ଧଳା ଚୁଟି
ଧଳା ଚୁଟି
ଚାରିଥର ଚାହା ପିଇସାରିଲେଣି ଭାସ୍କରବାବୁ। ଏମିତି ବି ସାମରିକ ସେବାର ଶୃଙ୍ଖଳିତ ସେନାପାଇଁ ସେବା କରି ଅବସର ନେବାସହ ନିଜ ପୈତୃକଗ୍ରାମ ନରସିଂହପୁରରେ ନିଜର ଫାର୍ମ ହାଉସରେ ସମୟ ବିତେଇବା ସହ ସ୍ତ୍ରୀ ଅମୁଲି,ଦୁଇଝିଅ ରାନୀ ଓ ଖୁସିକୁ ନେଇ ସୁନ୍ଦର ସଂସାର। ମନଟା ଅଶାନ୍ତ କାହିଁକି ? ସାମରିକ ସେବାରେ ଥିବା ବ୍ୟକ୍ତିତ୍ବ ତ ବହୁତ ଧୈର୍ଯ୍ଯବାନ୍, ସହନଶୀଳ। ଆଜି ତା'ର ବ୍ୟତିକ୍ରମ କାହିଁକି ? ଏମିତିକି ମାଆ, ବାପାଙ୍କର ମୃତ୍ୟୁ ସମୟରେ, ଭାଇମାନଙ୍କ ଜମିବାଡିକୁ ନେଇ ମାଲିମକଦ୍ଦମା ସମୟରେ ବି ଏତେ ଅଶାନ୍ତ ହୋଇନାହାନ୍ତି ଭାସ୍କରବାବୁ। ଆଜି କାହିଁକି ବ୍ୟତିକ୍ରମ ? ସାମରିକ ସେବାରେ ତ ଚିନ୍ତା କରିବାର ସମୟ ନଥିଲା ମନ, ବିବେକ ବିଷୟରେ।ଗ୍ରାମ୍ୟ ପରିବେଶ ସବୁକିଛି ଶିଖେଇଦିଏ। ଏଇତ ତିନିଦିନ ତଳେ କ୍ଷେତରୁ ଫେରିବା ସମୟରେ ପଡିଶାଘର ସାଇଲି, ଝାମ୍ପୁରିମୁଣ୍ଡି ହାତରେ ଅଙ୍ଗାର ଖଣ୍ଡେ ଧରି ଦନ୍ତମଂଜନ କରୁକରୁ ଚିଲ୍ଲୋଉଥିଲା, ଅମୁଲି...., ଏ...ଅମୁଲି.....! ତୋ ଦେଢଶୁର ଚାହାପତି ଆଣିବାକୁ ଭୁଲିଯାଇଛନ୍ତି, ସେ ତ ଉଠୁଉଠୁ ଚାହା ପିଇବେ, ଟିକେ କ୍ଷିର ଆଉ ଚାହାପତି ଦେଲୁ। ଭାସ୍କରବାବୁ କହୁଥିଲେ ଶଳା, ଅମୁଲିକୁ ଏମିତି ଆଦେଶ ଦେଉଛି ଯେମିତି ତା'ର ସାନବୋହୁ। ଠିଆହୋଇଘଲେ ଭାସ୍କରବାବୁ। ସାଇଲି ଭାଉଜ କହୁଥିଲା, ବଢିଆ ବାସ୍ନା ହେଉଛି, ଚକୁଳି କରୁଛୁ ବୋଧେ ।ହଁ ଭରିଲେ ଅମୁଲି। ସାଇଲି ଭାଉଜ କହିଲେ ଆଜି ଆମର ବି ଚକୁଳି କରିବାର ଇଚ୍ଛା, ହେଲେ...... ଓଃ..... ଅଣ୍ଟାରେ ପରା ପବନ ଅଟକି ଯାଇଛି। ଦୁଇଚାରିଟା ଏଇଠୁ ନେଇଗଲେ ଆମେ ଦୁଇପ୍ରାଣୀ ପାଇଁ ଯଥେଷ୍ଟ। ଅନନ୍ୟୋପାୟ ହୋଇ ଚାରୋଟି ଚକୁଳି ବନେଇଦେଲେ ଅମୁଲି। ହଉ ଲୋ ଅମୁଲି, କହି ଯାଉ ଯାଉ ସାଇଲି ଭାଉଜ ପଚାରିଲେ, ରାନୀ ଆଉ ଖୁସି କୁଆଡେ ଗଲେ କି ? ଅମୁଲି କହିଲେ ଶୋଇଛନ୍ତି। ଚିହିଁକି ଉଠି ସାଇଲି