ପ୍ରିୟଦର୍ଶିନୀ ମହାନ୍ତି

Drama Romance

4.8  

ପ୍ରିୟଦର୍ଶିନୀ ମହାନ୍ତି

Drama Romance

ଏଇଠି ତ ସ୍ୱର୍ଗ

ଏଇଠି ତ ସ୍ୱର୍ଗ

9 mins
699


ବଢ଼ିଲା ଝିଅ କେତେ ଦିନ ବା ଘରେ ରହିବ । ହାତକୁ ଦୁଇ ହାତ ତ କରିବାକୁ ପଡିବ । ଘରେ ରଖିବେନି ବୋଲି ଯାହା ହାତରେ ନାଈଁ ତା ହାତରେ ତ ଛନ୍ଦି ଦିଆଯିବନି ନା । ଯୋଗ୍ୟ ପାତ୍ରଟିଏ ଦେଖି କେମିତି ସୁରୁଖୁରୁରେ ବାହା ଦେଇଦେବେ ବୋଲି ସୁଧାକୁ ମାଆ ସବୁ ବେଳେ ଚିନ୍ତିତ । କେବଳ ମାଆ ନୁହେଁ, ଭାଇ, ଭାଉଜ ସମସ୍ତେ ଖୋଜନ୍ତି ଗୋଟେ ଭଲ ଘର ଆଉ ଭଲ ବର ସୁଧା ପାଇଁ । ବାପ ଛେଉଣ୍ଡ ପିଲା ଦୁଇଟିକୁ ମାଆ ନିଜ ଛାତ୍ରଛାୟାରେ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ଦେଇ ବଢ଼ାଇଛନ୍ତି । ସୁଧା ମଧ୍ୟ ଉଚ୍ଚ ଶିକ୍ଷିତା । ସମସ୍ତିଙ୍କର ଗେଲ୍ହା, ହସକୁରି, ବୁଝିଲା ସୁଝିଲା ଝିଅଟି । ବାପ ଛେଉଣ୍ଡ ବୋଲି ମାଆ କେବେ ଅନୁଭବ କରେଇଦେଇନି ଦୁଇ ଛୁଆଙ୍କୁ । ସବୁ ଅଳି, ଅର୍ଦଳି ସହିଛି । କଷ୍ଟ ହେଉ ପଛେ ଇଚ୍ଛା ମୁତାବକ ସବୁ ଜିନିଷ ପିଲାଙ୍କୁ ଆଣି ଦେଇଛି । ପୁଅଟି ପାରିବାର ହେଲା ପରେ ମାଆ ଗୋଟେ ଭଲ ଝିଅ ଦେଖି ବିବାହ କରେଇଦେଲେ । ତେବେ ସୁଧାର ପରିବାର କହିଲେ ତା ମା, ଭାଇ ଆଉ ଭାଉଜ । ସୁଧା ପାଇଁ ଉପଯୁକ୍ତ ପାତ୍ର ଖୋଜରେ ଥାନ୍ତି ସମସ୍ତେ ।


  ଦିନେ ଜଣେ ଭଦ୍ରବ୍ୟକ୍ତି ଏକ ଭଲ ପାତ୍ରର ପ୍ରସ୍ତାବ ନେଇ ଆସିଲେ ସୁଧା ଘରକୁ । ବ୍ୟକ୍ତି ଜଣଙ୍କ ପାତ୍ରଟିର(ପୁଅଟିର) ଫୋଟୋ ଦେଖେଇଲେ । ପୁଅଟି ଦେଖିବାକୁ ସୁନ୍ଦର । ଭଦ୍ରବ୍ୟକ୍ତିଟି ଯାହା କହିଲେ ପୁଅର ନାମ ସୁରେଶ, ଉଚ୍ଚ ଶିକ୍ଷିତ,ଭଲ ଘର ମଧ୍ୟ,ଗୋଟେ ବଡ଼ କମ୍ପାନୀରେ ଚାକିରୀ କରେ । ଘରେ କେବଳ ବାପା, ମା ।  ଭଉଣୀଟି ବିବାହିତ । ସମସ୍ତଙ୍କ ମନକୁ ପ୍ରସ୍ତାବଟି ପାଇଲା । ପୁଅ ଘରକୁ ଖବର ଦିଆଗଲା ଭଲ ଦିନ ଦେଖି ଝିଅ ଘରକୁ ବୁଲି ଆସିବାକୁ । ପୁଅ ଘର ଲୋକ ଆସିଲେ । ଝିଅକୁ ଦେଖି ପସନ୍ଦ କରି ଗଲେ । କିଛି ଦିନ ପରେ ବାହାଘର ହେଲା । ଉଚିତ ବେଭାର ଦେଇ ସୁଧାକୁ ମା, ଭାଇ, ଭାଉଜ ବିଦାୟ ଦେଲେ ।

