ଗାନ୍ଧିବାଦୀ ମଣିଷ
ଗାନ୍ଧିବାଦୀ ମଣିଷ
ଦେବୀଙ୍କ ପୂଜା ସମୟ. ଗାଁରେ ଥାଆନ୍ତି ଅସିତ ବାବୁଙ୍କ ପରିବାର.ଘରେ ଆଜି କାହା ମନ ଭଲ ନଥିଲା. ପତ୍ନୀ କହୁଥିଲେ ଭେକ ଥିଲେ ସିନା ଭିକ ମିଳେ. ଆଙ୍କୁ ଯେତେ କହ!କଥାରେ ନାହିଁ ମତେ ଯେତେ ମାଠିବୁ ମାଠ.. ମୁଁ ସେଇ ଦରପୋଡା କାଠ. ଭଲ ବେଶ ପୋଷାକ ନପିନ୍ଧିଲେ କିଏ କାହିଁକି ମାନ, ସମ୍ମାନ କି ଖାତିରି କରିବ କେଜାଣି ଆଙ୍କୁ?ଭିତରେ ଜ୍ଞାନ ଅଛି ବୋଲି କିଏ ଜାଣିବ? ପ୍ରଥମେ ପୋଷାକ ପରିଚ୍ଛଦ ଦେଖି ଆସିବ ସିନା . ପତ୍ନୀଙ୍କ କଥା ଶୁଣି ଅସିତ କହୁଥିଲେ ଆହେ ଆଗ ଗାନ୍ଧୀ ଗୋପବନ୍ଧୁଙ୍କୁ ଦେଖ. ଖଦଡ଼ ଲୁଗା ସାଙ୍ଗକୁ ଆଣ୍ଠୁ ଲୁଚୁନଥିବା ଧୋତିର ଚମତ୍କାରିତା!କର୍ମ ଦେଖ, ଖଣ୍ଡେ ବାଡ଼ି ଅଣ୍ଟାରେ ବାନ୍ଧି ଘଡି, ଇଂରେଜମାନଙ୍କୁ ଦେଇଥିଲେ ତଡି. ସ୍ତ୍ରୀ ଚିହିଁକି ପଡି କହୁଥିଲେ ତୁମେ କଣ ଇତିହାସରେ ନାମ ରଖିବ ନା ଗିନିଜ ଵୁକରେ ନାମ ଲେଖିବ!ଆହେ କେତେ କଷ୍ଟରେ ଝିଅ ବାହାଘର ପାଇଁ ପ୍ରସ୍ତାବଟିଏ ଆଣି ଭଦ୍ରଲୋକ ଆସିଥିଲେ. ଦୁଆର ଫିଟାଇଲ ଯେ ସେ ତୁମକୁ ଯେତେ ଥର କହିଲେ ଅସିତ ବାବୁଙ୍କୁ ଡାକିଦିଅନ୍ତୁ ତୁମେ ସେତେଥର କହିଲ କୁହନ୍ତୁ କଣ କହିବାର ଅଛି ତଥାପି ଶେଷକୁ ତୁମେ ହିଁ ଅସିତ ବାବୁ ବୋଲି ପରିଚୟ ଦେବା ପରେ ସେ କଥା ବଢେଇବେ କଣ ଫେରିପଡ଼ି କାମଅଛି କହି ଚାଲିଗଲେ.ନିଜ ପାଇଁ ନହେଉ ଟିକେ ଝିଅ ପାଇଁ ଓ ଦୁଇ ପୁଅଙ୍କ ପାଇଁ ତ ଟିକେ ଚିନ୍ତା କର. ଅସିତ କହୁଥିଲେ ଆରେ ତାଙ୍କର କଣ କାମ ଥିଲା ସେମାନେ ସାରି ପୁଣି ଆସିବେ କହି ଯାଇଛନ୍ତି, ଏତେ ବ୍ୟସ୍ତ କାହିଁକି? ବ୍ୟସ୍ତ ହେବିନି!ମୋର ଗୋଟିଏ ବୋଲି ପଦ୍ମକନ୍ୟା ପରି ଝିଅକୁ ଏଯାଏଁ ଭଲ ପାତ୍ର ନମିଳିବାର କାରଣ ତ ତୁମେ. ଟିକେ ଯୁଗପୋଯୋଗୀ ପୋଷାକ ପିନ୍ଧିବାରେ କଣ ଅସୁବିଧା ହୋଇଯାଉଛି!ସବୁବେଳେ ଖାଲି କାମ. ଅସିତ ବାବୁ ତଥାପି କହୁଥିଲେ କର୍ମେ ଜିଏ ନର..କର୍ମ ଏକା ତାର ଜୀବନର ମାନଦଣ୍ଡ ବୋଲି ପରା ଗାନ୍ଧୀ ଗୋପବନ୍ଧୁ କହି ଶିଖାଇ ଯାଇଛନ୍ତି.
