ଧନ୍ୟରେ
ଧନ୍ୟରେ
ରାତି ସାରା, ଆରେ ରାତି ସାରା କଣ ଦୁଇ ଦିନ ଆଗରୁ ଜହ୍ନ ଆଲୁଅ ,ନରି କକାଙ୍କ ବାଡିପଟ ଲାଇଟରେ ଗାନ୍ଧୀ ଜୟନ୍ତୀ ପାଇଁ ,କିଛି କହିବାକୁ ଏହି କେଉଁ ଦିଦି ମେଞ୍ଚେ ଲେଖି ଧରେଇ ଦେଲେ । ଘୋଷି ଘୋଷି ମୁଖସ୍ତ କରିବାକୁ କଡ଼ା ତାଗିଦ । ଏପାଖରେ ତ କରୋନାର କରାଳ ବିଭୀଷିକା ପାଇଁ ଇସୁକୁଲୁ ଫିସୁକୁଲ ସବୁ ବନ୍ଦବାନ୍ଦ୍ । ନା ପାଠପଢା ପଢି ହେଉଛି ନା କିଛି ପୂଜାପର୍ବାଣୀ । ଗଲା ମାର୍ଚ୍ଚ ମାସରୁ ବନ୍ଦ ଯେ ସମସ୍ତେ ରକ୍ଷାକର ରକ୍ଷାକର ବୋଲି ଡାକୁଛନ୍ତି ସେହି ରକ୍ଷାକର୍ତ୍ତା ଙ୍କୁ । ସେଥିରେ ପୁଣି ଏ ପର୍ବପର୍ବାଣି ପାଳନ ପାଇଁ ପିଲାମାନେ ଘୋଷାଘୋଷି କରିବେ, ତାଙ୍କ ମୁହଁରୁ ଭାଷଣ ମୋବାଇଲରେ ରେକର୍ଡ କରି କେଉଁ ଅଫିସର ବାବୁଙ୍କ ପାଖକୁ ପଠାଯିବ । ତୁ ଘୋଷୁଥା ଲୋ ନେତି । ମୁଁ ଶୋଇଲି । ରାତି ସାରା ଜହ୍ନ ଆଲୁଅରେ ସେମିତି ଘୋଷିଲା । କେତେବେଳେ ଶୋଇଲା କେଜାଣି ।
ସକାଳୁ ସକାଳୁ ଗାଧୋଇ ପାଧୋଇ ଭଲ ଲୁଗା ପିନ୍ଧି ଡାକ ଛାଡିଲା, ଲୋ ବୋଉ ମୁଁ ଯାଉଛି ମୋର ତେଣେ ଗାନ୍ଧୀ ଜୟନ୍ତୀ ପାଇଁ ଡାକରା ଆଇଲାଣି । କହି ବାହାରିଗଲା ନେତି । ନା ଖାଇଲା ନା ପିଇଲା ।
ବେଳ ଆସି ରତରତ । ଏଯାଏଁ ଛୁଆଟା କୁଆଡ଼େ ଗଲା ଯେ । ଦିନ ଯାଇ ରାତି ହେଲାଣି । ମାଆ ଛୁଆ ଆମେ ତ ଦୁଇ ପ୍ରାଣୀ । ଛୁଆଟା କୁଆଡ଼େ ଗଲା ବୋଲି ଢ଼ପାଳି ଢ଼ପାଳି ସାଇର ଓ୍ଵାଡମେମ୍ବର ପାଖକୁ ଗଲା ନେତି ର ମାଆ ।
ହଇଓ ବାବୁ,ଟିକେ ବୁଝିଲ ଭଲା । ପିଲାଟା କେଣେ ଗଲା ।
ଆଲୋ ସେ ଯାଇଛି କୁଆଡେ ।
କେମିତି ଜାଣିବି ବାବୁ,ଗାନ୍ଧୀ ଜୟନ୍ତୀ ପାଇଁ କିଏ ତାକୁ ଡାକିଥିଲେ ସେ ସକାଳୁ ଯାଇ ଫେରି ନାହିଁ ।
ହେଉ, ମୁଁ ଦେଖୁଛି କହି ଚାଲିଗଲେ ଓ୍ଵାଡମେମ୍ବର ବାବୁ ।
ପିଣ୍ଢାରେ ନେତିବୋଉ ସେମିତି ବସିଥିଲା । ରାତି ୯/୧୦ ହେବ ଓ୍ଵାଡମେମ୍ବର ଆସିଲା ଗାଆଁ ଆଡୁ । ନେତି ବୋଉ ଏକରକମ ଡେଇଁ ପଡିଲା ବୁଝିବାକୁ । ହେଲେ ଚାରିଆଡ଼େ ଖୋଜି ଖୋଜି ପାଇଲୁନି ବୋଲି ନିରାଶା ହତାଶାର ଉତ୍ତର ଶୁଣି ଏକରକମ ମୁକ ପାଲଟି ଗଲା । ଏତେ ରାତିରେ କୁଆଡ଼େ ସେ ଖୋଜିବ ମାଇପିଟା । କାନ୍ଦି କାନ୍ଦି ଲୁଗା କାନିରେ ଆଖି ପୋଛି ପୋଛି ପଳେଇଲା ଘରକୁ । ଆଉ ରୋଷେଇବାସ କଅଣ କରିବ । ସେମିତି ଭୋକ ଉପାସରେ ଶୋଇଲା ରାତିଟା ।
