BiswaRanjan Sahoo

Romance

4.8  

BiswaRanjan Sahoo

Romance

ଅକୁହା ପ୍ରେମ-୨

ଅକୁହା ପ୍ରେମ-୨

8 mins
531


ପ୍ରେମ ! ଅଢେଇ ଅକ୍ଷର, ଏ ଶବ୍ଦର ଗଭୀରତାକୁ ମାପିଲେ ହୁଏତ ଅଭାବ ପଡିପାରେ ଦୁନିଆର ସବୁଯାକ ମାପିବାର ଏକକ। ପ୍ରେମ ବିଷୟରେ କହିଲେ ହୁଏତ ପଡିପାରେ ଶବ୍ଦର ଅଭାବ ଆଉ ଲେଖିଲେ ପଡିପାରେ କାଗଜ ଆଉ କାଳିର ଅଭାବ।

ଜୀବନରେ ଏମିତି କେହି ଜଣେ ନାହିଁ ଯିଏ କହିପାରିବ ତାକୁ କେବେ ପ୍ରେମ ହେଇନି ବୋଲି।ସମସ୍ତଙ୍କୁ ପ୍ରେମ ହୁଏ,ହଁ ଠିକ ଯେମିତି ମତେ ହେଇଥିଲା ତାଙ୍କ ସହ।


       ହଁ ସେଥିଲେ ମୋ ମାମାଙ୍କର ବେଷ୍ଟ ଫ୍ରେଣ୍ଡ ରିମା ଆଣ୍ଟିଙ୍କ ପୁଅ ସିଦ୍ଧାର୍ଥ । ମୋ ମାମା ଆଉ ରିମା ଆଣ୍ଟି ସ୍କୁଲ ବେଳୁ ସାଙ୍ଗ। ଏକା ସହ ସ୍କୁଲ, କଲେଜ ଆଉ ଏକା ସହ ପିଜି। ତାପରେ ମାମା ବାହା ହେଇ ରହିଲେ କଟକ ରେ, ଆଉ ରିମା ଆଣ୍ଟି ଭୁବନେଶ୍ୱରରେ। ଅଲଗା ଅଲଗା ରହିଲେ ବି ସେମାନଙ୍କର ବନ୍ଧୁତ୍ବରେ କେବେ ଦୂରତା ଆସି ନ ଥାଏ। ସିଦ୍ଧାର୍ଥଙ୍କ ଜନ୍ମ ହେବାର ୨ ବର୍ଷ ପରେ ମୋର ଜନ୍ମ ହେଇଥିଲା। ଯେବେ ମୋ ପ୍ରଥମ ଜନ୍ମଦିନକୁ ରିମା ଆଣ୍ଟି ଆମ ଘରକୁ ଆସିଥିଲେ, ସେବେ ମାମାଙ୍କର ଆଉ ଆଣ୍ଟିଙ୍କର ଗୋଟେ ଚୁକ୍ତି ହେଇଥିଲା, ଆଉ ଚୁକ୍ତି ଏଇଟା ଥିଲା ଯେ ସେମାନେ ସେମାନଙ୍କ ବନ୍ଧୁତ୍ୱଙ୍କୁ ଆଉ ଗୋଟେ ସମ୍ପର୍କର ନାଁ ଦେବେ ଆଉ ସେଇଟା ହେଲା ବୟସ ହେଲାପରେ ସିଦ୍ଧାର୍ଥ ଆଉ ମୋର ବାହାଘର।


        ହଁ ସେମିତିରେ ଦେଖିବାକୁ ଗଲେ ସେମାନଙ୍କ ନିଷ୍ପତ୍ତି କିଛି ଭୁଲ ନଥିଲା।ସେମାନେ ଭଲ ସାଙ୍ଗ ଥିଲେ।ଆଉ ବଂଶ,ପରମ୍ପରା,ଆଭିଜାତ୍ୟ ରେ ମଧ୍ୟ ପାଖାପାଖି ଥିଲେ।ଆଉ ସବୁଠୁ ବଡ କଥା ଥିଲା ସେମାନଙ୍କ ଉତ୍ତମ ବୁଝାମଣା ଆଉ ଦୀର୍ଘ ଦିନର ବନ୍ଧୁତ୍ୱ।ଆଉ ଏଥିରେ ଆଉ କାହାର ଅରାଜି ହବାର ପ୍ରଶ୍ନ ବି ନଥିଲା।ଯାହା ବାକି ଥିଲା ଆମ ମାନଙ୍କ ବୟସ ହେବାକୁ ଅପେକ୍ଷା।ସମୟ କିନ୍ତୁ କାହାରିକୁ ଅପେକ୍ଷା କରେନି।ସେ ଚାଲିଥାଏ ଅବିଶ୍ରାନ୍ତ ଭାବେ,ଅବିରତ ଭାବେ।ସିଦ୍ଧାର୍ଥ ଆଉ ମୁଁ ଦୁହେଁ ବଡ ହେବାକୁ ଲାଗିଲୁ।କେବେ କେବେ ଆଣ୍ଟି ଆମ ଘରକୁ ଆସିଲେ ସିଦ୍ଧାର୍ଥଙ୍କୁ ନେଇକି ଆସନ୍ତି।କେମିତି କେଜାଣି ପିଲାବେଳୁ ସିଦ୍ଧାର୍ଥ ପ୍ରତି ମୋର ବି ଗୋଟେ ଦୁର୍ବଳତା ରହିଆସିଥିଲା।ଅବଶ୍ୟ ମୁଁ ତା ସହ ମିଶିବାକୁ ବହୁତ ଭଲ ପାଏ।କିନ୍ତୁ ବୟସ ବଢ଼ିବା ସହ ତା ସହ ଏତେଟା ମିଶିବାକୁ ମତେ ଲାଜ ଲାଗିଲା।


