ଏ ଅଗଣା ...ଏ ଘର
ଏ ଅଗଣା ...ଏ ଘର
ସକାଳୁ ସକାଳୁ ଗାଧୋଇ ପାଧୋଇ ଖାଣ୍ଟି ଓଡ଼ିଆଣି ଓଢଣି ନାଇ ଶ୍ରୀମତୀ ଓଷାଦେଇ ତୁଳସୀ ଚଉରା ମୂଳେ ତିନି ଥର ପ୍ରଦକ୍ଷୀଣ କରି ଓଁ ଦିବାକରାୟ ନମଃ ମନ୍ତ୍ର ଉଚ୍ଚାରଣ କରି ଯେତେବେଳେ ସୂର୍ଯ୍ୟଦେବଙ୍କୁ ପାଣି ଅର୍ଘ୍ୟ ଟେକିଲେ , ପାଖ ଆମ୍ବଗଛରୁ କିଂଚିରି ମିଂଚିରି ଶବ୍ଦ ଶୁଣି ପାରିଲେ । ନିରେଖି ଦେଖିଲେ ମା' ଚଢ଼େଇଟି ଛୁଆ ଚଢେଇ ଥଣ୍ଟରେ ଆଧାର ଆହାର ଖୋଏଇ ଦେଉଛି । ଭାବାନ୍ତର ହେଲା ଭଷାର । ସତୁରି ବର୍ଷିଆ ରୋଗୀଣୀ ବୋଉ କଥା ମନେ ପଡ଼ିଲା । ବିଚାରୀ ! କ'ଣ କରୁଥ୍ଵଵ କେଜାଣି ?
ଓଷାକୁ ଅନ୍ୟ ଝିଅମାନଙ୍କ ପରି ବାରମ୍ଵାର ବାପ ଘରକୁ ଯିବାକୁ ଇଚ୍ଛା ହୁଏନା । କାରଣ ଦିନେ ଦୁଇ ଦିନକୁ ସେ ତ ବାପା- ବୋଉ ସହ କଥା ହେଇଯାଏ । ମନ ଚାହିଁଲା ମାତ୍ରେ ସ୍କାର୍ଟ ଫୋନରେ ଚଟାପଟ ଝଟାପଟ ମନକଥା ଗପି ହେଇ ଯାଏ ଆପେ ଆପେ । କାମ କରୁଥିଲେ ବି କାନରେ ଇୟର ପ୍ଲଗ୍ ଲଗେଇ ହେଉ ବା ସ୍ପିକର ଅନ୍ କରି ପଲ୍ଲୀରୁ- ଦିଲ୍ଲୀ କରେ।ନାରୁ - କ୍ଵାରାଣ୍ଟାଉନ୍ ବ୍ୟଞ୍ଜନ-ବ୍ୟବହାର ସାହି - ପଡ଼ିଶା ଶାଢି -ଚୁଡ଼ି ଇତ୍ୟାଦି କେତେ କଥା ଢାଳି ଦିଏ ଓଷା । ଆଉ ଜିଓ ଅନ୍ ଲିମିଟେଡ୍ ସିମ୍ ଓ ଫ୍ରି ଡାଟା କାର୍ଡ଼ କ୍ରାନ୍ତି ପରେ ଓଷାର ଗପିବା ଅନ୍ୟ ମହିଳା ବର୍ଗଙ୍କ ପରି ସତୁରି ଭାଗ ବଢି ଯାଇଛି ।
କିନ୍ତୁ ବାପାଙ୍କ ଆକସ୍ମିକ ଦେହାନ୍ତ ୨୦୧୯ ଏପ୍ରିଲ ପରେ ପରେ ଓଷାର ମନ ଶାଶୁଘରେ ବାଲେଶ୍ଵରରେ କମ୍ ରହୁଥାଏ । ମାସରେ ଥରେ ଦୁଇ ଥର ବାପଘର ବାପୁଜି ନଗର ଭୁବନେଶ୍ଵରକୁ ନ ଆସିଲେ ନ ଚଳେ । ସର୍ବୋପରି ବୋଉର ଦାୟିତ୍ଵ ଯେମିତି ବାପାଙ୍କ ଅନ୍ତେ ତା' କାନ୍ଧ ଉପରେ ପଡ଼ି ସାରିଥିବା କଥା ବଳଦ ଉପରେ ଜୁଆଳି ପରିକା ସେ ଭାବି ନେଇଥାଏ ।
ହେବାବି ସ୍ଵାଭାବିକ । କାରଣ ବାପା ଶ୍ରୀଯୁକ୍ତ ପଦ୍ମନାଭ ବେହେରା ତାକୁ ଝିଅ ନୁହଁ ବରଂ ପୁଅ ଭଳିଆ ପାଳିଛନ୍ତି । ସଂସ୍କାର, ଅଚାର, ବ୍ୟବହାର ପୁଅ ଭଳିଆ ବି ସିଖେଇଛନ୍ତି ।
ଅନ୍ୟ ଏକ ଦିଗ ହେଲା ବଡ଼ ଭାଇ ଉମେଶ । ସେ ପୋଲିସ ବିଭାଗରେ କାର୍ଯ୍ୟରତ । ତେଣୁ ଘର ପାଇଁ ସମୟ ବାହାର କରିପାରେ ନାହିଁ । ସବୁ ବେଳେ କାର୍ଯ୍ୟ ବ୍ୟସ୍ତ ।
ଅପରନ୍ତୁ ଗୁରୁତ୍ଵପୂର୍ଣ୍ଣ ଦିଗ ହେଲା ଭାଉଜ ନର୍ମଦା । ତାଙ୍କ ପଦ୍ମତୋଳା ମଖମଲି ମୁଁହରୁ ହସର କମକୂଟ ଛଇ ଛଟକ ଛଟାର ଝଲକ କେବେ ବି ଝରି ପଡ଼େନା ? ଯେମିତି କିଏ ତା'ର ଚାଟି ପକେଇବ ? ସବୁବେଳେ ମଉନ ମୁହିଁ ସୁକୁଲି ଚାହିଁ କିନ୍ତୁ ମସ୍ତବଡ଼ ଗୁମର କହି । ତେଣୁ ନର୍ମଦା ଭାଉଜ ବୋଉକୁ କାଳେ ହତାଦର କରୁଥିବ, କାଳେ ଘଣ୍ଟାକୁ ଘଣ୍ଟା ଔଷଧ ଦେଉ ନ ଥିବ ପୁଲିସ ବାଲା ଉମେଶ ଭାଇ ର ଅନୁପସ୍ଥିତିରେ ।
" ବୋଉ ! ବୋଉଲୋ ! ଭାଉଜ ତୋତେ କେମିତି ରଖିଛି ? ତୋର ସେବା ଶ୍ରୁଶୁଷା ଭଲ ଭାବରେ କରୁଛି କି ନାହିଁ ? ଯଦି ନ କରୁଛି କହ ! ଡରିବୁନି ! ତୁ ବିଶ୍ଵାଳ ଝିଅ ବାଘର ଛେଲେ । " କାର୍ଯ୍ୟ ବ୍ୟସ୍ତତା ଭିତରେ ପାରିବାରିକ ଗୃହ ଜଞ୍ଜାଳ ଭିତରେ ଦଣ୍ଡେ ଖଣ୍ଡେ ଫୁରସତ ମିଳିଲେ ଏହି ଭଳି ଅସରନ୍ତି ପ୍ରଶ୍ନ ଦିନକୁ ତିନି ଚାରି ଥର ପଚାରିବସେ ଓଷା । କାରଣ ମୁଣ୍ଡ ମଗଜ ରେ ବୋଉର ଦାୟିତ୍ଵବୋଧ ରାଜା ବିକ୍ରମାଦିତ୍ୟ କାନ୍ଧରେ ବେତାଳ ପରିକା ଲାଉ ହୋଇ ଝୁଲି ରହିଛି ।
