ଦୂରଦର୍ଶନ
ଦୂରଦର୍ଶନ
ସିଆ ମୁହଁ ଶୁଖାଇ ବସିଛନ୍ତି। ତାଙ୍କ ସ୍ୱାମୀ ଆକାଶ ଆସି ପଚାରିବାରୁ ସିଆ କହିଲେ କଣ ଆଉ ହେବ ସେଇ ଟିଭି... ନା ନା ତୁମ ମାଆ (ଝରଣା ଦେବୀ)ଙ୍କ ଦୂରଦର୍ଶନ ପାଇଁ ପ୍ରତି ଦିନର ନାଟକ। ପୁଅ ଅଂଶୁକୁ ପଢାଇ ସାରି ଘର କାମ ସାରି ଟିକିଏ ଟିଭି ଖୋଲି ବସି ଗଲି ଯେ ମାଆ ଉଠି ଆସିଲେ, ଆଉ କହିଲେ ଦେଲୁ ଦେଲୁ ମୋର ସେଇ ଓଡ଼ିଆ ପୁରୁଣା ଗୀତ ଲଗେଇ ଦେ। ଆଜି ମୋର ଫେଭରାଇଟ ଡ୍ୟାନ୍ସ ରିୟଲିଟି ଶୋର ସେମି-ଫାଇନାଲ ଦେବାର ଥିଲା। ମାଆ ଟିକିଏ ବି ଦେଖିବାକୁ ଦେଲେ ନାହିଁ। ଆଜି ବର୍ଷା (ସାନ ଦେବରାଣୀ) ନ ଥିଲେ। ନ ହେଲେ ତାଙ୍କ ରୁମରେ ଟିଭି ଦେଖି ଥାଆନ୍ତି।
ମାଆ ଆଜି ବହୁତ କଟୁ କଥା ବି କହିଲେ। ମୁଁ ଅନାଥ ବୋଲି ମୋତେ ବାହାଘର ସମୟରେ ଟିଭି କିଏ ବା ଦେଇ ଥାଆନ୍ତା। ତୁମକୁ କେତେ ଥର କହିଛି ଗୋଟିଏ ଟିଭି ଆଣି ଆମ ରୁମରେ ଲଗାଅ। ବର୍ଷା ଯେମିତି ନିଜ ଇଚ୍ଛା ମୁତାବକ ଟିଭି ଦେଖୁଛନ୍ତି। ମାଆ ଆଉ ବର୍ଷାଙ୍କୁ ତାଙ୍କ ବାପ ଘରୁ ମିଳିଛି। ମୋର ତ କେହି ନାହାଁନ୍ତି କିଏ ବା ମୋତେ ଟିଭି ଦେବ କହି ଛୋଟ ପିଲା ପରି ସିଆ କାନ୍ଦିବାକୁ ଲାଗିଲେ। ଆହୁରି ସେ କହିଲେ ମାଆଙ୍କ ବାପ ଘରୁ ଆସି ଥିବା ସେ ସୋଫା ଉପରେ ବସି ଗଲେ ମାଆ କେତେ ଯେ କଥା କୁହନ୍ତି... ସହିବା କଷ୍ଟ। ହେଲେ ମୁଁ କେବେ ବି ମୁହଁ ଖୋଲି ମାଆଙ୍କୁ କିଛି କୁହେ ନାହିଁ। ମୋର କଣ ମନ ନାହିଁ। ସେ ଦିନ ମାଆ ଶୋଇ ଯାଇ ଥିଲେ। ଅଂଶୁ ବି ତାଙ୍କ ପାଖରେ ଶୋଇ ଥିଲା। ଟିକିଏ ମନ କରି ଗୋଟିଏ ଭୂତ ସିନେମା ଦେଉଥିଲା... ଦେଖିବା ପାଇଁ ବସି ଗଲି। ମାଆ ତ ଉଠି ଆସି କହିଲେ ଭୂତ ସିନେମା ଦେଖି କି ଭୂତ ମନ ତିଆରି କରୁଛୁ... ତାପରେ ଡରିବୁ। ତୁମେ କହିଲ ମୁଁ କଣ ଛୋଟ ଛୁଆ ଯେ ଭୂତ ସିନେମା ଦେଖିଲେ ମୋ ମନ ଭୂତ ମନ ହୋଇ ଯିବ ?