            ମୁଁ ସିଦ୍ଧାର୍ଥ ଙ୍କୁ ନେଇ ଯେତେ କଥା ଭାବେ କାଇଁ ମତେ ଲାଗେନି,ସେ ମୋ ବିଷୟରେ ଭାବନ୍ତି ବୋଲି।ପିଲା ହିସାବରେ ବହୁତ ଭଲ ସେ।ବଡ଼ ମାନଙ୍କୁ ସମ୍ମାନ,ପାଠପଢା,ଖେଳକୁଦ ସବୁଥିରେ ଆଗରେ।ଯିଏ ବି ନାହିଁ ସିଏ ତାଙ୍କ କଥା ଶୁଣିଲେ ତାଙ୍କ ଆଡକୁ ଆକର୍ଷିତ ହୋଇ ପଡିବା ସ୍ୱାଭାବିକ।ଏମିତି ଗଡିଚାଲେ କିଛି ବର୍ଷ।ମୁଁ ଯୁକ୍ତ ୨ ପଢିଲା ବେଳେ ସେ ପଢୁଥାନ୍ତି ଇଂଜିନିଅରିଂ ବାଙ୍ଗାଲୋରରେ।ଆଉ ସେତେବେଳେ ପୁରା ନ ଆସିଲେ ବି ପ୍ରେମ ବିଷୟରେ ମୋର ତ ଟିକେ ଟିକେ ଧାରଣା ଆସିଯାଇଥାଏ।ଅବଶ୍ୟ ଏଥିପାଇଁ ଯେ ମୋ ମାମା ପରୋକ୍ଷରେ ଦାୟୀ ସେ କଥା କହିଲେ ଅତ୍ୟୁକ୍ତି ହଵ ନାହିଁ।ପିଲାବେଳୁ ତାଙ୍କ କଥା ହିଁ ବେଶି ଆଲୋଚନା ହବାର ଶୁଣିଆସିଛି ଘରେ।ଆଉ ଆଣ୍ଟି ଆସିଲେ ମତେ ଝିଅ ଝିଅ କହି ଏତେ ଭଲ ପାଆନ୍ତି ଯେ,ବେଳେ ବେଳେ ଲାଗେ ମୁଁ ତାଙ୍କ ଝିଅ ବୋଲି।ସିଦ୍ଧାର୍ଥ ଷ୍ଟାଣ୍ଡର୍ଡ-10 ପରେ ବାହାରେ ରହି ପଢିବାକୁ ଚାଲିଗଲେ,ଆଉ ସେବେଠୁ ଖୁବ କମ ତାଙ୍କ ସହ ଦେଖା ହୁଏ।ଆଗରୁ ଆଣ୍ଟି ଙ୍କ ଘରକୁ ଯାଉଥିଲେ,ସିଦ୍ଧାର୍ଥ ସହ ବହୁତ ମଜା କରେ,ବହୁତ ଝଗଡା କରେ।କିନ୍ତୁ କଲେଜ ଯିବା ପରେ ସେଗୁଡା ସବୁ ବଦଳିଗଲା।ଏବେ କେବେ କେବେ ସିଦ୍ଧାର୍ଥ ଆଣ୍ଟି ଙ୍କ ସହ ଆମ ଘରକୁ ଆସିଲେ,ମୁଁ ତାଙ୍କ ସାମ୍ନାକୁ ଯିବାକୁ ଲାଜ କରୁଥିଲି।କବାଟ ଫାଙ୍କ ରୁ ତାଙ୍କୁ ଲୁଚି ଲୁଚି ଦେଖୁଥିଲି।ଆଉ ମନେ ମନେ ଭାବୁଥିଲି ସେ ବି ମୋ ବିଷୟରେ ଏମିତି ସବୁ ଭାବୁଥାନ୍ତେ କି।