   

   ସୁଧା ପାଇଁ ଘର,ଘରର ଲୋକ ସମସ୍ତେ ନୂଆ । ବୈବାହିକ ଜୀବନକୁ କେମିତି ସୁରୁଖୁରୁରେ ଆଗେଇ ନେବ ସେ କଥା ସୁଧା ଭାବୁଥାଏ । ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ତା' ଜୀବନର । ସେ ନିଜକୁ ନିଜେ ପ୍ରସ୍ତୁତ କରୁଥାଏ । ସମସ୍ତଙ୍କ ମନ ଜିଣି ରହିବାକୁ ପଡିବ । ଏଣିକି ସ୍ୱାମୀ, ଶାଶୁ, ଶଶୁର ତାର ସବୁ କିଛି । ପ୍ରଥମ ମିଳନ ରାତି । ସୁଧା ଦେଖୁଥାଏ ଅନେକ ରଙ୍ଗୀନ ସ୍ବପ୍ନ । ଦେଖିବା ବି ସ୍ୱାଭାବିକ । ସେଦିନ ରାତିରେ ସୁଧା ଥାଏ କୋଠରୀ ଭିତରେ ସୁରେଶକୁ ଅପେକ୍ଷା କରି । ସୁରେଶ ଆସିବାରେ ଏତେ ବିଳମ୍ବ କରିବାର ଦେଖି ସୁଧା ଚାହିଁବସିଥାଏ । ଅପେକ୍ଷା କରି କରି ସୁଧାର ଆଖି ଲାଗିଯାଇଛି । ମଧ୍ୟରାତ୍ରୀରେ ସୁରେଶ ଆସି ଦେଖେ ତ ସୁଧା ଶୋଇଯାଇଛି । କିଛି ନ କହି ସୁରେଶ ତକିଆଟିକୁ ଆଣି ତଳେ ବିଛଣା ବିଛେଇ ଶୋଇଲା ।


  ସକାଳ ହେଲା । ସୁଧା ଉଠି ଦେଖେ ତ ସୁରେଶ ତଳେ ଶୋଇଛି । ସୁଧା କହିଲା,"ଏଠି କଣ ପାଇଁ ଶୋଇଛ? ରାତିରେ ମୁଁ କେତେବେଳେ ଶୋଇପଡିଛି ଜାଣିପାରିଲିନି । " ସୁରେଶ ଉତ୍ତର ଦେଲା," ଠିକ ଅଛି, କିଛି ଅସୁବିଧା ନାଈଁ । ମୋର ଟିକେ କାମ ଥିଲା ସେଥିପାଇଁ ଡେରି ହେଇଗଲା ରାତିରେ ଫେରିବା । ଆଉ ତମେ ବି ହାଲିଆ ହେଇଯାଇଥିବ ଭାବି ଆଉ ଉଠେଇବାକୁ ଇଚ୍ଛା ହେଲାନି । " ସୁଧା ମନେ ମନେ ଭାବୁଥାଏ ଆଉ ହସୁଥାଏ ଯାହା ହେଉ ସେ କେତେ ଭାଗ୍ୟବତୀ ସୁରେଶ ଭଳି ସ୍ବାମିଟିଏ ପାଇଛି । ଆଉ ଏଇଟା ବି ସତ ଯେ ସେ ବହୁତ ହାଲିଆ ହେଇଯାଇଥିଲା । ଏବେ ଠାରୁ କେତେ ଯତ୍ନ ନେଉଛନ୍ତି ତା'ର । ଏମିତି ବହୁତ କମ ପୁଅ ଥାଆନ୍ତି ଯିଏ ସ୍ତ୍ରୀର ମନ କଥା ବୁଝିପାରନ୍ତି । ସ୍ତ୍ରୀର ଖୁସି ଚାହାନ୍ତି । ହେଲେ ଗୋଟେ କଥା ସୁରେଶ ଖଟ ଉପରେ ବି ତ ଶୋଇପାରିଥାନ୍ତେ କିନ୍ତୁ ତଳେ କଣ ପାଇଁ... । ସୁଧା ପୁଣି ମନେ ମନେ ବୁଝେଇ କହିଲା," କେଡେ ଅଲାଜୁକି ଟା ସତେ ମୁଁ । ମୁଁ ଶୋଇପଡିବାର ଦେଖି ବୋଧେ ସେ ମୋ ପାଖକୁ ଆସିବାକୁ ସଂକୋଚ ଅନୁଭବ କରିଥିବେ । ସେଥିପାଇଁ ତଳେ ଶୋଇଯାଇଥିବେ । ଠିକ ଅଛି ଏମିତି ବହୁତ ରାତି ଜୀବନରେ ଆସିବ । " ଏ ଭଳି ଭାବନା ଭିତରେ ସୁରେଶ ଉଠି ଚାଲିଯାଇଥାଏ ।


