BiswaRanjan Sahoo

Romance

4.0  

BiswaRanjan Sahoo

Romance

ବେଳାଭୂମି

ବେଳାଭୂମି

12 mins
263


         ବେଳାଭୂମି...ହଁ ,ଏଇ ବେଳାଭୂମିରେ କେତେ ଯେ ଅସଂଖ୍ୟ ସ୍ମୃତି ମୁଁ ସାଉଁଟିଛି,ଆଉ ସେ ସ୍ମୃତି ସବୁକୁ ସାଇତିଛି ହୃଦୟର ଶାମୁକା ଭିତରେ।କେଜାଣି କାହିଁକି ଭାରି ଇଚ୍ଛା ହୁଏ ସେ ମୁହୂର୍ତ୍ତ ସବୁକୁ ଆଉ ଥରେ ଜୀଇଁବା ପାଇଁ,ଆଉ ଥରେ ପଛକୁ ଫେରିଯିବା ପାଇଁ,ଆଉ ଥରେ ମନ ଭରି ଉପଭୋଗ କରିବା ପାଇଁ।ଏଇ ବେଳାଭୂମିରେ ତ ପ୍ରଥମ ଥର ପାଇଁ ହଜେଇଥିଲି ମୋ ହୃଦୟ ମୋ ମନର ମାନସୀ ଉର୍ମି ପାଖେ।


        ଉର୍ମି....ସମୁଦ୍ରଠାରୁ ବି ଆହୁରି ଗଭୀରତା ଯେମିତି ଭରିରହିଥିଲା ତା ଆଖିରେ।ତାର ସେ ରକ୍ତିମ ଗୋଲାପୀ ଓଠ ଦେଇ ଭାସି ଆସୁଥିବା ହସରେ ଯେମିତି ଥିଲା ଲକ୍ଷେ ମୁକ୍ତା ର ସମାହାର।ତା ଆଖିର ପଲକ ଯେତେଥର ପଡୁଥିଲା ମୁଁ ନିଜକୁ ସେତେଥର ତା ପାଖରେ ହଜେଇଦଉଥିଲି।ପ୍ରଗଳ୍ଭ ପଲଟିଯାଇଥିଲି ତାର ସେ ସରଳତା ପାଖରେ।


        ସେତେବେଳେ ପୁରୀରେ ହଉଥିବା ଗ୍ଲୋରୀ ଫେଷ୍ଟ ପାଇଁ ମୁଁ ଆଉ ଆମର ତେର ଜଣ ପିଲା ମନୋନୀତ ହୋଇଥାଉ ଆମ କଲେଜ ତରଫରୁ।ଅବଶ୍ୟ ଗ୍ଲୋରୀ ଯିବା ମୋ ପାଇଁ କିଛି ନୂଆ କଥା ନଥିଲା।ନୂଆ କଥା ଏଇଟା ଥିଲା ଯେ ମୋର ଶେଷ ବର୍ଷ ଥିବାରୁ ଗ୍ଲୋରୀ କୁ ଯିବା ବୋଧ ହୁଏ ଶେଷଥର ଥିଲା।ସେଥିପାଇଁ ଯେତିକି ଉତ୍କଣ୍ଠା ଥିଲା ସେତିକି ମନ ବି ଦୁଃଖ ହଉଥାଏ,ଯେ ତା ପରବର୍ଷ ଆମେ ସବୁ କୋଉଠି ଥିବୁ।ସବୁଥର ଠାରୁ ଏଥର ଗ୍ଲୋରୀ ଫେଷ୍ଟର ଅବଧି କୁ ବି ଅଧିକ ବଢ଼େଇ ଦିଆଯାଇଥାଏ,ଯେହେତୁ ଏ ବର୍ଷ ୨୫ ଟି ବସନ୍ତ ଅତିକ୍ରମ କରିସାରିଥାଏ ପୁରୀ ବେଳାଭୂମି ମହୋତ୍ସବ ବା ଗ୍ଲୋରୀ ଫେଷ୍ଟ।ଆଉ ରୌପ୍ୟ ଜୟନ୍ତୀ ପାଳନ ପାଇଁ ଅଧିକ କିଛି ଇଭେଣ୍ଟ ବି ଥାଏ।


          ଆମେମାନେ ଠିକ ସମୟରେ ଯାଇଁ ପୁରୀରେ ପହଞ୍ଚିଗଲୁ।ସେତେବେଳକୁ ରାତି ପ୍ରାୟ ନ' ଟା ବାଜି ଥାଏ।ଆରଦିନ କମ୍ପେଟିସନ ଆରମ୍ଭ ହେବାର ଥାଏ।ଅଧଘଣ୍ଟା ଭିତରେ ରୁମ ବି ମିଳିଗଲା।ଟ୍ରେନ ଯାତ୍ରା ଯୋଗୁଁ ଭାରି ଥକ୍କା ଲାଗୁଥାଏ।ରୁମ କୁ ଯାଇ ଫ୍ରେସ ହେଇ ସିଧା ଶୋଇପଡ଼ିଲି।ଅବଶ୍ୟ ସାଙ୍ଗମାନେ ସମୁଦ୍ର ବେଳାଭୂମି କୁ ଯିବା ପାଇଁ ବାଧ୍ୟ କରୁଥିଲେ ,କିନ୍ତୁ ମୁଁ ମନା କରିଦେଲି।ଆମ ରୁମ ବେଳାଭୂମି ଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ଥାଏ।ଭାବିଲି କାଲି ସଂଧ୍ୟାବେଳକୁ ଯାଇ ବୁଲି ଆସିଲେ ହବ।


         ଏମିତି ଭାବୁ ଭାବୁ କେତେବେଳେ ଯେ ମତେ ନିଦ ହେଇଯାଇଥିଲା ଜାଣିନି।ଆରଦିନ ସନ୍ଧ୍ୟାରେ ମୋର ଡିବେଟ କମ୍ପେଟିସନ ଥାଏ।ଭାବିଲି ତା ପୂର୍ବରୁ ମାନେ ଚାରିଟା ବେଳକୁ ଯାଇ ବେଳାଭୂମି ଆଡେ ବୁଲିଆସିବି।ଆମ ଗ୍ରୁପ ପିଲା ମାନେ ସମସ୍ତେ ଆଗାମୀ କମ୍ପେଟିସନ ପାଇଁ ପ୍ରସ୍ତୁତ ହୋଉଥାନ୍ତି,ଠିକ ସେତିକି ବେଳେ ମୁଁ ବାହାରି ପଡ଼ିଲି ବେଳାଭୂମି ଆଡେ।ସାଙ୍ଗମାନଙ୍କ ଅପେକ୍ଷା ମତେ ଏକା ଏକା ପ୍ରାୟ ବୁଲିବାକୁ ଭାରି ଭଲ ଲାଗେ।ନିଜ ଇଚ୍ଛା ମୁତାବକ ବୁଲିବ,ଯୋଉଠି ଇଚ୍ଛା ହବ,ଯେତେବେଳେ ଇଚ୍ଛା ହବ ଫେରିଆସିବ ନ ହେଲେ ମନ ଭରି ଉପଭୋଗ କରିବ ଜାଗାଟିକୁ।ବେଳାଭୂମି ର ସେ ଥଣ୍ଡା ଥଣ୍ଡା ପବନରେ ଶୀତେଇ ଯାଉଥାଏ ଦେହ,ଅବଶ୍ୟ ଦେହରେ ଜ୍ୟାକେଟ ଟା ଥାଏ।ପାଖ ଦୋକାନୀ ପାଖରୁ ବାଦାମ ଭଜା କିଣି ନେଲି,ତାକୁ ପାଟିରେ ପକେଇ ପକେଇ ସମୁଦ୍ର କୂଳ ଆଡେ ଚାଲି ଚାଲି ଯାଉଥାଏ।


        ସତରେ କେତେ ମନୋରମ ଏ ସ୍ଥାନ।ବିଧାତାଙ୍କ ସୃଷ୍ଟି ସତରେ କେତେ ଅନନ୍ୟ।ସବୁ କିଛି କୁ ଯେମିତି ସେ ଠିକ ଜାଗାରେ ଖଞ୍ଜି ଦେଇଛନ୍ତି ଗୋଟିକ ପରେ ଗୋଟିଏ।ଏତେ ସୁନ୍ଦର ଢେଉ,ଉତ୍ତାଳ ତରଙ୍ଗ ମାଳା, ତା ସାଙ୍ଗକୁ ବେଳାଭୂମି ର ପ୍ରଶସ୍ତ ବକ୍ଷରେ ଲହଡ଼ି ର ଉନ୍ମାଦ।ଇଚ୍ଛା ହଉଥାଏ ଆଜିର ସନ୍ଧ୍ୟା ଏଠି ଏମିତି ବିତି ଯାଆନ୍ତା କି..!!ହଠାତ ଫୋନର ରିଂ ହେବାରୁ ମୁଁ ଭାବନା ରାଜ୍ୟରୁ ଫେରିଆସିଲି।ଦେଖେ ତ ଆମ ଗ୍ରୁପ ଲିଡର ଶୁଭମ ଭାଇଙ୍କ ଫୋନ।ଆରେ ଶେଖର କୋଉଠି ଅଛୁ ତୁ।ଜାଣିଛୁ ଆଉ ଗୋଟେ ଘଣ୍ଟା ପରେ ତୋ କମ୍ପେଟିସନ ଆରମ୍ଭ ହବ।ବିଷୟ ବି ଦିଆ ସରିଲାଣି।ତତେ ହ୍ଵାଟ୍ସଆପ କରିଦେଇଛି ଫୋଟୋ ଟା।ଦେଖିନେ ଆଉ ଯୋଉଠି ବି ଅଛୁ ଦୁଇ ନଂ ଅଡିଟୋରିଅମ କୁ ପଳେଇ ଆସେ।ହଉ କହି ଫୋନ ରଖିଲି।ଫେରିବାକୁ ଆରମ୍ଭ କରେ ତ ଦେଖିଲି ଚାଲୁ ଚାଲୁ ବେଶି କିଛି ବାଟ ଆସିଯାଇଛି।ଯାହା ବି ହେଲେ ଜଲ୍ଦି ଜଲ୍ଦି ଯିବା ପାଇଁ ପଡିବ।


         ତର ତର ହେଇ ଫୋନ ଦେଖି ଆସୁ ଆସୁ ଅନ୍ୟମନସ୍କରେ ବାଡେଇ ହେଇ ଗଲି ଗୋଟେ ଝିଅ ସହ।ମୁଁ ଫୋନରେ ଅନ୍ୟମନସ୍କ ଆଉ ସେ ସମୁଦ୍ର ଲହରୀ ଆସି ତାକୁ ଭିଜେଇ ନ ଦଉ ବୋଲି ଆଗକୁ ଅନ୍ୟମନସ୍କ ହେଇ ଦୌଡୁ ଥିବାରୁ ଏପରି ଘଟଣା ଘଟିଲା ବୋଲି ଜାଣିବାକୁ ମତେ ବେଶି ସମୟ ଲାଗିଲାନି।ଆଉ ଦୁଇ ଜଣଙ୍କ ଅନ୍ୟମନସ୍କ ର ସୁଯୋଗ ନେଇ ଅମାନିଆ ଢେଉ ଆମ ଦୁହିଁଙ୍କୁ କେତେବେଳୁ ଓଦା କରିସାରିଲାଣି।କିନ୍ତୁ......ମୁଁ ସେମିତି ଅପଲକ ନୟନରେ ଚାହିଁ ରହିଥାଏ ସେ ଝିଅର ଆଖି ଦୁଇଟିକୁ।ଇସ କି କଥା କୁହା ସେ ଆଖିଯୋଡିକ।ମୁଁ ହଜିଗଲି ସେ ଆଖି ଭିତରେ ଅନନ୍ତ କାଳ ପାଇଁ,ଯୁଗ ଯୁଗ ପାଇଁ।ସେ ଉଠିପଡ଼ି ସରି ସରି କହିଲା ବେଳକୁ ମୋ ଧ୍ୟାନ ଭଙ୍ଗ ହେଲା।ମୁଁ ଠିକ ସେମିତି ଚାହିଁ ରହିଥାଏ ସେ ଝିଅକୁ।କେତେ କ୍ଷଣ ପାଇଁ ଜାଣେନା।ତଳୁ ଉଠି ଝାଡ଼ି ଝୁଡ଼ି ହୋଇ ଖୋଜିଲାବେଳକୁ ବେଳାଭୂମିର ସେ ଭିଡ ଭିତରେ ହଜି ସାରିଥାଏ।ଖୋଜିବାକୁ ଚେଷ୍ଟା କଲି,କିନ୍ତୁ କେତେ ସମୟ ଅବା ଖୋଜିବି।ସେପଟେ କମ୍ପେଟିସନ।ଏପଟେ....ଯେମିତି ମୁଁ ପାଇଯାଇଥିଲି ଅନନ୍ତ କାଳରୁ ଅପେକ୍ଷାରତ ମୋ ହୃଦୟର ନାୟିକା କୁ।ଯେମିତି ମୋର ସବୁ କିଛି ତା'ର ହେଇଯାଉଥିଲା।ପ୍ରଥମ ଦେଖାରେ ତାର ସେ ଆଖି ,ତାର ସେ ଦୁଇପଦ ସରି ଯେମିତି ମତେ ବାଧ୍ୟ କରୁଥିଲା ତାକୁ ଭଲ ପାଇବାକୁ।କାହା ବିଷୟରେ କିଛି ନଜାଣି,କିଛି ନ ଭାବି ଏମିତି ଗୋଟେ ନିଷ୍ପତ୍ତି କାହିଁକି ଯେ ମୋ ମନ ନେଇଗଲା ମୁଁ ଜାଣିବି ପାରିଲିନି।ଲାଗୁଥିଲା ଯେମିତି ଜନ୍ମ ଜନ୍ମର ସମ୍ପର୍କ ଆମର।ସ୍ଥାଣୁ ପାଲଟି ସାରିଥିଲି।ପୁଣି ଫୋନ ରିଙ୍ଗ ହେଇ ଉଠିଲା।ଚମକି ପଡିଲି ମୁଁ।ହଁ ଯାଉଛି କହି ଫୋନ କାଟି ସିଧା ଧାଇଁଲି ଅଡିଟୋରିଅମ କୁ।


        ମନରେ କେମିତି ଗୋଟେ ଉନ୍ମାଦନା ଭରି ଯାଉଥାଏ।ଯେମିତି ଲାଗୁଥାଏ ମୁଁ ଆଉ ମାଟିରେ ନାହିଁ,ଆକାଶରେ ଉଡୁଥାଏ।କେମିତି କଣ ଡିବେଟ ଦେବି ଯେ।ତଥାପି ଯାହା ଆସିଲା ଅନର୍ଗଳ କହିଦେଲି।ତାପରେ ପୁଣି ସିଧା ଦୌଡ଼ିଲି ସେଇ ସମୁଦ୍ର କୂଳକୁ।କାଳେ ତା ସହ ପୁଣି ଦେଖା ହେଇଯିବାର ସମ୍ଭାବନା ନେଇ।କିନ୍ତୁ ଯଦି ଦେଖା ହେଇଯାଏ,କଣ ପଚାରିବି ତାକୁ..??ତା ନାଁ..??ତା ଠିକଣା..??ତା ମୋବାଇଲ ନଂ..??ହେଲେ ସେ ମତେ ଏସବୁ କଣ ପାଇଁ ଦବ ଯେ।ସେ ସବୁ କଥା ପରେ।ଆଗେ ତା ସହ ଦେଖା ହଉ।


