ABADHOOT PANDA

Classics

4  

ABADHOOT PANDA

Classics

ଏକ ଗାଥା ଚକାଡୋଳାଙ୍କ

ଏକ ଗାଥା ଚକାଡୋଳାଙ୍କ

5 mins
407



ଏହା ବହୁତ ପୁରୁଣା କଥା l ଆମ ଜେଜେ ସ୍ବର୍ଗତ ଅପର୍ତ୍ତୀ ଚରଣ ପିଲାବେଳୁ ଜଣେ ସଚ୍ଚୋଟ ଜଗନ୍ନାଥ ଭକ୍ତ ଓ ଧାର୍ମିକ ବ୍ୟକ୍ତି ଥିଲେ l ଥରେ ଆମ ଗାଁରେ ଜଣଙ୍କ ଚାଳ ଘରେ ନିଆଁ ଲାଗିଗଲା l ଜ୍ୟେଷ୍ଠ ମାସ l ଟାଣୁଆ ଖରା l ଯାହା ଘରେ ନିଆଁ ଲାଗିଲା ସେ ଆମ ପଡ଼ିଶା ଲୋକ l ଜେଜେ ସେତେବେଳେ ବାର ବର୍ଷର ପିଲା l ନିଆଁର କରାଳ ପ୍ରକୋପ ଦେଖି ଜେଜେ " ହେ ଜଗନ୍ନାଥ ମହାପ୍ରଭୁ! ରକ୍ଷା କର ରକ୍ଷା କର " ଡାକି ଡାକି ବାଲ୍ଟିଏ ପାଣି ଧରି ଦୌଡ଼ି ଯାଇ ଜଳୁଥିବା ଚାଳ ଉପରେ ଛାଟିଲେ l ପୁଣି ସାହି କୂଅରୁ ବାଲ୍ଟିଏ ବାଲ୍ଟିଏ ପାଣି କାଢ଼ି ଜଗନ୍ନାଥଙ୍କ ନା ନେଇ ନେଇ ଚାଳ ଉପରକୁ ପାଣି ଛାଟିବାକୁ ଲାଗିଲେ l ସାହିର ଅବ୍ୟାନ୍ୟ ପିଲା ଆଉ ବୟସ୍କ ବ୍ୟକ୍ତି ବି ପାଣି ଛାଟି ଚାଲିଲେ ଚାଳ ଉପରେ l ପ୍ରାୟ ଘଣ୍ଟାଏ ପରେ ନିଆଁର ପ୍ରକୋପ କମିଲା l ସମସ୍ତେ ପ୍ରଭୁଙ୍କ ନାମର ମହିମା ସାକ୍ଷ ଲକ୍ଷ୍ୟ ଉପଲବ୍ଧି କଲେ ଯେ ଅଗ୍ନିଦେବ କେବଳ ଚାଳରେ ଖୁନ୍ଦା ହୋଇଥିବା ନଡ଼ା ବିଡ଼ାଗୁଡିଜୁ ଦଗ୍ଧ କରିଛନ୍ତି ଅଥଚ ଘରର କୌଣସି ଆସ୍ ବାବ୍ ପତ୍ରଗୁଡ଼ିକୁ ଆଦୌ ସ୍ପର୍ଶ କରିନାହାନ୍ତି କି ଗୁହାଳ ଘରୁ ଗୋମାତାଙ୍କ କିଛି କ୍ଷତି କରିନାହାନ୍ତି l

