BiswaRanjan Sahoo

Romance

3  

BiswaRanjan Sahoo

Romance

ବୟସର ଅପରାହ୍ନରେ

ବୟସର ଅପରାହ୍ନରେ

11 mins
178


ବେଳେବେଳେ ମନ ଭିତରର କିଛି ଅକୁହା କଥା ରହିଯାଏ, ଯାହାକୁ କାହା ସହିତ ବାଣ୍ଟି ହୁଏ,ନାଁ କାହାକୁ ବୁଝେଇ ହୁଏ । ହୁଏତ ସେମିତି କଥା ଗୁଡା ମନ ଭିତରେ ବାନ୍ଧି ହୋଇ ରହିଯିବା ଭଲ । କିନ୍ତୁ ସେ କୋହସିକ୍ତ ବେଦନା ଗୁଡିକୁ କାଗଜର ପୃଷ୍ଠାରେ ଉତାରିଦେଲେ କାହିଁ କେଜାଣି ମନ ଟା ଭାରି ହାଲକା ଲାଗେ । ଗୋଟେ ବୋଝ ଓଲ୍ହେଇ ଗଲା ପରି ଲାଗେ । କିଛି ସ୍ମୃତିକୁ ଅତୀତର ଫର୍ଦ୍ଦ ଓଲଟାଇ ଦେଖିଲେ ଭାରି କଷ୍ଟ ହୁଏ ସତ,କିନ୍ତୁ ସେ ଅଭୁଲା ମୁହୂର୍ତ୍ତ ଭାରି ଆନନ୍ଦ ଦିଏ । ପଛକୁ ଫେରି ଚାହିଁଲେ ଇଚ୍ଛା ହୁଏ ଆଉ ଥରେ ସେ ସମୟ ଗୁଡା ଫେରି ଆସନ୍ତା କି । ହେଇଥିବା ଭୁଲ କିଛି ଠିକ କରିହୁଅନ୍ତା,ପୁରୁଣା ଅତୀତ ଜୀଇଁ ହୁଅନ୍ତା ଆଉ ଥରେ ।


              ଆଜି ସକାଳେ ପୁରୁଣା ଆଟାଚ ଟାକୁ ଖୋଲୁ ଖୋଲୁ ନଜର ପଡିଗଲା ଅନେକ ଦିନୁ ସାଇତା ସେ ପୁରୁଣା ଡାଏରି ଉପରେ । ଡାଏରି ଲେଖିବା ମୋର ଅଭ୍ୟାସ ନୁହେଁ,କିନ୍ତୁ ଡାଏରି ରଖିବା ଉପରେ କେମିତି କେଜାଣି ମୋର ଗୋଟେ ଜନ୍ମଗତ ଦୁର୍ବଳତା । କିଛି କାମ ନଥିଲେ ଭଲ ଡାଏରି ଦେଖିଲେ କିଣି ଆଣେ । ସାଇତି ରଖେ । ବେଳେ ବେଳେ କିଛି କଥା ଭଲ ଲାଗିଲେ ଲେଖିଦିଏ,ବାସ ଆଉ କିଛି ନୁହେଁ । କିନ୍ତୁ ସେ ଆଟାଚ ରେ ଥିବା ଡାଏରି ସହ ମୋ ସମ୍ପର୍କ ଢେର ପୁରୁଣା ଆଉ ଆଟାଚ ସହ ବି । ଅବଶ୍ୟ ଆଟାଚ ଟା ବାପା ମତେ ଦେଇଥିଲେ ଯେତେବେଳେ ମୁଁ ପ୍ରଥମେ ଚାକିରୀରେ ଜଏନ କରିଥିଲି । ଆଜି ବି ସେ ଦିନ ଗୁଡା ଖୁବ ମନେ ପଡେ ।


              ଘରର ଅବସ୍ଥା ସେତେଟା ସ୍ୱଚ୍ଛଳ ନ ଥିଲା । ସେଥିପାଇଁ ହୁଏତ ଗ୍ରାଜୁଏସନ ସାରିବା ମାତ୍ରେ ହିଁ ଅଧିକ ପଢ଼ିବାର ଇଚ୍ଛା କୁ ମନରେ ଚାପି ରଖିଥିଲି,ଆଉ ଚାକିରୀ ଖୋଜିବାରେ ଲାଗିପଡିଥିଲି । କାହିଁକିନା ଘରର ବଡ଼ପୁଅ ହିସାବରେ ସବୁ ଦାୟିତ୍ୱ ଗୁଡାକ ଯେମିତି ମୋ ଉପରେ ଲଦି ହେଇ ଯାଇଥିଲା । ବର୍ଷେ ଭିତରେ କୋଲକାତାର ଏକ ବେସରକାରୀ କମ୍ପାନୀ ରେ ମୋର ଚାକିରୀ ହେଇଗଲା । ବାପାଙ୍କର ଜଣେ କେହି ଚିହ୍ନା ମୋ ପାଇଁ ଚାକିରୀଟି ବୁଝି ଦେଇଥିଲେ । ଦରମା ଯଦିଓ ଏତେ ଭଲ ନଥିଲା,କିଛି ଖରାପ ବି ନଥିଲା । ସକାଳ ନଅଟା ରୁ ସନ୍ଧ୍ୟା ସାତଟା ଯାଏଁ କାମ । କାମ କହିଲେ କମ୍ପାନୀ ର ଆକାଉଣ୍ଟ ରିଲେଟେଡ଼ କାମ । ଆଗରୁ କମ୍ପ୍ୟୁଟର ଶିଖିଥିବାରୁ ବିଶେଷ କିଛି ଅସୁବିଧା ହେଲାଣି । ବହୁତ ଜଲ୍ଦି କାମ ଶିଖିନେଲି ।


