BiswaRanjan Sahoo

Others

4.6  

BiswaRanjan Sahoo

Others

ମୋ ପ୍ରେମିକାର ବାହାଘର

ମୋ ପ୍ରେମିକାର ବାହାଘର

8 mins
192


ଆଜି ତା'ର ବାହାଘର..!!


କାହାର..!!


ଆଜି ମୋ ପ୍ରେମିକାର ବାହାଘର । ରାତି ପାହିଲେ ସେ ପାଲଟିଯିବ ଆଉ କାହା ଘରର, ଆଉ କାହା ବଂଶର କୂଳବଧୁ । 

ତା ହାତରୁ ପାଣି ପାଇବେ ସେ ବଂଶର ପିତୃପୁରୁଷ ମାନେ । ହେଲେ ମୁଁ..!!ଭିତରୁ ଭିତରୁ ଖଣ୍ଡ ଖଣ୍ଡ ହେଇ ସାରିଲିଣି ମୁଁ । ଧୈର୍ଯ୍ୟର ସବୁ ସୀମା ସରିଗଲାଣି । ମତେ ଜାଣିଥିବା ଆଉ ମୋ ପ୍ରେମକୁ ଜାଣିଥିବା ସମସ୍ତଙ୍କୁ ଲାଗୁଛି, ମୋର ବୋଧହୁଏ ହୃଦୟ ନାହିଁ, ପଥର ପାଲଟି ସାରିଛି ମୁଁ । ବୁଝିପାରୁନାହାନ୍ତି ନା, ମୁଁ ବି ବୁଝିପାରୁନି, ହେଲେ ବୁଝେଇବି ମୁଁ, କାହିଁକିନା ଶୁଣିଛି ଦୁଃଖ ବାଣ୍ଟିଲେ କୁଆଡେ ମନ ହାଲକା ହେଇଯାଏ । କିନ୍ତୁ ଏ ଅସରନ୍ତି ଦୁଃଖକୁ ମୁଁ ବାଣ୍ଟିବି କାହା ସହ । ଆଖିରୁ ଲୁହ ବି ସରି ଆସିଲାଣି । ଜୀବନରେ ବି ବେଳେ ବେଳେ ସତସତିକା ଅଭିନୟ କରିବାକୁ ପଡେ । ହେଇ ଯେମିତି ମୁଁ କରୁଛି । ମାନେ ଛାତିରେ ଛାତିଏ କୋହକୁ ଚାପି ଧରି କେମିତି ମୁଁ ହସୁଛି । ଦେଖିଲା ଲୋକ ଭାବୁଥିବେ, ଏ ମାହୋଲରେ ବୋଧହୁଏ ସବୁଠୁ ଖୁସି ଥିବା ମଣିଷଟା ମୁଁ । ହଉ ଯଦି ଏତେ ବାଟ ଆସିଲେଣି ମୂଳରୁ ହିଁ ଶୁଣି ନିଅନ୍ତୁ..!!


