ABADHOOT PANDA

Children Stories Horror

4  

ABADHOOT PANDA

Children Stories Horror

ଗିରିଆ ଭୂତ

ଗିରିଆ ଭୂତ

5 mins
238


      

ନରିପୁର ଗୋଟାଏ ନିହାତି ମଫସଲ ଗାଁ । ନଈକୂଳିଆ ଗାଁ । ଚାରିଆଡ଼େ ବିଲ ବାଡ଼ି ତୋଟା । ଗାଁ କଡ଼ରେ ବିରାଟ ମଶାଣି । ଦିନେ ରାତିରେ ଗାଁର ସରପଞ୍ଚ ରାମବାବୁ ତାଙ୍କ ବନ୍ଧୁଙ୍କ ଘରୁ ଫେରୁଥିଲେ ସାଇକେଲରେ ସେଇ ମଶାଣି ବାଟେ । ରାତି ବାରଟା । ହଠାତ୍ ଗୋଟାଏ ତୁରୀ ଶବ୍ଦ ମଶାଣି ବରଗଛ ଉପରୁ ଶୁଭିଲା । ସେ ସାଇକେଲ ଚାଳନା ବନ୍ଦ କରି ଗଛ ଉପରକୁ ଚାହିଁଲେ । ଦେଖିଲେ ଗୋଟାଏ କଳା ଭୁଶୁଣ୍ଡା ମଣିଷ ଠିଆ ହେଇଛି । ତାର ଆଖି ଦିଟା ରଡ଼ ନିଆଁ ପରି ଦିଶୁଥିଲା । ସେଦିନ ଥିଲା ଅମାବାସ୍ୟା ।


ରାମବାବୁ ନିଜ ପକେଟରୁ ଟର୍ଚ୍ଚ ବାହାର କରି ସେଇ ଛାୟାମୂର୍ତ୍ତି ଉପରେ ପକେଇଲେ । କିନ୍ତୁ ଗଛ ଉପରେ କିଛି ନଥିଲା । କେବଳ ଦୁଇଟି ଡାଳି ଓଧ ବର ଫଳ ଖାଉଥାନ୍ତି । ତାପରେ ଟର୍ଚ୍ଚ ବନ୍ଦ କରି ଡାଇନାମା ସୁଇଚ୍ ଅନ୍ କରି ଆଗେଇ ଚାଲିଲେ ମଶାଣି କଡ଼ ରାସ୍ତାରେ ।


ରାମବାବୁ ଅନୁଭବ କଲେ ଯେ ତାଙ୍କ ସାଇକେଲ ପଛ ସିଟ ଉପରେ କେହି ଜଣେ ଯେମିତି ବସିଛି । ସାଇକେଲ ଭାରି ଭାରି ଲାଗିଲା । ତେଣୁ ତାଙ୍କୁ ପେଡାଲ୍ ମାରିବାକୁ କଷ୍ଟ ହେଉଥାଏ । ଗାଁ ପୋଖରୀ କୂଳ ରାସ୍ତା ଉପରେ ରାମବାବୁ ପହଞ୍ଚିଗଲେ । ହଠାତ୍ ତାଙ୍କ ସାଇକେଲ୍ ସିଟରୁ ଗୋଟାଏ କାଳିଆ ଧୂଆଁ ବାହାରି ଭୂଷ୍ ଭାଷ୍ ଡିଆଁ ମାରିଦେଲା ପୋଖରୀ ଭିତରକୁ । ପାଣି ଭିତରେ ଜଳୁଥାଏ ଦୁଇଟି ରଡ଼ ନିଆଁ । ରାମବାବୁ ଗ୍ରାମ ଦେବୀଙ୍କୁ ସ୍ମରଣ କରି ପୁଣି ଆଗେଇ ଗଲେ । ରାମବାବୁ ଜଣେ ଆଧ୍ୟାତ୍ମିକ ଲୋକ । ତେଣୁ ଏ ସବୁ ଦେଖି ଡରିବା ଲୋକ ସେ ଆଦୌ ନଥିଲେ । ବରଂ ଭୂତର ଏସବୁ ରବୟା ଦେଖି ତାଙ୍କୁ ମଜା ଲାଗୁଥାଏ ।