   ସୁରେଶ ନିତ୍ୟକର୍ମ ସାରି ଖାଇ ପିଇ ଅଫିସ ପାଇଁ ବାହାରିଗଲା । ଏଣେ ଘରେ ସୁଧା ଶାଶୁ, ଶଶୁରଙ୍କ ସେବା ଯତ୍ନ ଠାରୁ ଆରମ୍ଭ କରି ଘରର ସମସ୍ତ ଯାବତୀୟ କାମ କରେ । ଶାଶୁ ଶଶୁରଙ୍କ ବହୁତ ପ୍ରିୟ ହୋଇସାରିଥାଏ ସୁଧା । ଏମିତି କିଛି ଦିନ ବିତିଗଲା । ସୁରେଶ କିନ୍ତୁ ସୁଧାର ନିକତତ୍ତର ହେଉନଥାଏ । ପ୍ରତ୍ୟେକ ରାତିରେ ଡେରିରେ ଘରକୁ ଆସିବା ଓ ଏକ ଅଜଣା ପୁରଷ ପରି ଗୋଟିଏ ଖଟରେ ଶୋଇବା ସୁରେଶ ଅଭ୍ୟସ୍ତ ହୋଇସାରିଥାଏ । ସୁଧା କିଛି ପଚାରିଲେ କାମର ଚାପ, ଦେହ ଭଲ ନାଈଁ, ନିଦ ଲାଗୁଚି,ସକାଳେ ଜଲ୍ଦି ଉଠିବି କହି ସୁରେଶ ଉତ୍ତର ଦିଏ । ସୁରେଶର ବ୍ୟବହାର କଦର୍ଯ୍ୟ ନଥିଲା । ସୁରେଶ ଶାରୀରିକ ଭାବେ ଆଘାତ ନ କରିଲେ ମଧ୍ୟ ତାର ବ୍ୟବହାର ସୁଧାକୁ ମାନସିକ ଯନ୍ତ୍ରଣା ଦେଉଥାଏ । ସୁରେଶର ଏ ପ୍ରକାର ଦୂରତା ଏବଂ ଅଜଣା ପରି ବ୍ୟବହାର ତାକୁ ବହୁତ ଦୁଃଖ ଦିଏ । ସୁଧା ସୁରେଶର ବ୍ୟବହାରରେ ନ ରାଗିଲେ ମଧ୍ୟ ଏକ ପ୍ରକାର ସନ୍ଦେହରେ ଥାଏ ଯେ ସୁରେଶର ଏଭଳି ବ୍ୟବହାର କଣ ପାଇଁ? କଣ ପାଇଁ ସୁରେଶ ତାକୁ ସ୍ତ୍ରୀର ଦରଜା ଦେବାକୁ କୁଣ୍ଠାବୋଧ କରୁଛନ୍ତି । ସୁରେଶ କ'ଣ ତା ସହ ଖୁସି ନୁହଁନ୍ତି । କେବେ ବି ସୁରେଶ ତା ପ୍ରତି ଆକର୍ଷିତ ହୁଏନି । ସେ ନିଜକୁ ଯେତେ ସଜେଇଲେ ମଧ୍ୟ ସୁରେଶ କେବେ ମୁଣ୍ଡଟେକି ଦେଖିନି ତା ରୂପ, ଯୌବନକୁ । ଦୁନିଆ ଆଖିରେ ସେମାନେ ଦମ୍ପତି କିନ୍ତୁ ତାଙ୍କ ଦାମ୍ପତ୍ୟ ଜୀବନ କିଛି ଠିକ ନଥିଲା । ସୁଧା ନିଜେ ନିଜକୁ ହିଁ ଦୋଷ ଦିଏ, ବୋଧ ହୁଏ ତାର କିଛି କମି ରହିଯାଇଛି । ଶାଶୁ, ଶଶୁର କିମ୍ବା ମଆ, ଭାଇ, ଭାଉଜଙ୍କୁ ଏ କଥା କହି ସେମାନଙ୍କୁ କଷ୍ଟ ଦେବାକୁ ଚାହୁଁନଥିଲା ସୁଧା । ବିବାହର ଦୁଇ ମାସ ବିତିଯାଇଥିଲେ ମଧ୍ୟ ସୁଧା ଓ ସୁରେଶ ମଧ୍ୟରେ ସ୍ୱାମୀ ସ୍ତ୍ରୀ ପରି ସମ୍ପର୍କ ନଥିଲା । ଗୋଟିଏ ଘର, ଗୋଟିଏ ଛାତରେ ଗୋଟିଏ ଖଟ ରେ ରାତି ବିତୁଥିଲେ ମଧ୍ୟ ଉଭୟ ଉଭୟଙ୍କ ପାଇଁ ଅପରିଚିତ । ସୁଧା କିନ୍ତୁ ବହୁତ ଭଲ ପାଇସାରିଥିଲା ସୁରେଶକୁ । ସ୍ବପ୍ନ ଦେଖିବା ଛାଡି ନ ଥିଲା କି ବିଶ୍ୱାସ ହରେଇ ନଥିଲା ସୁଧା । ଦିନେ ନା ଦିନେ ସୁରେଶକୁ ସେ ନିଜର କରିନେବ ଏ ଆତ୍ମ ବିଶ୍ୱାସ ନେଇ ସେ ନିଜର ସ୍ତ୍ରୀ ଧର୍ମ ପାଳନ କରୁଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁ ରହିଥାଏ ସୁରେଶର ବାଟକୁ ନଖାଇ । ପ୍ରତିଟି ଜିନିଷକୁ ଅତି ଯତ୍ନରେ ସାଇତି ରଖେ । ନ ମାଗୁଣୁ ହାତ ପାଖରେ ପହଂଚାଇଦିଏ ସୁରେଶର ।



