STORYMIRROR

Lokanath Rath

Action Classics Inspirational

4  

Lokanath Rath

Action Classics Inspirational

ଏବେ ବି ଭୁଲିନି

ଏବେ ବି ଭୁଲିନି

8 mins
409


ମନୋଜ ବାବୁ ଏବେ ଅବସର ନେବା ପରେ ନିଜ ପତ୍ନୀ ଆରତୀ ସହିତ ଗାଁରେ ରହୁଛନ୍ତି | ଅବଶ୍ୟ ଚାକିରୀ କରିବା ସମୟରେ ସହରରେ ବହୁତ ସୁନ୍ଦର ଘର ତିଆରି କରିଛନ୍ତି ,କିନ୍ତୁ ଏବେ ସେହି ଘରକୁ ଛାଡି ଆସି ଗାଁରେ ରହୁଛନ୍ତି ତାଙ୍କର କିଛି ଅଧୁରା ସ୍ବପ୍ନ କୁ ପୁରଣ କରିବା ପାଇଁ | ସହରରେ ତାଙ୍କ ଦୁଇ ପୁଅ ଅଜୟ ଓ ଅମର ତାଙ୍କ ପରିବାର ସହିତ ରହୁଛନ୍ତି |ଅଜୟ ଜଣେ ସଫଳ ଡାକ୍ତର ଓ ତାଙ୍କ ପତ୍ନୀ ଅନିତା ଜଣେ ଅଧ୍ୟାପିକା | ସେମାନଙ୍କର ଦଶ ବର୍ଷର ଗୋଟିଏ ପୁଅ ଅଶୋକ | ଅମର ଜଣେ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ବିନିତା ଜଣେ ସରକାରୀ ଅଧିକାରୀ | ସେମାନଙ୍କର ଏକ ମାତ୍ର କନ୍ୟା ଜୟଶ୍ରୀ ସାତ ବର୍ଷର | ଏହି ଦୁଇ ବର୍ଷ ହେବ ମନୋଜ ବାବୁ ଚାକିରିରୁ ଅବସର ନେଲେ | ସେ ଓ ଆରତୀ ସହରରେ ଦୁଇ ପୁଅ, ବୋହୁ, ନାତି ଓ ନାତୁଣୀ ସହିତ ବହୁତ ଖୁସିରେ ଜୀବନ ବିତାଉଥିଲେ | ସହରରେ ତାଙ୍କର ନିଜର ମୋଟର ଗାଡି ବି ଅଛି | ତାଙ୍କ ଦୁଇ ପୁଅ ବି ନିଜ ନିଜର ମୋଟର ଗାଡି କରିଛନ୍ତି | ସେଠାରେ ସବୁ ପ୍ରକାରର ସୁଖ ଓ ସୁବିଧା ଥିଲା | ସମସ୍ତେ ହସି ଖୁସିରେ ଏକାଠି ଚଳୁଥିଲେ | କିନ୍ତୁ ମନୋଜ ବାବୁ ଯେତେବେଳେ ଗାଁ କୁ ଯାଇ ରହିବା କଥା ସମସ୍ତଙ୍କୁ କହିଲେ ,ସେତେବେଳେ କେହି ତାକୁ ସହଜରେ ଗ୍ରହଣ କରି ପରି ନଥିଲେ | ଦୁଇ ପୁଅ ଓ ଦୁଇ ବୋହୁ ତାଙ୍କୁ ପଚାରିଥିଲେ ,'' ବାପା ,ଆମ ଦ୍ୱାରା କଣ କିଛି ଭୁଲ ହୋଇଗଲା କି ?