ଏମିତି ପ୍ରେମ
ଏମିତି ପ୍ରେମ
ଆଖିରେ କଜ୍ଜ୍ୱଳ, ମୁଣ୍ଡରେ ଟିକିଲି, ଜୁଡ଼ାରେ ରଜନୀଗନ୍ଧା ହାର ଲଗେଇ ଯେଉଁ ସ୍ତ୍ରୀ ଲୋକ ଜଣକ ଘରକୁ ପଶି ଆସିଲେ ତାଙ୍କୁ ଦେଖି ପଚାରିଲି.ମୁଁ ତ ଚିହ୍ନି ପାରୁନି ତୁମକୁ, କିଏ ତୁମେ? ହସି ହସି କହିଲେ ମହିଳା ମୁଁ ପରା ରାଧା ମାଆ. ମତେ ଚିହ୍ନିପାରୁନ? ମୁଁ ତ ଆଗରୁ ତୁମକୁ କୋଉଠି ଦେଖିନି? ଚିହ୍ନିବି କେମିତି? ହଉ କଣ ପାଇଁ ଆସିଛ, କୁହ?କଣ ପାଇଁ ଆଉ ମାଆ, ରଥ ଦେଖି ଆସିଥିଲି ଯେ ଏସନ ଦୁଇଦିନ ବ୍ୟାପୀ ରଥଯାତ୍ରା ତ କାଲି ପୁରୀ ଯାଇ ରଥ ଦେଖିବି. ସେଇଥି ପାଇଁ ତ ଏତେ ନାଟ କରି ମନ୍ଦିରରୁ ବାହାରିଛନ୍ତି ଜଗନ୍ନାଥ ଯେମିତି ଦେଖା ହୋଇପାରିବ ସମସ୍ତଙ୍କ ସଙ୍ଗେ. ହଁ ଯେ ତମେ କାହିଁ ଆସିଛ ଆମ ଘରକୁ? ମଲା ଜାଣିପାରୁନ କଣ ଯେ ତମେ ପରା ଲୋକ ଖୋଜୁଛ କାମ କରିବାକୁ. ମୁଁ କରିବି. ତମେ ତ ମୋଟେ କାମବାଲୀ ପରି ଲାଗୁନ ତମେ ମୋର କି କାମ କରିବ? ମାଆ ତମର ଯୋଉ କଥା! ଆଜି ତୁମ ପଡୋଶୀ ଦେବରାଜ କଲ୍ୟାଣୀ ମଣ୍ଡପରେ ବାହାଘର. ଜୟ ଗୋପାଳ ଜୟ ଗୋପାଳ ଓ ରାଧେ ରାଧେ ଧ୍ୱନିରେ ଗଗନ ପବନ ମୁଖରିତ କରି ବରଷା ରୋକି ବାହାଘର କରୁଛନ୍ତି ତ ମୁଁ ଭଲ ଶାଢ଼ୀ ପିନ୍ଧନ୍ତିନି, ଗଭାରେ ଗଜରା ନାଇକି ଆସନ୍ତିନି ନା କଣ!ତମେ ପୁଅ ଘର ପଟର ନା ଝିଅ ଘରପଟର ଯେ? ମାଆ ତୁମର ଯୋଉ କଥା ନା, ମୁଁ କାହା ଘର ପଟର ନୁହଁ, ପୁଣି ଦୁଇପଟର. ମାନେ? ମାନେ ଆଉ କଣ ମାଆ ମୋ ସ୍ୱାମୀ ଚନ୍ଦ୍ରସେଣା ପରା ମକା ଶିଝେଇ ବିକନ୍ତି. ପୁଣି ଦହିବରା ଆଳୁଦମ କରନ୍ତି. ତାଙ୍କରି ସଙ୍ଗେ ଆସିଛି. ତୁମେ କାମ ଖୋଜୁଛ ଶୁଣି ତୁମ ସଙ୍ଗେ ଦେଖାକରିବାକୁ ଆସିଛି. କି କାମ କରିବାକୁ ହେବ କୁହ କହି ସୋଫା ଉପରେ ବସିପଡିଲା ରାଧା. କାମବାଲୀ ଅନେକ ଆସିଛନ୍ତି ଯାଇଛନ୍ତି ହେଲେ ଏଡ଼େ ଉପୁଢଙ୍ଗରି ସ୍ତ୍ରୀ ଲୋକ ଏଇ ପ୍ରଥମ ଦେଖୁଛି ମୁଁ. କିଛି କହିବାକୁ ଯାଇ ଅଟକିଗଲି ତ ରାଧା କହୁଥିଲା ମୁଁ ତୁଳସୀ ମାଳ ଗୁନ୍ଥି, ଚନ୍ଦନ ଘୋରି ଆସିଛି ତ ତୁଳସୀ ତୁଳସୀ ବାସୁଛି. ଏଁ ରାଧା କେମିତି ଜାଣିଲା ମତେ ତୁଳସୀ ବାସ୍ନା ହେଉଛି ? ହଉ କିଏ ତୁମକୁ କହିଲା ମୁଁ କାମ ଖୋଜୁଛି ବୋଲି କହିଲ ଆଗେ. କିଏ ଜଣେ ଭାଇନା ସେଇ ମନ୍ଦିରରେ କହିଲେ. ତାଙ୍କ ନାମ କଣ? ତାଙ୍କ ନାମ ବୋଧେ ଗୋପାଳ. ହେଲେ ଗୋପାଳ ବୋଲି କାହାକୁ ତ ମୁଁ କିଛି କହିନି କାମବାଲୀ ଖୋଜିଦେବାକୁ. ତମର ଯୋଉ କଥା ମାଆ,କାମବାଲୀ ଖୋଜୁଛ, ମୁଁ ଆସିଲି. ହଉ ତେବେ ଦେଖ ଏଇ ସବୁ ଘରଦ୍ୱାର. ଏହାକୁ ଓଳେଇବା ସହ ରୋଷଇ ଘର ବାସନ ମଜା ଓ ସବୁଦିନ ପୋଛା କରିବାକୁ ପଡିବ. ମାଆ ଦିଅଁଙ୍କ ଘର କୋଉଟା? ଠାକୁର ଘରୁ ତୁମକୁ କଣ ମିଳିବ?ନାଇଁ ଯେ ଠାକୁର ବାସନ ଭଲକି ମାଜୁନ କି ସବୁଦିନ ଠିକଠାକ ଭୋଗ ଦେଉନ ତ ସେ କାମ ମୁଁ କରିଦିଅନ୍ତି. ମୋର ଦୋଷ ତ୍ରୁଟି ଦେଖି ଦର୍ଶାଇବାକୁ ଆସିଛ ନା କାମ କରିବାକୁ!ହସି ହସି ରାଧା କହୁଥିଲେ ମାଆ ଏଇ ପରା ଠାକୁର ଘରେ ଏତେ ଅବ୍ୟବସ୍ଥା ଦେଖୁଛି, ନଆସିବି କେମିତି? ହଉ ମତେ କଣ ଖାଇବାକୁ ଦେବ କହିଲ ମାଆ? ତମେ ତ ଆଜି ଭୋଜି ଖାଇବ, ଘରକୁ ନେବ ଆଉ କାଲିଠୁ ଆସିଲେ ଆମ ଘରେ ଖାଇବ. ହଁ ମାଆ ମୁଁ ସବୁଠି ଖାଏନା ଭୋଜି, କେବଳ ଯୋଉଠି ଆଗ୍ରହ ଥାଏ ସେଇଠି ଖାଏ. ଦେଖୁନ ସେଠି ଯିଏ ଯାହାକୁ ଦେଖୁଛି ଶ୍ରଦ୍ଧାରେ ପ୍ରେମ ଭକ୍ତିରେ ରାଧେ ରାଧେ କହୁଛି. ନଖାଇବି କେମିତି ଆଉ ତମେ ତ ଅନବରତ କାହ୍ନୁ କାହ୍ନୁ ହେଉଛ ମୁଁ ତମରି ହାତରେ ଖାଇବି. ଆରେ ମୋ ନାତି ନାମ କାହ୍ନୁ ପରା. ମାଆ ତୁମେ ଜାଣିନକି ଅଜାମିଳ ପରା ପୁଅ ନାମ ଡାକି ସଂସାରୁ ତରିଥିଲେ. ରାଧା ମୁହଁକୁ ଘଡିଏ ଚାହିଁ କେତେକଣ ଭାବିଗଲା ବେଳକୁ ରାଧା କହିଲା ଏତେ ଭାବୁଛ କଣ ଯେ!ହଉ କାଲିଠୁ ଆସ. ତୁମ କାମ ଦେଖି ପଇସା କଥା ବିଚାର କରିବା. ହଉ କହି ରାଧା ଯାଇଛି ଯେ ଯାଇଛି ।
