ଗାଁ ଘର କାନ୍ଥ
ଗାଁ ଘର କାନ୍ଥ
ତମେ ଏ ଘରେ କେମିତି ରହୁଛ କେଜାଣି ମାଆ. ମତେତ ତୁମ ଘର ବରଫ ଘର ଭଳି ଲାଗୁଛି. ଦେଲ ଦେଲ ମାଆ ଚା ଟିକେ କହି ବାସନ ମଜ୍ଜା ଛାଡ଼ି ବସିଗଲା ପାର. କହିଲା ବରଫ ଭଳି ଲାଗୁଛି ପାଣି. ତିନି ତିନି ଥର ଜର ହେଲାଣି ମତେ. କାଲିଠୁ ଆଉ ସକାଳୁ ଆସିବିନି ମାଆ. ବରଫରେ ଚାଲିବା ପରି ଲାଗୁଛି ତୁମ ଘର ଦ୍ୱାର. ତୁମେ ସିନା ଚପଲ ପିନ୍ଧି ଘର ସାରା ଚଳୁଛ, ମୁଁ ଖାଲି ପାଦରେ ତୁମ ଟାଇଲ ପକା ଘରେ ଆଉ ଚାଲିପାରିବିନି କହୁଛି ମାଆ. କାଲିଠୁ ଖରା ଆସିଲେ ଆସିବି.।
ପାର କଥା ଶୁଣି ଧଡ଼ାପଡ଼ କରି ତା ହାତକୁ ଚା କପ ସହିତ ଚୁଡାଭଜା ଓ ଛଣା ସେଓ ଦିଟା ବଢ଼େଇ କଳ୍ପିତା କହିଲେ ରହ ରହ ମୋଜା ଦୁଇଟା ଦଉଛି. ମୋଜା ଦେଲେ କଣ ହେବ ମାଆ. ପାଣିରେ ମୋର କାମ ତ ମୋଜା ଓଦା ହେଲେ ମତେ ବେଶି ଥଣ୍ଡା ହେବନି? ରଖ ତମ ମୋଜା କହି ବାସନ ଦିଖଣ୍ଡ ମାଜି ପାର ଚାଲିଗଲା ପରେ କଳ୍ପିତା ଭାବୁଥିଲେ ଦିନ ଦଶଟା ଯାଏଁ ବାସିଘର ଓ ଅଇଁଠା ବାସନ ପଡିରହିବ ଏଥର. କାର୍ତ୍ତିକ ମାସ ଯାଇ ମାର୍ଗଶିର ମାସ ଆସୁଛି. ଶୀତ ତ ନିଶ୍ଚୟ ବଢିବ, ପାର ଏଇ ପହିଲି କାର୍ତ୍ତିକରୁ ଏମିତି କହିଲାଣି ଆଉ ଆଗକୁ କେମିତି କଣ କରିବେ ଭାବି କଳ୍ପିତା ଚିନ୍ତିତ ଥିଲା ବେଳେ ସ୍ୱାମୀ ଆଦିତ୍ୟ କହିଥିଲେ ଜିପିଏଫ ଟଙ୍କା ମିଳିସାରିଛି, ମିସ୍ତ୍ରୀ ଓ ଶ୍ରମିକଙ୍କୁ କହିଛି, ପ୍ଲେଟ କିଣା, ଗୋଡି ବାଲି ସିମେଣ୍ଟ ଅଣା କାମ ବି ବାକି ନାହିଁ, କାଲିଠୁ ଘରର ଆଗପଟ କାନ୍ଥରେ ପ୍ଲେଟ ପଡିବ.ସତକୁ ସତ ପ୍ଲେଟ ବସିବା କାମ ଆରମ୍ଭ ହୋଇ ଯାଇଥିଲା. କଳ୍ପିତାଙ୍କ ଆଖିରେ କିନ୍ତୁ ନାଚୁଥିଲା, ତାଙ୍କ ଗାଁ ଘର କାନ୍ଥର ଛବି.।
