STORYMIRROR

Sriman Bapu

Action

3.8  

Sriman Bapu

Action

ଦଶ ପ୍ରତିଶତର ମଜା

ଦଶ ପ୍ରତିଶତର ମଜା

7 mins
11.9K


  


ଭୁବନେଶ୍ବରର ଘାଟିକିଆରେ ବି.କେ ଆର୍ଟ କଲେଜର ସମୀର , ରାକା , କୁଲୁ , ଲୋକା , ସୂର୍ଯ୍ୟ , ସିକନ , ଦେବା ଆଉ ବିଜନ ଚାରିଟି କୋଠରୀରେ ଦୁଇ ଦୁଇ ଜଣ ମିଶି ରହୁଥିଲେ । ତାଙ୍କ ପୂର୍ବରୁ କେତେ ବ୍ଯାଚ ସେଠି ରହିଥିଲେ ଏବେ ବି ସେ ମେସ୍ ରେ ପିଲା ରହୁଥିବେ । ସିନିୟର୍ ଭାଇ ଫକିରା ମେସ୍ ଛାଡ଼ିବା ପରେ ଏକ ଅଲିଖିତ ନିୟମ କରିଯାଇଥିଲେ ଯଦି କାହାକୁ ରାଜ୍ୟ ପୁରସ୍କାର କି ଅନ୍ୟ ପୁରସ୍କାର ମିଳେ ତେବେ ପୁରସ୍କାର ରାଶିରୁ ଦଶ ପ୍ରତିଶତ ସେ ଭୋଜି ଦେବାରେ ଖର୍ଚ୍ଚ କରିବ ଆଉ ସମସ୍ତେ ହଁ ଭରିଥିଲେ । ଏଇ ଆଇନ୍ ବନିଥିଲା ଯେବେ କୁଲୁ ପ୍ରଥମେ ରାଜ୍ୟ ପୁରସ୍କାର ଜିତିଥିଲା । ଦଶ ଜଣଙ୍କ ଖାଇବା ପାଇଁ ଆସିଥିଲା ପାଞ୍ଚ କିଲୋ ଚିକେନ ତା'ସହ ଆଠ ଜଣକ ପାଇଁ ଦଶ ବୋତଲ ବିଅର ।


ସମସ୍ୟା ଥିଲା ଏତେ ଚିକେନ ରାନ୍ଧିବା ପାଇଁ ଆବଶ୍ୟକ ପାତ୍ର ନଥିଲା । ଭୋଜି ଆଉ ନୂଆ ନୂଆ ବିଅର ପିଆ ଉତ୍ସାହରେ କେହି ଏ ବିଷୟରେ ଚିନ୍ତା କରିନଥିଲେ । ଉତ୍କଣ୍ଠାବସତଃ ଆଠଜଣ ନୂଆ ପିଆଳି ଚାରି ବୋତଲ ପିଇ ସାରିଥିଲେ ଆଉ ଦୁଇ ଜଣ ଚାଖଣା ଖାଇବାରେ ବ୍ୟସ୍ତ ଥିଲେ । ନିଶା ଟିକିଏ ଚଢ଼ିଯାଇଥାଏ ମାଂସକଷା ବିନା ଆସର ଜମୁନଥିଲା ତେଣୁ ସ୍ଥିର କରାଗଲା ବାକି ଛଅ ବୋତଲ ଥାଉ ମାଂସକଷା ସହ ପିଆଯିବ । ରାକା ମୁଖ୍ୟ ରୋଷେୟା କହିଲା , ଆବେ ଏତେ ଚିକେନ କେଉଁଥିରେ ରାନ୍ଧିବା ? 