ତା ସହ ମୋ ସମ୍ପର୍କ ସ୍କୁଲ ବେଳୁ । ଆମ ଗାଆଁ, ତା ପରେ ତାଙ୍କ ଗାଆଁ, ତା ପରେ ଆଉ ଦୁଇଟି ଗାଆଁ ଛାଡିଲେ ଆମ ସ୍କୁଲ । କହିବାକୁ ଗଲେ ପାଞ୍ଚ କି ଛଅ କିଲୋମିଟର ହବ ଘରଠାରୁ ଆମ ସ୍କୁଲର ଦୂରତା । ସେ ସ୍କୁଲରୁ ହିଁ ଆମ ଚିହ୍ନା ପରିଚୟ । ଧୀରେ ଧୀରେ ବନ୍ଧୁତା ବଢ଼ିଲା । ଏକା କ୍ଲାସ ଆଉ ସ୍କୁଲ ଯିବା ଆସିବା ବେଳେ ସାଇକେଲ ନେଇ ସାଙ୍ଗରେ ଯାଉ ଯେତେବେଳେ ବନ୍ଧୁତାଟା ହଵା ସ୍ୱାଭାବିକ କଥା । କାହିଁକି କେଜାଣି ତା ସହ ଗପି ଗପି ଗଲେ ମତେ ବାଟ ଜଣା ପଡେନି । କି କୋଉଦିନ ଯଦି ସାରଙ୍କଠୁଁ ଉତ୍ତମ ମଧ୍ୟମ ମିଳିଥାଏ, ଫେରିଲା ବେଳେ ତା ସହ ଗପିକି ଆସିଲେ ସେ କଷ୍ଟ ଆଉ ଦୁଃଖ ବି ମୋର କୁଆଡେ ଉଭାନ ଯେମିତି ହେଇଯାଏ । କିନ୍ତୁ ସେ ଅନୁଭବକୁ ଯେ ପ୍ରେମ ବୋଲି କୁହାଯାଏ, ସେଇଟା ଜାଣିବାକୁ ଆହୁରି ଢେର ଦିନ ଲାଗିଗଲା । 


ସ୍କୁଲ ସରିଲା ପରେ କଲେଜ । ଅବଶ୍ୟ ଭଲ ମାର୍କ ରଖି ଆମେ ଉତ୍ତୀର୍ଣ୍ଣ ହେଇଥିଲୁ । ପଢ଼ିଲୁ ଟାଉନ କଲେଜରେ । ନିତିଦିନ ବସରେ ଯିବା ଆସିବା । ସାଇନ୍ସ ପଢିବାକୁ ଭାରି ଇଚ୍ଛା ଥିଲା, ହେଲେ ସେ ଆର୍ଟସ ନେଲା ବୋଲି ମୁଁ ବି ନେଇଗଲି । କିନ୍ତୁ ତା ପାଇଁ ମୁଁ ଆର୍ଟସ ନେଇଛି ସେ ଜାଣିଲା ବହୁତ ପରେ । ଦିନେ ବସରେ ଯାଉ ଯାଉ ଆମ କଲେଜର କିଛି ପିଲା ତାକୁ କମେଣ୍ଟ କଲେ । ବସ ରହିଲା ପରେ ହିରୋ ଷ୍ଟାଇଲରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ଧମକେଇଲି । ହେଲେ ସେମାନେ ଥିଲେ ଚାରି କି ପାଞ୍ଚ ଆଉ ମୁଁ ଏକା । ଭଲ ରକମର ଝଗଡାଟିଏ ହେଲା । ତାଙ୍କୁ ଦୁଇ ଚାରିଟା ଦବା ଚକ୍କରରେ ମୁଁ ବହେ ମାଡ଼ ଖାଇଗଲି । ଅବସ୍ଥା ସାଙ୍ଘାତିକ । କଲେଜ ଡ୍ରେସ ଚିରିବା ସହିତ, ମୁଁହର ନକ୍ସାରେ ପରିବର୍ତ୍ତନ । ବୁଝିପାରୁଥିବେ..!!ମନେ ମନେ ଭାବୁଥାଏ ଏତେ ବାହାଦୁରୀ ଦେଖେଇବାର କଣ ଥିଲା..!!ଯାହା ବି ତା ପରଠୁ କେବେ ଆଉ ସେମାନେ କମେଣ୍ଟ ମାରିନାହାନ୍ତି । ଏ ଘଟଣା ବେଳେ ସେ ବି ମୋ ସହ ଥିଲା । କଲେଜ ବାରଣ୍ଡାରେ ନେଇ ମତେ ବସେଇ, କମନ ରୁମରେ ଥିବା ଫାଷ୍ଟ ଏଡ଼ ବକ୍ସ ଆଣି ମୋ କ୍ଷତ ଜାଗାରେ ସ୍ପିରିଟ ଆଣି ମାରୁଥିବା ବେଳେ ପଚାରିଲା..


