ଦଶହରା ଅଫର୍
ଦଶହରା ଅଫର୍


ନିକଟରେ ପୁଅର ଜିଦରେ ଗଲୁ ଫିଲ୍ମ 'ମଙ୍ଗଳଯାନ' । ୟାଙ୍କ କହିବା ଅନୁସାରେ ଏଭଳି ଫିଲ୍ମରୁ ପ୍ରୋତ୍ସାହନ ମିଳେ ପିଲାଙ୍କୁ । ଶିଖନ୍ତି ସେମାନେ ଜୀବନ ସଂଘର୍ଷ ଆଉ ସେଥିରେ ଥିବା ଉପଲବ୍ଧି ସଂକ୍ରାନ୍ତରେ ।
ମଣିଷମାନେ ଯେବେ କିଛି ନୂଆ କରନ୍ତି , ସେଇ ଉପଲବ୍ଧି ସାରା ବିଶ୍ୱକୁ ପ୍ରଭାବିତ କରେ । ମଣିଷକୁ ସୁନାମ ଦିଏ , ଭିନ୍ନ କରି ଠିଆ କରାଏ ଅଗଣିତ ମୁଣ୍ଡ ଭିତରେ । କିନ୍ତୁ ସେଇ ଉପଲବ୍ଧି ହାସଲ କରିବାର ତୀବ୍ର ସଂଘର୍ଷ ଦେଖି ପାରନ୍ତି ନାହିଁ କେହି । ସେଇ ସଂଘର୍ଷ ଭିତରୁହିଁ ମିଳେ ପ୍ରୋତ୍ସାହନ । କିଛି କରି ଦେଖେଇବାର ସ୍ପୃହା । ଗୋଟେ ଝୁଙ୍କ, ନିଜକୁ ଭିଡ଼ ଭିତରୁ ଭିନ୍ନ ପ୍ରତିପାଦନ କରିବାର ।
ୟାଙ୍କ କଥା ସବୁବେଳେ ଏମିତି , ଆଉ ପୁଅକୁ ଭଲ ଲାଗେ ମଧ୍ୟ । ତେଣୁ ପୁଅର ହେତୁ ହେଲା ଦିନୁ ଆମେ ସେଇଭଳି ଫିଲ୍ମ ଗୁଡିକ କେବଳ ଦେଖୁଛୁ । ଯେମିତି 'ଭାଗ ମିଲଖା ଭାଗ' , 'ମ୍ୟାରି କୋମ୍ ' କି 'ଦଙ୍ଗଲ' ।
ଏବେ ମୋର କିନ୍ତୁ ଦୁଃଖ ବଢି ଯାଇଛି ବହୁତ । କାରଣ ମୋତେ ଟିକେ କଳାତ୍ମକ ଫିଲ୍ମ ଭଲ ଲାଗେ । ପ୍ରସିଦ୍ଧ ଫିଲ୍ମ ଗୁଡା ଚାଲୁ ଭଳି ଲାଗନ୍ତି । ପ୍ରକୃତ କାହାଣୀ ଟିଏ ଯେବେ ପରଦାରେ ଉତୁରି ଆସେ , ବନେ ଗୋଟିଏ କଳାତ୍ମକ ଫିଲ୍ମ । ସାଧାରଣ ଲୋକଙ୍କୁ ବଡ଼ ଅଡୁଆ ଲାଗିପାରେ , ମାର୍କେଟରେ ସେଇଟା ଫ୍ଲପ୍ ହେଇପାରେ , ଚରିତ୍ର ଗୁଡାକ ଅବୁଝା ଲାଗିପାରନ୍ତି , ସଫଳ ବ୍ୟବସାୟ ନକରି ପାରେ , ଛୋଟ ବଜେଟର ଫିଲ୍ମ ହେଇପାରେ ଆଦି ଇତ୍ୟାଦି ; କିନ୍ତୁ ମୋ ମନକୁ ଛୁଇଁ ଯାଏ । ଏଇ ଯେମିତି ନିକଟରେ ଆସିଥିବା ଫିଲ୍ମ '' ଆର୍ଟିକିଲ 15 '' କି '' ଅନ୍ଦାଧୁନ୍ '' ।
ଭାରି ଚିତାକର୍ଷକ ଚିତ୍ର ସବୁ । ଚମତ୍କାର ଗତିଶୀଳତା । କିନ୍ତୁ ନା ଅଛି ଆଇଟମ ଗୀତ ନା ହାଇ ଫାଇ ପ୍ଲଟ୍ ନା ଅଜସ୍ର ଟଙ୍କା ବିନିଯୋଗ । କେଵଳ ଆଉ କେବଳ ନିଚ୍ଛକ ଛବି , ଏକଦମ ନିଆରା ।