ରାତି ସେତେବେଳକୁ ଦଶ ବାଜିଲାଣି , ତେଣୁ ଘର ମାଲିକକୁ ଯାଇ ହାଣ୍ଡିଟିଏ ମାଗିବାକୁ କେହି ଉଚିତ ମଣିଲେ ନାହିଁ । ସେଠୁ କୁଲୁ କୂଅ ପାଇଁ ବ୍ୟବହୃତ ଏକ ବଡ଼ ରସ ବାଲଟିକୁ ଉଠେଇ କହିଲା, ମିଳିଗଲା । ଆବେ ଶଳା ! ବୁଦ୍ଧି ଥିଲେ ବାପ ଘରେ ଝିଅ ବି ପୁଅ । ରାକା ଯାହାର ପାନରୁ ଟିକିଏ ବି ଚୂନ ଖସିଲେ ଚଳିବନି ଅନ୍ଯୋପାୟ ନପାଇ ବାଲଟିକୁ ନେଇ ଥୋଇଲା ସେ ତିନି ଲିଟର ବାଲା ଗ୍ୟାସ ଚୁଲି ଉପରେ । 


ବାଲତି ଗରମ ହେବାକୁ ଲାଗିଲା ପନ୍ଦର ମିନିଟ୍ , ଯେଣେ ତେଣେ ମସଲା କଷିଦେଇ ଚିକେନ ଢ଼ାଳିଦେଲା କାରଣ ସମସ୍ତେ ଭୋକରେ ଆଉଟୁ ପାଉଟୁ ହେଉଥିଲେ । ବାସ୍ନା ଭଲ ଆସୁଥିଲା , ସତରେ କି ଠିପିଶୁଙ୍ଘା ନିଶା ଆଉ ଅତ୍ୟନ୍ତ ଭୋକ ଯୋଗୁଁ ସେମାନଙ୍କୁ ଏମିତି ଲାଗିଲା କହିହେବ ନାହିଁ । ଘଣ୍ଟାଏ ଉପରେ ହୋଇଗଲାଣି , ହୋଇ ଯାଇଥିବ ଭାବି କାଢ଼ି ଆଣିଲେ । ଗୋଲ ହୋଇ ସବୁ ବସି ପଡ଼ିଲେ ଚିକେନ ଢ଼ଳା ହେଲା , ସମସ୍ତେ ଭଲ ଭଲ ଖଣ୍ଡ ବାଛି ଉଠେଇ ନେଲେ ଆଉ ବାକି ଥିବା ଛଅ ବୋତଲ ବିଅର ଗରମ ହୋଇ ପିତା ହୋଇ ଯାଇଥିଲା ହେଲେ ଛାଡ଼ିଦେଲେ ବହୁତ ବଡ଼ କ୍ଷତି । ତେଣୁ ଶିକନ , ତ୍ରିନାଥ ଆଉ ଦେବାକୁ ଛାଡ଼ିଦେଲେ ବାକି ସାତ ଜଣ ଦୁଇ ଦୁଇ ଢୋକରେ ସାରି ଦେଲେ । ଚିକେନ ପାଟିକୁ ନେଲେ , ପ୍ରଥମେ ରାକା ଚାଖିଦେଇ କହିଲା , ଆବେ ଶଳା ! ଚିକେନ୍ ତ ପୂରାପୂରି କଞ୍ଚା ! ହଁ ସତେ ତ ବାକି ମାନେ ସହମତ ହେଲେ । ତଳକୁ ଥିବା ଚିକେନ ସିଝି ଥିଲା ଅଧିକାଂଶ ଖାଇଦେଲେ ବାକି ତକ ସକାଳେ ଆଉ ଥରେ କୁକରରେ ସିଝାଇ ଖାଇ କଲେଜ ବାହାରିଥିଲେ । 