        ରାତି 10ଟା ଯାଏଁ ବେଳାଭୂମି କୂଳରେ ପାଗଳ ପରି ଖୋଜି ବୁଲିଲି ତାକୁ,ହେଲେ ପାଇଲିନି।ପରାଜିତ ସୈନିକ ପରି ଘୋର ଆତ୍ମଗ୍ଲାନି ରେ ରୁମ କୁ ଆସିବାକୁ ବାଧ୍ୟ ହେଲି।ସେପଟେ ଆୟୋଜନ କରାଯାଇଥିବା ଖାଇବା,ପିଇବା ବି ସରିଯାଇଥାଏ।ବାହାରକୁ ଯାଇ ବିସ୍କୁଟ ପକେଟ ଆଣି ଖାଇଲି।ଆରେ ଏତେ ଲେଟ ଯାଏଁ କୋଉଠି ଥିଲୁ,ଶୁଭମ ଭାଇ ପଚାରିଲେ,ତୁ ଫୋନ ବି ଉଠାଉନୁ।କଣ ଆଉ କହିଥାନ୍ତି।କହିଲି ନା ଟିକେ ସମୁଦ୍ର କୂଳରେ ବୁଲୁଥିଲି ତ ଆଉ ଫୋନ ଟା ବି ସାଇଲେଣ୍ଟ ହେଇଯାଇଥିଲା,ଜାଣିପାରିଲିନି।ରାତିସାରା ସେମିତି ଶୋଇ ଶୋଇ ତା କଥା ଭାବୁଥାଏ।ତାର ସେ ମୁଁହ ବାରମ୍ବାର ମୋ ସାମ୍ନାକୁ ଆସିଯାଉଥାଏ।ଯେମିତି ସେମିତିରେ ରାତିଟା କଟିଗଲା।ସକାଳୁ ଉଠି ଭାବିଲି ନା ତା ବିଷୟରେ ବେଶି ଭାବିବାଟା ବୋଧ ହୁଏ ଠିକ ହେବନି।ଅଜଣା ଅଶୁଣା ଝିଅକୁ ଏତେ ବଡ ସହରରେ ପାଇବି କୋଉଠୁ।ସେଥିରେ ପୁଣି ସମୁଦ୍ର କୂଳରେ,ହୁଏତ ଅଲଗା କୋଉଠୁ ବୁଲି ଆସିଥାଇ ପାରେ।ଯଦି ଜଗନ୍ନାଥଙ୍କ ଇଚ୍ଛା ଥିବ, ତାହେଲେ ତା ସହ ନିଶ୍ଚୟ ଜୀବନରେ ଦେଖା ହବ।ଏମିତିରେ ବି ଆମକୁ ବି ତ ଏଠୁ ପୁଣି ଯିବାକୁ ହବ।ସକାଳ 10 ଟାରୁ ପୁଣି କମ୍ପେଟିସନ ସବୁ ଆରମ୍ଭ ହେଇ ଯାଇଥାଏ।ସେଠି ଯାଇ ଯୋଗ ଦେଲୁ।ସବୁ ସରିଲା ବେଳକୁ ସନ୍ଧ୍ୟା କୁ ଥାଏ ଗୀତ କମ୍ପେଟିସନ,ଆଉ ମୋ ସାଙ୍ଗ ପ୍ରତ୍ୟୁଷ ସେଥିରେ ଭାଗ ନେଇଥିବାରୁ ଆମ ଗ୍ରୁପ ପିଲା ଯାଇ ଗୋଟେ ଜାଗାରେ ସେ ଅଡିଟୋରିଅମରେ ବସିଲୁ।କିଛି ସମୟ ପରେ,ସାଙ୍ଗର ପାଳି ବି ଆସିଗଲା।ଭାବିଲି ଇଏ ଗୀତ ଗାଇଲା ପରେ,ବାହାରକୁ ଯିବାର ବାହାନା କରି,ଶେଷ ଥର ପାଇଁ ସମୁଦ୍ର କୁଳ ଆଡେ ବୁଲି ଆସିବି।ହୁଏତ ଦେଖା ମିଳିଯାଇପାରେ, ନ ହେଲେ ଆଉ ଜମା ସମୁଦ୍ର କୂଳକୁ ଯିବିନି।

ସାଙ୍ଗଟା ଯେମିତି ଗୀତ ଗାଇ ସାରିଛି, ସେମିତି ଅଡିଟୋରିଅମ ରୁ ବାହାରି ଆସିଲି,କିନ୍ତୁ ହଠାତ ତା ପରର ପ୍ରତିଯୋଗୀ ଯେତେବେଳେ ଗୀତ ଗାଇବା ଆରମ୍ଭ କଲେ,ମତେ ସ୍ୱରଟା ଭାରି ମଧୁର ଲାଗିଲା।ଭାରି ଶୁଣିଲା ଶୁଣିଲା ବି।ସ୍ପିକର ପାଖକୁ ଯାଇ ଶୁଣିଲି।ଭିତରକୁ ଆସି ଯାହା ଦେଖିଲି ମୋ ଆଶ୍ଚର୍ଯ୍ୟ ର ସୀମା ରହିଲାନି।ଲାଗୁଥିଲା ମୋ ପାଦ ତଳ ମାଟିଟା ଯେମିତି ଚାଲିବା ଆରମ୍ଭ କରିଛି।ମୋ ସ୍ପନ୍ଦନ ଯେମିତି ତୀବ୍ରତର ହେଇ ଯାଉଥାଏ।


