BiswaRanjan Sahoo

Romance

4.3  

BiswaRanjan Sahoo

Romance

ଏମିତି ବି ହୁଏ ପ୍ରେମ

ଏମିତି ବି ହୁଏ ପ୍ରେମ

14 mins
192


ଆଜି ଭାଲେଣ୍ଟାଇନ ଡେ।ପ୍ରେମ ଦିବସ।ଏହି ଦିନକୁ ପ୍ରେମୀ ଯୁଗଳ ପାଳନ କରନ୍ତି ନିଜ ପ୍ରେମ ସମ୍ପର୍କକୁ ଆହୁରି ସୁଦୃଢ କରିବାପାଇଁ,ଦୀର୍ଘସ୍ଥାୟୀ କରିବା ପାଇଁ।କହନ୍ତି କାଳେ ପ୍ରେମର ରଙ୍ଗ ଥରେ ଲାଗିଲେ ତାକୁ ଛଡ଼େଇବା ଭାରି ମୁସ୍କିଲ।ଜୀବନ ସାରା ପ୍ରେମର ଦାଗ ରହିଯାଏ ମନ ସାରା, ଦେହ ସାରା।ପ୍ରଥମ ପ୍ରେମର ପ୍ରଥମ ଛୁଆଁ କୁ ଭୁଲିବା ଭାରି କଷ୍ଟ।


      ବୟସର ଅପରାହ୍ନରେ ଉପନୀତ ଡ଼.ରାଜୀବ ଆଜି କ୍ଲିନିକ ରୁ ଘରକୁ ଫେରିଲାବେଳେ ଟ୍ରାଫିକ ପାଖରେ ନଜର ପଡିଗଲା ଗୋଟେ ଯୁବକ ଉପରେ, ଯିଏ କିଣୁଥିଲା ଗୋଲାପ ବୋଧହୁଏ ତା ପ୍ରେମିକ ପାଇଁ।ମନେ ମନେ ହସିଦେଲେ।ମନେ ପଡିଯାଉଥିଲା କଲେଜ ଦିନର କଥା ସବୁ।ପ୍ରଥମ ପ୍ରେମର ପ୍ରଥମ କଥା ସବୁ ନାଚି ଉଠୁଥିଲା ଆଖି ଆଗରେ।କାଲି ପରି ଲାଗୁଥିଲା ତାଙ୍କୁ ସବୁ କିଛି।ଯେମିତି ଏଇ ଏବେ ଏବେ ବିତେଇକି ଆସିଛନ୍ତି ସେ ଦିନ ଗୁଡା।ଆଜିର ଡ଼. ରାଜୀବ ଆଉ ସେଦିନ ର ସେ ରାଜୀବ ଭିତର ଥିଲା ଆକାଶ ପାତାଳ ର ତଫାତ।ଗୋଟେ ପରେ ଗୋଟେ ଖେଳେଇ ଚାଲୁଥିଲେ ଅତୀତର ପୃଷ୍ଠା ଗୁଡିକ।


      ସେଦିନ ରାଜୀବର ମନ ଭାରି ଖୁସି ଥିଲା।କାହିଁକି ବା ନ ହବ।ଖୁସି ହବାର କାରଣ ବି ତ ଅଛି।ଆଜି ସେ ପ୍ରଥମ ଥର ପାଇଁ ଭେଟିବାକୁ ଯାଉଥିଲେ ତାଙ୍କ ପ୍ରିୟତମା ବର୍ଷାକୁ।ଦୀର୍ଘ ୬ ମାସ ହେବ ବର୍ଷା ସହ ପରିଚୟ ତାଙ୍କର।ଆଜି ଯାଏଁ ତାକୁ କେବେ ଦେଖିନାହାନ୍ତି।କେବଳ ଯାହା ଚାଟିଂ।ସେଇଟା ପୁଣି ଫେସବୁକ ଯାଏଁ ସୀମିତ।ସେଇଥିରୁ ଯେତିକି ଯାହା ଚିହ୍ନା ପରିଚୟ।ଖଲ୍ଲିକୋଟ କଲେଜରେ ପଢେ ବର୍ଷା ଆଉ ରାଜୀବ ବୁର୍ଲା ମେଡ଼ିକାଲ କଲେଜରେ।ଏଇ ଫେସବୁକରେ ପ୍ରଥମେ ମେସେଜ କରିଥିଲା ବର୍ଷା ରାଜୀବକୁ।ସେଇଠୁ କେଜାଣି କେମିତି ଦୁହିଁଙ୍କ ଭିତରେ ବନ୍ଧୁତ୍ବ ଗଢି ଉଠିଛି।ବର୍ଷାର ପିଲାଳିଆମୀ କଥା ଭାରି ଭଲ ଲାଗେ ରାଜୀବକୁ।ବର୍ଷାର ବହୁତ ଇଚ୍ଛା ମେଡ଼ିକାଲ ପଢିବାକୁ।ହେଲେ ଘରେ ଅର୍ଥ ଅଭାବ ପାଇଁ ବାଧ୍ୟ ହୋଇ ଗ୍ରାଜୁଏସନ ରେ ନାଁ ଲେଖେଇଥିଲା ବର୍ଷା।ରାଜୀବର ବୁଝେଇବା ବହୁତ ଭଲ ଲାଗେ ବର୍ଷା କୁ।ରୁମମେଟ ର ସ୍ମାର୍ଟଫୋନ ରେ ଫେସବୁକରେ ଆକାଉଣ୍ଟ ଖୋଲିଥିଲା ବର୍ଷା ଯେତେବେଳେ ନୂଆକରି ହଷ୍ଟେଲ କୁ ଆସିଥିଲା।କେଜାଣି କେମିତି ରାଜୀବର ପ୍ରୋଫାଇଲରେ ଦିଆଯାଇଥିବା ଫୋଟୋ ଭାରି ଭଲ ଲାଗିଥିଲା ବର୍ଷା କୁ।ଆଗରୁ କେତେବେଳେ କେମିତି କଥା ହଉଥିଲେ।କିନ୍ତୁ କିଛି ଦିନ ହବ ଦୁହିଁଙ୍କର କଥା ହେବାଟା ରୁଟିନ ରେ ପରିଣତ ହେଇଯାଇଥିଲା।ବର୍ଷା ସିନା ରାଜୀବ କୁ ଦେଖିଥିଲା,ହେଲେ ରାଜୀବ ବର୍ଷା କୁ କେବେ ଦେଖିନଥିଲା।ନାଁ ତା ପ୍ରୋଫାଇଲ ରେ କିଛି ଫୋଟୋ ଦିଆହେଇଥିଲା।ନା ସେମାନେ କେବେ ପରସ୍ପରକୁ ଦେଖା କରିଥିଲେ।ବର୍ଷା ପ୍ରତି ରାଜୀବର ଧୀରେ ଧୀରେ ଦୁର୍ବଳତା ମନରେ ବସା ବାନ୍ଧୁଥାଏ।କେମିତି କେଜାଣି ଦେଖିନଥିବା,ଜାଣି ନଥିବା ଝିଅଟି ପ୍ରତି ଏକ ଅଜଣା ଭାବ ଗଢି ଉଠିଥାଏ।ରାଜୀବର ସିନା ଦୁର୍ବଳତା ଥାଏ,ହେଲେ ଏପଟେ ବର୍ଷା ସମ୍ପୂର୍ଣ ଭାବେ ଭଲ ପାଇ ସାରିଥାଏ ରାଜୀବକୁ।କାହିଁକି ବା ନ ପାଇବ।ସେମିତି ରାଜୀବ ଦେଖିବାକୁ କୌଣସି ରାଜକୁମାର ଠୁ କମ ନ ଥିଲା।ଯେମିତି ହାଇଟ ସେମିତି ଚେହେରା।ଆଉ ତା ସହ ପରିମାର୍ଜିତ ବ୍ୟବହାର।ବର୍ଷାକୁ ବେଶି ଭଲ ଲାଗେ ରାଜୀବ ର ଝିଅ ମାନଙ୍କ ପ୍ରତି ଥିବା ମନୋଭାବକୁ।ଆଉ ସବୁଠୁ ବଡ କଥା ହେଲା ଏତେ କଥା ହେଲା ପରେ ବି ରାଜୀବ ଦିନେ ହେଲେ ବର୍ଷା କୁ ତା ଫୋଟୋ ମାଗିନଥିଲା।ଆଉ ରାଜୀବ ଏତେଟା କାହା ସହ ମିଶେନି।ନିଜ ପାଠ ପଢ଼ା କୁ ନେଇ ସବୁବେଳେ ଜାଗ୍ରତ ସହ।କେମିତି କେଜାଣି ସେଦିନ ବର୍ଷାର ରିକୁୱେଷ୍ଟ ଗ୍ରହଣ କରିଥିଲା।ଆଉ ହ୍ୟାଲୋ ହାଇ ରୁ ଆରମ୍ଭ ହେଇ କଥା ଆଗେଇ ଚାଲିଥିଲା।ବର୍ଷା ର ଯତ୍ନଶୀଳ ମନୋଭାବ ଭାରି ଭଲ ଲାଗେ ରାଜୀବ କୁ।ସବୁ କଥାରେ ନିଜ ମା ପରି ରାଜୀବ କୁ ତାଗିଦ କରେ ବର୍ଷା।ଠିକ ସମୟରେ ଖାଇବା,ପିଇବା,ବେଶି ରାତି ଯାଏଁ ଅନିଦ୍ରା ନ ହଵା ଇତ୍ୟାଦି,ଇତ୍ୟାଦି।