କିଛି ମାସ ପରେ ସମୀରର ପାଳି ପଡ଼ିଲା , ଗ୍ରୀନସିଲ୍ ପ୍ରାଇଜ୍ । ପଇସା କଥା ଶୁଣି ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା , ଛଅ ଲକ୍ଷ ଟଙ୍କା ! ବାକିଙ୍କର ଈର୍ଷାରେ ଦେହ ଜଳିଗଲା ତଥାପିି  ଖୁସିହେଲେ । ଏଇଆ ଭାବି କି , ଏକତ ସାଙ୍ଗଟା ପୁଣି ନିୟମ ଅନୁଯାୟୀ ଦଶ ପ୍ରତିଶତ ହିସାବରେ ବିରାଟ ଏକ ଭୋଜି ମିଳିବାକୁ ଅଛି । ହିସାବ କରି ଦେଖିଲେ ଛଅ ଲକ୍ଷରେ ଦଶ ପ୍ରତିଶତ ଷାଠିଏ ହଜାର ହେଉଛି । କାହାର ବିଶ୍ୱାସ ହେଲାନି କି ସମୀର ନିୟମକୁ ମାନି ଏତେ ଟଙ୍କା ଖର୍ଚ୍ଚ କରିବ ? କାରଣ ସେବେର ସମୀର ଆଉ ଏବେର ସମୀର ଭିତରେ ବିରାଟ ଏକ ଫରକ ଅଛି । ହେଉ ଦେଖିବା ମେସକୁ ଯାଇ । କାରଣ କଲେଜରେ ମେସର ଏ ନିୟମ ବିଷୟରେ କାହାକୁ ଖବର ମିଳିଲେ ପୂରା କଲେଜ ଯାକ ପିଲା ସମୀର ପଛରେ ପଡ଼ିଯିବେ ।


ସେଦିନ ଏକ ଗୁରୁତ୍ବପୂର୍ଣ୍ଣ ସଭା ବସିଲା । ବିଷୟର ଗମ୍ଭୀରତା ଦୃଷ୍ଟିରୁ ଆଇନ ପ୍ରଣୟନକାରୀ ମେସର ପୂର୍ବତନ ସଦସ୍ୟ ଫକିରା ଭାଇକୁ ଡକା ଯାଇଥିଲା। କାଳେ ସମୀର ମାନିବ ନାହିଁ ଆଉ କହିବ , ଶଳେ କି ନିୟମ ବେ ? ମୁଁ ଯାଉଛି ନୂଆ ଏକ ଘର କିଣିବି , ତୁମେ ଶଳେ ସବୁ ଏଇଠି ମରୁଥାଅ ! ଫକିରାଭାଇକୁ ଦନ୍ତା ଆଉ ପାଗଳ ହାତୀକୁ ବି କଥା ବଳରେ ଶୁଆଇ ଦେବାର କଳା ଜଣା । ଫକିରା ମନେ ମନେ କେତେ ଯୋଜନା କରି ପୂର୍ବ ପ୍ରସ୍ତୁତ ହୋଇ ଆସିଥିଲା ଆଉ ଆଗରୁ ସମୀରର ହାବଭାବ ବିଷୟରେ ବିଶେଷ ଖବର ନେଇଥିଲା । ତାକୁ ବି ଲାଗିଥିଲା ସମୀରକୁ ସେ ମନେଇ ପାରିବନି , ହେଉ ଚେଷ୍ଟା ବଳରେ କାର୍ଯ୍ୟସିଦ୍ଧି ।


ସମୀରକୁ କିଛି କହିବା ପୂର୍ବରୁ ଫକିରାର ଯୋଜନା ଅନୁଯାୟୀ ସମସ୍ତେ ମାନସିକ ଭାବେ ପ୍ରସ୍ତୁତ ହୋଇ ଯାଇଥିଲେ । ଆଗୁଆ ଯୋଜନା ତିଆରି ଥିଲେ କିପରି ସମୀର ଉପରେ ଚାପ ପକାଯାଇପାରିବ । ସମୀରଟା ଖୁବ୍ କମ୍ କଥା କୁହେ ପଦେ କଥାରେ ତା'ର ଶେଷ , ତା'ପରେ ଇନ୍ଦ୍ର ଚନ୍ଦ୍ର କେହି ତାକୁ ହଲାଇ ପାରିବେ ନାହିଁ ।