      ହଁ ଇଏତ ସେଇ ଝିଅ ଯାହା ସହ କାଲି ମୁଁ ବେଳାଭୂମିରେ ଧକ୍କା ହେଇଯାଇଥିଲି।ଆଖିକୁ ଵିଶ୍ଵାସ ହେଉ ନଥାଏ,ଯାହାକୁ ମୁଁ ଏତେ ଖୋଜିଛି,ସିଏ ଏଠି..!!କେମିତି ଗୋଟେ ପୁଲକରେ ମୁଁ ପୁଲକିତ ହେଇ ଉଠୁଥାଏ।ସତେ ଯେମିତି ମୁଁ ସପ୍ତମ ସ୍ବର୍ଗରେ ପହଁଚିଯାଇଛି।ତାର ସେ ସୁନ୍ଦର ଆଖି ଯୋଡିକ ଉଜ୍ଜଳ ଆଲୋକରେ ଆହୁରି ସୁନ୍ଦର ଦେଖାଯାଉଥାଏ।ସତେ ଯେମିତି ହଜାରେ ଚନ୍ଦ୍ରର ଉପମା ଦେଇ ବିଧାତା ସୃଷ୍ଟି କରିଛି ସେ ଲଳନା କୁ।ଲାଗୁଥାଏ ଯେମିତି ଆକାଶର ଚାନ୍ଦ ମୋ ହାତମୁଠାରେ ଆସି ଧରା ଦେଇଛି।କାହିଁକି ଯେ ମୁଁ ଏତେ ବିଭୋର ହେଇ ଉଠୁଥାଏ,ମୁଁ ଜାଣେନା।ମୃତ ବ୍ୟକ୍ତି କୁ ସଂଜୀବନି ପ୍ରାପ୍ତ ହେଲା ପରି,ମୋ ଜୀବନ ମରୁଭୂମିରେ କେହି ଜଣେ ଯେମିତି ଅବାରିତ ବାରିଧାରା ସମ ମତେ ପ୍ଲାବିତ କରିଦେଇଛି।କି ସୁନ୍ଦର ମୁହୂର୍ତ୍ତ ସେ।ତା କଣ୍ଠ ରୁ ଭାସି ଆସୁଥାଏ "ଶ୍ୟାମ ତେରେ ବଂଶୀ,ପୁକାରେ...." ଗୀତ।ଆଉ ଯେମିତି ମତେ ଲାଗୁଥିଲା ସେ ମତେ ଡାକୁଛି ତାର ସେ ମଧୁର ସ୍ୱରରେ।ଆଉ ମୋ ହୃଦୟର ତନ୍ତ୍ରୀ ସାତ ସୁର ମୂର୍ଚ୍ଛନାରେ ଗାଇ ଉଠୁଛି ତା ସହ ପ୍ରେମର ଗୀତ।ଇଚ୍ଛା ହେଉଥିଲା ସେହି ମୁହୂର୍ତ୍ତରେ ଷ୍ଟେଜ କୁ ସିଧା ଉଠିଯାଇ,କହିଦବା ପାଇଁ ମୋ ମନର କଥା ସବୁକୁ।ଜାବୁଡି ଧରିବା ପାଇଁ ତାକୁ ନିବିଡ଼ ଭାବେ।ହେଲେ ଅମାନିଆ ମନ,କୋଉଟା ଠିକ, କୋଉଟା ଭୂଲ, ତାର ଫରକ ସେ ଜାଣେନା।ମୁଁ ସିନା ତାକୁ ନେଇ ଏତେ କଥା ଭାବୁଥାଏ,ଏତେ ସ୍ବପ୍ନ ସଜେଇ ସାରିଥାଏ,ହେଲେ ସେ ..!!


          ମୁଁ ତା ପାଇଁ କେହି ନୁହେଁ।ସତରେ ମଣିଷର ଆଶା ଅସୀମିତ,ଏହି କିଛି ସମୟ ପୂର୍ବରୁ ତ ମୁଁ ଚାହୁଁଥିଲି ତା ସହ କେବଳ ଦେଖା ହେଇ ଯାଉ ବୋଲି।ଆଉ ଏବେ ଦେଖା ହେଇ ଯିବାରୁ ଇଚ୍ଛା ତାକୁ ମନ କଥା କହିବାକୁ।ସତରେ ଇଏ କଣ ଭଲପାଇବା।ନା ବୟସର ଆକର୍ଷଣ।ଦ୍ଵନ୍ଦ ରେ ପଡିଯାଉଥିଲି ମୁଁ ବାରମ୍ବାର।ମନ ଆଉ ବିବେକ ଭିତରେ ଚାଲିଥିଲା ଯୁଦ୍ଧ।ଅଡିଟୋରିଅମ ପୁରା ଶାନ୍ତ ଥାଏ, ସମସ୍ତେ ଏକା ଲୟରେ ଶୁଣୁଥାନ୍ତି ଗୀତ।ଗୀତ ପୁରା ନ ସରୁଣୁ ମୁଁ ଜୋରରେ ତାଳି ବଜେଇ ଦେଲି ଅନ୍ୟମନସ୍କତାରେ।ଜଜ ମନେ ମତେ ଏକ ଲୟରେ ଚାହିଁଲେ,ଯେମିତି କି ବିଜେତା ଘୋଷଣା ହଵା ଆଗରୁ ମୁଁ ତା ନାଁ କୁ କହିଦେଇଛି।ଲଜ୍ଜ୍ୟାରେ ବାହାରି ଆସିଲି ଅଡିଟୋରିଅମରୁ।କିଛି ସମୟ ପରେ ସେ ଗୀତ ଗାଇ ସାରି ଆସି ବସିଲା,ତା ଗ୍ରୁପ ପିଲା ମାନଙ୍କ ପାଖେ।ମୁଁ ସିଧା ଯାଇ ତା ପାଖାପାଖି ଗୋଟେ ସିଟ ଦେଖି ବସିପଡ଼ିଲି।ବାରମ୍ବାର କିଛି ଗୋଟେ ବାହାନା ନେଇ ତାକୁ ବୁଲି ବୁଲି ଚାହୁଁଥାଏ।ଆଉ ତା ନଜର ମୋ ଉପରେ ପଡ଼ିଲା କ୍ଷଣି ମୁଁ ସାଙ୍ଗେ ସାଙ୍ଗେ ନଜର ଫେରେଇ ଆଣୁଥାଏ।


           କି ଯାଦୁ ଥିଲା କେଜାଣି ସେ ନଜର ରେ।ମତେ ଯେମିତି ଆହୁରି ତା ଆଡ଼କୁ ତା ଆଡ଼କୁ ଟାଣି ନେଉଥାଏ।କେମିତି ତା ସହ ଯାଇ କଥା ହେବି,ସେଇ କଥା ମନ ଭିତରେ ଚାଲିଥାଏ।ତାଙ୍କ ଗ୍ରୁପର ଗୋଟେ ପୁଅ ପିଲାକୁ ପଚାରିବାରୁ ଜାଣିଲି ସେମାନେ ହାଇଟେକ ନର୍ସିଂ କଲେଜର ପିଲା ବୋଲି।ସେଇଟା ବି ଭୁବନେଶ୍ୱର ର।ଯା ହଉ କିଛି ତ ଖବର ମିଳିଲା।ସେଦିନ ତାଙ୍କ ଗ୍ରୁପ ର ପିଲା ସହ କଥା ହଉ ହଉ ସେ ରହୁଥିବା ଅଲଗା ଲଜ ଯାଏ ଚାଲି ଚାଲି ଗଲି।କଥା ସିନା ଏପଟେ ହେଉଥାଏ,କିନ୍ତୁ ମନ ଯାଇ ସେ ଝିଅଟି ପାଖେ।ତା ନାଁ, ତା କ୍ଲାସ,ସବୁ କିଛି ଜାଣିବାର ଇଚ୍ଛା ବେଳକୁ ବେଳ ପ୍ରବଳତର ହେଉଥାଏ।ସବୁଠୁ ଦୁଃଖର ବିଷୟ ଏଇଆ ଥିଲା କି ଆଜି କାଲିର ଫାଷ୍ଟ ଫରୱାର୍ଡ଼ ଦୁନିଆରେ ମୁଁ ହିଁ ଏକା ସ୍ଲୋ ଥିଲି,ମତଲବ ମୋ ଚିନ୍ତଧାରା ଟିକେ ପୁରୁଣା ଢଙ୍ଗର ଥିଲା।ପ୍ରେମ,ଭଲ ପାଇବା ଏସବୁ ଅନ୍ୟମାନଙ୍କ ପାଇଁ ସାମାନ୍ୟ କଥା ଥିଲେ ବି ମୋ ପାଇଁ ଏହା କାଠିକର ପାଠ ଥିଲା।ଝିଅ ମାନଙ୍କ ସହ ଖୋଲା ଖୋଲି ମିଶିବା,ଆଉ କଥା ହଵା ମୋ ପରି ପୁଅ ପାଇଁ କାଠିକର ପାଠ ଥିଲା।