         ସାଙ୍ଗ ମାନଙ୍କ ପ୍ରେମ ଆଉ ବ୍ରେକ-ଅପ ଦେଖିଲେ ମୁଁ ଭାବେ,ଯାହା ହଉ ମୋର ଏସବୁ କିଛି ହବାର ନାହିଁ।ସିଦ୍ଧାର୍ଥ ହିଁ ମୋର ସବୁକିଛି।ଆଉ ଘରେ ବି ଏପାଇଁ ଆଗରୁ ଗ୍ରୀନ ସିଗନାଲ।ଆଉ ଯାହା ଟିକେ ବାକି ଅଛି ସେଇଟା ମୋର ଆଉ ସିଦ୍ଧାର୍ଥ ଭିତରେ ବୁଝାମଣା।ମୁଁ ବି ଚାହୁଁଥିଲି ସିଦ୍ଧାର୍ଥ ଙ୍କୁ ଏସବୁ ବିଷୟରେ ନିଜ ମନ ଖୋଲି କହିବାକୁ ଆଉ ଆମ ସମ୍ପର୍କକୁ ଆଗେଇ ନବାକୁ।ଥରେ ବାହାନା କରି ଆଣ୍ଟିଙ୍କ ପାଖରୁ ତାଙ୍କ ନଂ ନେଇ ଆସିଲି ସିନା,ହେଲେ ଫୋନ କରିପାରିଲିନି।କେମିତି କରିଥାନ୍ତି ଯେ।ଯେତେହେଲେ ମୁଁ ଝିଅଟେ,ସେ ବି ତ କିଛି ଷ୍ଟେପ ଆଗେ ନବା ଦରକାର।ଏମିତି ହଉ ହଉ ବିତିଗଲା ପାଖାପାଖି ଦୁଇ ବର୍ଷ।ହଁ ଆଉ ନାଁ ର ଦୋଛକିରେ ଛିଡା ହେଇ ଥରେ ଫୋନ କଲି ସିଦ୍ଧାର୍ଥ ଙ୍କୁ କିଛି ପାଠ ପଢା ବିଷୟ ନେଇ।ପ୍ରଥମେ ସେ ଆଶ୍ଚର୍ଯ୍ୟ ହେଲେ,କିନ୍ତୁ ଆମେ କଥା ହେଲୁ।ଅବଶ୍ୟ କେବଳ ସାଙ୍ଗ ହିସାବରେ।ବେଳେ ବେଳେ ଇଚ୍ଛା ହୁଏ ପଚାରିବାକୁ ସିଦ୍ଧାର୍ଥ,ମୁଁ କଣ ତୁମକୁ ପସନ୍ଦ।କଣ ଆମେ ଆମ ବନ୍ଧୁତା କୁ ପ୍ରେମର ନାଁ ଦେଇଦବା।ହେଲେ ପଚାରିପାରେନା,କେବେ ସେଭଳି ପରିସ୍ଥିତି ହିଁ ଆସିନଥିଲା।ହ୍ଵାଟ୍ସଆପ ରେ କେତେବେଳେ କେମିତି ଚାଟ ହୁଏ,ଆଉ ସିଦ୍ଧାର୍ଥ ଏତେ କମ କଥା କୁହନ୍ତି ଯେ,ଯାହା ପଚାରେ ମୁଁ ହିଁ ପଚାରେ।