ଦ୍ୱିତୀୟ ଦିନ ରଥ ଟଣା ସରିଲା ବେଳକୁ ମତେ ରାଧା କଥା ଲାଗିଛି. କହିଲା ବୋଇଲା ଆସିଲାନି . ସ୍ୱାମୀ କହିଲେ ଭଲ ହୋଇଛି ସେ ଆସିନି. କିଏ ସିଏ, ପରିଚୟ କଣ, ଜଣାଶୁଣା ନାହିଁ ନଆସୁ. କାହାକୁ ବୁଝିବା କାମ କରିବାକୁ, ବଳେ ବଳେ ଆସିଥିଲା ତ ଭଲ ହୋଇଥାନ୍ତା.ମୋ ପାଟିରୁ ହେ କାହ୍ନୁ ବାହାରିଛି କି ନାହିଁ ପହଁଚିଲା ରାଧା. ରଥ ଦେଖିବାକୁ ଯାଇଥିଲି ମାଆ. ମନଭରି ଦେଖିଲି, କଥା ହେଲି ଯେ ଅଧା. ତାଙ୍କ ଭାଇ ପରା ପଡିଗଲେ, ମୋ ଦେଢ଼ଶୁର ହେବେ ନା ସିଏ, ନାଁ କେମିତି କହିବି? କାହା ସଙ୍ଗେ କଥା ହେଲ? କିଏ ପଡିଗଲେ ପୁଣି କଥା ଅଧା ରହିଲା, କଣ ସବୁ କହୁଛ ରାଧା ତୁମ କଥା ମୁଁ କିଛି ବୁଝି ପାରୁନି. ସେପଟୁ ସ୍ୱାମୀ ପଚାରିଲେ ଆଛା ତୁମ ଘର କେଉଁଠି? ତୁମ ସ୍ୱାମୀଙ୍କ ନାମ କଣ? ଲୁଗା କାନି କାମୁଡି କାମୁଡି ରାଧା ମୋ ପାଖକୁ ଲାଗି ଆସି କହିଲା ସ୍ୱାମୀ ନାମ ପରା ତୁମକୁ କହିଥିଲି ମାଆ. ତୁମେ ବାବୁଙ୍କୁ କହିନ କି?ବାବୁଙ୍କୁ ସବୁ ଭଲକରି ବୁଝେଇ କହିବ. ମୋ ଦେଢ଼ଶୁର ପଡିଯାଇଛନ୍ତି ମୁଁ ଯାଉଛି. ତାଙ୍କ ମନ ଭଲ ନାହିଁ. ସବୁ ଠିକ ଠାକ ହୋଇ ଅନୁକୂଳ ପରିସ୍ଥିତି ଉପୁଜିସାରିଲା ପରେ ଆସିବି କାମକୁ. ନିଅ କହି ତୁଳସୀ ପତ୍ର ମେଞ୍ଚାଏ ଦେଇ କହିଲା କାହ୍ନୁଙ୍କୁ ଦେବନି. ଜାଗାଙ୍କୁ ପିନ୍ଧେଇବ. ମୁଁ ବଳେ ଆସିବି କହି ଫେରିପଡ଼ୁ ପଡ଼ୁ ସ୍ୱାମୀ ଡାକ ଛାଡିଥିଲେ ଜାଣିଲଣି କାଲି ପହଣ୍ଡି ବିଜେ ବେଳେ ବଡଠାକୁର ପଡିଯାଇଛନ୍ତି. ଏଁ ବଡଠାକୁର ପଡିଗଲେ? ରାଧା କଣ କହିଲା ତା ଦେଢ଼ଶୁର ପଡିଯାଇଛନ୍ତି ତା ସ୍ୱାମୀଙ୍କ ମନ ଭଲ ନାହିଁ ବୋଲି? ଆହେ ସେ ରାଧା କିଏକି? ଆସୁ ପଚାରିବ. ରାଧା କିନ୍ତୁ ଆଉ ଆସୁନଥିଲା ସେଇଦିନୁ ।