  ଦିନକର କଥା ସୁରେଶ ଅଫିସ ଯାଇସାରଥାଏ । ସୁଧା ନିଜର ବେଡ୍ ରୁମ୍ ସଫା କରୁ କରୁ ଥାକରୁ ଗୋଟେ ଡାଏରି ପାଇଲା । ଉପରେ ସୁରେଶର ନାଁ ଲେଖା ଥାଏ । ସୁରେଶ ବି ଡାଏରି ଲେଖନ୍ତି ଜାଣି ତାକୁ ପଢ଼ିବାକୁ ବହୁତ ଉତ୍କଣ୍ଠାରେ ଖୋଲିଲା । ତା ପରେ ସେ ଯାହା ଦେଖିଲା ତା ଆଖିକୁ ଵିଶ୍ଵାସ କରି ପାରିଲାନି । ଏ କ'ଣ ଡାଏରି ଭିତରେ ଏ ଫୋଟୋ । ସୁରେଶ ସହିତ ଏ ଝିଅ କିଏ? ଫୋଟୋ ପଛପଟେ ଲେଖା ଅଛି ସୁରେଶ ସହିତ ଦୀପିକା । ତେବେ ସୁରେଶ କଣ...?? ଡାଏରି ଖୋଲି ଗୋଟେ ପରେ ଗୋଟେ ପୃଷ୍ଠା ପଢିବାକୁ ଲାଗିଲା । ଲୁହରେ ତା ଆଖି ଛଳ ଛଳ ହେଇଗଲା । ଅକ୍ଷର ସ୍ପଷ୍ଟ ଦିସୁନଥାଏ । ତଥାପି ସେ ପଢିଲା ପୁରା ଡାଏରି । ଡାଏରି ପଢି ଜାଣିପାରିଲା ସୁରେଶ ଦୀପିକା ବୋଲି ଝିଅକୁ ଭଲ ପାଆନ୍ତି ।


