ABADHOOT PANDA

Children Stories

4  

ABADHOOT PANDA

Children Stories

ଗପୁଡ଼ି ଜେଜେମା

ଗପୁଡ଼ି ଜେଜେମା

4 mins
419


ଆମର ଜେଜେମା ଆମକୁ ପିଲାବେଳେ ଗପ କୁହନ୍ତି l ଆମେ ପୁରା ମନ ଦେଇ ଶୁଣୁ l ଥରେ ସେ ଗୋଟିଏ ଭୂତ ଗପ ଆମେ ସମସ୍ତେ ଭାଇ ଭଉଣୀଙ୍କୁ କହିଥିଲେ l ମୋର ଏ ଯାଏଁ ମନେ ଅଛି l ଦିନେ ରାତିରେ ଆମେ ଭାଇଭଉଣୀ ଓ ଜେଜେମା ରାତି ଖାଦ୍ୟ ଖାଇସାରି ଗୋଟାଏ ଘରେ ଶୋଇ ପଡ଼ିଲୁ l ଜେଜେମା ଆମକୁ କାହାଣୀ ଶୁଣାଇବାକୁ ଇଛା କଲେ l ଆମେ ସମସ୍ତେ ରାଜି ହେଇଗଲୁ l ଜେଜେମା ସାଧା ପାନ ଖଣ୍ଡେ ପାଟିରେ ପୁରାଇ କହି ଚାଲିଲେ ତାଙ୍କ ପାକୁଆ ପାଟିରେ l

ପିଲାଏ ଶୁଣ, " ଆମ ଗାଁର ସତ କଥା l ମୁଁ ନିଜ ଆଖିରେ ଦେଖିଛି l ସେ ସମୟରେ ଇଂରେଜମାନେ ଆମକୁ ଶାସନ କରୁଥିଲେ l ରାସ୍ତା ଘାଟରେ ବିଜୁଳି ବତୀ ନଥିଲା l ଆମ ଗାଁରେ ଲୋକେ ଏଫ ରସେକ୍ କମ୍ପାନୀର ଲଣ୍ଠନ ଜାଳି ଘର ଆଲୁଅ କରନ୍ତି l ଲୋକେ ଘରେ ଟର୍ଚ୍ଚ ରଖୁଥିଲେ l

ମୁଁ ସେତେବେଳେ ଗାଁ ସ୍କୁଲ୍ ରେ ପାଠ ପଢ଼ୁଥିଲି l ମୋ ବାପା ଗାଁର ମୁରବୀ ଆଉ ପୋଷ୍ଟ ମାଷ୍ଟର ଥିଲେ l

ମାଘ ମାସ ଘଟଣା l ଦିନେ ସକାଳେ ଗାଁ ଚୌକିଆ ଖବର ଦେଲା ଯେ ଗାଁ ମଶାଣି କିଆ ବୁଦା ଭିତରେ ଜଣେ ଲୋକ ବେହୋସ ହେଇ ପଡ଼ିଛି l ତା ନା ରଘୁ ସେ ଜଣେ ଭଲ ଭାଗ ଚାଷୀ ଆଉ ପରର ସବୁବେଳେ ଉପକାର କରେ l ତେଣୁ ଗାଁ ଲୋକେ ତାକୁ ଭଲ ପାଆନ୍ତି l ଚୌକିଆ ଠୁଁ ଏ ଖବର ପାଇ ସମସ୍ତେ କିଆ ବୁଦା ପାଖକୁ ଦୌଡ଼ି ଗଲେ l ତା ମୁହଁରେ ପାଣି ଛାଟି ହୋସ୍ ଆଣିଲେ l

ହୋସ୍ ଆସିଲା ପରେ ଗତ ରାତିର ଘଟଣା କଥା ଆରମ୍ଭ କଲା l ସେ କହିଲା " ମୁଁ ଗତ କାଲି ସନ୍ଧ୍ୟାରେ ଆମ ସାହିର ଜଣେ ମୁଲିଆକୁ କହିଥେଲି ମତେ ରାତି ତିନିଟାରୁ ଘରେ ଡାକିବାକୁ l ମୋ ଧାନ କିଆରୀରେ କୂଅରୁ ତେଣ୍ଡା ମାରି ପାଣି ମଡ଼ାଇ ବାରେ ମତେ ସାହାଯ୍ୟ କରିବାକୁ l