-ଏତେ ହିରୋଗିରି ଦେଖେଇବାର କଣ ଥିଲା..!!


-ସେମାନେ ତତେ କମେଣ୍ଟ ମାରିବେ ଆଉ ମୁଁ ଛାଡ଼ିଦେବି..!!


-ମୁଁ ଝିଅଟେ, ରାସ୍ତାରେ ଗଲେ କେହି ନା କେହି, କିଛି ନା କିଛି କମେଣ୍ଟ କରିବେ, ତୁ କଣ ସମସ୍ତଙ୍କ ସହ ଲଢେ଼ଇ କରିବୁ..!!


-ହଁ..କରିବି..କେହି ଯଦି ତତେ କିଛି ବି କହେ ତାକୁ ଛାଡିବିନି, ଅବଶ୍ୟ ସେଥିପାଇଁ ମାଡ଼ ଖାଏ ପଛେ । 


-କାହିଁକି..??


-କାହିଁକି ନାଁ ମୁଁ ତତେ ଭଲ ପାଏ । 


ମନ କଥାଟା ହଠାତ ଏମିତି ଓଠ ଦେଇ ଡେଇଁ ଆସିବ ବୋଲି, ମୁଁ ବି ଭାବିନଥିଲି । ଅବଶ୍ୟ ତା କିଛି ସମୟ ପରେ, ମୁଁ ନିଜକୁ ଆବିଷ୍କାର କଲି, ତା ବାହୁ ବନ୍ଧନରେ, ଯାହା ପରୋକ୍ଷ ଭାବେ ଇଙ୍ଗିତ କରୁଥିଲା, ସେ ବି ମତେ ସେତିକି ଭଲ ପାଏ, ଯେତିକି ମୁଁ ତାକୁ । 


ସମୟ ଗଡି ଚାଲିଲା ଆଉ ତା ସହ ଆମ ପ୍ରେମ ବି । ବହୁତ ଝଡ଼, ଝଞ୍ଜା ଅତିକ୍ରମ କରି ଆଗେଇ ଚାଲିଥିଲା ଆମ ପ୍ରେମ । ବହୁତ ଥର ଆମ ଝଗଡା ହୁଏ, ଆଉ କଥା ସରେ ଅଲଗା ହବାରେ, କିନ୍ତୁ ତା ପର ଦିନକୁ ଯୋଉ କଥାକୁ ସେଇ କଥା । କେହି କାହାକୁ ନ ଦେଖିଲେ ବଞ୍ଚିପାରିବୁନି ଯେମିତି । କଲେଜ ଛୁଟି ଥିଲେ ତା ଘରକୁ ମୁଁ ଚାଲିଯାଏ, ନୋଟ ନବା ବାହାନାରେ । ଅବଶ୍ୟ କେହି ସନ୍ଦେହ କରନ୍ତିନି । ସମସ୍ତେ ଭାବନ୍ତି ଆମେ ଦୁହେଁ ଭଲ ସାଙ୍ଗ । ହେଲେ ତା ବଡ଼ ନାନୀ ସବୁ ବୁଝନ୍ତି । ତାକୁ ଦେଖି ଚାହିଁ ମୋ ସହ ମିଶିବାକୁ ପରାମର୍ଶ ଦିଅନ୍ତି । ସେଠି ସିନା ସେ ହଁ ହାଁ ମାରିଦିଏ, ହେଲେ ପୁଣି ଯୋଉ କଥାକୁ ସେଇ କଥା । 


