ABADHOOT PANDA

Children Stories

3  

ABADHOOT PANDA

Children Stories

ମାରାତ୍ମକ ବାଟୋଇ କୋଠା

ମାରାତ୍ମକ ବାଟୋଇ କୋଠା

6 mins
175


ବହୁତ ଦିନ ତଳର କଥା । ସେତେବେଳେ ଆମ ଦେଶକୁ ଇଂରେଜ ସରକାର ଶାସନ କରୁଥିଲେ । କଲିକତା ନଗରୀ ତଳେ ଗୋଟାଏ ଗାଁରେ ଗୋଟେ ବିରାଟ ଏକ ମହଲା କୋଠାଘର ରାଜରାସ୍ତା କଡ଼ରେ ଥିଲା । ମୋହନଲାଲ୍ ନାମକ ଜଣେ ଧନୀ ମାରୱାଡି ବ୍ୟବସାୟୀ , ତାଙ୍କ ନା ଥିଲା ମୋହନଲାଲ୍ ।ବାଟୋଇମାନଙ୍କୁ ସୁବିଧା ପାଇଁ ସେଇ ଘରଟି ତିଆରି କରିଥିଲେ । ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ବି କରିଥିଲେ । କିନ୍ତୁ ଦୁଃଖର ବିଷୟ, ସେଇ ଘରେ ବହୁ ଦୂରରୁ ଆସୁଥିବା କୌଣସି ବାଟୋଇ ତାଙ୍କ ପାନ୍ଥଶାଳାରେ ରାତି ବିତାଇ ପାରୁନଥିଲେ । କାରଣ ଯେ କୌଣସି ବାଟୋଇ ରାତିରେ ସେଇ ଘରେ ଶୋଉଥିଲେ ସକାଳକୁ ସେମାନଙ୍କ ଶବ ମିଳୁଥିଲା । ତେଣୁ ତାଙ୍କର ମାନବଧର୍ମୀ କର୍ମରେ ବାଧା ସୃଷ୍ଟି ହେବାରୁ ମୋହନଲାଲ୍ ବ୍ୟସ୍ତ ହୋଇପଡ଼ୁଥିଲେ । ସୁତରାଂ କେବଳ ଦିନରେ ସେଇ ପାନ୍ଥଶାଳା ଖୋଲି ରାତିରେ କବାଟରେ ତାଲା ପକାଇ ଦେଉଥିଲେ । କେହି ଏହାର କାରଣ ଜାଣିପାରୁ ନଥିଲେ ।


ପାଖ ଥାନା ଲୋକ କେବଳ ଜାଣି ସୁଦ୍ଧା ଏ କଥା ସରକାରଙ୍କୁ ଜଣାଇ ପାରୁନଥିଲେ । କାରଣ ପାନ୍ଥଶାଳାର ଧନୀ ଲୋକ ଥାନାବାଲାଙ୍କୁ କିଛି ଟଙ୍କା ଦେଇ ମନା କରିଦେଇଥିଲେ ବାହାରେ ଏ ବିଷୟ ପ୍ରକାଶ କରିବାକୁ । ମାତ୍ର ବରାବର ସେଇ ଘରେ ରାତି ବିତାଉ ଥିବା ଲୋକଙ୍କ ମଲା ଖବର ଇଂରେଜ ବଡ଼ ହାକିମଙ୍କ କାନରେ ପଡ଼ିଗଲା । କାରଣ ତୁଣ୍ଡ ବାଇଦ ସହସ୍ର କୋଶ । ତେଣୁ ଇଂରେଜ ସରକାର ଡେଙ୍ଗୁରା ବଜେଇ ଆଖପାଖ ଅଞ୍ଚଳରେ ଘୋଷଣା କରିଦେଲେ ଯେ ଯେଉଁ ବାଟୋଇ ସେହି ଘରେ ରାତି ବିତାଇ ବଞ୍ଚି ପାରିବ, ତାଙ୍କୁ ସରକାରଙ୍କ ତରଫରୁ ଏକଶହ ଟଙ୍କା ପୁରସ୍କାର ମିଳିବ । ସେତେବେଳେ ଶହେ ଟଙ୍କା ମାନେ ବର୍ତ୍ତମାନ ଲକ୍ଷେ ଟଙ୍କା କହିଲେ ଚଳିବ ।