ପୁଣି କିଛି ବାଟ ଆଗେଇ ଗଲା ପରେ ପଡ଼ିଲା ଏକ ବିରାଟ ଦେବଦାରୁ ଗଛ । ଗଛ ଡାଳ ଖସ୍ ଖସ୍ ହେବାରୁ ସେ ଉପରକୁ ଚାହିଁ ଦେଖିଲେ ସେଇ କାଳିଆ ଭୂତଟି ଠିଆ ହେଇଛି ଆଉ ରଡ଼ ନିଆଁ ପରି ତା ଆଖି ଦିଟା ଦିଶୁଛି । ଆଶ୍ଚର୍ଯ୍ୟ ହେଇ ଗଲେ ରାମବାବୁ । ପୁଣି କିଛି ବାଟ ଗଲା ପରେ ସେଇ ଭୂତଟି ତାଙ୍କ ଆଗରେ ଠିଆ ହେଇଗଲା । ତାଙ୍କ ସାଇକେଲ ଡାଇନାମା ଆଲୁଅ ହେଇ ଗଲା ବନ୍ଦ । ତଥାପି ପେଡାଲ୍ ମାରି ହତାଶ ହେଲେ । ଆଗରେ ଭୂତ । ସାଇକେଲ ଚାଲୁନି । ଟର୍ଚ୍ଚ ବି ସୁଇଚ ଟିପିଲେ ବି ଜଳୁନି । ମନେ ମନେ ଗାଁ ଦେବୀ ମା କାଳିକାଙ୍କୁ ଡାକି ସେଇ କାଳିଆ ଭୁତକୁ ପଚାରିଲେ, " ତୁ କାହିଁକି ମୋ ବାଟ ଉଗାଳୁଛୁ । କିଏ ତୁ କହ । ମୁଁ ତୋ ଇଚ୍ଛା ପୂରଣ କରିବି । ମତେ ଆଉ ତୁ ହଇରାଣ କରନା ।"


ସତକୁ ସତ ଭୁତଟି କଥା କହିଲା, " ହଁ ମୁଁ ଏ ଗାଁର ଲୋକ ଥିଲି । ମୋ ନା ଗିରିଆ । କୋଡ଼ିଏ ବର୍ଷ ତଳେ ପାଖ ଗାଁ କନିଆଁକୁ ବିଭା ହୋଇଥିଲି । ତା ନାଁ ଥିଲା ସାରିଆ । ସେ ଭୀଷଣ ରାଗି ସ୍ତ୍ରୀ ଲୋକ ଥିଲା । ମୁଁ ରାଜମିସ୍ତ୍ରୀ କାମ କରି ଯେତିକି ରୋଜଗାର କରେ ସେଥିରେ ଆମେ ସୁରୁଖୁରେ ଚଳିଯାଉ । ଏମିତି ତିନି ବର୍ଷ ବିତିଗଲା । ଆମର କିଛି ଛୁଆ ପିଲା ହେଲାନି । ତେଣୁ ପ୍ରାୟ ପ୍ରତି ଦିନ ଆମ ଭିତରେ ଝଗଡ଼ା ହୁଏ । ମୁଁ ତାକୁ ବହୁତ ବୁଝାଏ ମାତ୍ର ସିଏ ଜମା ବୁଝେନି । ମତେ ନପୁଂସକ କହି ଯାଚ୍ଛା ତେଇ ଗାଳି ଦିଏ । ଲୋକ ଲଜ୍ଜା ଭୟରେ ମୁଁ ଚୁପ୍ ରହେ ସିନା କିନ୍ତୁ ମନ ମୋର ଜଳି ଯାଉଥାଏ । ଦିନେ ତାକୁ ପଠାଣ ପୁର ଗାଁରେ ଥିବା ଜଣେ ତାନ୍ତ୍ରିକ ସ୍ତ୍ରୀଲୋକ ପାଖକୁ ନେଇ ଗଲି । ତା ପେଟ ଦେଖେଇଲି । ତାପରେ ମୋ ପେଟ ଦେଖେଇଲି । ଶେଷକୁ ଆମ ପେଟରେ ଦୁବ ଘାସ ବୁଲେଇ ସେହି ତାନ୍ତ୍ରିକା ରୋକ୍ ଠୋକ୍ କହିଦେଲା ଯେ ଆମର ପିଲାଛୁଆ ଆଦୌ ହବନି । ଏମିତି ମୁଁ ଓଥଡ଼ା ରହିବି । "