            ପାଖାପାଖି ଚାରି କିଲୋମିଟର ଦୂର ଥିଲା ଅଫିସ ମୋ ରହିବା ଜାଗା ଠାରୁ । ଜଣେ ବଙ୍ଗାଳୀ ପରିବାର ଙ୍କ ପାଖରେ ରହୁଥାଏ ଭଡା ନେଇ । ଭଲ ପରିବାର ଥିଲେ ସେମାନେ । ସେମିତିରେ ବି ବଙ୍ଗଳା କଥା ମତେ ଭାରି ଭଲ ଲାଗେ । ମୋ ବାପା ଆଗରୁ ସେଇ କୋଲକାତାରେ ପାଣିପାଇପ ଠିକାଦାର ଭାବରେ କାମ କରୁଥିଲେ ହୁଏତ ସେଥିପାଇଁ ତାଙ୍କ ପାଖରୁ ବେଳେ ବେଳେ ବଙ୍ଗଳାରେ କଥା ହଉଥିବା ଶୁଣି ମୋ ମନରେ ବଙ୍ଗଳା କଥା ପ୍ରତି ଟିକେ ଇଣ୍ଟରେଷ୍ଟ ଥିଲା କହିଲେ ଚଳେ । ଟିକେ କଷ୍ଟରେ ଘରଟା ମିଳିଥିଲା,କାରଣ ଏକରେ ତ ଅବିବାହିତ । ଆଉ ଅବିବାହିତ ପୁଅଙ୍କୁ ଘର ଭଡା ମିଳିବା ଏତେ ସହଜ ନୁହେଁ । ଆଗରୁ ବି ନଥିଲା,ଏବେ ମଧ୍ୟ ନାହିଁ । ।


              ସେମାନେ ଥିଲେ ସ୍ୱାମୀ,ସ୍ତ୍ରୀ ଆଉ ତାଙ୍କ ସାନ ଝିଅ । ପୁଅ ଦୁଇ ଜଣ ସେଇଠୁ କିଛି ଦୂରରେ ବ୍ୟବସାୟ କରୁଥିବାରୁ ଅଲଗା ରହୁଥିଲେ । ଯଦିଓ କେବେ କିଛି ପର୍ବପର୍ବାଣି ହେଲେ ସେମାନେ ଘରକୁ ଆସୁଥିଲେ । ମୋର ସେମାନଙ୍କ ସହ ଏତେଟା ମିଳାମିଶା ନଥିଲା । ଏକରେ ମୁଁ କାହା ସହ ଏତେ ସହଜରେ ମିଶିପାରେନା । ମାସ ଶେଷକୁ ଘର ଭଡା ପଇସା ଦେବା ବ୍ୟତିରେକ ଆଉ କିଛି କଥା ନଥିଲା । ସକାଳୁ ଉଠି ଅଫିସ ଯିବା ଆଉ ଆସିକି ଖାଇ ପିଇ ଶୋଇବା ମୋର ଥିଲା ନିତିଦିନିଆ ରୁଟିନ । ଅବଶ୍ୟ ରୋଷେଇ ମୁଁ ନିଜେ କରୁଥିଲି । ଆଉ ଛୁଟି ଦିନରେ ମୁଁ ଘରକୁ ଚାଲି ଆସୁଥିଲି ।


          ରହିବାର ପ୍ରାୟ ଛ ମାସ ହେଇ ସାରିଥାଏ । ସେଦିନ ମୁଁ ଅଫିସ ବାହାରୁଥାଏ । ହଠାତ କେହି ଜଣେ କବାଟରେ ଆଘାତ କଲେ । ମୁଁ ପଚାରିଲି କିଏ ।


ସେପଟୁ ଗୋଟେ ମଧୁର କଣ୍ଠରେ ଗୋଟେ ସ୍ୱର ଭାସି ଆସିଲା,

"ଆମି କି ଆସତେ ପାରି..??(ଭିତରକୁ ଆସି ପାରେକି..??)