ଜଗନ୍ନାଥ ଭକ୍ତି ଜେଜେଙ୍କୁ କିମିଆ କରି ଚାଲିଲା ତାଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ l ତାଙ୍କୁ ଯେତେବେଳେ କୋଡ଼ିଏ ବର୍ଷ ହେଲା ସେ ଚାକିରୀ କରିବାକୁ ମନସ୍ଥ କଲେ l ଅନେକ ଚାକିରୀ ତାଙ୍କ ମନକୁ ପାଇଲାନି l ଏମିତି ଚାକିରୀ ଖୋଜୁ ଖୋଜୁ ପାଞ୍ଚ ବରଷ ବିତିଗଲା l ଜେଜେଙ୍କ ଗୋଟାଏ ଜିଦ୍ଦି ଯେ ସେ କେବଳ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ହେବେ l ସେଥିପାଇଁ ପ୍ରଭୁଙ୍କ ନାମ ସ୍ମରଣ କରି ଭଲ ଭଲ ଚାକିରୀ ଛାଡ଼ିଲେ l ସବୁବେଳେ ତାଙ୍କ ମୁହଁରେ ନାମ କୀର୍ତ୍ତନ ଚାଲିଥାଏ ସେତେବେଳକୁ ତାଙ୍କ ବାପା ତାଙ୍କୁ ବିଭା କରିଦେଇ ଥିଲେ l ଘରେ କିଛି ଅଭାବ ନଥିଲେ ସୁଦ୍ଧା ସେ ଚାକିରୀ ପ୍ରତି ମନ ବଳାଇ ଥିଲେ l

ଏମନ ଭାବୁ ଥାଇ ଯାହା କାଳେ ପ୍ରାପତ ହୁଏ ତାହା l ଭାବଗ୍ରାହୀ ଅନ୍ତର୍ଯ୍ୟାମୀ ମହାପ୍ରଭୁଙ୍କୁ ମଣିଷର ମନ ଭିତରର କଥା ତାଙ୍କୁ କେବେ ଅଛପା ନଥାଏ l ସେ ମନ ଜାଣି ଠିକ ସମୟରେ ଠିକ ଫଳ ଦେଇଥାନ୍ତି l ଜେଜେଙ୍କ ଶ୍ୱଶୁର ସେତେବେଳେ ବ୍ରିଟିଶ- ଭାରତ ରେଳବାଇର ଡିଏସପି ପଦବୀରେ କାର୍ଯ୍ୟରତ ଥିଲେ l ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଉତ୍ତରପାର୍ଶ୍ୱ ମଠର ମହନ୍ତ ମହାରାଜ ଜେଜେଙ୍କ ଶ୍ଵଶୁର ସ୍ବର୍ଗତ କୃଷ୍ଣଚନ୍ଦ୍ରଙ୍କ ଘନିଷ୍ଠ ବନ୍ଧୁ l ତେଣୁ ନିଜ ଜ୍ୱାଇଁଙ୍କ ପାଇଁ ସେ ମଠ ମହନ୍ତଙ୍କୁ ସୁପାରିଶ କଲେ l ପ୍ରଭୁଙ୍କ ଅପାର କରୁଣା ଜେଜେଙ୍କ ମନରେ ଆଶାର ଆଲୋକ ସଞ୍ଚାର କରି ପାରିଥିଲା l ସେତେବେଳେ ମଠର ଗୁମାସ୍ତା ପଦବୀ ଖାଲିଥିଲା ଏବଂ ଆନନ୍ଦ ମନରେ ମହନ୍ତ ମହାରାଜ ଆମ ଜେଜେଙ୍କୁ ଗୁମାସ୍ତା କାମ ଦେଲେ l ଜେଜେଙ୍କ ସଚ୍ଚୋଟ ପଣିଆ ଏବଂ ସୁଗୁଣରେ ପ୍ରଭାବିତ ହୋଇଥିଲେ ମହନ୍ତ ମହାରାଜ l ଆଉ ମଧ୍ୟ ତାଙ୍କର ସୁକୁଶଳ କାର୍ଯ୍ୟଦକ୍ଷତା ଦେଖି ଅତି ମୁଗ୍ଧ ହୋଇଥିଲେ ତତ୍କାଳୀନ ଉତ୍ତରପାର୍ଶ୍ୱ ମଠର ମହନ୍ତ ଗୋସେଇଁ ନାମ ମନେ ପଡ଼ୁନି ।