  ପଢି ସାରି ଲଥ୍ କରି ବସି ପଡ଼ିଲା ବେଡ୍ ଉପରେ । ସେ ବହୁ ପୂର୍ବରୁ ଖୋଜୁଥିବା ପ୍ରଶ୍ନର ଉତ୍ତର ପାଇଗଲା । ତେବେ ସୁରେଶଙ୍କର ଅନିଚ୍ଛା ରେ ଏ ବାହାଘର ହୋଇଛି । ସେଥିପାଇଁ ସୁରେଶ ଆଜିଯାଏ ତାକୁ ନିଜର କରିପାରିନାହାନ୍ତି । ଆଜି ଯାଏଁ ତାକୁ ସ୍ତ୍ରୀର ଆସନ ଦେଇ ପାରିନାହାନ୍ତି । ଆଜି ବି ସୁରେଶ ଦୀପିକାକୁ ଭଲ ପାଆନ୍ତି । ତା ସହ ସମୟ ବିତାଇ ସୁରେଶ ବିଳମ୍ବିତ ରାତିରେ ଘରକୁ ଫେରନ୍ତି । ୟା ଠାରୁ ଦୁଃଖ ଆଉ ଲଜ୍ୟାର ବିଷୟ କଣ ଥାଇପାରେ ଗୋଟେ ସ୍ତ୍ରୀ ପାଇଁ । ଯାହାର ସ୍ୱାମୀ ବିବାହ ପରେ ମଧ୍ୟ ନିଜ ପ୍ରେମିକାକୁ ଭୁଲିପାରୁନି । ଗୋଟେ ସ୍ତ୍ରୀ ହୋଇ ଯିଏ ସ୍ୱାମୀକୁ ନିଜ ପ୍ରତି ଆକର୍ଷିତ କରିପାରେନି ତେବେ ତାର ସ୍ତ୍ରୀ ବୋଲାଇବା ବ୍ୟର୍ଥ । ସୁରେଶଙ୍କର କିଛି ଭୁଲ ନାଈଁ । ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ସିଏ ବା କେମିତି ଯାଇଥାନ୍ତେ । ସେଥିପାଇଁ ବାଧ୍ୟ ହୋଇ ବାହା ହେବାପାଇଁ ରାଜି ହୋଇଥିବେ । ସୁଧା ମନରେ ଥିବା ସନ୍ଦେହର କୁହୁଡି ହଟିସାରିଥାଏ । ଅନେକ କାନ୍ଦିବା ପରେ ସୁଧା ନିଷ୍ପତି ନେଲା ଏ ବିଷୟରେ ସେ କାହାକୁ କିଛି ଜଣେଇବ ନାହିଁ । ଏପରିକି ସୁରେଶଙ୍କୁ ବି ନୁହଁ । ସେ ଚାହେଁନି ସୁରେଶକୁ ଲଜ୍ଜିତ କିମ୍ବା ଛୋଟ କରିଦେବାକୁ । ତେଣୁ ସୁରେଶ ନ ଜାଣିବାଟା ଠିକ୍ । ସେ ନିଜକୁ ପ୍ରସ୍ତୁତ କରିଲା ସୁରେଶ ସହ ଆଗପରି ଚଳିବାକୁ ଯେମିତି କି ସେ ସୁରେଶ ବିଷୟରେ କିଛି ଜାଣିନି । ସୁଧାର ଆତ୍ମ ବିଶ୍ୱାସ ଥିଲା ଯେ ସେ ଦିନେ ନା ଦିନେ ସୁରେଶଙ୍କୁ ନିଜର କରିବ । ଡେରି ହେଇପାରେ କିନ୍ତୁ ତାକୁ ଧୈର୍ଯ୍ୟ ଧରି ସେ ପର୍ଯ୍ୟନ୍ତ ନିଜ କାର୍ତ୍ତଵ୍ୟ କରିବାକୁ ପଡିବ । ଏତକ କହି ସୁଧା ଲୁଗା ପଣତରେ ଲୁହ ପୋଛି ନିଜ କାମରେ ଲାଗିଗଲା ।

 

  ଠିକ୍ ସବୁଦିନ ପରି ସେଦିନ ମଧ୍ୟ ସୁରେଶ ବିଳମ୍ବରେ ଆସିଲା । ସୁଧା ମଧ୍ୟ ଅପେକ୍ଷା କରିଥାଏ ସୁରେଶକୁ । ଲୁହ କୋହ କୁ ଚାପିଧରି ସୁଧା ଘରଟା ଭିତରେ ଯନ୍ତ୍ର ଚାଳିତ କଣ୍ଢେଇ ପରି ନିଜ କାମ କରେ । ସବୁ ଆବେଗ, ଅଭିମାନକୁ ଲୁଚେଇ । କେହି ଯେପରି ନ ପଢିପାରୁ ତା ଆଖିର ଭାଷା ତା ଉଦାସ ମୁହଁର ବର୍ଣ୍ଣବୋଧ । ସୁଧା ମିଛ ହସର ମୁଖା ପିନ୍ଧି ଲୁଚେଇଦିଏ ଦୁଃଖ । ଏପରି କିଛି ଦିନ ଗଲା । ଲୁଚି ଲୁଚି ରୁମ୍ ରେ କାନ୍ଦିବା ଆଉ ଲୁହ ପୋଛି ହସି ହସି ବାହାରକୁ ଆସିବା ତାର ଅଭ୍ୟାସ ହେଇଗଲାଣି । ଥରେ ଥରେ ସୁରେଶ ପଢିନିଏ ସୁଧା ମୁହଁକୁ ଆଉ ପଚାରେ କଣ ଅସୁବିଧା ହେଇଛି କି? ସୁଧା ଉତ୍ତର ଦିଏ ନା କିଛି ନାହିଁ, ଟିକେ ଥଣ୍ଡା ହେଇଯାଇଛି । ସୁରେଶ ମଧ୍ୟ କାଳ ବିଳମ୍ବ ନ କରି ଔଷଧ ଆଣି ସୁଧାକୁ ଦେଇଦିଏ ।  ସୁରେଶର ଏମିତି ବ୍ୟବହାର ଦେଖି ସୁଧା ବହୁତ ଖୁସି ହେଇଯାଏ । ଏକ ଆଭାସ ଆସେ ଯେ ସୁରେଶ ହୁଏ ତ ବହୁତ ଜଲ୍ଦି ତାକୁ ସ୍ତ୍ରୀର ମର୍ଯ୍ୟାଦା ଦେବେ । ସୁଧାର ଆତ୍ମବିଶ୍ବାସ ବଳବତ୍ତର ହେଉଥାଏ ।  