ବଙ୍ଗଳା ଭଲ ଭାବେ ନ କହିପାରିଲେ ବି ବୁଝିପାରୁଥିଲି । ହେଲେ ମତେ କାହିଁକି କୋଉ ଝିଅ ଡାକିବ,ତାହା ବି ପୁଣି ଏତେ ସକାଳୁ । କବାଟ ଖୋଲି ଦେଖିଲି ତ ସାମ୍ନାରେ ସତର କି ଅଠର ବର୍ଷର ସୁନ୍ଦର ତନୁପାତଳି ଝିଅଟିଏ । ରଙ୍ଗ ଏତେ ତୋଫା ଗୋରା ନ ହେଲେ ବି ଶ୍ୟାମଳ ରଙ୍ଗର ବି ନୁହେଁ । ସୁନ୍ଦର ଆଖି,ଗୋଲାପି ଓଠ ସାଙ୍ଗକୁ କଟି ଯାଏଁ ଲମ୍ବିଥିବା ଘନ କେଶରାଶି ତାକୁ ଆହୁରି ସୁନ୍ଦର କରି ତୋଳୁଥାଏ । ଇଚ୍ଛା ହଉଥିଲା ତାକୁ ସେମିତି ଚାହିଁ ରହିବାକୁ । ସେ ମତେ ବଙ୍ଗଳା ରେ ପଚାରିଲା,ଯାହାର ମାନେ ଥିଲା "କଣ ଆଗରୁ କେବେ ଝିଅ ଦେଖିନ ନା କଣ । ହେଇ ନିଅ ମା ପଠେଇଥିଲେ ଖିରି ତୁମ ପାଇଁ । "ବୋଧ ହୁଏ ସେଦିନ ତାଙ୍କ ଘରେ କିଛି ପୂଜା ଥିଲା ।


                 ହଁ ଆଗରୁ ଝିଅ ଦେଖିଥିଲି ସତ,କିନ୍ତୁ ତା ପରି ଝିଅଟିଏ କେବେ ଦେଖିନଥିଲି । ଯେତିକି ସୁନ୍ଦର ସେ ଥିଲା ତା ଠୁ ଅଧିକ ସୁନ୍ଦର ଥିଲା ତାର ସେ କଥା ଗୁଡା । ତାକୁ ଆଗରୁ କେବେ ଦେଖିନଥିଲି । ହୁଏତ ମୁଁ ଧ୍ୟାନ ଦେଇନଥିଲି । ଅନେକ ସମୟ ଅଫିସ ଆଉ ତାପରେ ରୁମରେ ରହୁଥିବାରୁ ହୁଏତ ତା ଉପସ୍ଥିତି ମତେ ଏତେଟା ଜଣା ନଥିଲା । ମୁଁ ତାକୁ ସେମିତି ଅପଲକ ନୟନରେ ଚାହିଁ ରହିଥାଏ । ତାପରେ ବି ସେ ଆହୁରି କିଛି କହିଗଲା,ହେଲେ ମତେ କିଛି ଶୁଭୁ ନଥିଲା । ମୁଁ ସେମିତି ଛିଡା ହେଇ ତା କଥା ଶୁଣୁଥିଲି । କେତେ ଚଞ୍ଚଳ ଚଞ୍ଚଳ କହିଯାଉଥାଏ ସେ ଆଖିକୁ ନଚେଇକି । ହଠାତ ସେ ମୋ ହାତକୁ ଧରି ହଲେଇଦେଲା । ମୁଁ ଚମକି ପଡିଲି । ମୋ ଦେହରେ ଯେମିତି ବିଦ୍ୟୁତ ପ୍ରବାହିତ ହେଇଗଲା । କୌଣସି ଝିଅର ଛୁଆଁ ମୋ ପାଇଁ ହୁଏତ ପ୍ରଥମ ଥିଲା । ତା ଆଖିର ସେ ନୀଳ ସାଗର ଭିତରେ ଯେମିତି ମୁଁ ହଜିଯାଇଥିଲି । କଣ ତାକୁ କହିବି ଯେ ଜାଣିପାରୁନଥିଲି । ପାଟି ଟା ଅଠା ଅଠା ହେଇ ଯାଉଥାଏ । ତାକୁ "Thank You" କହିବାରୁ ସେ ଚୁଟିଗୁଡା ଗୋଟେ ପଟକୁ ଛାଟି ଦେଇ କହି କହି ଯାଉଥିଲା "ତୁମି କି ପାଗଲ..??"(ତୁମେ କଣ ପାଗଳ..??)


              ତାର ଏହି କଥାରେ ଯେମିତି ସତରେ ମୁଁ ପାଗଳ ହେଇଯାଉଥିଲି । ଡେରି ହେଉଥିବାରୁ ତର ତର ହେଇ ସେଦିନ ଅଫିସ ପଳେଇଗଲି । କିନ୍ତୁ ଅଫିସ ରେ ବସି କେବଳ ତା କଥା ହିଁ ଭାବୁଥାଏ । ତାର ସେହି ପାଗଳ କହିବା କଥା ମୋ କାନ ପାଖରେ ଯେମିତି ଗୁଞ୍ଜରିତ ହେଉଥାଏ ବାରମ୍ବାର । ଅନେକ ଚେଷ୍ଟା କରି ବି କାମରେ ମନ ଲାଗୁ ନଥାଏ । ଇଚ୍ଛା ହଉଥାଏ ଆଉ ଥରେ ତା କଥା ଶୁଣିବାକୁ ମିଳନ୍ତା କି..!!ଯେମିତି ସେମିତି ପ୍ରକାରରେ ସେଦିନ ଅଫିସରୁ ଫେରି ଆସିଲି । ସକାଳେ ଖିରି ଦେଇଥିବା ଜାଗାଟି ଫେରେଇବା ବାହାନାରେ ଭାବିଲି ଆଉ ଥରେ ଦେଖିବାର ସୁଯୋଗ ମିଳିପାରେ । ମୋ ରୁମ ଟା ତାଙ୍କ ଘର ଠୁ ଟିକେ ଛାଡିକି ଥିଲା । ବୋଧ ହୁଏ ସେମାନେ ସେଇଟାକୁ ଗେଷ୍ଟ ରୁମ ପାଇଁ ତିଆରି କରିଥିଲେ । କଲିଂ ବେଲ ମାରି କବାଟ ଖୋଲିବାକୁ ଅପେକ୍ଷା କଲି । ମନେ ମନେ ଭାବୁଥାଏ ସେଇ ଝିଅଟା ଆସି କବାଟ ଖୋଲନ୍ତା କି..??