ଆପଣଙ୍କର କଣ କିଛି ଅସୁବିଧା ହେଉଛି ? ଆପଣ କୁହନ୍ତୁ ,ଆମେ ସବୁ ମିଶି ତାକୁ ଠିକ କରିଦେବୁ | କିନ୍ତୁ ଆପଣ ଓ ମା ଆମକୁ ଛାଡି ଯାନ୍ତୁ ନାହିଁ |'''ନାତି ନାତୁଣୀ ଅଶୋକ ଓ ଜୟଶ୍ରୀ ଆସି କୋଳରେ ବସି ପଚାରିଥିଲେ ,'' ଜେଜେ ,ତୁମେ ଆମକୁ ଛାଡି କେମିତି ଗାଁରେ ଏକା ରହିବ ? ଆଉ ଜେଜେ ମା ଓ ତୁମକୁ ଛାଡି ଆମେ କେମିତି ରହିବୁ ? ଆମକୁ ସବୁଦିନେ ଭଲ କାହାଣୀ କିଏ ଶୁଣାଇବ ? କିଏ ଆମକୁ ଗେହ୍ଲା କରି ଆମ ସାଙ୍ଗରେ ଖେଳିବ ?'' ଏତେ ସବୁ ଶୁଣି ଆଜି ଆରତୀ ଟିକେ କାନ୍ଦ କାନ୍ଦ ହେଇ କହିଥିଲେ ,'' ସତରେ ପିଲା ମାନଙ୍କୁ ଛାଡି ଆମେ କେମିତି ସେଠାରେ ରହିବା ?'' ସମସ୍ତଙ୍କ କଥା ଶୁଣି ମନୋଜ ସମସ୍ତଙ୍କୁ ପାଖରେ ବସାଇ କହିଥିଲେ .'' ତୁମେ ସମସ୍ତେ ଶୁଣ | ମୋର କୌଣସି ପ୍ରକାରର କିଛି ଅସୁବିଧା ଏଠାରେ ହେଉନାହିଁ | ଓଲଟା ତୁମେ ସବୁ ମୋ ଜୀବନରେ ସବୁବେଳେ ଖୁସି ଭାରି ଦେଇଛ | ଅଶୋକ ଓ ଜୟଶ୍ରୀ ଦୁଇଜଣ ଙ୍କୁ ପାଇ ମୋ ଜୀବନ ଧନ୍ୟ ହେଇ ଯାଇଛି | ମୋତେ ବି ତୁମକୁ ସବୁ ଛାଡି ଯିବାକୁ ମନ ହେଉନାହିଁ ,କିନ୍ତୁ ମୋ ଜୀବନର କିଛି ସ୍ୱପ୍ନ ବାକି ଅଛି ,ଏବେ ବି ଭୁଲିନି ମୁଁ ତାକୁ | ତେଣୁ ମୋତେ ଗାଁ କୁ ଯିବାକୁ ହେବ ତାକୁ ସବୁ ପୁରା କରିବା ପାଇଁ | ଆଉ ସେ ସବୁ ମୋ ଅଶୋକ ଓ ଜୟଶ୍ରୀ ପାଇଁ ଭବିଷ୍ୟତରେ ବହୁତ ବଡ଼ ଉପହାର ହେବ | ତୁମେମାନେ ସବୁ ଜାଣି ପାରିବ | ତା ଛଡା ତୁମେ ସବୁ ଛୁଟି ସମୟରେ ଗାଁ କୁ ଆସି ଆମ ସାଙ୍ଗରେ ରହିବ ଆଉ ମଜା କରିବ | ତେଣୁ କେହି ମନ ଦୁଃଖ କର ନାହିଁ ଓ ଆମକୁ ଯିବାକୁ ଦିଅ |'' ମନୋଜ ବାବୁଙ୍କ ଠାରୁ ଏହି କଥା ଶୁଣି ସମସ୍ତେ ଉଦାସ ହୋଇ ତାଙ୍କୁ ଯିବାକୁ ଦେଲେ | 