ରାମବାବୁ ପଚାରିଲେ, " ତାପରେ କଣ ହେଲା । " ଭୂତ ଜବାବ ଦେଲା, " ଆଉ କଣ ହବ । ମୁଁ ମୋ ସ୍ତ୍ରୀକୁ ନେଇ ଘରକୁ ଫେରିଆସିଲି । ପୁଣି ଆମ ଦୁହିଁଙ୍କ ଭିତରେ କଜିଆ ହେଲା । ମୁଁ ଚୁପ୍ ରହେ । କିନ୍ତୁ ସେ ମୋ ଉପରେ ରାଗି ତକିଆ ଫୋପାଡ଼େ । ଏମିତି ପାଞ୍ଚ ବର୍ଷ ବିତିଗଲା । ତଥାପି ଆମେ ବାପା ମା ହେଇ ପାରିଲୁନି । ସାରିଆ ବଦରାଗୀ ମିଜାଜର ମାଇକିନିଆ । ସେଦିନ ଦୀପାବଳୀ ଅମାବାସ୍ୟା । ରାତିରେ ସାରିଆ ମତେ କେବଳ ଗିଲାସେ କ୍ଷୀର ପିଇବାକୁ ଦେଲା । କ୍ଷୀର ପିଇଲା ପରେ ମୋ ଛାତି ଭୀଷଣ ଜଳାପୋଡ଼ା ହେଲା । ମୋ ଆଖିରୁ ଆଉ କାନରୁ ଗରମ ପବନ ବାହାରୁ ଥାଏ । ମୋ ପାଟିରୁ ଫେଣ ବାହାରି ଆସିଲା । ସାରିଆ ମୋ ମୁହଁକୁ ରାଗରେ ଚାହିଁ କହୁଥାଏ, " ମର ନିସଂସିଆ ମର ତୋ ପରିକା ଅଣପୁରୁଷା ଘଇତା ମୋର ଦରକାର ନାହିଁ । କ୍ଷୀରରେ ଶଙ୍ଖୁଆ ମିଶେଇ ଦେଇଛି । ପିଇକି ମରିଯା ମୁଁ ଆଉ ଗୋଟାଏ ବାହା ହେବି । " ମୋ ଗଳା ଶୁଖିଯାଉଥାଏ । ପାଣି ମାଗିଲି ସେ ମତେ ପାଣି ଦେଲାନି । ବଦଳରେ ମତେ ଦି ଗୋଇଠାଁ ମାରିଲା । ପ୍ରାୟ ଅଧଘଣ୍ଟା କଷ୍ଟ ଭୋଗିଲା ପରେ ମୋ ଜୀବ ଛାଡ଼ି ଗଲା ।


ସେଇ ଦିନଠୁଁ ଆଜି ଯାଏଁ ଏଇ ମଶାଣି ପାଖ ବରଗଛ ଉପରେ ରହି ଆସୁଛି । ରାତି ବାଟୋଇ ମାନେ ମୋର ଚେହେରା ଦେଖି ଡରି ପଳାନ୍ତି । କିନ୍ତୁ ମୁଁ କାହାର କ୍ଷତି କରିବାକୁ ଚାହେଁନି । କେବଳ ମୋ ମନ କଥା କହି ପ୍ରେତ ଯୋନୀରୁ ମୁକ୍ତି ପାଇବାକୁ ଚାହୁଁଥିଲି । ଆଜି ଅମାବାସ୍ୟା ରାତି । ତୁମ ପରି ସଜ୍ଜନଙ୍କ ସହିତ ଭେଟ ହେଇଗଲା । କେବଳ ଅମାବାସ୍ୟା ତିଥିରେ ମୋ ଦେହରେ ପୁରାପୁରି ଶକ୍ତି ଆସେ । ତେଣୁ ଆପଣଙ୍କୁ ମୋ ନିଜର ଦୁଃଖ କଥା ଖୋଲି କହିଦେଲି । "