    ଏମିତି ଅନେକ ଦିନ ବିତିଗଲା । ସବୁ ଦିନ ଭଳି

ସେଦିନ ମଧ୍ୟ ସୁରେଶକୁ ଅପେକ୍ଷା କରିଥାଏ ସୁଧା । ସେ ଜାଣିଥାଏ ସ୍ୱାମୀ ତା'ର ଦୀପିକା ସହ ସମୟ ବିତାଇ ଆସିବେ । ହେଲେ ମଧ୍ୟ କଣ ଯାଏ । କେବଳ ଆଜି ନୁହେଁ ବାହା ବାସି ରୁ ସେ ଅନେଇ ବସେ ପ୍ରତି ରାତିରେ ସ୍ୱାମୀର ବାଟ । ହେଲେ ଆଜି ଏତେ ବିଳମ୍ବ କାହିଁ? ଏତେ ବେଳକୁ ତ ସୁରେଶ ଆସିଯିବା କଥା । କଣ କିଛି ଅଘଟଣ ଘଟିଲା? ଏମିତି ଭାବି ଭାବି ଘର ଟା ଭିତରେ ପଦାଚାରଣ କରୁଥାଏ ସୁଧା । ଘଣ୍ଟାକୁ ବାରମ୍ବାର ଦେଖୁଥାଏ । ତା ହୃଦ ସ୍ପନ୍ଦନ ବଢି ବଢି ଯାଇଥାଏ । ମନ କୁ ଏଣୁ ତେଣୁ ବହୁତ କିଛି ଖରାପ ଭାବନା ଆସିଯାଉଥାଏ । ବହୁତ ସମୟ ପରେ ଭାବିଲା ସୁରେଶକୁ ଫୋନ କରିବ । ଫୋନ କରିବାରୁ ରିଙ୍ଗ ହେଇ ହେଇ କଟିଗଲା ଅଥଚ ସୁରେଶ ରିସିଭ କଲାନି । ତା ମନ ବ୍ୟତିବ୍ୟସ୍ତ ହେଇଯାଉଥାଏ । ପୁଣି ଥରେ ଫୋନ କରିଲା । କେହି ଜଣେ ରିସିଭ କରି କହିଲେ," ହସ୍ପିଟାଲର ରିସେପସନ୍ ରୁ କହୁଥିଲି । ଫୋନଟି ଯାହାର ସେ ବର୍ତ୍ତମାନ ଡାକ୍ତରଖାନାରେ । ଜଲ୍ଦି ଆସନ୍ତୁ ପେସେଣ୍ଟର ଅବସ୍ଥା ଗୁରୁତର । " ଏତକ ଶୁଣି ସୁଧା ମୁଣ୍ଡ ଉପରେ ପାହାଡ଼ ଛିଡି ପଡିଲା ଭଳି ଲାଗିଲା । କଚାଡି ହୋଇ ପଡ଼ିଲା ଭୂଇଁ ଉପରେ । କ'ଣ କରିବ କିଛି ମୁଣ୍ଡକୁ ବୁଦ୍ଧି ଆସିଲାନି । ରାତି ଆସି ଗୋଟେ ହେଲାଣି । ଶାଶୁ , ଶଶୁରଙ୍କୁ କ'ଣ ବା ଜଣେଇବ! ଶୁଣି, ସହିପାରିବେନି ଏ କଥା । ଏମିତି ସ୍ଥିତିରେ ସେ କାହାକୁ ସମ୍ଭାଳିବ । ସେ ନିଷ୍ପତ୍ତି ନେଲା କାହାକୁ କିଛି ନ କହି ହସ୍ପିଟାଲ ଯିବ ।  


