BiswaRanjan Sahoo

Romance

4.0  

BiswaRanjan Sahoo

Romance

ଅକୁହା ପ୍ରେମ

ଅକୁହା ପ୍ରେମ

9 mins
203


କେହି ଜଣେ କବି ଲେଖିଥିଲେ, 


   '"ପ୍ରେମ ଆସେ କେତେବେଳେ କେଉଁବାଟ ଦେଇ, 

    ଜଣା ପଡେନାହିଁ ସିନା ଯାଏ ଆପେ ହେଇ" । । 

  

  ସତରେ ଏ ପ୍ରେମ ରୂପକ ଅଢେଇ ଅକ୍ଷରର ଶବ୍ଦ ଭାରି ବିଚିତ୍ର ସତେ । କେତେବେଳେ, କେଉଁ ମୁହୂର୍ତ୍ତରେ କାହାକୁ ହେଇଯାଏ ଜଣାପଡେନି । ଏ ଅମାନିଆ ହୃଦୟର ଝରକା ଡେଇଁ କିଏ ଆସି ଅତି ନିଜର ପାଲଟି ଯାଏ ବୁଝିହୁଏନି । ବେଳେ ବେଳେ କିଛି ନ ବୁଝି ବି କିଛି ଜିନିଷକୁ ଆପଣେଇ ନେବାଟା ଠିକ ଲାଗେ । ସମୟ, ପରିସ୍ଥିତି, ବୟସ, ରଙ୍ଗ କିଛିର ତାରତମ୍ୟ ଦେଖେନି ପ୍ରେମ, ବାସ ଦୁଇଟି ହୃଦୟ ଆଉ ତାପରେ ଆରମ୍ଭ ଏ ପ୍ରେମର ପ୍ରହେଳିକା । 


      ଆଖିରେ ଅନେକ ସ୍ୱପ୍ନ ନେଇ ବିଶ୍ୱବିଦ୍ୟାଳୟରେ ପାଦ ଦେଇଥିଲା ଅଭିଜିତ । ମନରେ ଅନେକ ଆଶା, ଆକାଂକ୍ଷା । 