" ହଁ ରେ ଝିଅ ! ବହୁତ ଭଲରେ ରଖିଛି ମୋ ବୋହୁ । ମୋର କିଛି ବି ଅସୁବିଧା ନାହିଁ। ମୁଁ ପୂରା ସୁଖ ଶାନ୍ତିରେ ଅଛି । ହଉ ଶୁଣ ରେ ଝିଅ ! ତୋର କିଛି କାମ ଧନ୍ଦା ନାହିଁ କି ? ତୁ କାହିଁକି ମୋ କଥା ଭାବି ଭାବି ଅଧିର ଅଥୟ ହେଉଛୁ କହିଲୁ ? ତୁ ତୋ ପରିବାର ଶାଶୁ- ନଣନ୍ଦ ପୁଅ- ଝିଅ କଥା ବେଶି ଭାବ ! ଅଧିକ ଧ୍ୟାନ ନେବୁ ଏଣିକି । ରହିଲି । ବୁଢିଟିଏ ହେଇ ଥା ------ବୋଉ ଝିଅ ଓଷାର ମଥାରେ ତା'ର ସ୍ନେହଭରା ଶିରାଳ ହାତ ଆଉଁସୁ ଆଉଁସୁ କହୁଥାଏ ।
ଓଷାକୁ ସନ୍ତୁଷ୍ଟି ମିଳେନା କିନ୍ତୁ ! ମନକୁ ବୋଉର ଉତ୍ତରଟା ଜମାରୁ ପାଏନା ।
ଓଷା ଭାବି ଚାଲେ --- ମନ ଚାହିଁଲେ ବି ସେ ନିଜ ଶାଶୁ- ଶ୍ଵଶୁରଙ୍କ ଧ୍ୟାନ ଠିକ୍ ରେ ରଖିପାରେନା । ଦିନରାତି ଖଟୁଥିଲେ ବି ନଣନ୍ଦ କୁଟୁଣା କମେଣ୍ଟ ମାରି ମାରି ନାକେଦମ଼ କରିଦିଏ ଆଉ ସେ ବିଚରା ପୁଅ ଝିଅକୁ ବାଡ଼େଇ ପକାଏ !
ପୁଣି ଓଷା ଭାବନାର ଅଥଳ ଗହ୍ଵରରେ ପଶିଗଲା । ଚିନ୍ତା କଲା ଭାଉଜକୁ ଡରି ବୋଉ କିଛି. କହି ପାରୁନି । କହିବାକୁ ବୋଉର ମନ.ଆଉଟୁ ପାଉଟୁ ହେଉଥିବ । କିନ୍ତୁ ପରେ ପଛେ ଓଷା ଚାଲିଯିବା ପରେ ନିଷ୍ଠୁର ଅତ୍ୟାଚାର କଥା ମନେ ପକେଇ ଭରସା ପାଉ ନ ଥିବ ବୋଉର।
ଆଉ ମୋ ଆଗରେ ନିର୍ମଦା ଭାଉଜ ଭଲ ହେବାର ମିଛି ମିଛିକା ଅଭିନୟ କରୁଛନ୍ତି କି ? ଭାବୁଥିବେ ମୁଁ ବା କେତେ ଦିନ ରହିବି କୋଣିଆ ହୋଇ । ପୁଣି .ଛୁଆମାନଙ୍କୁ ଛାଡ଼ି ଆସିଛି ବାଲେଶ୍ଵରରେ। ଅତି ବେଶିରେ ଚାରି ପାଞ୍ଚ ଦିନ ଖଣ୍ଡଗିରି ଅପେରା ଭଳିଆ ନିଖୁଣ ଅଭିନୟ କରି ଦେଲେ କଥା ସରିଲା ।
ଓଷାକୁ .ଆଦୈ ଉଲ ଲାଗୁନଥାଏ । ସତ୍ୟତାର ଉନ୍ଲୋଚନ ହୋଇପାରୁନଥାଏ । ନିଷ୍ଠୁର ଲୁକ୍କାୟିତ ସତ୍ୟର ବାସ୍ତବିକତା ଛଳନାମୟୀ ଅଭିନୟର କୁଝ୍ଝଟିକାରୁ ବାହାର କରି ପାରୁନଥିବାରୁ ଓଷା ସବୁ ବେଳେ କିନ୍ତୁ କିନ୍ତୁ ରହିଥାଏ ।
