନୀ କହିଲେ :- ଏ ଝିଅ, ଏ ଶହେ ଟଙ୍କା ନେ ନୂଆ ବର୍ଷରେ ବେଲୁନ କିଣିବୁ ଆଉ ତୋ ସାଙ୍ଗ ସାଥୀକୁ ବି ଚକୋଲେଟ ବାଣ୍ଟିବୁ l
ଝିଅ କହିଲା :- ଥାଉ ମାଆ ! ଆଉ କେଉଁ ଗରିବକୁ ଏହି ଶହେ ଟଙ୍କା ଦେଇଦେବ ତାହାର କାମରେ ଆସିବ l
ଆମ ଭାଇ ସମସ୍ତଙ୍କ ପାଇଁ ଚକଲେଟ, ମିଠା ଆଉ ବେଲୁନ ଆଣିଛନ୍ତି ଆଜି ତାଙ୍କ ସହ ନୂଆବର୍ଷ ପାଳନ କରିବୁ l
ଆମକୁ ଡିଷ୍ଟର୍ବ କରନ୍ତୁନି !