କେଉଁ ଏକ ଅଖ୍ୟାତ ପଲ୍ଲୀର ଅପନ୍ତରା ଗାଁରୁ ସେ ଆସିଛି ଏ ସହରକୁ । ହଁ ସମ୍ବଳ କହିଲେ ମିଳିଥିବା ସ୍କଲାରସିପ ଆଉ ବାପାଙ୍କର ସେ ଉପଦେଶ । କଲେଜର ପ୍ରଥମ ଦିନ ତା ପାଇଁ କୋଉ ଏକ ପରୀକ୍ଷାରୁ କମ ନ ଥିଲା । ସହରୀ ଚାକଚକ୍ୟ ଭିତରେ ନିଜର ସ୍ଥିତିକୁ ମନେ ମନେ ସ୍ଥିର କରୁଥିଲା ସେ । ଆଜି କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ । ସିନିଅରମାନେ ନିଜ ଜୁନିୟରମାନଙ୍କୁ ସ୍ୱାଗତ କରିବେ । ଯଦିଓ ସେ ଏସବୁ ବିଷୟରେ ଏତେ ଭଲ ଭାବେ ଜାଣି ନଥିଲା ତଥାପି କିଛି କିଛି ଶୁଣିଥିଲା । ତାକୁ ସବୁ କିଛି ନୂଆ ନୂଆ ଲାଗୁଥାଏ । ପିଲାମାନେ ସବୁ ରଙ୍ଗ ବେରଙ୍ଗର ନୂଆ ଡ୍ରେସ ପିନ୍ଧି ଆସିଥାନ୍ତି । କିନ୍ତୁ ସେ, ଗତ ବର୍ଷ ପ୍ରଥମାଷ୍ଟମୀକୁ ଗାଁ ଦରଜି ପାଖେ ସିଲେଇ ଥିବା ଚେକ ସାର୍ଟକୁ ଫର୍ମାଲ ପେଣ୍ଟ । ଯାହା ବି ହଉ, କିଛି ସମୟ ପରେ ସବୁ ଅଧ୍ୟାପକ ଆଉ ଅଧ୍ୟାପିକା ଆସିଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହେଲା । ତାପରେ ଆସିଲା ସିନିଅରଙ୍କ ପାଳି । ସେମାନେ ଜୁନିୟରମାନଙ୍କ ପାଇଁ କିଛି ଟାସ୍କ ରଖିଥାନ୍ତି, ଆଉ ସବୁ ଟାସ୍କଗୁଡା ଗୋଟେ ଗୋଟେ ଛୋଟ କାଗଜ ଟୁକୁଡ଼ାରେ ଲେଖା ହୋଇ ଗୋଟେ କାଚର ଜାର ଭିତରେ ଥାଏ । ସମସ୍ତଙ୍କୁ ନିର୍ଦ୍ଦେଶ ଥାଏ ଯେ ଜଣେ ପରେ ଜଣେ ଆସି କାଗଜ ଉଠାଇ ଲେଖା ଯାଇଥିବା କାମ କରିବାକୁ । କାହାକୁ ଗୀତ ଗାଇବା, ତ କାହାକୁ ନାଚିବା ଇତ୍ୟାଦି, ଇତ୍ୟାଦି । କିଛି ସମୟ ପରେ ଆସିଲା ଅଭିଜିତର ପାଳି । ଆଉ ତା ଭାଗର ଚିଟରେ ଥିଲା କିଛି ଅଲଗା କାମ ।ମାନେ ତା ସିନିଅରଙ୍କ ଭିତରୁ କାହାକୁ ଜଣକୁ ପ୍ରୋପଜ କରିବା । ଭାରି ଅଡୁଆ ଅଡୁଆ ଲାଗୁଥିଲା ତାକୁ, କିନ୍ତୁ ସମସ୍ତେ ଯେତେବେଳେ କରୁଛନ୍ତି ତାକୁ ବି କରିବାକୁ ପଡିବ । ଜଣେ ସିନିଅର ଷ୍ଟେଜକୁ ଆସି କେମିତି ପ୍ରୋପଜ କରିବାକୁ ହବ ତାର ଡେମୋ ଦେଇଗଲେ । ଏବେ ଅଭିଜିତର ପାଳି । ବହୁ କଷ୍ଟରେ ଗୋଲାପ ଫୁଲଟିଏ ଧରି ସିନିଅର ଝିଅମାନଙ୍କ ଭିତରୁ ଜଣଙ୍କୁ ନେଇ ଗୋଲାପଟିଏ ଦେଲା, ଆଉ ଗାଁରେ ଦେଖିଥିବା ଅପେରା ପରି ଆଣ୍ଠେଇ ପଡ଼ି କହିଲା ମୁଁ ତୁମକୁ ଭଲ ପାଏ ପ୍ରାଣପ୍ରିୟା । ମୋର ପ୍ରେମ ନିବେଦନକୁ ସ୍ୱୀକାର କର । ତାର ଏ ପ୍ରକାର କଥା ଶୁଣି ସମସ୍ତେ ହସି ହସି ବେଦମ ହେଇ ଯାଇଥିଲେ ସେଦିନ । ଆଉ ସେ ପାଲଟି ଯାଇଥିଲା ଯେମିତି ଏକ ନିଆରା ବ୍ୟକ୍ତିତ୍ୱ । ଅବଶ୍ୟ କାହା ଉପରେ କଣ ପ୍ରଭାବ ପଡିଥିବ ଜଣା ନାହିଁ । କିନ୍ତୁ ଅଭି ଯାହାକୁ ଫୁଲ ଦେଇଥିଲା ସେ ଝିଅଟି ଅଭିର ସରଳତାରେ ଅନେକ ପ୍ରଭାବିତ ହେଇଥିଲା । 