ମୁଁ ଶୋଇଥିଲି l ରାତି ଠିକ୍ ତିନିଟାରେ ଆମ ଘର କବାଟରେ ଠକ୍ ଠକ୍ ଆୱାଜ ମୋ କାନରେ ପଡ଼ିବାରୁ ମୋ ନିଦ ଭାଙ୍ଗିଗଲା l ମୁଁ ପଚାରିଲି, " କିଏ ଶାମ କି? " ଉତ୍ତର ଆସିଲା," ହୁଁ "l ମୁଁ କହିଲି ଠିକ୍ ଅଛି ମୁଁ ଟିକେ ମୁହଁ ଧୋଇ ଯାଉଛି ତୁ ଆଗରେ କିଆରୀ ପାଖକୁ ଚାଲ୍ l ମୁଁ ତୋ ପଛରେ ଯାଉଛି l " ପୁଣି ଉତ୍ତର ଆସିଲା "ହୁଁ " l

ତାପରେ ବଟୁଆରୁ ପାଞ୍ଚ ଖଣ୍ଡ ଗୁଣ୍ଡି ପାନ ଭାଙ୍ଗିଲି l ଲୁଗା ଗଣ୍ଠିରେ ଚାରିଟି ଖୋସି ଗୋଟିଏ ପାଟିରେ ପୁରାଇ ମୋ ସ୍ତ୍ରୀକୁ ନିଦରୁ ଉଠାଇ ଦେଇ କବାଟ ଖୋଲି ବାହାରକୁ ଚାଲିଲି ଚାଦର ଘୋଡ଼େଇ ହୋଇ l ମାତ୍ର ଶାମ ମୋ ସାମ୍ନାରେ ଦେଖା ନଥିଲା। ମୁଁ ଟର୍ଚ୍ଚ ମାରି ମାରି କିଆରୀ ପାଖରେ ପହଁଞ୍ଚି ଦେଖିଲା ବେଳକୁ ଶାମ ଗୋଟାଏ ଖୋର୍ଦ୍ଧା ଗାମୁଛା ପିନ୍ଧି ମୁଣ୍ଡରେ ଠେକା ଭିଡ଼ି ନିର୍ଧୁମ୍ ତେଣ୍ଡା ମାରି ଚାଲିଛି l ମୁଁ ତାକୁ କିଛି ନକହି କିଆରୀଭିତରକୁ ଟର୍ଚ୍ଚ ମାରି ଦେଖିଲି କିଆରୀଟି ପାଣିରେ ଡୁବି ଯାଇଛି l ହିଡ଼ ଉପରକୁ ପାଣି ଉଠି ପାଖ କିଆରୀରେ ପାଣି ମାଡ଼ିଲାଣି l ମୁଁ କହିଲି, " ଆରେ ଶାମ ଥାଉ ଥାଉ ଆଉ ତେଣ୍ଡା ମାରନା l ସେତିକି ଥାଉ l ପାଣି ଉଛୁଳି ଗଲାଣି l " ଉତ୍ତର ଆସିଲା, " ହୁଁ ହୁଁ ହୁଁ " l