ପୂର୍ବ ପଶ୍ଚିମ ମୁହାଁ ମୁହିଁ ହୋଇ ଦୁଇ ଧାଡ଼ିରେ ତିନି ତିନିଟି ଛଅଟି ଆଜବେଷ୍ଟସ ଘର , ଉତ୍ତର ଦିଗକୁ ଦୁଇଟି ପାଇଖାନା , ପାଖରେ ଗୋଟିଏ ବଡ଼ ପିଜୁଳି ଗଛ ଆଉ ପଛକୁ ପାଚେରି ସେଇଠି ସବୁବେଳେ ବସାଉଠା ହୁଏ । କିଏ ସାଇକେଲ କେରିୟରେ ବସିଲା ତ କିଏ ଠିଆ ହେଲା ଆଉ ଏକ ମାତ୍ର ରାକାର ପ୍ଲାଷ୍ଟିକ୍ ଚୌକିଟିରେ ବସିଥିଲା ଫକିରା ଭାଇ । କଥା ଆରମ୍ଭ କଲା ଫକିରା , ସମୀର ! ବହୁତ ବଢ଼ିଆ ହେଲା , ତୁ ଆମ ମେସର , କଲେଜର , ଓଡ଼ିଶାର ଖାଲି କାହିଁକି ପୂରା ଭାରତର ଗର୍ବ ଆଉ ଗୌରବ ! ସମସ୍ତେ ହଁ ଭରିଲେ । କୁଲୁ ପାଳି ଧରି କହିଲା , ଆବେ ଖାଲି ଭାରତର କାହିଁକି ? ତୁ ଶଳା ! ପୂରା ବିଶ୍ୱ ପାଇଁ ଗୌରବ , ଗ୍ରୀନସିଲ୍ ଛୋଟ ମୋଟ ପୁରସ୍କାର ? ଏ ତ ଗୋଟିଏ ଅନ୍ତଃରାଷ୍ଟ୍ରୀୟ ପୁରସ୍କାର.....! ହେ ହେ ହେ ! ସମସ୍ତେ ହସିଲେ ହେ ହେ ହେ ! 


ସମୀର ମୁହଁରେ କୌଣସି ପ୍ରତିକ୍ରିୟା ନାହିଁ ଦେଖିକି ସମସ୍ତେ ନିରାଶ ହେଲେ । ଶେଷରେ ଫକିରା ଭାବିଲା , ଛାଡ଼ ! ଦେଲେ ଦେବ ନହେଲେ ନାହିଁ । ସମସ୍ତଙ୍କୁ ପଚାରା ଗଲା ସେମାନେ କ'ଣ ଭାବୁଛନ୍ତି

? ଲୋକା କହିଲା , ଭୁବନେଶ୍ୱରରେ କାମ ନୁହେଁ ଆମେ ସମସ୍ତେ ପୁରୀ ଯିବା ଦୁଇଦିନ ରହିବା ତା'ହେଲେ ମଜା ଆସିବ ଆଉ ସବୁଦିନ କଥାଟା ମନେ ରହିବ । ସମସ୍ତଙ୍କ ମନକୁ କଥାଟି ପାଇଲା । ପୁରୀ କଥା ଶୁଣି ସୂର୍ଯ୍ୟ ତା'ର ସ୍ୱପ୍ନରେ ହଜିଗଲା । ରାକା ଚୁପ୍ ଥାଏ କାରଣ ସମୀର ତା'ର ରୁମମେଟ୍ ଆଉ ଦେବା ନୀରବ ରହିବାର କାରଣ ସମୀରକୁ ସିଏ ତା'ର ସବୁଠୁ ଭଲ ସାଙ୍ଗ ବୋଲି ଭାବେ । ଶେଷରେ ସମୀରକୁ ପଚରା ଗଲା , ସମସ୍ତେ ତା' ଆଡ଼କୁ ଚାହିଁଲେ ସମୀରର ପ୍ରତିକ୍ରିୟା ବିହୀନ ମୁହଁ ଦେଖି କେହି କିଛି କଳନା କରି ପାରୁ ନଥିଲେ ସମୀର ହଁ ଭରିବ କି ନାଁ ।