ତା ସହ ଝଗଡା ହେଲେ ରାଗରେ ମୁଁ ଅନେକ କଥା କହିଦିଏ । ହେଲେ ତାକୁ ଆଉ କେହି ଯଦି ପଦଟେ କହିଦିଏ, ମୋ ଦେହରେ ନିଆଁ ଲାଗିଯାଏ । ହୁଏତ ଏଇଟା ହିଁ ଭଲ ପାଇବା ବୋଧହୁଏ । ଗ୍ରାଜୁଏସନ ପରେ ତା ପାଠ ପଢ଼ାରେ ଡୋରି ବନ୍ଧା ହେଲା । ଆଉ ମୁଁ ଆଗକୁ ପଢ଼ିଲି । ଚାକିରୀ ପାଇବା ଆଶାରେ ଆଉ ତାକୁ ବି । ପଢା ସହ କମ୍ପିଟେଟିଭ ବି ଦଉଥାଏ । 


ଦିନେ ତା କଥା ଶୁଣି ମୋ ମୁଣ୍ଡରେ ବଜ୍ର ପଡିଲା ଯେମିତି..!!


-ଜାଣିଛୁ ଆଜି ମତେ ଦେଖିବାକୁ ଆସିଥିଲେ..!!


-ମାନେ..!!


-ମାନେ କଣ ଆଉ..!!ମୋ ବାହାଘର ପାଇଁ ପ୍ରସ୍ତାବ ଖୋଜା ଚାଲିଛି । ସେଥିପାଇଁ ପୁଅ ଘର ତରଫରୁ ଆସିଥିଲେ ଦେଖିବାକୁ । 


-ପାଗଳ ହେଇଗଲୁଣୁ ନା କଣ..!!


-ଆଉ କଣ ମୁଁ ତତେ ମିଛ କହୁଛି..!!


-ଶୁଣ ତୁ ଖାଲି ମୋର । ଯଦି ଘରେ ବାଧ୍ୟ କରୁଛନ୍ତି ସିଧା ସିଧା କହିଦେ, ମୁଁ ଆଉ ଗୋଟେ ପିଲାକୁ ଭଲ ପାଉଛି । 


-କେମିତି କହିବି, ମତେ ଭାରି ଡର ଲାଗୁଛି । ବାପା ଏକଥା ଜାଣିଲା ପରେ ପ୍ରଳୟ ହେଇଯିବ । 


-ହଉ, ଆଜି ନ ହେଲେ କାଲି ତ ଜାଣିବେ ନା..!!


-ହେଲେ ତାକୁ ସାମ୍ନା କରିବାର ସାହସ ମୋର ନାହିଁ । 


-ମାନେ ତୁ କହୁଛୁ ଯେ ବାପା, ମାଆ ଯୋଉଠି ଠିକ କରିବେ ତୁ ସେଇଠି ରାଜି ହେଇଯିବୁ । 


-ମୋ ପାଖରେ ଆଉ କିଛି ଉପାୟ ବି ନାହିଁ । 


-ତୋ ମୁଣ୍ଡ ଫୁଣ୍ଡ ଠିକ ଅଛି ତ..!!ହଉ ଶୁଣ ଯଦି ସେମିତି କିଛି ହୁଏ, ତୁ ମୋ ସହ ପଳେଇଆସିବୁ । 


-ନାଁ.. ମୁଁ କେବେ ସେମିତି କରିପାରିବିନି..!!


-ଘରେ କହିପାରିବୁନି..!!ମୋ ସହ ଆସି ବି ପାରିବୁନି । ତା ହେଲେ ଆମ ପ୍ରେମ, ଆମ ଭଲ ପାଇବା ଏ ସବୁ କଣ ମିଛ । 


କାନ୍ଦି ପକେଇଲା ସେ । ମୁଁ ବି ଫୋନ କାଟିଦେଲି । ବହୁତ ରାଗ ଆସୁଥାଏ ମତେ । ଲାଗିଲା ପ୍ରେମ, ଭଲ ପାଇବା ଏସବୁ ମିଛ କଥା ବୋଲି । କ୍ଲାସ କରିପାରିଲିନି । ଚୁପଚାପ ଆସି ଏକା ବସି କାନ୍ଦିବାକୁ ଲାଗିଲି ଗୋଟେ ଜାଗାରେ । ମୋ ସାଙ୍ଗ ଶିବୁ, ସାଙ୍ଗ ତ ନୁହଁ ନିଜ ଭାଇ ଠାରୁ ବି ଅଧିକ, ମତେ ଖୋଜି ଖୋଜି ଆସି ପହଞ୍ଚିଗଲା । 


-ଆରେ କ୍ଲାସ କରିବୁନି କି..!!