କହିଲେ ଦେଖଲୋ ମାଆ ଦେଖ, କ'ଣ ନା କଇଁଚ କାଢିଛି ବେକ। ସକାଳ ନଅଟା ହେଲାଣି, ଝିଅଗୁଡାକୁ କ'ଣ ଏତେ ବହପ କରିଦେଉଛୁ ? ଭଲ ହେଇଛି ଲୋ ମାଆ ! ଭଗବାନ ମତେ ନିଃସନ୍ତାନ କରିଦେଇଛନ୍ତି। ନହେଲେ ମଣିଷ ବୟସ ଥାଉ ଥାଉ ବୁଢୀ କରିଦିଅନ୍ତାଣି ଅ ବୟସରେ। ହଉଲୋ ଅମୁଲି ତୁ ଚିନ୍ତାକରେନା କହି ଅଙ୍ଗାରବୋଳା ହାତରେ ଅମୁଲିର ଗାଲଟାକୁ ଟିପିଦେଲେ। ସମ୍ଭାଳିନପାରି ଭାସ୍କରବାବୁ କହିଉଠିଲେ, ଭାଉଜ ତମେ ଗଲ ଏଠୁ। ବେକାର ଚର୍ଚ୍ଚା କରି ସକାଳୁସକାଳୁ ମୁଣ୍ଡ ଗରମ କରନାହିଁ। ମୋ ଝିଅମାନେ ମୋର ଗର୍ବ। ଏଇ ଦେଖୁନ ସନ୍ୟାସୀର ପୁଅ, ପାଠ ପଢେଇ ସମ୍ପତ୍ତି ସାରିଲା, ବାପାର ସମ୍ପତ୍ତି ସହ ଅଜାତିଆଟାକୁ ବାହାହୋଇ ଚାଲିଗଲା। ସନ୍ୟାସୀବାବୁ ସନିଆ ବନି ଭିକ୍ଷାବୃତ୍ତି କରୁଛି। ଭାଉଜ ! ରାମାୟଣ ପୃଷ୍ଠା ଦେଖୁନ। କୌରବ ପୁତ୍ର ପରା ଆଜିବି ଘୁରୁଛନ୍ତି ଗୋଟିଏ ଗୋଟିଏ ଘୃଣ୍ୟ ଚରିତ୍ର ହୋଇ । କେତେଟା ଯୁଧିଷ୍ଠିର ଉଦାହରଣ ଦେଖିଛ ? ତମେ ପରା ନାରୀ। ସୀତା, ସାବିତ୍ରୀ ଅହଲ୍ୟା ବି ନାରୀ। ସେମାନେ ବି କନ୍ୟା। ଅଙ୍ଗାରରେ ଦନ୍ତମଂଜନ କରୁକରୁ ସାଇଲି ଭାଉଜ କହିଉଠିଲେ ଯାଏଲୋ ମାଆ, ମୋର ତେଣେ କେତେ କାମ। ଚୁପଚାପ ସ୍ଥାନ ପରିତ୍ଯାଗ କଲେ ସାଇଲି ଭାଉଜ। ରାନୀ, ଖୁସି କଥା ଭାବି ଖୁସିରେ ହସୁଥିଲେ ଅବସରପ୍ରାପ୍ତ ସାମରିକ ଅଧିକାରୀ ଭାସ୍କରବାବୁ। ଅମୁଲି କହିଉଠିଲେ, ଏମିତି କେତେଜଣଙ୍କର ମୁହଁ ବନ୍ଦକରି ଏମିତି ହସୁଥିବ। ରାନୀଟାକୁ ବାଇଶିବର୍ଷ ହେଲାଣି। ବିଏସସି ସରିଲାଣି। ବରପାତ୍ର ଖୋଜ ଏଥର। କିଛି ନକହି ଚୁପଚାପ ଚାଲିଗଲେ ଭାସ୍କରବାବୁ। ଝିଅ ରାନୀର ଚୁଟିକୁ ସ୍ନେହରେ ସଜାଡୁସଜାଡୁ ଭାବବିହ୍ବଳ ହୋଇପଡୁଥିଲେ ଭାସ୍କରବାବୁ। ସେଇ ତ ବହୁତ ପୁରୁଣା କଥା। କିନ୍ତୁ...... ଆଜି କାହିଁକି ମନଟା ଭାରାକ୍ରାନ୍ତ ଲାଗୁଛି । କେଉଁଠି ମନଟା ଲାଗୁନାହିଁ। ବିଶେଷକରି ସନତବାବୁ ଓ ତାଙ୍କ ପୁଅ ଅମରେନ୍ଦ୍ର ଆସିକି ଗଲାପରେ। " ଏଇଟା