ଶାଶୁ ଶଶୁର ଚାଲିଯିବା ପରେ ଘରଟା ଏକୁଟିଆ ପଡ଼ିରହିଛି ଏବେ. ମାର୍ଗଶିର ମାସରେ ଶାଶୁଙ୍କ ହାତର ଝୋଟି ଚିତାରେ ଦାଉ ଦାଉ ଦିଶେ କାନ୍ଥ. ଅରୁଆ ଚାଉଳ ବାଟି ମାଟି କାନ୍ଥରେ ଧାନ କେଣ୍ଡା ପରି ଝୋଟି ସାଙ୍ଗକୁ ପୂର୍ଣ୍ଣକୁମ୍ଭ, ହାତୀ, ଘୋଡା ଓ ପକ୍ଷୀଙ୍କର ସୁନ୍ଦର ଝୋଟି ଦିଆ କାନ୍ଥ ସାଙ୍ଗକୁ କଳା ସିମେଣ୍ଟରେ ପଦ୍ମଫୁଲ ସାଙ୍ଗକୁ ଲଷ୍ମୀ ପାଦ କେଡେ ସୁନ୍ଦର. ଏବେ ସେହି କାନ୍ଥ ଫାଟି ଆଁ କଲାଣି. ଗଛ ଉଠି ଚାରିଆଡେ ଫଟା ଦିଶିଲାଣି. ଏସନ ଗାଁ ଘରଟାକୁ ସଜାଡିବାକୁ ଇଛା ଥିଲେ ବି ଏଠି ବଜାର ଉପର ଘରର ଦୁଇ ପଡୋଶୀଙ୍କ କାନ୍ଥ ସମ୍ପୂର୍ଣ୍ଣ ଟାଇଲ ଖଞ୍ଜା ଦେଖି, ପୁଅ ଝିଅଙ୍କ ଫରମାସି, ଆମ କାନ୍ଥ ଠିକ ତାଙ୍କ କାନ୍ଥ ଅର୍ଥାତ କୁନା ଓ ରାଜୁ ଘର କାନ୍ଥ ପରି ହେବା ଉଚିତ. ଦୀପାବଳୀରେ ଟାଇଲ ପକା କାନ୍ଥ ସାଙ୍ଗକୁ ଲିଚୁ ମାଳ ସହ ଭଳି ଭଳି ଲାଇଟ ମାଳ କେଡେ ସୁନ୍ଦର ତାଙ୍କ କାନ୍ଥ ଆମର ସେମିତି କରିଦିଅନା ମାଆ କହୁଥିଲେ ପୁଅ ଝିଅ ତ ସେକଥା କଳ୍ପିତାଙ୍କ ଠାରୁ ଶୁଣି ଗାଁ ଘର କାନ୍ଥ ଗଢି ଛାତ ଘର ଦୁଇବଖରା କରିବା ସ୍ବପ୍ନ ପରିବର୍ତ୍ତେ ବଜାର ଘର କାନ୍ଥ ଟାଇଲ ପଡିଯାଇଥିଲା ଦୀପାବଳୀ ପୂର୍ବରୁ. କି ଖୁସି ପୁଅ ଝିଅଙ୍କର!ହେଲେ ପାର କହୁଥିଲା ଏ ବରଫ ଘରେ ମୁଁ କାମ କରିପାରିବି ନାହିଁ ମାଆ,ତୁମେ ଅନ୍ୟ ଲୋକ ଦେଖ. ତା କଥା ଶୁଣି କଳ୍ପିତା ଉପରକୁ କିଛି କହିନଥିଲେ ମଧ୍ୟ ଗାଁକୁ ଯିବାକୁ ସଜାଡୁ ଥିଲେ ଜିନିଷ ପତ୍ର. ମାର୍ଗଶିର ମାସରେ ଗାଁରେ ହିଁ ମାଣ ବସେଇବେ ସେ. ମାଟି କାନ୍ଥ ସଜାଡି ଶାଶୁଙ୍କ ପରି ଝୋଟି ଚିତା ପକେଇ ନୂଆ କରିଦେବେ ଗାଁଘର କାନ୍ଥ ସବୁକୁ.।
