ଏକେଲା ଝିଅ
ଏକେଲା ଝିଅ
ସେତେବେଳେ ମୁଁ ଏକା ଏକା ରହୁଥିଲି । ନୂଆ ନୂଆ ସହରକୁ ଆସିଥିଲି । ଗୋଟିଏ ଛୋଟ ଚାକିରୀ ମତେ ସହରକୁ ଆଣିଥିଲା । ଘରୁ ବାହାରକୁ ଗୋଡ କାଢିଥିଲି ମୁଁ । ଯେଉଁ ସହରକୁ ଆସିଥିଲି ତାହା ମୋ ପାଇଁ ସଂପୂର୍ଣ୍ଣ ନୂଆ ଥିଲା । ସେଠାରେ ମୋର କେହି ଆତ୍ମୀୟ ମଧ୍ୟ ନ ଥିଲେ । ତେଣୁ ଗୋଟିଏ ଘର ଭଡାରେ ନେଇ ରହିବାକୁ ବାଧ୍ୟ ଥିଲି । ଗୋଟେ ନୂଆ ଜୀବନ ଆରମ୍ଭ କରିଥିଲି ମୁଁ । ଆରମ୍ଭରେ ମନରେ କିଛିଟା ଭୟ ଥିଲା । ନିଜକୁ ସୁନ୍ଦରୀ କହିବା ଠିକ୍ ନୁହେଁ, ଆଦୌ ଅସୁନ୍ଦରୀ ନ ଥିଲି ମୁଁ । ମନଟା ବେଶ୍ ସ୍ବଚ୍ଛ ଓ ସରଳ, ତରଳ ଥିଲା । ମୁଁ କେବଳ ମଣିଷ ଖୋଜୁଥିଲି । ଖୋଜୁଥିଲି ବନ୍ଧୁ ।
ମଣିଷ ସବୁବେଳେ ମଣିଷ ମେଳରେ ରହେ । ମଣିଷକୁ ସାଥି କରି ବଞ୍ଚେ । ବନ୍ଧୁହୀନ ଜୀବନ ସେ କି ଜୀବନ ! ପଶୁତୁଲ୍ୟ । ଚାକିରୀ କରିବା ମୋର ବହୁ ଦିନର ସ୍ବପ୍ନ । ପାଠ ପଢିଥିଲି । ତେଣୁ ଯେଉଁଠି ମିଳିଲା ସେଠିକି ଚାଲି ଆସିଥିଲି ।
ଦୁନିଆ ଭିତରେ ସୁଖରେ ଓ ସମ୍ମାନର ସହିତ ଜୀଇଁବାକୁ ହେଲେ । ଧୀରେ ଧୀରେ ମୋର ଏକେଲାପଣ କମିଗଲା । ସହର ଆଉ ମୋ ପାଇଁ ନୂଆ ହୋଇ ରହିଲାନି । ଅନେକ ମୋ ପାଖକୁ ଆସିଲେ ।
ହେଲେ ସେମାନଙ୍କ ଭିତରେ ଜଣେ କେହି ମୋର ବନ୍ଧୁ ନ ଥିଲେ । କାରଣ ସେମାନଙ୍କ ପାଖରେ ସେମିତି ମନଟିଏ ଥିବା ଦେଖୁ ନ ଥିଲି ।
- ତୁମେ ସୁନ୍ଦରୀ ।
- ନୀଳକଇଁ ତୁମ ଆଖି ।
- ତୁମ ମନ ଛନ୍ଦ ଚପଳ ପ୍ରଜାପତି ପରି ।
- ପ୍ରେମର ଗଜଲ ଗୀତିରେ ଭରା ତୁମ ହୃଦୟ ।
- ପ୍ରୀତିର କଦମ୍ବ ଫୁଲ ତୁମେ ।
- ତୁମେ ଋତୁଟିଏ ବେଶ୍ ଛଳଛଳ ।
ସେମାନେ ମୋତେ ଚୁପିଚୁପି କହୁଥିଲେ ଏକଥା । ମୋର ପ୍ରଶଂସାରେ ଶତମୁଖ ଥିଲେ ।
ମୋତେ ଭାରି ହସ ଲାଗୁଥିଲା । ହସି ହସି ବେଦମ୍ ହେଉଥିଲି ।
କାହିଁକି ଜାଣନ୍ତି ?
