ଦରିଆ ଦହନ
ଦରିଆ ଦହନ
ଗୁଡ଼େ କାଗଜ ଡଙ୍ଗା ଅବ୍ୟବହୃତ , ପୁଣି ଦେଖିନେଲା ସେ । ଅଛି ବ୍ୟବସ୍ଥିତ ଭାବରେ ତା' ସେଇ ଗାଢ଼ ସବୁଜ ରଙ୍ଗର ଗାନ୍ଧୀ ଝୁଲା ଭିତରେ । ଶୋଇଛି ଭିଡିମୋଡି ହେଇ ନୀରବରେ , ଯେମିତି କିଛି ଅସମ୍ପୂର୍ଣ୍ଣ ଆଶା । ପରିପୂର୍ଣ୍ଣତା ଦେହଳୀ ଛୁଇଁବା ପୂର୍ବରୁ ସମାଧି ନେଇଛନ୍ତି ।
ହଁ , ହୁଏତ ଏଇ ଡଙ୍ଗା ଗୁଡା କେଉଁ ଏକ ପାପୀ ମଣିଷର ବାଧ୍ୟତାମୂଳକ ପୁଣ୍ୟ ଫଳ ସାଇତି ନେଇ ପାନ ଗୁଆ ଭିତରେ ମେଲିଥାନ୍ତେ ନିଜର ଅଭିସାର । କେଉଁ ଅଜଣା ଆଦେଖା ପାଣି ଧାରରେ ।
ଶୀତୁଆ ସକାଳ ର ସୁନ୍ଦରୀ ଟେ ହୁଏତ ନିଜ ସଦ୍ୟ ତନ୍ଦ୍ରା
ଭାଙ୍ଗି , ମୁହଁରେ ନିରୁତା ହସ ଚହଟେଇ ଆସିଥାନ୍ତା ପ୍ରିୟ ସହ ଥିରିଥିରି କାର୍ତ୍ତିକବ୍ରତ ଉଦ୍ଜାପନ ପାଇଁ । ତା' ହାତରେ ଶୋଭା ପାଇଥାନ୍ତେ ଏଇ ଡଙ୍ଗା ରୁ ଯୋଡ଼େ । ଭରିଥାନ୍ତେ ବେପଥୁ ନିଜ ଚିତ୍ରିତ ଦେହରେ । ମହଣ ମହଣ ପୂଣ୍ୟ ଫଳ ଲଦି ନେଇ ଦେହରେ ହସିହସି ମେଲି ଥାନ୍ତେ ସୁଖ ଯାତ୍ରା କେଉଁ ଗୋଟେ ଅମୃତ ଧାରରେ । ସୁନ୍ଦରୀ ମେଞ୍ଚାଏ ଚୁଡ଼ି ପିନ୍ଧା ହାତରେ ବଡ଼ ସରାଗରେ ପାଣି ଆଞ୍ଜୁଳା ପେଲି ଦେଇ ମୁଣ୍ଡିଆ ମାରି କହିଥାନ୍ତା , ' ଆ , କା' ମା ...........' ସ୍ୱର ଲହରେଇ ।''
ନୋହିଲେ ହୁଏତ ବେପରୁଆ ସହରି ପୁଅ ଟେ ଧୂପ କାଠି ଗୋଟେ ଗେଂଜି , ନିଜ ପକେଟରେ ଉଷୁମ ଟାଣୁ ଥିବା ଲାଇଟରରେ ନିଆଁ ଟିକେ ଲଗେଇ ଭସେଇ ଥାନ୍ତା ଡଙ୍ଗା , ନିଜ ସୁଦୂର ପ୍ରେମିକାର ରାଣ ନିୟମ ମାନି , '' ପ୍ଲିଜ ହନୀ ଗୋ ଆଣ୍ଡ ଡୁ ଦି ରିଚୁଆଲ " , ହଁ ସହରୀ ପ୍ରେମିକା ଜିନ , ଟି ସାର୍ଟ ଭିତରେ ବି ଲୁଚିଥାଏ ଓଡ଼ିଆଣି ଟେ । ଶାମୁକା ଭିତରେ ମୁକ୍ତା ଭଳି । ଭାରି ସୁନ୍ଦରୀ , ସେଇ ପ୍ରେମିକା । ଅବଶ୍ୟ ସହରୀ ପୁଅ ର ନିଶା ଛାଡି ନଥାଏ ରାତିର । ସେ ଗାଏନି , '' ଆ , କା' , ମା' .............