ଆକାଶ ସିଆଙ୍କୁ ବୁଝାଇ କହିଲେ ହଉ ଏଥର ଦୀପାବଳୀ ବୋନ୍ସ ଆସିଲେ ମୁଁ ଗୋଟିଏ ଟିଭି ଆଣି ଆମ ରୁମରେ ଲଗାଇବି। ଆଉ ତୁମେ ଜାଣିଛ ତ ସେ ଦୂରଦର୍ଶନ ଆଉ ସୋଫା ମାଆଙ୍କ ବାପାଙ୍କ ଶେଷ ସନ୍ତକ। ତେଣୁ ମାଆ ସେ ଦୁଇଟି ଜିନିଷକୁ ଆଉ କେହି ବ୍ୟବହାର କଲେ ସହି ପାରନ୍ତି ନାହିଁ। ତୁମେ ଶୁଣି ଥିବ କେତେ ଥର ଆମକୁ ସେ ମଜାରେ କୁହନ୍ତି ଯେ ସେ ମରିଗଲା ପରେ ସେ ଦୂରଦର୍ଶନ ଆଉ ସୋଫା କୁ ତାଙ୍କ ସମାଧିରେ ଦେଇ ଦେବା ପାଇଁ।
ଦୀପାବଳୀ ଆସିଲାରୁ ଆକାଶ ମାଆ ଝରଣା ଦେବୀଙ୍କୁ ବୁଝାଇ ଗୋଟିଏ ଟିଭି ଆଣିଲେ । ପ୍ରଥମେ ମାଆ ଝରଣା ଦେବୀ ମନା କରୁ ଥିଲେ। କିନ୍ତୁ ପରେ ରାଜି ହୋଇଗଲେ। ଆଉ ଘରେ ଟିଭିକୁ ନେଇ ଘରେ ଅଶାନ୍ତି ହୁଏ ନାହିଁ। କିନ୍ତୁ କେହି ଯଦି ଭୂତ ସିନେମା କି ସିରିଏଲ ଦେଖିବା ଝରଣା ଦେବୀ ଜାଣନ୍ତି ତେବେ ପାଟି କରି ଗାଳି ଗୁଲଜ କରନ୍ତି ଯେ ସେ ସବୁ ଦେଖି ନିଜ ମନକୁ ଭୂତ ମନ କରୁଛ।
ଟିଭି ଆସିବାର ଗୋଟିଏ ବର୍ଷ ବିତିଗଲାଣି। ଟିଭି ନେଇ ଆଉ କିଛି ପାଟି ହୁରି ନାହିଁ। ଏବେ ଦୁଇ ବୋହୂ ଆଉ ଶାଶୁ ମଧ୍ୟରେ ସବୁ ଠିକ ଠାକ୍। ନୂଆ ବର୍ଷ କୁ କିଛି ଦିନ ଥାଏ। ଶୀତ ସକାଳ। ସିଆ ଅଂଶୁର ନିତ୍ୟକର୍ମ କାମ କରୁ ଥାଆନ୍ତି। ଝରଣା ଦେବୀ ଟିକିଏ ଡେରିରେ ଉଠିଲେ। ଦେହ ଭଲ ଲାଗୁ ନାହିଁ କହି ସୋଫାରେ ବସିଲେ ଏବଂ ସାନ ବର୍ଷାଙ୍କୁ କହିଲେ, ଦୂରଦର୍ଶନ ଚଳାଇ ରଙ୍ଗ ତରଙ୍ଗ ଲଗାଇ ଦେବା ପାଇଁ। ଗୀତ ଶୁଣିବେ। ଆଉ ଚାହା କପେ ଦେବା ପାଇଁ ବର୍ଷାଙ୍କୁ କହିଲେ।
ବର୍ଷା ଦୂରଦର୍ଶନ ଚଳାଇ ଚାହା କରି ଆଣିବାକୁ ଗଲେ। ଚାହା ନେଇ ବର୍ଷା ଆସି ଯାହା ଦେଖିଲେ ମାଆ ବୋଲି ଚିଲାଇ ଚାହା କପକୁ ତଳେ ପକାଇ ଦେଲେ। ଘରର ସମସ୍ତେ ଦୌଡି ଆସି ଦେଖିଲେ ସେଇ ସୋଫାରେ ଝରଣା ଦେବୀ ବେକ ଭାଙ୍ଗି ଗଡି ପଡିଛନ୍ତି, ଆଖି ଓଲଟି ଯାଇଛି। ଦୂରଦର୍ଶନ ସେମିତି ଚାଲିଛି।କିନ୍ତୁ ଝରଣା ଦେବୀ ଆଉ ନାହାଁନ୍ତି।