                ସତ କୁ ସତ ସେ ହିଁ ଆସି କବାଟ ଖୋଲିଲା । ମୋ ମନ ସେଦିନ କେମିତି ଗୋଟେ ଅଜଣା ଆନନ୍ଦରେ ନାଚିଉଠୁଥିଲା । ସେହି ଦିନଠୁ ତାକୁ ଲୁଚି ଲୁଚି ଦେଖିବା ମୋ ପାଇଁ ଯେମିତି ଗୋଟେ ଧରା ବନ୍ଧା କାମ ପାଲଟି ଯାଇଥିଲା । କେବେ କେମିତି ସେ ମାଉସୀ ମୋ ପାଇଁ ତରକାରୀ କିମ୍ବା ପିଠା ହେଲେ ପଠାଉଥିଲେ ତା ହାତରେ । ମୁଁ ବି ଚାହିଁ ବସୁଥିଲି ତାକୁ । ଅନେକ ଥର ଭାବେ ତାକୁ ତା ନାଁ ପଚାରିବି ବୋଲି । ହେଲେ ପଚାରି ପାରେନା । ତାକୁ ଦେଖିଦେଲେ କେମିତି କେଜାଣି ମୋ ମନ ଭିତରେ କଣ ଗୋଟେ ହେଇଯାଏ । ମତେ ଭାରି ଲାଜ ଲାଗେ । ତାକୁ ଆଖି ଉଠେଇ ସାମ୍ନା ସାମ୍ନି ଚାହିଁ ପାରେନା । କିନ୍ତୁ କଣେଇ କଣେଇ ଚାହିଁବାକୁ ଭାରି ଭଲ ଲାଗେ ମତେ । ମତେ ଲାଗେ ସେ ବି ମନର ଅବସ୍ଥା ବୁଝିପାରେ ବୋଲି । ଧୀରେ ଧୀରେ ତା ପ୍ରତି ମୋ ଦୁର୍ବଳତା ବଢି ଚାଲୁଥାଏ । ତାକୁ ମୁଁ ମନେ ମନେ ଭଲ ପାଇ ସାରିଥାଏ । କିନ୍ତୁ କେମିତି ଏ ସବୁ ତାକୁ କହିବି ସେଇ କଥା ଭାବୁଥାଏ ।

              ସେଦିନ କଣ ଗୋଟେ ଷ୍ଟ୍ରାଇକ ଥିବାରୁ ମୋ ଅଫିସ ବନ୍ଦ ଥାଏ । ମୁଁ ରୁମରେ ସେମିତି ଶୋଇରହିଥାଏ । ହଠାତ ସେ ଝଡ଼ ପରି କୁଆଡେ ଥିଲା କେଜାଣି ମୋ ରୁମ କୁ ପଶି ଆସିଲା । ସବୁଥର ଆସିଲେ ସେ କବାଟ ବାଡାଏ,ହେଲେ ସେଦିନ କାହିଁକି କେଜାଣି ପଶି ଆସିଲା ଯେ । ମୁଁ ଧଡ଼ ପଡ଼ ହେଇ ଉଠିପଡ଼ିଲି । ଆଉ ତାକୁ ଆଶ୍ଚର୍ଯ୍ୟ ଭାବେ ଚାହିଁ ରହିଥାଏ । ସେ ମତେ ଏମିତି ହେବାର ଦେଖି ଫେଁ ଫେଁ ହେଇ ହସି ଉଠିଲା । ଆଉ କହିଲା "ତୁମେ ନା ସତରେ ଗୋଟେ ପାଗଳ" ।

          ମୁଁ ତାକୁ ହିନ୍ଦୀରେ ଉତ୍ତର ଦେଲି କାହିଁକି ବୋଲି,ସେ ପୁଣି ହସିଦେଲା । ଆଉ ମତେ କହିଲା ତମେ ମତେ ସବୁବେଳେ ଲୁଚି ଲୁଚି କାହିଁକି ଦେଖୁଛ । ମୁଁ ଡରିଗଲି । ମୋ କାରନାମା ସେ ଧରି ନେଇଥିଲା । ମୁଁ କଣ ଉତ୍ତର ଦେବି ଜାଣିପାରୁନଥିଲି । ଅନେକ କଥା କହିବାକୁ ଚାହୁଁ ଥିଲେ ବି ମୋ ପାଟି ଖନୀ ମାରିଯାଉଥିଲା । ସେ ମତେ ସାମ୍ନାରୁ ପଚାରିଲା "ତମେ ଗୋଟେ ପୁଅ ହେଇ ଝିଅଙ୍କ ଭଳି କଣ ଡ଼ରୁଛ..?