କଣ ବା କରିବ ସିଏ ? ବୋଉକୁ ଯେତେ ଥର ପଚାରିଲେ ବି ଯେତେ ପରକାରେ ବୁଝେଇ କହିଲେ ବି ସେହି ଏକା ସଂସ୍କୃତ ଶ୍ଳୋକ ପରି ଘୋଷିଥିବା ଉତ୍ତର କହି ଦେଉଛି ।
ବାର ଦିନ ଏମିତି ସେମିତି ରହି ଓଷା ଶାଶୁଘରକୁ ବାଲେଶ୍ୱରକ୍ତ ଫେରି ଆସିଲା.। କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ - ସଟ୍ ଡାଉନ୍ ଯୋଗୁଁ. ଦୀର୍ଘ ଦୁଇ ମାସ ହେଲା ବୋଉ ପାଖକୁ ଯିବାର ସବୁ ରାସ୍ତା ବନ୍ଦ l କରେ।ନା ତାଲାବନ୍ଦୀ ଯୋଗୁଁ ୨୨୦ ଦେଶର ଆବାଳ ବୃଦ୍ଧ ବନିତା ଗୃହ ବଂଦି । ସେ ବା କେଉଁ ଗାଈର ଗୋବର କି ?
କିନ୍ତୁ ଫୋନ ଯୋଗେ ବୋଉ ସହିତ କଥା ବାର୍ତ୍ତାର ଲହର ଆହୁରି ବଢି ଯାଇଥିଲା ଝିଅ ଓଷାର । କେବେ ନିର୍ମଦା ଭାଉଜ ସହିତ ବି ପଦେ ଅଧେ ହେଇ ଯାଉଥିଲା ।
ଓଷାର ମନରେ ବସି ଥିବା ଚିନ୍ତା ଭୂତ ବାବନା ଭୂତ କଣ ଚ୍ଛାଡ଼ୁଛି ? ବାପା ଆର ପାରିକୁ ଚାଲିଗଲା ପରେ ପରେ ବୋଉ ପୂରା ପୁରି ଏକା ଏକା ଏକେଲା । ଭାଇ ସବୁବେଳେ ବାହାରେ ଭାଭଜ ହାତରେ ଯଦି ବୋଉର କିଛି ହୋଇଯାଏ ? ନାଁ...... ନାଁ...... I
ପୁଣି ଭାବେ ଜନ୍ମ ମରଣ ତୋ କାଳ ଚକ୍ରର ନିଷ୍ଠୁର ନିୟମ ।ସମୟର ଚକ ନିୟତିର ନିୟମ ବିଧିର ବିଧାନ । ଜେଣୁ ଜନ୍ମିଛେ ତେଣୁ ମୃତ୍ୟୁ ଅବଶ୍ଯମ୍ଭାବି । ତେଣୁ ମୋ ବୋଉ ବି ଦିନେ ସେହି ମୃତ୍ୟୁ ପଥର ଯାତ୍ରୀ ହେବ ହିଁ ହେବ ବାପାଙ୍କ ପରିକା ।
କଣ ମୋ ବୋଉ ମରିଯିବ ? ତାର ଏ ଜୀବ ଶରୀର ନିଆଁରେ ପୋଡି ପାଉଁଶ ହୋଇ ଯିବ ? ଏମିତି ଚିନ୍ତାର ଉଦ୍ରେକ ମନ ସାଗରରେ ଆସନ୍ତେ ଆଖି ଡବ ଡବ ହୋଇଯାଏ ଓଷାର ।
ବୋଉ ଆର ପାରିକୁ ଚାଲିଗଲା ପରେ ମୋର ବି ବାପଘର ସରିଯିବ । ବାପଘରର ଅମୋଘ ଆକର୍ଷଣ ବି ମରିଯିବ । ବୋଉ ସହିତ ଯେଉଁ ବାଲ୍ୟ ଚପଳ କିଶୋରୀ ଚଂଚଳ ଯୌବନ ଢ଼ଳ ଢଳ ହସକାନ୍ଦର ଦୁଃଖ ସୁଖର଼ ମସ୍ତି ମଉଜର ଅପା ଶୋରା ସୂର୍ଣ୍ଣିମ ଅଧ୍ୟାୟରେ ଜବନିକା ପଡ଼ିଯିବ । ପ୍ରଥମାଷ୍ଟମୀରେ ପଢ଼ୁଆଁ ଶାଢୀ, ସାବିତ୍ରୀ ବେଭାର , ରଜ ଭାର ସବୁ ବନ୍ଦ ହେଇଯିବ -- .....