   ଅଟୋ କରି ହସ୍ପିଟାଲ ଗଲା । ରକ୍ତ ଜୁଡୁବୁଡୁ ସୁରେଶକୁ ଦେଖି ତଟସ୍ଥ ହୋଇଗଲା । ବିଶ୍ୱାସ କରିପାରିଲାନି ତା' ଆଖିକୁ । ସୁରେଶ ସଂଜ୍ଞାହୀନ । ନିଜକୁ ଦୃଢ଼ କରିନେଲା ସୁଧା । ଏପରି ଅବସ୍ଥାରେ ସେ ଭାଙ୍ଗିପଡିଲେ ଯମା ବି ହେବନି । ତାକୁ ହିଁ ସବୁ କରିବାକୁ ପଡିବ । ଡାକ୍ତର କହିଲେ ମୁଁଣ୍ଡରେ ଆଘାତ ଲାଗିଛି । ଜଲ୍ଦି ଅପେରେସନ କରିବାକୁ ପଡିବ । ଓ.ଟି ଭିତରକୁ ସୁରେଶକୁ ନିଆଗଲା । ବାହାରେ ସୁଧା ସବୁ ଫରମାଲ୍ଟିଜ ପୁରା କରିଲା । ଘରୁ ସାଙ୍ଗରେ ଆଣିଥିବା ଟଙ୍କାକୁ ଡିପୋଜିଟ କଲା । ଓ.ଟି ବାହାରେ ଅପେକ୍ଷାରେ ବସିଲା । କାନ୍ଦ କାନ୍ଦ ହୋଇ ବାହାରେ ବସି ଠାକୁରଙ୍କୁ ଖାଲି ଡାକୁଥିଲି । ତାଙ୍କ ଛଡା ଆଉ କିଏ ବା ସାହା ତା'ର ଏ ଅବସ୍ଥାରେ । ଅପେରେସନ ସରିଲା । ଡାକ୍ତର ବାହାରକୁ ଆସି ରୋଗୀ ଅବସ୍ଥା ଠିକ ଅଛି ବୋଲି କହିଲେ । ଏବେ ସେ ସଂଜ୍ଞାହୀନ । କିଛି ସମୟ ପରେ ସଂଜ୍ଞା ଆସିଯିବ ତା' ପରେ ଦେଖା କରିପାରିବେ ବୋଲି ଡାକ୍ତର କହି ଚାଲିଗଲେ । ସକାଳ ହେଇ ଆସୁଥାଏ । ସୁଧା ଫୋନ କରି ତା' ବାପ ଘରେ ଆଉ ଶାଶୁ, ଶଶୁରଙ୍କୁ ଜଣେଇଲା । ସମସ୍ତେ ଆସି ପହଁଚିଲେ ହସ୍ପିଟାଲରେ । ହଠାତ ଏ କଥା ଶୁଣି ସବୁ ତାଜୁବ ହୋଇଗଲେ । ଧାଇଁ ଆସିଲେ ସମସ୍ତେ ହସ୍ପିଟାଲ । ପରିବେଶ ଶୋକାକୁଳ ହୋଇଗଲା । ସୁଧା ସମସ୍ତିଙ୍କୁ ଆଶ୍ୱାସନା ଦେଲା । ଏବେ ସୁରେଶ ଠିକ ଅଛନ୍ତି ବୋଲି କହିଲା । ସୁଧା ଭାବୁଥାଏ ସେ ଠିକ୍ କରିଛି ରାତିରେ କାହାକୁ କିଛି ନ ଜଣେଇ । ସୁରେଶକୁ ରକ୍ତ ଜୁଡୁଜୁଡୁ ଅବସ୍ଥାରେ ଦେଖି କଣ ଯେ ବିତିଥାନ୍ତା ସମସ୍ତଙ୍କ ଉପରେ । ସମ୍ଭାଳିବାଟା କଷ୍ଟ ହୋଇଯାଇଥାନ୍ତା ସମସ୍ତଙ୍କୁ ।


   ଏହା ଭିତରେ ସୁରେଶର ଚେତା ଆସିଯାଇଥାଏ । କେବଳ ଜଣେ ହିଁ ଦେଖା କରିବାର ଅନୁମତି ଥାଏ । ସୁଧା ଓ.ଟି ଭିତରକୁ ଯାଇ ସୁରେଶ ପାଖରେ ବସିଲା । ସୁରେଶ ଆଖିରୁ ଦୁଇ ଧାର ଲୁହ ବୋହିଗଲା । ସୁରେଶର ପୂର୍ବ ରାତି କଥା ସବୁ ମନେ ପଡ଼ିଲା ଘରକୁ ଫେରିଲା ବେଳକୁ ଗାଡି ଦୁର୍ଘଟନା । ରକ୍ତ ଜୁଡୁଜୁଡୁ ହୋଇ ରାସ୍ତାରେ ପଡିଥିବା ଅବସ୍ଥାରେ ଦୀପିକାକୁ ଫୋନ କରି ନିଜର ଏ ଦୁର୍ଘଟଣା ବିଷୟରେ କହିଥିଲା । ଦୀପିକା ସ୍ପଷ୍ଟ ମନା କରିଦେଇଥିଲା ଏତେ ରାତିରେ କିଛି ସୁବିଧା ନାହିଁ , କେମିତି ବାହାରକୁ ଯିବି କହି ଫୋନ କାଟିଦେଇଥିଲା । ତା'ପରେ ତାର ଆଉ କିଛି ମନେ ନାହିଁ ।  