        ଏଥର ଇଣ୍ଟରକଲେଜ କମ୍ପିଟିସନ ହେଉଥିଲା ବ୍ରହ୍ମପୁର ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରେ।ଦୁଇ ଦିନ ଧରି ହେବ କମ୍ପିଟିସନ।ରାଜୀବ ଅଂଶଗ୍ରହଣ କରିନଥିଲେ ବି ସାଙ୍ଗମାନଙ୍କ ସହ ଯିବାର ପ୍ଲାନ ବନେଇସାରିଥିଲା।କାହିଁକିନା ସେଇ ବାହାନାରେ ତ ବର୍ଷା ସହ ଦେଖା ହେଇଯିବ।ସେଇଠୁ ଖଲ୍ଲିକୋଟ କଲେଜ ଖୁବ କମ ବାଟ।ସେ ଭାବିଥିଲା କଲେଜରେ ପହଞ୍ଚି ବର୍ଷା କୁ ମେସେଜ କରିବ ବୋଲି।ଆଉ ବର୍ଷା ତା ମେସେଜ ଦେଖି ଖୁସି ହେଇଯିବ।ସକାଳ ନଅଟା ସୁଦ୍ଧା ପହଞ୍ଚି ବର୍ଷା କୁ ମେସେଜ କରିଥିଲା ରାଜୀବ।କିନ୍ତୁ ଏ କଣ, ସକାଳ ନଅଟା ରୁ ଆସି ଦିନ ଗୋଟିଏ ବାଜିଲାଣି।ନା ବର୍ଷା ଅନଲାଇନ ଆସୁଛି,ନାଁ ତା ମେସେଜ ଦେଖୁଛି।କଲେଜ ପାଖ ଏକ କାଫେ ରେ ବସିଛି ରାଜୀବ।ମେସେଜ ବି କରିଛି ବର୍ଷାକୁ ଯେ ସେ କାଫେ ରେ ତାକୁ ଅପେକ୍ଷା କରିଛି ବୋଲି।କୋଉ ବର୍ଷାର ଫୋନ ନଂ ତା ପାଖେ ଅଛି ଯେ।ମନଟା ଭାରାକ୍ରାନ୍ତ ହେଇ ଆସୁଥିଲା ରାଜୀବର।ହୁଏତ ତା ସହ ଦେଖା ହେଇପାରିବନି।ସଂନ୍ଧ୍ୟା ଯାଏଁ ଅପେକ୍ଷା କଲା ରାଜୀବ।ଭାବିଲା ହୁଏତ ସଂଧ୍ୟାବେଳକୁ ସେ ଅନଲାଇନ ଆସିପାରେ।କିନ୍ତୁ ନାଁ,ବର୍ଷା ଆସିଲାନି।ସେ ଭାବୁଥିଲା କାଲି କଥା ହେଲା ବେଳେ ବର୍ଷା କୁ ଆଗରୁ ଜଣେଇଦେଲେ ହୁଏତ ଭଲ ହେଇଥାନ୍ତା।ନ ହେଲେ ଏତେ ଦିନ ଧରି ସେମାନେ ଫେସବୁକରେ ତ କଥା ହଉଛନ୍ତି।ନମ୍ବର ଟା ମାଗିଆଣିଥିଲେ କଣ ଅସୁବିଧା ହେଇଥାନ୍ତା ଯେ।ବର୍ଷା ତ ସବୁବେଳେ ସକାଳେ ଅନଲାଇନ ଆସେ କଲେଜ ଗଲାବେଳକୁ ତାକୁ ଗୁଡ଼ ମୋର୍ଣ୍ଣିଙ୍ଗ କହିବା ପାଇଁ।ଆଉ କଲେଜ ରୁ ଦିନ ଦୁଇଟାରେ ଫେରି ପୁଣି ମେସେଜ କରେ।କିନ୍ତୁ ନା ଆଜି ତାର ବିଲକୁଲ ଦେଖା ଦର୍ଶନ ନାହିଁ।ମନ ଅସ୍ଥିର ହଉଥିଲା ରାଜୀବର।


      ମନରେ ନିରାଶା ଭାବ ନେଇ ହଷ୍ଟେଲକୁ ଫେରି ଆସିଲା ରାଜୀବ।ଭାବିଲା ହୁଏତ ବର୍ଷା କୁ ଦେଖା କରିବା ତା ଭାଗ୍ୟ ରେ ନାହିଁ।ତା ପରଦିନ ଥିଲା ସେଠି ସେମାନଙ୍କର ଶେଷ ଦିନ।କମ୍ପିଟିସନ ଦେଖିବାକୁ ରାଜୀବର ବିଲକୁଲ ଇଚ୍ଛା ନଥିଲା।ସକାଳେ ଉଠି ପୁଣି ଫେସବୁକ କୁ ଆସିଲା ରାଜୀବ।ନା ଏଯାଏଁ ବି ତା ମେସେଜ ସିନ ହେଇନି।ପୁଣି ଥରେ ବର୍ଷା କୁ ମେସେଜ କଲା,ଯେ ଆଜି ଦିନକ ପାଇଁ ମାତ୍ର ବ୍ରହ୍ମପୁରରେ ଅଛି ବୋଲି।ଜଣେ ଦୁଇଜଣ ସାଙ୍ଗକୁ ଧରି ବିଚ ଆଡକୁ ବାହାରିଗଲା ରାଜୀବ ଟିକେ ମନକୁ ହାଲକା କରିବା ଲାଗି।ବୁଲୁ ବୁଲୁ ତାର ଲକ୍ଷ୍ୟ ପଡିଯାଉଥାଏ ବିଚରେ ବସିଥିବା ପ୍ରେମୀ ଯୁଗଳମାନଙ୍କ ଉପରେ।ତାର ଇଚ୍ଛା ହେଉଥାଏ କାସ ବର୍ଷା ଯଦି ଏବେ ତା ପାଖରେ ଥାନ୍ତା ସେମାନେ ବେଳାଭୂମିର ବାଲୁକାଶଯ୍ୟାରେ ହାତ ଧରା ଧରି ହେଇ ଚାଲୁଥାନ୍ତେ।ଗଢୁଥାନ୍ତେ ଏହି ବାଲୁକା ରାଶିରେ ଛୋଟ ଛୋଟ ବାଲିଘର।ଲହରୀ ମାଳା ଆସି ଭାଙ୍ଗିଦେଉଥାନ୍ତେ ସେ ବାଲିଘର।ତା ନାଁ ସହ ବର୍ଷାର ନାଁ ଯୋଡି ରାଜୀବ ଲେଖୁଥାନ୍ତା ଏମିତି କେତେ କଥା ସବୁ।କିନ୍ତୁ ଏମିତି କିଛି ଘଟିବାର ନ ଥିଲା।


        କିନ୍ତୁ ସେପଟେ ଚାଲିଥିଲା ଆଉ କିଛି।ବର୍ଷା ଦିନ ଦଶଟା ପାଖାପାଖି ସେଦିନ ଅନଲାଇନ ଆସିଲା।ଦେଖେତ ରାଜୀବର ଅନେକ ଗୁଡିଏ ମେସେଜ।ତରତର ହେଇ ମେସେଜ ର ରିପ୍ଲାୟ ଦେଇ ବାହାରି ଆସିଲା କାଫେକୁ।ଏଇଆ ଭାବି ଯେ ଆଜି ବି ହୁଏତ ରାଜୀବ ଅପେକ୍ଷା କରିଥିବା ତାକୁ କାଫେରେ।ମେସେଜରେ ଲେଖିଥିଲା ରାଜୀବ ତୁମେ ଯୋଉ କାଫେ କୁ କହିଥିଲ ମୁଁ ସେଠି ଅପେକ୍ଷା କରିଥିବି।ତୁମେ ଆସିବ।ହେଲେ ନାଁ।ସେ ବି କୋଉ ରାଜୀବର ନଂ ରଖିଥିଲା ଯେ ତାକୁ ସଙ୍ଗେ ସଙ୍ଗେ ଫୋନ କରି ଡାକିପାରିବ।ଏପଟେ ସାଙ୍ଗରେ ରୁମମେଟ ର ଫୋନ ଟା ବି ଆଣିପାରିବନି।ଦ୍ଵନ୍ଦରେ ଦୁଇଟି ମନ ଆଉଟୁପାଉଟୁ ହୋଉଥିଲେ ପରସ୍ପରକୁ ଦେଖା କରିବା ପାଇଁ।ହେଲେ ନିୟତି ର ଚକ୍ରାନ୍ତ ଆଗରେ କିଏ ବା ଜିତି ପାରିଛି।ରାଜୀବ ବି ଫୋନଟା ପକେଟ ର ରଖି ବିଚ ସାରା ବୁଲୁଥାଏ, ହେଲେ ଫୋନ ଖୋଲି ଅନଲାଇନ ଆସିବାକୁ ପାଶୋରି ଦେଇଥାଏ ଯେମିତି।ସକାଳୁ ସନ୍ଧ୍ୟା ହେଇଗଲା ସିନା ହେଲେ ରାଜୀବ ଆସିଲାନି ଅନଲାଇନ।ତାକୁ ଅନେଇ ଅନେଇ ହଷ୍ଟେଲକୁ ଫେରି ଆସିଲା ବର୍ଷା,ଯେମିତି ପୂର୍ବଦିନ ଫେରି ଆସିଥିଲା ରାଜୀବ।ଦୁଇଟି ନୀଡ଼ ହଜା ପକ୍ଷୀ ଯେମିତି ବ୍ୟାକୁଳ ହେଉଥିଲେ ପରସ୍ପର ସହ ମିଳନ ଆଶାରେ।ହେଲେ ସମୟର ବିଧାନ ଥିଲା ବଡ ବିଚିତ୍ର।ଜଣେ ଅନ୍ୟ ଜଣର ପାଖରେ ଥାଇ ବି,ଦେଖା କରିବାକୁ ହେଇଥିଲେ ଅସମର୍ଥ।