ବା କେଉଁ ଗୋଟେ ଅସିଆ କାଳର ମସିଆ ବୁଢ଼ୀ ହବିଷ୍ୟାଳୀ ଟିଏ । ନିଜ ଅଭିଶପ୍ତ ଜୀବନ ର ବାକି ପାପ ତକ ଧୋଇବାର ଅଭିପ୍ରାୟ ନେଇ ବଡ଼ି ଭୋରୁ ଆସିଥାନ୍ତା କେନାଲ କୂଳକୁ ଏଇ ଡ଼ଙ୍ଗା ଟିଏ ହାତରେ ଧରି । ବୁଡ଼ ମାରିଥାନ୍ତା ଉଷୁମ ପ୍ରଭାତୀ ଜଳରେ ଆଉ ହରିନାମ ନେଇଥାନ୍ତା ତୁଣ୍ଡରେ । ବୃନ୍ଦାବତୀ ପାଖରେ ପଞ୍ଚ ମୁରୁଜ ଲେଖି ହାତ ଯୋଡ଼ିଥାନ୍ତା ଅଦୃଷ୍ଟ ପାଇଁ ।
ବିଶ୍ୱାସର ଗୋଟେ ନୂଆ ଅଧ୍ୟାୟ ଲେଖିଥାନ୍ତା , ଡଙ୍ଗା ଭିତରେ ନିଜର ଅସହାୟ ଜୀବନ ଯନ୍ତ୍ରଣା ଭରିଥାନ୍ତା , ଜଳାର୍ପଣ କରି ପୂଣ୍ୟ କିଛି ସଞ୍ଚିଥାନ୍ତା । ଆଶା କରିଥାନ୍ତା , '' ରାଧା ମାଧବ ହେ ' ଆର ବରଷକୁ ଆଉ ଏ ଦିହରେ ପ୍ରାଣ ନଥାଉ ହବିଷ ପାଇଁ । ''
ଏସବୁ ବ୍ୟତୀତ ଆହୁରି ଅଛନ୍ତି କିଛି ବ୍ୟତିକ୍ରମ। ସମାଜରେ ଧୋବ ଫରଫର ସାଜ ସଜ୍ଜିତ ହେଇ ସାଧୁସନ୍ଥ ଜୀବନ ଜୀଉଁଥିବା ଲୋକେ । ସେମାନେ କ'ଣ ପାପ କରନ୍ତି ?? ସେମାନେ ତ ସଂସାର ତ୍ୟାଗୀ , ମୁକ୍ତ ଆତ୍ମା । ତେବେ କାହିଁକି ପୁଣି ପାପବୋଧର କୁହେଳି ତାଙ୍କ ମନରେ । ଅବୋଧ୍ୟ ଲାଗେ ଏଇ ପ୍ରସଙ୍ଗ କିନ୍ତୁ ସେମାନେ ଯେବେ ପୂଣ୍ୟ ହାଟ କୁ ଆସନ୍ତି , ଏକୁଟିଆ ଆସନ୍ତି ନାହିଁ । ପଟୁଆର ଆସେ , ଘଣ୍ଟ ଘଣ୍ଟା , ତାଳ , ଖୋଳ ଭିତରେ ଝୁମି ଝୁମି । ହୁଏତ ଏଇ ଡଙ୍ଗା ମେଞ୍ଚାକ ଥାନ୍ତା ସେଇ ସାଧୁସନ୍ଥ ଙ୍କ ପଟୁଆର ଭିତରେ । ଗୋଟେ ସାମାଜିକ ପ୍ରତିଷ୍ଠା ପାଇଥାନ୍ତା , ଖବର କାଗଜ ର ପୃଷ୍ଠା ମଣ୍ଡନ କରିଥାନ୍ତା । ରୋଚକ ଉତ୍କଳୀୟ ପରମ୍ପରା ର ପ୍ରତୀକ ଭାବେ ଭବ୍ୟ ପରିଚିତି ପାଇଥାନ୍ତେ ।