ଏବର୍ଷ ରଥଯାତ୍ରା ସମୟରେ ରାଧାକୃଷ୍ଣଙ୍କୁ ଶାଢ଼ୀଲାଗି ହୋଇପାରିବକି ନା ବୁଝିଲୁ ମାଆ ବୋଲି ପଚାରୁଥିଲା ପୁଅ ବ୍ୟସ୍ତ ହୋଇ. କହୁଥିଲା ତୋ ନାତି କାହ୍ନା ଆସି ବର୍ଷେ ପରେ ହେଲାଣି କହିଥିଲୁ ସାକ୍ଷୀଗୋପାଳଙ୍କୁ ଓ ତାଙ୍କ ସହ ଥିବା ମାଆ ରାଧାରାଣୀଙ୍କୁ ଶାଢ଼ୀ ପିନ୍ଧେଇ ବେଶ ଦେଖିବୁ. ଠାକୁରଙ୍କ କାମ ରହିଯାଉଛି କହି ବ୍ୟସ୍ତ ହେଉଥିଲା ପୁଅ ତ ମୁଁ କହିଲି ରହ ବାପା ବୁଝନ୍ତୁ ଯଦି ବାହୁଡା଼ ଦିନ ହୋଇପାରିବ ତେବେ ପିନ୍ଧେଇ ଦେବା. ସ୍ୱାମୀ ବୁଝିକି ଆସିଲେ ବାହୁଡା଼ ନୁହେଁ ବରଂ ଆଡପ ମଣ୍ଡପରେ ଠାକୁରଙ୍କ ନବମୀ ଦର୍ଶନଦିନ ଏଠି ସାକ୍ଷୀଗୋପୀନାଥଙ୍କ ସହ ମାଆ ରାଧାରାଣୀଙ୍କ ଶାଢ଼ୀ ପିନ୍ଧେଇନେବା. ତ ପ୍ରସ୍ତୁତି ଜୋର ସୋର ଚାଲିଲା. ନାତିଟା ସେଇଥିପାଇଁ ଭଲକି ଚାଲିନି କି କଥା କହିନି ବୋଧେ , ଠାକୁରଙ୍କ ଋଣ ରଖି କିଏ ପାରିଛି ଯେ!ସେଇ ଶୁଭଦିନ ବେଳା ମୁହୂର୍ତ୍ତ ପାଖେଇ ଆସିଲା. ଠାକୁର ଆମ ପ୍ରଦତ୍ତ ଶାଢ଼ୀ ପିନ୍ଧିବେ. ବିଭୋର ମନ ନାଚୁଥାଏ ହୃଦୟ. ଦେଖୁ ଦେଖୁ ସେ ବେଶ ଦେଖି ଆଖି ଲାଖିରହିଥାଏ ତ ହଠାତ ଘରେ କାମକରିବାକୁ କହି ଆସିଥିବା ସେହି ଅପରିଚିତ ସ୍ତ୍ରୀ ଲୋକ ରାଧା, ରାଧାରାଣୀଙ୍କ ମୂର୍ତ୍ତି ପାଖେ ଠିଆ ହୋଇଥିବା ଦେଖି ଡ଼କାପକାଇଲି ମୁଁ. ଶୁଣ ଶୁଣ ରାଧା, କାମକୁ ଆସିବ କହି କୁଆଡେ ଗଲ ଯେ ଗଲ. ତୁମ ଦେଢ଼ଶୁର କଣ ପଡିଯାଇଥିଲେ ବୋଲି କହୁଥିଲ ଯେ ତୁମ ସ୍ୱାମୀଙ୍କ ମନ ଭଲନାହିଁ କହି ଯାଇଛ ଯେ ଯାଇଛ, କଣ ଏବେ ସବୁ ଠିକଠାକ ତ? କହି କହି ରାଧାମାଆଙ୍କ ପଛପଟେ ଲୁଚିଯାଉଥିବା ରାଧାଙ୍କୁ ଦେଖିବାକୁ ଲାଗିଲା ବେଳେ ନନା କହିଲେ କୋଉ ରାଧା ମାଆ? ଏଠି ସ୍ୱୟଂ ରାଧାରାଣୀଙ୍କ ଛଡା କିଏ କୁଆଡୁ ଆସିବ? ମୋ ଆଖିରୁ ଧାର ଧାର ଗଙ୍ଗା ଯମୁନା ବୋହି ଯାଉଥିଲେ. ତୁମକୁ ମୁଁ ଚିହ୍ନି ପାରିଲିନି ମାଆ, ମତେ କ୍ଷମାକର.