ସ୍ଥିର ନିଶ୍ଚିତ ସାମରିକ ବାହିନୀରେ କଳାଟଙ୍କା ଦେଖିବାର ପ୍ରଶ୍ନ ହିଁ ନାହିଁ। ସେହି ପରିବାରର ଝିଅମାନଙ୍କର ଜୀବନଶୈଳୀ ବି ସଂସ୍କାର ଓ ପ୍ରେମରହିତ ରଜ୍ଜୁରେ ପ୍ରାୟତଃ ବନ୍ଧା। ସେମାନଙ୍କ ଜୀବନ ଯାପନ ପ୍ରଣାଳୀ ପ୍ରାୟତଃ ନିଆରା। ସେମାନଙ୍କ ଜୀବନ ଯାପନ ପ୍ରଣାଳୀର ଏକ ନିର୍ଦ୍ଦିଷ୍ଟ ଛକ କଟା ସରିଥାଏ ଓ ଉଦ୍ଭିନ୍ନଯୌବନା କିଶୋରୀ ବୟସରେ ହିଁ ବିବାହ ବିଷୟ ଚିନ୍ତା ସରିଥାଏ। ତେଣୁ ତ........ କଲେଜପଢିବା ସମୟରେ ହିଁ ଝିଅଟିକୁ କୌଣସି ପୁରୁଷ ପୁର୍ଣାଙ୍ଗ ମନେହୁଏ ନାହିଁ, ସମସ୍ତେ ଲାଗନ୍ତି ଅପୂର୍ଣ୍ଣ, ବିକଳାଙ୍ଗ, ଅକ୍ଷମପୁରୁଷ। କାରଣ ସେହି ସମୟରେ ଝିଅଟିର ଭାବୀ-ସ୍ୱାମୀଙ୍କ ଅସମ୍ପୂର୍ଣ୍ଣ ଛବି ବାରମ୍ବାର ତା ମନରେ ଉଦଭାସିତ ହୋଇଉଠେ। ଝିଅଟି ପ୍ରେମ ତ କରେ, କିନ୍ତୁ ତା ପରିବାରକୁ ପ୍ରାୟତଃ । ଆଇନା ସାମ୍ନାରେ ମସ୍ତିଷ୍କ ସାମ୍ନାର ଧଳାଚୁଟି ଦେଖି ଭାବୁଥିଲେ, ଭାସ୍କର ଭଟ୍ଟ ବୁଢା ହୋଇଗଲା। ତା ଝିଅକୁ ଦେଖିବକୁ ପରା ସନତବାବୁ ଓ ୟୁକୋବ୍ୟାଙ୍କର ଚାକିରୀଆ ପୁଅ ଅମରେନ୍ଦ୍ର ଆସିଥିଲେ। କଥାରେ ଅଛି ଝିଅ, ବାପର ପରଚ୍ଛାଇ। ଝିଅକୁ ଶାଶୁଘର ଛାଡିବା କଥାରେ ତ ମନଟା ଖୁସିହେବା କଥା। ଅଥଚ... ଏତେ ମ୍ରିୟମାଣ, ବିଷର୍ଣ୍ଣ ଲାଗୁଛି କାହିଁକି ? ସତରେ କ'ଣ ଝିଅଜନମ ପରଘରକୁ ? ମନେପଡିଯାଉଛି ସେହି ସମୟର କଥା :-- ଚୀନ୍ ଭାରତ ଯୁଦ୍ଧ ସମୟରେ ଅମୁଲି ଓ ପରିବାର ଉଦ୍ଦେଶ୍ଯରେ ଲେଖିଥିବା ଚିଠି। ଅମୁଲି...! ମୋ ଦୁଇ ଅମୂଲ୍ଯ ରତ୍ନର ଜନନୀ! ଯୁଦ୍ଧ ଲାଗିଯାଇଛି। ଅଗଣିତ ଭାରତୀୟ ସୈନିକ ଏକ ଦୁର୍ଦ୍ଦାନ୍ତ ଶତ୍ରୁର ସମ୍ମୁଖୀନ ହେଉଛନ୍ତି। ଖବରକାଗଜରେ ଯାହା ବାହାରୁଛି, ରେଡିଓରେ ଯେଉଁପ୍ରଚାର କରାଯାଉଛି , ମୋର ସନ୍ଦେହ ହେଉଛି; ତା'ଠାରୁ ଯଥେଷ୍ଟ ବେଶି ସଂଖ୍ୟକ ଭାରତୀୟ ସୈନ୍ୟ ମୃତାହତ ହେଉଛନ୍ତି। ମନ ଭଲ ନାହିଁ। ଆମ ହାତରେ ବନ୍ଧୁକ ନାହିଁ, କଲମ ଅଛି। ସାରାଜାତିପାଇଁ ଏ ହେଉଛି