       ତାଙ୍କ ବ୍ୟସ୍ତତା ଯୋଗୁଁ ହିଁ ଆମ ଭିତରେ କଥା ହେବା ବେଶି ସମ୍ଭବ ପର ହଉନଥିଲା।ଯାହା ଯେବେ କଥା ଷ୍ଟାର୍ଟ ହୁଏ,ମତେ ହିଁ କରିବାକୁ ପଡେ।ଏମିତି ହଉ ହଉ ମୋ ଗ୍ରାଜୁଏସନ ହିଁ ସରିବା ସରିବା ହେଇଗଲା।ଆଉ ପ୍ରୋଜେକ୍ଟ, ଆସାଇନମେଣ୍ଟ,ପାଠ ପଢା ରେ ବ୍ୟସ୍ତ ହୋଇ ମୁଁ ବି ତାଙ୍କ ସହ ପ୍ରାୟ କଥା ହେବା ବନ୍ଦ କରିଦେଇଥିଲି।ୟା ଭିତରେ ମୋ ମୋବାଇଲ ଟା ହଜିସାରିଥାଏ, ଆଉ ସିଦ୍ଧାର୍ଥଙ୍କ ନଂ ବି ମୋ ପାଖରେ ନଥାଏ।ଯାହା ବି ହଉ କିଛି ଦିନ ପରେ ସେ ତାଙ୍କ ଆଡୁ ଫୋନ କଲେ ଆଉ ପଚାରିଲେ କଣ ଆଗଭଳି ଫୋନ କରୁନୁ କି ମେସେଜ କରୁନୁ।କହିଲି ଫୋନଟା ହଜି ଯାଇଥିଲା,ଆଉ ନଂ ବି ନଥିଲା।ସେ ନୂଆ କରି ଚାକିରୀ ରେ ଜଏନ କରିଥାନ୍ତି,ଆଉ ମୁଁ ପିଜି ଆଡ଼ମିସନ ନେଇଥାଏ ହାଇଦ୍ରାବାଦ ଇଉନିଭର୍ସିଟି ରେ।କିଛି ଦିନ କଥା ଚାଲିଲା।ଶୋଇପଡିଥିବା ମନର ଇଚ୍ଛା ଟା ଯେମିତି ନିଦ ଭାଙ୍ଗି ଉଠିପଡ଼ିଲା,ସିଦ୍ଧାର୍ଥ ଙ୍କ କଥାର ମତୁଆଲା ସ୍ପର୍ଶରେ।ଭାବିଲି ଏଇଟା ହିଁ ବୋଧେ ଠିକ ସମୟ। ମନ କଥାଟା ସିଦ୍ଧାର୍ଥଙ୍କୁ ଜଣେଇଦେବି। ସେଦିନ ଥାଏ ସିଦ୍ଧାର୍ଥଙ୍କ ଜନ୍ମଦିନ। ସକାଳୁ ଫୋନ କଲି ଆଉ ଶୁଭେଚ୍ଛା ଜଣେଇଲି।ଆଉ କହିଲି ସିଦ୍ଧାର୍ଥ ମୁଁ ତୁମକୁ ବହୁତ ପସନ୍ଦ କରେ।ସେ କହିଲେ ହଁ ମୁଁ ବି କରେ।ମୁଁ କହିଲି ସିଦ୍ଧାର୍ଥ କେବଳ ପସନ୍ଦ ନୁହଁ ତା ଠୁ ଅଧିକ କିଛି,ମାନେ ମୁଁ ତୁମକୁ ଭଲ ପାଏ ସିଦ୍ଧାର୍ଥ।କିନ୍ତୁ ସିଦ୍ଧାର୍ଥଙ୍କ ଠୁ ପ୍ରତିଉତ୍ତର ରେ ଯାହା ପାଇଲି,ତା ଶୁଣି ମୋ ପାଦତଳୁ ଯେମିତି ମାଟି ଖସି ଗଲା ପରି ଲାଗିଲା।ସୁମନ ତୁମେ ବହୁତ ଲେଟ କରିଦେଲ।ମୋର ଗାର୍ଲଫ୍ରେଣ୍ଡ ଅଛି।ଆଉ ମୁଁ ତାକୁ ବହୁତ ଭଲ ପାଏ।ଆଉ କିଛି ଦିନ ଗଲେ ଘରେ ଏକଥା ଜଣେଇ ମୁଁ ତାକୁ ବିବାହ କରିବି।ଆଉ କିଛି ଶୁଣିବା ଅବସ୍ଥାରେ ମୁଁ ନଥିଲି।ସବୁ କିଛି ଅନ୍ଧାର ଦିଶୁଥିଲା।କ୍ଲାସ ଯାଇପାରିଲିନି।ରୁମ ରେ ଶୋଇ ଶୋଇ ଅନେକ କାନ୍ଦିଲି।ନା ଖାଇବା ପିଇବା ରେ କିଛି ଠିକ ରହିଲା,ନା ପାଠପଢ଼ାରେ।ସାଙ୍ଗ ମାନେ ବହୁତ ଗାଳି କଲେ।କଷ୍ଟେ ମଷ୍ଟେ ସେମିଷ୍ଟର ଦେଇ ଘରକୁ ଆସିଲି।ମୋ ଅନ୍ୟମନସ୍କ ରହିବା ଦେଖି ମାମା ଥରେ ପଚାରିଲେ।ମାମାଙ୍କ ଆଗରେ କିଛି ଲୁଚେଇ ପାରିଲିନି।ସବୁ କଥା କହିଲି।ସେ ସାନ୍ତ୍ବନା ଦେଲେ,କିନ୍ତୁ ମୋ ମନ ବୁଝିଲାନି।ମତେ ଲାଗିଲା ଯେ ସିଦ୍ଧାର୍ଥ ମତେ ମିଛ କହୁଛନ୍ତି ବୋଲି।ଥରେ ଅଧରାତି ରେ ସିଦ୍ଧାର୍ଥ ଙ୍କୁ ଫୋନ କଲି।ସେ ମତେ ବୁଝେଇଲେ,ବହୁତ ବୁଝେଇଲେ।ମୁଁ ବି କେଜାଣି କେମିତି ଛୋଟ ଛୁଆ ପରି ସବୁ ବୁଝି ଯାଉଥିଲି।


            ଆଣ୍ଟି ମାନେ ସିଦ୍ଧାର୍ଥ ଙ୍କ ମାଆ ବି ଏକଥା ଜାଣିବାକୁ ପାଇଲେ।ଆଉ ସିଧା ଆମ ଘରେ ହାଜର।ମତେ ପାଖକୁ ଡାକି ବୁଝେଇଲେ,କହିଲେ ସୁମନ ତୁ ଜମା ବ୍ୟସ୍ତ ହନି।ତୁ ହିଁ ମୋ ଘରର ବୋହୁ ହବୁ,କାରଣ ସିଦ୍ଧାର୍ଥ ର ପସନ୍ଦକୁ ମୁଁ ଗ୍ରହଣ କରିବିନି।କିନ୍ତୁ ଏସବୁ ମୁଁ ଚାହୁଁ ନଥିଲି।ନିଜକୁ ଦୃଢ କଲି।ଆଉ କହିଲି ଆଣ୍ଟି ଆପଣ ସିଦ୍ଧାର୍ଥ ଙ୍କୁ କିଛି କହିବେନି।ସେ ଯଦି ଆଉ କାହାକୁ ପସନ୍ଦ କରିଛନ୍ତି ତେବେ ଏଥିରେ ମୋର କୌଣସି ଅସୁବିଧା ନାହିଁ।ପ୍ରେମ କେବେ ଜୋର ଜବରଦସ୍ତି ହୁଏନି।ହୁଏତ ଆପଣଙ୍କ ଘରର ବୋହୁ ହେବା ମୋ ଭାଗ୍ୟରେ ନଥିଲା।କିନ୍ତୁ ଆଉ କାହାର ପ୍ରେମ କୁ ଛଡେଇ ଆଣି ନିଜକୁ ଖୁସି କରିବା ମୋ ପାଇଁ ତ ବିଲକୁଲ ଅସମ୍ଭବ।ତାପରେ ନିଜକୁ ଏସବୁରୁ କାଢ଼ିବାକୁ ଚେଷ୍ଟା କଲି।ଆଉ କିଛି ମାତ୍ରାରେ ସଫଳ ବି ହେଲି।ବେଳେ ବେଳେ ସିଦ୍ଧାର୍ଥ ଙ୍କ କଥା ଭାବିଲେ ଯେତିକି ହସ ଲାଗୁଥିଲା,ସେତିକି ରାଗ ବି ଲାଗୁଥିଲା।"ସୁମନ ତମେ ଲେଟ କରିଦେଲ"।ଯଦି ମୁଁ ଲେଟ ନ କରି ଆଗରୁ କହିଥାନ୍ତି,ତେବେ କଣ ତମ ମନରେ କିଛି ନ ଥାଇ ବି ତମେ ମତେ ପସନ୍ଦ କରିଥାନ୍ତ।