         ମୋ ପାଖେ ଏତେ ସମୟ ବି ନଥିଲା ଯେ,ମୁଁ କିଛି ସମୟ ନେଇଥାନ୍ତି।ଯାହା ବି କରିହେବ ତାହା ଏହି କମ୍ପେଟିସନ ର ଶେଷ ଦିନ ପର୍ଯ୍ୟନ୍ତ।କଣ କରିବି କିଛି ଭାବି ପାରୁନଥାଏ।ଆର ଦିନ ଥାଏ ଅନ୍ତାକ୍ଷରୀ।ଏଥିପାଇଁ ପ୍ରତିଟି କଲେଜ ରୁ ଗୋଟେ ଲେଖାଏଁ ଟିମ ପ୍ରସ୍ତୁତ ହେଇଥାନ୍ତି।ଆମ କଲେଜ ରୁ ବି ଦୁଇ ଜଣିଆ ଟିମ ଥିଲା।ସେ ବି ତାଙ୍କ କଲେଜ ରୁ ଭାଗ ନେଇଥାଏ।ମୋ ସାଙ୍ଗ ଯିଏ ଗୀତ ଗାଏ, ଆଉ ଶୁଭମ ଭାଇ ଏଇ ଦୁଇ ଜଣ ଆମ କଲେଜ ରୁ ଥାନ୍ତି।ଭାବିଲି ଏଇଟା ହିଁ ସୁଯୋଗ କିଛି ଗୋଟେ କରିବାର।ଶୁଭମ ଭାଇଙ୍କୁ ଯାଇ କହିଲି,ଭାଇନା ମୁଁ ଅନ୍ତାକ୍ଷରୀ ରେ ଭାଗ ନେବାକୁ ଚାହୁଁଛି।ତମେ ଯଦି ଟିକେ ହେଲ୍ପ କରନ୍ତ..!!ସାଙ୍ଗେ ସାଙ୍ଗେ ସେ ମୋ ପାଟିରୁ କଥା ଛଡେଇ ନେଇ କହିଲେ,ଯା ହଉ ମୋର ଗୋଟେ ଟେନ୍ସନ ଗଲା।ସେମିତିରେ ବି ପ୍ରତ୍ୟୁଷ(ମୋ ସାଙ୍ଗ)କହିଲା ବୋଲି ଗୋଟେ ବସି ପଡିବା କଥା,କାରଣ ଆମ କଲେଜ ରୁ ପ୍ରତ୍ୟୁଷ କୁ ଛାଡିଦେଲେ ଆଉ କେହି ଗୀତ ଗାଇବା ପାଇଁ ନଥାନ୍ତି,ଆଉ ମୋର ଗୀତ ନଲେଜ ତ ତୁ ଜାଣୁ।ସେଥିପାଇଁ ତୁ ପ୍ରତ୍ୟୁଷ କୁ ନେଇ ନାଁ ଟା ସବମିଟ କରିଦେ।କିଛି ସମୟ ପରେ ଅନ୍ତାକ୍ଷରୀ ପାଇଁ ଛୋଟ ଲିଖିତ ପରୀକ୍ଷା ଆରମ୍ଭ ହେଲା।ଆମେ ଖୁବ ସହଜରେ ସେଥିରେ ସିଲେକ୍ଟ ହେଇଗଲୁ।ତାପରେ ଥାଏ ଭୋକାଲ ରାଉଣ୍ଡ।ମୋ ପାଟି ଶୁଖିକି ଅଠା ହେଇଯାଉଥାଏ।ଷ୍ଟେଜରେ ସିନା ଭାଷଣ ଦିଏ,ହେଲେ କେବେ ଗୀତ ଗାଇନି।କେମିତି ଗାଇବି ଯେ।ମୋ ସାଙ୍ଗ ପ୍ରତ୍ୟୁଷ ସାହସ ଦେଲା।ଆରେ ଡରିବାର କିଛି ନାହିଁ,ଖାଲି ଦୁଇ ଲାଇନ ଗାଇଦବୁ ମ।ଯାହା ହଉ କଷ୍ଟରେ ଦୁଇ ଧାଡି ଗାଇ ଦେଲି।ଆଉ ଆମ ଟିମ ସିଲେକ୍ଟ ବି ହେଇଗଲା।


       ସେ ଝିଅ ଆଉ ତା ଟିମ ବି ସିଲେକ୍ଟ ହେଲା।ଅନ୍ତାକ୍ଷରୀ ରେ ଆମେ ଦୁଇ ଟିମ ଯୁଗ୍ମ ଭାବେ ପ୍ରଥମ ହେଲୁ।କିନ୍ତୁ ଆୟୋଜକ ମାନେ କହିଲେ ଯେ ଯାହାକୁ ହେଲେ ଗୋଟିଏ ଟିମ କୁ ପ୍ରଥମ ପ୍ରାଇଜ଼ ମିଳିବ,ଆଉ ଏଥିପାଇଁ ଏକ୍ସଟ୍ରା ଆଉ ଗୋଟେ ରାଉଣ୍ଡ କରାଯିବ।ଗୋଟେ ଧୂନ ବାଜିବ ଆଉ ସେଇ ଧୂନର ଯେ କୌଣସି ଗୋଟିଏ ଗୀତ ଗାଇବାକୁ ପଡିବ।ଭାଗ୍ୟ ବଶତଃ ମୁଁ ସେ ଧୂନର ଗୀତଟିକୁ ପ୍ରତ୍ୟୁଷ କୁ କହିଲି ଆଉ ସେ ଗାଇଦେଲା।ଆଉ ଆମ ଟିମ ପ୍ରଥମ ହେଇଗଲା।ଯଦିଓ ମୋର ଗାଇବାରେ ବିଶେଷ ଜ୍ଞାନ ନଥିଲା ,କିନ୍ତୁ ପୁରୁଣା ଗୀତ ଶୁଣିବା ଅଭ୍ୟାସ ଯୋଗୁଁ ଆମେ ଜିତିଗଲୁ।ସମସ୍ତେ ଆମକୁ ଆସି ଅଭିନନ୍ଦନ ଜଣାଉଥାନ୍ତି।କିନ୍ତୁ ମୁଁ ସିଧା କିଛି ନ ଭାବି ସେ ଝିଅ କୁ ଯାଇ ଅଭିନନ୍ଦନ ଜଣେଇଲି।ଆଉ ତା ଗୀତ ର ପ୍ରଶଂସା ମଧ୍ୟ କଲି।କାରଣ ଏଇ ଗୋଟିଏ ହିଁ ବାହାନା ଥାଏ ମୋ ପାଖେ ତା ସହ କଥା ହବାର।ତାପରେ ଉଦଘୋଷକ କଲେଜ ଆଉ ପ୍ରତିଯୋଗୀଙ୍କ ନାମ ଘୋଷଣା କଲେ,ଯେଉଁମାନେ ପ୍ରଥମ,ଦ୍ବିତୀୟ ଆଉ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି।ସେଇଠୁ ମୁଁ ଜାଣିବାକୁ ପାଇଲି ସେ ଝିଅର ନାଁ "ଉର୍ମି" ବୋଲି।


          ତାପରେ ମୁଁ ସିଧା ପ୍ରତ୍ୟୁଷକୁ କହିଲି ଭାଇ ତୋର ଗୋଟେ ସାହାଯ୍ୟ ଦରକାର।ମତେ ଟିକେ ଗୀତ ବିଷୟରେ ଜ୍ଞାନ ଦରକାର।ସେ ଆଶ୍ଚର୍ଯ୍ୟ ହେଇଗଲା।ଆରେ ତୁ କଣ ଆଉ କୋଉଠି ଗୀତ ଗାଇବୁ ନା କଣ, ହଠାତ ତୋ ଭିତରର ସୋନୁ ନିଗମ କୁଆଡୁ ଆସିଗଲା।ମୁଁ କହିଲି ପ୍ଲିଜ଼ ଟିକେ କିଛି ଜ୍ଞାନ ଦେ।ଅବଶ୍ୟ ତାପରେ ସେ ଯାହା କହିଲା ତା ମୋ ଏପଟ କାନ ରେ ପଶି ସେପଟ କାନରେ ବାହାରିଗଲା।ତଥାପି ସୁର,ତାଳ,ଲୟ..ଧୂନ..ରାଗ..ମୁଖଡା.. ଅନ୍ତରା..ଏଭଳି କିଛି ଶବ୍ଦକୁ ମନେ ରଖିବାରେ ଯତକିଞ୍ଚିତ ସକ୍ଷମ ହେଲି।ଯାହା ହଉ ଏବେତ ଟିକେ ସେ ଝିଅ ସହ କଥା ହେଇ ପାରିବି।କିନ୍ତୁ ତାପରେ ଯୋଉ ସମସ୍ୟା ମୋ ସାମ୍ନାରେ ଥିଲା ସେଇଟା ଖାଲି ସମସ୍ୟା ନୁହଁ,ଗୋଟେ ପର୍ବତ ଭଳି ଥିଲା।ତାଙ୍କ ସାଙ୍ଗରେ ଆସିଥିବା ତାଙ୍କ କଲେଜର ଜଣେ ମ୍ୟାଡାମ।ସେ ସବୁବେଳେ ପିଲାମାନଙ୍କ ପାଖରେ ଲାଗି ଲାଗି ରହୁଥାନ୍ତି।ବିଶେଷ କରି ଝିଅ ମାନଙ୍କ ପାଖେ।ଏପରି ପରିସ୍ଥିତିରେ କେମିତି ଯେ ମୁଁ ଉର୍ମି ସହ କଥା ହେବି,ସେଇଟା ମୋ ପାଇଁ ବର୍ତ୍ତମାନ ଗୋଟେ ଦୁରୁହ ବ୍ୟାପାର ଥିଲା।


         ସେମିତିରେ ବି ଗ୍ଲୋରୀ ଫେଷ୍ଟରେ 3 ଦିନ ବିତିସାରିଥାଏ।ଆଉ ବା ମୋ ହାତରେ କେତେ ଦିନ।କିଛି ତ କରିବାର ଥିଲା,ହେଲେ କଣ କରିବି,କେମିତି ମୋ କଥା ଆଗକୁ ବଢ଼େଇବି ଏହା ଭାବି ଭାବି ମୁଁ ବେଳକୁ ବେଳ ବ୍ୟତିବ୍ୟସ୍ତ ହେଇ ପଡୁଥାଏ।କିନ୍ତୁ ମଣିଷତ ସମୟ ଆଗରେ

କିଛି ନୁହଁ।ସେହି ସମୟ କୁ ହିଁ ଅପେକ୍ଷା କରି ରହିଲି।କେତେବେଳେ ସୁଯୋଗ ମିଳିବ,ଆଉ ତା ସହ କଥା ହେବି।ଯେତେବେଳେ ଉର୍ମି ମୋ ସାମ୍ନାରେ ଥାଏ,ସମୟ ଗୁଡା କେମିତି ପବନ ବେଗରେ ଧାଇଁ ଯାଏ କିଛି ଜାଣି ହୁଏନି,ଆଉ ଯେତେବଳେ ମୁଁ ତା ଠୁ ଦୂରକୁ ଆସୁଥାଏ,ପ୍ରତିଟି ସେକେଣ୍ଡ ଗୋଟେ ଗୋଟେ ଯୁଗ ପରି ଲାଗୁଥାଏ।ଆରଦିନ ଯେତେବେଳେ ଅଡିଟୋରିଅମକୁ ଗଲି ତ ଦେଖିଲି ସେପଟ ଅଡିଟୋରିଅମରେ କେହି ନଥାନ୍ତି,କାରଣ ଆର ପଟ ହଲରେ ଡ୍ରଇଂ କମ୍ପେଟିସନ ହଉଥିବାରୁ ପ୍ରାୟ ସମସ୍ତେ ସେଠି ଥାନ୍ତି,ଆଉ ଏପଟେ କିଛି ପିଲା ନିଜ ନିଜ ବିଭାଗ ପାଇଁ ପ୍ରସ୍ତୁତି ହେଉଥାନ୍ତି।ହଠାତ ଏକା ଯାଇ ଚେୟାର ଉପରେ ବସିଲି।ଜାଣିନି ଏମିତି କିଛି ସମୟ ମୋ କେତେବେଳେ ଯେ ଉର୍ମିର ଭାବନାରେ ବିତିଯାଇଛି, ପଛକୁ ବୁଲି ଦେଖେ ତ ଉର୍ମି ଆସି ମୋ ପଛ ଵେଞ୍ଚ ରେ ବସି ଯାଇଥାଏ।ହଠାତ ତାକୁ ଦେଖି ମୁଁ ବି ଆଶ୍ଚର୍ଯ୍ୟ ହେଇଗଲି।ଆଉ ସାଙ୍ଗେ ସାଙ୍ଗେ ତା ଆଡ଼କୁ ଅନେଇ ହାତ ବି ହଲେଇଲି।ଆଉ ପଚାରିଲି ଆଜି କେମିତି ଏକା ବସିଛ,ସେ କହିଲା ସେପଟେ ଆମ ପିଲା ମାନେ ସବୁ ଅଛନ୍ତି,ଏପଟକୁ ଟିକେ ନିରୋଳାରେ ବସିବାକୁ ଆସିଲି।ଆଉ ମୁଁ ତ ଏଇ ମୌକା ଖୋଜୁଥିଲି।ତା ସହ କଥା ହଵା ଆରମ୍ଭ କଲି।ମୁଁ ନିଜେ ବି ଜାଣି ନଥାଏ ତା ସହ କଣ କଣ ଯେ ଗପି ଚାଲୁଥାଏ।ସେ ବି ଗପ ଶୁଣିଲା ପରି ମଝିରେ ମଝିରେ ହଁ ନାଁ ର ଜବାବ ଦେଉଥାଏ ଆଉ ତା ସହ ପଦେ ଅଧେ କଥା ବି କହୁଥାଏ।ଯେତିକି ଜାଣିଲି ତାର ଏଥର ସେକେଣ୍ଡ ଇଅର।ଘର ଢେଙ୍କାନାଳ।ଆଉ ଛୋଟ ମୋଟ କଥା।କଥା ମଝିରେ ତାଙ୍କ ମ୍ୟାଡାମଙ୍କ ବିଷୟରେ କହିବାରୁ ହସି ଉଠିଲା ସେ।କେମିତି କେଜାଣି ସବୁ ପୂର୍ବ ନିର୍ଦ୍ଧାରିତ ଭଳି ଘଟି ଚାଲୁଥାଏ।ଯେମିତି ଜଗନ୍ନାଥ ମୋ ଡାକ ଶୁଣୁଥାନ୍ତି ପରୋକ୍ଷରେ।କିନ୍ତୁ ଯାହାଟା ମାଗିବା କଥା ମାନେ ତା ଫୋନ ନଂ ଟା ମାଗି ପାରିଲିନି।କେମିତି ବା ମାଗିଥାନ୍ତି।ପ୍ରଥମ ଥର ପାଇଁ ତ ତା ସହ କଥା ହେଲି।ତାପରେ ଏତେ ସାହସ ବି ମୋର କାଇଁ।କିଛି ସମୟ ପରେ ତାଙ୍କ ଗ୍ରୁପ ପିଲା ଡାକିବାରୁ ସେ ଉଠିକି ଚାଲିଗଲା।ଇଚ୍ଛା ହଉଥିଲା କହିବା ପାଇଁ ଯେ ଆଉ କିଛି ସମୟ ଏଇଠି ବସିଲେ ହୁଅନ୍ତାନି।କିନ୍ତୁ ନା,ମୁଁ କହିପାରିଲିନି।।