     ବୁଲାବୁଲି ସାରି କମ୍ପିଟିସନ ହେଉଥିବା ଜାଗାକୁ ରାଜୀବ ଫେରିଲା ସାଙ୍ଗମାନଙ୍କ ସହ ସଂଧ୍ୟାବେଳକୁ।କାହିଁକିନା ସେମାନଙ୍କୁ ଫେରିବାର ଥିଲା ସେଦିନ ରାତିରେ।ହଠାତ ମୋବାଇଲ ଖୋଲି ଦେଖେତ ବର୍ଷାର ମେସେଜ।ଆଖି ବୁଜି ଧାଇଁଲା ସେ କାଫେକୁ।ରାଜୀବ ଯାଇ କାଫେରେ ପହଞ୍ଚିବାର ଟିକେ ଆଗରୁ ବାହାରିକି ଆସିସାରିଥାଏ ବର୍ଷା।ସବୁ ଟେବଲ ଖୋଜି ପକେଇଲା ରାଜୀବ।ଯେମିତି କିଛି ମୂଲ୍ୟବାନ ଜିନିଷ ହଜେଇ ଥିଲା ସେଇ କାଫେ ରେ।ମୋବାଇଲ ଖୋଲି ମେସେଜ କଲା ବର୍ଷା କୁ।ହେଲେ ବର୍ଷା।ରାଜୀବ ସହ ଦେଖା ନ ହେଇପାରିବା ଦୁଃଖରେ ହଷ୍ଟେଲରେ ଯାଇ ମନ ମାରି ଶୋଇଥାଏ।ପୁଣି ଫେରି ଆସିଲା ରାଜୀବ।ଆଉ କିଛି ସମୟ ପରେ ବସ ବାହାରିଯିବ କଲେଜରୁ ତାଙ୍କ କଲେଜ ଆଡକୁ।ପୁଣି କେବେ ସୁଯୋଗ ଆସିବ କେଜାଣି ବର୍ଷା ସହ ଦେଖା ହବାର।ପିଲାମାନେ ବସରେ ମଉଜ ମସ୍ତିରେ ବ୍ୟସ୍ତ ଥିଲା ବେଳେ ଗୋଟେ କଣ କୁ ବସି ରାଜୀବ ଭାବୁଥିଲା ବର୍ଷା କଥା।ମନେ ମନେ ବସି କଳ୍ପନାରେ ଆଁକୁଥିଲା ବର୍ଷାର ଛବି।


      ତା ପରଦିନ ଯେମିତି ଦୁଇ ଜଣ ପୁଣି ଅନଲାଇନରେ କଥା ହେଲେ,ବର୍ଷା ସଙ୍ଗେ ସଙ୍ଗେ ନିଜ ଆଡୁ ନଂ ଦେଲା ତାର।ଆଉ କହିଲା ଏଥର ଆସିଲେ ଆଗରୁ ଜଣେଇକି ଆସିବା ପାଇଁ।ଚାଟିଂ ରୁ ଆରମ୍ଭ ହେଇଥିବା ପ୍ରେମ ଏବେ ଚାଲିଥିଲା ଫୋନରେ।ସକାଳୁ ଉଠିଲେ ଫୋନ,କଲେଜ ଗଲା ବେଳେ ଫୋନ,ପୁଣି କଲେଜ ରୁ ଆସିଲେ ଫୋନ,ଡେରି ରାତି ଯାଏଁ ଫୋନ।ବର୍ଷାତ ସେମିତିରେ ଆଗରୁ ମନ ଦେଇସାରିଥିଲା ରାଜୀବ କୁ।କିନ୍ତୁ ରାଜୀବ,ତା କଳ୍ପନା ଠୁଁ ବି ଆହୁରି ମଧୁର ଥିଲା ବର୍ଷାର ସେ ମିଠା ମିଠା କଥା।ବର୍ଷା ର କଅଁଳିଆ ସ୍ୱର ଯେମିତି ଚୁମ୍ବକ ଭଳି ଟାଣିନଉଥିଲା ରାଜୀବକୁ ନିଜ ଆଡକୁ।ନିଜ ମନ ଆଉ ନିଜ ଆୟତରେ ନଥିଲା ରାଜୀବର।ସଦ୍ୟ ଯୌବନରେ ପାଦ ଦେଇଥିବା ପକ୍ଷୀ ଦୁଇଟା ସବୁ କିଛି ଭୁଲି ନିଜକୁ ହଜେଇ ସାରିଥିଲେ ପ୍ରେମ ଦୁନିଆରେ।ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ନିବିଡ଼ ଭାବରେ ,କିନ୍ତୁ କେହି କାହାକୁ ମନ ଖୋଲି କହିବାକୁ ସାହସ କରିନଥିଲେ।ହୁଏତ ବନ୍ଧୁତ୍ବ ଭାଙ୍ଗିଯିବା ଡରରେ।ରାଜୀବ ଥିଲା ଟିକେ ଲାଜକୁଳା ସ୍ୱଭାବର,ଆଉ ବର୍ଷା ଥିଲା ଗୋଟେ ଝିଅ।ଝିଅ ହେଇ ସେ କେମିତି ଆଗେ ମନ କଥା କହିପାରିଥାନ୍ତା ଯେ।ହେଲେ କେତେଦିନ ଆଉ ନିଜ ମନ କଥା ମନରେ ଲୁଚେଇ ରଖିପାରିବ ସେ।ମନେ ମନେ ସ୍ଥିର କଲା ଏଥର ଭାଲେଣ୍ଟାଇନ ଡେ ରେ ସେ କହିବ ତା ମନ କଥା।ସବୁ କିଛି ଠିକ ଠାକ ଚାଲିଥାଏ।ହେଲେ ସୁଖ ଆଉ ଦୁଃଖ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି।ଖୁସି ଦୁଇ ଦିନର କୁଣିଆ ହେଲେ ଦୁଃଖ ଚିର ସହଚର।ଦୁହେଁ ଦୁହିଜଣଙ୍କୁ ମନ ଖୋଲି କହିବା ଆଗରୁ ରାଜୀବର ଜୀବନରେ ଘୋଟି ଆସିଲା କଳା ବାଦଲ।


         ଘରକୁ ଆସିଥାଏ ରାଜୀବ।ଆଉ ସେତେବେଳେ ପ୍ରକାଶ ପାଇଥାଏ ଥାର୍ଡ ସେମିଷ୍ଟର ରେଜଲ୍ଟ।ଦୁଇଟି ସେମିଷ୍ଟର ଖୁବ ଭଲ କରିଥିବା ରାଜୀବର ଏଥର ରେଜଲ୍ଟ ଥିଲା ଆବଶ୍ୟକତା ଠୁ ଅଧିକ ନିମ୍ନ ମାନର।ଘର ଲୋକଙ୍କ ପ୍ରଶ୍ନ ବାଣକୁ ଗୋଟିଏ ପରେ ଗୋଟିଏ ସମ୍ମୁଖୀନ କରି ଚାଲୁଥିଲା ମୁଣ୍ଡ ତଳକୁ କରି।ଏତେ ଭଲ ପିଲାର ଏତେ ଖରାପ ଫଳ କୁ ସହଜରେ ଗ୍ରହଣ କରିପାରୁନଥିଲେ ରାଜୀବର ମମି ଆଉ ଡାଡି।ଆଉ ସେଦିନ ରାଜୀବ ବାହାରକୁ ଯାଇଥିଲା ବେଳେ ଭୁଲ ବଶତଃ ରାଜୀବର ଫୋନ ପଡିଯାଇଥିଲା ରାଜୀବର ଡାଡିଙ୍କ ହାତରେ।ଆଉ ଫୋନ ଖୋଲୁ ଖୋଲୁ ବର୍ଷାର ଟେକ୍ସଟ ମେସେଜ।ଧୀରେ ଧୀରେ ମୁଣ୍ଡ ଗରମ ହେଇ ଆସୁଥିଲା ଡାଡିଙ୍କର।ରାଜୀବ ଘରେ ପହଞ୍ଚିଲା ପରେ ଆରମ୍ଭ ହେଇଯାଇଥିଲା ଡାଡିଙ୍କର ଭର୍ତ୍ସନା।ଯେତେ ସଫେଇ ଦେଇଥିଲେ ବି ଡାଡି ଆଉ ମମି ବିଶ୍ୱାସ କରିନଥିଲେ ରାଜୀବର କଥା।କହିବାକୁ ଗଲେ ଏସବୁ ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲା।ମନେ ମନେ ଭାବିନେଇଥିଲା ଆଉ କଥା ହବନି ବର୍ଷା ସହ।କହିବାକୁ ଗଲେ ପରୋକ୍ଷରେ ତାର ଖରାପ ରେଜଲ୍ଟ ପାଇଁ ବର୍ଷା ହିଁ ଦାୟୀ ଥିଲା।ପାଠ ନ ପଢି ଅନେକ ସମୟ ଧରି ଫୋନରେ ଚାଟିଂ କରିବା ଆଉ ଗପିବା ଗଭୀର ଭାବେ ପ୍ରଭାବ ପକେଇଥିଲା ଦୁଇଜଣଙ୍କ ପାଠ ପଢା ଉପରେ।


