ABADHOOT PANDA

Children Stories

4  

ABADHOOT PANDA

Children Stories

ଭଲ ଭୂତ ମନ୍ଦ ଭୂତ

ଭଲ ଭୂତ ମନ୍ଦ ଭୂତ

5 mins
429



ରାଜୁ ପଞ୍ଚମ ଶ୍ରେଣୀରେ ପଢ଼େ l ସ୍କୁଲରୁ ଆସି ଖେଳେ l ସନ୍ଧ୍ୟା ବେଳେ ମାଙ୍କ ହାତରୁ ଜଳଖିଆ ଖାଇ ପାଠ ପଢ଼ି ବସେ ଚୌକି ଉପରେ ଟେବୁଲକୁ ସାମ୍ନାରେ ରଖି l ସବୁଦିନେ ଆଈମାଙ୍କୁ କହେ ଗପ କହିବାକୁ l କିନ୍ତୁ ଆଈ କୁହନ୍ତିନି l କାରଣ ନାତିର ପାଠ କାଳେ ଖଇଚା ହେଇଯିବ l ତଥାପି ରାଜୁ ସବୁଦିନେ ଜିଦ୍ଦି କରେ ଗପ ଶୁଣିବାକୁ l


ସେଦିନ କୁମାର ପୂର୍ଣ୍ଣମୀ l ସମସ୍ତେ ଖେଳରେ ମସଗୁଲ l କିନ୍ତୁ ରାଜୁ ଆଈମାଙ୍କ ପାଖରେ ଗପ ଶୁଣିବାକୁ ଜିଦି ଧରିଛି l ଆଈ ରାତି ଅନିଦ୍ରା ରୁହନ୍ତି ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ପାଇବାକୁ l ତେଣୁ ତାଙ୍କର ସେଦିନ ରାଜୁକୁ ମନା କରିପାରିଲେନି l


ଆଈମା ତାଙ୍କର କାହାଣୀ ମୁଣି ଖୋଲିଦେଲେ ରାଜୁ ଆଗରେ l ରାଜୁ ଚକଲେଟ ପାଟିରେ ପୁରେଇ ଆଈଙ୍କ ପାଖରେ ବସି ଥାଏ l ଆଈ ଖଣ୍ଡେ ଘର ଭଙ୍ଗା ପାନ ଖିଲ ପାଟିରେ ପୁରେଇଲେ ପାନକୁଟାରେ କୁଟି l ଆଈ ଆରମ୍ଭ କଲେ, " ଥରେ ଦୁଇଟି ଛୁଆ ଭୂତ ଗାଁ ପାଖ ବଣ ଭିତରେ ରହୁଥିଲେ l ଗାଁ ନା କୁଚିଣ୍ଡା l ଜଣଙ୍କ ନା କ୍ୟାସ୍ପର ଆଉ ଜଣଙ୍କ ନା ନଟିନମ l ସେମାନେ ଅଲଗା ଅଲଗା ଗଛରେ ରହୁଥିଲେ l କ୍ୟାସ୍ପର ଦେବଦାରୁ ଘଛରେ ଆଉ ନଟିନମ ଗୋଟାଏ ସାହାଡ଼ା ଗଛରେ l


