ଏକ ବାଲ୍ୟଚେତନାର ସ୍ୱପ୍ନ
ଏକ ବାଲ୍ୟଚେତନାର ସ୍ୱପ୍ନ
ପିଲାଦିନୁ ରୋଗୀଣା ଚେହେରା ପାଇଁ ଗାଁ ପିଲାଙ୍କ ସାଙ୍ଗରେ ଅନେକ ପ୍ରକାର ଖେଳ ଖେଳିବାରୁ ବଞ୍ଚିତ ରହୁଥିଲି । ସାମାନ୍ୟ ଜ୍ଵର ଆସିଲେ ମୁଣ୍ଡ ଭିତରଟା କଣ ହୋଇଯାଏ ଏବଂ ତାପରେ ବେହୋସ ହୋଇଯାଏ । ପରେ ଡାକ୍ତରଖାନାରେ ଚେତା ଫେରେ । ବୋଉ କହିବାର କେବେ କେବେ ଶୁଣିଛି, ଅପସ୍ମାର ବେମାରିର କୌଣସି ସଫଳ ଚିକିତ୍ସା ନାହିଁ । ସମବୟସ୍କ ସାଙ୍ଗମାନଙ୍କର ଚାଟଶାଳୀରୁ ଗାଁ ପ୍ରାଥମିକ ବିଦ୍ୟାଳୟକୁ ପଦୋନ୍ନତୀର ଦୁଇ ବର୍ଷ ପର୍ଯ୍ୟନ୍ତ ମୋତେ କିନ୍ତୁ ଚାଟଶାଳୀରେ ରହି ପୁରୁଣା ପାଠର ଉତ୍ତମ ତର୍ଜ୍ଜମା ପୂର୍ବକ ଅବଧାନଙ୍କର ବୋଲହାକ କରିବାକୁ ପଡୁଥିଲା । ଅପରାହ୍ନରେ ସାଙ୍ଗମାନଙ୍କର ସହିତ ଦେଖା ହେଲାବେଳେ ସେମାନଙ୍କଦ୍ବାରା ବିଦ୍ୟାଳୟରେ ଘଟୁଥିବା ବିଭିନ୍ନ ଘଟଣାବଳୀର ରହସ୍ୟମୟ ଉପସ୍ଥାପନ| ସାଙ୍ଗକୁ ମୁଁ ସେସବୁରୁ ବଞ୍ଚିତ ରହୁଥିବାର ଦୟାପୂର୍ଣ୍ଣ ତାତ୍ସଲ୍ୟ ଜନିତ ହିନମନ୍ୟତାର ଶିକାର ହେବା ଓ ସେସବୁ ରହସ୍ୟ ରୋମାଞ୍ଚଭରା ଘଟଣାବଳୀର ଅଂଶୀଦାର ହେବାଲାଗି ଯଥାଶୀଘ୍ର ଗାଁ ସ୍କୁଲରେ ନାମ ଲେଖାଇବାକୁ ବୋଉ ପାଖରେ ଅଳି କରିବା, ଆଜି ପର୍ଯ୍ୟନ୍ତ ସ୍ମୃତିପଟରେ ଜୀବିତ ଅଛି ।
ଶେଷରେ ସ୍ୱପ୍ନ ସତ୍ୟ ହେଲା । ଯୁଦ୍ଧ ବିଜୟୀ ସେନାପତିଙ୍କର ପ୍ରଭାତରୁ ସ୍ୱରାଜ୍ୟ ବାହୁଡ଼ାର ଆନନ୍ଦପୂର୍ଣ୍ଣ ଉଦ୍ବେଗଠାରୁ ଅଧିକ ଉତ୍କଣ୍ଠାରେ ଶୋଇବାକୁ ଗଲି । ବୋଉ ଉପରେ ଗୋଡ ଓ ହାତ ରଖି ସୁଖନିଦ୍ରା ଯିବା ଅବସରରେ ବୋଉ ମୁଣ୍ଡଆଉଁସି ଦେଉ ଦେଉ କହୁଥିଲା, ଭଲ ପାଠ ପଢିବୁ, ମାଷ୍ଟ୍ରଙ୍କୁ ପ୍ରଣାମ କରିବୁ, କଳି କରିବୁନି ,ଇତ୍ୟାଦି । ମୁଁ କିନ୍ତୁ ନିଜକୁ ସାଙ୍ଗମାନଙ୍କ ଦ୍ଵାରା ବର୍ଣ୍ଣିତ ବିଦ୍ୟାଳୟକୁ ଯାତ୍ରା କରିବା ଓ ଫେରିବା ଜନିତ ସମସ୍ତ ଘଟଣାବଳୀର ନାୟକ ସଜାଇ ନିଜସ୍ଵ କାର୍ଯ୍ୟ ପ୍ରଣାଳୀର ସଫଳ ରୂପାୟନ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିଲି । ଅଜୁ, ଧଡ଼ିଆ, ଏ ଦୁଇ ଜଣ ବର ଓହଳରେ ବହୁ ସମୟ ଝୁଲି ରହି ପାରନ୍ତି । ମୋର ହାତ ବିନ୍ଧା ହୁଏ ।