      ଧୀରେ ଧୀରେ ରାଜୀବର ସ୍ୱଭାବରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ବର୍ଷା।କିଛି ଦିନ ହବ ରାଜୀବ ଆଉ ଠିକ ସେ କଥା ହଉନଥିଲା ବର୍ଷା ସହ।କେତେବେଳେ ଫୋନ ଉଠାଉନଥିଲା ତ କେତେବେଳେ ଇଗନୋର କରୁଥିଲା ବର୍ଷାକୁ।ଏସବୁ କିନ୍ତୁ ବର୍ଷା ପାଇଁ ସହିବା କଷ୍ଟକର ହେଇ ପଡିଥିଲା।ଏପଟେ ବର୍ଷାକୁ ସବୁଦିନ ପାଇଁ ଭୁଲିବାକୁ ନିଷ୍ପତ୍ତି ନେଇ ସାରିଥିଲା ରାଜୀବ।ଠିକ ଭାଲେଣ୍ଟାଇନ ଡେ ଦିନ ଫୋନ କଲା ବର୍ଷା ରାଜୀବକୁ।ଆଉ କହିଲା ରାଜୀବ ତୁମକୁ କିଛି କହିବାର ଅଛି,ଯୋଉ କଥା ବହୁତ ଦିନ ହବ କହିବାର ଥିଲା ତୁମକୁ,ସେଇଟା ଆଜି ମୁଁ କହୁଛି।ମୁଁ ତୁମକୁ ଭଲ ପାଏ ରାଜୀବ।ବହୁତ ଭଲ ପାଏ ତୁମକୁ।ତୁମ ବିନା ବର୍ଷାର କିଛି ଅସ୍ତିତ୍ବ ନାହିଁ।ଛାତିରେ ପଥର ରଖି ରାଜୀବ ଉତ୍ତର ଦେଲା ହେଲେ ବର୍ଷା ମୁଁ କେବଳ ତୁମକୁ ସାଙ୍ଗ ହିସାବରେ ଦେଖି ଆସିଛି।ତୁମ ପ୍ରତି ସେସବୁ ଭାବନା ମୋ ମନ ଭିତରେ କିଛି ହେଲେ ବି ନାହିଁ।ଆଉ ମୋର ଆଗରୁ ଗୋଟେ ଗାର୍ଲଫ୍ରେଣ୍ଡ ଭି ଅଛି।ଏସଵୁ ବିଶ୍ୱାସ କରିପାରୁନଥିଲା ବର୍ଷା।ଅନବରତ ଭାବେ କାନ୍ଦି ଚାଲିଥିଲା ବର୍ଷା।ଉପରେ ନ କାନ୍ଦିପାରିଲେ ବି ଭିତରେ ବର୍ଷାଠୁ ଭି ଅଧିକ କାନ୍ଦୁଥିଲା ରାଜୀବ।ବର୍ଷାକୁ ବିଶ୍ୱାସ ଦେବା ପାଇଁ ନିଜ ବ୍ୟାଚର ଗୋଟେ ଝିଅକୁ ବର୍ଷା ସହ ନିଜ ଗାର୍ଲଫ୍ରେଣ୍ଡ ହେଇ କଥା ହବାକୁ ଅନୁରୋଧ କରିଥିଲା।ଆଉ ରାଜୀବ ର କଥା ଅନୁସାରେ ସେ ଝିଅ ମଧ୍ୟ ରାଜୀବର ଗାର୍ଲଫ୍ରେଣ୍ଡ ଭାବେ କଥା ହେଲା ବର୍ଷା ସହ।ବର୍ଷା ପାଦତଳୁ ଯେମିତି ମାଟି ଗୁଡାକ ଖସି ପଡୁଥିଲା।ଦୁଃଖ ଆଉ ରାଗରେ ଧରିଥିବା ଫୋନଟି ଭାଙ୍ଗିଦେଲା ବର୍ଷା।ଆଉ ତାପରେ....


      ଦୁଇଟି ପ୍ରେମୀ ସବୁଦିନ ପାଇଁ ହେଇଯାଇଥିଲେ ଅଲଗା।ସବୁକିଛି ଭୁଲି ଲାଗିଗଲା ରାଜୀବ ତା ପଢ଼ାରେ।ବେଳେ ବେଳେ ଭାରି ମନେ ପଡେ ବର୍ଷା।ଇଚ୍ଛା ଥିଲେ ବି କଲ କରିପାରେନି ସେ।କଲ ବି କରିଥିଲେ କୋଉ ଲାଗିଥାନ୍ତା ଯେ।ସେବେଠୁ ବର୍ଷାର ବି ଖୋଜ ଖବର ରଖିନି।ମେଡ଼ିକାଲ ପଢା ସରିବା ପରେ ଏସ.ସି.ବି ରେ ଜଏନ କଲା ରାଜୀବ।ତା ପରେ ଅନେକ ଖୋଜିଛି ବର୍ଷାକୁ।ହେଲେ ପାଇନି।ଜୀବନ ସାରା ଅନୁତାପର ନିଆଁରେ ଜଳିଛି ଆଉ ଜଳୁଛନ୍ତି ମଧ୍ୟ।


           ଏବେ ରାଜୀବ ସହରର ଜଣେ ନାମଜାଦା ଡାକ୍ତର।ହେଲେ ଅବିବାହିତ।ସାରା ଜୀବନ ପ୍ରାୟଶ୍ଚିତ ସ୍ୱରୂପ ସେ ବିବାହ କରିବାକୁ ମନା କରିଦେଲେ ଘରେ।ଏଯାଏଁ ବି ସେ ବର୍ଷାଙ୍କ ଅପେକ୍ଷାରେ।ବର୍ଷା ସିନା ମୁଁହ ଖୋଲି କହିଦେଇଥିଲା ତାଙ୍କୁ ଭଲ ପାଏ ବୋଲି,ହେଲେ ରାଜୀବ ନିଜ ପ୍ରେମକୁ ନିଜ ମନ ଭିତରେ ମାରିଦେଇଥିଲେ ସବୁଦିନ ପାଇଁ।ଆଉ ଏକ ପ୍ରେମ କାହାଣୀ ରହିଯାଇଥିଲା ଅକୁହା ହେଇ ଆଉ ଅଦେଖା ହେଇ।ଥରଟିଏ ବି ସେ ଦେଖିନଥିଲେ ବର୍ଷାକୁ।ଆଉ ମନକୁ ବୁଝାଉଥିଲେ ପ୍ରେମର ଅନ୍ୟନାମ ତ୍ୟାଗ ବୋଲି।ସିଗନାଲ ର ରେଡ଼ ଲାଇଟ ଗ୍ରୀନ ହେଇ ସାରିଥିଲା।ଆଉ କାର ଷ୍ଟାର୍ଟ କରି ସାରିଥିଲେ ରାଜୀବ ପୁରୁଣା ଦିନର ସେ ଅଭୁଲା ସ୍ମୃତି ଉପରେ ପରଦା ପକେଇ।।


       