      ସେ ଝିଅ ଥିଲା ସ୍ୱାତୀ, ସହରର ସବୁଠୁ ପ୍ରତିପତ୍ତିଶାଳୀ ବିଜୟ ବାବୁଙ୍କ ଏକ ମାତ୍ର କନ୍ୟା । ପିଲା ବେଳୁ ମାକୁ ହରେଇଥିବା ସ୍ୱାତୀ ଥିଲା ବିଜୟ ବାବୁଙ୍କର ଆଖିର ତାରା । ସ୍ୱାତୀ ବି କୌଣସି ଗୁଣରେ କାହାଠୁ କମ ନ ଥିଲା । ପାଠ ପଢ଼ା, ନାଚ, ଗୀତ ସବୁଥିରେ ସେ ଥିଲା ପାରଙ୍ଗମ ଆଉ ସବୁ ବଡ କଥା ହେଲା ଏତେ ସବୁ ଥାଇ ମଧ୍ୟ ତା ଭିତରେ ଆଭିଜାତ୍ୟର କଣିଚାଏ ଛିଟା ମଧ୍ୟ ନଥିଲା । ଆଉ ହଁ କହିବାକୁ ଗଲେ ଗୋଟିଏ ଚାଉଳରେ ଗଢା ଥିଲା ସ୍ୱାତୀ । କିନ୍ତୁ ସେଇଦିନ କାହିଁକି କେଜାଣି ଅଭିଜିତର ସରଳତା ଆଉ ନିରୀହପଣ ତାକୁ ଏତେ ପ୍ରଭାବିତ କରିଥିଲା ସେ ନିଜେ ବି ଜାଣେନା । ତାକୁ ପ୍ରୋପଜ କଲା ବେଳେ ତା ଆଖିର ସେ ଡର, ଲାଜ ଆଉ ତା ସାଧାରଣ ବେଶଭୁଷା ତାକୁ ବେଶ ଆକର୍ଷିତ କରିଥିଲା । ଆଉ ଅଭିଜିତ ଫୁଲ ଦେଇ ଯାଇ ନିଜ ବେଞ୍ଚରେ ବସିଲା ପରେ, କଣେଇ କଣେଇ ଚାହୁଁଥିଲା ସ୍ୱାତୀକୁ, ଯେମିତି ସେ କିଛି ଗୋଟେ ବିରାଟ ବଡ଼ ଭୁଲ କରିଦେଇଛି, ଆଉ ତାକୁ କ୍ଷମା ମାଗିବାକୁ ଚାହୁଁଛି, ହେଲେ ୟେ କଣ, ସ୍ୱାତୀ ବି ତାକୁ ଠିକ ଅପଲକ ନୟନରେ ଚାହିଁଛି । ଆଖି ଫେରେଇ ଆଣିଲା ସେ । ଏମିତି ଧୀରେ ଧୀରେ ଅଭିଜିତର ସ୍ୱାତୀ ପ୍ରତି ଆଉ ସ୍ୱାତୀର ଅଭିଜିତ ପ୍ରତି ଦୁର୍ବଳତା ଆସିଯାଇଥିଲା । କିନ୍ତୁ ସେଦିନର ସେ ଘଟଣା ପରେ ତାଙ୍କୁ କେବେ ମିଶିବାର ସୁଯୋଗ ହିଁ ମିଳିନଥିଲା । କାରଣ ସ୍ୱାତୀ ଥିଲା ତା ଠୁ ଗୋଟେ ବର୍ଷ ସିନିଅର ଆଉ କ୍ଲାସର ସମୟ ସମ୍ପୂର୍ଣ୍ଣ ଅଲଗା । ଏପଟେ ଅଭିଜିତ ସବୁ କିଛି ଭୁଲି ତା ପାଠ ପଢାରେ ମନୋନିବେଶ କରିଥାଏ ଆଉ ସେପଟେ ସ୍ୱାତୀ ବି । ଆଉ ଏହା ମଧ୍ୟରେ ଆସିସାରିଥାଏ ସେମିଷ୍ଟର ରେଜଲ୍ଟ । ଅଭିଜିତ ପ୍ରଥମ ସେମିଷ୍ଟରରେ ପ୍ରଥମ ସ୍ଥାନ ଅଧିକାର କରିଥାଏ ଆଉ ସ୍ୱାତୀ ବି ତୃତୀୟ ସେମିଷ୍ଟରରେ । ଆଉ ଏତେ ସବୁ ଭିତରେ ଆସିଯାଇଥାଏ ଥାର୍ଡ ଇଅର ପିଲାଙ୍କୁ ଫେରୱେଲ ଦେବା ସମୟ । ଆଉ ଏସବୁର ଆୟୋଜନ କରିବାର ଦାୟିତ୍ୱ ନ୍ୟସ୍ତ ଥାଏ ସେକେଣ୍ଡ ଆଉ ଫାଷ୍ଟ ଇଅର ପିଲାମାନଙ୍କ ଉପରେ । 


     ବାସ୍... ସମୟ ଆଣିଥିଲା ସୁଯୋଗ ଅଭିଜିତ ଆଉ ସ୍ୱାତୀକୁ ପାଖାପାଖି । ଫେରୱେଲର ଦାୟିତ୍ୱକୁ ସାଙ୍ଗ ସାଥିମାନଙ୍କ ସହାୟତାରେ ସୁଚାର ରୂପେ ସମ୍ପାଦନ କରିଥିଲେ ସେମାନେ ଆଉ ଏହି ସମୟ ହିଁ ସେମାନଙ୍କୁ ପରସ୍ପରର ନିକଟତର କରିବାକୁ ସାହାଯ୍ୟ କରିଥିଲା । କିନ୍ତୁ ଅଭିଜିତ ନିଜକୁ ଏ ପ୍ରେମ ଠାରୁ ଯଥାସମ୍ଭବ ଦୁରେଇ ରଖିବାକୁ ଚେଷ୍ଟା କରିଥିଲା । ସେ ଜାଣିଥିଲା ଯଦି ସେ ଏସବୁ ଭିତରେ ପଶେ ତେବେ ହୁଏତ ସେ ଲକ୍ଷ୍ୟଚୁତ ହୋଇ ବସିବ, ଆଉ ତା ବାପାଙ୍କ ଆଶା ହୁଏତ କ୍ଷଣକ ଭିତରେ ଧୂଳିସାତ ହୋଇଯିବ । 

