Kulamani Sarangi

Classics

4.6  

Kulamani Sarangi

Classics

ଧର୍ମ ବ୍ୟାଧ ଚରିତ

ଧର୍ମ ବ୍ୟାଧ ଚରିତ

5 mins
468



ପାଣ୍ଡବ ମାନଙ୍କ ବନବାସ ସମୟରେ ଥରେ ଋଷି ମାର୍କଣ୍ଡେୟ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଆସିଥିଲେ। କଥୋପକଥନ ଅବସରରେ ଯୁଧିଷ୍ଠିର, ସଂସାରରେ ନାରୀ ମାନଙ୍କର ତ୍ୟାଗ ବିଷୟରେ ବର୍ଣ୍ଣନା କରି ନାରୀ ଜାତିର ପ୍ରଶଂସାରେ ଶତମୁଖ ହୋଇ କହିଲେ ..ଭଗବନ୍ ! ବାସ୍ତବରେ ସଂସାରରେ ନାରୀ ମାନଙ୍କ କର୍ତ୍ତବ୍ୟବୋଧ ଓ ତ୍ୟାଗ ଅତୁଳନୀୟ। ବିବାହ ପରେ ପିତା ମାତାଙ୍କ ବାତ୍ସଲ୍ୟ ମମତାର ଛାୟା ନାରୀର ମଥା ଉପରୁ ଅପସରି ଯାଏ;ସବୁ ସ୍ନେହ ପ୍ରେମ ମମତା ଦେଇ ନିଜର ନୀଡ଼ ଗଢିବା ସମୟରେ ନିଜର ସବୁ ସୁଖ ଶାନ୍ତି ଜଳାଞ୍ଜଳି ଦେଇ ନାରୀ ପ୍ରୟାସ କରେ ତା'ର ସୁନ୍ଦର ସଂସାର ସୃଷ୍ଟି କରିବା ପାଇଁ।ପୁରୁଷ, ସନ୍ତାନର ପିତା ବୋଲାଏ କିନ୍ତୁ ଦଶମାସ ଦଶଦିନ ସନ୍ତାନକୁ ଗର୍ଭରେ ଧାରଣ କରେ ନାରୀ;ଶିଶୁର ଅଳି ଅର୍ଦ୍ଦଳି ସହେ। ସନ୍ତାନ ସଂସାରରେ ଭଲ ମଣିଷଟିଏ ହୋଇ ଠିଆହେବାରେ ନାରୀର ଭୂମିକା ଅଧିକ।

ସର୍ବଂସହା ହୋଇ ସେ ସବୁ ଅଳିଅର୍ଦ୍ଦଳି ସହ୍ୟକରେ;ଅବିବେକୀ ସ୍ବାମୀ ର ଅତ୍ୟାଚାର ମଧ୍ୟ ସହ୍ୟକରେ।ମିଛରେ ସଂସାର ଯେବେ ତାର ଚରିତ୍ର ସଂହାର କରେ,ମଥାପାତି ସହିନିଏ ସେ। ସମାଜରେ କର୍ତ୍ତବ୍ୟ-କର୍ମର ପାଳନ, ନାରୀ ହିଁ ଠିକ୍ ଭାବରେ କରେ। କ୍ରୋଧ ତା ମନକୁ ସ୍ପର୍ଶ କରେନାହିଁ।" 


ଯୁଧିଷ୍ଠିରଙ୍କଠାରୁ ଏହା ଶୁଣି ମାର୍କଣ୍ଡେୟ କହିଲେ .. ଧର୍ମପୁତ୍ର ! ତୁମେ ଠିକ୍ କହିଛ,ତେବେ କର୍ତ୍ତବ୍ୟ-କର୍ମ ପାଳନ ସମ୍ବନ୍ଧରେ ମୁଁ ତୁମକୁ ଗୋଟିଏ ଘଟଣା କହୁଛି ଶୁଣ ....