"ନିସର୍ତ୍ତରେ ଥରେ ମନ ଦେଲା ପରେ,ଲାଗିଲୁ ଭାରି ନିଜର,

ସ୍ଥିର କରି ନେଲି ଚାଲିବି ତୋ ସାଥେ,ବାଟ ହୋଉ ଯେତେ ଦୂର"।।


କିଛି ପ୍ରେମ ଏମିତି ଥାଏ।ନା କହିବାର ଆବଶ୍ୟକତା ପଡ଼େ,ନା କାହାକୁ ବୁଝେଇବାର।ଭଲ ପାଉଥିବା ମନର ମଣିଷ ସାମ୍ନାରେ ଥିଲେ ପଢିନିଏ ମନ କଥା ଆଖିରୁ।କିନ୍ତୁ ଏଠି କଥା ଥିଲା କିଛି ଅଲଗା।ନା କେବେ ଦେଖା ହେଇଥିଲା ସାମ୍ନା ସାମ୍ନି,ନା କେବେ ଦୁଇ ଜଣ ପଢିବାକୁ ସୁଯୋଗ ପାଇଥିଲେ ଦୁଇ ଜଣଙ୍କ ଆଖିକୁ।ହୁଏତ ସେଦିନ କାଫେ ରେ ଦେଖା ହେଇଥିଲେ ପ୍ରେମ କାହାଣୀର ମୋଡ଼ ବୋଧହୁଏ କିଛି ଅଲଗା ହେଇଥାନ୍ତା,ଯୋଉଟା ସବୁଦିନ ପାଇଁ ରହିଯାଇଥିଲା ଅକୁହା।ବର୍ଷା ସିନା କହିଦେଇଥିଲା ନିଜ ମନ କଥା ରାଜୀବ କୁ।ହେଲେ ରାଜୀବ କେବେ ବି କହିପାରିନଥିଲା ବର୍ଷାକୁ ତା ମନ ତଳର କଥା।ଭଲ ପାଉଥିବା ନିଜର ମଣିଷଟିଏ ଯେତେବେଳେ ଦୁରେଇ ଯାଏ ସେତେବେଳେ କଷ୍ଟ କେତେ ଲାଗେ ମର୍ମେ ମର୍ମେ ଅନୁଭବ କରିଥିଲା ରାଜୀବ।କିନ୍ତୁ ଏବେ ଆଉ ବିଶେଷ କଷ୍ଟ ହୁଏନି।ବର୍ଷା କୁ ଭୁଲି ନଥିଲା ସେ।କିନ୍ତୁ ସେ କଷ୍ଟ ତାର ଅଭ୍ୟାସ ରେ ପରିଣତ ହେଇଯାଇଥିଲା।ବର୍ଷାକୁ ନିଜଠୁ ଦୁରେଇ ଦେବାକୁ ସେ ନିଜ ଦୋଷ ବୋଲି ମାନି ନେଇଥିଲା,ଆଉ ସାରା ଜୀବନ ଜଳୁଥିଲା ଅନୁତାପର ନିଆଁରେ।କେତେ ନ ଖୋଜିଛି ବର୍ଷାକୁ।ସବୁ ଚେହେରା ଭିତରେ ତା ମନ ପଚାରେ, ଇଏ ଆଉ ତୋ ବର୍ଷା ନୁହଁ ତ।ଡାଡି,ମମି ଅନେକ ବୁଝେଇଛନ୍ତି ହେଲେ ରାଜୀବର ସେ ଗୋଟେ କଥା ,ସେ ବାହା ହବନି।ଅବଶ୍ୟ ଏବେ ଆଉ ବାହାହଵା ପାଇଁ ବୟସ ନାହିଁ,କି ଇଚ୍ଛା ବି ନାହିଁ।କିନ୍ତୁ ପରିଣତ ବୟସରେ ମନଟା ଖୋଜିବୁଲେ ସାଥିଟିଏ।ମଣିଷ ରୂପମୁଗ୍ଧ ହୁଏନି,ହୁଏ ଗୁଣମୁଗ୍ଧ।ଯାହା ସହ ସେ ନିଜ ସୁଖ,ଦୁଃଖ,ହସ ,ଲୁହ,ଜୀବନର ପ୍ରତ୍ୟେକ ଟି ଜିନିଷ ବାଣ୍ଟି ପାରିବ।ତା ଜୀବନ ଆକାଶରେ ଧୂମକେତୁଟିଏ ଭଳି ପଶି ଆସିଥିବା ବର୍ଷା ଯେ ଏମିତି ଦିନେ ନିଶ୍ଚିନ ହେଇଯିବ କିଏ ଜାଣିଥିଲା।ଆଖିକୁ ନିଦ ଆସୁ ନଥାଏ ରାଜୀବ ଓରଫ ଡକ୍ଟର ରାଜୀବଙ୍କର।ଏମିତି କେତେ କଥା ମନ କୁ ଆସୁଥାଏ, ଆସୁଥାଏ ସକାଳେ ଦେଖିଥିବା ଟ୍ରାଫିକ ପୋଷ୍ଟ ପାଖରେ ଗୋଲାପ କିଣୁଥିବା ପିଲାଟିର ଦୃଶ୍ୟ।ତାର ଭାରି ଇଚ୍ଛା ଥିଲା ବର୍ଷାକୁ ଏମିତି ନାଲି ଗୋଲାପଟିଏ କିଣିକି ଦବାର।କଥା କଥାରେ ବର୍ଷା କେତେଥର କହିଛି ଯେ ମତେ ଲାଲ ଗୋଲାପ ସବୁଠୁ ପସନ୍ଦ ବୋଲି।ହେଲେ ଭାଗ୍ୟର ବିଡମ୍ବନା ଗୋଲାପ ତ ଦବା ଦୂରର କଥା,ବର୍ଷାକୁ ଆଜି ଯାଏଁ ଦେଖିନି ସେ।ଯାହାର କଥା ଏତେ ସୁନ୍ଦର କେମିତି କେଜାଣି ସିଏ ହେଇଥିବ।କଳ୍ପନାରେ କ'ଣ କାହା ଛବି ଅଙ୍କିବା ସମ୍ଭବପର,କେବଳ ତା ମିଠା ମିଠା କଥା ଶୁଣି।କଡ଼ ଲେଉଟାଉଥାଏ ରାଜୀବ।


      ସମୟ ରାତି ୨ ଟା।ହଠାତ ଫୋନ ରିଂ ରେ ଚମକି ପଡିଲା ରାଜୀବ।ହସ୍ପିଟାଲ ରୁ କଲ।ଆକ୍ସିଡେଣ୍ଟରେ ରୋଗୀ ଗୁରୁତର।ଏମାର୍ଜନସି କେଶ।ଅବଶ୍ୟ ଏତେ ରାତିରେ ଫୋନ ଆସିବା ନୂଆ କଥା ନୁହେଁ।ଡାକ୍ତରୀ ଜୀବନରେ ନୂଆ ନୂଆ ଜଏନ କଲା ବେଳେ ଅନେକ ଥର ତାକୁ ଆସିଷ୍ଟାଣ୍ଟ ଭାବେ ଯିବା ପାଇଁ ପଡିଛି ରାତି ଅଧରେ ଅପରେସନ ଥିଏଟର।ଏବେ ସେ ଜଣେ ସ୍ପେଶାଲିଷ୍ଟ।ଯିବା ପାଇଁ ତ ପଡିବ।ଆଜି ଯାଏଁ ସେ କେବେ କୋଉ କେଶ କୁ ମନା କରିନି।ଯେତେ ରାତି ହଉ ପଛେ ସେ ଯାଏ।ସେମିତିରେ ଜୀବନରେ କିଏ ଅଛି ଯେ ତାଙ୍କୁ ଏତେ ରାତିରେ ଯିବା ପାଇଁ ମନା କରିବ ବା ଅଟକେଇବ।ଶୀଘ୍ର ବାହାରି କାର ଷ୍ଟାର୍ଟ କଲା ରାଜୀବ।


       ହସ୍ପିଟାଲରେ ପହଞ୍ଚି ପେସେଣ୍ଟକୁ ଚେକ କରିନେଲେ।ସିଭିଅର ଇଂଜୁରୀ।ପେସେଣ୍ଟକୁ ବଞ୍ଚେଇବା ଅସମ୍ଭବ ପ୍ରାୟ।ବ୍ରହ୍ମପୁର ସିଧା କଟକ କୁ ଟ୍ରାନ୍ସଫର।ହୁଏତ ଗୋଟେ ପରସେଣ୍ଟ ଚାନ୍ସ ଅଛି କହିଲେ ଚଳେ।ପେସେଣ୍ଟର ନିଜ ଲୋକକୁ ଡାକିବାକୁ କହି ଭିତରକୁ ଚାଲିଗଲେ।ଏତେ ସିଭିଅର ଇଂଜୁରୀ ପରେ ବଞ୍ଚିବା ମୁସ୍କିଲ।ହେଲେ କେମିତି କେଜାଣି ପେସେଣ୍ଟ ଏତେ ସମୟ ଯାଏଁ ବଞ୍ଚି ଯାଇଛି ସେଇଟା ବଡ କଥା।ହଠାତ ଫର୍ମ ସାଇନ କରୁ କରୁ ନଜର ରହିଗଲା,ଫର୍ମରେ ଲେଖାଥିବା ନାଁ ଟା ଉପରେ।ବର୍ଷା ବୈଶାଳୀ ମିଶ୍ର।ଯୋଉ ନାଁ ଟା କୁ ସେ ଛାତି ଭିତରେ ଲୁଚେଇ ରଖିଥିଲେ ଏତେ ବର୍ଷ ହବ,ହଠାତ ସେ ନାଁ ଦେଖି ଚିତ୍କାର କରିଉଠିଲେ ।କ'ଣ ହେଲା ବୋଲି ପଚାରିଲେ ପାଖରେ ଥିବା ଡକ୍ଟର ଜେନା।କିଛି ନାହିଁ କହି ଆଉ ଥରେ ଦୌଡ଼ିଲେ ଆଇସିୟୁ କୁ।

  