ସମୀର ଅନ୍ୟମନସ୍କ ଭାବେ କହିଲା , ହଉ ଠିକ୍ ଅଛି । ସମସ୍ତେ ଖୁସିରେ କୁଲୁରୀ ଉଠିଲେ ଓ ହୋ ! ଲୋକା ଦୌଡ଼ି ଆସି ସମୀରକୁ ଟେକି ଧରିଲା । ବାସ୍ ଶୁଭସ୍ଯ ଶୀଘ୍ରମ୍ । ତା' ପରଦିନ ଅଗାଧୁଆ ସବୁ ବାହାରି ପଡ଼ିଲେ , ସମୁଦ୍ର ସ୍ନାନ କରିବା ଉଦ୍ଦେଶ୍ୟରେ । ମେସରୁ ବାହାରିବା ଠୁ ଆରମ୍ଭ କରି ଗାଡ଼ି ଭଡ଼ା , ରହିବା , ଖାଇବା , ପିଇବା , ପାନ ଗୁଟଖା , ଅ ଠୁ କ୍ଷ ଯାଏଁ ସବୁ ଖର୍ଚ୍ଚ ସମୀରର । ସମୀର ଗୋଟିଏ ଛୋଟିଆ ବ୍ୟାଗ୍ କାନ୍ଧରେ ପକାଇ ଥିଲା , ସେଥିରେ ପଇସା ଆଉ ଏ.ଟି.ଏମ୍ କାର୍ଡ ଥିଲା । କଣ୍ଡକ୍ଟର ଆସିଲା ତ ଲୋକା ଦେଖେଇ ଦେଲା ହେଇ ଆମ ମେନେଜର୍ ବସିଛନ୍ତି , ଆମକୁ କିଛି କୁହନା । ସମୀର ସବୁ ଖର୍ଚ୍ଚ ପଦେ ବି ଶବ୍ଦ ଅପଚୟ ବିନା ଆଉ ମୁହଁରେ କୌଣସି ଅନୁସୋଚନା ବିନା ଖୁସିରେ ଖୁସିରେ ଖର୍ଚ୍ଚ କଲା ବରଂ ଅନ୍ୟମାନେ ସଂକୋଚ ଅନୁଭବ କରୁଥିଲେ ।


ବରମୁଣ୍ଡାରୁ ବସ୍ ଯୋଗେ ବାହାରିଲେ । ସୂର୍ଯ୍ୟ କହିଲା ଚାଲ୍ ଟ୍ରେନରେ ଯିବା ଅଧିକ ମଜା ହେବ । କୁଲୁ କହିଲା , ଧେତ୍ ଶଳା ! ତୋର ସବୁବେଳେ ଛୋଟ ଚିନ୍ତା ! ଟ୍ରେନରେ ଧକ୍କା ଖାଇ କିଏ ଯିବ ବେ ? ଆମ ପାଖରେ କ'ଣ ପଇସାର ଅଭାବ ? ହେ ହେ ହେ ! ଦଶଟା ଟୋକା ବସରେ ପାଖାପାଖି ହୋଇ ବସି ହେ ହେ ହୋଇଗଲେ , ଅନ୍ୟ ଯାତ୍ରୀମାନେ ବିରକ୍ତ ହେଉଥିଲେ ବି କିଛି କହିଲେ ନାହିଁ । ବି.କେ କଲେଜ ଆଗ ହୋଟେଲରୁ ଖାଇ ବାହାରିଥିଲେ ପୁରୀରେ ପହଞ୍ଚି ଆଗ ରାବିଡ଼ି ଲସି , ତା' ପରେ ଜଳଖିଆ ତା' ପରେ ହୋଟେଲରେ ବ୍ୟାଗ୍ ପତ୍ର ରଖି ଚାଲିଲେ ସମୁଦ୍ର କୂଳକୁ । ଧୂମ୍ ଗାଧୁଆ , ଗୋଡ଼ ଟଣା ଟଣି , ଠେଲାପେଲା ଫିଙ୍ଗାଫିଙ୍ଗି ଆଉ କୋଳାକୋଳି ହୋଇ ବିଭିନ୍ନ ଭଙ୍ଗିରେ ଫୋଟୋ ଉଠା । ତା' ପରେ ମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ ଆଉ ଅବଢ଼ା ଖିଆ । ପୁଣି ସନ୍ଧ୍ୟାକୁ ସମୁଦ୍ର କୁଳ ।


