ଏବେ ଅଡ଼ୁଆରେ ମୁଁ
ଏବେ ଅଡ଼ୁଆରେ ମୁଁ
- ତୁମେ ବହୁତ ଲେଖୁଛ।ତୁମ ଲେଖାଗୁଡିକ ଖୁବ୍ ଭଲଲାଗେ।
କେବେ ଦିନେ କେହି ଏମିତି କହିଥିବାର ମୋର ମନେନାହିଁ।
- କେତୋଟି ବହି କଲେଣି?ନୂଆ ବହି କ'ଣ ବାହାରିଲା?ପୁସ୍ତକ ମେଳାରୁ ଆପଣଙ୍କର ଅମୁକ ବହି ସଂଗ୍ରହ କରିଥିଲି।ଖୁବ୍ ଭଲ ହୋଇଛି।ସବୁ ଗପ ଭଲ ଲାଗିଲା।
କେହି କେବେ ଦିନେ ଏମିତି କହି ମୋ ସହିତ କଥା ଆରମ୍ଭ କରିଥିବା ମନେନାହିଁ।
ସାହିତ୍ୟ ସଭା ଅବା ପତ୍ରିକା ହାଟରେ ଅନେକ ଚିହ୍ନା ଜଣା ମୁହଁ ସାମ୍ନାକୁ ଆସନ୍ତି।ଆଉ ସବୁ ଭଲ?କେମିତି ଚାଲିଛି?ପଚାରି ଦେଇ ହସି ହସି ଚାଲିଯାନ୍ତି।ପ୍ରକୃତ ପ୍ରଶ୍ନ ପଚାରିବାକୁ ବାସ୍ତବରେ କ'ଣ ସବୁ ସେମାନଙ୍କୁ ଅସହାୟ କରି ଦେଇଥାଏ ବୁଝିପାରେନି।ନିଜେ ଅସହାୟ ହୁଏ।
କାଲି ତାଙ୍କ ସାହି ଦୋଳ ମେଲଣରେ ହଠାତ୍ ତନୁଜା ସହିତ ଭେଟହେଲା।ମୋ ପାଇଁ ଗୋଟେ ରଙ୍ଗମୟ ଇନ୍ଦ୍ରଧନୁର ଛବି ଭଳି ସେ।ତାକୁ ସବୁବେଳେ ଝୁରୁଥାଏ ମୁଁ।ହେଲେ କାହିଁକି କେଜାଣି ମୋ ପାଇଁ ତା'ର ବେଳ କାଳ ନ ଥାଏ।
- ' ଦେଖୁଛି . . . ଦେଖୁଛି।ତୁମର ସବୁ ଲେଖା ଦେଖୁଛି।ଖୁବ୍ ଭଲ ଲେଖୁଛ।ଏବେ ଏବେ ତୁମର " ରାଜନୀତିର ରଙ୍ଗ " ଆମାଜନରୁ ସଂଗ୍ରହ କରି ପଢିଲି।ସବୁ ଗପ ଭଲ ଲାଗିଲା। ' ମୋତେ ଦେଖୁ ଦେଖୁ ସେ ହସିଦେଇ କହିଲା।
ମୁଁ ଜାଣେ ତା'ର ନିଃଶ୍ବାସରେ,ତା'ର ଦୃଷ୍ଟିରେ, ତା'ର ଉଚ୍ଚାରଣରେ ମୋ ପାଇଁ ଅମୃତ ଥାଏ।ତା' ପାଇଁ ମୁଁ ଏଠି ଥାଏ।ମୋର ଆୟୁଷ ଲମ୍ବୁଥାଏ।
ଏବେ ତା'ର ଏଇ ମିଠା ମିଠା କଥା ଶୁଣିବା ପରେ ମୋ ଭିତରେ ତା' ପାଇଁ ପ୍ରେମ ଓ ଆବେଗ ଫେଣ୍ଟାଫେଣ୍ଟି ହୋଇ ଛଳଛଳ ହୋଇଗଲେ।ଗୋଟେ ମୁଗ୍ଧ ମନ ନେଇ ମୁଁ ତାକୁ ଚାହିଁ ରହିଲି।
ତରୁଲତା ଓ ପକ୍ଷୀର କାକଳିରେ ପୂର୍ଣ୍ଣ ଗୋଟେ ଦୂର ପାହାଡ଼ ଭଳି ମୋତେ ସେ ଦିଶୁଥିଲା।ମୋ ପାଖରେ ସେ ଥିବାରୁ ମୋତେ ଘେରି ରହିଥିଲା ଗୋଟିଏ ସୁନ୍ଦର ସମୟ।ହସିଦେଇ କହିଲି - ' ମୋ ବହି ସଂଗ୍ରହ କରି ପଢିଛୁ।ସେତିକି ମୋ ପାଇଁ ଗୌରବର କଥା।ଆଜିକାଲି ବହିଟିଏ ପାଇଁ ପାଠକଙ୍କ ସହୃଦୟ ମନ,ଶ୍ରଦ୍ଧା ଓ ଆଗ୍ରହ କ୍ଵଚିତ ଦେଖିବାକୁ ମିଳେ। '