ଫୁଟାଣି ମାରି ସ୍ତ୍ରୀଙ୍କ ଆଗରେ କହିଦେଲେ କଣ ହେବ ଅସିତ ମନେ ମନେ ପସ୍ତାଉଥିଲେ. ସେ କଣ କରିବେ ଯେ!ଖରାପ କଥା ଶୁଣିବେ ନାହିଁ ବୋଲିତ ସଂଗତ ପଙ୍ଗତରେ ନଯାଇ କି ନବସି ନିଜ ବାଡ଼ି ବଗିଚାରେ କାମ କରୁଥାନ୍ତି ସକାଳ ପାହିବାଠୁ ମଧ୍ୟାହ୍ନ ବିରତି ଅର୍ଥାତ ଭୋଜନ ଯାଏଁ. ସେମିତି ଖରାପ କଥା କହିବେ ନାହିଁ ବୋଲି ତ ଯିଏ ଯାହା କହିଲେ ଦେହକୁ ନନେଇ ଚନ୍ଦନ ପରି ବୋଳି ଦିଅନ୍ତି ଏମିତିକି ଘରଣୀଙ୍କ କଟୁକ୍ତି ସାଙ୍ଗକୁ ପିଲାଙ୍କ ଦ୍ବିରୁକ୍ତି. ପୁଣି ଖରାପ କଥା ଦେଖିବେ ନାହିଁ ବୋଲି ଟିଭି କି ଫୋନ ଛାଡି ସେ କରୁଥାନ୍ତି ସମାଜ ସେବା.ଅବସର ପରେ ଗରୀବ ପିଲାଙ୍କୁ ମାଗଣାରେ ପାଠ ପଢେଇବା ସହ ଗୋ ସେବାକୁ ଜୀବନର ବ୍ରତ ରୂପେ ମାନିନେଇଥିଲା ବେଳେ କୋଉଦିନ କୋଉ ମାଙ୍କଡ଼ର ଖଣ୍ଡିଆ ହୋଇଥିବା କ୍ଷତ ସ୍ଥାନରେ ଡେଟଲ ମାରି ଔଷଧ ଲଗାଇବାକୁ ଚେଷ୍ଟା କରୁ କରୁ ମାଙ୍କଡ଼ କାମୁଡି ଦେଇଥିଲା. ଇଞ୍ଜେକ୍ସନ ନେଇ ଫେରୁଥିଲା ବେଳେ ଦେଖିଲେ ଗାଈଟିଏ କ୍ଷେତରେ ପଶି ଧାନ ଖାଇଦେବାରୁ ଲୋକଟି ଧରିଥିବା କଟୁରୀଟି ଛାଡୁ ଛାଡୁ ଧରିପକାଇ ହାତ ଖଣ୍ଡିଆ ନିଜର ତ ଗଞ୍ଜି ଖଣ୍ଡେ ପିନ୍ଧିହେଉନି ସେହିଦିନୁ. ସେଥିରେ ଗାଈ ଯାହାର ସେ କହୁଛି ମୋ ଗାଈ କଥା ମୁଁ ବୁଝିଥାଆନ୍ତି ତୁମେ କିଆଁ ମଝିରେ ପଶୁଥିଲ? ପୁଣି ଯିଏ କଟୁରୀ ଛାଡୁଥିଲା ସେ ବି ଅବାନ୍ତର ଭାବେ କହୁଛି ତୁମେ କଟୁରୀ ଧରି ପକେଇ ଖଣ୍ଡିଆ ହେଲେ ମୁଁ କଣ କରିବି ଏବେ?ଗାଈକୁ ପାନେ ଦେଇଥିଲେ ଉଭୟ ଗାଈ ଓ ମାଲିକ ବୁଝିଥାଆନ୍ତେ. ଏ ଅମଣିଷପଣିଆ ଦେଖି ଶୁଣି ଅସିତ ଭାବୁଥିଲେ ଗାନ୍ଧିଜୀ କହୁଥିଲେ ଯଦି କେହି ତୁମକୁ ମାରୁଛି ତ ଆର ଗାଲ ଦେଖାଇଦିଅ. ସେହି ନ୍ୟାୟରେ ଚଳି ଚଳି ଆଜି ସେ ସମାଜ ଓ ପରିବାରରେ ଲାଞ୍ଚିତ ସତ କିନ୍ତୁ ଏକମାତ୍ର ପଦ୍ମଫୁଲ ପରି ସୁନ୍ଦର, ଗୁଣର ତଥା ରୋଜଗାରସମ୍ପର୍ଣ୍ଣ ଝିଅର ବିବାହ ପ୍ରସ୍ତାବ ତାଙ୍କ ଯୋଗୁଁ ଭାଙ୍ଗିଯାଉଛି ଶୁଣି ଅସିତ ନିର୍ଣ୍ଣୟ ନେଲେ ଏଣିକି ସେ ଭଲ ପୋଷାକ ନିଶ୍ଚୟ ପିନ୍ଧିବେ.