କିନ୍ତୁ ସ୍ୱାତୀ ସେ ହୁଏତ ଭୁଲି ସାରିଥିଲା ସବୁ କିଛି । ଅଭିଜିତକୁ ନିଜର କରିବା ଆଶାରେ ସେ ସବୁ କିଛି ସୀମା ସରହଦ ପାରି କରିବାର ଦୃଢ଼ ନିର୍ଣ୍ଣୟ ନେଇସାରିଥିଲା । କିନ୍ତୁ ଅଭିଜିତ ଯେ ଏସବୁରେ ଅନଭିଜ୍ଞ ତାହା ଜାଣିବାରେ ତାକୁ ବିଶେଷ ସମୟ ଲାଗିନଥିଲା । ଏବେ କିନ୍ତୁ ସ୍ୱାତୀକୁ ଗୋଟେ ସୁନ୍ଦର ବାହାନା ମିଳିସାରିଥିଲା । ଇଲେକ୍ଟିଭ ପେପର ବୁଝିବା ବାହାନାରେ ସେ ସବୁଦିନ ଅଭିଜିତକୁ ଭେଟିବାକୁ ଜିଦ ଧରି ବସୁଥିଲା, ଆଉ ଅଭିଜିତ ବି ତା ଜିଦ ଆଗେ ହାର ମାନିଯାଉଥିଲା । ହଜାରେ ଚେଷ୍ଟା ସତ୍ତ୍ୱେ ବି ଅଭିଜିତ ନିଜକୁ ରୋକିପାରିନଥିଲା । ପରସ୍ପର ମୁହଁ ଖୋଲି ନ କହିଲେ ବି ଦିନେ କେହି କାହାକୁ ନ ଦେଖିଲେ ପାଗଳ ହେଇ ଯାଉଥିଲେ । ସେମାନଙ୍କ ଭିତରେ ଅଙ୍କୁରିତ ଛୋଟିଆ ମଞ୍ଜିଟା ଯେ ଧୀରେ ଧୀରେ ମହାଦ୍ରୁମରେ ପରିଣତ ହେଇସାରିଥିଲା ତାହା ବୋଧ ହୁଏ ସେମାନଙ୍କୁ ଅଛପା ଥିଲା । 


     ଏହା ଭିତରେ ସରିଛି ଦୁଇଟି ବସନ୍ତ । କେବେ ଏ ଗଛ ସବୁ ପତ୍ର ଝଡା ଦେଇଛନ୍ତି ତ କେବେ ଶ୍ରାବଣ ଆଗମନରେ ସବୁଜିମାରେ ଭରିଛନ୍ତି ଏମାନେ । ଆଉ ଦୁଇଟି ନିରୀହ ହୃଦୟ କେବେ ଏ ପ୍ରେମ ରୂପକ ପାହାଚର ସୋପାନ ପରେ ସୋପାନ ଅତିକ୍ରମ କରିସାରିଛନ୍ତି ତାହାର ମୂକସାକ୍ଷୀ ହଷ୍ଟେଲ ସାମ୍ନାର ବେଞ୍ଚ । ହୁଏତ ପ୍ରେମ ବିଷୟରେ ଅଧିକ ଭାବି ଭାବି ଏଥର ସେମିଷ୍ଟର ରେଜଲ୍ଟରେ ସେତେଟା ଖାସ କରିପାରିନି ଅଭିଜିତ, ଆଉ ଏଥିପାଇଁ ତା ମନରେ ଅନେକ ନିରାଶା ଭାବ । ହାତରେ ଆଉ ମାତ୍ର ତିନିଟା ସେମିଷ୍ଟର । ଯେମିତି ହେଲେ ବି ତାକୁ ଗୋଲଡ଼ ମେଡାଲ ମିଳିବା ଦରକାର । ଆଉ ମାତ୍ର କିଛିଟା ଦିନ ପରେ ଚତୁର୍ଥ ସେମିଷ୍ଟର । ଯାହାବି ହେଲେ ତାକୁ କିଛି ଗୋଟେ ଫାଇନାଲ୍ କରିବାକୁ ହେବ । ଆଜି ସ୍ୱାତୀର ଥିଲା ସିକ୍ସଥ ସେମିଷ୍ଟର ପାଇଁ ଫର୍ମ ଫିଲପ । ଦେଖା କରିବାକୁ କହିଛି ଲାଇବ୍ରେରୀରେ । ଆଜି ସ୍ୱାତୀକୁ ସେ ସିଧା ସିଧା କହିଦେବ ଯେ ସେ ତାକୁ ଆଉ ଦେଖା କରିବନି । ଆଉ ସ୍ୱାତୀ ବି ଆଜି ଭାବିକି ଆସିଛି ଯାହା ବି ହଉ, ସେ ଆଜି ତା ମନକଥା ଖୋଲି କହିବ ଅଭିଜିତକୁ । ସକାଳ 10ଟାରୁ ଆସି ଲାଇବ୍ରେରୀ ସାମ୍ନାରେ ବସିଛି ଅଭିଜିତ । ସ୍ୱାତୀ ଆସି ପହଞ୍ଚିଗଲା । ଆଉ କହିଲା ଜାଣିଛୁ ଅଭି ତତେ ଆଜି ଗୋଟେ ବହୁତ important କଥା କହିବାର ଅଛି । ଅଭି କହିଲା ହଁ ମତେ ବି ତୁମକୁ କିଛି କହିବାର ଅଛି । ସ୍ୱାତୀ କହିଲା ଫର୍ମ ଫିଲପ ପାଇଁ ଲାଇବ୍ରେରୀ clearance ଦରକାର, ସେଇଟା ନେଇ ଆସେ ତାପରେ ଆମେ କଥା ହଵା । 