କିନ୍ତୁ ସେ ଦୁଇଜଣଙ୍କ ସ୍ଵଭାଵ ପୁରାପୁରି ଅଲଗା l କ୍ୟାସ୍ପର ଲୋକଙ୍କ ଉପକାର କରେ ଆଉ ନଟିନମ ଲୋକଙ୍କୁ ସବୁବେଳେ ଅସୁବିଧାରେ ପକାଏ l ଗୋଟାଏ ବଣରେ ରହୁଥିଲେ ବି ଦୁଇଜଣଙ୍କ ଭିତରେ ଜମା ପଡ଼େନି l ଥରେ ଗାଁରେ ଗୋଟାଏ ଡକାଏତ ଦଳ ପଶି ଲୋକଙ୍କ ଘରୁ ଲୁଟିବାକୁ ଚେଷ୍ଟା କରୁଥିଲେ l ସେମାନେ ଧଳା କଳା ଘୋଡ଼ା ଚଢ଼ି ଆସିଥାନ୍ତି l ନଟିନମ୍ ଦେଖିକି ବି ଚୁପଚାପ୍ ବସି ମଜା ଦେଖୁଥାଏ l କିନ୍ତୁ କ୍ୟାସ୍ ପରକୁ ଏସବୁ ଭଲ ଲାଗୁନଥାଏ କାହିଁକିନା ସେ ଗୋଟାଏ ଭଲ ଭୂତ l ଡକାଏତ ସର୍ଦ୍ଦାର ସମସ୍ତଙ୍କୁ ଆଙ୍ଗୁଠିରେ ଇସାରା ଦେଉଥାଏ l ଏମିତି ଯାଅ ସେମିତି କର ସେଘରେ କାନ ପାର ମହାଜନ ଘରେ କାନ ପାର ଓଗେର l ତାର ଦଳ ତା କଥା ମାନୁଥାନ୍ତି ଆଉ ସେହି ଅନୁସାରେ କାମ କରୁଥାନ୍ତି l 


କ୍ୟାସ୍ପର ସାହାଡ଼ା ଗଛ ଉପରୁ ଭୂଷ୍ କିନା ଡେଇଁପଡ଼ି ସର୍ଦ୍ଦାରକୁ ତଣ୍ଟିଆ ମାରି ତଳେ ପକେଇ ଦେଲା l ଆଉ ତାର ବନ୍ଧୁକ ଛଡ଼େଇ ନେଇଗଲା l ଖାଲି ସେତିକି ନୁହେଁ ତାର ସବୁ ଡକାଏତମାନଙ୍କ ବନ୍ଧୁକ ବି ଛଡ଼େଇ ନେଲା l ସବୁଗୁଡ଼ାକ ନେଇ ଗାଁ ପୋଖରୀ ଭିତରେ ପକାଇ ଦେଲା l ସର୍ଦ୍ଦାର ପଡ଼ିଗଲା ପରେ ତାର ସବୁ ଦଳ ଲୋକ ଭକୁଆ ହେଇ ଗଲେ l ପାଖରେ ସେମାନଙ୍କ ବନ୍ଧୁକ ନଥେଲା l ସମସ୍ତେ ଛାନିଆ ହେଇ ଗଲେ l ସର୍ଦ୍ଦାର ବି ଡରିଗଲା l କାହିଁକି ନା ସେ ଭାବିଲା ଯେ ବୋଧେ ଗାଁ ଲୋକମାନେ ଗୋଟାଏ ଜିନ୍ ରଖିଛନ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ l ନହେଲେ ଶୂନ୍ୟରୁ ବିଧା ଗୋଇଠା ଚାପୁଡ଼ା ଆମକୁ ଆଉ କିଏ ମାରନ୍ତା l ଯଦି ଗାଁ ଲୋକଙ୍କ ନିଦ ଭାଙ୍ଗି ଯିବ ତେବେ ସେମାନେ ଡକେଇତମାନଙ୍କ ହାଡ଼ ଗୋଡ଼ ବାଡ଼େଇ ଚୁନା କରିଦେବେ l ସର୍ଦ୍ଦାର ବାଧ୍ୟ ହୋଇ ତାର ଲୋକମାନକୁ ଫେରି ଯିବାକୁ ହୁକୁମ୍ ଦେଲା l ସମସ୍ତେ ତା କଥା ମାନି ନିଜ ନିଜ କାନମୁଣ୍ଡା ଆଉଁସି ଘୋଡ଼ା ଉପରେ ବସି ଜଙ୍ଗଲ ଭିତରକୁ ଫେରିଗଲେ l ଏସବୁ କାରନାମା ଗାଁର ଚୌକିଆ ଗୋଟାଏ ଝଙ୍କାଳିଆ ବୁଦା ମୂଳେ ଲୁଚିକି ବସି ଟିକି ନିକି ଦେଖୁଥାଏ l 