ଜଗନ୍ନାଥ ମହାପ୍ରଭୁଙ୍କ ମହିମାଯୁକ୍ତ ସୌରଭ ଅତୀବ ଦିଗନ୍ତ ବିସ୍ତାରୀ ଏବଂ ଜନମନ ମୋହକ l ଉତ୍ତରପାର୍ଶ୍ଵ ମଠରେ ଜେଜେଙ୍କ ଚାକିରୀ କାଳ ପ୍ରାୟ ବର୍ଷେ କଟିଗଲା l ସେତେବେଳେ ଗଜପତି ମହାରାଜ ତଥା ଚଳନ୍ତି ବିଷ୍ଣୁପ୍ରତିମା ଶ୍ରୀ ଶ୍ରୀ ଶ୍ରୀ ଵୀରାଧୀବୀରବର ରାମଚନ୍ଦ୍ର ଦେବଙ୍କ ଅଧୀନସ୍ଥ ଥିଲା ସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ପରିଚାଳନା ଭାର ତଥା ଜଗନ୍ନାଥଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡ଼ିକର ନିୟନ୍ତ୍ରଣକାରୀ କ୍ଷମତା l ଗଜପତିଙ୍କ ମାର୍ଫତ୍ ରେ ସବୁ କାମ ଚାଲୁଥିଲା l ତୁଣ୍ଡ ବାଇଦ ସହସ୍ର କୋଶ l ଜେଜେଙ୍କ କାର୍ଯ୍ୟଦକ୍ଷତା ଓ ମାନବୀୟ ସୁଗୁଣର ଡିଣ୍ଡିମ ମହାରାଜଙ୍କ କର୍ଣ୍ଣଗୋଚର ହୋଇଥିଲା l ସେ କାଳ ବିଳମ୍ବ ନକରି ପଠାଇଲେ ତାଙ୍କ ପିଆଦାଙ୍କୁ ମହନ୍ତ ମହାରାଜଙ୍କ ପାଖକୁ l ପିଆଦା ଗଜପତିଙ୍କ ଚିଟାଉ ମହନ୍ତଙ୍କ ହାତକୁ ବଢ଼ାଇ ଦେଲେ l ସେଥିରେ ଲେଖାଥିଲା, " ମହାରାଜ ଆପଣ ଅତି ଶୀଘ୍ର ଆପଣଙ୍କ ନୂଆ କର୍ମଚାରୀ ଅପର୍ତ୍ତୀ ଚରଣ ମହାଶୟଙ୍କୁ ଆମ୍ଭ ସାନ୍ନିଧ୍ୟକୁ ପ୍ରେରଣ କରନ୍ତୁ l ସେ ଆମ୍ଭର ଅଧୀନସ୍ଥ କର୍ମଚାରୀ ଭାବେ ଶ୍ରୀଜୀଉଙ୍କ କାର୍ଯ୍ୟ ସମ୍ପାଦନ କରିବେ l ଇତି ଶ୍ରୀ ଗଜପତି l"