ଆଛା ତୋମାର ନାମ ଟା କି..?"(ତୁମ ନାଁ କଣ..??)ମୁଁ କହିଲି ମୟଙ୍କ । ସେ କହିଲା ବହୁତ ସୁନ୍ଦର ନାଁ ଟିଏ । ମୁଁ ଭାବୁଥାଏ ତାକୁ ତା ନାଁ ପଚାରିବି ବୋଲି । ସାହାସ ପାଉନଥାଏ । କିନ୍ତୁ ତାକୁ ମାନିବାକୁ ପଡିବ,କେତେ ଆରାମରେ ସେ ମୋ ସହ କଥା ହେଇଯାଉଥିଲା । କିଛି କହିବା ଆଗରୁ ସେ ତା ଆଡୁ କହିଲା "ଆମାର ନାମ ଟା ମଏନା" । (ମୋ ନାଁ ମଏନା) । ମୋ କାନ ପାଖରେ ଯେମିତି ଖାଲି ଶୁଭି ଯାଉଥାଏ "ମୟଙ୍କ ଆଉ ମଏନା".. । ।


                କିଛି କ୍ଷଣ ପରେ ତାକୁ ଏମିତି ଲୁଚି ଲୁଚି ଦେଖିବାର କାରଣ ସେ ପୁଣି ପଚାରିଲା । ମୁଁ କିଛି କହିବା ଆଗରୁ ସେ କହିଲା "ଆପନି କି ଆମାଦେର ଭଲୋ ବାସେ..?"(ତୁମେ କଣ ମତେ ଭଲ ପାଉଛ..??) ମୁଁ ତ ପୁରା ସ୍ଥାଣୁ ପାଲଟି ଯାଇଥାଏ । ସେ ମୋ ଗାଲ ଦୁଇଟାକୁ ହାତରେ ଚିପି ଦେଇ କହି ଚାଲିଗଲା "ବୁଦ୍ଦୁ,ପାଗଲ"..!!

ମୁଁ ତା ବାଟକୁ ସେମିତି ଅନେଇଥାଏ । କେମିତି ଅଦ୍ଭୁତ ଝିଅଟେ କେଜାଣି । କଣ ସବୁ ଗପି ଦେଇ ଚାଲିଗଲା ଯେ । ମୋ ମୁଣ୍ଡ ଉପର ଦେଇ କଥା ଗୁଡା ଚାଲିଯାଉଥାଏ । କଣ କରିବି କିଛି ବୁଝିପାରିଲିନି । ରୁମ ରୁ ବାହାରି ଆସି ଦେଖିଲି ତ ସେ ବାହାରେ ଛିଡ଼ା ହେଇଥାଏ । ତାକୁ ଡାକିବି ବୋଲି ଭାବିଲି । ପୁଣି ଭାବିଲି ଯଦି କେହି ଦେଖିଦିଅନ୍ତି ତ ମତେ ଖରାପ ଭାବିବେ । ଦୋ ଦୋ ପାଞ୍ଚ ହଉଥାଏ । ଭାବିଲି ଯାହା ହଉ ପଛେ ଡାକିବି । ଡାକିଲି ମଏନା । ସେ ମୋ ପାଖକୁ ଝଟ କରି ଆସିଗଲା । ଆଉ ପଚାରିଲା କଣ କିଛି କହିବାର ଅଛି । ଡାକିତ ଦେଲି କଣ କହିବି ଯେ । ମୋ ପାଟିରୁ ବାହାରି ପଡ଼ିଲା ମତେ ଟିକେ ବଙ୍ଗଳା କହିବା ଶିଖେଇ ଦବ..?ସେ ଫିକ କିନା ହସି ଦେଇ କହିଲା ହେଲେ ଗୋଟେ ସର୍ତ୍ତରେ । ତମେ ଯଦି ମତେ ଟିକେ ଲାଜ କରିବା ଶିଖେଇଦେବ ତାହେଲେ ମୁଁ ତମକୁ ବଙ୍ଗଳା କହିବା ଶିଖେଇଦେବି । ମୁଁ ଟିକେ ହସିଦେଲି । ମଉସା ଆଉ ମାଉସୀ କୋଉଠି ବୋଲି ପଚାରିଲି । ସେ କହିଲା ଯେ ମଉସା ଆଉ ମାଉସୀ କୋଉ ଗୋଟେ ମନ୍ଦିର କୁ ଯାଇଛନ୍ତି ବୋଲି । ଆସୁ ଆସୁ ହୁଏତ ଲେଟ ହେଇ ପାରେ ।