ଏଥର କିନ୍ତୁ ଯେତେ କଷ୍ଟ ହେଲେବି କଦାପି ଛାଡ଼ି ବିନି । ପାଣୁଆ ଯେକୌଣସି ଆମ୍ବଗଛ ଚଢିଯିବାରେ ଓସ୍ତାଦ ଥିଲା । ମୋତେ କିନ୍ତୁ ଉଚ୍ଚକୁ ଗଲେ ଭୟ ଲାଗେ । ଏଥର ଆଉ ଡରି ବିନି ।ସବୁଠାରୁ ଭୟଙ୍କର ସାହସୀ ହେଉଛି ଅଶୋକ । ପାଣି ତଳେ ତଳେ ପହଁରିବା, କାହା ଗୋଡ଼ ଭିଡି ଦେଇ ଡରାଇବା, କାଦୁଅରୁ ଚେଙ୍ଗ ଧରି ଆଣିବା ଥିଲା ତାର ମୁଖ୍ୟ କାର୍ଯ୍ୟ । ଏପରି କି ଆମ୍ଭେମାନେ ସମସ୍ତେ ତାକୁ ତା ନାମ ବଦଳରେ ମାଗୁର ଡାକୁଥିଲୁ । - ମୁଁ ପହଁରା ସାମାନ୍ୟ ଜାଣିଥିଲେ ବି ପାଣି ଭିତରେ ଅଧିକ ସମୟ ରହିପାରେନି ।
ସ୍କୁଲ ଯିବା ବାଟରେ ଗୋଟିଏ ବଡ ଆମ୍ବତୋଟା, ଗୋଟିଏ ପୋଖରୀ ଓ ଗାଁସୀମା ପାର ହେଲାପରେ ରାସ୍ତାର ଦୁଇପାଖରେ ପ୍ରଚୁର ବରଗଛ ଇତ୍ୟାଦି ମଉଜ କରିବାର ଯଥେଷ୍ଟ ସରଞ୍ଜାମ ମହଜୁଦ୍ ରହିଛି, ଏସବୁଥିଲା ଥିଲା ସେମାନଙ୍କର ଦୈନନ୍ଦିନ ଆଲୋଚନାର ବିବରଣୀ ।ତା ସହିତ ମିଶିରହୁଥିଲା ସେମାନଙ୍କର ପାରଦର୍ଶିତାର ବୀରତ୍ଵପୂର୍ଣ୍ଣ ବର୍ଣ୍ଣନା । ବିଶେଷ କରି ମାଷ୍ଟ୍ରେ କାହାକୁ କେତେ ଭଲ ପାଆନ୍ତି, ଏ ପ୍ରସଙ୍ଗର କେବେ ଅନ୍ତ ହେଉ ନ ଥାଏ । ବର୍ଣ୍ଣନା ମୁତାବକ ମାଷ୍ଟ୍ରେ ଥିଲେ ଗୌରବର୍ଣ୍ଣ, ସୁଦର୍ଶନ ଓ ଯାତ୍ରା ଦଳର ହିରୋ ପରି । ଜାଣେନି, କେତେବେଳେ ଶୋଇ ପଡିଲି । ସକାଳୁ ନିଦ ଭାଙ୍ଗିଲା ପରେ ବିଦ୍ୟାଳୟ ଯିବାର ପ୍ରସ୍ତୁତି ଆରମ୍ଭ ହେଲା । ଗ୍ରାମ ସରିବା ପରେ ଗୋଟିଏ ଛୋଟ ମୁଣ୍ଡିଆ ଓ ତତ୍ପରେ ଏକ ପାଦ ଚଲା ରାସ୍ତାରେ ଗଲେ ଖଣ୍ଡେ ଦୂରରେ ପଡେ ସ୍କୁଲ । ଜୀବନରେ କେବେ ମୁଣ୍ଡିଆ ପର୍ଯ୍ୟନ୍ତ ଯାଇ ନ ଥିଲେ ବି ଆଜି ମୁଣ୍ଡିଆ ପାଖାପାଖି ଯିବା ବେଳେ ଯାତ୍ରା ବଡ ରୋମାଞ୍ଚକର ମନେ ହେଉଥିଲା । କିନ୍ତୁ ହାୟ !ଟାଙ୍ଗେରା ମୁଣ୍ଡିଆ ଅତିକ୍ରମ କରି ବିଦ୍ୟାଳୟରେ ପହଞ୍ଚିବା ପରେ ମଧ୍ୟ କୌଣସି ବରଗଛ ବା ଆମ୍ବ ତୋଟାର ଦର୍ଶନ ନ ଥିଲା । କେବଳ ଏକ ଦଳ ପୂର୍ଣ୍ଣ ପୋଖରୀ ନିଜର ସତ୍ତା ହରାଇବା ଅବସ୍ଥାରେ ଦୃଷ୍ଟିଗୋଚର ହେଉଥିଲା ।