ଏଇ ସୂର୍ଯ୍ୟୋଦୟ
ଏଇ ସୂର୍ଯ୍ୟୋଦୟ
ଯେତେଥର----------,ହଁ.......,ଯେତେଥର।
ଯେତେଥର ତା' ପାଖରେ ପହଞ୍ଚୁଥିଲି ,ସେ ମୋତେ ଆଗ ପଇସା ମାଗୁଥିଲା।
- " ନିଅ,କ'ଣ ଭାବିଛକି ମତେ ! ଖାଲି ଅଣ୍ଟିରେ ଆସିନି ମ !
ମୋ ହାତରୁ ଟଙ୍କାଟା ଝାମ୍ପିନେଲା ଭଳି ଝାମ୍ପି ନେଉଥିଲା ସେ। ତା'ପରେ ଚମକି ଉଠୁଥିଲା ତା'ର ଗାଢ ଲାଲ୍ ରଙ୍ଗର ଓଠ।
ନିଃସଙ୍କୋଚରେ ବସିଥିଲା ସେ। ପୁଲକ ପହଁରୁଥିଲା ତା'ର ଦେହରେ, ମୁହଁରେ। ଲାଗୁଥିଲା ଯେମିତି ନିଜ ପାଇଁ ନୁହେଁ, ବରଂ ଅନ୍ୟ ପାଇଁ ସେ ସଦା ସମର୍ପିତ।
ତା' ଚାରିପାଖ ପ୍ରଚୁର ବାସ୍ନାରେ ଭରପୂର ଥିଲା। କଢି ମେଲି ସଦ୍ୟ ପ୍ରସ୍ପୁଟିତ ହୋଇଥିବା ଫୁଲର ଭ୍ରମ ସୃଷ୍ଟି ହେଉଥିଲା ମନରେ।
- " ସବୁବେଳେ ଆଗତୁରା ପଇସା ନେଇଯାଉଛ। ପଛରେ ନେଲେ ଚଳନ୍ତାନି କ'ଣ ? " ଦିନେ ମଜାରେ ମଜାରେ ପଚାରିଦେଲି।
- " ନୂଆ ଗୋଟେ କାହାଣୀ ଲେଖିବାକୁ ମୋର ଇଚ୍ଛା ନାହିଁ। ପରିବା,ଗ୍ରୋସରୀ ଆଉ ଦେହ ଏକାପରି ନୁହନ୍ତି। " ସେ ହସିଦେଇ କହିଲା।
ପଇସା ପାଇଗଲେ ତା'ର ମୋ ବାହୁପାଶରେ ଧରା ଦେବାରେ କୌଣସି ଦ୍ବିଧା ନ ଥିଲା। ଅଭ୍ୟାସବସତଃ ମୁଁ ଏକଥା ଜାଣିଥିଲି। ତେଣୁ ମନରେ ସଂଶୟ ନ ଥିଲା।
- " ହେ ସୁନ୍ଦରୀ ! ସୃଷ୍ଟିର ବିସ୍ମୟ ! ପ୍ରେମ ପ୍ରଣୟିନୀ ! ରାତ୍ରୀର ରଜନୀଗନ୍ଧା ! ପ୍ରୀତିର ବନଝରଣା ! ସରସୀର କଇଁଫୁଲ ! ତୁମ ରୂପର ତୀବ୍ର ଆକର୍ଷଣ ମତେ ସବୁଦିନ ତୁମ ପାଖକୁ ଟାଣି ଆଣୁଛି। ସତରେ ଅଦ୍ବିତୀୟା ନାରୀ ତୁମେ। ଦେହରେ କେତେ ଯେ ତାତି ନେଇ ଆସିଥାଏ କେଜାଣି, ତୁମକୁ ଛୁଇଁଲା ପରେ ସବୁ କୁଆଡେ ଉଭାନ୍ ହୋଇଯାଏ। ଧନ୍ୟା ତୁମେ ....। "
ତଥାପି ଏତିକି କହିଦେଲି। ନ କହିଲେ ଶାନ୍ତି ଲାଗୁ ନ ଥିଲା ଯେମିତି।
ମୋ ପରି ଦେହରଙ୍କଣା ମଣିଷମାନେ ତ ଏହିପରି। ତା' ପରି ନାରୀର ପ୍ରଶଂସା ନ କରି ଆଦୌ ରହିପାରନ୍ତି ନାହିଁ।
ମୋ ଶଦ୍ଦ ସବୁ ବ୍ୟର୍ଥ ପ୍ରାୟ ଥିଲା। ଶିହରଣ ତଥାପି ନ ଥିଲା ତା' ଛଳଛଳ ଯୌବନଭରା ଦେହରେ।
ନୂଆ ଶଦ୍ଦ ନୁହେଁ ଏସବୁ। ବହୁବାର ବହୁ ଲୋକଙ୍କ ଠାରୁ ସେ ଶୁଣିଥାଏ ଏପରି ଶଦ୍ଦ। ସମସ୍ତେ ଖୁବ୍ ଆଗ୍ରହରେ ତାକୁ ଶୁଣାଇଥାନ୍ତି। ତେଣୁ କାହିଁକି ଶିହରଣ ଆସିବ ତା' ଦେହରେ !