ପୁରାତନ କାଳରେ କୌଶିକ ନାମରେ ଜଣେ ବ୍ରାହ୍ମଣ ଥିଲେ।ଘୋର ବ୍ରହ୍ମଚର୍ଯ୍ୟ ପାଳନ ଓ ତପସ୍ୟା କରି ଅଲୌକିକ ଶକ୍ତି ଲାଭ କରିବାପାଇଁ ସେ ବନକୁ ଯିବାପାଇଁ ବାହାରିଲେ। ଏହା ଦେଖି ତାଙ୍କର ବୃଦ୍ଧ ମାତାପିତା କହିଲେ ...ପୁତ୍ର ! ତୁମେ ଆମର ଏକମାତ୍ର ସନ୍ତାନ;ତୁମେ ଚାଲିଗଲେ ଆମର ସେବା କିଏ କରିବ ?ସଂସାର ଭିତରେ ରହି ମଧ୍ୟ କର୍ମଯୋଗୀ ହୋଇ ତୁମେ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିପାରିବ ! "

କୌଶିକ, ପିତା ମାତାଙ୍କ କଥା ନ'ଶୁଣି ତପସ୍ୟା ପାଇଁ ଅରଣ୍ୟକୁ ଚାଲିଗଲେ।


ଘୋର ତପସ୍ୟା କରି ସେ ଅନେକ ଅଲୌକିକ ଶକ୍ତିର ଅଧିକାରୀ ହେଲେ।ନିଜର ଇନ୍ଦ୍ରିୟ ମାନଙ୍କୁ ତପସ୍ୟା ଦ୍ବାରା ଆୟତ୍ତାଧୀନ କରିପାରିଛନ୍ତି ବୋଲି ତାଙ୍କର ମିଥ୍ୟା ଧାରଣା ହେଲା। ଦିନେ କୌଶିକ ନିଜ ଆଶ୍ରମରେ ,ଗୋଟିଏ ବୃକ୍ଷ ମୂଳରେ ବସି ତପସ୍ୟା କରୁଥିଲେ।ତାଙ୍କ ମୁଣ୍ଡ ଉପରେ, ସେହି ବୃକ୍ଷ ଡାଳରେ ଗୋଟିଏ ବକପକ୍ଷୀ ବସିଥିଲା। ପ୍ରକୃତି ଡାକରାରେ ବକ'ଟି ଋଷିଙ୍କ ମୁଣ୍ଡରେ ମଳତ୍ୟାଗ କରିଦେଲା।ମହା କ୍ରୋଧରେ ଜର୍ଜରିତ ହୋଇ ଋଷି ବୃକ୍ଷରେ ବସିଥିବା ବକକୁ ଚାହିଁ ଦେଲେ;କ୍ରୋଧ ଅଗ୍ନିରେ ଜଳିଯାଇ ବକ'ଟି ମୃତ ହୋଇ ତଳେ ପଡ଼ିଗଲା।ମୃତ ବକଟିକୁ ଦେଖି କୌଶିକଙ୍କ ମନରେ ଟିକିଏ ଦୁଃଖ ଆସିଲା।କ୍ଷଣକୋପରୁ ଏହା ଘଟିଥିବାରୁ ସେ ନିଜକୁ ଦୋଷୀ ମନେ କଲେ। କିନ୍ତୁ କିଛି ସମୟ ପରେ ଯେତେବେଳେ ନିଜ ତପୋଶକ୍ତିର ପ୍ରଭାବରେ ଏହା ହୋଇଛି ବୋଲି ହୃଦୟଙ୍ଗମ କଲେ, ସେତେବେଳେ ତପସ୍ୟା-ଲବ୍ଧ ସଫଳତା ପାଇଁ ମନରେ ତାଙ୍କର ଗର୍ବ ଆସିଲା। 