ଦୁଆରେ ପୁଣି କିଏ କଲିଂବେଲ ମାରୁଛି ତ ଅସିତ ଫିଟାଇବାକୁ ଯାଇ ଚମକି ପଡିଲେ. ସେହି ଭଦ୍ରଵ୍ୟକ୍ତି ଯିଏ ସକାଳେ ଆସି ତାଙ୍କ ପୋଷାକ ଦେଖି ତାଙ୍କୁ ଅସିତବାବୁ ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ. ସେ ପୁଣି କାହିଁକି ଆସିଛନ୍ତି? ଆସନ୍ତୁ ଏବେ ତ ସେ ସୁଟସାଟ ପରିହିତ ଭଦ୍ରଲୋକ. ଆସନ୍ତୁ ଆସନ୍ତୁ ବସନ୍ତୁ କହି ପାଛୋଟି ନେଲେ ଅସିତବାବୁ. ସେ ଭଦ୍ରଵ୍ୟକ୍ତି କହିଲେ ଟିକେ ଗାନ୍ଧିବାଦୀ ଅସିତବାବୁଙ୍କୁ ଡାକିଦେବେ ତ. ଜାତକ ଛାଡିଆସିଥିଲି ବୋଲି ଆଣିବାକୁ ଯାଇଥିଲି . ଜାତକ ପୁରା ରାଜଯୋଟକ. ଅସିତ ବାବୁଙ୍କ ଭଳି ଅହିଂସା ଧର୍ମୀ, ସମାଜସେବୀ, ପରୋପକାରୀ ଗାନ୍ଧିବାଦୀ ମଣିଷର ଝିଅକୁ ବୋହୂ କରିବା ଭାଗ୍ୟରେ ଥିଲେ ମିଳେ. ଡାକନ୍ତୁ ଡାକନ୍ତୁ ଅସିତବାବୁଙ୍କୁ. ମୁଁ ନିଜେ ଅସିତ ବାବୁ କହୁ କହୁ ଘରଣୀ ଜଳଯୋଗ ସହ ଚା ନେଇ ଆସୁ ଆସୁ ତାଙ୍କୁ ଆଖିର ଇସାରାରେ କିଛି କହୁଥିଲେ ତ କିଛି ବୁଝିନପାରି ଅସିତ ଭିତରକୁ ଚାଲିଗଲେ. ଆଗନ୍ତୁକ ଘରଣୀଙ୍କ ମୁହଁକୁ ଚାହିଁ କହୁଥିଲେ ମୋର ବେଳ ହେଲାଣି ଅନ୍ୟ କାମ ଅଛି, ମୁଁ ଯାଉଛି ଅସିତବାବୁଙ୍କୁ କହିଦେବେ ତାଙ୍କ ଝିଅକୁ ବୋହୂ କରିବାକୁ ପୁଅଘର କିଛି ଲୋଡ଼ା ନାହିଁ ବା ଦାବୀ କି ଯୌତୁକ ନାହିଁ.ଏଥର ନିଜ ପସନ୍ଦର ଧୋତି ଗଞ୍ଜିରେ ଅସିତବାବୁ ଆସିଯାଇଥିଲେ ତ ଭଦ୍ରଵ୍ୟକ୍ତି ତାଙ୍କ ମୁହଁକୁ ଚାହୁଁଥିବା ଦେଖି ଅସିତବାବୁ କହୁଥିଲେ ବିଳାତରେ ଥିଲାବେଳେ ଗାନ୍ଧିଜୀ ମଧ୍ୟ ବିଲାତି ସୁଟବୁଟ ପିନ୍ଧୁଥିଲେ ନା ନାହିଁ? ସେ ଭଦ୍ରଵ୍ୟକ୍ତି ଆଶ୍ଚର୍ଯ୍ୟରେ ହଁ ହଁ କହି ଜଳଯୋଗରେ ବ୍ୟସ୍ତ ଥିବା ବେଳେ ସ୍ତ୍ରୀ କାମିନୀ ଅସିତଙ୍କୁ ଏମିତି ଚୁମୁଟା ଦେଲେ ଯେ ଓଃ କହୁ କହୁ ଅଟକିଗଲେ ଅସିତବାବୁ କାରଣ ଗାନ୍ଧୀ ଗୁଳି ଖାଇଲା ପରେ ମଧ୍ୟ କହିଥିଲେ ହେ ରାମ ତ ତାଙ୍କ ପାଟିରୁ ହେ ରାମ ଶୁଣି ଆଗନ୍ତୁକ ଭଦ୍ରଲୋକ ମଧ୍ୟ ଚାଲି ଯାଉ ଯାଉ କହୁଥିଲେ ହେ ରାମ.