         କାହା ଜୀବନରେ ଅପ୍ସନ ହଵା ଅପେକ୍ଷା ପସନ୍ଦ ହେବାକୁ ମୁଁ ବେଶି ଗୁରୁତ୍ୱ ଦଉଥିଲି।ଆଉ ଚାହୁଁ ନଥିଲି ଆଣ୍ଟି ଜୋର କରି ମତେ ତାଙ୍କ ପୁଅ ସହ ବାହା ଦିଅନ୍ତୁ ବୋଲି।ଆଉ ସାରା ଜୀବନ ବିବାହ ନ କରିବାର ନିଷ୍ପତ୍ତି ମୁଁ ନେଇଗଲି।ୟା ଭିତରେ ବିତିଯାଇଥିଲା ପାଖାପାଖି ୩ ବର୍ଷ।ମୁଁ ଗୋଟେ କଲେଜ ରେ ଗେଷ୍ଟ ଫ୍ୟାକଲଟି ହିସାବରେ ଯୋଗ ଦେଇଥାଏ ଆଉ ପି.ଏଚଡି ପାଇଁ ପ୍ରସ୍ତୁତ ହେଉଥାଏ।ସେ ଘଟଣା ପରେ ମୋ ମାମାଙ୍କର ଆଉ ଆଣ୍ଟି ଙ୍କ ସମ୍ପର୍କରେ ମନୋମାଳିନ୍ୟ କେବେଠୁ ଘଟିସାରିଥାଏ।ତାଙ୍କର ଆମ ଘରକୁ ଯିବା ଆସିବା ପ୍ରାୟ ସେବେଠୁ ବନ୍ଦ ହେଇଯାଇଥାଏ।ଯଦିଓ କେବେ କେବେ ଆଗରୁ ସିଦ୍ଧାର୍ଥ ମେସେଜ କରୁଥିଲେ ସମୟ କ୍ରମେ ସେ ସବୁ ବି ବନ୍ଦ ହେଇ ଯାଇଥିଲା।କାହିଁକିନା ତା ପରେ ମୁଁ ମୋ ନଂ ବି ବଦଳେଇ ସାରିଥାଏ।ମୁଁ ବି ସେସବୁକୁ ସମ୍ପୂର୍ଣ୍ଣ ଭାବେ ନ ଭୁଲିଲେ ମଧ୍ୟ ଆଂଶିକ ଭାବେ ଭୁଲି ସାରିଥାଏ।


         ବାପା ମାଙ୍କ ଅନେକ ବୁଝେଇବା ସତ୍ତ୍ୱେ ବି ଆଉ କାହାକୁ ଗ୍ରହଣ କରିବା ମୋ ପକ୍ଷରେ ଅସମ୍ଭବ ଥିଲା।ପିଲା ବେଳରୁ ହିଁ ସିଦ୍ଧାର୍ଥ ମୋ ମନରେ ଥିଲେ।କେବେ ଆଉ କାହାକୁ ଚାହିଁବାକୁ,ଭଲ ପାଇବାକୁ ଏସବୁ କଥା ମୋ ମନକୁ ହିଁ ଆସିନି।ବେଳେ ବେଳେ ରାତି ଅଧରେ ସିଦ୍ଧାର୍ଥ ଙ୍କ ସ୍ବପ୍ନ ଦେଖେ।ଆଖିରୁ ଅଜାଣତରେ ଲୁହ ବାହାରି ଆସେ।ପ୍ରକୃତ ପ୍ରେମ ପାଇବାରେ ନୁହଁ,ତ୍ୟାଗରେ ଥାଏ ଭାବି ମନକୁ ବୁଝେଇଦେଇଥାଏ।କିନ୍ତୁ ତଥାପି ଅମାନିଆ ମନ ବୁଝେନା, ଯେତେହେଲେ ମଣିଷ,ଆଶା ତ ରହିବା ସ୍ୱାଭାବିକ।