  ସୁରେଶ କରୁଣ ଚାହାଣୀରେ ଚାହିଁଥାଏ ସୁଧାକୁ । ସୁରେଶ ନିଜ ପ୍ରେମ ପାଇଁ ସୁଧା ଉପରେ କରିଥିବା ଅନ୍ୟାୟକୁ ମନେପକାଇଥାଏ । ଆଜି ଯାଏଁ ତାକୁ ସ୍ତ୍ରୀର ଦରଜା ଦେଇନି । ସୁଧାକୁ ସେ ନିଜର କରିପାରିନି । ବହୁତ ଅବିଚାର କରିଛି ତା ପ୍ରତି । କିନ୍ତୁ ସେ ନିଷ୍ଠାର ସହ ପତ୍ନୀ ଧର୍ମ ପାଳନ କରିଛି । ଅଥଚ ଯାହାକୁ ସେ ସବୁଠୁ ବେଶି ଭଲ ପାଏ । ସେ ତା ଅସୁବିଧାରେ ବି ସାହାଯ୍ୟ କଲାନି । ନିର୍ଜନ, ସୁନସାନ ରାତି ରେ ମରଣ ମୁହଁରେ ପଡି ସେ ଫୋନ କରି ନିଜର ଅସହାୟତା କହିଥିଲା । ହେଲେ ବଦଳରେ ପ୍ରତ୍ୟାଖାନ ମିଳିଲା । ସୁରେଶ ଆଖିରୁ ଝର ଝର ହୋଇ ଲୁହ ଝରି ଆସିଥାଏ । ସୁଧା ଲୁହ ପୋଛିବାକୁ ଯାନ୍ତେ ସୁରେଶ ତା'ର ହାତକୁ ଧରି ପକାଇ କହିଲା- ସୁଧା ମୋର ଭୂଲ କ୍ଷମା କର । ତମ ପରି ଦେବୀ କୁ ଚିନ୍ହିବାରେ ମୁଁ ଭୂଲ କଲି । ବହୁତ ଅନ୍ୟାୟ, ଅବିଚାର କରିଛି ତୁମ ସହ । ବହୁତ କିଛି ଲୁଚେଇଛି ତୁମକୁ । ଘରକୁ ଗଲେ ମୋ ବିଗତ ସବୁ କଥା କହିବି । ମତେ ନର୍କରେ ବି ଜାଗା ମିଳିବନି । ଏତିକିରେ ସୁଧା ସୁରେଶର ପାଟିକୁ ଆଉ ଗୋଟେ ହାତରେ ଚୁପ କରି ଦେଇ କହିଲା- କିଛି କହିବା ଦରକାର ନାଈଁ । ମୁଁ ସବୁ ଜାଣେ । ମତେ କିଛି ଅଛପା ନାହିଁ । ଆଉ ମୋର ଯଥେଷ୍ଟ ଆତ୍ମ ବିଶ୍ୱାସ ଥିଲା ଯେ ମୁଁ ଦିନେ ନା ଦିନେ ନିଶ୍ଚୟ ତୁମକୁ ନିଜର କରିନେବି । ଏବେ ସେ ପୁରୁଣା କଥା ଆଉ ଆଲୋଚନା ନାହିଁ । ସୁରେଶ ସୁଧାର ହାତକୁ ଚୁମ୍ମି କହିଲା- ତମ ପ୍ରତି କରିଥିବା ଅନ୍ୟାୟର ପ୍ରାୟଶ୍ଚିତ କରିବି । ଏବେ ଠାରୁ ମୁଁ ସପୂର୍ଣ୍ଣ ତୁମର ଆଉ ତୁମେ ମୋର । ସୁରେଶ ମୁହଁରୁ ଏଇ ପଦେ କଥା ଶୁଣିବାକୁ ସେ କେବେ ଠାରୁ ଚାହିଁ ରହିଥିଲା ଚାତକ ପରି । ସୁଧା ସୁରେଶର ଛାତିରେ ମୁଣ୍ଡ ରଖିଦେଇ କହିଲା ,"ଏଇଠି ତ ସ୍ୱର୍ଗ । ଆଉ କଣ ଅଛି ଜୀବନରେ । ମୋ ଅଧୁରା ଜୀବନ ପୁରା ହୋଇଗଲା । ଝିଅ ଜନ୍ମ ସାର୍ଥକ ହୋଇଗଲା । ଜୀଵ ଯିବା ଯାଏଁ ଏଇଠି ରଖିଥାଅ ।

  

   

   


 

     


Rate this content
Log in

Similar oriya story from Drama