ABADHOOT PANDA

Children Stories

3.3  

ABADHOOT PANDA

Children Stories

ବେଙ୍ଗ-ବେଙ୍ଗୁଲି-ବଗୁଲା

ବେଙ୍ଗ-ବେଙ୍ଗୁଲି-ବଗୁଲା

5 mins
459



ଦୁଇଟି ବେଙ୍ଗ ସାଙ୍ଗ ଥିଲେ l ଜଣଙ୍କ ନା ବୁଦ୍ଧିଆ ଆଉ ଅନ୍ୟ ଜଣଙ୍କ ନା ମନୁଆ l ସେମାନେ ଛୋଟବେଳୁ ସଙ୍ଗାତ ବସିଥିଲେ l ଉଦୁଉଦିଆ ଖରା l ଗରମରେ ଦିହ ଜଳୁଥାଏ l ଚାରିଆଡ଼େ ଶୁଖିଲା l କୁଅ, ବାମ୍ଫି ଆଉ ପୋଖରୀ ସବୁ ଶୁଖିଲା l ବେଙ୍ଗ ସାଙ୍ଗ ଦିଜଣ ପାଣି ଖୋଜି ଖୋଜି ଗାଁ ସାରା ବୁଲୁଥାନ୍ତି l ହଠାତ୍ ଗୋଟାଏ ବଡ଼ ବାମ୍ଫି ନଜରରେ ପଡ଼ିଲା l ଗୋଟିଏ ସାଙ୍ଗ ମନୁଆ ଆର ସାଙ୍ଗ ବୁଦ୍ଧିଆକୁ କୁ କହିଲା, " ହେ ସାଙ୍ଗ ବଢ଼ିଆ ପାଣି ଏଇ ବାମ୍ଫିରେ ଅଛି ଚାଲ ଡେଇଁ ପଡ଼ିବା l " ବୁଦ୍ଧିଆର ଦୂରଦୃଷ୍ଟି ଥିଲା l ତେଣୁ ସେ ତା'ର ମନୁଆ ସାଙ୍ଗକୁ କହିଲା, " ଆରେ ତୁ ଗୋଟାଏ ଓଲୁ ଦେଖୁନୁ କେତେ କମ୍ ପାଣି l ଏଇ ପାଣି ଅଳ୍ପ ଦିନ ପରେ ଶୁଖି ଯିବ l ଗ୍ରୀଷ୍ମ ଋତୁ ଆହୁରି ମାସେ ରହିବ l ଯଦି ଆମେ ଡେଇଁ ପଡ଼ିବା ନବୁଝି ସୁଝି ପାଣି ଶୁଖିଗଲେ ଆମେ ମରିଯିବା l ଚାଲ ଆମେ ଆଉ ଟିକେ ଆଗକୁ ଯିବା l ବଡ଼ ଗାଁ ପୋଖରୀ ମିଳି ଯାଇ ପାରେ l "

ବୁଦ୍ଧିଆର ଏମିତିକା ହିତ ବାଣୀ ମନୁଆକୁ ଜମା ଭଲ ଲାଗିଲାନି l ସେ ସାଙ୍ଗେ ସାଙ୍ଗେ କହିଲା, " ନା ମୋର ଆଉ ଧୈର୍ଯ୍ୟ ନାହିଁ l ମୁଁ ଆଉ ଏ ଗରମରେ ଆଗକୁ ଯାଇ ପାରିବିନି l ତୁ ମୋ ସାଙ୍ଗରେ ଡେଇଁବୁକି ନାହିଁ ସଫା ସଫା କହିଦେ l "