ସନ୍ତର୍ପଣରେ ସ୍କୁଲ ଭିତରକୁ ପଶିଲି । ମାଷ୍ଟ୍ରଙ୍କ ପାଇଁ ଉଦିଷ୍ଟ ଚଉକିରେ ଉପବିଷ୍ଟଥିବା ବ୍ୟକ୍ତି ଜଣକ ବର୍ଣ୍ଣ ରେ ସଂପୂର୍ଣ୍ଣ କଳା ଥିଲେ ଓ ଏକ ଦୁର୍ଭିକ୍ଷ ପ୍ରବଣ ଆଦିବାସୀ ଅଞ୍ଚଳର ବାସିନ୍ଦା ପରି ଲାଗୁଥିଲେ ।ଇତିମଧ୍ୟରେ ବିଳମ୍ବର କାରଣ ପଚାରିବା ଅବସରରେ ତେଲିଆ ବେତଟିଏ ହାତରେ ଲହକାଇ ମାଷ୍ଟ୍ରେ ମାଗୁରକୁ ପାଖକୁ ଡାକୁଥିଲେ ।ମାଗୁରର ଅନିଚ୍ଛା ପଣିଆ ସତ୍ତ୍ଵେ ଆଉ ଦୁଇ ଜଣ ଅପେକ୍ଷାକୃତ ବଳବାନ ସହପାଠୀଙ୍କ ଦ୍ଵାରା ଟଣା ହୋଇଗଲା । ସମସ୍ତଙ୍କ ମୁହଁରେ ଆତଙ୍କର ଭାବ ଦର୍ଶନ କଲି । କାନ୍ଦିବାକୁ ଇଚ୍ଛା ହେଉଥିଲା । ଇତି ମଧ୍ୟରେ ବେତର ପ୍ରହାର ଜନିତ ଗତିଶିଳତାର ତାଳ ସଙ୍ଗରେ ମାଗୁରର ନୃତ୍ୟ ବେଶ୍ ଉପଭୋଗ୍ୟ ଥିଲେ ବି ମୋର ମେରୁଦଣ୍ଡରେ ଭୟର ଶୀତଳ ଲହରୀ ଖେଳୁଥିଲା ।
ଏହା ପରଠାରୁ ଆଉ ଡେରି ହେବନି, ଏହି ଘୋଷଣାନାମାର ସ୍ଵୀକାରୋକ୍ତି ପରେ ମାଗୁର ଆସି ମୋ ପାଖରେ ବସିଲା । ତାର ଥରଥର କମ୍ପମାନ ଶରୀରର ଉତ୍ତାପ ମୁଁ ଅନୁଭବ କରିପାରୁଥିଲି । ମାଷ୍ଟ୍ରଙ୍କର ରକ୍ତବର୍ଣ୍ଣ ଚକ୍ଷୁର ତୀର୍ଯ୍ୟକ୍ ନଜର ମୋ ଉପରେ ନିବିଷ୍ଟ ହେଲା ।'ତୋ ନାମ କଣ ? ନାମ କହିବାକୁ ଚେଷ୍ଟା କଲି । ଓଠର ସ୍ପନ୍ଦନ ସତ୍ତ୍ୱେ ଶବ୍ଦର ପ୍ରକାଶ ହେଲା ନାହିଁ । ଛେପ ଢୋକିଲି । ପାଟି ସଂପୁର୍ଣ୍ଣ ଶୁସ୍କ . ଓ ଅ୦ାଳିଆ ଲାଗିଲା । ମାଷ୍ଟ୍ରେ ମୋ ଆଡକୁ ହାତ ବଢାଇ ପାଖକୁ ଡାକୁଥିଲେ । ହଠାତ୍ ମୋ ମୁଣ୍ଡ ଭିତରେ କିଛି ଗୋଟେ ଖେଞ୍ଚି ହେଲା ଭଳି ଲାଗିଲା । କିଛି ଉତ୍ତପ୍ତ ତରଳ ପଦାର୍ଥର କ୍ଷରଣ ହେଲାଭଳି ଲାଗିଲା । ଆଖି ଆଗରେ ଅନ୍ଧକାର । ଗଭୀର ନିଦ । ଆଉ କିଛି ଜାଣିନି । ଚେତା ଫେରିବାପରେ ଜାଣିଲି ଡାକ୍ତରଖାନାରେ ଶୋଇଛି । ବୋଉର ଆତୁରତାପୂର୍ଣ୍ଣ ସଜ୍ଜଳ ଚକ୍ଷୁ ଦୁଇଟି ମୋତେ ଅନାଇ ରହିଛି ।'ଆଉ ସେ ଇସ୍କୁଲ ଫିସ୍କୁଲ ତୁ ଯିବୁନି । ସେ ନିଆଁଲଗା ପାଠ ଚୁଲିକି ଯାଉ ।" ବୋଉ ଆଉଁସି ଦେଉ ଦେଉ କହୁଥିଲା ।