        ଏମିତି ପ୍ରାୟ ତା ସହ ସବୁଦିନ ଦେଖାହୁଏ,ଖାଲି ଯାହା ହାଏ,ହେଲୋ ଛଡା ମୁଁ ତାକୁ ବେଶି କିଛି କହିପାରେନା।ସେମିତିରେ ବି ତାଙ୍କ ଗାଇଡ଼ ତାଙ୍କ ଗ୍ରୁପ ସହ ସବୁବେଳେ ଥାନ୍ତି।ଏମିତି ହେଉ ହେଉ ଧୀରେ ଧୀରେ ଗ୍ଲୋରୀ ଫେଷ୍ଟ ର ଅବଧି ମଧ୍ୟ ସରିଆସୁଥାଏ।କମ୍ପେଟିସନ ମଧ୍ୟ ପ୍ରାୟ ସରି ଆସୁଥାଏ।ମୋ ମନରେ ଫୁଟୁଥିବା ପ୍ରେମରୂପକ କଢ଼ିଟି ଫୁଲ ହେଇ ଫୁଟିବା ଆଶା ବି ମଉଳି ଆସୁଥାଏ,ଧୀରେ ଧୀରେ।କେମିତି ତାକୁ ମୋ ମନ କଥା କହିବି।ଯଦି ସେ ମନା କରିଦେଲାତ।ନାହିଁ, ମୋ ପ୍ରେମ ମୋ ମନରେ ଥାଉ।ସହଜରେ କାହା ନାହିଁ କୁ ଗ୍ରହଣ କରି ମୋ ପାଇ ଏକ ଅସମ୍ଭବ ପ୍ରକାର କଥା।ଭାବିଲି ଗୋଟେ ଚିଠି ରେ ମୋ ମନ କଥା ଲେଖିକି ତାକୁ ଦେଇ ଦବା ଠିକ ହବ।ଆଉ ହଁ ଏବେ ଦେଲେ ସେ ଯଦି ରାଗେ ତେବେ ସିନା ଅସୁବିଧା ହେବ,କିନ୍ତୁ ଯଦି ତାକୁ ମୁଁ ଶେଷ ଦିନ ଦିଏ ତେବେ କିଛି ଗୋଟେ ହେଇ ପାରେ।ଅବଶ୍ୟ ଏଇ କିଛି ଦିନ ଭିତରେ ତାକୁ ବାରମ୍ବାର ଚାହିଁବା, ତା ପାଖାପାଖି ବସିବା,ତାଙ୍କ ପିଲାଙ୍କୁ ଚିଅର ଅଫ କରିବା,ତା ସହ ହେଲୋ, ହାଏ କରିବାରୁ ତ ଯିଏ ହଉ ନା କାହିଁକି ସହଜରେ କିଛି ଅନୁମାନ ଲଗେଇ ପାରିବ।କେହି ନ ଜାଣିଲେ ବି ଆମ ଗ୍ରୁପର ଲିଡ଼ର ଶୁଭମ ଭାଇ ଆଉ ମୋ ସାଙ୍ଗ ପ୍ରତ୍ୟୁଷ ମୋ ମନ କଥା କୁ କିଛିକାଂଶରେ ବୁଝି ନେଇଥାନ୍ତି,ଆଉ ରୁମ ରେ ମଝିରେ ମଝିରେ ଥଟ୍ଟା ବି କରୁଥାନ୍ତି।ଗ୍ଲୋରୀ ଫେଷ୍ଟ ଶେଷ ଦୁଇ ଦିନ ବେଳାଭୂମିରେ ହୁଏ,ନାଚ,ଗୀତ,ମଉଜ,ମସ୍ତିର ଆସର ଜମେ,ଆଉ ପୁରସ୍କାର ମଧ୍ୟ ଦିଆଯାଏ।ସେଥର ମଧ୍ୟ ହେଲା,ଆଉ ଆମ କଲେଜ ଚମ୍ପିୟନ ମଧ୍ୟ ହେଲା।ଭାରି ଖୁସି ଲାଗୁଥାଏ,କିନ୍ତୁ ସବୁ ଖୁସି ଭିତରେ ଉର୍ମି କୁ ନିଜ ମନ କଥା ନ କହିପାରିବାର ଦୁଃଖ ପ୍ରତି କ୍ଷଣ ମତେ ମାରି ଦେଉଥାଏ।ଶେଷ ଦିନ ରାତି ପାଖାପାଖି 1ଟା ବେଳେ ଆମର ଟ୍ରେନ ଥାଏ ପୁରୀରୁ।ଆଉ ବେଳାଭୂମି ମହୋତ୍ସବ ବି 9 ଟା ରେ ସରିବାର ଥାଏ।ପ୍ରାଇଜ଼ ମିଳିସାରିଥିଲା।ଥରେ ସମସ୍ତଙ୍କ ଆଡକୁ ଚାହିଁ ଦେଖିଲି ତ ସମସ୍ତେ ପ୍ରାୟ ମାହୋଲ କୁ ଉପଭୋଗ କରୁଥାନ୍ତି।ଭାବିଲି ଏଇଟା ହିଁ ଠିକ ମଉକା।ଅନେକ ଥର ହାତ ଠାରି ଉର୍ମି କୁ ଡାକିବାକୁ ଚେଷ୍ଟା କଲି।କିଛି ଥର ପରେ ସେ ଦେଖିଲା।ଆଉ କାହିଁକି ବୋଲି ପଚାରିଲା।ବହୁ କଷ୍ଟରେ ତାକୁ ଡାକିବାକୁ ସକ୍ଷମ ହେଲି,ସେ ମୋ ପାଖକୁ ଆସିଲା ଆଉ କଣ ବୋଲି ପଚାରିଲା।ତାକୁ କହିଲି ମୋ ସହ ଟିକେ ବେଳାଭୂମି କୁ ଆସ।କିନ୍ତୁ ସେ ମନା କରିଦେଲା।ସେମିତିରେ ବି କୋଉ କାରଣ ପାଇଁ ସେ ମୋ ସହ ଆସିଥାନ୍ତା ।ଭାରି ମନ କଷ୍ଟ ହେଲା।ଏକା ଏକା ଉଠି ଆସିଲି ବେଳାଭୂମି ଆଡେ ବ୍ୟାରିକେଡ ଦେଇ।ଶୁଭମ ଭାଇଙ୍କୁ କହିଦେଲି ଯେ ଏକା ଥରେ ରୁମ ରେ ଦେଖା ହବ ବୋଲି।ଭାରି କାନ୍ଦ ଲାଗୁଥାଏ।ସେଠୁ କିଛି ଦୂରରେ ଆସି ଗୋଟେ ଜାଗାରେ ବସିଲି।ଭାବୁଥାଏ, କାଲି ଆମେ ଏଠି କେହି ନଥିବୁ।ନା ଥିବି ମୁଁ,ନା ଉର୍ମି,ନା ଏ ଗ୍ଲୋରୀ ଫେଷ୍ଟ।ଯା ରହିଯାଇଥିବ ଏ ବେଳାଭୂମି।କେତେଯେ ପ୍ରେମର ମିଳନ,ଵିଚ୍ଛେଦ ଦେଖିଥିବ ଏ ବେଳାଭୂମି।ଅଜାଣତରେ ଉର୍ମିକୁ ସବୁଦିନ ପାଇଁ ଛାଡି ଯିବାର ଦୁଃଖରେ କେତେବେଳେ ଯେ ଆଖିରୁ ଦୁଇ ଟୋପା ଲୁହ ଝରି ଯାଇଥାଏ।