ମନୋଜ ବାବୁ ପତ୍ନୀ ଆରତୀ ଙ୍କୁ ନେଇ ଗାଁ କୁ ଗଲେ | ବହୁତ ଦିନ ପରେ ସେ ଗାଁ କୁ ଯାଇ ପହଞ୍ଚି ଦେଖିଲେ ତାଙ୍କର ସେହି ପୁରାଣ ଘର ସବୁ ଅସ୍ତ ବ୍ୟସ୍ତ ହୋଇ ପଡିଛି, ଯେଉଁ ଘରେ ମନୋଜ ବାବୁଙ୍କର ଜନ୍ମ ଠାରୁ ଚାକିରୀ କରିବା ଯାଏ ପୁରା ଜୀବନ ବିଟିଚି | ତାଙ୍କୁ ଓ ଆରତୀ ଙ୍କୁ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହେଇଥିଲେ ଓ ଖୁସି ମଧ୍ୟ ହୋଇଥିଲେ | ଯେତେବେଳେ ସମସ୍ତେ ଶୁଣିଲେ ଯେ ଏହି ଗାଁରେ ଏବେ ମନୋଜ ବାବୁ ପତ୍ନୀଙ୍କ ସହିତ ରହିବେ ,ସେତେବେଳେ ସମସ୍ତେ ବହୁତ ଖୁସି ହେଇଗଲେ | ପଡିଶା ଘର ଆସି ଆରତୀଙ୍କୁ ନେଇ ତାଙ୍କ ଘରେ ବସିବାକୁ କହିଲେ ଓ ଗାଁର କିଛି ଲୋକ ମିଶି ମନୋଜ ବାବୁଙ୍କ ଘରକୁ ପୁରା ସଫା ସୁତୁରା କରିବାରେ ଲାଗିଲେ |ଦୀର୍ଘ ତିନି ଘଣ୍ଟା ପରେ ସବୁ ସଫା ହେଇଗଲା | ମନୋଜ ବାବୁ ଓ ଆରତୀ ମିଶି ଘରକୁ ସଜାଡ଼ିଲେ ଓ ଜିନିଷପତ୍ର କୁ ଠିକ ଠକ କରି ରଖିଲେ | ସେହିଦିନ ଆଉ ରୋଷେଇ କରିବାର ସୁବିଧା ହେଇ ପାରିଲା ନାହିଁ ,କିନ୍ତୁ ଗାଁ ର ପଡୋଶୀ ତାଙ୍କ ଦୁଇଜଣଙ୍କ ପାଇଁ ସବୁ ବ୍ୟବସ୍ଥା କରିଦେଲେ | ମନୋଜ ବାବୁଙ୍କ ଆସିବା ଖବର ଶୁଣି ତାଙ୍କର ପିଲାଦିନର ସାଙ୍ଗ ବିଜୟ ବାବୁ ଆସି ପହଞ୍ଚି ଗଲେ | ବିଜୟ ବାବୁ ଗାଁରେ ରହି ଚାଷ କରନ୍ତି ଓ ତାଙ୍କର ଏହି ଗାଁରେ ଗୋଟିଏ ବଡ଼ ଦୋକାନ ଅଛି ,ଯେଉଁଠାରେ ପ୍ରାୟ ସବୁ ଜିନିଷ ମିଳିଥାଏ | ମନୋଜ ବାବୁ ଓ ଆରତୀ ବିଜୟ ବାବୁଙ୍କୁ ଦେଖି ଖୁସି ହେଇଗଲେ | ଆରତୀ ଗୋଟିଏ ବଡ଼ ଚିଠା ଆଣି ବିଜୟ ବାବୁଙ୍କୁ ଧରାଇ ଦେଲେ | ତାକୁ ଦେଖୁ ଦେଖୁ ବିଜୟ ବାବୁ ପଚାରିଲେ ,'' ଆରେ ଭାଉଜ କଣ ଗାଁରେ ପୁରା ରହିବାର ବ୍ୟବସ୍ଥା କରୁଛ ନା କଣ ?'' ତାଙ୍କ କଥା ଶୁଣି ମନୋଜ ବାବୁ କହିଲେ ,'' କାହିଁକି ,ତୋତେ ଏବେ ମୋ ସହିତ ସମୟ ବିତେଇବାକୁ ଡର ଲାଗୁଛି କି ?ତୁ ଡରିଲେ ବି ମୋର ଆଉ ଗାଁରୁ ଯିବାର ନାହିଁ |ଆମେ ଯାହା ସବୁ ମିଶିକରି ସ୍ୱପ୍ନ ଦେଖିଥିଲେ ସବୁ ପୁରା କରିବା ,ମୁଁ ଏବେ ବି ଭୁଲିନି |'' ବିଜୟ ବାବୁ ଖୁସିରେ ମନୋଜ ବାବୁଙ୍କୁ କୁଣ୍ଢାଇ ପକାଇ କହିଲେ ,'' ଆଜି ମୁଁ ପୁଣି ଟୋକା ହେଇଗଲିରେ ମନୋଜ | ଏବେ ତୁ ଆସିଗଲୁ ,ମୋର ସାହସ ଆହୁରି ବଢିଗଲା | ଏବେ ସବୁ ଜିନିଷର ବ୍ୟବସ୍ଥା କରି ଦେଉଛି | ଆଉ କାଲି ମୋ ସ୍ତ୍ରୀ ମମତା ଆସି ଭାଉଜଙ୍କ ସହିତ ମିଶି ବାକିଥିବା ଘରର କାମ କରିଦେବ | ହଁ ମୁଁ ଏବେ ଘରୁ ଗ୍ୟାସ ଟାଙ୍କି ପଠାଇଦେବି ଓ କାଲି ଆଡକୁ ତୋ ନାମରେ ନୂଆ ଟାଙ୍କି ର ବ୍ୟବସ୍ଥା କରିଦେବି | ହଉ ଏବେ ମୁଁ ଯାଇ ସବୁ ଜିନିଷ ଠିକ କରି ପଠାଉଛି |'' ଏତକ କହି ବିଜୟ ବାବୁ ସେଠାରୁ ଉଠି ଚାଲିଗଲେ |ଦୁଇଦିନ ଭିତରେ ଆରତୀ ଙ୍କ ସବୁ ଘରକରଣା ଜିନିଷ ଯୋଗାଡ଼ ହେଇଗଲା |