      ଇଏ କ'ଣ ସେହି ବର୍ଷା, ଯାହାକୁ ଦୀର୍ଘ କୋଡ଼ିଏ ବର୍ଷ ହେବ ଭୁଲିବାକୁ ଚେଷ୍ଟା କରିବି ଭୁଲି ପାରିନଥିଲେ ରାଜୀବ।ଦେଖୁଥିଲେ ଝାଉଁଳି ପଡିଥିବା ସେ ଚେହେରାକୁ। ମୁଣ୍ଡଟା ଫାଟି ଯାଇଛି।ରକ୍ତସ୍ରାବ ବନ୍ଦ ହେଉନି।କ'ଣ କରିବେ କିଛି ବୁଝିପାରୁନଥିଲେ।ଅପରେସନ ଆରମ୍ଭ ହେବ ଆଉ କିଛି ସମୟ ପରେ।କାହିଁକି କେଜାଣି ହାତ ଥରି ଉଠୁଥିଲା ରାଜୀବର।କ୍ୟାରିଅର ଭିତରେ ଅନେକ କେଶ ହ୍ୟାଣ୍ଡେଲ କରିଛି।କେବେତ ସେ ଏମିତି ଅସ୍ଥିର ହେଇନି।କେବେ ବି ତା ହାତ ଥରିନି।ଫୋରସେଫ କୁ ଧରିଲା ବେଳେ ମୁଣ୍ଡ ଟା କେମିତି ଗୋଟେ ଘୁରେଇ ଦଉଥିଲା।ହୁଏତ ଅନ୍ୟମାନଙ୍କ ଟ୍ରିଟମେଣ୍ଟ କରିବା ଯେତିକି ସହଜ ସାଧ୍ୟ ନିଜର କେହି ଲୋକଙ୍କର କରିବା ସେତେଟା ସହଜ ନୁହେଁ।ସାଢ଼େ ତିନି ଘଣ୍ଟାର ଦୀର୍ଘ ଅସ୍ତ୍ରୋପଚାର ପରେ ବାହାରି ଆସୁଥିଲେ ଡ଼. ରାଜୀବ।କୋଉ ଗୋଟେ ଚିନ୍ତା ଖାଇଯାଉଥିଲା ତାଙ୍କୁ।ମନରେ ଦ୍ଵନ୍ଦ ଆଉ ଜଟିଳ ପ୍ରଶ୍ନର ସମାହାର।ଫର୍ମ ଖୋଲି ଠିକଣା ଆଉ ଥରେ ଚେକ କଲେ।ଘର ବ୍ରହ୍ମପୁର।କାହାକୁ ପଚାରିବେ।ସାଙ୍ଗରେ ଆସିଥିବା ଲୋକ ଜଣେ ଦୂର ସମ୍ପର୍କୀୟ।ପଚାରିବେ କି ନାହିଁ ବୋଲି ଭାବୁ ଭାବୁ ସେପଟୁ ସମ୍ପର୍କୀୟ ଜଣଙ୍କ ପଚାରିଲେ ଡକ୍ଟର ବାବୁ,ତା ଅବସ୍ଥା କେମିତି ଅଛି..?


ରାଜୀବ:-ଏବେ କହିବା ସମ୍ଭବପର ନୁହେଁ..ଇଂଜୁରୀ ବହୁତ ସିରିଅସ।ପେସେଣ୍ଟର ସେନ୍ସ ଫେରିଲେ ଯାହା ଜଣାପଡିବ।ହୁଏତ ୪୮ ରୁ ୭୨ ଘଣ୍ଟା ଲାଗିପାରେ ସେନ୍ସ ଆସିବାକୁ।ନ ହେଲେ କୋମା କୁ ଚାଲିଯାଇପାରେ ପେସେଣ୍ଟ।ଆଛା ଆପଣ ତାଙ୍କର କଣ ହେବେ..?


ସମ୍ପର୍କୀୟ-ମାମୁଁ ହେବି ଆଜ୍ଞା।


ରାଜୀବ-ଆଛା ତାଙ୍କର କଣ ଆଉ କେହି ଆସିନାହାନ୍ତି ନା କଣ..??ମାନେ ବାପା କି ମା,ସ୍ୱା....


ସମ୍ପର୍କୀୟ-କିଏ ଆଉ ଅଛି ଯେ ବିଚାରୀର।ବାପା ଆଉ ମା କେଵଠୁ ଚାଲିଗଲେଣି ଆରପାରିକୁ।ଭାଇ ତାର ବାହାର ଦେଶରେ ଅଛି ଯେ..ହେଲେ..


ରାଜୀବ:-ହେଲେ କଣ..!! 


ସମ୍ପର୍କୀୟ:-କଣ ହବ ବାବୁ..ଅଭିଆଡୀ ଝିଅଟାକୁ କିଏ ପାଖରେ ରଖିବ ଯେ..??


ରାଜୀବ:-ମାନେ ଆପଣଙ୍କ ଭାଣିଜୀ ଏଯାଏଁ ବାହା ହେଇନାହାନ୍ତି..??


ସମ୍ପର୍କୀୟ-:ନା ପରା ବାବୁ।ତା ବାପା ମା ବଞ୍ଚିଥିବା ବେଳେ ଅନେକ ବୁଝେଇଛନ୍ତି,ହେଲେ ସେ ମନା କରେ।ତାର ଗୋଟେ ଜିଦ,ସେ ବାହା ହବନି।ଗୋଟେ ହାଇସ୍କୁଲ ରେ ଶିକ୍ଷୟତ୍ରୀ ଅଛି ଆଜ୍ଞା।ସ୍କୁଲ ପାଖେ ଭଡା ନେଇ ରହେ ଏକା।ଆଜି ହଠାତ ବ୍ରହ୍ମପୁର ସରକାରୀ ଚିକିତ୍ସାଳୟ ରୁ କଲ ପାଇ ଧାଇଁ ଆସି ଦେଖିଲା ବେଳକୁ ତାର ଏ ଅବସ୍ଥା।କଲେଜ ଛକ ପାଖରେ ଆସୁ ଆସୁ ସାମ୍ନାରେ ଗାଡିଟିଏ ଧକ୍କା ଦେଇଥିଲା ତାକୁ।କିଛି ସ୍ଥାନୀୟ ଲୋକ ତାକୁ ହସ୍ପିଟାଲ ରେ ଆଡ଼ମିଟ କରି ମତେ ଫୋନ କରିଥିଲେ।


ରାଜୀବ:-ଠିକ ଅଛି,ବର୍ତ୍ତମାନ ତ ସକାଳ ହେଲାଣି,ଆପଣ ବାହାରକୁ ଯାଇ ଟିକେ ଖିଆ ପିଆ କରି ରେଷ୍ଟ କରନ୍ତୁ,ଏଠି ନର୍ସ ମାନେ ଅଛନ୍ତି,ତାଙ୍କ ଯତ୍ନ ନେବେ।


ସମ୍ପର୍କୀୟ:-ହେଲେ ଝିଅ....


ରାଜୀବ-ଦେଖନ୍ତୁ,ବର୍ତ୍ତମାନ ର ଅବସ୍ଥା କିଛି ବି କହିହବନି।ସବୁ ଭଗବାନଙ୍କ ଇଚ୍ଛା।ଆମେତ କେବଳ ମାଧ୍ୟମ।ସେନ୍ସ ଫେରିଲା ପରେ ଯାହା ହବ।


ଏତକ କହି ବାହାରି ଆସିଲେ ଆଉ ଥରେ ପେସେଣ୍ଟ ପାଖକୁ।ମୁଣ୍ଡ ସାରା ବ୍ୟାଣ୍ଡେଜ କପଡ଼ା।ବର୍ଷା ନାଁ ଟା ଶୁଣିବା ପରେ ମନ ଭିତରେ ଅଜଣା ଆଶଙ୍କା।ଇଏ ଯଦି ସେଇ ବର୍ଷା ହେଇଥାଏ ତେବେ..!!ନାଁ ନାଁ ଇଏ କାହିଁକି ସେଇ ବର୍ଷା ହବ।ମନ ଭିତରଟା ଗୋଳେଇ ଘାଣ୍ଟି ହେଉଥାଏ।ପେସେଣ୍ଟ ପ୍ରତି କେମିତି ଗୋଟେ ଆତ୍ମୀୟତା।ଆଜି ଯାଏଁ କାହା ପ୍ରତି ଏମିତି ମନୋଭାବ ସେ ଆପଣେଇ ନାହାନ୍ତି।ଅନେକ ଲୋକ ଆସନ୍ତି,ତାଙ୍କ ସାମ୍ନାରେ କାନ୍ଦନ୍ତି,ନିଜ ପ୍ରିୟଜନଙ୍କ ଜୀବନ ପାଇଁ।ଅନେକାଂଶରେ ତାଙ୍କ ଟ୍ରିଟମେଣ୍ଟ ସଫଳ ହେଇଛି ଆଜି ଯାଏଁ।ହେଲେ ଏ କେଶ ଟା ସମ୍ପୂର୍ଣ ଅଲଗା।ଭଗବାନଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡିଲେ।କେବେ କାହା ପାଇଁ ଠାକୁରଙ୍କୁ ଡାକିନାହାନ୍ତି।ହେଲେ ଆଜି...


 ନର୍ସ-ସାର ଗୋଟେ କଥା ପଚାରିବି..??


ରାଜୀବ-(ନର୍ସର ଡାକରେ ପ୍ରକୃତିସ୍ଥ ହେଇ)ହଁ କୁହ..