     ସ୍ୱାତୀ ଆଜି ମନେ ମନେ ବହୁତ ଖୁସି । ଯୋଉ କଥା ସେ ଅନେକ ଦିନ ହଵ କହିବ ବୋଲି ଭାବିଥିଲା ଆଜି ତାହା ପୂରଣ ହବାକୁ ଯାଉଅଛି । ଯାହା ହଉ clearance certificate ଆଣିବା ପରେ ସିଧା ଆସିଥିଲା ଅଭିଜିତ ପାଖକୁ । ଆଉ ଅଭିଜିତ ପଚାରିଥିଲା, କଣ କହିବ ବୋଲି କହୁଥିଲ ପରା । ସ୍ୱାତୀ କହିଲା ମୁଁ ଯାହା କହିବାକୁ ଚାହୁଁଛି ତାହା ତତେ ଭଲ ଭାବେ ଜଣା । ଆଉ ଯଦି ସବୁ ଜାଣିକି ଅଜଣା ହଉଛୁ ତେବେ ଠିକ ଅଛି ଶୁଣ, ମୁଁ ତତେ ଭଲ ପାଏ । ଖାଲି ଭଲ ନୁହେଁ ବହୁତ ବହୁତ ବହୁତ ଭଲ ପାଏ । ଆଉ ଏକଥା ବି ଜାଣିଛି ତୁ ବି ମତେ ଭଲ ପାଉ । ତୁ ବି ସେଇ କଥା କହିବାକୁ ଚାହୁଁ ଥିଲୁ ନା । 


     ଅଭିଜିତ ସିଧା ଉତ୍ତର ଦେଲା ନାଁ । ମୁଁ କାହିଁକି ତୁମକୁ ଭଲ ପାଇବି । ମୁଁ ତ କେବଳ ତୁମକୁ ମୋର ଜଣେ ସିନିଅର ବୋଲି ଭାବେ । ଆଉ ହଁ ମୁଁ କହିବାକୁ ଆସିଥିଲି ଯେ ଆଗକୁ ସେମିଷ୍ଟର ଥିବାରୁ ମୁଁ ସବୁବେଳେ ପାଠ ବୁଝେଇବା ପାଇଁ ଲାଇବ୍ରେରୀ କି ହଷ୍ଟେଲ ସାମ୍ନାକୁ ଆସିପାରିବିନି । ଅଭିଜିତ ଠାରୁ ଏଭଳି ଉତ୍ତର ଶୁଣିବାର କେବେ ଆଶା ରଖିନଥିଲା ସ୍ୱାତୀ । ତା ପାଦ ତଳୁ ସତେ ଯେମିତି ମାଟି ଖସି ପଡ଼ିଥିଲା । ଲାଗୁଥିଲା କି ଆକାଶଟା ଯେମିତି ଏହି କ୍ଷଣି ତା ଉପରେ ଛିଡି ପଡିବ । ସେ ଅଭିକୁ ନିଜ ଆଡକୁ ଭିଡି ଆଣି ପଚାରିଲା, ଏ ଅଭି ତୁ ମିଛ କହୁଚୁନା । ମୁଁ ଜାଣେ ତୁ ବି ମତେ ଭଲ ପାଉ । ହେଲେ ତୁ କାହିଁକି ଏମିତି କହୁଛୁ । 