ରାଜୁ ପଚାରିଲା, " ଆଚ୍ଛା ଆଈ ଚୌକିଆ କିଏ? " ଆଈ କହିଲେ, " ସେତେବେଳେ ଆମଦେଶକୁ ଇଂରେଜ ଲୋକମାନେ ଶାସନ କରୁଥିଲେ l ପ୍ରତି ଗାଁରେ ଜଣେ ଜଣେ ଲୋକ ରଖିଥାନ୍ତି l ସେହି ଲୋକ ସେଇ ଗାଁର ବାସିନ୍ଦା l ସିଏ ଗାଁର ଭଲ ମନ୍ଦ ସବୁ ଖବର ନେଇ ଇଂରେଜ ସରକାରଙ୍କୁ ଜଣାଏ l ତାକୁ ଚୌକିଆ କହନ୍ତି l ଅବିକା ତୁମ ବେଳେ ସିନା ସରପଞ୍ଚ ଅଛି l ଆମବେଳେ ଏସବୁ ନଥେଲା l ଏଥର ବୁଝିଲୁ ତ? " ରାଜୁ କହିଲା, " ହଁ ଆଈ ମୁଁ ବୁଝିଲି l ଆମ ସ୍କୁଲ୍ ବହିରେ ମହାତ୍ମା ଗାନ୍ଧୀଙ୍କ ବିଷୟ ପଢ଼ା ହେଉଛି ଯେ ସେ ଅହିଂସା ଆନ୍ଦୋଳନ କରି ଇଂରେଜ ସରକାରଙ୍କୁ ଆମ ଦେଶରୁ ତଡ଼ି ଆମ ଦେଶକୁ ସ୍ୱାଧୀନ କରିଥିଲେ l ହଉ ଗପ ଆରମ୍ଭ କର l ସେଇଠୁଁ କଣ ହେଲା? "


ତାପରେ ଡକାଏତ ସର୍ଦ୍ଦାର ଆଉ ତା ଦଳ ଡରି ମରି ଘୋଡ଼ା ଉପରେ ବସି ଜଙ୍ଗଲ ଭିତରକୁ ପଳେଇଲେ l ସେତେବେଳକୁ ରାତିର ତୃତୀୟ ପ୍ରହର l ପହରିକିଆ ଭେରେଣ୍ଡା ଭୁକୁଥାଏ l ଖରାଦିନ ଜହ୍ନ ରାତି l ଚୌକିଆ ବଡ଼ ହୁସିଆରରେ ଚାରିଆଡ଼କୁ ଆଖି ବୁଲେଇ ନିଜ ଘରକୁ ଫେରିଆସି ବାରଣ୍ଡା ରସିଖଟ ଉପରେ ଶୋଇ ସକାଳକୁ ଅପେକ୍ଷା କଲା l