ନର୍ସ-ଇଏ ପେସେଣ୍ଟ ଜଣଙ୍କ କଣ ଆପଣଙ୍କର କେହି ସମ୍ପର୍କୀୟ..??ଆସିଲାବେଳୁ ଦେଖୁଚି ଆପଣ ଭାରି ଅନ୍ୟମନସ୍କ ଜଣାପଡୁଛନ୍ତି।ଆଗରୁ କେବେ ଦେଖିନି ତ..ସେଥିପାଇଁ।।


ରାଜୀବ-ନା ନା ସେମିତି କିଛି ନାହିଁ।


ମନେ ମନେ ଚିନ୍ତା କରୁଥିଲେ ରାଜୀବ।ତାଙ୍କ ସବୁ ପ୍ରଶ୍ନର ଉତ୍ତର ପାଇଁ ପେସେଣ୍ଟ ର ହୋସ ଆସିବା ନିହାତି ଦରକାର।ନ ହେଲେ ଦ୍ୱନ୍ଦ ଟା ସାରା ଜୀବନ ପାଇଁ ରହିଯିବ ତାଙ୍କ ପାଖରେ।ପ୍ରଥମରୁ ବର୍ଷା କୁ ନିଜ ମନ କଥା ନ କହିବାର ଦୁଃଖ କୁ ଚାପିଧରି ଅନେକ କଷ୍ଟରେ ବଞ୍ଚି ଆସିଛନ୍ତି ଆଉ ଏପଟେ ଏ ଅଜଣା ଝିଅଟିର ବର୍ଷା ସହ ସାମଞ୍ଜସ୍ୟ।ହୁଏତ ଏହା ସଂଯୋଗ ବି ହେଇପାରେ।କିନ୍ତୁ ମନ କହୁଛି ଇଏ ନିଶ୍ଚୟ ସେ ବର୍ଷା ହିଁ ହେଇଥିବ।ସେ ବର୍ଷାକୁ ଦେଖିନାହାନ୍ତି ସତ,ହେଲେ..ହେଲେ ପୁଣି କ'ଣ..


କ୍ୟାବିନ କୁ ଫେରି ଆସିଲେ ରାଜୀବ..



ଅପରେସନ କୁ ୪୮ ଘଣ୍ଟା ବିତିସାରିଲାଣି।ହୋସ ଆସିବାର କୌଣସି ଟି ସଂକେତ ପରିଲକ୍ଷିତ ହେଉନି।ଏଇ ଦୁଇ ଦିନ ହେବ ଡ଼.ରାଜୀବ ଘଡି କୁ ଘଡି ଆସି ଦେଖିଯାଉଛନ୍ତି ପେସେଣ୍ଟ କୁ।କେମିତି ଗୋଟେ ମମତା ଜନ୍ମି ଉଠିଛି ସେ ପେସେଣ୍ଟ ପାଇଁ।ହୁଏତ ବର୍ଷା ବୋଲି ଭାବି ଏତେ ସବୁ ଯନ୍ତ୍ରବତ କରୁଛନ୍ତି ରାଜୀବ।ଆଉ ୨୪ ଘଣ୍ଟା ଭିତରେ ହୋସ ନ ଆସିଲେ ସବୁଦିନ ପାଇଁ କୋମା କୁ ଚାଲିଯାଇପାରନ୍ତି ବର୍ଷା।ସବୁ ପ୍ରକାର ବ୍ୟବସ୍ଥାରେ ଲାଗିପଡିଛନ୍ତି ରାଜୀବ ନିଜ ସାଧ୍ୟମତେ।ପେସେଣ୍ଟର ବଞ୍ଚିବା ଯେମିତି ତାଙ୍କ ପାଇଁ ନିହାତି ଅପରିହାର୍ଯ୍ୟ।

ବେଳେ ବେଳେ ସେ ପେସେଣ୍ଟ ପାଖରେ ଘଣ୍ଟା ଘଣ୍ଟା ଧରି ବସି ମନକୁ ମନ କଣ ସବୁ ଗପିଚାଲିଛନ୍ତି ରାଜୀବ।ହସ୍ପିଟାଲ ର କର୍ମଚାରୀ ମାନେ ଆଶ୍ଚର୍ଯ୍ୟ।ଆଗରୁ କେବେ ରାଜୀବଙ୍କୁ କାହା ପାଇଁ ଏତେ ସହନଭୁତି କିମ୍ବା ସମ୍ବେଦନଶୀଳ ହେବାର ଦେଖିନାହାନ୍ତି ସେମାନେ।ହେଲେ ହଠାତ ଏ କେଶରେ ଏଭଳି ପରିବର୍ତ୍ତନ।



      ଭୋର ସମୟ ହବ।କାହା ହାତର ଛୁଆଁରେ ନିଦ ଭାଙ୍ଗିଗଲା ରାଜୀବର।ବର୍ଷାଙ୍କ ବେଡ଼ ପାଖେ ବସୁ ବସୁ କେତେବେଳେ ସେଇଠି ହିଁ ଘୁମେଇ ପଡିଛନ୍ତି ସେ।ଆଖି ଖୋଲି ଦେଖିଲାବେଳକୁ ବର୍ଷା ଜାବୁଡି ଧରିଛନ୍ତି ରାଜୀବର ହାତକୁ।ଆଖି ଖୋଲି ପାରୁନାହାନ୍ତି।କୋଟିନିଧି ପାଇଗଲା ପରି ଚିତ୍କାର କରିଉଠୁ ଉଠୁ ନିଜକୁ ସମ୍ଭାଳି ନେଲେ।ଅନେକ କେଶରେ ସେ ସଫଳ ହେଇଛନ୍ତି।କେବେ ଏତେ ଖୁସି ଅନୁଭବ କରିନାହାନ୍ତି।କିନ୍ତୁ ଆଜି ବୋଧେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଦିନ।ସଙ୍ଗେ ସଙ୍ଗେ ଫୋନ କଲେ ତାଙ୍କ ସମ୍ପର୍କୀୟ ମାମୁଁଙ୍କୁ, ଯାହାଙ୍କ ନଂ ସେ ଫର୍ମରୁ ଟିପି ରଖିଥିଲେ।ଆଉ ହୋସ ଆସିବା କଥା ଜଣେଇଲେ।



ରାଜୀବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ନର୍ସ ମାନଙ୍କ ସେବା ଶୁଶ୍ରୁଷା ରେ ଧୀରେ ଧୀରେ ଭଲ ହେଇ ଆସୁଥିଲେ ବର୍ଷା।ଏପର୍ଯ୍ୟନ୍ତ ଠିକ ସେ କଥାବାର୍ତା କିନ୍ତୁ କରିପାରୁନଥିଲେ।ଯୋଉଦିନଠୁ ବର୍ଷା ହୋସକୁ ଆସିଲେଣି ସେବେଠୁ ରାଜୀବ ଆଉ ଯାଉନାହାଁନ୍ତି ବର୍ଷା ଆଡ଼ମିଟ ହେଇଥିବା କ୍ୟାବିନ କୁ କାଳେ ସେ ଯଦି ତାଙ୍କର ସେଇ ବର୍ଷା ହେଇଥାଏ, ତେବେ ସେ କେମିତି ସାମ୍ନା କରିବେ ନିଜକୁ।ମନରେ ଏବେ ମାତ୍ର ଗୋଟିଏ ଇଚ୍ଛା, କେମିତି ସେ ଶୀଘ୍ର ଭଲ ହେଇ ଘରକୁ ଫେରିଯାନ୍ତୁ।ରାଜୀବ ଚାହୁଁ ନଥିଲେ ସେ ପୁରୁଣା ଅତୀତ ପୁଣି ଥରେ ତାଙ୍କ ବର୍ତ୍ତମାନ ଭିତରେ ଧସେଇ ପଶିଆସୁ ବୋଲି।ଏମିତି ତ ଅନେକ ଦିନ ଏକା ଏକା କାଟି ସାରିଲେଣି।ବର୍ଷା ଙ୍କ ସାମ୍ନାରେ ନିଜକୁ ଛିଡା କରି ମୁଁହ ଦେଖେଇବାର ଯୋଗ୍ୟତା ବି ସେ ହରେଇ ବସିଛନ୍ତି ବୋଲି ଭାବି ସାରିଥିଲେ।


ସେଦିନ ଥାଏ ବର୍ଷାଙ୍କ ଡିସଚାର୍ଜ ହବାର ଦିନ।ପାଖାପାଖି ମାସେ ଭିତରେ ଅନେକାଂଶରେ ଭଲ ହେଇ ଆସିଛନ୍ତି।ଡିସଚାର୍ଜ ହଵା ଦିନ ନର୍ସ ଜଣଙ୍କ କହୁଥାନ୍ତି, ଯାହା କୁହନ୍ତୁ ମ୍ୟାଡାମ,କୋଉ ଜନ୍ମରେ କି ପୁଣ୍ୟ କରିଥିଲେ,ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ ଆପଣ ନ ହେଲେ ଯୋଉ ଭଳି ଅବସ୍ଥାରେ ଆପଣ ଏଠିକି ଆସିଥିଲେ...ଆଉ ଆମ ଡାକ୍ତର ସାର, ଯୋଉଭଳି ଭାବେ ଆପଣଙ୍କ ଦେଖା ଶୁଣା କରୁଥିଲେ,ସତେ ଯେମିତି ଆପଣ ତାଙ୍କର କେହି ଅତି ନିଜର।ଏତେ ବଡ଼ ଡକ୍ଟର ହେଇବି ଅଜଣା ଲୋକଙ୍କ ଏତେ ସେବା..ଆଜି କାଲି ନିଜ ଲୋକ ବି ଏତେ କରୁନାହାନ୍ତି।


ବର୍ଷା:-ହସ୍ପିଟାଲ ଛାଡିବା ପୂର୍ବରୁ ମୋ ଜୀବନ ବଞ୍ଚେଇଥିବା ସେ ଭଗବାନଙ୍କୁ ମୁଁ ଥରେ ଦେଖା କରିବାକୁ ଚାହେଁ।


ନର୍ସ:-ହେଲେ ରାଜୀବ ସାର ତ ଆଜି ଆସିନାହାନ୍ତି।କାଲି ଆପଣଙ୍କ ଡିସଚାର୍ଜ ପେପର ସାଇନ କଲା ବେଳେ ବାରମ୍ବାର କହୁଥିଲେ ଯେ ଆପଣଙ୍କୁ ଭଲ ଭାବେ ଚେକ ଅପ କରି ଛାଡିବାକୁ।


ହଠାତ ରାଜୀବ ନାଁ ଟା ଶୁଣି ଚମକି ଉଠିଲା ବର୍ଷା..