ଯେଉଁମାନଙ୍କର ତପୋବଳ, ସେମାନଙ୍କ ଇଚ୍ଛାକୁ ଏଭଳି ପୂର୍ଣ୍ଣ କରିପାରେ, ସେମାନେ ସାବଧାନ ହେବା ଉଚିତ। ଇନ୍ଦ୍ରିୟମାନଙ୍କ ଉପରେ ଆୟତ୍ତ ନଥିବା ବ୍ୟକ୍ତି ହାତରେ ଏହି ପ୍ରକାର ଶକ୍ତି ବା ଅଧିକାର "ପାଗଳ ହାତରେ ନିଆଁ ଖପରା"ଭଳି କାମକରେ। ଶକ୍ତିର ଦୁରୁପଯୋଗ ସମାଜ ପାଇଁ କ୍ଷତି କାରକ।


ଦିନେ କୌଶିକ ଚିରାଚରିତ ଭାବେ ଭିକ୍ଷା ମାଗିବା ପାଇଁ ନଗରକୁ ଗଲେ।ଜଣେ ଗୃହିଣୀଙ୍କ ଦ୍ଵାରରେ ପହଞ୍ଚି ସେ ଭିକ୍ଷା ପାଇଁ ଅପେକ୍ଷା କଲେ। ଗୃହିଣୀ କହିଲେ .. ଗୋସେଇଁ ! ମୁଁ ଗୃହ କାର୍ଯ୍ୟରେ ବ୍ୟସ୍ତ ଅଛି,ଅଳ୍ପ ସମୟ ଅପେକ୍ଷା କରନ୍ତୁ। କୌଶିକ ଅପେକ୍ଷା କଲେ। କିଛି ସମୟ ପରେ ଗୃହସ୍ବାମୀ ଘରକୁ ଫେରିଲେ।ତାଙ୍କ ଖାଇବା ପିଇବା ବ୍ୟବସ୍ଥା କରିବା ପରେ ପୁଅଟି ବାହାରୁ ଆସିଲା।ପୁଅର ସ୍ନାନ ଇତ୍ୟାଦି କାମ ଶେଷ କରି ତାର ଖାଇବା ପିଇବା ବ୍ୟବସ୍ଥା କରୁ କରୁ ଋଷିଙ୍କୁ ଭିକ୍ଷା ଦେବାରେ ଡେରି କରିଦେଲେ ସେ ଗୃହିଣୀ।


ପ୍ରଚଣ୍ଡ କ୍ରୋଧରେ କୌଶିକ କହିଲେ ...ହେ ନାରୀ ! ତୁମେ ମୋତେ ଏତେ ସମୟ ଅପେକ୍ଷା କରାଇ ସ୍ବାମୀ ଓ ପୁତ୍ରର ସେବାରେ ବ୍ୟସ୍ତ ରହିଛ,ଏହା କଣ ଉଚିତ ?"

ଗୃହିଣୀ କହିଲେ .. କ୍ରୋଧ କରନ୍ତୁ ନାହିଁ ବ୍ରାହ୍ମଣ ଦେବତା। କ୍ରୋଧ ନର୍କର ଗୋଟିଏ ଦ୍ବାର ସହିତ ସମାନ। ମୁଁ ମୋର ସାଂସାରିକ କର୍ତ୍ତବ୍ୟ ପାଳନ କରୁଥିଲି। ମନେରଖନ୍ତୁ,ମୋ ସ୍ବାମୀ ଏବଂ ସନ୍ତାନଙ୍କ କଥା ବୁଝିବା ମୋର ପ୍ରଥମ କର୍ତ୍ତବ୍ୟ।ଆପଣଙ୍କ କ୍ରୋଧରେ ମୃତ୍ୟୁ ବରଣ କରିଥିବା ବକ ଭଳି ମୁଁ ନୁହେଁ ଯେ ଆପଣ ମୋତେ କ୍ରୋଧରେ ଚାହିଁଲେ ମୁଁ ଜଳିଯିବି।"