ଏମିତି କିଛି ଭିନ୍ନ ଭାଗ୍ୟ ହେଇପାରିଥାନ୍ତା ଏଇ ନିସ୍ତୁପ ଡଙ୍ଗା ଗୁଡିକର । କିନ୍ତୁ ହେଇନି ସେମିତି କିଛି । ଏଗୁଡିକ ପୂର୍ଣ୍ଣତା ପାଇ ନାହାଁନ୍ତି । ଏଗୁଡିକ ଜଳ ସମାଧି ନେଵାର ମହାର୍ଘ ସୁଯୋଗ ରୁ ବଞ୍ଚିତ ହେଇଯାଇଛନ୍ତି ।
ଆଃ ! କିଏ କଲା ଏ ଅନ୍ୟାୟ ନିରୀହ ଡଙ୍ଗା ଗୁଡିକ ସହ । ନିର୍ଜୀବ ବୋଲି ଏଡ଼େ ହତାଦର କଲା । ନିଶବ୍ଦ ବୋଲି ଏତେ ଦୁଃଖ ଦେଲା । କାଶ ଶୁଣି ପାରନ୍ତେ କେହି ତାଙ୍କ କୋହ , ଦେଖିପାରନ୍ତେ କେହି ତାଙ୍କ ଲୁହ , ଅନୁଭବି ପାରନ୍ତେ ତାଙ୍କ ଦେହର ଦାହ ।
କେଡେ ବିକଳ ହେଇ ମୁକ୍ତି ଖୋଜୁଛନ୍ତି ସେମାନେ । ଟିକେ ଶୀତଳ ଜଳର ସ୍ପର୍ଶ ପାଇଁ ଆତୁର ହେଉଛନ୍ତି ସେମାନେ । କିନ୍ତୁ ନା ' କେହି ବୁଝିପାରୁ ନାହାଁନ୍ତି ।
--------------------------------
ସମ୍ବଲପୁର ର ଇପ୍ସିତ ଷ୍ଟେସନଟି ଏବେ ଆସିଗଲା । ଏଇନା ଯାତ୍ରା ଶେଷ କରିବାର ସମୟ । ସେ ଉଠିଲା ଝୁଲା ମୁଣିକୁ ହାତରେ ଧରି । ଡଙ୍ଗା ତକ ବି ତା' ସହ ଓଲ୍ହେଇ ଆସିଲେ ବିନା ପ୍ରତିବାଦ ରେ । ପଥ ପ୍ରାନ୍ତ ନାଟକ '' ଦରିଆ ଦହନ ''ର ସବୁଠାରୁ ମୂଲ୍ୟବାନ କଳାକାର ଗୁଡିକ ବଡ଼ ସୁନ୍ଦର ଲାଗୁଥିଲେ ସତେ ।
କେଡେ ବାଗରେ ଭସେଇ ଦେଉଛୁ ଆମେ ମୃଣ୍ମୟୀ ରୂପୀ କେବେ ମା' ଦୁର୍ଗା, କେବେ ଗଣେଶ, କେବେ କାର୍ତ୍ତିକ ପୁଣି କେବେ ଏଇ କାଗଜ ଡଙ୍ଗା । କେବେ ଭାବିନୁ କେତେ ଯନ୍ତ୍ରଣା ଦେଉଛୁ ଜଳଧାର ଗୁଡିକୁ ପ୍ରଦୂଷଣ ର ଲେଲିହାନ ଅଗ୍ନି ଶିଖା ଜଳେଇ । ଦଗ୍ଧୀଭୂତ କରୁଛୁ ବେଜାଏ ନିରୀହ ଜଳଚରଙ୍କ ଜୀବନ । ବେଜାଏ ରସାୟନ , ମେଞ୍ଚେ ଆବର୍ଜନା,ଶୋଲ , ପ୍ଲାଷ୍ଟିକ , କାଠି କୁଟା ର ମିଳିତ ଉଦ୍ୟମରେ ଜଳ ଧାରର କି ଯେ ଦୁର୍ଦ୍ଦଶା ଓଃ !............