        ସେଦିନ କ୍ଲାସ ସାରି ଫେରୁଥାଏ।ଦୂରରୁ ହଠାତ ନଜର ପଡିଗଲା ଜଣଙ୍କ ଉପରେ।ଚିହ୍ନା ଚିହ୍ନା ଲାଗୁଥାନ୍ତି।ଜଣାପଡୁଥାଏ ଯେମିତି କାହାକୁ ଅପେକ୍ଷାରତ ସେ।ଦେହରେ ସାଧା ପ୍ୟାଣ୍ଟ ସାର୍ଟ।ମୁଁହରେ ଅସଜଡ଼ା ଦାଢ଼ି ।ଯେମିତି ଅନେକ ଦିନରୁ ନିଜ ପ୍ରତି ଯତ୍ନ ନେବାପାଇଁ ଭୁଲିଯାଇଥାନ୍ତି।ଆଉ ଟିକେ ପାଖକୁ ଯିବାରୁ ଚିହ୍ନି ପାରିଲି।ଆଖିକୁ ଵିଶ୍ଵାସ କରିପାରୁନଥାଏ।ଇଏତ ସିଦ୍ଧାର୍ଥ।ହଁ ମୋ ସିଦ୍ଧାର୍ଥ।ହେଲେ ଅନେକ ଦିନ ପରେ,ହଠାତ ଏଠି,ଏମିତି,ଏ ଅବସ୍ଥାରେ।ମତେ ଦେଖି ସୁମନ ସୁମନ କହି ମୋ ପାଖକୁ ଲାଗିଆସିଲେ।ଏମିତି ଏକ ପରିସ୍ଥିତି କୁ ସାମ୍ନା କରିବା ବିଷୟରେ ମୁଁ କେବେ ଭାବିନଥାଏ।ଆଖିରୁ ତାଙ୍କର ଧାର ଧାର ଲୁହ ବୋହି ଆସୁଥାଏ।ତାଙ୍କ ହାତ ଧରି କିଛି ଦୂର ଲନ ରେ ଥିବା ବେଞ୍ଚ ଉପରେ ଆଣି ବସେଇଲି।ସିଦ୍ଧାର୍ଥ ଙ୍କ ଅବସ୍ଥା ଦେଖି ଲାଗୁଥାଏ ଯେମିତି ସେ ମାନସିକ ଭାବେ କୋଉଠି ଶକ୍ତ ଆଘାତ ପାଇଛନ୍ତି।ବ୍ୟାଗରୁ କାଢି ପାଣି ଦେଲି,ସେ ପିଇଲେ।ଏତେ ସୁନ୍ଦର ଚେହେରା କେମିତି ଯତ୍ନ ଅଭାବରୁ ମଳିନ ପଡି ଯାଇଥାଏ।ଭାରି ଅସ୍ତବ୍ୟସ୍ତ ଲାଗୁଥାନ୍ତି ସେ।ଯେମିତି ବହୁତ କିଛି କହିବାକୁ ଚାହୁଁଥାନ୍ତି ସେ।ମୁଁ ବି ତ କିଛି ପଚାରିବାର ଅବସ୍ଥାରେ ନଥିଲି।ହଠାତ ତାଙ୍କୁ ଏମିତି ଦେଖି ମୁଁ ବି ଆଶ୍ଚର୍ଯ୍ୟ ହେଇ ଯାଇଥାଏ।ମୋ ହାତ ଦିଟାକୁ ଜାବୁଡି ଧରିଥାନ୍ତି ସିଦ୍ଧାର୍ଥ।ଛୋଟ ଛୁଆଙ୍କ ପରି କାନ୍ଦୁଥାନ୍ତି ସେ।ଲାଗୁଥିଲା ଯେମିତି କିଛି ହଜେଇସାରିବା ପରେ କାନ୍ଦୁଛନ୍ତି ସେ।ତାଙ୍କୁ ଏମିତି ଦେଖି ମୋ ଆଖି ବି ଭରି ଆସୁଥାଏ।ସେ କହିବା ଆରମ୍ଭ କଲେ,ସୁମନ ମତେ କ୍ଷମା କରିଦିଅ।ତୁମ ଭଲ ପାଇବାକୁ ନ ବୁଝି ବହୁତ ବଡ଼ ଭୁଲଟିଏ କରିବସିଛି ମୁଁ।ଏତେ ଦିନ ଯାହା ପଛେ ଧାଉଁଥିଲି ସେ ଯେ ଗୋଟେ ମରୀଚିକା ଥିଲା,ତାହା ଜାଣିବାକୁ ମତେ ଏତେ ସମୟ ଲାଗିଗଲା।ଅନୁତାପ ନିଆଁରେ ଅନେକ ଜଳିଲିଣି।ତୁମ ପାଖକୁ କିଛି ପାଇବା ଆଶା ନେଇ ଆସିନି ମୁଁ।ବଞ୍ଚିବାର ବି କୌଣସି ଇଚ୍ଛା ନାହିଁ ମୋର।ଶେଷ ଇଚ୍ଛା କେବଳ ଏତିକି,ତୁମେ ମତେ କ୍ଷମା କରିଦିଅ।ମୁଁ ମୋ ବାଟରେ ଚାଲିଯିବି, କେବେ ହେଲେ ଆଉ ଆସିବିନି ତୁମ ଜୀବନରେ।ତୁମ ଭଲ ପାଇବା ସାମ୍ନାରେ ଛିଡା ହେବାର ଯୋଗ୍ୟତା ବି ମୋର ନାହିଁ।ମୁଁ ତୁମ ମନ ରେ ସୃଷ୍ଟି କରିଥିବା ଆଘାତ ଯେ ତୁମକୁ କେତେ କଷ୍ଟ ଦେଇଥିବ ମୁଁ ସେଇଟାକୁ ନିଜେ ଅନୁଭବ କରିଛି।।