ଡେଙ୍ଗୁରା ଦେଲାପରେ ଅନେକ ବାଟୋଇ ଟଙ୍କା ଲୋଭରେ ପାନ୍ଥଶାଳାରେ ରାତିରେ ରହିଲେ । କିନ୍ତୁ ରାତିରେ ମଲେ । ତେଣୁ ସରକାର ଆହୁରି ପଚାଶ ଟଙ୍କା ପୁରସ୍କାର ବଢ଼ାଇ ଦେଲେ । ଶେଷରେ ବିହାର ଅଞ୍ଚଳର ସାଗର ନାମକ ଜଣେ ସାହସୀ ବ୍ୟକ୍ତି ରାଜି ହେଲେ ଏବଂ ଥାନାରେ ନିଜର ଠିକଣା ସହିତ ତାଙ୍କୁ ଏକ ଲେଖା ଦେବାକୁ ପଡ଼ିଲା ଯେ ଯଦି ସେ ଘରେ ମରିଯା'ନ୍ତି ତେବେ ସେଥିପାଇଁ ସରକାର କିମ୍ବା ପାନ୍ଥଶାଳାର ମାଲିକ ଦାୟୀ ନୁହନ୍ତି । ଆଉ ମଧ୍ୟ ତାଙ୍କୁ କୌଣସି ଇନାମ୍ ମିଳିବନି । ଯେହେତୁ ସେ ନିଜ ଇଚ୍ଛାରେ ରହିଛନ୍ତି । ଆଉ ମଧ୍ୟ ତାଙ୍କୁ ସେଇ ଘରେ ଏକୁଟିଆ ଶୋଇବାକୁ ପଡ଼ିବ । ସାଗର ସରକାରଙ୍କ ସର୍ତ୍ତରେ ରାଜି ହୋଇଗଲେ । 


ତା'ପରେ ସାଗର ତାଙ୍କର ଶେଯ ତକିଆ ନେଇ ବ୍ୟାଗ୍ ଇତ୍ୟାଦି ନେଇ ସେଇ ଘରେ ପହଞ୍ଚିଗଲେ । ଖାଇସାରି ସେ ଶୋଇପଡ଼ିଲେ । ତାଙ୍କ ହାତରେ ଘଣ୍ଟା ଥିଲା । ହଠାତ୍ ଘର କାନ୍ଥ ଭିତରୁ ଜଣେ ମଣିଷର ସ୍ୱର ଶୁଭିଲା । ହାତ ଘଡ଼ିକୁ ଚାହିଁ ଜାଣିଲେ ସେତେବେଳେ ରାତି ଗୋଟାଏ । କେହି ଜଣେ କାନ୍ଥ ଭିତରୁ କହୁଥାଏ, " ମୁଁ ପଡ଼ିବି.. ମୁଁ ପଡ଼ିବି.. ମୁଁ ପଡ଼ିବି..। କିନ୍ତୁ ସାଗର ଡରିବା ଲୋକ ନୁହେଁ । ସେ ଜବାବ୍ ଦେଲେ, " ହଁ ଯେମିତି ପଡ଼ିବୁ ଆଉ ଯେତେ ପଡ଼ିବୁ ପଡ଼ । ମୁଁ ରାଜି ।"