ବୁଦ୍ଧିଆ ସାଙ୍ଗ କହିଲା, " ନା ମୁଁ ଡେଇଁ ବିନି l ମୋ କଥା ଟିକେ ରଖ ଜମା ଡେ଼ଁନା l ଜୀବନ ସବୁଠୁଁ ମୁଲ୍ୟବାନ l କଣ ଭାବୁଛୁ କହ " l ମନୁଆ ସାଙ୍ଗ ଚିଡ଼ି ଯାଇ କହିଲା, " ତୁ ଆଗକୁ ଯା l ଆଉ ଖରା ତାତି ସମ୍ଭାଳି ପାରିବିନି l ମୁଁ ବାମ୍ଫିଭିତରେ ରହିବି l " ଏତିକି କହି ଖପ୍ କିନା ବାମ୍ଫି ଭିତରକୁ ଡିଆଁ ମାରିଦେଲା l " ବୁଦ୍ଧିଆ ଆଗେଇ ଚାଲିଲା ଡେଇଁ ଡେଇଁ l ଧୈର୍ଯ୍ୟ ରଖି ଥିବାରୁ ଆଗରେ କିଛି ବାଟ ଗଲା ପରେ ଗୋଟାଏ ବଡ଼ ହଦ ପଡ଼ିଲା l ସେଥିରେ ପାଣି ବହୁତ ଥିଲା l ତା ଭିତରକୁ ଡେଇଁ ଆରାମରେ ପହଁରି ପହଁରି ତାର ଲମ୍ବା ଜିଭ ବଢ଼େଇ ଛୋଟ ପୋକ ମଶା ଡିମ୍ବଗୁଡ଼ିକୁ ଖାଇ ପେଟ ପୁରେଇ ବାକୁ ଲାଗିଲା l

ଚାହୁଁ ଚାହୁଁ ପାଗ ଟିକେ ଥଣ୍ଡା ପଡ଼ିଲା ଅସରାଏ ବର୍ଷା ହେଲା ପରେ l ଯଦିଓ ବୁଦ୍ଧିଆ ବେଙ୍ଗ ହଦ ଭିତରେ ରହି ପୋକଜୋକ ଖାଇ ଭଲରେ ରହିଥିଲା,ତଥାପି ନିଜର ପିଲାଦିନ ସାଙ୍ଗ ମନୁଆ ପାଇଁ ତା ମନଟା ଗୁଡ଼ୁପୁଡ଼ୁ ହଉ ଥିଲା l ତେଣୁ ମନୁଆକୁ ଦେଖିବା ପାଇଁ ତା'ର ମନଟା ଉଚ୍ଛନିଆ ହେଇ ପଡ଼ିଲା l ସେ ଆଉ ଥୟ ଧରି ପାରି ହଦ ଭିତରେ ରହି ପାରିଲାନି l ସଙ୍ଗେ ସଙ୍ଗେ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ମନୁଆର ବାମ୍ଫି ଘର ଆଡ଼କୁ ଡେଇଁ ଡେଇଁ ଚାଲିଲା l ମନେ ମନେ ତାର ଗୁରୁ ଶୁକ୍ରଦେବଙ୍କୁ ଡାକୁଥାଏ l ତଥାପି ତା ମନ ବୁଝୁ ନଥାଏ l ଶେଷରେ ବାମ୍ଫି ପାଖରେ ପହଞ୍ଚିଗଲା l ବାମ୍ଫି ଫନ୍ଦ ଉପରକୁ ଡେଇଁ ପଡ଼ି ଭିତରକୁ ଚାହିଁଲା l ହାଏରେ କପାଳ l ବାମ୍ଫି ଭିତରକୁ ଚାହିଁ ଦେଖିଲା ପରେ ବୁଦ୍ଧିଆର ମୁହଁ ଟା ପୁରାପୁରି ଶୁଖିଗଲା l କାହିଁକି ନା ବାମ୍ଫି ଭିତର ପାଣି ସବୁ ଶୁଖି ଯାଇଥାଏ l ନଖାଇ ନପିଇ ସୁକୁ ସୁକୁ ହଉଥାଏ l ସେ ତା ବୁଦ୍ଧିଆ ସାଙ୍ଗକୁ ଭାରି ଭଲପାଏ l ତାକୁ ଯେମିତି ହେଲେ ବଞ୍ଚେଇ ବାକୁ ପଡ଼ିବ କଳେ ବଳେ କୌଶଳେ l ସେ ଆଉ ଡେରି ନକରି ଭୂଷ୍ କିନା ବାମ୍ପି ଭିତରକୁ ଡେଇଁ ପଡ଼ିଲା ଆଉ କାନ୍ଦି କାନ୍ଦି ବୁଦ୍ଧିଆକୁ ଆଉଁସି ପକେଇଲା l ମନୁଆ ଆଖି ଖୋଲି ଚାହିଁଲା l ବହୁତ ଦିନ ପରେ ସାଙ୍ଗକୁ ଦେଖିଲା ପରେ ତା ଛାତି କୁଣ୍ଢେମୋଟ ହେଇଗଲା l ଆଗ ଗୋଡ଼ ଦୁଇଟି ଯୋଡ଼ି ବୁଦ୍ଧିଆକୁ କହିଲା, " ହେ ସାଙ୍ଗ ମତେ କ୍ଷମା କରିଦେ l ତୋର ଭଲ ଉପଦେଶ ମୁଁ ମାନି ପାରିଲିନି l ଆଜି ତାର ଫଳ ମୁଁ ଭୋଗୁଛି l ଏଇ ବାମ୍ପି ପାଣି ଶୁଖିଲା ପରେ ମୁଁ ଖାଇବାକୁ ପାଇଲିନି ଭୋକରେ ମୋ ପେଟ ଜଳୁଛି l "