         କଣ କହିବି କିଛି ବୁଝିପାରୁନଥାଏ।କଣ ଏମିତି ସବୁ ସିଦ୍ଧାର୍ଥ ପାଗଳଙ୍କ ଭଳି ଗପୁଛନ୍ତି।ମୋ ମୁଣ୍ଡକୁ କିଛି ବୁଦ୍ଧି ପଶୁନଥାଏ।ବାବାଙ୍କୁ ଫୋନ କଲି।ସେ ବି ହଠାତ ଆଶ୍ଚର୍ଯ୍ୟ ହେଲେ।ତାଙ୍କୁ ଆମେ ଘରକୁ ନେଇ ଗଲୁ।ବାଟ ସାରା ସେ ସେମିତି ମୋ ହାତକୁ ଜାବୁଡି ଧରି ବସିଥାନ୍ତି।ବାବା ରିମା ଆଣ୍ଟି ଙ୍କୁ ଫୋନ କଲେ।ତାପରେ ଧୀରେ ଧୀରେ ପ୍ରକୃତ କଥା ଜଣା ପଡିଲା।ସିଦ୍ଧାର୍ଥ ବାଙ୍ଗାଲୋର ରେ ଥିଲା ବେଳେ ଯାହାକୁ ଭଲ ପାଉଥିଲେ ସେ ଝିଅ ହିଁ ସିଦ୍ଧାର୍ଥ ଙ୍କ ଏସବୁ ଅବସ୍ଥା ପାଇଁ ଦାୟୀ।ସେ ସିଦ୍ଧାର୍ଥ କୁ କେବଳ ଟଙ୍କା ପାଇଁ ଭଲ ପାଉଥିଲା।ଧୀରେ ଧୀରେ ମଦ ପିଇବା,ଡ୍ରଗ୍ସ ନେବା ପାଇଁ ସେ ସିଦ୍ଧାର୍ଥ ଙ୍କୁ ଅଭ୍ୟସ୍ତ ମଧ୍ୟ କରେଇଦେଇଥିଲା।ଆଉ ସିଦ୍ଧାର୍ଥ ଙ୍କ ଭଳି ପିଲା ବି ଗୋଟେ ଝିଅ ପାଇଁ ଏମିତି ହେଇଯିବେ ବୋଲି କେହି କଳନା କରିନଥିଲେ।ଆଉ ସବୁ କିଛି ସରିବା ପରେ ସେ ଝିଅ ଧୋକା ଦେଇ ଚାଲିଯାଇଥିଲା ଆଉ କୋଉ ପୁଅ ସହ।ଆଉ ତାପରେ ଭୀଷଣ ଭାବେ ଦେହ ଖରାପ ହେଇଥିଲା ସିଦ୍ଧାର୍ଥ ଙ୍କର।ରିମା ଆଣ୍ଟି ଆଉ ତାଙ୍କ ଘର ଲୋକ ସେଠୁ ଖବର ପାଇ ନେଇ ଆସିଥିଲେ ତାଙ୍କୁ ଭୁବନେଶ୍ୱର।ଗୋଟେ ଘରୋଇ ହସ୍ପିଟାଲରେ ରହି ଚିକିତ୍ସା ହୋଉଥିଲେ ସେ।ଟିକେ ସୁସ୍ଥ ହେବା ପରେ ମୋ ଖବର ନେଇ ହସ୍ପିଟାଲରୁ ସିଧା ଚାଲି ଆସିଥିଲେ ମତେ ଦେଖା କରି ଭୁଲ ମାଗିବାକୁ।ରିମା ଆଣ୍ଟି ଙ୍କୁ ଅନୁରୋଧ କରିଥିଲି ସିଦ୍ଧାର୍ଥ ଙ୍କୁ ଆମ ଘରେ କିଛି ଦିନ ରହିବାପାଇଁ।


       ଧୀରେ ଧୀରେ ମୋ ସେବା ଶୁଶ୍ରୁଷା ରେ ସୁସ୍ଥ ହେଇ ଆସୁଥିଲେ ସିଦ୍ଧାର୍ଥ।ଖାଇବା,ପିଇବା,ଗପ କହି ଶୁଆଇବା ସବୁ କଥା ମୁଁ ହିଁ ବୁଝୁଥିଲି।ମନର ମଣିଷ ଯେ ଏମିତି ଦିନେ ପାଲଟିଯିବ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ମୁଁ।ରିମା ଆଣ୍ଟି କିଛି କହିବାକୁ ଚାହୁଁଥିଲେ।କିନ୍ତୁ କହୁ ନଥିଲେ।କୋଉ ମୁଁହରେ ଅବା କହିଥାନ୍ତେ।ୟା ଭିତରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥାନ୍ତି ସିଦ୍ଧାର୍ଥ।ସେଦିନ ଥାଏ ପୁଣି ତାଙ୍କ ଜନ୍ମଦିନ।କଲେଜରୁ ଫେରିବା ପରେ ତାଙ୍କ ଲାଗି କେକ ନେଇ ଆସିଥାଏ।ଅନେକ ଚେଷ୍ଟା କରି ବି ଭୁଲି ନଥାଏ ତାଙ୍କ ଜନ୍ମଦିନକୁ।କେମିତି ବା ଭୁଲିବି ଯେ।ପ୍ରଥମ ପ୍ରେମକୁ କଣ କେହି କେବେ ସହଜରେ ଭୁଲିପାରେ।ସେଦିନ ରିମା ଆଣ୍ଟି ବି ଆସିଥାନ୍ତି ଘରକୁ।କିନ୍ତୁ ସେ ଯାଏଁ ମାମାଙ୍କର ଆଉ ତାଙ୍କର କଥା ଆଗଭଳି ବନ୍ଦ ଥାଏ।କେକ କାଟିଲାବେଳେ ସିଦ୍ଧାର୍ଥ ସେଦିନ ମତେ ପଚାରିଦେଲେ ସୁମନ ମୋ ପାଇଁ ବର୍ଥଡେ ଗିଫ୍ଟ ଆଣିଛ..??