ହେଲେ ଏସବୁ ଆଜିକାଲି ମୁଁ ଘରେ ବସି ଦେଖୁଛି ଟିଭି ରେ ବା ଅତି ଇଚ୍ଛା ହେଲେ ନେଟ୍ ସାହାଯ୍ୟରେ । ବଡ଼ ପରଦା , ପପ୍ କର୍ଣ୍ଣ , ଶୀତତାପ ନିୟନ୍ତ୍ରିତ ପରିବେଶ , କଫି ; ଏସବୁ ସମାଗମ ଭିତରେ ଫିଲ୍ମ ଦେଖିବାର ମଜା କିନ୍ତୁ କିଛି ଅଲଗା । ମୁଁ ଝୁରୁଛି ସେମିତି ସଂଯୋଗ ଟିଏ । ହେଲେ ୟାଙ୍କ ଦୟା ଆଉ ପୁଅର ମାୟା ମିଶି ମୋର ଇଚ୍ଛାଟିକୁ ବଡ଼ ବାଗରେ କବର ଦେବାରେ ସଫଳ ହେଇପାରିଛନ୍ତି ।
ପ୍ରୋତ୍ସାହନ ପୁଅକୁ ଦିଅ , ଆଗକୁ ଯିବାର ଅଛି ତାକୁ କିଏ ମନା କରୁଛି ? ନୂଆ ସମ୍ଭାବନା ଆଲୋଡିତ ହେଉ ତା' ଭିତରେ । ଖୋଜୁ ସେ ନିଜକୁ ନିଜେ ବାଗରେ । ଜରୁରୀ ତା' ପାଇଁ । କିନ୍ତୁ ମୋ କଥା ଟିକେ ଭାବିବା ମଧ୍ୟ ଉଚିତ ନୁହେଁ କି ? ଥରେ ଅଧେ ମୁଁ ୟାଙ୍କୁ କହି ମଧ୍ୟ ସାରିଲିଣି ।
-- '' ପୁଅକୁ ସାଥିରେ ଧରି ସବୁବେଳେ ଫିଲ୍ମ ଯିବା କ'ଣ ଜରୁରୀ ? ଆମେ ଥରେ ଅଧେ ଆମ ଇଚ୍ଛାରେ ଯିବା କ'ଣ ଆବଶ୍ୟକ ନୁହେଁ କି ?"
--" ପିଲା ବଡ଼ ହେବା ସହ ବାପା ମଧ୍ୟ ବଢିବା ଜରୁରୀ ବୁଝିଲ । "
-- " ମାନେ ..... ?''
-- '' ତୁମେ ଆଉ ସେଇ କଲେଜ ପଢୁଆ ପ୍ରେମିକା ହେଇକି ଅଛ କି , ଧରିକି ବୁଲିବି ମୁଁ ହାଁ !''
--'' ଥାଉ ମୋର ବୁଝା ପଡିଗଲା ।''
ତା' ପରେ ଏଇ ଫିଲ୍ମ ପ୍ରସଙ୍ଗରେ ଆଉ କହିବାର ଇଚ୍ଛା କି ଆଗ୍ରହ ରହିଲା ନାହିଁ ମୋର । ତେଣୁ ମୁଁ ମାନି ନେଇଛି ଯେ ପିଲାଏ ବଡ଼ ହେବା ସହ ବାପା ମା ଦାୟିତ୍ୱ ସମ୍ପନ୍ନ ହେବା ଭାରି ଜରୁରୀ ।
**********
ଏସବୁ ମୁଁ ନିଜକୁ ବୁଝେଇ ଆଡ଼ଜଷ୍ଟମେଣ୍ଟ କରୁଛି ନିଜ ସହ । କିନ୍ତୁ କେବଳ ଆଡ଼ଜଷ୍ଟମେଣ୍ଟ ହିଁ କରିଛି ଯାହା : ମନ କିନ୍ତୁ ଅବୁଝା ହେଉଛି ଭିତରେ ଭିତିରେ । ବୁଝା ପଡୁଛି ତ ?