ସାଗର ଏତିକି କହିଲା ପରେ ସତକୁ ସତ କେବଳ ଦଶଟା ସୁନା ମୋହର ଛାତରୁ ଗଳିପଡ଼ିଲା । କିଛି ସମୟ ପରେ ପୁଣି କାନ୍ଥ କହିଲା, " ପଡ଼ିବି.. ପଡ଼ିବି.. ସାଗର ପୁଣି କହିଲେ, " ହଉ ଯେତେ ପଡ଼ିବୁ ପଡ଼ିଯା ।” ସତକୁ ସତ ଖାଲି ଦଶଟା ରୂପା ମୋହର ଛାତରୁ ଗଳି ଠକ୍ ଠକ୍ ଝଡ଼ି ପଡ଼ିଲା । କିଛି ସମୟ ପରେ କାନ୍ଥ ପୁଣି କହିଲା, " ପଡ଼ିବି..ପଡ଼ିବି..ସାଗର କହିଲେ, " ହଉ ପଡ଼ " । ଏଥର କାନ୍ଥରୁ ଦୁଇଟି ହୀରା ପଥର ଖସି ପଡ଼ିଲା । ସାଗର ଟର୍ଚ୍ଚ ଟିପି ଦେଖିଲେ ସେଇ ଘରର ତିନି କାନ୍ଥ କୋଣରେ ସୁନାମୋହର, ରୂପା ମୋହର ଓ ହୀରା ପଥର ସେହି ମୁଲ୍ୟବାନ ବସ୍ତୁଗୁଡ଼ିକ ପଡ଼ିରହିଥିଲା । ଟର୍ଚ୍ଚ ମାରି ଦେଖିଲା ପରେ ସେ ଜାଣି ପାରିଲେ । ଯଦି ହୀରା ଖଣ୍ଡ ପଡ଼ିନଥାନ୍ତା ତେବେ ସେ ଟର୍ଚ୍ଚ ଆଦୌ ବ୍ୟବହାର କରି ନଥାନ୍ତେ । 


ଚାହୁଁ ଚାହୁଁ ରାତି ପାହିଗଲା । ସାଗର ସାହସୀ ଓ ସଚ୍ଚୋଟ ଥିଲେ । ତେଣୁ ବ୍ୟାଗ୍ ଭିତରେ ସବୁ ଗୁଡ଼ିକ ଭର୍ତ୍ତି କରି ସିଧା ଥାନାକୁ ଚାଲି ଚାଲିଗଲେ । ଦୁଇ କିଲୋମିଟର ଦୂର । ସେ ସମୟରେ ଆଜିକାଲିକା ପରି ଯାନବାହନ ହାଉ ଯାଉ ନଥିଲା । କେବଳ ଧନୀ ଲୋକେ କିମ୍ବା ରାଜ ପରିବାର ଲୋକେ ଯିବା ଆସିବା କରିବାକୁ ଘୋଡ଼ା,ଘୋଡ଼ାଗାଡ଼ି କିମ୍ବା ହାତଟଣା ରିକ୍ସା ବ୍ୟବହାର କରୁଥିଲେ । ତେଣୁ ଲୋକେ ଚାଲି ଚାଲି ଯିବାକୁ ବାଧ୍ୟ ହେଉଥିଲେ । ଯାହା ବି ହେଉ ସାଗର ସକାଳ ସାତଟା ସୁଦ୍ଧା ଥାନାରେ ପହଞ୍ଚି ଯାଇଥିଲେ । ଥାନା ଇନ୍ସପେକ୍ଟର ସାଗରକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଲେ ଓ କହିଲେ, " ସାବାସ୍ ସାଗର । ତୁମର ସାହସକୁ ମାନିବାକୁ ପଡ଼ିବ । " ସାଗର କହିଲେ ଧନ୍ୟବାଦ ଆଜ୍ଞା । ଏତିକି କହି ବ୍ୟାଗ୍ ଟିକୁ ବଡ଼ବାବୁଙ୍କ ହାତକୁ ବଢ଼ାଇ ଦେଇ ଗତରାତିର ସବୁ ଅଙ୍ଗେ ନିଭେଇ ଥିବା ଘଟଣା ତାଙ୍କ ଆଗରେ ବୟାନ କଲେ ଓ ବ୍ୟାଗଟିକୁ ଦାରୋଗା ବାବୁଙ୍କ ଟେବୁଲ ଉପରେ ଥୋଇଦେଇ କହିଲେ , " ଏଇ ଆଜ୍ଞା ନିଅନ୍ତୁ । ଏଥିରେ ସୁନାରୂପା ମୋହର ଆଉ ହୀରା ଅଛି । " ଦାରୋଗା ବାବୁ ବ୍ୟାଗ ଖୋଲି ଦେଖିଲା ପରେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ମୁହଁରୁ ଝାଳ ବାହାରି ପଡ଼ିଲା । ନିଜ ଚୌକିରୁ ଉଠି ସାଗର ପିଠି ଥାପୁଡ଼େଇ ଦେଲେ ଓ ନରମ ଗଳାରେ କହିଲେ, " ତୁମର ସାହସ ଆଉ ସଚ୍ଚୋଟ ପଣିଆ କଥା ମୁଁ ଆମ କମିଶନରଙ୍କୁ ଜଣେଇ ଦେବି । ତୁମେ ଘରକୁ ଫେରିଯାଅ । ଯେବେ ଆମ କନେଷ୍ଟବଳ ତୁମ ଘରକୁ ଯିବ ତା ସାଙ୍ଗେ ଆସିବ " ତାପରେ, ଆଜ୍ଞା ହଉ ଆସିବି କହି ଦାରୋଗା ବାବୁଙ୍କୁ ଦଣ୍ଡବତ କରିସାରି ଘରକୁ ଫେରି ଆସିଲେ ।