ପୁଣି ପଚାରିଲି," ଆରେ ପାଟିରେ କଣ ବଡ଼ ଖିଲି ପାନ ପୁରେଇଛୁ କି? ଖାଲି ହୁଁ ହୁଁ କହୁଛୁ ଯେ " l

ହଠାତ୍ ଶାମ ତେଣ୍ଡା ଛାଡ଼ି ଦେଇ ବୁଲି ପଡ଼ି ମତେ ଚାହିଁଲା l ମୁଁ ଦେଖିଲି ଆସ୍ତେ ଆସ୍ତେ ତାର ମୁଣ୍ଡ ଆଡ଼ୁ ଅଦୃଶ୍ୟ ହେଇ ହେଇ ଯାଉଛି l ଯେତେବେଳେ ସେ ପୁରା ଅଦୃଶ୍ୟ ହେଇଗଲା ସେତେବେଳେ ସେ ପୁରାପୁରି ଗୋଟାଏ ଛ ଫୁଟିଆ କଙ୍କାଳ ପାଲଟି ଗଲା ଆଉ ହାତରେ ଖଣ୍ଡେ ମଣିଷ ହାଡ଼ ଧରି ତାର ଖପୁରିଟାକୁ ହଲେଇ ହଲେଇ ମୋ ଆଡ଼କୁ ଆସ୍ତେ ଆସ୍ତେ ଦୋହଲି ଦୋହଲି ଆସୁଥାଏ l ଡରରେ ମୋର ଦେହ ଶୀତେଇ ଗଲା l ମୁଁ ଜାଣି ପାରିଲି ଏ ଆମ ଶାମ ନୁହଁ l ଇଏ ଗୋଟାଏ ଭୂତ l ମୁଁ ପଛକୁ ବୁଲି ଘରକୁ ପଳାଇ ଆସିବାକୁ ଚେଷ୍ଟା କଲି l

ମାତ୍ର ସେଇ ଭୁତଟା ମୋ ପଛରେ ଆସୁଥାଏ l ମୁଁ କିଆ ବୁଦା ପାଖରେ ଯେମିତ ପହଞ୍ଚିଲି ମୋତେ ସେ ହାଡ଼ରେ ପିଟି ଚାଲିଲା l ମୁଁ ତାକୁ ଠେଲି ଦେବାକୁ ଚାହିଁଲି l କିନ୍ତୁ ହାତକୁ କିଛି ଲାଗୁ ନଥାଏ l ଭୁତର କଙ୍କାଳ ଯେମିତି ସେମିତି ଦିଶୁ ଥାଏ l ଖାଲି ହାତଟା ଶୁନ୍ୟରେ ଗଳି ଯାଉଥାଏ l ହାଡ଼ ମାଡ଼ରେ ମତେ ପରାଶ ଲାଗୁଥାଏ l ମୁଁ କିଆ ବୁଦା ଭିତରକୁ ପଶି ଗଲି l ଭୂତ ତଥାପି ମୋର ଗୋଡ଼କୁ ବାଡ଼େଇ ଚାଲିଥାଏ l ଚାହୁଁ ଚାହୁଁ ପାହାନ୍ତା ହେଇ ଆସୁଥାଏ l ତାପରେ ମୋ କାନ ପାଖରେ ଶୁଭୁଥାଏ- ତୋ ବକ୍ତେଇ ବଳିୟାର l ବଞ୍ଚି ଗଲୁ ଆଜି l ହଉ ମୁଁ ଯାଉଛି l " ଭୁତଟା ଏତିକି ଶୁଣେଇ ମଶାଣି ଆଡ଼କୁ ଫେରି ଯାଉଥାଏ l ତାପରେ ମୁଁ ବେହୋସ୍ ହେଇଗଲି l ମୋ ଭିତରେ ଭାରି ଭୟ ଥିଲା l "