କୌଶିକଙ୍କ କ୍ରୋଧ ହଠାତ୍ ନିଆଁ ରେ ପାଣି ପକାଇଲା ଭଳି ନିର୍ବାପିତ ହୋଇ ଗଲା;ମନେ ମନେ ଭାବିଲେ ..ଏ' କିପରି ଜାଣିଲେ ମୋ କ୍ରୋଧାନଳରେ ବକ ଭସ୍ମିଭୂତ ହୋଇଛି ବୋଲି !! ଆବେଶରେ ଆସି ବିବେକ ଦଂଶନ କରିଥିବା କାମକୁ ମୁଁ ତ ମନେମନେ ଦୁନିଆଁ ଠାରୁ ଲୁଚେଇ ରଖିଛି।"


କୌଶିକ ବୋଧହୁଏ ବୁଝି ପାରିନଥିଲେ ଯେ ଅପକର୍ମ କେବେହେଲେ ଲୁଚି ରହେନାହିଁ,ତୁଣ୍ଡ ବାଇଦ ପରା ସହସ୍ର କୋଶ।

ଗୃହିଣୀ ଜଣକ କହିଲେ ..ହେ ବ୍ରାହ୍ମଣ ଗୋସାଇଁ ! ଆପଣ ଆଜିଯାଏ ସନ୍ୟାସୀର ଜୀବନ ବିତାଇଛନ୍ତି, ତେଣୁ କର୍ତ୍ତବ୍ୟ-କର୍ମ କଣ ଜାଣି ନାହାନ୍ତି। ଯେଉଁ ସମୟରେ ଆପଣଙ୍କ ବୃଦ୍ଧ ପିତା-ମାତାଙ୍କର ସେବା ଆବଶ୍ୟକ ସେତେବେଳେ ଆପଣ ସେମାନଙ୍କୁ ଅସହାୟ ଅବସ୍ଥାରେ ଛାଡି ଅରଣ୍ୟରେ ତପସ୍ୟା କରୁଛନ୍ତି।  କ୍ରୋଧ ଯେ ମନୁଷ୍ୟର ସଂସାରରେ ପରମ ଶତ୍ରୁ,ଏହା ଆପଣ ହୃଦୟଙ୍ଗମ କରି ନାହାନ୍ତି। କ୍ରୋଧ ଉପରେ ଆପଣ ନିୟନ୍ତ୍ରଣ ନ'ରଖିଲେ, ଆପଣଙ୍କ ତପସ୍ୟା-ଲବ୍ଧ ଶକ୍ତି ଓ ଜ୍ଞାନ ମୂଲ୍ୟହୀନ; ବରଂ ତାହା ଆମ୍ଭମାନଙ୍କ ଭଳି ସଂସାରୀ ମାନଙ୍କର ଅମଙ୍ଗଳ କରିବ।ଆପଣ ମିଥିଳାର ଧର୍ମବ୍ୟାଧଙ୍କ ନିକଟକୁ ଯାଆନ୍ତୁ, ସଂସାରରେ କିପରି ଉତ୍ତମ ଜୀବନ ଯାପନ କରାଯାଏ, ତାଙ୍କଠାରୁ ଶିକ୍ଷା ଲାଭ କରିବେ; ତାହା ଆପଣଙ୍କର ତଥା ସମାଜର ମଙ୍ଗଳ ବିଧାନ କରିବ।