-ନାଁ ଇଚ୍ଛା ନାହିଁ..!!


-ଆରେ ତୁ କଣ କାନ୍ଦୁଛୁ..!!


-କାହିଁ, ନାହିଁତ..!!


-ଆଖିଟା ଫୁଲିକି କେଡେ ଜୋରରେ ଲାଲ ପଡିଛି, ମତେ ମିଛ କହୁଛୁ..!!କଣ କିଛି ଝଗଡା ହେଇଛି ତା ସହ..!!


ଶିବୁକୁ ଧରି କାନ୍ଦି କାନ୍ଦି ସବୁ କଥା କହିଲି..!!


-ଆରେ ଏଇ କଥା ପାଇଁ କାନ୍ଦୁଛୁ । ଆଛା କହିଲୁ ତୁ ତାକୁ ନେଇ ଆସିବାର ଯୋଉ କଥା କହୁଛୁ, ଆଣିକି କଣ କରିବୁ । 


-ବାହା ହେବି । 


-ସେଇଟା କଣ ମୁଁ ଜାଣିନିକି..!!ହେଲେ ତାକୁ ଚଳେଇବୁ କେମିତି..?ନାଁ ସେଇଟା ବି ତୋ ବାପା ଚଳେଇବ । ତା ବାପା ମାଆ ତା ପାଇଁ ଯୋଗ୍ୟ ପିଲାଟିଏ ଖୋଜୁଥିବେ । ତୁ ଯୋଗ୍ୟ ହେଇ ଯାଆ । ସିଧା ଯାଇ ତା ଘରେ କହ । ଆଉ କିଛି କୁଆଡେ ନ କରି କଣ ନା ମୁଁ ନେଇ ଆସିବି, ବାହା ହେବି । 


-ହେଲେ ସେ ଅପେକ୍ଷା କଲେ ତ..!!


-ଆଉ କଣ ଏଇ ସଙ୍ଗେ ସଙ୍ଗେ ତା ବାହାଘର ହେଇ ଯାଉଛି..!!ତୁ ସେଇ ଭିତରେ କିଛି କରିବାକୁ ଟ୍ରାୟ କର । 


ପାଠ ପଢାକୁ କିଛି କ୍ଷଣ ବିରତି ଦେଇ ଖୋଜି ଚାଲିଲି ଚାକିରୀ । ଲକ୍ଷ୍ୟ ଗୋଟେ, ଯୋଗ୍ୟ ହେବି ଆଉ ତାକୁ ହିଁ ବାହା ହେବି । ସରକାରୀ ନ ହେଲେ ନାହିଁ, ବେସରକାରୀ ହଉ ପଛେ । କିନ୍ତୁ ଭଲ ଚାକିରୀଟିଏ କରିବି । ତାକୁ ବାହା ହେବି ଆଉ ଖୁସିରେ ରଖିବି । ରାଜଧାନୀକୁ ବାହାରି ପଡ଼ିଲି ସେଇ ଆଶାରେ । ଚାକିରୀଟିଏ କଲି ସତ । ହେଲେ ସେତେ ଭଲ ନୁହଁ । ଆଗକୁ ଯିବା ଆଶାରେ ଦିନ ରାତି ଏକ କରି ପରିଶ୍ରମ କଲି । ଆଉ ସେଇ ଭିତରେ ଆମ କଥାବାର୍ତ୍ତା ବି ଧୀରେ ଧୀରେ କମି ଆସୁଥାଏ । ଜୀବନର ଦୌଡ଼ରେ ହାରିଗଲି । ଦିନେ ଫୋନ ଆସିଲା ତାର..


-ମୋ ବାହାଘର ଠିକ ହେଇଯାଇଛି । ଏଇ ମାସ ଏକୋଇଶରେ । ଫୋନରେ କାର୍ଡ ପଠେଇ ଦେଇଛି । ନ ଆସିବାକୁ ଚେଷ୍ଟା କରିବୁ । ଆଉ ହଁ ମତେ ଭୁଲିଯିବୁ । 


ଫୋନ ରଖିଦେଲି । ମୋ ପାଟିରେ କହିବାକୁ ଆଉ କିଛି ଶବ୍ଦ ନ ଥିଲା । ସ୍ଥାଣୁ ପାଲଟିଗଲି କିଛି ସମୟ ପାଇଁ । କେତେ ସମୟ ପାଇଁ ଜାଣେନା । ଆଖି ଦେଇ ଲୁହ ଗୁଡା ବୋହି ଚାଲିଥାଏ ଅମାନିଆ ଭାବେ । ତା ପରଠୁ ଏମିତି ଗୋଟେ ରାତି ନାହିଁ ଯେବେ ମୁଁ କାନ୍ଦିନି । ଅଫିସରୁ ଚାରି ଦିନ ଛୁଟି ନେଇ ଗାଆଁକୁ ଆସିଲି । ଶିବୁକୁ ସବୁ କଥା କହିଲି । ସେ ବୁଝେଇଲା, ବହୁତ ବୁଝେଇଲା । ହେଲେ ତାର ସେ କଥା ମୋ ମୁଣ୍ଡରେ କିଛି ପଶୁ ନଥାଏ । 


ଆଉ ଆଜି ତାର ବାହାଘର । ସେ ମତେ ମନା କରିଥିଲା ଆସିବାକୁ । ହେଲେ ମୁଁ ଆସିଲି । ତା ବଧୁ ବେଶ ଦେଖିବାକୁ । ଯୋଉ ବଧୁ ବେଶ ହେଇ ସେ ଦିନେ ମୋ ଏରୁଣ୍ଡି ଡେଇଁ ଆସିଥାନ୍ତା ମୋ ଘରକୁ । ସେ ଭାଗ୍ୟତ ଏ ଜନ୍ମରେ ହବନି, ଅନ୍ତତଃ ତାକୁ ଶେଷ ଥର ପାଇଁ ଦେଖିନିଏ । ଶିବୁକୁ ନେଇ ଚାଲିଲି ତାଙ୍କ ଘରକୁ । ତା ବାପା ଆଉ ନନା ମୁଁ ଆସିଛି ଜାଣି ଖୁସି ହେଲେ । ସେ ଜାଗାରେ ସବୁ ଖୁସି ଥିଲେ, ବୋଧହୁଏ ଦୁଇ ଜଣଙ୍କୁ ଛାଡି, ଜଣେ ମୁଁ ଆଉ ଜଣେ ସେ । ଭାରି ଇଚ୍ଛା ଥିଲା ତାକୁ ଯାଇ ଟିକେ ଦେଖିବାକୁ । ହେଲେ ପାରିଲିନି । 