      ଦେଖ ତୁମ ସହ ମିଶିବା କି ତୁମକୁ ପାଠ ବୁଝେଇବାକୁ ତୁମେ ଯଦି ଭଲ ପାଇବା ବୋଲି ଭାବି ନେଇଛ, ତେବେ ସେଇଟା ତୁମ ଭୁଲ । ମୁଁ ତୁମକୁ କେବେ ସେ ନଜରରେ ଦେଖିନି, କି ଏସବୁ ଭଲ ପାଇବା, ପ୍ରେମ କରିବା ଏ ଚକ୍କରରେ ମୁଁ ଏଠିକି ଆସିନି । ଆଉ ହଁ ସେ ସବୁ ମନରୁ କାଢି ନିଜ ପାଠ ପଢା ପ୍ରତି ଧ୍ୟାନ ଦିଅ । ଏସବୁ ଏକା ନିଃଶ୍ୱାସରେ କହି ଅଭିଜିତ ସିଧା ଚାଲିଆସିଥିଲା ତା ରୁମକୁ । ଆଉ କବାଟ ବନ୍ଦ କରି ନିରବରେ ଲୁହ ଢାଳି ଚାଲିଥିଲା ଅବିରତ ଭାବେ । ଆଉ ସ୍ୱାତୀ ସେବେଠୁ ଆଉ କଲେଜ ଆସିନଥିଲା । 


      ଏହା ଭିତରେ ଆସିଥିଲା ଫୋର୍ଥ ଆଉ ସିକ୍ସଥ ସେମିଷ୍ଟର ରେଜଲ୍ଟ । ଅଭିଜିତ ଏଥର ଆସିଥିଲା ପ୍ରଥମ ସ୍ଥାନରେ ଆଉ ସ୍ୱାତୀ ବି । ସବୁ କିଛି ଚାଲିଥିଲା ସ୍ୱତଃପ୍ରବୃତ୍ତ ଭାବେ, ଯାହା ରହିଯାଇଥିଲା ଏମାନଙ୍କ ପ୍ରେମ କାହାଣୀ । ହଠାତ ଦିନେ ସ୍ୱାତୀ ତା ସାଙ୍ଗ ହାତରେ ଅଭିଜିତକୁ ଖବର ଦେଇଥିଲା ଯେ ସେ କାଲି ଦିଲ୍ଲୀ ଚାଲିଯିବ, ତାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ selection ହେଇଯାଇଛି ଉଚ୍ଚଶିକ୍ଷା ପାଇଁ, ଆଉ ଶେଷଥର ପାଇଁ ସେ ଦେଖା କରିବାକୁ ଚାହିଁଥିଲା ଅଭିଜିତକୁ ଷ୍ଟେସନରେ । ଷ୍ଟେସନରେ ଅନେକ ଅପେକ୍ଷା କରିଥିଲା ସ୍ୱାତୀ, ହେଲେ ଅଭିଜିତ ଆସିନଥିଲା । କିନ୍ତୁ ସ୍ୱାତୀ ଜାଣିନଥିଲା ଯେ ଅଭିଜିତ କେତେବେଳୁ ଆସି ଷ୍ଟେସନରେ ଥିଲା ଆଉ ଲୁଚି ଲୁଚି ଦେଖୁଥିଲା ସ୍ୱାତୀକୁ, ଅପେକ୍ଷା କରିଥିଲା ସ୍ୱାତୀ ଟ୍ରେନ ଯିବା ପର୍ଯ୍ୟନ୍ତ । 


     ସତରେ କଣ କେହି କେବେ ଏତେ ନିଷ୍ଠୁର ହୋଇପାରେ, ମନେ ମନେ ଭାବୁଥିଲା ସ୍ୱାତୀ, ଯାହାକୁ ସେ ଏତେ ଭଲ ପାଉଥିଲା, ଯାହାକୁ ନେଇ ସେ ଏତେ ସ୍ୱପ୍ନ ଦେଖିଥିଲା ସବୁ କିଛି ପାଣି ଫୋଟକା ପରି ମିଳେଇଯାଉଥିଲା । ଅଭିଜିତକୁ ସବୁଦିନ ପାଇ ଭୁଲିବାର ନିଷ୍ପତ୍ତି କରିସାରିଥିଲା ସେ । 