ରାମବାବୁ କହିଲେ, " ଠିକ୍ ଅଛି । ତୁମର କଣ ଦରକାର କୁହ । "


ତାପରେ ଗିରିଆ ଭୂତ କହିଲା, " ଆସନ୍ତା ଚିତା ଲାଗି ଅମାବାସ୍ୟାଦିନ ମୋ ପାଇଁ ତୁମ ଘରେ ପିଣ୍ଡ ପକେଇବ । ବ୍ରାହ୍ମଣ ଗୋସେଇଁଙ୍କୁ ଦକ୍ଷିଣା ଦେଇ ପିଣ୍ଡଦାନ ପରେ ଭାଗବତର ଷଷ୍ଠସ୍କନ୍ଦ ଅଷ୍ଟମ ଅଧ୍ୟାୟଟି ପଢ଼ିବା ପାଇଁ କହିବେ । ଘରେ ଅରୁଆ ଅନ୍ନ କ୍ଷୀରି ତରକାରୀ କରି ସାହିର ସାତୋଟି ଲଙ୍ଗଳା ପିଲାଙ୍କୁ ଖାଇବାକୁ ଦେଇ ଦବ । ନିଜ ହାତରେ ସେମାନଙ୍କୁ ପରଷିବ । ମୋର ଚିତଉ ପିଠା ଖାଇବାରେ ଭାରି ଲୋଭ । ଦୁଇଟି ପିଠା ଆଉ ତରକାରୀ ଆଉ ଗିଲାସେ ପାଣି ନେଇ ସେଇ ମଶାଣି ପାଖ ବରଗଛ ତଳେ ରଖି ଦବ । ଏତିକି କଲେ ମୋ ଆତ୍ମା ଶାନ୍ତିରେ ମୁକ୍ତି ପାଇବ ସବୁଦିନ ପାଇଁ । "


ସମସ୍ତଙ୍କ ଜୀବନରେ ଏପରି ପ୍ରେତାତ୍ମା ସହିତ ମୁକାବିଲାର ସୁଯୋଗ ଆସେନି । ରାମବାବୁ ସେତିକି ପୂଣ୍ୟବାନ୍ ଥିବାରୁ ପ୍ରେତାତ୍ମା ସହିତ କଥାବାର୍ତ୍ତା କରିପାରିଲେ । ଯାହାବି ହେଉ ରାମବାବୁ ଏସବୁ କଥା ଶୁଣିସାରି ଗିରିଆ ଭୂତକୁ କହିଲେ, " ହଉ ତମେ ତମ ଗଛକୁ ଫେରିଯାଇ ଅପେକ୍ଷା କର । ଆସନ୍ତା ଚିତା ଲାଗି ଅମାବାସ୍ୟା ରାତିରେ ତୁମ ମନୋବାଞ୍ଛା ନିଶ୍ଚୟ ପୂର୍ଣ୍ଣ ହେବ । " 


" ହଉ ଆପଣଙ୍କୁ ଧନ୍ୟବାଦ " କହି ଗିରିଆ ଭୂତ ସୁ.... ଉ...... ସୁ..... ଉ.... ଫଟ.... ଫଟ...... ଆୱାଜ୍ ଦେଇ ସାଇକେଲ ଆଗରୁ ଉଡ଼ି ପଳେଇଲା ।


ସାଇକେଲ ଡ଼ାଇନାମା ଆଉ ଟର୍ଚ୍ଚ ଜଳି ଉଠିଲା ଆପେ ଆପେ । ପେଡାଲ୍ ଭଲ ଭାବେ ଘୁରିଲା । ତାପରେ ଖୁସି ମନରେ ରାମ ବାବୁ ଗ୍ରାମ ଦେବୀ ମା କାଳିକାଙ୍କୁ ପ୍ରଣାମ ଜଣାଇ ଘରକୁ ଫେରି ଆସିଲେ ।