ରାଜୁ ପୁଣି ଆଈମାଙ୍କୁ ପ୍ରଶ୍ନ ପଚାରିଲା, " ଆଚ୍ଛା ଆଈ ପହର ଆଉ ପହରିକିଆ ବିଲୁଆ କଣ କୁହ ମୁଁ ବୁଝି ପାରୁନି " l ହଁ ତତେ ସବୁ କହିବି l ତୁ ଆଗ ମୋ ପେଇଁ ମାଠିଆରୁ ଗିଲାସେ ପାଣି ଆଣ୍ l ତୁ ବି ଗିଲାସେ ପାଣି ପିଇଦେ l ମୁଁ ପାଣି ପିଇସାରି ପାନ ଖଣ୍ଡେ କୁଟି ପାଟିରେ ପୂରେଇବି l କଥା କହି କହି ମୋ ପାଟି କଣ ହେଇଗଲାଣି l " ରାଜୁ ଆଈ କଥା ମାନିଲା l ପାଣି ଆଈକୁ ଦେଇ ନିଜେ ପିଇ ସପ ଉପରେ ଦୁଲ୍ କିନା ବସି ପଡ଼ିଲା l ଆଈ କୁଟା ପାନ ପାଟିରେ ଭର୍ତ୍ତି କରି ରାଜୁ ପ୍ରଶ୍ନର ଉତ୍ତର ଦେଇ କହିଲେ, " ଆମ ବେଳେ ଏତେ ଘଣ୍ଟା ଲୋକେ ବ୍ୟବହାର କରୁନଥିଲେ l କେବଳ ସୂର୍ଯ୍ୟଚନ୍ଦ୍ରଙ୍କୁ ଦେଖି ସମୟ ଜାଣୁଥିଲେ l ଦିନ ରାତି ମିଶି ଆଠ ପ୍ରହର l ଦିନ ଚାରି ଆଉ ରାତି ଚାରି l ଅଣ୍ଡିରା ବିଲୁଆକୁ ଭେରେଣ୍ଡା କହନ୍ତି l ସିଏ ରାତିର ପ୍ରତ୍ୟେକ ପହରରେ ହୁକେ ହୋ ହୁକେ ହୋ ରଡ଼ି ଛାଡ଼େ l ଆମେ ତା ବୋବାରୁ ଅନୁମାନ କରୁଥିଲୁ l ରାତି କେତେଟା ବାଜିଲା l ଚୌକିଆ ଘରେ ପହଞ୍ଚିଲା ବେଳକୁ ତୃତୀୟ ପ୍ରହର ହେଇଥେଲା l ତା ମାନେ ରାତି ତିନିଟା l ବୁଝିଲୁ " ହଁ ଆଈମା ତାପରେ କଣ ହେଲା l " ଆଈମା ପାନ ଚୋବେଇ କହିଲେ, " ଚୌକିଆ ସକାଳୁ ଉଠି ସିଧା ଗାଁପାଖ ପୋଲିସ୍ ଥାନାକୁ ଦୌଡ଼ିଲା l


ପୋଲିସ ଵାଲା ଆସି ସବୁଆଡେ ଦେଖିଲେ ମାତ୍ର କିଛି ପ୍ରମାଣ ମିଳିଲାନି l କୌଣସି ଗାଁ ବାଲାଙ୍କ ଘର ଲୁଟ ହେଇନି l ପୁଲିସ ଫେରିଗଲା l ଆଉଦିନେ ଗାଁର ଜଣଙ୍କ ଘରେ ନିଆଁ ଲାଗିଗଲା ରାତିରେ l ଲୋକେ ପାଣି ବାଲ୍ଟି ନେଇଗଲା ବେଳକୁ ଦେଖିଲେ ନିଆଁ ଆପେ ଆପେ ଲିଭି ଯାଇଛି l ଆଉଦିନେ ଜଙ୍ଗଲ ରୁ କଲରା ପତ୍ରିଆ ବାଘ ଗାଁରେ ଉତ୍ପାତ କଲା l ଗୋରୁ ଗାଇ ମାରି ଖାଇଦେଲା l ସମସ୍ତେ ପ୍ରମାଦ ଗଣିଲେ l ହଠାତ୍ ଦିନେ ଦେଖିଲେ ଗୋଠ ଭିତରେ ସେଇ ବାଘ ମରିକି ପଡ଼ିଛି l