ବୁଝି ପାରୁଥିଲି ସେଦିନ ସେ କାହିଁକି ମନା କରୁଥିଲା ମୋ ସହ ଆସିବାକୁ । ସେଦିନ ତା ଘର ଲୋକଙ୍କ ଜାଗାରେ ନିଜକୁ ଠିଆ କରି ଦେଖୁଥିଲି । ବାପାଟିଏ, କେତେ ଆଶା ରଖିଥାଏ, ଝିଅକୁ ବାହା କରିବ, ତା ସୁଖର ସଂସାର ଦେଖିବ । ସେଦିନ ତା ବାପାଙ୍କ ମୁହଁ ଦେଖି ଜାଣିପାରୁଥିଲି ସେ ସବୁ । ସେ ଯଦି ମୋ ସହ ପଳେଇ ଆସିଥାନ୍ତା, ତେବେ ଏଇ ହସ ହସ ମୁଁହଟା ଲଜ୍ଜ୍ୟା ଆଉ ଅପନିନ୍ଦାରେ କେବେଠୁ ତଳକୁ ହେଇ ସାରନ୍ତାଣି । ଝିଅ ପରା ଘରର ଇଜ୍ଜତ । ଘରେ ସାହି ଭାଇଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପୁରା ଭର୍ତ୍ତି । ତା ବାପା କହୁଥାନ୍ତି ମତେ, ଆରେ ପୁଅ ଆଉ କିଛି ସମୟ ପରେ ବରଯାତ୍ରୀ ମାନେ ଆସି ପହଞ୍ଚିଯିବେ, ତମେ ଟିକେ ଦେଖାଶୁଣା କରିବ । 


ଇଚ୍ଛା ହେଉଥିଲା, ସେଇଠି ବଡ଼ ପାଟିରେ ଚିଲ୍ଲେଇ ଚିଲ୍ଲେଇ କହିବାକୁ ଯେ ଏଇଠି ବନ୍ଦ କରିଦିଅ ଏ ବାହାଘର । ମୁଁ ତାକୁ ଭଲ ପାଏ । ଭାବୁଥିଲି ଧରି ନେବି ତା ବାପାଙ୍କ ଗୋଡ଼ । ସବୁ କଥା କହିଦେବି, ଯେ ମୁଁ ତାକୁ କେତେ ଭଲ ପାଏ । ମାନୁଛି ଘର ଟିକେ ଛୋଟ ହବ । ମାନୁଛି ଦାମୀକିଆ ଜିନିଷ ତାକୁ କିଣିକି ଦେଇପାରିବିନି । ମାନୁଛି ନିଜ ଆବଶ୍ୟକତା ଟିକେ କମେଇବାକୁ ପଡିବ । ହେଲେ ବହୁତ ଖୁସିରେ ରଖିବି ତାକୁ । ଜୀବନ ଥିବା ଯାଏଁ ଭଲ ପାଉଥିବି ତାକୁ । 


କହି ପାରିଲିନି । ଶିବୁ ଧରିନେଲା । ନ ହେଲେ ଭୋ ଭୋ ହେଇ କାନ୍ଦି ପକେଇଥାନ୍ତି । ଶିବୁ କହୁଥାଏ ଚାଲ ଏଠୁ ପଳେଇବା । ହେଲେ ମୋର ଏକା ଜିଦ ତାକୁ ଦେଖିଲେ ହିଁ ଏଠୁ ଯିବି । ଶିବୁ ଜାଣିଥାଏ ଯେ ତାକୁ ଦେଖିଲେ ମୁଁ ନିଜକୁ ସମ୍ଭାଳି ପାରିବିନି । 

ମତେ ଭିଡି ଭିଡି ନେଉଥାଏ । ହେଲେ ମୁଁ ଯିବା ପାଇଁ ନାରାଜ । କେମିତି ଯାଇଥାନ୍ତି । ମତେ ଲାଗୁଥାଏ ଯେମିତି ମୋ ଦେହ କିଏ ଖଣ୍ଡ ଖଣ୍ଡ କରି ନେଇ ଯାଉଥାଏ । ତା ବିନା ବଞ୍ଚିବା ଥିଲା ମୋ ପାଇଁ ଅସମ୍ଭବ । ପିଲାବେଳେ ଆପଣଙ୍କ ଖେଳନାରେ ଅନ୍ୟ କିଏ ଭାଗ ବସେଇଛନ୍ତି କି..!!ଦେଖିବେ କେମିତି ଲାଗେ ।  

ସେ ତ ଥିଲା ମୋ ଜୀବନ । ମୋ ଜୀବନ ଚାଲିଯାଉଥିଲା ମୋ ପାଖରୁ । କେମିତି ଲାଗିବ କୁହନ୍ତୁ ତ..!!