ରଘୁ ମୁହଁରୁ ଏ କଥା ଶୁଣି ସମସ୍ତଙ୍କ ମନ ଭାରି ଖରାପ ହେଲା l ସେହି ଦିନ ଠାରୁ ଅନ୍ୟ ଚାଷୀ ମାନେ ରାତି ଅଧରେ କିଆରୀକୁ ଯିବାକୁ ଡରିଲେ l ଯାହାବି ହଉ ରଘୁକୁ ଧରି ଧରି ତା ଘରେ ସାଇ ଲୋକେ ଛାଡ଼ିଲେ l ଶାମ ଘର ତା ଘର ପାଖରେ l....." ଆରେ ପିଲାଏ ଶୁଣୁଛ ନା ଶୋଇ ପଡ଼ିଲଣି l ହୁଁ ମାରୁଥା l ଆଉ ଅଳ୍ପ ଅଛି ଗପ ସରିଯିବ l " ମୋ ସାନ ଭଉଣୀ ଶୋଇ ପଡ଼ିଥାଏ l ମୁଁ ହାଇ ମାରି ମାରି ଜେଜେମାଙ୍କୁ ପଚାରିଲି ହୁଁ ମାରି,ତାପରେ କଣ ହେଲା କୁହ " ଜେଜେମା କହିଲେ, " ମୋ ବାପା ଆଉ ସରପଞ୍ଚ ଶାମ ଘରକୁ ଗଲେ l ସେ ଘରେ ନଥିଲା l ସ୍ତ୍ରୀକୁ ପଚାରିବାରୁ ସ୍ତ୍ରୀ କହିଲା, " ରଘୁ ଭାଇ କହିଗଲା ପରେ ବିଲକୁ ଯିବାକୁ, ହଠାତ୍ ତାଙ୍କୁ ପାଖ ସମସ୍ତିପୁର ଗାଁର ଜମିଦାରଙ୍କ ନାତିର ଏକୋଇଶିଆ ପାଲାରେ ମୃଦଙ୍ଗ ବଜେଇବାକୁ ପିଆଡା ସାଙ୍ଗରେ ନେଇଗଲା l ତାଙ୍କ କଥାକୁ ଏଡ଼ାଇ ନପାରି ତାଙ୍କ ଚାକର ସାଙ୍ଗେ ତର ବର ହେଇ ଗଲେ l ଆଉ ରଘୁ ଭାଇଙ୍କୁ ଖବର ଦେଇ ପାରିଲେନି l "

ତାପରେ ମୋ ବାପା ଆଉ ଚୌକିଆ ଆଉ ସାହି ଵାଲା ସମସ୍ତେ ଜାଣିଲେ ଯେ -- ଯଦି ତୁମେ ସନ୍ଧ୍ୟା ପରେ କାହାକୁ କିଛି କହିବ ତାକୁ ପ୍ରେତାତ୍ମା ଶୁଣି ନିଏ l ସେ ସେଇ ଲୋକ ରୂପରେ ତୁମକୁ ଦେଖା ଦେଇ ତୁମକୁ ହଇରାଣ କରେ l କେବଳ ଅନ୍ଧାର ରାତିରେ ଭୂତର ପାୱାର ଆସିଯାଏ l ଆଉ ଆଲୁଅ ପଡ଼ିଗଲେ ସେ ଅନ୍ତର୍ଧ୍ୟାନ ହେଇଯାଏ l ତେଣୁ ହୁସିଆର ହେଇ ଯିବାକୁ ବାପା ସମସ୍ତଙ୍କୁ କହିଲେ l ସନ୍ଧ୍ୟା ପରେ କାହାକୁ କିଛି କାମ ପାଇଁ ବଡ଼ ପାଟିରେ ନକହିବାକୁ ଦେବାକୁ ମୁରବୀ ହିସାବରେ ବାପା ସମସ୍ତଙ୍କୁ ବାରଣ କଲେ l ମୁଁ ବାପାଙ୍କ ପଛରେ ଥିଲି l ମତେ ବି ତାଗିଦ କହିଲେ, " ଦେଖ ସୁଲ ଦେଖିଲୁ ତ ରଘୁର ଅବସ୍ଥା l ଆମର ମଫସଲ ଜାଗା ସନ୍ଧ୍ୟା ପରେ ଯିଏବି ଡାକୁ ଆଗ ପଚାରିବୁ l ତାପରେ ପରିଚୟ ପାଇଲେ କବାଟ ଖୋଲିବୁ ମନେରହିଲା? l ମୁଁ କହିଲି, ହଁ ବାପା ମନେରହିଲା ଜେଜେମାଙ୍କ କାହାଣୀ ଶେଷ l ମୋ ମନ ଖୁସି l ପ୍ରବଳ ଶୀତ l ଗୋଟାଏ ବଡ଼ ରେଜେଇ ଘୋଡ଼େଇ ହେଇ ଆମେ ତିନି ଜଣ ଉଷୁମ ଟାଣି ଶୋଇ ପଡ଼ିଲୁ l

 


Rate this content
Log in