ଆଉଦିନେ ଗୋଟିଏ ଛୋଟ ପିଲା ମା ସହିତ ପୋଖରୀରେ ଗାଧୋଇବା ବେଳେ ପାହାଚରୁ ଗୋଡ଼ ଖସିଗଲା l ପିଲାଟି ପାଣିରେ ପୁରାପୁରୀ ବୁଡ଼ିଗଲା l ମା କାନ୍ଦି କାନ୍ଦି ନୟାନ୍ତ l ପିଲା ମରିଗଲା ଭାବି ତା ମା ଘରକୁ ଫେରିଲା l ଦେଖିଲା ବେଳକୁ ତା ପୁଅ ତାଙ୍କ ଅଗଣାରେ ବଲ୍ ଖେଳୁଛି l ମାର ଆଖି ଖୋସି ହେଇ ଗଲା l


ଏସବୁ ଅଦ୍ଭୁତ ଘଟଣା ଗାଁର ମୁଖିଆ ଜାଣିଲେ l ମୁଖିଆ ଏକ ତାନ୍ତ୍ରିକକୁ ଡାକି ପୂଜା ଆରମ୍ଭ କଲେ l ତାନ୍ତ୍ରିକ ତାଙ୍କର ସାଧନା ଦ୍ୱାରା ଜାଣିଲେ ଏସବୁ ଭଲ ଭୂତ କାସ୍ପରର କାମ l ଘରେ ନିଆଁ ଲଗେଇବା, ପାଣିରେ ପିଲାକୁ ବୁଡ଼େଇ ଦବା, ବାଘକୁ ଗାଈ ଗୋଠଭିତରେ ପୁରେଇବା ଇତ୍ୟାଦି ମନ୍ଦ ଭୂତ ନଟିନମର କାମ l ତେଣୁ ସେ ଖରାପ ଭୂତ ନଟିନମ୍ କୁ ତାଙ୍କର ମନ୍ତ୍ର ବାଳରେ ଦେବଦାରୁ ଗଛ ଉପରୁ ତଳକୁ ଆଣି ତାଙ୍କ ବୋତଲ ଭିତରେ ପୁରେଇ ତାଙ୍କ ଘରକୁ ନେଇଗଲେ l ଗାଁ ମୁଖିଆ ତାନ୍ତ୍ରିକଙ୍କ ମୁହଁରୁ ସବୁ କଥା ଶୁଣି କାବା ହେଇଗଲେ ଆଉ କାସ୍ପରକୁ ପ୍ରଶଂସା କରି ତାର ଦେବଦାରୁ ଗଛ ମୂଳେ ଗୋଟାଏ ପୂଜାକଲେ l ଗାଁ ଵାଲା ସମସ୍ତେ ପୂଜାରେ ଭାଗ ନେଲେ l ଗଛକୁ ସମସ୍ତେ ମୁଣ୍ଡିଆ ମାରି କାସ୍ପର ଭୂତର ରକ୍ଷା କରିବାକୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ l ତାନ୍ତ୍ରିକ ମହାଶୟଙ୍କୁ ଧନ୍ୟବାଦ ଜଣାଇ ଘରକୁ ଫେରିଲେ l କାରଣ ସେଦିନ ଦୀପାବଳୀ ଅମାବାସ୍ୟା ଥେଲା l


ରାଜୁ କହିଲା, " ହଁ ଆଈ ଯାହା ହଉ ନଟିନମ୍ ଦଣ୍ଡ ପାଇଲା ଭଲ ହେଲା l ମତେ ଏ ଗପ ଭାରି ଭଲ ଲାଗିଲା l ହଉ ମୁଁ ଶୋଉଛି ଆଈ ନିଦ ମାଡ଼ିଲାଣି l ତୁମେ ଏଇ ସପ ଉପରେ ମୋ ପାଖରେ ଶୁଅ l ଭୀଷଣ ଗରମ l ବୋଉ ଟେବୁଲ ଫ୍ୟାନ୍ ଲଗେଇ ଦେଇଛି l ଆଈ ନାତି ତାପରେ ନିଘୋଡ଼ ନିଦରେ ଶୋଇ ଗଲେ l

   


Rate this content
Log in