ସେ ମୁର୍କି ମୁର୍କି ହସୁଥିଲା - ମନଜିଣା ହସ।ମୋ କଥାଶେଷରେ ପଚାରିଲା - ' ଆଉ କ'ଣ ନୂଆ ବହି ଆସିଛି କି? '
- ' ହଁ,ଏବେ ଏବେ ମୋର ପ୍ରକାଶ ପାଇଛି "ତନୁଜା ପାଇଁ ତେରଟି ପ୍ରେମ କବିତା"।ମୁଁ ହସ ହସ ହୋଇ ଉତ୍ତର ରଖିଲି।
- ' ସତେ ନା କ'ଣ?କାହିଁ ମତେ ତ କହିନ?କେଉଁଠି ଉନ୍ମୋଚିତ ହେଲା?ମତେ ସଭାକୁ ଡାକିଲନି?ବହି ଖଣ୍ଡିଏ ଦେବାକୁ ପଡିଥାନ୍ତା ବୋଲି ଡରିଗଲ ନା କ'ଣ? ' ସେ ଲାଜ ଲାଜ ହସି କହିଲା।
- ' ନା,ସେସବୁ କଥା କିଛି ନୁହେଁ।ବାସ୍ତବରେ ତତେ ସେଠାରେ କେହି ଦେଖୁ ମୁଁ ଚାହୁଁ ନ ଥିଲି।ତୁ ମୋର କିଏ ଓ କ'ଣ ହେବୁ ବୋଲି ସମସ୍ତେ ପଚାରିଥାନ୍ତେ।ଆମର କଥା ଥିଲା ନା ଆମ ସଂପର୍କର ପରିଚୟ କେହି ନ ଜାଣନ୍ତୁ ବୋଲି? ' ମୁଁ ହସିଦେଇ କହିଲି।
ସେ ହସିଲା ଖୁବ୍।କହିଲା - ' ହଉ,ହଉ,ଆଉ ବାହାନା କରନା।ତୁମ "ତନୁଜା ପାଇଁ ପ୍ରେମ କବିତା" ବହିରୁ ଖଣ୍ଡେ ପଠେଇବ।ମୋ ବାବଦରେ କ'ଣ ସତ ମିଛ ଲେଖିଛ ମୁଁ ଦେଖିବି।'
- ' ପଠେଇବି ନିଶ୍ଚୟ। ' ମୁଁ ହସି ହସି କହିଲି।
ସେ ଚାଲିଗଲା।ମୁଁ ବି ଫେରିଲି ତାଙ୍କ ସାହି ଦୋଳ ମେଲଣରୁ।ସେମିତି ବହି ଖଣ୍ଡେ ଏବେ ଆଣିବି କୋଉଠୁ?ବାଟସାରା ଭାବୁଥିଲି।
କହୁ କହୁ କହିଦେଲି ସିନା, ହେଲେ ଏବେ ଅଡ଼ୁଆରେ ମୁଁ।ମୋ ପ୍ରେମିକାର ରାଣ।ସତରେ ମୁଁ ଏବେ ଖୁବ୍ ଅଡ଼ୁଆରେ।
କବିତାର 'କ' ଅକ୍ଷର ଜାଣିନି।ତେରଟି ପ୍ରେମ କବିତା ଏବେ ପାଇବି କୁଆଡ଼ୁ?ପାଇଲେ ହୁଏ ତ ବହି ଖଣ୍ଡିଏ ଛପାଇ ଦେଇ ତାକୁ ଉପହାର ଦେଇପାରନ୍ତି।
ମିଛୁଆ ସାବ୍ୟସ୍ତ ହେବା ଆଗରୁ ତନୁଜା ପାଇଁ ତେରଟି ପ୍ରେମ କବିତା ମିଳିଗଲେ ଭଲହୁଅନ୍ତା।ତେଣୁ କ'ଣ କରିବି!ପ୍ରେମ କବିତା ଲେଖିବି ଭାବୁଛି।ଖାସ୍ ତନୁଜା ପାଇଁ . . . . ।
ମାତ୍ର ତେରଟି ପ୍ରେମ କବିତା!