ବଡିଭୋରୁ ବିଛଣାରୁ ଉଠି ଆଗେ ନିତ୍ୟକର୍ମ ପାଇଁ ଗଡିଆ ଆଡେ ଗଲା । ହେଲେ ଏ କଣ । ପୋଖରୀକୁ ଲାଗି ଏ ନାଳ ପାଖରେ କଣ ଗୋଟିଏ ପଡିଛି । ଏପଟ ସେପଟ କରି ଦେଖିଲା ବେଳକୁ ତା ଝିଅ ନେତି ।
ଝିଅଟା ପୁରା କାଠ ପଡିଯାଇଛି । ନେତି ନେତି କହି ବାଡେଇ ହୋଇ ପଡି ଯାଉଥିଲା ତା ଉପରେ । ହେଲେ ଦେହସାରା ଖଣ୍ଡିଆ ଖାବରା ,ଉଲଗ୍ନ ନେତିର ମୃତ ଶରୀର କି ଶୁଣିବ ମାଆର ଆକୁଳ ଚିତ୍କାର । ସାରା ଶରୀର ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିଲା । ଲାଗୁଥିଲା ଯେମିତି ଏହି ରାତି ଦୁଇ ତିନି ଭିତରେ ଏ ଘଟଣା । ଅନେକ ଲୋକଙ୍କ ବଳ ପାଖରେ ଅସହାୟ ହୋଇଯାଇଥିଲା ବୋଧହୁଏ ଏ କୁନି ଶାବକଟି । କଅଁଳ ବୟସରେ ପକ୍ଷ ଛେଦି ଅବିବେକି ଦୂରାତ୍ମା ମାନଙ୍କର ପଶୁ ପ୍ରବୃତ୍ତି ପାଖରେ ହାରି ଯାଇଛି ଛୁଆଟା । କାନ୍ଦବୋବାଳିରେ ପୋଖରୀ କୂଳ ସ୍ତବ୍ଧ । ବାର ତେର ବରଷର ଝିଅ । କାହାର ଅମଣିଷ ପଣିଆର ଶିକାର ହେଲା ସେ ।
ନେତି ବୋଉର ପାଟି ଶୁଣି ଗାଁରେ ସବୁ ଲୋକ ରୁଣ୍ଡ ହୋଇ ଗଲେଣି । କିଏ ଜଣେ ଗାମୁଛା ଖଣ୍ଡେ ଢାଙ୍କି ଦେଇଛି ମୃତ ଶରୀର ଉପରେ । ଦେଖୁ ଦେଖୁ ପୋଲିସ ପହଞ୍ଚି ଗଲେ । ଘଟଣା କଣ ଜାଣିବା ଆଗରୁ କିଏ ଜଣେ ପୋଲିସ ପାଖରେ ଖବର ଦେଇଦେଲେ ଯେ,ଏ ନେତି ବୋଉ ତା ଝିଅକୁ ବାଡେଇ ବାଡେଇ ମାରିଦେଇଛି । ପୋଲିସ ସବୁ କିଛି ବୁଝି ଶୁଣି ନେତି ବୋଉକୁ ଆରେଷ୍ଟ କରି ହାଜତକୁ ନେଇଗଲେ । ନେତି ବୋଉର ଆକୁଳ ବିକଳ ଚିତ୍କାର ବୋଧହୁଏ ସେମାନଙ୍କୁ କିଛି ଶୁଭୁ ନ ଥିଲା । ବାଡ଼ ଯଦି ଫସଲ ଖାଇଯାଏ ତେବେ ସୁରକ୍ଷା ଦେବ କିଏ ।
ମୃତ ଝିଅଟିର ଏଭଳି ଅବସ୍ଥାରେ ସଭିଏଁ ବ୍ୟଥିତ, ସମାଜକୁ ମଣିଷକୁ ନ ଚିହ୍ନି ଥିବା ଝିଅଟି ଆଜି ମଣିଷର ମଣିଷପଣିଆ ପାଖରେ ହାରିଗଲା । ପୋଲିସ ଚାଲିଗଲା ପରେ କିଏ ଜଣେ କହିଲା କି ଧନ୍ୟରେ ମଣିଷ, ଧନ୍ୟ ତୁମ ମଣିଷପଣିଆ ।