    ଏହା ଭିତରେ ବିତିଛି ଅନେକ ବର୍ଷ । ଅଭିଜିତ ଏବେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ଏକ ଉଚ୍ଚପଦବୀରେ ଅଧିଷ୍ଠିତ । ଆଉ ସ୍ୱାତୀର ଏହା ଭିତରେ ଅନେକ ପରିବର୍ତ୍ତନ ଘଟିଛି । ଦିଲ୍ଲୀରୁ ପାଠ ପଢା ସରିବା ପରେ ଲଣ୍ଡନ ଯାଇ ଗବେଷଣା ସାରି ଫେରିଛି ସେ । ଦୁଇ ବର୍ଷ ପୂର୍ବରୁ ବିଜୟ ବାବୁଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇସାରିଛି । ଅଭିଜିତ ପରେ ଆଉ କାହାକୁ ଭଲ ପାଇବାର କି ବିବାହ କରିବାର ସାହସ ଜୁଟେଇ ପାରିନି ସେ । ଏକା ଏକା ଜୀବନ ବିତେଇବାର ନିଷ୍ପତ୍ତି ନେଇସାରିଛି ସେ । ଲଣ୍ଡନରୁ ଫେରିବା ପରେ ଅନେକ ଜାଗାରୁ ଅଫର ଆସିଛି । ହେଲେ କୋଉଠି ସେ ଚାକିରୀ କରିବ କି ନିଜ ବାପାଙ୍କ ବ୍ୟବସାୟକୁ ଆଗକୁ ବଢ଼େଇବ ସେ ନିଷ୍ପତ୍ତି ନେଇପାରିନି । ସକାଳୁ ସକାଳୁ ଏକ unknown ନମ୍ବରରୁ ମେସେଜ । ହାପି ବର୍ଥଡେ ମିସ ଫିଜିକ୍ସ ଟପ୍ପର । ଯଦି ସନ୍ଧ୍ୟା 7ଟା ବେଳେ ଟିକେ ସମୟ ମିଳେ ତେବେ ତଳେ ଦିଆଯାଇଥିବା ଠିକଣାରେ ଆସି ପହଞ୍ଚିବ । ଆଜି ତାର ବର୍ଥଡେ, ଏକଥା ତ ସେ କେବେଠୁ ଭୁଲିସାରିଥିଲା । ବାପା ଥିଲା ବେଳେ ସେ ତାକୁ ସକାଳୁ ସକାଳୁ wish କରୁଥିଲେ । ଆଉ ବାପାଙ୍କ ଲଗାତାର ଦେହ ଖରାପ ଆଉ ମୃତ୍ୟୁ ପରେ ସେ ଭୁଲି ସାରିଥିଲା ତା ଜନ୍ମଦିନକୁ । ଆଜି ହଠାତ ଏମିତି କିଏ ମେସେଜ କଲା ଯିଏ ତା ବର୍ଥଡେ ମନେ ରଖି ତାକୁ wish କରିବ । ଆଉ ତାହା ପୁଣି ଅଜଣା ନମ୍ବରରୁ । ହୁଏତ କୋଉ ସାଙ୍ଗ ହେଇଥିବ । କିନ୍ତୁ ସାଙ୍ଗମାନେ ତ କେବଳ certificate ବର୍ଥଡେ ଜାଣିଛନ୍ତି, ଆଉ ସେମାନେ ବି ଗୋଟେ ଫର୍ମାଲିଟି ପାଇଁ wish କରନ୍ତି ଯାହା । 


    ତାର ମନେ ପଡୁଥିଲା କଲେଜ ବେଳର ସେ କଥା । ଜନ୍ମଦିନ ପୂର୍ବ ଦିନ ସେ ପଚାରିଥିଲା ଅଭିଜିତକୁ, ଆରେ ଅଭି ତୁ କାଲି ମତେ କୋଉ ଗିଫ୍ଟ ଦବୁ । ଅଭଜିତ ପଚାରିଥିଲା କାହିଁକି କାଲି କଣ କି..?ଆରେ ବୁଦ୍ଦୁ କାଲି ମୋର ତିଥି ଅନୁସାରେ ଜନ୍ମଦିନ । ଅଭିଜିତ ତାପରଦିନ ସକାଳୁ ଉଠି କଲେଜ ସାରା ଲୁଚି ଲୁଚି ଫୁଲ ଆଉ କିଛି ସୁନ୍ଦର ରଙ୍ଗ ବେରଙ୍ଗର ପତ୍ର ଆଣି ତା ପାଇଁ ଗୋଟେ ସୁନ୍ଦର ଫୁଲତୋଡା ବନେଇଥିଲା । ଆଉ କ୍ୟାମ୍ପସ ବାହାରେ ଥିବା ଶିବ ମନ୍ଦିରରେ ପୂଜା କରି ତା ପାଇଁ ପ୍ରସାଦ ଆଣି ଯେତେବେଳେ ତାକୁ ଦେଇଥିଲା, ସ୍ୱାତୀ ପଚାରିଥିଲା ଏସବୁ କଣ ପାଇଁ । ଅଭି ଉତ୍ତର ଦେଇଥିଲା ମୋ ଜନ୍ମଦିନରେ ମୋ ମାଆ ସକାଳୁ ଉଠି ଆମ ଗାଆଁ ମନ୍ଦିରକୁ ଯାଇ ପୂଜା କରନ୍ତି । ସେଥିପାଇଁ ମୁଁ ତୋ ପାଇଁ ପୂଜା କରି ଆସିଲି । ହେଲେ କାହିଁକି କେଜାଣି ଅଭିଜିତ ତା ସହ ଏମିତି କଲା, ତା ପ୍ରେମକୁ ପ୍ରତ୍ୟଖ୍ୟାନ କଲା, ସେ ବେଳେ ବେଳେ ବୁଝିପାରେନା । କୋଉଠି ତା ଭୁଲ ରହିଗଲା ସେ ଜାଣି ବି ପାରିଲାନି । 