ଦଶ ଦିନ ଶୁଦ୍ଧ କାମ ସରିଲା। ବନ୍ଧୁ ବାନ୍ଧବ ତେର ଦିନ ପରେ ଯିଏ ଯାହା ଘରକୁ ପଳାଇଲେ। କେବଳ ସିଆଙ୍କ ମାଆ ସୁନିତା ଦେବୀ ଥାଆନ୍ତି।
ଦିନେ ସିଆଙ୍କ ରୁମରେ ସୁନିତା ଦେବୀ ନିଉଜ ଦେଖୁ ଥାଆନ୍ତି। ଅଂଶୁ କାର୍ଟୁନ୍ ଦେଖିବ କହିଲାରୁ ସିଆ ଅଂଶକୁ ଆଣି ମାଆଙ୍କ ସେଇ ସୋଫା ଉପରେ ବସାଇ ଝରଣା ଦେବୀଙ୍କ ସେଇ ଟିଭି ଲଗାଇଲେ ଏବଂ ବର୍ଷାଙ୍କ ସହ ରୋଷେଇ କରୁ ଥାଆନ୍ତି। ଝରଣା ଦେବୀ ଗଲା ପରେ ପ୍ରଥମ ଥର ପାଇଁ ତାଙ୍କ ଦୂରଦର୍ଶନ ଖୋଲା ହୋଇଛି। କିଛି ସମୟ ଯାଇ ନାହିଁ ଅଂଶୁ ଜୋରରେ କାନ୍ଦିବାକୁ ଲାଗିଲା।ସବୁ ଯାଇ ପଚାରିଲେ କଣ ହେଲା। ଅଂଶୁ କହିଲା ଜେଜେମା ଆସି କି ମୋ କାମ ମୋଡି ମୋତେ ସୋଫାରୁ ଓହ୍ଲାଇବା ପାଇଁ କହିଲେ ଆଉ କାର୍ଟୁନ ବଦଳରେ ଓଡ଼ିଆ ଲଗାଇ ଦେଲେ। ସତରେ ଟିଭିରେ ଓଡିଆ ଗୀତ ଚାଳୁ ଥାଏ। ସମସ୍ତେ ଆଶ୍ଚର୍ଯ୍ୟ ହେଲେ।
ରାତିରେ ଏ କଥା ସିଆ ଆକାଶଙ୍କୁ କହିଲେ। ଆକାଶ କହିଲେ ଅଂଶୁ ଛୋଟ ଛୁଆ। ତା ମନକୁ ଯାହା ଆସିଛି କହି ଦେଇଛି।
ସିଆ : ହେଲେ ତା କାନରେ ମୋଡିବା ଦାଗ ଅଛି।
ଆକାଶ : ଆରେ ନିଜେ କେତେବେଳେ ନିଦରେ ମୋଡି ଦେଇ ଥିବ, ବଥା ହେଉଛି ଯେତେବେଳେ ଯାହା ଇଚ୍ଛା କହୁ ଥିବ। ଆଉ ଟିଭି ଚ୍ୟାନେଲ ପରିବର୍ତ୍ତନ ହେବା କଥା... ପୁରୁଣା ଟିଭି ଆପେ ଆପେ ବଦଳି ଯାଇଥିବ।
ତା ପରେ ରାତି ଅଧରେ ଅଂଶୁ ଭୋକ ଲାଗୁଛି ବୋଲି କହିବାରୁ ସିଆ ଉଠି କ୍ଷୀର ବିସ୍କୁଟ ରୋଷେଇ ରୁମରୁ ନେଇ ଆସିଲା ବେଳକୁ ପଛପଟୁ ଦେଖିଲ ଯେ ସୋଫାରେ କେହି ଜଣେ ବସିଛନ୍ତି ଏବଂ ଓଡ଼ିଆ ଗୀତ ସେଇ ଦୂରଦର୍ଶନରେ ଚାଳିଛି। ସୋଫା ପାଖକୁ ଯାଇ ଦେଖିଲେ କେହି ନାହାଁନ୍ତି ସେଇଠି, ହେଲେ ଶାଶୁଙ୍କ ଶାଢୀ ପଡିଛି। ଭୟରେ ଝାଲେଇ ପଡି ଚିତ୍କାର କରି ଚେତା ଶୂନ୍ୟ ହୋଇ ପଡିଗଲେ।
ଘରର ସମସ୍ତେ ଆସି ସିଆଙ୍କୁ ତାଙ୍କ ରୁମକୁ ନେଇ ଗଲେ। ସକାଳୁ ଚେତା ଆସିବାରୁ ସିଆ ସବୁ କଥା କହିଲେ। ହେଲେ ଆକାଶ ହସି ଦେଇ କହିଲେ ତୁମେ ବି ଅଂଶୁ ପରି ହେଉଛ ଯେ। ତୁମ ମନ ବି ଭୂତ ମନ ହୋଇ ଗଲାଣି। ମନରେ ଖାଲି ଡର ଆଉ ସନ୍ଦେହ ଆଉ ଅନ୍ଧବିଶ୍ୱାସ।