ସେହି ଗୃହିଣୀଙ୍କ ଉପଦେଶ ମାନି କୌଶିକ ମିଥିଳା ଅଭିମୁଖେ ଯାତ୍ରା କଲେ।ସେ ଭାବିଥିଲେ,ଧର୍ମବ୍ୟାଧ ନଗର ଉପକଣ୍ଠରେ ଏକ ଶାନ୍ତିପୂର୍ଣ୍ଣ ପରିବେଶରେ ନିଜ ଆଶ୍ରମରେ ଅବସ୍ଥାନ କରୁଥିବେ। କିନ୍ତୁ ଏ କ'ଣ !, ଠିକଣା ପଚାରି ପଚାରି ସେ ଯେଉଁଠାରେ ପହଞ୍ଚିଲେ ତାହା ଏକ କଂସେଇ ଖାନା। ସେଠାରେ ଯେଉଁ ବ୍ୟକ୍ତି ମାଂସ ବିକ୍ରୀ କରୁଥିଲା, ସେ ହିଁ ଧର୍ମବ୍ୟାଧ। ମାଂସ ଦୋକାନ ଵାହାରେ ଠିଆ ହୋଇ କୌଶିକ ଚିନ୍ତା କଲେ... କାହିଁକି ମୁଁ ଏଠାକୁ ଆସିଲି ! ଏ କଂସେଇ ମତେ ସାଂସାରିକ କର୍ତ୍ତବ୍ୟ ବିଷୟରେ କ'ଣ ଶିକ୍ଷା ଦେବ !! ମାଂସ ଦୋକାନପ୍ରତି ଘୃଣାପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରି ଠିଆ ହୋଇଥିବା ବ୍ରାହ୍ମଣଙ୍କୁ ଦେଖି ଧର୍ମବ୍ୟାଧ କହିଲେ..ମହାଭାଗ ! ଆପଣଙ୍କୁ ବୋଧହୁଏ ସେହି କର୍ମଯୋଗୀ ବିଦୂଷୀ ବ୍ରାହ୍ମଣ ମହିଳା ମୋ ପାଖକୁ ପଠାଇଛନ୍ତି;ଆପଣ କିଛି କ୍ଷଣ ଅପେକ୍ଷା କରନ୍ତୁ,ମୋ ଗ୍ରାହକ ମାନଙ୍କ କଥା ପ୍ରଥମେ ବୁଝି ମୁଁ ଆପଣଙ୍କ ପାଖକୁ ଆସିବି।"


କୌଶିକ ଅପେକ୍ଷା କଲେ।ନିଜ କୌଳିକ କର୍ମ ଶେଷକରି ଧର୍ମବ୍ୟାଧ କୌଶିକଙ୍କ ସହିତ ନିଜ ଘରକୁ ଫେରିଲେ।ଘରେ ପହଞ୍ଚି ସେ ପ୍ରଥମେ ବୃଦ୍ଧ ପିତା ମାତାଙ୍କ ସେବାରେ ଲାଗିଗଲେ। ସେମାନଙ୍କ ଗାଧୁଆ ପାଧୁଆ ଖିଆପିଆ କଥା ବୁଝି ବ୍ରାହ୍ମଣ ଅତିଥିଙ୍କ ପାଇଁ ଫଳାହାରର ବ୍ୟବସ୍ଥା କଲେ। ତା'ପରେ ପରିବାର ବର୍ଗଙ୍କ ସହିତ ବସି ଆନନ୍ଦରେ ଭୋଜନ ସମାପ୍ତ କଲେ।ଭୋଜନ ପରେ ସନ୍ତାନ ସନ୍ତତିଙ୍କ ସହିତ ବସି ଆନନ୍ଦରେ ସମୟ ବିତାଇଲେ। ଏଭଳି ଏକ ସୁଖୀ ସଂସାର ଦେଖି କୌଶିକ ଆଶ୍ଚର୍ଯ୍ୟ ହୋଇଗଲେ। କୌଶିକ ଲକ୍ଷ୍ୟକଲେ ଯେ କୌଳିକ କର୍ମଠାରୁ ଆରମ୍ଭ କରି ସାଂସାରିକ ଜୀବନର ପ୍ରତିଟି କର୍ମ ନିର୍ବାହ କରିବା ସମୟରେ ଧର୍ମବ୍ୟାଧଙ୍କ ଠାରେ କ୍ରୋଧ,ଲୋଭ,ମୋହ, ଅସୂୟା, ଇତ୍ୟାଦି ଭାବ ନଥିଲା।ଆବେଶ ବିହୀନ ଭାବରେ, ଯାହା ପରେ ଯେଉଁ କାମ କରିବା କଥା, ସେ ସବୁ କାମ ଏପରି କରିଯାଉଥିଲେ ଯେପରି ତାଙ୍କ ମନ, ପଦ୍ମପତ୍ରରେ ରହିଥିବା ଜଳପରି ନିର୍ଲିପ୍ତ।ତାଙ୍କଠାରେ କ୍ରୋଧର ଚିହ୍ନବର୍ଣ୍ଣ ନଥିଲା।