ମନୋଜ ବାବୁ ଓ ବିଜୟ ବାବୁ ଏବେ ଗାଁର ସବୁ ମୁଖିଆ ଓ ଯୁବକଙ୍କୁ ଡାକି ତାଙ୍କ ଦଣ୍ଡ ଘରେ ବସିଲେ | ମନୋଜ ବାବୁଙ୍କ ଘର ପୁରୁଣା କୋଠାଘର ହେଲେବି ବହୁତ ବଡ଼ ବଡ଼ ଓ ଆଠଟି କୋଠରୀ ସହିତ ବଡ଼ ଅଗଣାରେ ତିଆରି |ଏହି ଘର ମନୋଜ ବାବୁଙ୍କ ବାପା ସ୍ବର୍ଗୀୟ ମହେଶ ଦାସ ତିଆରି କରିଥିଲେ | ଏବେ ସମସ୍ତେ ଏକାଠି ବସି କଥା ଆରମ୍ଭ କଲାବେଳେ ,ମନୋଜ ବାବୁଙ୍କ ଗାଁ ରେ ରହିବା କଥା ସମସ୍ତଙ୍କ ମନକୁ ଛୁଇଁ ଗଲା |ମନୋଜ ବାବୁ କହିବାକୁ ଲାଗିଲେ ,'' ଏହି ଗାଁ ହେଲା ମୋର ଭିଟାମାଟି | ଏହାକୁ ଛାଡି ମୁଁ କେମିତି ଖୁସିରେ ରହି ପାରିବି ? ପିଲାଦିନେ ଆମର ସବୁ ସ୍ୱପ୍ନ ଥିଲା ଯେ ଆମ ଗାଁ ଠାକୁରାଣୀ ଙ୍କ ଗୋଟିଏ ସୁନ୍ଦର ମନ୍ଦିର କରିବା ପାଇଁ , କାରଣ ସେତେବେଳେ ସେହି ଛୋଟ ଛପର ଘରେ ଯେତେବେଳେ ଦଶହରା ରେ ପୂଜା ହେଉଥିଲା , ସେତେବେଳେ ଆମ ଗାଁର ସମସ୍ତେ ତା ଭିତରେ ଜାଗା ହେଉ ନଥିଲେ ଏକାଠି ପୁଷ୍ପାଞ୍ଜଳି ଦେବାକୁ | ଏବେ ତ ମୁଁ ଦେଖୁଚି ସେହି ଘର ଆହୁରି ଖରାପ ହେଇ ଗଲାଣି | ତେଣୁ ମୁଁ ଭାବୁଛି ଆଗକୁ ଦଶହରା ଆଉ ଛ ମାସ ରହିଲା | ତା ଆଗରୁ ଆମ ଠାକୁରାଣୀଙ୍କ ମନ୍ଦିର କାମ ଶେଷ କରିବା | ଯାହା ଖର୍ଚ୍ଚ ହେବ ଅଧା ମୁଁ ଦେବି ଆଉ ବାକି ପଇସା ସମସ୍ତେ ଚାନ୍ଦା କରି ଦେବେ | ଆଉ ଆମ ଗାଁର ସବୁ ଯୁବକ ମିଶି ଏହି କାମରେ ଆମକୁ ସାହାର୍ଯ୍ୟ କରିବେ | ଏବେ ଆପଣମାନେ ଆପଣଙ୍କ ମତ ମତ ଦେଲେ କାମ ଶୀଘ୍ର ଆରମ୍ଭ କରିବା |'' ମନୋଜ ବାବୁଙ୍କ କଥା ସମସ୍ତଙ୍କୁ ପସନ୍ଦ ଆସିଲା ଓ ପ୍ରସ୍ତାବ ଗୃହୀତ ହେଲା | ମନୋଜ ବାବୁ, ବିଜୟବାବୁ ଓ ଗାଁର କିଛି ଲୋକ ମିଶି ଜଣେ ଯନ୍ତ୍ରୀଙ୍କୁ ଭେଟିଲେ ଓ ମନ୍ଦିର ତିଆରି ପାଇଁ ସମସ୍ତ କାଗଜ ତିଆରି କଲେ | ସହରରୁ ବଡ଼ ବଡ଼ ମିସ୍ତ୍ରୀ ଓ ଶିଳ୍ପୀ ଆସି ମନ୍ଦିର କାମରେ ଲାଗିଗଲେ | ମନୋଜ ବାବୁ ଓ ବିଜୟ ବାବୁ ସବୁଦିନ ସେହି କାମର ତଦାରଖ କରୁଥାନ୍ତି | ସେହି ଭିତରେ ମନୋଜ ବାବୁ ତାଙ୍କ ବଗିଚାକୁ ସଫା କଲେ | ସେଠାରେ ଲାଗିଥିବା ନଡ଼ିଆ ଗଛ ,ଆମ୍ବ ଗଛ ଓ ପିଜୁଳି ଗଛକୁ ତା ମୂଳରୁ ଖୋଲି କିଛି ଖତ ଦେଲେ | ସେହି ବଗିଚାରେ ଥିବା ତାଙ୍କ ପୁରୁଣା ବଡ଼ ପକାରିକୁ ସଫା କରି ସେଥିରେ କିଛି ମାଛ ଜାଆଁଳ ଛାଡିଲେ | ଖାଲି ପଡିଥିବା ବଗିଚାର ଜାଗାରେ ବହୁତ ପ୍ରକାରର ଫୁଲ ଗଛ ଲଗାଇଲେ ଓ ବିଜୟ ବାବୁଙ୍କ ସାହାଯ୍ୟ ନେଇ ଭେଣ୍ଡି ,ବାଇଗଣ ,ସାରୁ ଓ କଖାରୁ ଆଦି ଚାଷ କଲେ| ତାଙ୍କ ଗାଁ ଜମି କୁ ଯେଉଁ ଭାଗ ଦେଇଥିଲେ ଚାଷ କରିବାକୁ ,ସେଥିରେ ବି ଖତ ଓ ଜୈବିକ ସାର ପକାଇଲେ | ଘର ପଛରେ ଥିବା ପୁରୁଣା ଗୁହାଳକୁ ମରାମତି କରି ଦୁଇଟି ଗାଈ କିଣି ଆଣି ତାଙ୍କୁ ରଖି ସେବା କଲେ | ଗାଈ ଙ୍କୁ ପାଇ ଆରତୀ ବହୁତ ଖୁସି ହେଇଗଲେ | ସେ ନିଜେ ସେମାନଙ୍କର ପୁରା ଦାଇତ୍ୱ ନେଲେ | ବେଳେ ବେଳେ ଆରତୀ ବଗିଚାକୁ ଯାଇ ଫୁଲ ଗଛ ଓ ପରିବା ଗଛରେ ତାଙ୍କ ପୋଖରୀରୁ ପାଣି ଅନ୍ନି ଦେଉଥିଲେ | ସେଥିରେ ତାଙ୍କୁ ଗାଁ ର ଗୋଟିଏ ପିଲା ଗୋପାଳ ,ଯାହାକୁ ମନୋଜ ବାବୁ ଏବେ ବି ପାଠ ପଢ଼ାରେ ସବୁ ସାହାଯ୍ୟ କରୁଛନ୍ତି ,ସିଏ ସହଯୋଗ କରୁଥିଲା | ଗୋପାଳ ୱେଇବର୍ସ ଦଶମ ପରୀକ୍ଷା ଦେବ | ସେ ମନୋଜ ବାବୁ ଓ ଆରତୀ ଙ୍କୁ ଦାଦା ଓ ଖୁଡି ବୋଲି ଡାକେ | ମନୋଜ ବାବୁ ଓ ଆରତୀ ଏବେ ତାଙ୍କ ଗାଁରେ ପୁରା ପୁରୀ ବ୍ୟସ୍ତ | ଦେଖୁ ଦେଖୁ ଦଶହରାର ମାସକ ଆଗରୁ ମନ୍ଦିର କାମ ସରିଗଲା ଓ ପ୍ରତିଷ୍ଠା ବି ହେଇଗଲା | ଏବର୍ଷ ପୁରା ଧୁମ ଧାମରେ ପୂଜାର ବ୍ୟବସ୍ଥା ପାଇଁ ସମସ୍ତେ ଅଣ୍ଟା ଭିଡ଼ିଲେ| ଏଣେ ମନୋଜ ବାବୁଙ୍କର ଦୁଇ ଗାଈ ଦୁଇଟି ଛୁଆ ଜନ୍ମ କଲେ | ଏବେ ତାଙ୍କ ଘରେ କ୍ଷୀର ,ଦହି ଓ ଘିଅ ର ସବୁ ବ୍ୟବସ୍ଥା ହେଇଗଲା | ବଗିଚାରେ ପରିବା ଫଳିବାକୁ ଲାଗିଲା ,ଫୁଲ ଗଛରେ ଫୁଲ ବି ଫୁଟିଲା | ସେହି ବଗିଚା ଏବେ ବହୁତ ସୁନ୍ଦର ଦିଶୁଥାଏ |


ଦଶହରାରେ ଗାଁ କୁ ସମସ୍ତଙ୍କୁ ନେଇ ଆସିବାକୁ ମନୋଜ ବାବୁ ଫୋନ କରି ଅଜୟ ଓ ଅମର ଙ୍କୁ କହିଲେ | ପୂଜା ଛୁଟିରେ ସମସ୍ତେ ଷଷ୍ଠୀ ଦିନ ଆସି ପହଞ୍ଚିଲେ | ମନୋଜ ବାବୁ ଓ ଆରତୀ ବହୁତ ଖୁସି ହେଇଗଲେ | ସମସ୍ତେ ଗାଧୋଇ ସାରିବା ପରେ ସାଙ୍ଗରେ ଅଶୋକ ଓ ରାଜଶ୍ରୀ କୁ ନେଇ ମନୋଜ ବାବୁ ମନ୍ଦିରକୁ ଗଲେ ଓ ତାଙ୍କ ପଛରେ ଆରତୀ ଦୁଇ ପୁଅ ଓ ଦୁଇ ବୋହୁଙ୍କୁ ନେଇ ଆସିଲେ | ଅଜୟ ଓ ଅମର ପିଲାଦିନେ ଥରେ ଦୁଇଥର ଗାଁ କୁ ଆସିଥିଲେ ,ସେତେବେଳେ ଠାକରାଣୀ ଗୋଟିଏ ଛୋଟ ଚାଳଘରେ ଥିଲେ | ଏବେ ଏତେ ସୁନ୍ଦର ମନ୍ଦିର ଦେଖି ସେମାନ ଖୁସି ହେଇଗଲେ | ସେମାନଙ୍କୁ ମନ୍ଦିରରେ ଥିବା ଗାଁ ର କିଛି ଲୋକ ଓ ପୂଜାରୀ କହିଲେ ଯେ କେବଳ ମନୋଜ ବାବୁଙ୍କ ଚେଷ୍ଟା ଓ ସହଯୋଯ ପାଇଁ ଏହି ମନ୍ଦିର ହେଇ ପାରିଲା | ସେତେବେଳେ ମନୋଜ ବାବୁଙ୍କ ପୁରା ପରିବାର ବହୁତ ଖୁସି ହେଇଗଲା | ମନ୍ଦିରରେ ଦର୍ଶନ ସାରି ମନୋଜ ବାବୁ ସମସ୍ତଙ୍କୁ ନେଇ ବଗିଚାକୁ ଗଲେ | ସେଠାରେ ସୁନ୍ଦର ସୁନ୍ଦର ଫୁଲ ଦେଖି ଅଶୋକ ଓ ରାଜଶ୍ରୀ ଦୌଡ଼ି ଦୌଡ଼ି ଯାଇ ସେହି ଫୁଲ ଗୁଡିକୁ ଧରୁଥାନ୍ତି ଓ ବହୁତ ଖୁସି ହୋଇ କହୁଥାନ୍ତି ,'' ଜେଜେ କେତେ ସୁନ୍ଦର ଏହି ଜାଗା |'' ତାପରେ ପରିବା ଚାଷ ଦେଖି ଦୁଇ ବୋହୁ କିଛି ତାଜା ଭେଣ୍ଡି ଓ ବାଇଗଣ ତୋଳିଲେ ,କାରଣ ଅଜୟ ଓ କୁମାରଙ୍କୁ ସେହି ପରିବା ଖାଇବାକୁ ବହୁତ ଭଲ ଲାଗେ | ସେତିକି ବେଳେ ଗୋପାଳ ଆଉ ତିନି ଜଣ ପିଲାଙ୍କୁ ଜାଲ ସହିତ ନେଇକରି ଆସି ପୋଇଖାରି ଭିତରେ ପଶିଲା ମାଛ ଧରିବାକୁ | ସମସ୍ତେ ପୋଖରୀ କୂଳରେ ଠିଆ ହୋଇ ଦେଖୁଥାନ୍ତି | ତାଜା ତାଜା ବଡ଼ ମାଛ ଦେଖି ଅଶୋକ ଓ ରାଜଶ୍ରୀ ବହୁତ ତାଲିମାରି ଖୁସି ହେଉଥିଲେ | କିଛି ମାଛ ନିଜ ଘରକୁ ଆଣି ବାକି ବିଜୟ ବାବୁ ଓ ପଡିଶାଙ୍କ ଦେବାକୁ ମନୋଜ ବାବୁ ଗୋପାଳକୁ କହି ସମସ୍ତଙ୍କୁ ନେଇ ଘରକୁ ଫେରିଲେ | ଘରେ ରୋଷେଇ କାମ ଆରମ୍ଭ ହେଲା | ଅଶୋକ ଓ ରାଜେଶ୍ୱରେ ଆସି ନାନୋଜ ବାବୁଙ୍କ ପାଖରେ ବସି କହିଲେ ,'' ଜେଜେ ଏବେ ଆଉ ଏହି ଜାଗାରୁ ଯିବାକୁ ଇଛା ହେଉନି | ତୁମେ ଏତେ ସବୁ କରିବ ବୋଲି ମାନେ ରଖି କହୁଥିଲ ,ଏବେ ବି ଭୁଲିନି ! ସତରେ ତୁମର ଏହି ସ୍ୱପ୍ନ ବହୁତ ସୁନ୍ଦର |'' ସେତିକିବେଳେ ଆରତୀ ଆଣି ଅଶୋକ ଓ ରାଜଶ୍ରୀ କୁ ଘୋଳ ଦହି ଦେଇ କହିଲେ ,'' ଏଇଟା ଆମ ଗାଈ ଦେଇଥିବା କ୍ଷୀର ପାଇଁ ଏବେ ସମ୍ଭବ ହେଲା | ଏବେ ପିଇ ଦିଅ ,ପେଟ ଥଣ୍ଡା ହେବ |'' ସେତକ ପିଇ ଦେଇ ଅଶୋକ ଓ ରାଜଶ୍ରୀ ଆରତିଙ୍କ ସହିତ ବାଡ଼ିପଟ ଗୁହାଳକୁ ଯାଇ ଗାଈ ଓ ବାଛୁରୀ ଙ୍କୁ ଡେକିଲେ | ଦୁହେଁ ଦୁଇ ବାଛୁରୀଙ୍କୁ ବହୁତ ଗେହ୍ଲା କରି ପକାଉଥିଲେ | ଆରତୀ ମାନେ ମାନେ ବହୁତ ଖୁସି ହେଉଥିଲେ | ଖାରବେଳ ଖାଇବା ସରିଲା ,ସମସ୍ତେ ଟିକେ ବିଶ୍ରାମ ନେଲେ | ସନ୍ଧ୍ୟା ପାଞ୍ଚଟାରେ ସମସ୍ତଙ୍କୁ ଗୋପାଳ ଗଛରୁ ତୋଳା ହୋଇଥିବା ପଇଡ଼ ପାଣି ପିଇବାକୁ ଦେଲା | ସମସ୍ତେ ପିଇଲା ବେଳେ ମନୋଜ ବାବୁ କହିଲେ ,''ଇଏ ସବୁ ଆମ ଗଛର ପଇଡ଼ |'' ଏବେ ସମସ୍ତେ ମନୋଜ ବାବୁଙ୍କ କରିଥିବା କାମକୁ ଦେଖି ଆନନ୍ଦରେ ବିଭୋର ହେଇ ଯାଉଥିଲେ | ବୋହୁ ଅନିତା ଓ ବିନିତା ବହୁତ ଖୁସି ହେଇ କହୁଥିଲେ ,''ବାପା ଆମେ ଏଣିକି ପ୍ରତ୍ୟେକ ମାସରେ ଗାଁ କୁ ଆସିବୁ | ଏବେ ଲାଗୁଛି ଯେମିତି ଆମେ ସ୍ଵର୍ଗରେ ଅଛୁ |''