ମୁଁ ପଚାରିଲି କଣ ଗିଫ୍ଟ ଦରକାର ତୁମର..??


ସେ କହିଲେ ଯଦି କିଛି ମାଗେ ତୁମେ ଦେଇପାରିବ..??


ଯଦି ଦେଇପାରିବାର କ୍ଷମତା ଥାଏ ତ ନିଶ୍ଚୟ ଦେବି..??


ସାରା ଜୀବନ ପାଇଁ ମତେ ନିଜ ହୃଦୟରେ ଜାଗା ଦେଇ ପାରିବ..??


ପ୍ରକୃତିସ୍ଥ ହେଇଗଲି..ହଠାତ ଏମିତି ପ୍ରଶ୍ନ..କଣ ଉତ୍ତର ଦେବି..


କୁହ ସୁମନ..??


ହଁ ମୁଁ ସୁମନ ପଟ୍ଟନାୟକ..

କ୍ଲାସରେ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ଅନାୟାସରେ ଦେଇପାରୁଥିବା ପିଲାଟା ଆଜି ଚୁପ।କଣ କହିଥାନ୍ତି ସିଦ୍ଧାର୍ଥଙ୍କୁ । ନିଜେ ହିଁ ତ ମୋ ପ୍ରେମକୁ ପ୍ରତ୍ୟଖ୍ୟାନ କରିଥିଲେ ସେ । ତା ହେଲେ କଣ ନାଁ କହିଦେବି।


ଦୁଇଟା ରାସ୍ତା ଥିଲା ମୋ ପାଖେ।


ଗୋଟିଏ ତାଙ୍କୁ ହଁ କହି ଆପଣେଇ ନେବି।


ଆଉ ଗୋଟେ-ତାଙ୍କୁ ନାଁ କହିଦେବି,ଆଉ ସେ ଯେମିତି ମତେ ଏକା କରି ଦେଇଥିଲେ ସେମିତି ତାଙ୍କୁ ବି ଛାଡ଼ିଦେବି। ହୁଏତ ମୋ ଅନ୍ତରାତ୍ମାକୁ ଶାନ୍ତି ତ ମିଳିଯିବ।


କିନ୍ତୁ ତାପରେ ମୋ ସିଦ୍ଧାର୍ଥ..??


କଣ ହେବ ତାଙ୍କର..ବାରମ୍ବାର ତାଙ୍କର ସେ ନିରୀହ ମୁଁହ ମୋ ଆଖିରେ ନାଚିଉଠୁଥିଲା।ମୋ ପାଖରେ ରିମା ଆଣ୍ଟି ଛିଡା ହେଇଥିଲେ।ତାଙ୍କର ସେ ଆଖି ବି ଯେମିତି ମୋ ଉତ୍ତରକୁ ଅପେକ୍ଷା କରିଥିଲା।



ସବୁ କିଛି ମୋ ଉପରେ ନିର୍ଭର କରୁଥିଲା।


ହୁଏତ ମୁଁ ଚାହିଁଲେ ଯୋଡି ହେଇପାରିବ ଦୁଇଟି ଘରର ସମ୍ପର୍କ।ପୁଣି ଥରେ ମୋ ମାମା ଆଉ ଆଣ୍ଟି ସାଙ୍ଗ ହେଇପାରିବେ।ସୃଷ୍ଟି ହେଇଥିବା ଦୁରତା ଶେଷ ହେଇଯିବ ମୋର ଗୋଟେ ହଁ ରେ।ମୁଁ ପାଇଯିବି ମୋ ମନର ମଣିଷକୁ,ମୋ ସିଦ୍ଧାର୍ଥ ଙ୍କୁ।


ଥରେ ଆଖି ଉଠେଇ ସିଦ୍ଧାର୍ଥଙ୍କୁ ଚାହିଁଲି । ଆଖିରେ ତାଙ୍କର ଆଖିଏ ଲୁହର ବନ୍ୟା।ଆଉ ମୋ ଆଖିରେ ବି। ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା ମୋର।ଆଉଜି ହେଇ ପଡିଲି ସିଦ୍ଧାର୍ଥଙ୍କ ଛାତିରେ।



ସବୁଦିନ ପାଇଁ,ବଜନ୍ମ ଜନ୍ମ ପାଇଁ।।


ହୁଏତ ଏହା ହିଁ ଥିଲା ମୋ ଭଲ ପାଇବାର ପ୍ରକୃତ ପରୀକ୍ଷା।





         


Rate this content
Log in

Similar oriya story from Romance