ବୁଦ୍ଧିଆର ମନଟା ଛଟପଟ ହେଇଗଲା l ମନୁଆର ଭୋକକୁ ଶାନ୍ତ କରିବା ପାଇଁ କୌଣସି ଉପାୟ ନଥିଲା l ତେଣୁ ମନୁଆକୁ କହିଲା, " ଆରେ ମନୁଆ ଏଠି ତ କିଛି ଖାଦ୍ୟ ଆମ ପେଇଁ ନାହିଁ l ତୁ ମୋ ପିଠିରେ ବସି ମତେ ଜାବୁଡ଼ି ଧର l ମୁଁ ତତେ ମୋ ହଦକୁ ନେଇଯିବି l ସେଠି ମୋ ସାଙ୍ଗରେ ଆରାମରେ ରହିବୁ l ଖାଇ ପିଇ ତାକତ ପାଇବୁ l ଆଉ ତୋ ମିତଣୀକୁ ଦେଖିବୁ l " ମନୁଆ ଥର ଥର ଗଳାରେ କହିଲା, " ତୁ କଣ ଏତିକି ଦିନ ଭିତରେ ବାହା ହେଇ ସାରିଲୁଣି l " ବୁଦ୍ଧିଆ ଉତ୍ତର ଦେଲା, " ହଁ l ତୋ ମିତଣୀ ମୋ ପରେ ଆସି ହଦ ଭିତରେ ରହିଥିଲା l ଛୁଆ ପିଲା କିଛି ହେଇନାହାନ୍ତି l ଆମେ ବର୍ଷା ଦିନକୁ ଅପେକ୍ଷା କରିଛୁ l ଛାଡ଼ ସେ କଥା l ତୁ ସେଠିକି ଗଲେ ସବୁ ଜାଣିବୁ l ଅବିକା ମୋ ସାଙ୍ଗେ ଚାଲ୍ l " ମନୁଆ, ବୁଦ୍ଧିଆ କଥାରେ ରାଜି ହେଇଗଲା l ହସି ହସି ତା ପିଠି ଉପରକୁ କଷ୍ଟେ ମଷ୍ଟେ ଉଠିଗଲା l ବୁଦ୍ଧିଆ ଆସ୍ତେ ଆସ୍ତେ ତା ଟାଣୁଆ ପଞ୍ଜାକୁ ବାମ୍ଫି କାନ୍ଥରେ ଚିପି ଧରି ଉପରକୁ ଉଠିଲା। ତାପରେ ବାମ୍ଫି ଫନ୍ଦକୁ ଡେଇଁ ରାସ୍ତା ଉପରକୁ ଆସି ତାର ହଦ ଆଡ଼କୁ ଧୀରେ ଧୀରେ ଗୋଡ଼ ହାତ ମେଲେଇ ମାଡ଼ି ଚାଲିଲା l ସାଙ୍ଗ-ପ୍ରେମର ପ୍ରଭାବରେ ସେ ତାର ସବୁ ଦେହକଷ୍ଟ ଭୁଲି ଯାଉଥାଏ l ଯାହାବି ହେଇ ବୁଦ୍ଧିଆ ମନୁଆକୁ ହଦ ପାଖରେ ପହଞ୍ଚାଇ ଦେଲା l ତାପରେ ବୁଦ୍ଧିଆ ମନୁଆକୁ ପିଠିରେ ପକାଇ ପାଣି ଭିତରକୁ ଡେଇଁ ପଡ଼ିଲା l ମନୁଆକୁ ନୂଆ ଜୀବନ ମିଳିଲା l ମହା ଆନନ୍ଦରେ ପିଲାଦିନ ସାଙ୍ଗ ଦୁଇଜଣ ପାଣି ଉପରେ ଭାସୁଥିବା ଛୋଟ ଛୋଟ ପୋକ ଆଉ ମଶାଛୁଆଙ୍କୁ ଖାଇ ପେଟ ଥଣ୍ଡା କଲେ l