ନିଜର ଅନିଚ୍ଛା ସତ୍ତ୍ୱେ ମହନ୍ତ ମହାରାଜ ଆମ ଜେଜେଙ୍କୁ ରାଜ ପିଆଦାଙ୍କ ସହିତ ପଠାଇ ଦେଲେ ରାଜ ନଅର ଭିତରକୁ l ଛୋଟ ଖିଡ଼ିକି କବାଟ ଦେଇ ପଶିଲେ ଭିତରକୁ l ଗଜପତି ମହାରାଜା ଜେଜେଙ୍କୁ ଦେଖି ଅତୀବ ଆନନ୍ଦ ଅନୁଭବ କଲେ l ସମ୍ୟକ୍ ବାର୍ତ୍ତାଳାପ ପରେ ପରେ ପର ଦିନ ଆସିବାକୁ ସେ ଆଦେଶ ଦେଲେ ଜେଜେଙ୍କୁ l ପରଦିନ ଜେଜେ ଗଜପତିଙ୍କୁ ଭେଟିଲେ ଏବଂ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ବର ଜିଲାସ୍ଥ ଜଗନ୍ନାଥଙ୍କ ସମସ୍ତ ଭୂସମ୍ପତ୍ତିର ତହସିଲଦାର ପଦବୀରେ ସେ ଯୋଗ ଦେଲେ l ସେତେବେଳେ ଜେଜେ ପ୍ରଭୁଙ୍କ ନାମ କୀର୍ତ୍ତନ କରି ଏବଂ ସ୍ୱାସ୍ଥ୍ୟରକ୍ଷା ନିୟମଗୁଡ଼ିକ ଟିକି ନିକି ପାଳନ କରି ସେତେବେଳର ବାଲେଶ୍ବର ପରି ଏକ ନିହାତି ଅସ୍ୱାସ୍ଥ୍ୟକର ପରିବେଶଯୁକ୍ତ ଅଞ୍ଚଳରେ ରହି ଆଉ ସୁସ୍ୱାସ୍ଥ୍ୟ ରକ୍ଷା କରି ସେ ସେଠାରେ ବିତାଇଥିଲେ ଚାକିରୀ ଜୀବନର ଦୀର୍ଘ ପାଞ୍ଚ ବର୍ଷ କାଳ l ପରେ ପରେ ଗଜପତିଙ୍କ ଅନୁଗ୍ରହରୁ ପୁରୀ ଓ ଶେଷରେ କଟକର ଜଗନ୍ନାଥ ମହାପ୍ରଭୁଙ୍କ -ତହସିଲଦାର ଏବଂ ଲ-ଏଜେଣ୍ଟ ଭାବେ କାର୍ଯ୍ୟ ସମ୍ପାଦନ ପୂର୍ବକ କଟକରେ ସେ ହେଲେ ଅବସର ପ୍ରାପ୍ତ l ସନ ୧୯୮୮ ମସିହା ଅପ୍ରେଲ ୭ ତାରିଖ ପୂର୍ବାହ୍ନରେ ବଡ଼ ଠାକୁରଙ୍କ ନାମ କୀର୍ତ୍ତନ କରି କରି ଦାରୁବ୍ରହ୍ମଙ୍କ ସହିତ ହୋଇଯାଇ ଥିଲେ ସମ୍ପୂର୍ଣ୍ଣ ବିଲୀନ l