ଏ ସବୁ କଥା କିନ୍ତୁ ସିଆଙ୍କ ମାଆ ସୁନିତା ଦେବୀଙ୍କୁ ଠିକ ଲାଗୁ ନ ଥାଏ। ସିଆଙ୍କୁ ପ୍ରବଳ ଜ୍ଜର। ଡାକ୍ତର କହିଲେ ଅତ୍ୟଧିକ ଡରି ଯାଇ ଥିବାରୁ ଜ୍ଜର ଆସିଛି। ସେ କିଛି ମେଡିସିନ ବି ଲେଖି ଦେଲେ। ହେଲେ ଜ୍ୱର ଛାଡିବା ନା ନେଉ ଥାଏ। ଆଉ ସିଆ ଅଧିକାଂଶ ସମୟ ଚମକି ଉଠି ବସୁ ଥିଲେ ଯେ ତାଙ୍କୁ ଝରଣା ଦେବୀ ଆସି ତାଙ୍କ ଦୂରଦର୍ଶନ ଆଉ ସୋଫା ମାଗୁଛନ୍ତି। ହେଲେ କେହି ବିଶ୍ୱାସ କରୁ ନ ଥାନ୍ତି ସୁନିତା ଦେବୀଙ୍କୁ ଛାଡି।
କିଛି ଦିନ ପରେ ବର୍ଷା ବି ରାତିରେ ସପନ ଦେଖି ଚମକି ଉଠିଲେ ଏବଂ କହିଲେ ଯେ ସେ ବି ସେଇ ସପନ ଦେଖିଲେ ଯାହା ସିଆ ଦେଖନ୍ତି।
ସୁନିତା ଦେବୀ : ଆକାଶଙ୍କୁ କହିଲେ ବୋଧହୁଏ ଝରଣା ଦେବୀ ମରି ମଧ୍ୟ ତାଙ୍କର ଭୂତ ମନ ଏବେ ବି ସେଇ ସୋଫା ଆଉ ଦୂରଦର୍ଶନରେ ଅଛି। କାରଣ ସେ ସବୁବେଳେ କହୁ ଥିଲେ ସେ ସବୁକୁ ମଳା ପରେ ତାଙ୍କ ସହ ଦେବା ପାଇଁ। ସେ ଜଣେ ପଣ୍ଡିତଙ୍କ ଫୋନ ନମ୍ବର ଦେଇ କହିଲେ ତାଙ୍କୁ ଡାକିଲେ ସବୁ କଥା ଜଣା ପଡିବ।
ସୁନିତା ଦେବୀ କହିଥିବା ପଣ୍ଡିତଙ୍କୁ ଡକା ହେଲା। ସେ କିଛି ସମୟ ଧ୍ୟାନରେ ବସି କହିଲେ ଯେ ଝରଣା ଦେବୀଙ୍କ ମାୟା ସବୁବେଳେ ସେଇ ସୋଫା ଆଉ ଦୂରଦର୍ଶନରେ ଥିଲା। ମରିଗଲା ପରେ ବି ତାଙ୍କ ଭୂତ ମନ ସେଇଥିରେ ଅଛି। ପୁଣି ସେଇ ସୋଫାରେ ଦୂରଦର୍ଶନ ଦେଖୁ ଦେଖୁ ମରୁ ଥିଲେ। ତାପରେ ସେ କହିଲେ ଯେ ସେଇ ସୋଫା ଆଉ ଦୂରଦର୍ଶନକୁ ନେଇ ଝରଣା ଦେବୀଙ୍କ ସମାଧି ପାଖରେ ନ ପୋତିଲେ ତାଙ୍କ ଆତ୍ମା ଶାନ୍ତି ପାଇବ ନାହିଁ।
ପଣ୍ଡିତଙ୍କ କହିବା ଅନୁସାରେ ଦୂରଦର୍ଶନ ଓ ସୋଫାକୁ ସମାଧି ପାଖରେ ପୋତି ଆତ୍ମା ଶାନ୍ତି ପାଇଁ ଘରେ ପୂଜା କରା ଗଲା। ତାପର ଠାରୁ ଆଉ କେହି କେବେ ଝରଣା ଦେବୀଙ୍କୁ ଦେଖି ନାହାଁନ୍ତି। ବୋଧେ ତାଙ୍କର ଦୂରଦର୍ଶନ ଓ ସୋଫା ପାଇଲା ପରେ ତାଙ୍କ ଭୂତ ମନ ଶାନ୍ତି ପାଇଲା।