ଶଦ୍ଦ ସବୁ ଆକାଶକୁ ଉଡିଗଲା ପରି ଉଡିଗଲେ। ସେ ମୁର୍କି ହସିଲା।
ପରେପରେ କ'ଣ ହେବ ଜାଣିଥିଲା ସେ। - ଅନ୍ତର୍ବାସ ଯାଏ ଗୋଟିଏ ପରେ ଗୋଟିଏ ଖୋଲିଯିବ। ତାକୁ ଉଲଗ୍ନ ହେବାକୁ ପଡିବ। ସମର୍ପି ଦେବାକୁ ହେବ। ସେଇଠୁ ଅନ୍ଧ ହେବାକୁ ବସିବ ଅସ୍ଥିର ପ୍ରଜାପତି। ଧୀରେଧୀରେ ଅନ୍ଧ ହୋଇଯିବ।
ହସ ନୁହେଁ ତ,ଆମନ୍ତ୍ରଣ। ବାହୁ ପ୍ରସାରି ଦେବା କ୍ଷଣି ଚାଲି ଆସିଲା ସେ। ବାହୁରେ ବାହୁ,ଓଠରେ ଓଠ,ସ୍ନେହରେ ସ୍ନେହ,ପ୍ରେମରେ ପ୍ରେମ,କାମନାରେ କାମନାର ମିଳନ ହେଲା। ଓଃ...... ! କି ତୀବ୍ରତା ସେସବୁର !
ଅନ୍ଧକାର କୋଠରି। ଉପରେ ତାରା ଭର୍ତ୍ତି ଆକାଶ। ହୃଦୟରେ ଭିନ୍ନ ପୃଥିବୀର ଅନୁଭବ। ଆଖି ସେଆଡୁ ଫେରୁ ନ ଥିଲା। ମନ ବୁଝୁ ନ ଥିଲା।
ଏ ସମୟଟା ଭାରି ବଦମାସ ସତରେ। ଥିଲା ଥିଲା ହଠାତ୍ କୋଠରିର ଦରଆଉଜା କବାଟ ଦେଇ ବାହାରକୁ ବାହାରି ଚାଲିଗଲା। ଏବେ କେବଳ ପଡି ରହିଥିଲା କିଛି ସ୍ମୃତି,କିଛି ଅନୁଭୂତି। ଆଜିର ସଂଧ୍ୟାଟା ଏମିତି କିଛି ଆନନ୍ଦମୟ ପରିବେଶରେ କଟିଥିବା ପରି ମନେ ହେଉଥିଲା। ଶଦ୍ଦ କିଛି ପାଖରେ ନ ଥିଲେ ଆଉ। ଶୁଖିଲା ପଡିଥିଲା ଶଦ୍ଦର ସମୁଦ୍ର।
ବଢି ବଢି ଯାଉଥିଲା ରାତ୍ରୀର ବୟସ। ସରି ସରି ଆସୁଥିଲା ଚୁକ୍ତିର ସମୟ। ବାହାରେ ଝରୁଥିଲା ବିନ୍ଦୁ ବିନ୍ଦୁ ଶିଶିର। ବଢୁଥିଲା ସ୍ନିଗ୍ଧ ଶୀତଳତା।
ମରିମରି ଆସୁଥିଲା ଦେହର ତାତି। ତା'ର ଆଲିଙ୍ଗନରେ ଆଉ ଉଷ୍ମତା ନ ଥିଲା। ସବୁ ଯେପରି ନିର୍ଜୀବ,ନିର୍ବାକ ଲାଗୁଥିଲା।
ଏବେ ମୋ ମୁହଁ ଆଡେ ନମ୍ର, ନୀରିହ ଓ ବିଜେତା ଚାହାଣିରେ ଚାହିଁ, କଣ୍ଢେଇ ହସ ହସି,ମୋତେ ଚମକେଇ ଦେଇ ସେ କହିଲା - " ଏଥର ଉଠ। ଦେଖ,ବାହାରେ ବୋଧହୁଏ ସୂର୍ଯ୍ୟୋଦୟ ହେଲାଣି। "
ବାସ୍ତବିକ ! ସୂର୍ଯ୍ୟୋଦୟ ରେ ହିଁ ରାତି ଓ ରତିର ଅନ୍ତ ଘଟିଥାଏ। ଉଠି ଫେରି ଆସିବାକୁ ହେଲା। ଫେରି ଆସିଲି।
ହାୟ ! ମୋ ପରି କାମିନୀରଙ୍କା ମଣିଷମାନଙ୍କ ପାଇଁ ଏ ସୂର୍ଯ୍ୟୋଦୟଟା ଭାରି ଅଡୁଆ ସତରେ।.......ହଁ,ସୂର୍ଯ୍ୟୋଦୟ !