ଏଠାରେ ଆଉ ଗୋଟିଏ ଘଟଣା ଉଲ୍ଲେଖ କରୁଛୁ ଯାହାର ବର୍ଣ୍ଣନା ବୋଧହୁଏ ପ୍ରାସଙ୍ଗିକ ଅତ୍ୟୁକ୍ତି ହୋଇ ନପାରେ l ଏଇଟି ୧୯୩୯ ମସିହା ଘଟଣା l ଗଜପତି ମହାରାଜା ଥରେ ସୋରରେ ରହୁଥିବା ଜଣେ ନାଏବ ତହସିଲଦାରଙ୍କ ଘରୁ ଶ୍ରୀ ଜୀଉଙ୍କ ଜମିଜମା ସଂକ୍ରାନ୍ତୀୟ ଗୋଟାଏ ଫାଇଲ ଆଣିଵାକୁ ଜେକେଙ୍କୁ ପଠାଇ ଥିଲେ l ତାଙ୍କ ଘରୁ ଫାଇଲ ଆଣୁ ଆଣୁ ରାତି ୯ଟା ବାଜିଗଲା l ଟ୍ରେନରେ ଆସି ପୁରୀରେ ପହଞ୍ଚିବାର ଥିଲା l ରାତି ଦଶଟାରେ ଆସାନସୋଲ ଟ୍ରେନ୍ ସୋର ଷ୍ଟେସନରେ ପହଁଞ୍ଚିବ l ତେଣୁ ଜେଜେ ତାଙ୍କ କାନ୍ଧଝୁଲା ମୁଣିରେ ଫାଇଲଟି ରଖି ଷ୍ଟେସନ୍ ଆଡ଼କୁ ଚାଲିବାକୁ ଲାଗିଲେ l ମଫସଲ ଜାଗା l ବିଶେଷ କରି ବାଉଁଶ ବୁଦାପୂର୍ଣ୍ଣ ବଣ l ସେତେବେଳେ ବାଲେଶ୍ୱରର ସୋର ଅଞ୍ଚଳ କୁଖ୍ୟାତ ଅପରାଧୀ,ଚୋର,ଖଣ୍ଟ ଓ ଡକେଇତମାନଙ୍କ ଆଡ୍ଡାସ୍ଥଳୀ l ସେମାନଙ୍କ ପ୍ରାଦୁର୍ଭାବ ଖୁବ ବଢ଼ି ଯାଇଥାଏ ଓ ଲୋକେ ସନ୍ଧ୍ୟା ପରେ ପ୍ରାୟ ସେବାଟେ ଆଦୌ ଯିବା ଆସିବା କରିବାକୁ ନିରାପଦ ମଣୁ ନଥିଲେ l ସୁତରାଂ ଜେଜେ ଜଗନ୍ନାଥ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କରି କରି ବାଟ ଚାଲୁଥାନ୍ତି l ହଠାତ୍ ପଗ୍ ଦଣ୍ଡି ରାସ୍ତା କଡ଼ରେ ଥିବା ଏକ ବାଉଁଶ ବୁଦା ଭିତରୁ ପାଞ୍ଚ ଜଣ ଲୋକ ବାହାରି ପଡ଼ିଲେ ଜେଜେଙ୍କ ସାମ୍ନାରେ l ଅନ୍ଧାର ରାତି l ଘଡ଼ି ମାରି ଉଠୁଥିବା କାଳୀ ଅନ୍ଧାରୀ ଜହ୍ନ ଆଲୁଅରେ ସେମାନଙ୍କ ହାତରେ ଭୁଜାଲି ଥିବାର କେଜେ ଲକ୍ଷ୍ୟ କଲେ l ସେମାନେ ଜେଜେଙ୍କ ପଛେ ପଛେ ଚାଲିବାକୁ ଲାଗିଲେ l ଅନବରତ ନାମ ଉଚ୍ଚାରଣ ଦ୍ୱାରା ଜେଜେ ସେମାନଙ୍କୁ ଗୁରୁତ୍ୱ ଦେଉ ନଥିଲେ l ହଠାତ୍ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣକୁ ହିନ୍ଦି ଭାଷାରେ ପଚାରିଲା, " ଆରେ ଦୋସ୍ତ ଇସ୍ ଆଦମୀ କା ପୁଟଲିମେ କ୍ୟା ହୈ ଦେଖୋନା l ହଡ଼ପ୍ କରଲେଙ୍ଗେ " l