ବର୍ଷା:-ଆଛା ତାଙ୍କ ପୁରା ନାଁ ଟା କହିପାରିବେକି..??


ନର୍ସ-ଡକ୍ଟର ରାଜୀବ ଲୋଚନ ପାଢ଼ୀ।।


ସତେ ଯେମିତି ଗୋଟେ ଭୂମିକମ୍ପ ହେଲା ପରି ଲାଗିଲା ବର୍ଷାକୁ।ଲାଗୁଥିଲା ତା ପାଦତଳେ ମାଟି ଗୁଡା ଯେମିତି ଭାସମାନ ଅବସ୍ଥାରେ।ତା ହେଲେ ଏତେ ଦିନ ଧରି ଯିଏ ତାର ଦେଖା ଶୁଣା କରୁଥିଲେ ସେ କଣ ସେଇ ରାଜୀବ।ସେ ଆଉ ତାକୁ ଜାଣି ଦେଇନାହାନ୍ତି ତ...ହେଲେ କେମିତି ଜାଣିବେ..??ସେ ତ ତାକୁ କେବେ ଦେଖିନାହାନ୍ତି।ଆଉ ତା ଛଡା ସେ ତ ମତେ କେବେଠୁ ଭୁଲି ସାରିଥିବେ।ନା ନା ବୋଧହୁଏ ଏଇଟା ମୋର ଭ୍ରମ।ଯଦି ବି ଇଏ ସେଇ ରାଜୀବ ହେଇଥାନ୍ତି ତେବେ ତାଙ୍କୁ ଦେଖା କରିବାଟା ମୋର ଠିକ ହବନି।ଆଉ ଥରେ ସେ ମୋର ଦେଖା ହେଲେ ମୁଁ ବୋଧେ ନିଜକୁ ସମ୍ଭାଳି ପାରିବିନି।ସେ ବରଂ ନ ଆସିଛନ୍ତି ଭଲ ହେଇଛି।


ବର୍ଷା-ଆଛା ସେ କିଛି କହୁଥିଲେ କି ମୋ ବିଷୟରେ..ମାନେ ମୋ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ..


ନର୍ସ-କୁହନ୍ତୁନି ମ୍ୟାମ।ମୁଁ ଏଠି ତିନି ବର୍ଷ ହେଲା ଅଛି।ସାରଙ୍କୁ ଅନେକ ଅପରେସନ କରିବାର ଦେଖିଛି।କିନ୍ତୁ କେବେ କୌଣସି ପେସେଣ୍ଟ ପ୍ରତି ଏତେ ଆତ୍ମୀୟତା ଭାବ କେବେ ମୁଁ ଦେଖିନି ତାଙ୍କ ପାଖେ।ଜାଣିଛନ୍ତି ମ୍ୟାମ ଥରେ ଆପଣଙ୍କ ଇଞ୍ଜେକ୍ସନ ନବାର ଟାଇମ ୫ ମିନିଟ ଲେଟ ହବାରୁ କେତେ ଜୋର ରେ ରାଗିଗଲେ ସେ।ବେଳେ ବେଳେ ସେ ଆପଣଙ୍କ ବେଡ଼ ପାଖେ ବସି ଥାନ୍ତି ଡେରି ରାତି ଯାଏଁ।ଥରେ ମୁଁହ ଖୋଲି ବି ପଚାରିଲି।ହେଲେ ସେ ସେମିତି କିଛି ନାହିଁ ବୋଲି କହିଲେ।


ଆଛା ମ୍ୟାମ ଆପଣ ତାଙ୍କୁ ଜାଣିଛନ୍ତି କି..??


ବର୍ଷା-:ହଁ... ମାନେ ନାହିଁ ମୁଁ ଅବଶ୍ୟ ତାଙ୍କୁ ଜାଣିନି।କିନ୍ତୁ କେମିତି ଗୋଟେ ଜାଣିବା ପରି ମନେ ହେଲା।ଆଛା ସେ କଣ ଏଇଠି ରୁହନ୍ତି ଫ୍ୟାମିଲି ସହ..??


ନର୍ସ-ଫ୍ୟାମିଲି କହିଲେ ସାର ଙ୍କର ବୋଧେ କେହି ନାହାନ୍ତି ନା କ'ଣ...ଯେତିକି ଶୁଣିଛି ସାର ଏକା ରୁହନ୍ତି ବୋଧହୁଏ।


ବର୍ଷା-:ସ୍ତ୍ରୀ.. ପିଲାପିଲି..


ନର୍ସ:-କି କଥା କହୁଛନ୍ତି ମ୍ୟାମ।ସାର ତ ଏଯାଏଁ ବାହା ହେଇନାହାନ୍ତି।ଆଉ ପିଲା ଛୁଆ କୋଉଠୁ ଆସିବେ।


ବର୍ଷା-ଆଛା ତାଙ୍କର କିଛି ଫୋଟୋ ଅଛି କି ତୁମ ପାଖେ..


ନର୍ସ-ମୋ ପାଖରେ ତ ନାହିଁ,ହେଲେ ତାଙ୍କ କ୍ୟାବିନରେ ଥିବ।ସାରଙ୍କର ବ୍ୟାଚର ଗ୍ରୁପ ଫୋଟୋ ବୋଧହୁଏ।


ବର୍ଷା-ମତେ ଟିକେ ପ୍ଲିଜ଼ ନେଇଯିବ।


ନର୍ସ-ହେଲେ ମ୍ୟାମ..!!


ବର୍ଷା-ପ୍ଲିଜ଼ ପ୍ଲିଜ଼ ପ୍ଲିଜ଼.. ଏଇ ଛୋଟ ଅନୁରୋଧ ମୋର ରକ୍ଷା କର।


ନର୍ସ-ହଉ ଆସନ୍ତୁ ମ୍ୟାମ..


ଫୋଟୋଟି ଦେଖି ସାରିବା ପରେ ଆଖିରୁ ବୁନ୍ଦା ବୁନ୍ଦା ଲୁହ ଝରିପଡୁଥିଲା ବର୍ଷାଙ୍କର।ନର୍ସ ଜଣକ କିଛି ବୁଝିପାରୁନଥିଲେ।

ସଂଯୋଗବଶତଃ ସେତିକି ବେଳେ କ୍ୟାବିନର ଡୋର ପାଖେ ପହଞ୍ଚି ସାରିଥିଲେ ରାଜୀବ।ଦେଖୁଥିଲେ ବର୍ଷା କେମିତି ଛାତିରେ ଚାପି ଧରିଥିଲେ ସେ ଫୋଟୋଟିକୁ।ଆଖିକୁ ଵିଶ୍ଵାସ କରିପାରୁନଥିଲେ ଯେ ଇଏ ସେଇ ଝିଅ ବର୍ଷା ବୋଲି।ଫୋଟୋଟି ଟେବଲ ଉପରେ ଥୋଇ ପଛକୁ ବୁଲି ଦେଖନ୍ତି ତ ସାମ୍ନାରେ ରାଜୀବ।ବିଲକୁଲ ବଦଳି ନ ଥିଲେ ସେ।ବୟସର ଛାପ ଅବଶ୍ୟ କିଛିଟା ପଡିସାରିଥିଲା ସତ।ହେଲେ ବର୍ଷାଙ୍କୁ ଅସୁବିଧା ହେଇନଥିଲା ରାଜୀବ ଙ୍କୁ ଚିନ୍ହିବାରେ।ଦୁଇ ଜଣଙ୍କ ଆଖିରୁ ଗଡୁଥିଲା ଲୁହର ଧାର।ଦୁହେଁ ପଢିପାରୁଥିଲେ ଦୁଇଜଣଙ୍କ ଆଖିର କଥା।ଆଉ ନିଜକୁ ଅଟକେଇ ପାରିଲେନି ରାଜୀବ।ବର୍ଷାଙ୍କୁ ନିଜ ଚେୟାର ଉପରେ ବସେଇ ଦେଇ ତାଙ୍କ ସାମ୍ନାରେ ଆଣ୍ଠେଇ ପଡ଼ି ଛୋଟ ଛୁଆଙ୍କ ଭଳି କାନ୍ଦିବାକୁ ଲାଗିଲେ।କହି ଚାଲୁଥିଲେ ସବୁ କଥା ଅତୀତର ଗୋଟେ ଗୋଟେ କରି।ରାଜୀବଙ୍କ ଆଖିରୁ ଲୁହ ପୋଛିଦେଇ ଜାବୁଡି ଧରିଲେ ବର୍ଷା ତାଙ୍କୁ।ସାମ୍ନାରେ ଛିଡା ହେଇଥିବା ନର୍ସର ଆଖି ବି ସେତେବେଳେକୁ ଲୁହରେ ଭିଜି ସାରିଥାଏ।ଦୁଇଜଣଙ୍କ ମିଳନରେ ପ୍ରତିପାଦିତ ହେଉଥିଲା ପ୍ରେମର ସାର୍ଥକତା।







        


          


Rate this content
Log in

Similar oriya story from Romance