ଉମେଶ ଭାଇକୁ ସମୟ ନାହିଁ..... ନିର୍ମଦା ଭାଉଜଙ୍କଠୁଁ ସ୍ନେହ ପାଇବାର ନାହିଁ! କେଉଁ ଆଶା ଉରସା ନେଇ କେଉଁ ଆକାଂକ୍ଷା ତିତୀକ୍ଷା ନେଇ ବାପଘରକୁ ଦୈଡ଼ି ଆସିବ ସେ ? ତାର ମନ ମଧ୍ୟରେ ଯେଉଁ କୁତବମୀନାର ଠାରୁ ଉଚ୍ଚା ଦମ୍ଭ - ବିଶ୍ୱାସ ଥିଲା ବାପ ଘରକୁ ନେଇ--- ସେମିତି ଭାଂଗି ଚୁରୁ ମାର ହେଇଯିବ । ନେତ୍ର ଜଳରେ ଦୁଇ ଆଖି ପ୍ଲାବିତ ହୋଇ ଉଠିଲେ । ଓଷା ନିଜକୁ ସମ୍ଭାଳି ପାରିଲେନି । କୋହ ଉରା କଣ୍ଠରେ କଇଁ କଇଁ କାନ୍ଦି ପକେଇଲେ ଏମିତି ଅବାନ୍ତ୍ରର କଥା ସବୁ ଭାବି ଭାବି ।
ଡ୍ରଇଁ ରୁମ୍ ରେ ଘରର ଅନ୍ୟ ସଦସ୍ୟମାନେ ବ୍ୟସ୍ତ ଥିଲେ କପିଳ ଶର୍ମ। ଏପିସୋଡ଼ ଦେଖିବାରେ ଓ ଖିଲି ଖିଲି ହସିବାରେ । ହଠାତ ଓଷାର କୋହ ମିଶା କ୍ରନ୍ଦନରୋଳରେ ସମସ୍ତଙ୍କର ଧ୍ୟାନ ସେହି ଦିଗକୁ ସ୍ଵଭାବତଃ ଗଲା ।
" କଣ ହେଲା କି ଝିଅ ! " ଶାଶୁମା ସ୍ନେହରେ ପଚାରି ଦେଲେ ।
" କହୁନ କାହିଁକି ? କଣ ହେଲା ଖୋଲିକି କହୁ ନ ? ଆମେ କଣ ଭଗବାନ ?--- ପତିଦେବ ବାରମ୍ଵାର ତାଗିଦ କରୁଥାନ୍ତି ।
ହଠାତ ଓଷାର ଫୋନ ରିଂ ହେଲା । ଆର୍ଯ୍ୟ ପୁତ୍ର ଫୁନ୍ ରିସିଭ୍ କଲେ ଓ ବୋଉ ନାମରେ ସେଭିଙ୍ଗ ଥିବାର ଦେଖି ଓଷା ହାତକୁ ବଢେଇ ଦେଲେ ।
ବୋଉ ନାଁରେ ଓଷା ନିଜକୁ ଟିକେ ସମ୍ଭାଳି ନେଲା । ପଣତ କାନିରେ କାନ୍ଦୁରା ମୁଁହକୁ ପୋଛି ନେଲା । ଆଲୁରୁ ବାଲୁରୁ ଚୁର୍ଣ୍ଣ କୁନ୍ତଳକୁ ବାଁ ହାତରେ ସଜାଡି ଦେଇ ସ୍ଵରକୁ ଟିକିଏ ସାମାନ୍ୟ କରି ଧିରେ ଧିରେ କହିଲା --- ହ୍ଯାଲୋ .....