ଯେମିତି ଏହି କଥାବାର୍ତ୍ତା ଜେଜେଙ୍କ କାନରେ ପଡ଼ିଗଲା, ଜେଜେ ଜଗନ୍ନାଥଙ୍କ ନାମ ନେଇ ନେଇ ତତ୍ କ୍ଷଣାତ୍ ଆହୁରି ଜୋରରେ ସେ ଚାଲିଵାକୁ ଆରମ୍ଭ କଲେ l ସେମାନେ ବି ଜେଜେଙ୍କ ପଛେ ପଛେ ଜୋରରେ ଚାଲିବାକୁ ଲାଗିଲେ l ପୁଣି ସେମାନଙ୍କ ଭିତରୁ ଜଣେ ପଛରୁ ଡାକିଲା, " ଆରେ ଭାଇ ସାହାବ୍ ଇତ୍ ନା ତେଜିସେ କ୍ୟୁଁ ଚଲ ରହେ ହୋ ଜରା ଧିମେ ଚଲୋ ନା " l ସେତେବେଳେ ଜାନୁଆରୀ ମାସ l ମାଘ ମାସର ବାଘ ଶୀତ l ତେଣୁ ଜେଜେ ଉତ୍ତର ଦେଲେ, " ଭାଇ ସାହବ୍ ତେଜିସେ ଚଲ୍ ନେସେ ଥଣ୍ଡକ୍ ଛୋଡ଼ ଯାଏଗା ଔର ଜିସମ୍ ମେ ଗର୍ମି ଆ ଯାଏଗା " l ସେତେ ବେଳେ ଗଳି କନ୍ଦିରେ ପୋଲିସ ଜଗୁ ନଥିଲେ l କେବଳ ସହର ଛକ ଓ ଜନ ଗହଳି ସ୍ଥାନରେ ପୋଲିସ ଜଗୁଥିଲେ l ହଠାତ ଜଣେ ଖଣ୍ଟ ଜେଜେଙ୍କ ବ୍ୟାଗ ଛଡ଼ାଇ ନେଵାକୁ ଚେଷ୍ଟା କଲା l ଜେଜେଙ୍କ ଦୃଢ଼ ମନବଳ ଓ ନାମ ସ୍ମରଣ ତାଙ୍କର ରକ୍ଷା କବଚ ରୂପେ କାମ କରିଥିଲା l ତେଣୁ ଜେଜେ ସାହସ ନହରାଇ ଖୁବ ଦ୍ରୁତ ଗତିରେ ଦୌଡ଼ିଵାକୁ ଆରମ୍ଭ କଲେ l ଖଣ୍ଟମାନେ ବି ଦୌଡ଼ିଲେ l ଚାହୁଁ ଚାହୁଁ ସୋର ରେଳ ଷ୍ଟେସନର ବତୀ ଦିଶିଲା l ଜେଜେ "ପୋଲିସ୍ ପୋଲିସ୍ ପୋଲିସ୍! ଡାକି ଡାକି ଷ୍ଟେସନ ଆଡ଼କୁ ଦୌଡ଼ିଲେ l ଜଗନ୍ନାଥଙ୍କ ଅପାର କରୁଣା l ଜଣେ ରେଳବାଇ ପୋଲିସ ହାତରେ ଲାଠି ଧରି ପାଖକୁ ଆସିଲେ l ଖଣ୍ଟମାନେ ଛାନିଆରେ ପଛକୁ ଦୌଡ଼ି ପଳେଇଗଲେ ଓ ଜେଜେ ଆଶ୍ବସ୍ତି ବୋଧ କଲେ l ତାପରେ ଟ୍ରେନ ଧରି କଟକ ଫେରି କଟକରୁ ଟ୍ରେନରେ ବସି ପୁରୀ ଫେରି ଆସି ଗଜପତି ରାମଚନ୍ଦ୍ର ଦେବଙ୍କୁ ଫାଇଲ୍ ସବୁ ଦେଇ ଦେଲେ l ଏହି ହେଲା ବଳିୟାର ଭୁଜ ଚକାଡୋଳା ମହାପ୍ରଭୁ ଜଗନ୍ନାଥଙ୍କ ମହିମା l ସର୍ବଜ୍ଞାତା ଅନ୍ତର୍ଯ୍ୟାମୀ ସେ l ଜଗତର ମଙ୍ଗକକାରୀ l ଉକ୍ତ ସତ୍ୟ ଘଟଣା ସ୍ବର୍ଗତ ଜେଜେଙ୍କ ମୁଖନିସୃତ ଯାହାକୁ ଆମେ ଏଠାରେ ଲିପିବଦ୍ଧ କରି ପାଠକ ଓ ପାଠିକାଙ୍କ ନିକଟରେ ପହଞ୍ଚାଇବାକୁ ଏକ କ୍ଷୁଦ୍ର ପ୍ରୟାସ କଲୁ l ଜୟ ଜଗନ୍ନାଥ ସ୍ୱାମୀ ଜୟ ମାତା କମଳିନୀ l ଆପଣଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ l

       


Rate this content
Log in

Similar oriya story from Classics