ଧୋକା
ଧୋକା
ତୁମେ କୁଆଡେ ଗଲ, ଖୋଜୁ ଖୋଜୁ ମୋର ସମସ୍ତ ସମୟ ବ୍ୟତୀତ ହୋଇଗଲା, ହଁ ସେହି ସମୟ ଗୋଟିଏ ଜୀବନ କହି ପାରିବ, ଆଜିକୁ ପନ୍ଦର ବର୍ଷ ହେଲାଣି ସେହି ବେଳାଭୂମି କୁଳ,ସେହି ମୁହୂର୍ତ୍ତ,ସେହି ଆସ୍ତଗାମୀ ପ୍ରଭା, ଆଉ ମୁଁ କିନ୍ତୁ ତୁମେ ଫେରି ନାହଁ, ସେହି ଝାଲ ମୁଢ଼ି ପୁଡିଆ ଧରେଇ ଦେଇ ଯାଇଥିଲ ଆସୁଛି କହି ହେଲେ ଆସିଲନି, ଦିନ ପରେ ରାତି ଆଉ ରାତି ପରେ ଦିନ ମୁଁ ଅପେକ୍ଷା କରିଲି ସାକ୍ଷୀ କେବଳ ସେହି ବେଳା ଭୂମି। କିନ୍ତୁ ଏହି କିଛି ସମୟ ମତେ ସଜେଇ ଦେଲା ପାଗେଳୀ
ହଁ ଠିକ୍ ଶୁଣିଲ।
ତୁମକୁ ବିଶ୍ୱାସ କରିବା ଭୁଲ୍ ଥିଲା ମୋର ସତରେ,ଭଲ ଛାତ୍ରୀ ରୁ ମୁଁ ଜଣେ ସରକାରୀ ଶିକ୍ଷକ ଚାକିରି ପାଇ ନୂଆ କରି ଯୋଗ ଦେଇଥିଲି ପୁରୀରେ, ହଁ ଏହି ବେଳାଭୂମିରେ ଦେଖା ଆମର ଯଦିଓ ତମର ନିର୍ମଳ ଭାବ ମୂର୍ତ୍ତିରେ ଥିବା ମଇଳା ମୁଁ ଜାଣି ପାରୁ ନଥିଲି କିନ୍ତୁ ଜାଣିଲା ପରେ ମଧ୍ୟ କଣ ହେଲା, ହଁ ମତେ ଲୋକ ମୁଣ୍ଡ କାମ କରୁନି ଆଦି କହିଲେ , ଛାଡ଼ ଭାବୁକ ହୋଇ ଯାଏ ମୁଁ ସେହି ସବୁ ଭାବିଲେ, ଏବେ ମଧ୍ୟ ମନେ ପଡ଼ିଯାଏ ମୋର ତମେ ମତେ ପ୍ରେମରେ ଏମିତି ବାନ୍ଧିଦେଲ ଯେ ମୁଁ ଦେଖି ପାରି ନଥିଲି ମୋର ପ୍ରିୟ ବାନ୍ଧବୀ ମଧ୍ୟ ତୁମ ପ୍ରେମରେ ଉବୁଟୁବୁ, ଇସ୍ ଯେତେବେଳେ ଦେଖିଲି ସେତେବେଳେ ନେଡି ଗୁଡ଼ କହୁଣି କୁ ବହି ସାରିଥିଲା, ବାନ୍ଧବୀ ମୋର ଛଡାଇ ନେଇଛି ତମକୁ କହି ଦୋଷାରୋପ କରିଲା ମତେ। ଆଉ ସେହି ବେଳାଭୂମି ଯେଉଁଠି ଆମେ ସବୁଦିନ ଦେଖା ହେଉ ସେଇଠି ବସିଲେ ଆମେ, କିଛି ପ୍ରଶ୍ନ ମୁଁ ପଚାରିଲି ଆଉ ତାର ଉତ୍ତର ଅଣଶୁଣା କରି ଦେଇ ତମେ ମୋର ପ୍ରିୟ ଝାଲ ମୁଢ଼ି ତିଆରି କରି ମୋ ହାତରେ ଧରେଇ ବାହାରିଗଲ ଆଉ ଆସିଲେ ସବୁ ପ୍ରଶ୍ନର ଉତ୍ତର ରଖିବ କହିଲ। ଆଉ ସେହି ଉତ୍ତର ଟିକକ ପାଇଁ ଅପେକ୍ଷା କରିଛି ମୁଁ ଦୀର୍ଘ ପନ୍ଦର ବର୍ଷ ହେଲା, ଲୋକ କୁହନ୍ତି, ଭଲ ମହିଳା ଜଣେ କିନ୍ତୁ ପ୍ରେମରେ ଧୋକା ଖାଇ ମୁଣ୍ଡ ଟିକିଏ ଖରାପ୍ ହୋଇ ଯାଇଛି ତାଙ୍କର।ହେଲେ ମୁଁ ମାନେନି ମୁଁ ଧୋକା ଖାଇଛି। ହଁ ବିବାହ କରିଲି ନାହିଁ,ସେଥି ପାଇଁ ବାପା ମା ଭାଇ ସମ୍ପର୍କ ତୁଟେଇ ଦେଲେ ମୋ ସହ ତଥାପି ଦୁଃଖୀ ନୁହେଁ ମୁଁ, ସ୍କୁଲ ଯାଏ ଆସେ ନିତ୍ୟକର୍ମ କରେ ଶେଷରେ ଏହି ବେଳାଭୂମି କୂଳରେ ବସେ ତମ ଅପେକ୍ଷାରେ ନା ନା ମୋ ଉତ୍ତର ଅପେକ୍ଷାରେ,