ଓଷାର ସ୍ଵର ଶୁଣି ବୋଉ ଥଙ୍ଗେଇ ମଙ୍ଗେଇ କହିଲା --- ଶୁଣ ରେ ଝିଅ ! ତୋ ନିର୍ମଦା ଭାଉଜ ପଡ଼ି ଯାଇଛନ୍ତି ଆଜି ବାଥରୁମରେ । ମୋତେ ସବୁଦିନ ଗୋଡ଼େ ଗୋଡ଼େ ଜଗିଥାଏ ବୋହୁ । ମୋ ଗାଧୋଇବା ପୂର୍ବରୁ ଯାଇଥିଲା ସଫା କରିବାକୁ । ପିଲାମାନେ ପ୍ରାୟ ସାବୁନ ତଳେ ପକେଇ ଦେଇଛନ୍ତି । ନିର୍ମଦାର ଗୋଡ ପଡ଼ିଗଲା କି କଣ ? ସେ ତ ଧୁମ୍ କରି ମଣିକିଆ ପଥର ଭଳିଆ ପଡିଲା । ତାଳୁ ପଛ ପଟେ ଆଠଟା ଷ୍ଟିଚ୍ ପଡ଼ିଛି । ବାଁ ହାତ ଫ୍ରେକଚର -- ପ୍ଲାଷ୍ଟର ହେଇଛି । କାନ୍ଦୁ କାନ୍ଦୁ ବୋଉ ଏକା ସ୍ଵରରେ କହି ପକେଇଲା |
ଶୁଣ ଲୋ ଝିଅ ! ତୋ ଦ୍ଭାଉଜକୁ ସେବା ଦରକାର । ବିଚାରୀ ବହୁତ କଷ୍ଟ ପାଉଛି । ତା ମୁଁହକୁ ମୁଁ ସିଧା ସିଧା ଚାହିଁ ପାରୁନି । ପରନ୍ତୁ ମୋତେ ଘରେ ବସେଇ ବସେଇ ଖୋଏଇ ଖୋଏଇ ଗୋଲ ମଟୋଲ ମୋଟି ଧେଙ୍ଗଡି କେନ୍ଦଡି କରି ଦେଇଛି ଏହି କରେ।ନା ତାଲାବନ୍ଦ କାଳରେ । କଉଁ କାମକୁ ମୁଁ ନୁହଁ !ପୁଣି ଆଣ୍ଠୁ ଗଣ୍ଠି ଦରଜ । ମୋର ସବୁ କାମ ସେହି କରୁଥିଲା । ସେ ମୋ ବୋହୁ ନୁହେଁ ମୋ ଝିଅ ଥିଲା ଆର ଜନ୍ମରେ ।
କଣ କରିବା କହିଲୁ ? ତା ମା' ମୋ ସମୁଦୁଣୀ ବି ବାଡ଼ି ଠୁକୁଛି । ତୋ ଭାଇ କଥା କହନା । ସେ କୁଆଡ଼େ କରେ।ନା ଯୋଦ୍ଧା ହେଇଛି । ଚବିଶ ଘଣ୍ଟିଆ ଡ୍ୟୁଟି । ଘରକୁ ଆସିବା ତ ଭୂଲି ଗଲାଣି । ଖାଇବାକୁ ବି ଆସିପାରୁନି । ଆଜି ବ୍ରହ୍ମପୁର ତ କାଲି ଯାଯପୁର । ବୁଝି ପାରୁନି ! ଏ ଭଳି ପରିସ୍ଥିତିରେ କଣ କରାଯାଇ ପାରେ ?