ଜାଣିନଥିଲି ସେ ଜାଣିଛି କି ନାହିଁ ମୁଁ ଆସିଛି ବୋଲି । ଜାଣିଥିବ ବୋଧହୁଏ, ତା ନାନୀ ମତେ ଦେଖି ସାରିଥିଲେ କେତେବେଳୁ । ସବୁଠୁ ବେଶି କଷ୍ଟ ଲାଗୁଥାଏ, ଯୋଉ ଝିଅକୁ କେହି କିଛି କହୁଥିଲେ ମୋ ଦେହରେ ନିଆଁ ଲାଗିଯାଉଥିଲା, ସେ ଆଜି ଆଉ କାହାର ହବାକୁ ଯାଉଛି, ଆଉ କେହି ଜଣେ ଅଜଣା ପୁରୁଷ ତା ଦେହକୁ ସ୍ପର୍ଶ କରିବ, ଯୋଉଟା ଉପରେ ଅଧିକାର କେବଳ ମୋର ଥିଲା । ତା ସାଙ୍ଗ ମାନେ ମତେ ଦେଖୁଥାନ୍ତି, ଲାଗୁଥିଲା ଯେମିତି ସେମାନେ ମୋ ପୁରୁଷତ୍ୱ ଉପରେ ଅଟ୍ଟହାସ୍ୟ କରୁଛନ୍ତି । ଧୈର୍ଯ୍ୟର ସବୁ ସୀମା ସରିଯାଇଥିଲା । କାନ୍ଦି କାନ୍ଦି ଚିଲାଉଥିଲି ମୁଁ..!!


-ଆରେ କାହାକୁ ଭଲ ପାଉଛୁ ତୁ..!!କିଏ ବାହା ହେଇଯାଉଛି..!!ସକାଳ ହେଲାଣି, ଉଠୁନୁ, ନା ଆଜି ଅଫିସ ଯିବାର ନାହିଁ । ଛୋଟ ଛୁଆଙ୍କ ଭଳି କାନ୍ଦୁଛୁ କଣ, କିଛି ସ୍ୱପ୍ନ ଦେଖିଲୁକି । 


ଘଡିରେ ବାଜିଥିଲା ସକାଳ ସାତଟା । ବୋଉ ଆସି ଉଠାଉଥିଲା ମତେ । ଆଉ ମୁଁ ନିଘୋଡ଼ ନିଦରେ ଶୋଇ ଦେଖୁଥିଲି ସ୍ୱପ୍ନ । 


ହଁ ମୁଁ ସ୍ୱପ୍ନ ଦେଖୁଥିଲି । ମୋ ପ୍ରେମିକାର ବାହାଘର ହେଇ ଯାଉଛି ବୋଲି । ହେଲେ ବେଶି ଦୁଃଖ ସେତେବେଳେ ଲାଗିଲା ଯେତେବେଳେ ମୋର ହୋସ ଆସିଲା, ଆଉ ମନେ ପଡ଼ିଲା ଆଜି ଯାଏଁ ଝିଅ ତ ଝିଅ ମାଈ ମଶାଟିଏ ବି ପଟେଇ ପାରିନି ମୁଁ । ସେପଟେ ବୋଉ ବାପାଙ୍କୁ କହୁଥାଏ, ପୁଅ ପାଇଁ କୋଉଠି ଝିଅ ଦେଖିଲଣି ନା ନାହିଁ, ଆଉ ବାପା କହୁଥାନ୍ତି ତାକୁ ପଚାରୁନ କୋଉଠି ସିଏ ଠିକ କରିଛି କି, ସେଇଠି ନ ହେଲେ କଥା ହେଇଯିବା । ଆଉ ମୁଁ ଜାଣିପାରୁନଥିଲି ହସିବି ନା କାନ୍ଦିବି । 



Rate this content
Log in