ଏଇ ଏଇ ପୂଜା ବଜାରରେ ଫିଲ୍ମ ଗୋଟେ ଦେଖିବାର ଇଚ୍ଛା ଭାରି ମାଡ଼ିଲା । ଯା ,ନଣନ୍ଦ ସବୁ ମେଳି ହେଇଥିଲେ । ଏଇମାନଙ୍କୁ ଧରି ଇଚ୍ଛା ପୂର୍ତ୍ତି କରିବାର ପ୍ଲାନ ଟେ ଖୁଜୁବୁଜୁ ହେଲା । କିନ୍ତୁ ଦଶରା ବଜାର ଭିଡ଼ ଭିତରେ ଉବୁଡୁବୁ ହେଉଥିବା , ମେଢ଼ ବୁଲା , ଦୋଳି ଖେଳା , ଚୁଡ଼ି ଝୁମୁକା କିଣା ଭିତରେ ହଜିଥିବା , ମେଲୋଡି ପାର୍ଟି ତାଳରେ ଝୁମୁଥିବା କୁଣିଆ ମାନେ କି ଫିଲ୍ମ ଦେଖନ୍ତି ?
ଏମିତି ବେଳାରେ ପୁଣି ମଲ୍ଟିପ୍ଲେକ୍ସ ବାଲାଏ ଟିକେଟ ଦାମ ଅକାଶଛୁଆଁ କରିବାରେ ଟିକିଏବି ଅବହେଳା କରନ୍ତି ନାହିଁ । ଆମେ ମାମୁଁ ମାଇଁ ଦି ପ୍ରାଣୀ ଗଲେ ସିନା ଖର୍ଚ୍ଚ ବାଧିବ ନାହିଁ କିନ୍ତୁ ଏ ପଲଟନ ପାର୍ଟି ଧରି ଯିବାକୁ କିଏ ରାଜି ହେବ । ଏମିତି ବେଜାଏ ଅଡୁଆ ଆସି ଫିଲ୍ମ ଗସ୍ତ କାର୍ଯ୍ୟକ୍ରମକୁ ଘାଇଲା କଲେ । ୟାଙ୍କୁ ବି କହିଲି ଯେ ଟିକେ ବୁଝେଇ ବାଝେଇ । ହେଲେ ଇଏ ବି ଗହଳି ଭିତରେ ହଜିକି ଚୁର । ମୋ ପାଇଁ ବେଳ କାହିଁ ?
******************
ନୂଆ ଶାଢ଼ୀ ଚୁଡ଼ି ପିନ୍ଧି ମୋ ମୁହଁରେ ହସ ନାହିଁ । ଗହଣା ଗାଣ୍ଠି ସଜେଇ ହେଇ ଟିକିଏ ଚମକ ନାହିଁ । ଦଶହରା ଇଫେକ୍ଟ ମୋ ଉପରେ ଶୁନ୍ । କେମିତି ମୂର୍ଛେଇ ଯାଇଛି ମୋ ମନ। ଶାଶୁ ଅବଶ୍ୟ କିଛି କୁହନ୍ତି ନାହିଁ ମୋତେ ହେଲେ ଏଥର ପଚାରି ଦେଲେ ,
'' ଦେହ ଖରାପ ହେଇଯାଇଛି କି ତୋର ?''
ହଡ଼ବଡ଼ ହେଇଗଲି ମୁଁ , କ'ଣ କହିବି "ଫିଲ୍ମ ନିଶା ଘାରୁଛି ମୋତେ " ହେ ଭଗବାନ ମୋର କି ଆଉ ସେମିତି ଇଚ୍ଛାଟେ ପାଳିବାର ସମୟ ଅଛି । କିନ୍ତୁ ଚୁପ ରହିବା ବି ଅଡୁଆ । କହିଲି , '' ନାଇଁ ବୋଉ ଏଇ ଟିକେ ଅଷ୍ଟମୀ ଓପାସ ସକାଶେ ।''
ଡାହା ମିଛ ପୁଣି ମାଁ ଙ୍କ ନାଁରେ !
ମା' ଲୋ ତୋ ଗୋଡ଼ ଧରୁଛି । ତୁ ତ ମୋ ମାଁ ତୋତେ କି କିଛି ଅଗୋଚର ।
----------
ୟାଙ୍କ ନଜର ପଡେନି ମୋ ଉପରେ ଗହଳି ହେଲେ ମଁ । ଜମାରୁ ଚିହ୍ନି ପାରନ୍ତି ନାହିଁ । ଯେମିତି ମୁଁ ବି କୁଣିଆ କି କ'ଣ ? ହେଲେ ଯେବେ ଗହଳି ହଟି ଯାଏ ଘର ଫାଙ୍କା ହୁଏ ୟାଙ୍କର ରାତିରେ ମନ ପଡେ , '' କ'ଣ ବଡ଼ ଶୁଖିଲା ଲାଗୁଥିଲ ସାରା ଦିନ ?''