 

କୌଶିକ ବୁଝିପାରିଲେ, କାହିଁକି ସେ ଧର୍ମବ୍ୟାଧ ନାମରେ ପରିଚିତ। ସଂସାରରେ ଜୀବନ ନିର୍ବାହ କରିବାପାଇଁ କେଉଁ କାମ ବଡ଼ ବା ଛୋଟ ନୁହେଁ।ନିଜ କୌଳିକ କର୍ମକୁ ସୁଚାରୁରୂପେ ପାଳନ କରିବା ହିଁ ପ୍ରକୃତ ସାଂସାରିକ ଧର୍ମ।କର୍ମଯୋଗ ସାଧନା ପାଇଁ ଅରଣ୍ୟରେ ତପସ୍ୟା କରିବାର ଆବଶ୍ୟକତା ନାହିଁ। କାମନା ରହିତ କର୍ତ୍ତବ୍ୟ-କର୍ମ ହିଁ ଶ୍ରେଷ୍ଠ ଯୋଗ ଭାବରେ ପରିଗଣିତ। ଅରଣ୍ୟ ଭିତରେ ହଠଯୋଗ ସାଧନା କରି ଇନ୍ଦ୍ରିୟ ମାନଙ୍କୁ ସଞ୍ଜମ ନକରିବାଠାରୁ ସଂସାରରେ ରହି କର୍ତ୍ତବ୍ୟ କର୍ମ ପାଳନ କରି ରାଗରହିତ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ ଶ୍ରେୟସ୍କର।


କୌଶିକ ମହାନ ଶିକ୍ଷା ପାଇ କ୍ରୋଧ, ଅହଂକାର ଓ ଆବେଶ ଉପରେ ଅଙ୍କୁଶ ଲଗାଇଲେ। ନିଜର ପ୍ରଥମ କର୍ତ୍ତବ୍ୟ ପିତାମାତାଙ୍କ ସେବା ବୋଲି ହୃଦୟଙ୍ଗମ କରି ସେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କଲେ।


ଏହି ବାର୍ତ୍ତା ମଧ୍ୟ ଶ୍ରୀମଦ୍ଭଗବତ୍ ଗୀତା,ଅଷ୍ଟାଦଶ ଅଧ୍ୟାୟ (ଶ୍ଳୋକ ୪୫'୪୬)ରେ ପ୍ରତିଫଳିତ; ଯେଉଁ କର୍ମ ପରମେଶ୍ବରଙ୍କ ଦ୍ବାରା ଆମପାଇଁ ଅଭିପ୍ରେତ,ସେ କର୍ମ ଛୋଟ ହେଉ ବା ବଡ଼,ତାକୁ ଅଗ୍ରାଧିକାର ଦେଇ ସମ୍ପାଦନ କରିବା ଭଗବତ୍ ପ୍ରାପ୍ତି ସହିତ ସମାନ।

ପବିତ୍ର ଗୀତାର ତୃତୀୟ ଅଧ୍ୟାୟ, ୩୫ତମ ଶ୍ଲୋକରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି... କୌଣସି କର୍ମ ଛୋଟ ବା ବଡ ନୁହେଁ।କର୍ମ ହେଉଛି ଧର୍ମ;ପରଧର୍ମ ଯେତେ ବଡ ହେଲେ ମଧ୍ୟ ସ୍ବଧର୍ମକୁ ତ୍ୟାଗ କରି ସେଥିପ୍ରତି ଲାଳାୟିତ ହେବା ଉଚିତ ନୁହେଁ।" 

କର୍ମଯୋଗର ଏହି ମହାନ ବାଣୀ ମହାଭାରତ'ର ଧର୍ମବ୍ୟାଧ ଚରିତରେ ପ୍ରତିଫଳିତ। 




Rate this content
Log in

Similar oriya story from Classics