କେବେ କହିଥିଲେ କି ଆମ ପ୍ରାଜ୍ଞ ପୂର୍ବଜ , ଭରିବାକୁ ଏଇ ଆବର୍ଜନା । ନା' ଗୋ , କଦଳୀ ପାଟୁକା ଟି ମାନ ଭସେଇ ଦେଉଥିଲେ ଶ୍ରଦ୍ଧାରେ । ସେଗୁଡିକ ଥିଲେ ପରିବେଶ କୁ ବଡ଼ ଅନୁକୂଳ । ପ୍ରଦୂଷଣ ଶବ୍ଦ ଟାଏ ନଥିଲା ତାଙ୍କ ଅଭିଧାନରେ ।
ଆଜି ଥୋକେ ପରିବେଶବିତ ଚିଲ୍ଲେଇ ଚିଲ୍ଲେଇ ଭାଷଣ ଦିଅନ୍ତି ଜଳ ସୁରକ୍ଷା ପାଇଁ । ସଚେତନ କରନ୍ତି ସାଧାରଣ ଲୋକକଙ୍କୁ , କିନ୍ତୁ ସେମାନେ ବି ପାପୀ ଗୁଡା ଏଇ ଅନୁଷ୍ଠାନ ଗୁଡିକ ପାଳନ୍ତି ବଡ଼ ଶ୍ରଦ୍ଧା ରେ । ତାଙ୍କ ହାତରେ ବି ଶୋଭା ପାଏ ଏମିତି ଅତ୍ୟାଧୁନିକ ଡଙ୍ଗା କାର୍ତ୍ତିକ ସକାଳୁ ।
ସଚେତନତା ଲୋଡ଼ା ତେଣୁ ଏଇ ପ୍ରୟାସ , ପଥପ୍ରାନ୍ତ ନାଟକ । ଆଉ ତା ସହ ବନ୍ଦୀ ଏଇ ଡ଼ଙ୍ଗା ମେଞ୍ଚାକ ; ପ୍ରତୀକାତ୍ମକ ସମିଧ ଗୁଡାକ ଦରିଆ ଦହନ ପାଇଁ । ଏଇଟା ଗୋଟେ ରୀତିମତ ଜୀବନ ସଂଘର୍ଷ , ଉଠେଇବାକୁ ଚେଇଁ ଶୋଇଥିବା ଆଧୁନିକ ମଣିଷ ଗୁଡାଙ୍କୁ । ସାରିବାର ନୁହେଁ ଏ ସଂଘର୍ଷ ତମାମ ଜୀବନ ଯେ ଯାଏଁ ସରିନି
ଦରିଆ ଦହନ।
ପୁଣ୍ୟ ଯଦି ଲୋଡ଼ା , ମଣିଷର ସୁରକ୍ଷା କର , ଆଉ ଏଇ ପ୍ରହସନ ରୋକ । ଡଙ୍ଗା ଟିଏ ଭସେଇ , ପୁଣ୍ୟ ସାଉଁଟିବାର ଛଳନା ମୁଲ୍ୟହୀନ । ବୁଝ ଆଉ ହେଜ ।.........
ତା' ସହ ବନ୍ଦୀ ଡ଼ଙ୍ଗା ଗୁଡାକ ପୃଥିବୀର ସବୁଠୁ ପୁଣ୍ୟବନ୍ତ । କାରଣ ସେଗୁଡିକ ମାନବ ସମାଜର ସମ୍ମିଳିତ ଉଦ୍ଧାର ପାଇଁ ବିସର୍ଜିତ ହେଇଛନ୍ତି ଚେତନାର ଅମୃତ ଧାରରେ ।