ସରାଗରେ ପଚାରିଲା ବେଳେ ମୋ ଦେହରେ କଣ୍ଟା ଫୋଡି ହେଇଯାଏ । ଆହା ! କେତେ ଦରଦ । ସାରା ଦିନ କିନ୍ତୁ ଜମା ଦିଶେନି , ଦରଦ ଯାଏ ଅଫିସ କରି ହୁଁ !
ଶାଶୁଙ୍କୁ ସିନା କହିବା ଜରୁରୀ ୟାଙ୍କ ପାଇଁ ନୀରବତା ହିଁ ଶ୍ରେଷ୍ଠ । ମୁଁ ସେଇଆ କଲି । ମୁହଁ ବୁଲେଇ ଆଡ଼ ହେଇ ଶୋଇବାର ଅଭିନୟ । ଏଇଟା ମୋ ଭଳି ସଭିଙ୍କର ସହଜାତ ପ୍ରବୃତ୍ତି ।
ଅଭିମାନର ଗୋଟିଏ ସ୍ୱର , ନୀରବତା ।
ଏଇ ଅସ୍ତ୍ର ପ୍ରୟୋଗ କଲେ ଝଡ଼ର ସାମ୍ନା କରିବାର ପ୍ରଚେଷ୍ଟା ନକରି ବୁଦ୍ଧିମାନ ମଣିଷମାନେ ମଧ୍ୟ ନିରବ ରୁହନ୍ତି ସାଧାରଣ ଭାବରେ ।
ହେଲେ ୟଙ୍କର ଆଜି ଚୁପ ହେବାର ନଥିଲା ବୋଧେ । ମୋ ସହ ଟିକେ ଖୁଜୁବୁଜୁ ହେଲେ , ନିଦରୁ ଉଠେଇ ବସେଇଦେଲେ ଆଉ ହାତରେ ଧରେଇ ଦେଲେ , ' ଦି ସ୍କାଏ ଇଜ୍ ପିଙ୍କ୍ ' ସିନେମାର ଟିକଟ । ଦୁଇଟା ନାଇଟ୍ ସୋ ଟିକଟ୍ ଆସନ୍ତା କାଲି ପାଇଁ ମୋବାଇଲ ସ୍କ୍ରିନ ରେ ଦେଖି ମୁଁ ଆବା କାବା ! ୟାଙ୍କର କ'ଣ ହେଲା ?
ଏମିତି ପ୍ରଚେଷ୍ଟା ପା ' ପିଲା ବଡ଼ ହେଲା ପରେ କରିବାର ନୁହେଁ । ମୁଁ ପା' ଆଉ କଲେଜ ପଢୁଆ ପ୍ରେମିକା ନୁହେଁ । ମୁଁ ପା' ଦାୟିତ୍ବ ସମ୍ପନ୍ନ ହେବା କଥା । ସେସବୁ କୁଆଡେ ଗଲା ହାଁ ?
ଏଇ ପ୍ରଶ୍ନତକ ମୋ ମନରେ ଉଠୁଥିଲେ ସିନା କିନ୍ତୁ ଓଠର ନିବୁଜ ଦୁଆର ଖୋଲି ଆସୁନଥିଲେ ଗୋଟିଏ ବି ବାହାରକୁ।
ୟାଙ୍କର କିନ୍ତୁ କହିବାର ଥିଲା , '' ତୁମ ଲାଗି ଦଶହରା ଅଫର୍ , 'ମଙ୍ଗଳଯାନ' ପୁଅ ଲାଗି ଉପଲବ୍ଧି ସିନା ତୁମ ଲାଗି ଅଲୋଡ଼ା !''
ମୁଁ କିଛି କହିବି କି ନାହିଁ ଭାବିଲି ଆଉ ପୁଣି କଥାର ମୋଡ଼ ବଦଳେଇ କହିଲି ,
" ଅବଶ୍ୟ 'ମଙ୍ଗଳଯାନ' ଫିଲ୍ମ ମୋତେ ଦୁଇଟି ଆବଶ୍ୟକ ଉପଲବ୍ଧି ଦେଇଛି ମଁ ,ଗୋଟିଏ ; କେମିତି ଗ୍ୟାସ୍ ସାରିଗଲେ ପୁରୀ ଛାଣିବି ଆଉ ଗୋଟିଏ ଦାନ୍ତଘଷା ପେଷ୍ଟ ସରିଗଲେ କେମିତି ବେଲେଣା କାଠିର ସହାୟତା ନେବି ।