ତାପରେ ଥାନା ବଡ଼ବାବୁ ମୋହନଲାଲ୍ ଙ୍କୁ ଥାନାକୁ ଡକେଇ ପଠେଇଲେ ଆଉ ସବୁ କଥା କହିଲେ । ଦାରୋଗା ବାବୁ ପଚାରିଲେ, " କ'ଣ ମୋହନ୍ ବାବୁ ଭଲ ଅଛନ୍ତି । ଆପଣଙ୍କ ପାନ୍ଥଶାଳାର ଖବର ତ ଜାଣିଲେ । ଏବେ ସେଠି ବାଟୋଇମାନେ ନାଇଟ ହଲଟିଙ୍ଗ କରି ପାରୁଛନ୍ତି ତ? ସରକାରୀ ଅନୁସନ୍ଧାନ ପରେ ଜଣାପଡ଼ିଲା ଯେ ଯେଉଁମାନେ ମରିଛନ୍ତି କେବଳ ଅହେତୁକ ଭୟରେ । ସେମାନଙ୍କ ହାର୍ଟଫେଲ୍ ହୋଇଥିବାରୁ । ଆଉ ମଧ୍ୟ ତାନ୍ତ୍ରିକ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ବହୁବର୍ଷ ପୂର୍ବେ ସେଠାରେ ଏକ ମଶାଣି ଥିଲା । ସେଠି ଜଣେ ଅଘୋରୀ ସନ୍ନ୍ୟାସୀ ରହୁଥିଲେ ଖଣ୍ଡେ କୁଡ଼ିଆ କରି । ସେ ତାଙ୍କ ପୂର୍ବ ଜୀବନରେ ବିରାଟ ଧନୀ ବ୍ୟକ୍ତି ଥିଲେ । ସଂସାର ପ୍ରତି ବିରକ୍ତ ହୋଇ ସେ ଅଘୋରୀ ସମ୍ପ୍ରଦାୟରେ ଯୋଗ ଦେଇଥିଲେ । ସେ ମହାଦାନୀ ଥିଲେ । ଜନ କଲ୍ୟାଣ ଜୀବନ କାଳରେ କରିନପାରି ଦେହତ୍ୟାଗ କରିବା ପରେ ମଧ୍ୟ ଜନ ଉପକାର କରିଆସୁଥିଲେ । ତାଙ୍କର ମୃତ୍ୟୁ ପରେ ବି ତାଙ୍କର ଅତୃପ୍ତ ଆତ୍ମା ସୂକ୍ଷ୍ମ ଅବସ୍ଥାନ କାଳରେ ତାଙ୍କର ଅଖଣ୍ଡ ଯୋଗ ଶକ୍ତି ବଳରେ ସୁନା ରୂପା ହୀରା ପରି ମୂଲ୍ୟବାନ ପଦାର୍ଥ ସୃଷ୍ଟିକରି ଲୋକମାନଙ୍କ ଜୀବନକୁ ସୁଧାରିବାକୁ ଚେଷ୍ଟା କରୁଥିଲେ । ପଡ଼ିବାର ଅର୍ଥ ବାଟୋଇ ଯାତ୍ରୀ ମାନେ ବୁଝିପାରିଲେନି ଆଉ ଭୀଷଣ ଡରିଗଲେ । ଡରିଯିବାରୁ ତାଙ୍କ ରକ୍ତ ପାଣି ଫାଟିଗଲା ଓ ସେମାନେ ମରିଗଲେ । କିନ୍ତୁ ସାଗର ବାବୁ ନିର୍ଭିକ ଓ ସଚ୍ଚୋଟ ତେଣୁ ତାଙ୍କର ଯୋଗୀ ଆତ୍ମା ତାଙ୍କ ଉପରେ ଶୁଭ ଦୃଷ୍ଟି ପକାଇ ପାରିଲା । କିଛି ଧନ ଦେଇ ତାଙ୍କର କାମନା ପୂର୍ତ୍ତି କରି ଚିରଦିନ ପାଇଁ ସ୍ଵର୍ଗାରୋହଣ କଲେ । " ଥାନା ଦାରୋଗା ବାବୁଙ୍କ ମୁହଁରୁ ଏପରି ଅଘୋରୀ ବୃତ୍ତାନ୍ତ ଶୁଣିଲା ପରେ ହାତ ଯୋଡ଼ି କହିଲେ, " ଆଜ୍ଞା ଆପଣଙ୍କୁ ଆଉ ସାଗର ବାବୁଙ୍କୁ ଅଶେଷ ଧନ୍ୟବାଦ । ବର୍ତ୍ତମାନ ମୋ ପାନ୍ଥଶାଳାରେ ଲୋକମାନେ ନିଶ୍ଚିନ୍ତରେ ରାତି ବିତେଇ ପାରୁଛନ୍ତି । ମୋର ଜନତା ଜନାର୍ଦ୍ଦନ ସେବା ସାର୍ଥକ ହୋଇପାରିଛି । ଈଶ୍ବର ଆପଣଙ୍କ ଓ ସାଗର ବାବୁଙ୍କ ସର୍ବ ମଙ୍ଗଳ କରନ୍ତୁ ଆଜ୍ଞା ଚିରଦିନ । ତା'ପରେ ବଡ଼ ବାବୁ ଗୋଟାଏ ସମସ୍ୟା ଲାଘବ ସ୍ବୀକାରୋକ୍ତି କୋର୍ଟ କାଗଜ ଉପରେ ଲେଖେଇ ନେଇ ଦସ୍ତଖତ ମରେଇ ଦେଲେ ତାଙ୍କ ଠାରୁ । ଦିଲ୍ ଖୁସ୍ ମନରେ ସେ ତାଙ୍କ ଘରକୁ ଫେରି ଆସିଲେ । ଆଉ ପାନ୍ଥଶାଳାରେ ତୀର୍ଥଯାତ୍ରୀ ବାଟୋଇମାନଙ୍କ ପାଇଁ ଖାସ୍ ସୁବିଧା କରି କରିଦେଲେ । ସେମାନଙ୍କୁ ରେଳଷ୍ଟେସନ୍ କିମ୍ୱା ବସ୍ ଷ୍ଟାଣ୍ଡରୁ ନବା ଆଣିବା କରିବା ପାଇଁ ଘୋଡ଼ାଗାଡ଼ି ଓ ହାତରିକ୍ସାର ବ୍ୟବସ୍ଥା କରିଦେଲେ । ଫଳରେ ଇଂରେଜ ସରକାର ତାଙ୍କୁ ଏକ ସୁନାରେ ତିଆରି ମାନପତ୍ର ଫଳକ ପୁରସ୍କାର ରୂପେ ପ୍ରଦାନ କରିଥିଲେ । 