ଘରେ ପହଞ୍ଚି ସ୍ତ୍ରୀଙ୍କୁ ସବୁ କଥା କହିଲେ । ପିଣ୍ଡଦାନ ନହେଲା ଯାଏଁ ବେଶୀ ଲୋକଙ୍କୁ ନଜଣାଇ ବାକୁ ସ୍ତ୍ରୀଙ୍କୁ ବାରଣ କଲେ । ଚାହୁଁ ଚାହୁଁ ମାସେ ବିତିଗଲା । ଚିତାଲାଗି ଅମାବାସ୍ୟା ଆସିଗଲା । ସମସ୍ତ ସାଇ ପଡ଼ିଶାଙ୍କ ଘରେ ପିଠା ପଣା । କିନ୍ତୁ ରାମବାବୁଙ୍କ ଘରେ ଗିରିଆର ପିଣ୍ଡଦାନ କର୍ମ ଚାଲିଥାଏ ଗିରିଆଭୂତର ନିର୍ଦେଶ ଅନୁସାରେ । ଭାଗବତ ପଢ଼ା ପରେ ଲଙ୍ଗୁଳି ପିଲା ଭୋଜନ ଶେଷ ହେଲା । ରାତି ଆଠଟା ବାଜିଲା । ରାମବାବୁ ଏବଂ ପୁରୋହିତ ଗୋସେଇଁ କାଠପତ୍ର ଠୋଲାରେ ଦୁଇଟି ଚିତଉ ପିଠା ଆଉ ତରକାରୀ ଆଉ ମାଟିଗିଲାସରେ ଗିଲାସେ ପାଣି ନେଇ ମଶାଣି ଆଡ଼କୁ ଚାଲିଲେ । ବରଗଛ ମୁଳେ ବ୍ରାହ୍ମଣ ପୁରୋହିତ ମନ୍ତ୍ର ପଢ଼ି ପ୍ରେତକୁ ପିଣ୍ଡ ଅର୍ଥାତ୍ ପିଠା ଦରକାରୀ ଅର୍ପଣ କରିଦେଲେ । ଏ ସବୁ କାମ ଟର୍ଚ୍ଚ ଲାଇଟରେ ଚାଲିଥାଏ ।


ପ୍ରେତାତ୍ମା ଭାଗ୍ୟ ଭଲ । ସେଦିନ ଆକାଶ ନିର୍ମଳ ଓ ପାଗ ଶୁଖିଲା ଥିଲା । ରାମବାବୁ ଗଛ ଉପରକୁ ଚାହିଁ ହାତ ଯୋଡ଼ି କହିଲେ, " ହେ ଗିରିଆ! ତୁମ କହିବା ମୁତାବକ ପିଣ୍ଡ ଆଉ ଖାଦ୍ୟ ପାନୀୟ ଆମେ ତୁମକୁ ଅର୍ପଣ କଲୁ । ଏତିକ ଭୁଞ୍ଜି ସାରି ତୁମେ ପ୍ରେତ ଯୋନୀରୁ ମୁକ୍ତିପାଅ । ଆମର ଏତିକି କାମନା । "


ତାପରେ ପୁରୋହିତ ଆଉ ରାମବାବୁ ଫେରି ଆସିଲେ । କିଛି ବାଟ ଯିବା ପରେ ପଛରୁ ଏକ ତାଳି ଶବ୍ଦ ଶୁଭିଲା । ଦୁଇଜଣ ପଛକୁ ଚାହିଁ ଦେଖିଲେ ଏକ ବିରାଟକାୟ କଳା ମଣିଷ ବରଗଛ ଉପରେ ବସି ତାଳି ମାରୁଛି ଆଉ କହୁଛି, " ହେ ରାମବାବୁ ଈଶ୍ବର ଆପଣଙ୍କ ସର୍ବ ମଙ୍ଗଳ କରନ୍ତୁ । ନନାଙ୍କ ସର୍ବ କୁଶଳ ହଉ । ମୁଁ ଯାଉଛି । ନମସ୍କାର । " ତାପରେ ଗୋଟାଏ କଳା ଛାୟାମୂର୍ତ୍ତି ଆଲୋକ ପିଣ୍ଡରେ ପରିଣତ ହୋଇ ଆକାଶ ଆଡ଼କୁ ଉଡ଼ିଯାଉଥାଏ ଅମା ଅନ୍ଧକାର ବକ୍ଷ ଚିରି ।

              ******



Rate this content
Log in