                 ଧୀରେ ଧୀରେ ଆମ ଭିତରେ କଥାବାର୍ତା ବଢିବାକୁ ଲାଗିଥିଲା । କେହି କାହାକୁ ଖୋଲିକି ନ କହିଲେ ବି ଦୁହେଁ ଦୁଇ ଜଣଙ୍କ କଥା ବୁଝିପାରୁଥିଲୁ । କେତେବେଳେ କେମିତି ଲୁଚିକି ମୋ ରୁମକୁ ଆସିଯାଉଥିଲା ତ କେତେବେଳେ ଛାତ ଉପରେ । ମାଉସୀଙ୍କ ଅଣ୍ଟା ପ୍ରୋବ୍ଲେମ ଥିବାରୁ ସେ ଏତେ ଛାତ କୁ ଆସିପାରୁନଥିଲେ । ସେଥିପାଇଁ ପ୍ରାୟତଃ ସକାଳେ କିମ୍ବା ସନ୍ଧ୍ୟାବେଳେ ମୁଁ ଅଫିସରୁ ଆସିଲେ ସେ ବାହାନା କରି ଛାତକୁ ଆସୁଥିଲା । ମତେ ବି ଲାଗୁଥିଲା ସେ ମତେ ପସନ୍ଦ କରୁଛି ବୋଲି । ଆଗକୁ ଦୁର୍ଗା ପୂଜା ଥିଲା । ସେ ମତେ ଏଥର ପୂଜାରେ ବୁଲିବା କଥା କହିଲା,ହେଲେ ମୁଁ ପୂଜା ଛୁଟିରେ ଘରକୁ ଆସିବି ବୋଲି କହିଲା । ସେ ମୋ ସହ ଆଉ ଭଲ ସେ କଥା ହେଲାନି । ସେ ଚାହୁଁଥିଲା ପୂଜା ଟା ମୁଁ ତା ସହ ବୁଲାବୁଲି କରି କାଟେ ବୋଲି । ତା ମନ ଭାଙ୍ଗିବାକୁ ଚାହୁଁ ନଥିଲି । ସେଥିପାଇଁ ସେ ଛୁଟି ଘରକୁ ଆସିବା କ୍ୟାନ୍ସଲ କଲି । ଏକଥା ଜାଣିବା ପରେ ସେ ଖୁସିରେ ମତେ ସେଦିନ କୁଣ୍ଢେଇ ପକେଇଲା । ଆଉ ମୋ ଗାଲରେ ସରୁ ଚୁମ୍ବନଟିଏ ଆଙ୍କି ଦେଇ ମତେ ଭଲ ପାଏ ବୋଲି କହିଦେଇ ଚାଲିଗଲା ।

                ଏବେ ଆମେ ଦୁହେଁ ଥିଲୁ ମୁକ୍ତ ଆକାଶର ବିହଙ୍ଗ । ଡେଣା ଝାଡ଼ି ଉଡି ବୁଲୁଥିଲୁ ପ୍ରେମର ଆକାଶରେ । ରାତିରେ ସମସ୍ତେ ଶୋଇ ସାରିଲା ପରେ ସେ କେବେ କେବେ ଲୁଚି ଲୁଚି ଚାଲି ଆସୁଥିଲା ମୋ ପାଖକୁ । ଡେରି ରାତି ଯାଏଁ ଆମେ ଗପୁଥଲୁ । ସେ କେବେ କେବେ ଶୋଇ ଯାଉଥିଲା ମୋ କୋଳରେ ମଥା ରଖି । ତାର ଏମିତି ଆସିବା କାହାକୁ ଜଣା ନଥିଲା । ସେମିତିରେ ମାଉସୀ ପ୍ରାୟ ସମୟ ପୂଜା ପାଠରେ ବ୍ୟସ୍ତ ଆଉ ମଉସା ବାହାରେ ବୁଲାବୁଲିରେ ବ୍ୟସ୍ତ ରହୁଥିଲେ । ଆଉ ମତେ ସନ୍ଦେହ କରିବାର ବି କୌଣସି କାରଣ ନଥିଲା । ସେଥର ଦୁର୍ଗା ପୂଜାରେ ସେ ପ୍ରଥମ ଥର ପାଇଁ ଶାଢ଼ୀ ପିନ୍ଧିଥିଲା । ସେ ଶାଢ଼ୀଟି ଖୁବ ମାନୁଥିଲା ତାକୁ । ତାକୁ କହିଥିଲି ମୋ ପାଖରେ କ୍ୟାମେରା ଥିଲେ ତୁମର ଗୋଟେ ଫୋଟୋ ଉଠେଇ ରଖିଥାନ୍ତି ନିଜ ପାଖରେ । କଣ ବୁଝିଲା କେଜାଣି ସେଦିନ ସନ୍ଧ୍ୟାରେ ମତେ ଗୋଟେ ଫୋଟୋ ଆଣି ଦେଲା । ସେହି ଶାଢ଼ୀ ପିନ୍ଧି ଉଠେଇଥିବା ଫୋଟୋଟି ।