ସାଗର ଘରେ ପହଞ୍ଚି ନିଜ ଚାଷ କାମରେ ମନ ଦେଲେ । ଠିକ୍ ଏକ ସପ୍ତାହ ପରେ କନେଷ୍ଟବଳ ବାବୁ ସାଗରଙ୍କ ଘରେ ପହଞ୍ଚିଲେ ଓ ଜବାବ୍ ଅନୁସାରେ ଥାନାରେ ଦୁଇଜଣ ଯାକ ଥାନାରେ ହାଜିର ଦେଲେ । 

ଦାରୋଗା ବାବୁ କହିଲେ, " ମୋର ସୁପାରିଶରେ ଆମ ଇଂରେଜ କମିଶନର ତୁମର ସାହସ ଆଉ ସଚ୍ଚୋଟ ପଣିଆ ଦେଖି ଖୁବ୍ ଖୁସି । ଏଇ ନିଅ ତୁମର ଇନାମ୍ ଦେଢ଼ଶହ ଟଙ୍କା । ସବୁଠୁ ଖୁସିର କଥା ତୁମର ସୁନା ରୂପା ହୀରା ବ୍ୟାଗ୍ ମଧ୍ୟ ଫେରେଇ ଦେଇଛନ୍ତି । ହେଇ ନିଅ ସାଗର ତୁମର ପୁରସ୍କାର । ତୁମେ ବଡ଼ ଭାଗ୍ୟବନ୍ତ ଯାଅ ଆରାମରେ ବଞ୍ଚ । ପିଲାଛୁଆଙ୍କୁ ମଣିଷ କର । " କ୍ଷୁଦ୍ର ଚାଷୀ ସାଗରଙ୍କ ଏପରି ଭଲ ଗୁଣ ଅଛପା ରହିଲାନି | ତୁଣ୍ଡ ବାଇଦ ଦ୍ୱାରା ପାନ୍ଥଶାଳାର ଆଖପାଖ ଲୋକେ ଏହି କଥା ଜାଣି ବହୁତ ଖୁସି ହେଇ ଫୁସୁରୁ ଫାସର ହେଲେ, " ସତ କଥା ଭାଇ ଏମିତିକା ସାଗର ପରିକା ଲୋକେ ଯଦି ଆଜି ସଂସାରରେ ଥାଆନ୍ତେ ତେବେ ଆମ ଦେଶ ଓ ଆମ ସମାଜ ବହୁତ ବେଶୀ ଉନ୍ନତି କରିପାରନ୍ତା । ଆଉ ଗାନ୍ଧୀଜୀଙ୍କ ରାମରାଜ୍ୟ ଉପମହାଦେଶରେ ସ୍ଥାପିତ ହୋଇ ପାରନ୍ତା । "


ଆମ ଘରର କାନ୍ଥ ଘଣ୍ଟାରେ ରାତି ଏଗାରଟା ବାଜିଗଲା । ଶୀତ ରାତି । ଆମ ଆଈମାଙ୍କୁ ଘୁମ ଆସିଗଲା । ଆମକୁ କହିଲେ, " ପିଲାଏ ଶୋଇ ପଡ଼ ଘୋଡ଼ି ଘାଡ଼ି ହେଇ । ମୋର କାଲି ସକାଳୁ ତମ ବଡ଼ ମାମୁଁ ସାଙ୍ଗେ ପୁରୀ ଯିବାର ଅଛି । " ମୁଁ ଆଉ ମୋ ଭଉଣୀ କହିଲୁ, " ହଁ ଆଈ ଠିକ୍ କଥା । କାଲି ଶନିବାର । ଆମର ସକାଳୁଆ କ୍ଲାସ୍ ଅଛି । ତୁମେ ଶୁଅ ଆମେ ବି ଶୋଇ ପଡ଼ୁଛୁ । " ଏତିକି କହି ଆଈ ଦୁଇ କଡ଼ରେ ଆମେ ଭାଇ ଭଉଣୀ ଶୋଇଗଲୁ କମଳ ଘୋଡ଼େଇ ହୋଇ ।

        



Rate this content
Log in