ଏମିତି ପ୍ରଶଂସାପୂର୍ଣ୍ଣ କଥା କହିବା ବାହାନାରେ ସେମାନେ ଚୁମିବାକୁ ଚାହୁଁଥିଲେ ମୋର ହାତକୁ । ସ୍ବାଦ ନେବାକୁ ଚାହୁଁଥିଲେ ମୋ ଓଠର । ମୋତେ ଧାର୍ ଦେବାକୁ ଚାହୁଁଥିଲେ ସେମାନଙ୍କ ଦେହର ଉଷ୍ମତାକୁ । ଫାଇଦା ନେବାକୁ ଚାହୁଁଥିଲେ ମୋ ଏକେଲାପଣର ।
ମାସେ ଦି'ମାସ ଏମିତି ସବୁ ଘଟଣା ଘଟିଲା । କେବେ କେବେ ଚାକିରୀ ଛାଡ଼ି ଘରକୁ ପଳେଇ ଯିବାକୁ ଇଚ୍ଛା ହୁଏ । ଏମିତିରେ ଝିଅଟିଏ ରହିପାରେ କ'ଣ !
ହେଲେ ଚାକିରୀ ଛାଡି ଦେଇ ଚାଲି ଆସିବା ଅସମ୍ଭବ ଥିଲା । ସେକଥା ଭାବି ପାରୁ ନ ଥିଲି । ସ୍ବପ୍ନକୁ କେହି ଜଳାଞ୍ଜଳି ଦେଇପାରେ କ'ଣ !
ହଠାତ୍ ଦିନେ ଗାଆଁରେ ମୋ ମା'ର ଦେହ ଖରାପ ହେଲା । ସେ ମୋ ପାଖକୁ ଆସିଲା । ତା'ର ଡାକ୍ତର ଏବଂ ଔଷଧର ଆବଶ୍ୟକତା ଥିଲା । ନ ହେଲେ ନ ଚଳେ । ଖୁବ୍ କଷ୍ଟ ପାଉଥିଲା ସେ ।
ମୁଁ ପୁଣି ବନ୍ଧୁ ଖୋଜିଲି, ଏଥର ମା' ପାଇଁ । କାରଣ ତା'ର ସୁବିଧା କରିବାକୁ ମୋ ପାଖରେ ଏତେ ସମ୍ବଳ ନ ଥିଲା । ସମୟର ବି ଘୋର ଅଭାବ ଥିଲା ମୋ ପାଖରେ । ଏହାପରେ ସମସ୍ତେ କିଏ କୁଆଡେ ଚାଲିଗଲେ । ସ୍ଵାର୍ଥପର ମଣିଷ । ବୁଝିଲି ସୁଖ ସମୟରେ ଅନେକ ବନ୍ଧୁ ମିଳନ୍ତି । ଦୁଃଖ ସମୟରେ କମ୍,ଏକଦମ୍ କମ୍ ବନ୍ଧୁ ମିଳି ପାରନ୍ତି । ମୋର କେବଳ ଜଣେ ବନ୍ଧୁ ଲୋଡା ଥିଲା । ଜଣେ ବନ୍ଧୁ ।
କାଲି ଭିଡ ପରି ଲାଗୁଥିବା ମୋର ଚାରି ପାଖ ଏବେ କେବଳ ନୀରବତାରେ ହିଁ ପୂର୍ଣ୍ଣ ଥିଲା । ଚିହ୍ନା ମୁହଁ ସବୁ କୁଆଡେ ହଜିଗଲେ ଯେମିତି । ବିଶ୍ୱାସ ଥିଲା କେହି ଜଣେ ମୋର ବନ୍ଧୁ ହୋଇ ଆସିବେ । ମୋ ମନକଥା ବୁଝିବେ । ମୋ ଆଡକୁ ତାଙ୍କ ସହାୟତାର ହାତ ବଢାଇବେ । ମୋତେ ସ୍ନେହ, ଶ୍ରଦ୍ଧା, ପ୍ରେମ ଅଜାଡି ଦେବେ ।
ଶେଷରେ ମୋର ସୌଭାଗ୍ୟକୁ ସେପରି ବନ୍ଧୁ ଜଣେ ମୋତେ ମିଳିଗଲେ । ଦୁଃଖ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ମୁଁ ତାଙ୍କୁ ମୋ ହୃଦୟରେ ବନ୍ଧୁର ଆସନ ଦେଲି । ସେ ମୋର ହୋଇଗଲେ ।
ଅନେକରେ ଏକ ସେ
ଏବେ ସେ ମୋର ଜୀବନ
ସେ ମୋର ପ୍ରେମ
ତାଙ୍କ ପରି କେହି ହୋଇ ପାରିବେ କ'ଣ !