ସମୀରକୁ ଅଲଗା ଗୋଟିଏ କଡ଼କୁ ଡାକି ଲୋକା କହିଲା , ସମୀର ! ଚାଲୁନୁ ,ଆଗରେ ଥିବା ଏକ ବାର୍ କୁ ଆଙ୍ଗୁଳି ନିର୍ଦ୍ଦେଶ କରି । ସମୀର କହିଲା ଚାଲ୍ । ସମସ୍ତଙ୍କର ସେଇଟା ବାର୍‌ ରେ ପିଇବା ପ୍ରଥମ ଅନୁଭବ । କୁଲୁ ଆଉ ଲୋକା ଖୁସିହୋଇ ଆଉ ଲୋଭରେ ତିନି ତିନିଟା ଵିଅର ପିଇଗଲେ । ଲୋକା ବାର୍ ଆଉ ବିଅର୍ ନିଶାରେ ରେ ଅଭିଭୂତ ଆଉ ଉତେଜିତ ହୋଇ ରାଜା ମହାରାଜାଙ୍କ ଭଳି ୱଟେରକୁ ନିର୍ଦ୍ଦେଶ ଦେଉଥିଲା । ସମସ୍ତେ ପୁନଃ ସମୁଦ୍ର କୂଳକୁ ଫେରି ଆସି ବୁଲାବୁଲି କରି ରାତ୍ରି ଖାଇବା ସାରି ଆଗ ପଛ ହୋଇ ହୋଟେଲରେ ପହଂଚି ଆବିଷ୍କାର କଲେ ଲୋକା ନାହିଁ ! 


ରାତି ସେତେବେଳକୁ ଏଗାର ! ପୋଲିସର ଭୟ ଥିଲା ତେଣୁ ଦୁଇ ତିନି ଜଣିକା ଦଳ କରି ବାହାରି ଗଲେ ଖୋଜିବାକୁ । ଲୋକାଟାକୁ ଅଧିକ ନିଶା ହୋଇ ଯାଇଥିଲା , କେଉଁଠି କିଛି ଅଘଟଣ ଘଟିନି ତ ? ଏ ଆଶଙ୍କା ଆଉ ଭୟରେ ସମସ୍ତଙ୍କ ସବୁ ମଜା ପାଣି ହୋଇ ଯାଇଥିଲା । ଯୋଡ଼େ ତିନିଟା ପୋଲିସ ବାଟରେ ଖୋଜୁଥିବା ବେଳେ ଭେଟ ହେଲେ । ଖରାଦିନ ଥିଲା ବୋଲି ତଥାପି ଲୋକେ ବୁଲୁ ଥିଲେ ତେଣୁ ବିଶେଷ କିଛି ଅସୁବିଧା ହେଲାନି । ଅଧା ଘଣ୍ଟା ହୋଇଗଲା , ଜଣେ ଜଣକୁ ତୁହାକୁ ତୁହା ଫୋନ୍ କରି ପଚାରୁ ଥାଆନ୍ତି ଲୋକା ମିଳିଲା ? ଶେଷରେ ଫକିରା ଆଉ ରାକୁ ଚିନ୍ତା କଲେ ପୋଲିସକୁ ଜଣେଇବେ । ପୋଲିସ ସାଇରନ୍ ଆଉ ହୁଇସିଲ୍ ବଜେଇ ଲୋକମାନଙ୍କୁ ସମୁଦ୍ର କୂଳକୁ ବିଦା କରୁଥିଲେ । ଡ଼ରରେ ସେମାନଙ୍କ ଗୋଡ଼ ହାତ ଥରୁଥିଲା , ବାକି ମାନଙ୍କ ଅବସ୍ଥା ବି ଅଳ୍ପବହୁତେ ସମଦଶା ଥିଲା । 