ସେମାନଙ୍କ ପାଣିଭିତରେ ହଲ୍ ଚଲ୍ ଆୱାଜ୍ ଶୁଣି ପଥର ଖୋଲରୁ ବୁଦ୍ଧିଆର ସ୍ତ୍ରୀ ବାହାରି ପଡ଼ିଲା l ମନୁଆ କଥା ସେ ପୂର୍ବରୁ ବୁଦ୍ଧିଆ ମୁହଁରୁ ଶୁଣିଥିଲା l କିନ୍ତୁ ମନୁଆକୁ ଜମା ଦେଖି ନଥିଲା l ସାମ୍ନାରେ ଦୁଇ ସାଙ୍ଗଙ୍କୁ ଦେଖି ତା ମନ ବହୁତ ଖୁସି ହେଇଗଲା l ଆଉ ଡେରି ନକରି ସେମାନଙ୍କ ଆଡ଼କୁ ପହଁରି ପହଁରି ଆସିଲା ଆଉ ମନୁଆର ଶୁଖିଲା ଗାଲରେ ତା ଜିଭ କାଢ଼ି ଗୋଟାଏ କଅଁଳିଆ ଚୁମା ଦେଇଦେଲା l ତାପରେ ତିନି ଜଣ ଯାକ ପଥର ଖୋଲରେ ପଶିଗଲେ l ସେମାନଙ୍କ ଭିତରେ ଭାବ ଦିଆ ନିଆ ହେଲା l କଥା ଛଳରେ ବୁଦ୍ଧିଆର ସ୍ତ୍ରୀ କହିଲା, " ଶୁଣ ମନୁଆ! ବିପଦ ବେଳେ ଯିଏ ସାହାଯ୍ୟ କରେ ସିଏ ପ୍ରକୃତରେ ବନ୍ଧୁ l ତୁମ ସାଙ୍ଗ ତୁମ ପ୍ରକୃତ ବନ୍ଧୁ l ସେ ସବୁବେଳେ ବୁଝି ବିଚରି କାମ କରନ୍ତି l କଥାରେ ଅଛି, ବୁଝି ବିଚାରି କାମ କଲେ ପ୍ରମାଦ ନପଡ଼ଇ ଭଲେ l ତୁମ ସାଙ୍ଗଙ୍କର ସେଇ ଗୁଣ ଅଛି l ସିଏ ତୁମକୁ ଭଲ ଉପଦେଶ ଦେଇଥିଲେ l କିନ୍ତୁ ତୁମେ ନମାନି ବାମ୍ଫିଭିତରକୁ ଡେଇଁ ପଡ଼ିଲ l ସେଇ କର୍ମର କୁଫଳ ତୁମେ ଭୋଗିଲ l ଗତଶ୍ଚ ଶୋଚନା ନାସ୍ତି l ଗଲା କଥା ଗଲାଣି l ଏଣିକି ତୁମେ ଆମ ପାଖରେ ଭଲରେ ରୁହ l ଆଉ କୁଆଡ଼େ ଯାଅନା l ମୁଁ ତୁମ ପାଇଁ ଗୋଟିଏ ଗୁଣବତୀ କନିଆଁ ବାଛି ରଖିଛି ଯିଏକି ତୁମକୁ ସବୁବେଳେ ଭଲ ପାଇବ ଆଉ ତୁମେ ଯଦି କେବେ ଅବାଟରେ ଯାଅ ତୁମକୁ ଭଲ ବାଟକୁ ଟାଣି ଆଣିବ l " ମନୁଆ ତାର ଭୁଲ୍ ବୁଝିପାରି ଅନୁତାପ କରି କହିଲା, " ତୁମେ ଯାହାବି ମତେ କହିଲ ସବୁଗୁଡ଼ିକ ୱାଜିବ୍ କଥା l ମୁଁ ଏମିତି ଭୁଲ ଆଉ ମୋ ଜୀବନରେ କେବେବି କରିବିନି l ତୁମକୁ ଅଶେଷ ଧନ୍ୟବାଦ ମିତଣୀ l" "ଆସ ଏଇ ବନ୍ଧୁ ମିଳନ ମଉକାରେ ଚାଲ ଆମେ ଗୋଟାଏ ହାସ୍ୟ -ଉତ୍ସବ ପାଳିବା l " ବୁଦ୍ଧିଆର ସ୍ତ୍ରୀ ଏତିକି କହି ଦୁଇ ସାଙ୍ଗଙ୍କ ଉପରେ ଏପାଖ ସେପାଖ ଡେଇଁ ଜୋରରେ ହସିବାକୁ ଲାଗିଲା l ତା ଦେଖା ଦେଖି ବୁଦ୍ଧିଆ ଆଉ ମନୁଆ ନିଜ ହସକୁ ରୋକି ନପାରି ଆହୁରି ବଡ଼ ପାଟିରେ ହସିବାକୁ ଲାଗିଲେ l ଫଳରେ ସେମାନଙ୍କ ହସ ଶବ୍ଦ ଶୁଣି ଅନ୍ୟ ହଦବାସିନ୍ଦା ଅନ୍ୟାନ୍ୟ ବେଙ୍ଗମାନେ ମଧ୍ୟ ନିଜ ନିଜ ଖୋଲରୁ ବାହାରି ଆସି ପାଣି ଉପରେ ପହଁରି ପହଁରି ଆହୁରି ଜୋରରେ ହସି ହସି ବେଦମ୍ ହେଇ ପଡ଼ିଲେ l  "କେଁ କଟର କେଁ କଟର " ଧ୍ଵନିରେ ଗାଁ ହଦ ଭିତରଟା ଉଛୁଳି ପଡ଼ିଲା l ଏମିତିଆ ଅଦିନିଆ କାନଫଟା ଶବ୍ଦ ଶୁଣି । ହଦ କୂଳରେ ବସିଥିବା ମାଛଖିଆ ବଗୁଲାର ଧ୍ୟାନ ଭାଙ୍ଗିଗଲା ସେ ଚିଡ଼ି ଉଠି ଖେଁ ଖାଁ ଖିଂ ଖୁଁ ଖୁଁ କୁର୍ର କୁର୍ର ଚିଲେଇ ନଡ଼ିଆ ଗଛ ବାହୁଙ୍ଗାରେ ବସି ତାର ଲମ୍ବା ବେକକୁ ବୁଲେଇ ବୁଲେଇ ଚୁପ୍ ଚାପ୍ ହଦ ଆଡ଼କୁ ଚାହିଁ ରହିଲା l

        ❤❤❤❤❤


Rate this content
Log in