ଶେଷରେ ଦୁଇ ପୁଅ ଅଜୟ ଓ ଅମର ଆସି ତାଙ୍କ ବାପା ମନୋଜ ବାବୁଙ୍କ ପାଖରେ ବସି କହୁଥିଲେ, '' ସତରେ ବାପା , ଆପଣ ଆମ ସମସ୍ତଙ୍କ ପାଇଁ ଏତେ ସୁନ୍ଦର ଉପହାର ର ସ୍ୱପ୍ନ ଦେଖିଥିଲେ ,ଆମେ ଭାବି ପାରୁନାହୁଁ | ସେହି ଅଧୁରା ସ୍ବପ୍ନ କୁ ପୁରଣ କରିବାକୁ ଆପଣ ସମସ୍ତ ସୁଖ ସୁବିଧା ଛାଡି ଗାଁ କୁ ଆସିଲେ'', ମନୋଜ ବାବୁ ହସି ହସି ସମସ୍ତଙ୍କୁ କହିଲେ ,''ହଁ ତୁମେ ଠିକ କହୁଛ,କିଛି ସ୍ୱପ୍ନ ଅଧୁରା ହୋଇ ରହିଥାଏ ,ତାକୁ ପୁରଣ କରିବାକୁ ମନ ଚାହେ ଓ ପୁରା ହେଇଗଲେ ଯେଉଁ ଆନନ୍ଦ ମିଳେ ତାହା ସ୍ବର୍ଗୀୟ ସୁଖ ଦେଇଥାଏ | ତଥାପି ମୋର କିଛି ସ୍ବପ୍ନ ଅଧୁରା ଅଛି ,ଏବେ ବି ଭୁଲିନି |''


ସମସ୍ତେ ମନୋଜ ବାବୁଙ୍କୁ ଖୁସି ରେ ଆଶ୍ଚର୍ଯ୍ୟ ହୋଇ ଚାହୁଁଥିଲେ ଭାବି ଭାବି କି ଆଉ କଣ ସବୁ ବାକି ଅଛି ଦେଖିବାକୁ !


Rate this content
Log in

Similar oriya story from Action