ସବୁ କଥା ଶୁଣି ସାରିବା ପରେ ଓଷାର ମୁଁହରୁ ଆପେ ଆପେ ବାହାରି ପଡ଼ିଲା, ବୋଉ ! ତୁ ଚିନ୍ତା କରନା ଜମା । ମୁଁ ପ୍ରଶାସନ ପାଖରୁ ବିଶେଷ ପାସ ନେଇ ଆସୁଛି । ତୁ ଆଦୌ ବ୍ୟସ୍ତ ହେବାର ନାହିଁ।
ଓଷା ଫୋନର ସ୍ପିକର ଅନ୍ କରି ଦେଇଥିଲା । ତେଣୁ ସ୍ୱାମୀ ଓ ଶାଶୁମା ଓଷାର ଉପସ୍ଥିତ ବୁଦ୍ଧିକୁ ତାରିଫ କଲେ । ଖୁବ୍ ଶୀଘ୍ର ସବୁ ଯୋଗାଡ ବ୍ୟବସ୍ଥା ହୋଇଗଲା ।
ଓଷା ଗାଡିରେ ବସିଲା କିନ୍ତୁ ମନରେ ଖୁସିର ଆତ୍ମତୃପ୍ତିର ଏକ ଅନାବିଳ ଯୁଆର ଫଲଗୁ ଧାରା ପରି ବହୁଥିଲା କି ଯେଉଁ ନିର୍ମଦା ଭାଉଜଙ୍କ ପରଶ୍ରୀକାତରତା ଅପରିଣାମଦର୍ଶିତା କଥା ଭାଳି ଭାଳି ଦିନ ରାତି ଘାଣ୍ଟି ହେଉଥିଲି ଆଜି ସେହି ନର୍ମଦା ଭାଉଜ ପାଇଁ ମୋର ଜନ୍ମଦାତ୍ରୀ ବୋଉ ବେଶୀ ବ୍ୟସ୍ତ ହେଉଛି, କାନ୍ଦି ପାରୁଛି, ଲୁହ ବୁହେଇ ପାରୁଛି l ତେଣୁ ବୋଉ ପରେ ବାପ ଘର ଆସିବାର ଯେଉଁ ସୁଖଦ ମିଶ୍ରି ଫେଣ୍ଟା ଅନୁଭବକୁ ଭାବି ଭାବି ଖୁସି ଖୁସି ଯାଉଥିଲା ବାପଘରକୁ ବାପୁଜୀନଗର ଭୁବନେଶ୍ଵରକୁ ।
କାରରେ ବାଜୁଥିଲା ସ୍ଵରୂପ ନାୟକଙ୍କ ଗୀତ ଓ ସଙ୍ଗୀତରେ ସଜା ଓଡ଼ିଆ ଚଳଚିତ୍ର " ଯାହାକୁ ରଖିବେ ଅନନ୍ତ" ର ସୁପରହିଟ ଗୀତ " ଏ ଅଗଣା... ଏ ଘର... ଏ ଦାଣ୍ଡ ଦୁଆର... ମୋତେ କଲା ପର ଏ ଟୋପାଏ ସିନ୍ଦୁର ।"