            ମୋର କୋଲକାତାରେ ରହିବା ପାଖାପାଖି ଦେଢ଼ବର୍ଷ ହେଇସାରିଥାଏ । ଆଉ ଏଇ ଭିତରେ ମଏନା ସହ ସମ୍ପର୍କ ଟା ବି ଆହୁରି ନିବିଡ଼ ହେଇ ସାରିଥାଏ । କେବେ କେବେ ମୁଁ ଛୁଟିରେ ଘରକୁ ଆସିଲେ ସେ ତାଙ୍କ ଘର ଫୋନରୁ ମୋ ସହ କଥା ହୁଏ । ଟିକେ କଥା ହେଇନଥିବ କାନ୍ଦି ପକେଇବ । ଜଲ୍ଦି ଜଲ୍ଦି ଆସିଯାଅ ବୋଲି ଅଳି କରି ବସିବ । ତାକୁ ବି ମୁହୂର୍ତ୍ତଟିଏ ଛାଡି ରହିବା ମୋ ପାଇଁ କଷ୍ଟକର ଥାଏ । ଆମେ ଦୁହେଁ ଦୁହିଁଙ୍କୁ ଛାଡି ବଞ୍ଚି ପାରିବୁନି ବୋଲି ଅନୁଭବ ହେଉଥାଏ । ଥରେ ଛୁଟିରେ ଘରକୁ ଆସିଲା ବେଳେ ସେ କହିଲା ତମେ ଘରକୁ ଗଲେ ମୁଁ ତୁମକୁ ବହୁତ ମିସ କରେ ବୋଲି । ସେଥର ଘରୁ ଆସିବା ପୂର୍ବରୁ ଗୋଟେ ସୁନ୍ଦର କାର୍ଡ ଆଉ ତା ତଳେ ପାନ ପତ୍ର ଟିଏ ଆଙ୍କି I Love You ଲେଖି ଦେଇଥିଲି ଆଉ କହିଥିଲି ଯେବେ ମୁଁ ମନେ ପଡିବି ଏଇଟା ଦେଖିନବ ଆଉ ଭାବି ନବ ଯେ ମୁଁ ତୁମ ପାଖରେ ଅଛି ବୋଲି ।

              ହୁଏତ ସେଇଟା ମୋ ପାଇଁ ସବୁଠୁ ବଡ ଭୁଲ ଥିଲା । ମୁଁ ଘରକୁ ପାଖାପାଖି ସପ୍ତାହେ ଛୁଟି ନେଇ ଆସିଥିଲି ସେଥର । ତା ବଡ଼ ଭାଇ ଭାଉଜ ମଧ୍ୟ ଆସିଥିଲେ । ଆଉ ତା ଭାଇଙ୍କ ହାତରେ ପଡିଯାଇଥିଲା ମୁଁ ଦେଇଥିବା ସେ କାର୍ଡ ଟି । ମୁଁ ଘରୁ ଫେରିବା ପରେ ତାକୁ ଆଉ ସେଠି ପାଇ ନଥିଲି । ଯେତିକି ଜାଣିଲି ଯେ ଯେତେବେଳେ ତା ଭାଇ ତାକୁ ସେ କାର୍ଡ ଦେବା ଵାଲା କିଏ ବୋଲି ପଚାରିଲେ ସେ କିଛି କହି ନଥିଲା । ତା ଭାଇ ଟିକେ ରାଗି ସ୍ୱଭାବର ଥିଲେ । ସେ ଘଟଣା ପାଇଁ ତାକୁ ଅନେକ ଗାଳି କରିଥିଲେ ଆଉ ହାତ ମଧ୍ୟ ଉଠେଇଥିଲେ । କିନ୍ତୁ ସେ ମୋ ବିଷୟରେ କିଛି ବି କହିନଥିଲା । କାହିଁକି ନା ସେ ଜାଣିଥିଲା ତା ଘର ଲୋକେ ମତେ ବିଶ୍ୱାସ କରୁଥିଲେ । ଆଉ ସେମାନେ ମତେ ଖରାପ ଭାବନ୍ତୁ ସେ ଚାହୁଁ ନଥିଲା । ତାପରେ ତା ଭାଇ ତାକୁ ତାଙ୍କ ସହ ନେଇଯାଇଥିଲେ ସେ ଯୋଉଠି ରହୁଥିଲେ । ତା ପରେ ତା ସହ ମୋର ଆଉ କିଛି ସମ୍ପର୍କ ନ ଥିଲା । ଅନେକ ଚେଷ୍ଟା କରିଛି ତା ବିଷୟରେ ଜାଣିବାକୁ । ମଉସା ମାଉସୀ ଙ୍କୁ ସିଧା ସଳଖ କିଛି ପଚାରି ପାରିନଥିଲି,ସେମାନେ ସନ୍ଦେହ କରିବେ ବୋଲି ।