ରଥଯାତ୍ରା ଦିନ ଯୋଉ ସ୍ତ୍ରୀ ଲୋକ ନିଜେ ନିଜେ ମୋ ଘରକୁ ଆସି କାମ କରିବେ କହି ଠାକୁରଙ୍କ ନିତି କାନ୍ତି ଓ ପୂଜାବିଧି ଠିକଠାକ କରିପାରୁନି ବୋଲି ସେ ଏଣିକି ହାତବଟେଇ ଦେବେ ଓ ତାଙ୍କୁ ଗୋପାଳ ପଠେଇଛନ୍ତି କହୁଥିଲେ. ପୁଣି କଥା କଥାରେ କହୁଥିଲେ ମତେ କେତେ କିଏ ଶାଢ଼ୀ ଦିଅନ୍ତି ତ ମୁଁ ଦିନକୁ ଚାରିଥର ଶାଢ଼ୀ ବଦଳାଏ.ମତେ ଶାଢ଼ୀ ଦେବା ଦରକାର ନାହିଁ ଖାଲି ରାଧେ ରାଧେ ଭକ୍ତିରେ ଡାକିଲେ ହେଲା. ମୋ ପାଟିରୁ ବଚନ ବାହାରୁ ନଥିବା ବେଳେ ରାଧେ ରାଧେ କହି ନନା ପ୍ରସାଦ ବଢ଼େଇ କହୁଥିଲେ କାହ୍ନୁ ତ ଏବେ ଜଗନ୍ନାଥ ରୂପରେ ଅବତାରେ ଅବତରୀ କେତେ ଲୀଳା ଖେଳା କରୁଛନ୍ତି ପୁରୀରେ.ଶୁଣାଯାଏ ମାଆ ରାଧା କାଳେ ରଥଯାତ୍ରା ଠାରୁ ବାହୁଡା଼ ପର୍ଯ୍ୟନ୍ତ ଜଗନ୍ନାଥଙ୍କୁ ଭେଟିବାକୁ ଯାଆନ୍ତି. ଏଠି ଯିଏ କାହ୍ନୁ ସେଠି ପରା ସିଏ ଜଗନ୍ନାଥ.ମୁଁ ସ୍ଥାଣୁ ପାଲଟି ଯାଉ ଯାଉ ନନା ଆହୁରି କେତେ କଣ କିମ୍ବଦନ୍ତୀ କହି ଚାଲିଥିଲା ବେଳେ ନାତି ଡାକୁଥିଲା ମାଆ, କାହ୍ନୁ, ମାଆ,ରାଧେ ରାଧେ.ମୋ ଆଖିର ଲୁହ ସମସ୍ତଙ୍କ ଆଖିକୁ ସଂକ୍ରମିତ କରିଥିଲା ବେଳେ ମୁଁ ଚାହିଁଥିଲି ମାଆ ରାଧାରାଣୀଙ୍କୁ. ଦେଖାଯାଉଥିଲେ ଠିକ ସେହି ରାଧା ପରି, ସେହି କଜ୍ଜ୍ୱଳ ନୟନ ସହ ଜୁଡ଼ାରେ ରଜନୀଗନ୍ଧା ମାଳ ଓ ମୋ ପସନ୍ଦର କିଣା ଶାଢୀରେ ଓଡ଼ିଆଣୀ ବେଶ. ମୁଁ ଚିହ୍ନି ପାରିଲିନି ମାଆ ମତେ କ୍ଷମା କର କହୁଥିଲି ତ ନନା ପୁଣି କହୁଥିଲେ ରାଧେ ରାଧେ ଓ ପାଳି ଧରୁଥିଲା ନାତି ରାଧେ ରାଧେ କହି.ବାହାରେ ମୁଷଳ ଧାରାରେ ବର୍ଷା ପଡୁଥିଲା ।