     ହେଲେ କିଏ ଏମିତି ହଠାତ ତାକୁ wish କରି ଦେଖା କରିବାକୁ ଡାକିଛି ବଡ ଦ୍ଵନ୍ଦ୍ୱରେ ପଡିଯାଇଥିଲା ସେ । ଯିବ କି ନାହିଁର ଦୋ ଛକିରେ ଛିଡା ହେଇ ଭାବୁ ଭାବୁ ଘଣ୍ଟାରେ ବାଜି ସାରିଥିଲା ସନ୍ଧ୍ୟା ଛଅଟା । ଭାବିଲା ଦେଖିବାକୁ ତ ପଡିବ କିଏ ଡାକିଛନ୍ତି । ଦିଆଯାଇଥିବା ଠିକଣାରେ ପହଞ୍ଚିଗଲା ସନ୍ଧ୍ୟା ଠିକ ସାତରେ । ସହର ଉପକଣ୍ଠରେ ଥିବା ଏକ ସୁନ୍ଦର ରିସର୍ଟର ଠିକଣା ଥିଲା ସେଇଟା । ବହୁତ ସୁନ୍ଦର ଭାବେ ସୁସଜ୍ଜିତ ହେଇଥିଲା । ଲାଗୁଥିଲା କିଛି ବିବାହ କିମ୍ବା ଉତ୍ସବର ଆୟୋଜନ କରାଯାଇଥିଲା ସେଠି । କିଛି ସମୟ ସେଠିକାର lawnରେ wait କରିବା ପରେ ହଠାତ ପୋର୍ଟିକୋରେ ଆସି କାର ଲାଗିଥିଲା । ଆଉ କାରରୁ ବାହାରିଲେ ଜଣେ ସୌମ୍ୟଦର୍ଶନ ଯୁବକ । ଆଉ ସିଧା ଆସୁଥିଲେ ସ୍ୱାତୀ ଆଡକୁ । କିଛି ବୁଝିବା ଆଗରୁ ସ୍ୱାତୀ ସାମ୍ନାରେ ଆଣ୍ଠେଇ ପଡ଼ି ସୁନ୍ଦର ଫୁଲତୋଡାଟିଏ ହାତକୁ ବଢ଼ାଇ ଦେଇ କହିଲେ, ମୁଁ ତୁମକୁ ଭଲ ପାଏ ପ୍ରାଣପ୍ରିୟା, ମୋର ପ୍ରେମ ନିବେଦନକୁ ସ୍ୱୀକାର କର । ଏସବୁ ଶୁଣି ହଠାତ ଆଶ୍ଚର୍ଯ୍ୟ ହୋଇଗଲା ସ୍ୱାତୀ । ନିଜକୁ ବିଶ୍ୱାସ କରିପାରିନଥିଲା ସେ । ହଁ ସେ ଯୁବକ ଜଣଙ୍କ ଥିଲେ ଅଭିଜିତ । 

ଦୁହେଁ ଦୁହିଁଙ୍କୁ ନିବିଡ଼ ଭାବେ ଭିଡି ଧରିଥିଲେ ସେଦିନ । ଯେମିତି କାହିଁ କେତେ ଯୁଗର ଵିଚ୍ଛେଦ ପରେ ସେମାନେ ହୋଇଥିଲେ ଏକାଠି । ସ୍ୱାତୀକୁ ଚେୟାର ଉପରେ ବସେଇ ତାଙ୍କ ସାମ୍ନାରେ ଆଣ୍ଠେଇପଡି ଗୋଟି ଗୋଟି କରି ସବୁ କିଛି ଏକା ନିଃଶ୍ୱାସରେ କହିଚାଲୁଥିଲା ଅଭିଜିତ । କେମିତି ନିଜ ପାଠ ପଢା ଆଉ ନିଜ ବାପାଙ୍କର ସ୍ୱପ୍ନକୁ ପୁରଣ କରିବାକୁ ସେ ସ୍ୱାତୀକୁ ସେଦିନ ମନା କରିଥିଲା, ଆଉ କେମିତି ଷ୍ଟେସନକୁ ଲୁଚି ଲୁଚି ଯାଇଥିଲା । ଆଉ ପ୍ରତିଟି ମୁହୂର୍ତ୍ତ କେମିତି ତା ଭାବନାରେ ବିତୁ ଥିଲା । ରାତି ବଢିବା ସହ କେମିତି ଦୁଇ ହୃଦୟର ମିଳନ ଘଟୁଥିଲା ଦୂର ଆକାଶରେ ବାଦଲ ଫାଙ୍କରେ ଲୁଚି ଲୁଚି ଦେଖୁଥିଲା ଜହ୍ନ । । 



Rate this content
Log in

Similar oriya story from Romance