           ୟା ଭିତରେ ଵିଟିଯାଇଥିଲା ପାଖା ପାଖି ଆଉ ବର୍ଷେ,ଆଉ ମୁଁ ସେ କମ୍ପାନୀ ଛାଡି ଯୋଗ ଦେଇଥିଲି ଓଡ଼ିଶାର ଆଉ ଏକ କମ୍ପାନୀରେ । କୋଲକାତାରେ ରହିବା ଭିତରେ ଅନେକ ଖୋଜିଛି ମଏନା କୁ । ହେଲେ ପାଇନି । ଅନେକ ରାତି କଟିଛି ତା ଭାବନାରେ, ଅନେକ କାନ୍ଦିଛି ମୁଁ । ହେଲେ କିଛି କରିପାରିନି । ଅନେକ ଥର ଭାବିଛି ମଉସା ମାଉସୀ ଙ୍କୁ ସବୁ କଥା କହିଦେବି ବୋଲି । କହିପାରିନି । ହୁଏତ ସେତିକି ସତ ସାହାସ ନଥିଲା ମୋ ଭିତରେ । ମଏନା ଯିବା ପରେ ମୁଁ ଯେମିତି ଜଡ ପାଲଟି ଯାଇଥିଲି । ମୋ ରୁମ ସାରା ଥିଲା ତା ମହକ,ଖାଲି ସିଏ ନଥିଲା । ତାକୁ ନେଇ ସଜେଇଥିବା ସୁନେଲି ସ୍ବପ୍ନ ଗୁଡା ଯେମିତି କ୍ଷଣକରେ ଚୁରମାର ହେଇ ସାରିଥିଲା । ନିଜ ଭିତରେ ଭାଙ୍ଗି ପଡ଼ିଥିଲି । ଓଡିଶା ଆସିବାର କିଛି ବର୍ଷ ପରେ ଯେତେବେଳେ ମୋ ବାହାଘର ପାଇଁ ଘରେ କଥା ପଡିଲା,ମୁଁ ଭାବିଲି ଶେଷଥର ପାଇଁ କୋଲକାତା ଯାଇ ମଏନା ପାଇଁ ତାଙ୍କ ଘରେ କଥା ହେବି ଯାହା ହେଉଛି ହଉ ପଛେ । ହେଲେ ସେମାନେ ରହୁଥିବା ଜାଗାରେ ପହଞ୍ଚିବା ପରେ ମୁଁ ଜାଣିବାକୁ ପାଇଲି,ମଏନା ର ବାହାଘର ସାରିଯାଇଛି,ଆଉ ସେମାନେ ସେଠି ଘର ଭଡା ଦେଇ ନିଜ ବଡ ପୁଅ ପାଖରେ ରହୁଛନ୍ତି ।

              ଏବେ ମଏନା କୁ ଭୁଲିବା ଛଡା ମୋ ପାଖେ କିଛି ଉପାୟ ନଥିଲା । ଅନେକ ଥର ଚେଷ୍ଟା କରିଛି ତାକୁ ଭୁଲିବା ପାଇଁ,ହେଲେ ପାରିନି । ସେ ହିଁ ତ ଥିଲା ମୋ ଆଦ୍ୟ ଯୌବନର ପ୍ରଥମ ପ୍ରେମ । ତାକୁ ହିଁ ତ ପାଇ ମୁଁ ବୁଝିଥିଲି ପ୍ରେମର ମାନେ । ମୋ ଶୁଖିଲା ଜୀବନକୁ ଯେ ପ୍ରେମର ବର୍ଷା ରେ ଓଦା କରିଥିଲା ସେ ଥିଲା ମୋ ମଏନା । ମଏନା ସବୁ ବେଳେ ମତେ ବୁଦ୍ଦୁ ବୋଲି କହେ । ଆଉ କହେ ମୁଁ ବିଲକୁଲ ପାଗଳଟିଏ ବୋଲି । ଆଜି ବି ମନେ ପଡେ ଯେତେବେଳେ ସେ ମୋ ରୁମରେ ଡେରି ରାତି ଯାଏଁ ଥାଏ ଆଉ ମୁଁ ତାକୁ ବାଧ୍ୟ କରି ପଠାଏ, ସେ କହେ ଜାଣିଛ ମୟଙ୍କ ତୁମ କୋଳରେ ଶୋଇଲେ ନା ମତେ ଭାରି ଶାନ୍ତି ଲାଗେ । ଆଜି ବି ସେ କଥା ଭାବିଲେ ଆଖିରେ ଲୁହ ଆସିଯାଏ ।


            ୟା ଭିତରେ ମୋ ବାହାଘର ବି ସରିଯାଇଥିଲା । ସ୍ତ୍ରୀ, ପିଲା ଛୁଆ ଜଞ୍ଜାଳ ଭିତରେ ଖୁବ କମ ମନେ ପଡେ ମଏନା । ମୋ ମିସେସ ଙ୍କୁ କେବେ ତା କଥା କହିନି । ହୁଏତ ସେ ବି କେବେ ମୋ ଅତୀତ କୁ ଜାଣିବାକୁ ଚେଷ୍ଟା କରିନାହାନ୍ତି । ହଠାତ ମିସେସ ଙ୍କ ଡାକରେ ମୁଁ ଚମକି ପଡିଲି । ମୋ ହାତରେ ଥିଲା ସେ ପୁରୁଣା ଡାଏରି,ଆଉ ଡାଏରି ଭିତରେ ମୋ ମଏନା ର ସେ ଶାଢ଼ୀ ପିନ୍ଧା ଫୋଟୋ । ଯୋଉଟା ସେ ପ୍ରଥମ ଥର ପିନ୍ଧିଥିଲା ଦୁର୍ଗା ପୂଜାରେ । ମୋ ଆଖିରୁ ଲୁହଝରି ଭିଜୁଥିଲା ଡାଏରି ର ପୃଷ୍ଠା । ଆଖି ପୋଛି ଚଷମା ଲଗେଇଲି । ପୁଣି ସେମିତି ଫୋଟୋଟି ପୋଛି ରଖିଦେଲି ଡାଏରି ଭିତରେ । ଫୋଟୋ ସିନା ପୁରୁଣା ହେଇଗଲାଣି ହେଲେ ମୋ ମଏନା ଆଉ ତା ପ୍ରେମ ମୋ ମନରେ ଆଜିବି ସତେଜ ବୟସର ଅପରାହ୍ନରେ ।



Rate this content
Log in

Similar oriya story from Romance