ଫକିରା ଆଉ ରାକୁ ପୋଲିସ ଗାଡ଼ିକୁ ହାତ ଦେଖେଇବେ ବୋଲି ଭାବୁଛନ୍ତି ରାକେଶ ର ଫୋନ୍ ରିଙ୍ଗ୍ ହେଲା , ବିଜନର ଫୋନ୍ , ହେଲୋ.. ହଁ ବିଜନ ? ସେପଟୁ ବିଜନ କହିଲା , ଆବେ ଶଳା ! ଲୋକା ମିଳିଗଲା , ତୁମେ ହୋଟେଲ ଚାଲ ମୁଁ ଆଉ ଶିକନ ତାକୁ ନେଇ ଯାଉଛୁ ! ହେ ପ୍ରଭୂ ଜଗନ୍ନାଥ ! ରାକା ମୁହଁରୁ ବାହାରି ପଡ଼ିଲା , ଯିଏ ମନ୍ଦିର ଯିବାକୁ କୁନ୍ଥାଏ । ତଥାପି ରାକା ଆଉ ଫକିରା ଉତ୍କଣ୍ଠାବସତଃ ସେମାନେ ଆସୁଥିବା ଦିଗରେ ଦ୍ରୁତ ବେଗରେ ଚାଲିବାକୁ ଲାଗିଲେ । ବାକି ମାନେ ବି ସେଇଆ କଲେ । ପୂରା ଯାତ୍ରା କାଳରେ ସେହି ସମୟଟି ହିଁ ସବୁଠୁ ବଡ଼ ଖୁସିର ବେଳା ଥିଲା ।


ହୋଟେଲରେ ଲୋକାର ସାର୍ଟ ଖୋଲିଦେଇ ବିଛଣାରେ ଗଡ଼ାଇ ଦେଇ , ଲୋକା କେଉଁଠି କେଉଁ ଅବସ୍ଥାରେ ମିଳିଲା କଥାହେଲେ । ସୂର୍ଯ୍ୟ କହିଲା , ଶଳାଟା ! ପୁରୀ ହୋଟେଲ ସାମ୍ନାରେ ଥିବା ସମୁଦ୍ର କୂଳରେ ଯେଉଁ ପାଚେରୀ ଅଛି ତା ' ତଳେ ବାନ୍ତି ମେଞ୍ଚାଏ କରି ମୁହଁ ମାଡ଼ି ପଡ଼ିଥିଲା । ବୋଧହୁଏ ପାଚେରୀ ଉପରେ ବସିଥିଲା କି ଶୋଇଥିଲା କେତେବେଳେ ଗଳି ପଡ଼ିଥିବ , ଆଉ ତଳଟା ଅନ୍ଧାରିଆ ହୋଇ ଥିବାରୁ କାହାର ନଜର ପଡ଼ିନି ।


ସକାଳେ ସମସ୍ତେ ଶୋଇଛନ୍ତି , ଲୋକା ଉଠିପଡ଼ି ଜଣ ଜଣକର ପାଦ ଧରି କହୁଛି ଭାଇଲୋ ମୋର ବଡ଼ ଭୁଲ୍ ହୋଇଗଲା , କ୍ଷମା କରିଦେ ! ସମୀର ଯିଏ ଏବେ ଯାଏ ଚୁପ୍ ଥିଲା କହିଲା , ଶଳା ! ଭୁଲ୍ ହୋଇଗଲା । ଚାଲ୍ ଆଉ ତିନି ବୋତଲ ପିଆଇବି ଚାଲ୍ । ଶଳା ! ମାଗଣା ପାଇଲେ ତ ବିଷ ବି ପିଇଦେବୁ । ଲୋକା କାନ ଧରି କହିଲା , ଭାଇଲୋ ଜଗନ୍ନାଥଙ୍କ ରାଣ ଖାଇ କହୁଛି ଆଉ ସେ ଭୁଲ୍ କେବେ କରିବିନି । ସମସ୍ତେ ଲୋକାର ମୁହଁକୁ ଚାହିଁ ଆଉ ହସ ସମ୍ଭାଳି ପାରିଲେ ନାହିଁ ....ହେ ହେ ହେ ହୋ ହୋ ହୋ ..!


ସକାଳୁ ଜଗନ୍ନାଥଙ୍କୁ ଦୂରରୁ ମୁଣ୍ଡିଆଟିଏ ଲେଖାଁଏ ମାରି ଭୁବନେଶ୍ୱର ପାଇଁ ବସ୍ ଧରିଲେ ବାଟ ସାରା ହସ ଥଟା ମଜାକ୍ । ଗାଡ଼ି କେତେବେଳେ ଆସି ବରମୁଣ୍ଡାରେ ଲାଗିଲା କେହି ଜାଣି ପାରିଲେନି... ।


Rate this content
Log in

Similar oriya story from Action