          ହଠାତ କେହି ଜଣେ ପଛରୁ ଆସି ମୋ ଆଖି ଦୁଇଟାକୁ ବୁଜି ଦେଲା।ଭାବିଲି ଆମ ଗ୍ରୁପର କିଏ ବୋଧେ ମୋ ପଛେ ପଛେ ଆସିଥିବ।କିନ୍ତୁ ବୁଲି ଦେଖେ ତ ମୋ ପଛରେ ଛିଡ଼ା ହେଇଥିଲା ମୋ ମନର ମାନସୀ ଉର୍ମି।ପଚାରିଲା କଣ ରାଗରେ ଚାଲି ଆସିଲ କି..?? ରାଗିବାକୁ ମୁଁ କିଏ ଯେ..??ମୁଁ ଉତ୍ତର ଦେଲି।ସେ ହସିଦେଲା..କଣ କହିବାକୁ ପରା ଡାକିଥିଲ..??କୁହ..ମୋ ପାଖେ ସେମିତିରେ ବି ସମୟ କମ।ଦିଦିଙ୍କୁ ଲୁଚି ଏଠିକି ଆସିଛି।ତାପରେ ଆମେ ଏଠୁ ଗଲେ ଖାଇକି ଷ୍ଟେସନ ଯିବୁ।ଯାହା କହିବ ଜଲ୍ଦି କୁହ।


         ହଁ ମୋର ବହୁତ କିଛି କହିବାକୁ ଥିଲା।ହେଲେ କଥା ସବୁ ଆସି କେମିତି ଓଠ ପାଖେ ଅଟକି ଯାଉଥିଲା ଜାଣେନି।କହିବି କହିବି ଚେଷ୍ଟା କରିବି କିଛି କହିପାରିଲିନି।ସେ ଅଭିମାନ କରିଉଠିଗଲା,କିଛି ନ କୁହ,ମୁଁ ଯାଉଛି।ତା ହାତକୁ ଭିଡି ଧରିଲି।


    "ଉର୍ମି..ଜାଣେନା ମୁଁ ତମକୁ ଯାହା କହିବାକୁ ଚାହୁଁଛି ସେଇଟା ଠିକ ନା ଭୁଲ..।ତୁମକୁ ପ୍ରଥମ ଥର ଏଇ ସମୁଦ୍ର କୂଳରେ ଦେଖିଲା ଦିନଠୁ ମୁଁ ଆଉ ମୋର ହେଇ ନାହିଁ।ମୋ ମନ,ହୃଦୟ, ମୋର ସବୁ କିଛି ତୁମର ହେଇସାରିଛି।ତୁମକୁ ଦେଖିଲା ପରେ ମତେ ଲାଗିଲା ଯେମିତି ମୋର ଅୟୁତ ଯୁଗର ଅପେକ୍ଷାର ଅନ୍ତ ଘଟିଛି।ତୁମେ ହିଁ ସେହି ଯାହା ପାଇଁ ମୁଁ କରିପାରିବି ଅନନ୍ତ କାଳ ଯାଏଁ ପ୍ରତୀକ୍ଷା।ଏ ବେଳାଭୂମି,ଏ ସାଗର,ଏ ବାଲୁକା ଶଯ୍ୟା,ଏ ଚନ୍ଦ୍ରମା,ସବୁ ମୋ ପ୍ରେମର ମୂକସାକ୍ଷୀ।ହଁ ଉର୍ମି ମୁଁ ତୁମକୁ ଭଲ ପାଏ।ବହୁତ ଭଲ ପାଏ ମୁଁ ତୁମକୁ।ଆଉ ତୁମକୁ ସାରା ଜୀବନ ପାଇଁ ନିଜର କରିବାକୁ ଚାହେଁ ମୁଁ।ଜାଣେନା ତୁମେ ମୋ ପ୍ରେମକୁ ଗ୍ରହଣ କରିବକି ନାହିଁ।କିନ୍ତୁ ଏତିକି ଜାଣେ ମୋ ପ୍ରେମ ଶାଶ୍ୱତ ଆଉ ଚିରନ୍ତନ।ପ୍ରତ୍ୟାଖ୍ୟାନ କଲେ ଦୁଃଖ କରିବିନି।ତୁମ ସହ କିଛି ପଦ କଥା ଆଉ ସେଇ ସବୁ ମୁହୂର୍ତ୍ତ କୁ ସାରା ଜୀବନ ସାଇତି ରଖିବି ହୃଦୟ ଫରୁଆରେ"। 


         ଏତକ ଏକା ନିଶ୍ୱାସରେ କହିଦେଇ ତା ହାତକୁ ବଢ଼େଇଦେଲି,କିଛି ମନ କଥା ଆଉ ମୋ ନଂ ଲେଖା ଥିବା ଚିଠିକୁ।ସେ ଚିଠିକୁ ଧରି ନୀରବରେ ଚାଲିଗଲା ମୋ ପାଖରୁ,ନିଜ ହାତ କୁ ଛଡେଇ ନେଇ।ଆଉ ମୁଁ ଏକ ଅଜଣା ଆଶଙ୍କାରେ ବସି ରହିଲି ବେଳାଭୂମିରେ।ତା ପରେ ଆମେ ଫେରି ଆସିଲୁ ପୁରୀରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ।


       ୟା ଭିତରେ କିଛି ଦିନ ବିତି ସାରିଥାଏ।ହଠାତ ଦିନେ ସକାଳୁ ସକାଳୁ ଫୋନ ରିଂ ହେଲା।ଗୋଟେ ଅଜଣା ନମ୍ବରରୁ କଲ ଆସିଥାଏ।ଉଠେଇଲା ବେଳକୁ ଶୁଭିଲା ଭାରି ପରିଚିତ ସ୍ୱରଟିଏ।ଆଉ ସେପଟୁ ଶବ୍ଦ ଭାସି ଆସୁଥାଏ... ଆରେ ମୁଁ ଉର୍ମି କହୁଛି।ବହୁତ ଦିନ ହେବ କଲ କରିବି କରିବି ଭାବୁଛି,ହେଲେ ଆମ ହଷ୍ଟେଲରେ ଫୋନ ଆଲାଉ ନଥିବାରୁ କରିପାରୁନଥିଲି।ମୁଁ ଗୋଟା ପଣେ ହତବାକ ପାଲଟି ଯାଇଥାଏ।ସେପଟୁ ସେ ପଚାରିଲା କଣ ମୋ ଉପରେ ଅଭିମାନ କରିଛ,କଥା ହବନି କି..??ଆଉ ମୁଁ ଉତ୍ତର ଦେଲି ହଁ, ହେବି..ଅନେକ କଥା ହେବି...



 "ସତେ ଯେମିତି ନୀଳ ଲହରୀ ପାଇ ସାରିଥିଲା ତା ବେଳାଭୂମିର ଠିକଣା।"


@ବେଳାଭୂମିରେ ମୁଁ ଆଉ ତୁମେ..

         


Rate this content
Log in

Similar oriya story from Romance