ଆଜି ଅନେକ ଦିନ ପରେ ତୁମକୁ ଦେଖିଲି ବାର ବର୍ଷର ପୁଅ ଆଉ ମୋର ପ୍ରିୟ ବାନ୍ଧବୀ ସହ , ତୁମର ସୁଖୀ ସଂସାର ଦେଖି ପନ୍ଦର ବର୍ଷର ଉତ୍ତର ପାଇଗଲି ମୁଁ, ଆଖିରୁ ଅଜାଣତରେ ଦୁଇ ଟୋପା ଲୁହ ଗଡି ଆସିଲା ଆଉ ଆଜି ମୁଁ ସତରେ ନିଶ୍ଚିତ ହୋଇ ଗଲି ମୁଁ ଧୋକା ଖାଇଛି। ଆଜି ସତରେ ଲାଗୁଥିଲା ସମୟ ସରି ଯାଇଛି ଆଉ ମୁଁ ହରେଇ ଦେଇଛି ମୋ ପ୍ରିୟ ଜନଙ୍କୁ ତମ ଏହି ଉତ୍ତର ଅପେକ୍ଷାରେ ,ନା ନା ମୋ ଅଯଥା ଜିଦ୍ ପାଇଁ, ହଁ ଆଜି ବିଶ୍ୱାସ ହେଲା ମୁଁ ପାଗେଳୀ କାରଣ ମୁଣ୍ଡ କାମ କରୁଥିଲେ ପନ୍ଦର ବର୍ଷ ଜଣେ ପନ୍ଦର ଦିନିଆ ଅତିଥି ପାଇଁ ବିତେଇ ଥାନ୍ତି କିଭଳି... ଆଜି ଇଛା ହେଉନି ଘରକୁ ଫେରି ଯିବାକୁ, ସମୁଦ୍ର ବେଳାଭୂମି ରୁ ଖୁବ୍ ସୁନ୍ଦର ଦିଶୁଛି। ଆଉ ଲାଗୁଛି ସେ ହାତ ଠାରି ଡାକୁଚି..ମନ ଲୋଭା ପାଣି,ସୁନ୍ଦର ଦୃଶ୍ୟ ଆଉ ଚତୁର୍ଦ୍ଦିଗ ଜଳମୟ,ମୋ ସମସ୍ତ ଶରୀର କୁ ଜଳ ଆବୃତ କରୁଛି, ଲାଗୁଛି ଅନେକ ଦିନ ପରେ ମୋ ଦେହରେ ମାଦକତା ଭରିଛି। ସୁଖ ମିଳୁଚି ଓଃ ପାଣି ମୋ ମୁଣ୍ଡ ଉପରେ ଚଢ଼ି ଯାଉଛି ମତେ ଲାଗୁଚି ମୁଁ ଗୋଟିଏ ଅପୂର୍ବ ଶାନ୍ତି ଆଡ଼କୁ ଅଗ୍ରସର ହେଉଛି,ଚକ୍ଷୁ ବନ୍ଦ ହେଇ ଯାଉଛି ।
ଶାନ୍ତି ଶାନ୍ତି କେବଳ ଶାନ୍ତି....
ଆରେ ଏ କଣ ମୁଁ ଦେଖି ପାରୁଛି ମୋ ଶରୀର ଧୀରେ ଧିରେ ଭାସି ଉପରକୁ ଆସୁଛି ତେବେ ମୁଁ କଣ ମୃତ,ହସିବାକୁ ଇଛା ହେଉଛି, ଖୁସି ଲାଗୁଚି,ମୋ ଭଳି ମୂର୍ଖ, ଜିଦ ଖୋର ଝିଅ କୁ ଏଇଟା ଦରକାର। ଲୋକ ମାନେ ମୋର ଶରୀରକୁ ପାଣିରୁ ଛାଣି ଆଣିଲେ , ଲୋକ ବଢ଼ୁଛନ୍ତି
ଆରେ ତମେ ଆସୁଛ ମୋ ମର ଶରୀର ପାଖକୁ,ହଁ ମତେ ଚିହ୍ନି ପାରିବ ତ?? ହଁ ପନ୍ଦର ବର୍ଷ ବିତି ଯାଇଛି, ଚିହ୍ନି ପାରିଲ ନା ମତେ, ଆରେ ମୋ ଅଲୁଲାୟୀତ କେଶ ରାଶି କୁ ଏଡେଇ ଥରେ ଦେଖନା ଠିକ୍ ସେମିତି ଯେମିତି ତମେ ଦେଖୁଥିଲ ବେଳାଭୂମିରେ।
ନା ତମେ ମଧ୍ୟ ସେହି ଶୁଣା କଥା ସେହି ପାଗଳ ମାଷ୍ଟରାଣୀ ମରିଗଲା ଡେଇଁ କି" ବିଶ୍ୱାସ କରି ଚାଲିଗଲ ମୋର ଉଙ୍କି ମାରୁଥିବା ଶେଷ ଆଶା ଥରେ ତମେ ମତେ ଦେଖିବ ବୋଲିକୁ ପାଦରେ ଏଡାଇ ଦେଇ,ହଁ ମୁଁ ମରିବା ପରେ ମଧ୍ୟ ଧୋକା ଖାଇଗଲି ପୁଣି ଥରେ ବିଶ୍ୱାସ କରି ତମକୁ....
ସମାପ୍ତ