ଆତ୍ମସଂଯମ ଆଉ ଆତ୍ମପରୀକ୍ଷାର ବେଳ। ମୁଁ ପାନ ଖିଆ ଛାଡିଦେଇଛି। ଏଇଟା ବିଳାସବ୍ୟସନର ସମୟ ନୁହଁ। ତମେ ସ୍ନୋ, ପାଉଡର ଇତ୍ୟାଦି ପ୍ରସାଧନ ସାମଗ୍ରୀ ବ୍ୟବହାର କରନାହିଁ ,ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ। ପ୍ରତିଦିନ ଶହଶହ ସହୀଦମାନଙ୍କ ପତ୍ନୀ ବୈଧବ୍ୟ ବରଣ କରୁଥିବା ବେଳେ ତମ ମୁହଁରେ ସ୍ନୋ, ପାଉଡର ସୌଖିନ ପ୍ରଲେପ ମୁଁ ସହ୍ୟ କରିପାରିବି ନାହିଁ। ଆଶ୍ଚର୍ଯ୍ୟର କଥା ପତିବ୍ରତା ଅମୁଲୀ ତ ମୋ କଥା ରଖିଥିଲା କିନ୍ତୁ ରାନୀଟା ଆଜିପର୍ଯ୍ୟନ୍ତ ସେହି ପଥରୁ ଚ୍ୟୁତ ହୋଇନାହିଁ। ଆଜି ବି ପାପା କହି କୁଣ୍ଢେଇ ପକୋଉଛି, ପାଞ୍ଚବର୍ଷର ଛୁଆ ପରି। ତା'ର ବାହାଘର ପ୍ରସ୍ତାବ। ସେଇଥିପାଇଁ ବୋଧେ ବ୍ୟଥିତ ଭାସ୍କରବାବୁ। ଏଇ ତ ଗତକାଲି ହିଁ ରାନୀ କହୁଥିଲା, ପାପା ଜାଣିଛ ଆମ ହଷ୍ଟେଲ ଝିଅ ଗୁଡାକ ଭାରୀ ଉଦ୍ଧତ। ଲୁଗା ବଦଳେଇଲା ପରି ପ୍ରେମିକ ବଦଳାନ୍ତି। ହେଲେ..... ମୋ ମନରେ ସେ ଉନ୍ମାଦନା, ଉଦ୍ଦିପନା ଜାଗ୍ରତ ହୁଏନାହିଁ, ନିଜକୁ ନିଜେ ଚିମୁଟି ଦେଇ ଭାବେ ସେମାନେ ତ ଝିଅ, ମୁଁ ବି ଝିଅ। ହେଲେ ମୋର ସେସବୁ ଦିଗ ପ୍ରତି ଆଗ୍ରହ ନାହିଁ। ହସିଦେଇ ଭାସ୍କରବାବୁ କୁହନ୍ତି ତୁ ପଥରଟା। ଫେଁ କିନା ହସି ରାନୀକୁହେ ନା ପାପା ମୋ ମନରେ ସେ ଭାବନା ଉଦଭାସିତ ହେବାର ସୁଯୋଗ ନାହିଁ କାରଣ ମୁଁ ପରା ପାପା, ଅମୁଲି ଓ ଖୁସିକୁ ଭଲପାଏ। ତା ବ୍ୟତିରେକ ଦ୍ୱିତୀୟ ପୁରୁଷର ସ୍ଥାନ ନାହିଁ। ହସୁଥିଲେ ଭାସ୍କରବାବୁ। ଆଖିରେ ଅଶ୍ରୁର ପ୍ଳାବନ। ପଛପଟରୁ ଅମୁଲିକୁ ଦେଖି ଚମକିଗଲେ। ଅମୁଲି କହିଲେ ଆରେ ନିର୍ବନ୍ଧ ତାରିଖ ସ୍ଥିର କରିବାର ଅଛି। ବଜାରରୁ ନିର୍ବନ୍ଧ ଦ୍ରବ୍ଯ ଆଣିବାର ଅଛି ।ମୁଁ ପ୍ରସ୍ତୁତ ଅଛି, ଅଥଚ ତମେ...? ଝିଅଙ୍କପରି କ'ଣ କାନ୍ଦୁଛ କିହୋ ମିଲିଟାରୀ ବାବୁ। ଧଳାଚୁଟି ଉପରୁ ହାତ ହଟୋଉ ହଟୋଉ ଅମୁଲି କହିଲେ, ଓଃ ଧଳାଚୁଟି ଧରି କାନ୍ଦୁଛ କି ? ଝିଅ ବିବାହଯୋଗ୍ୟା ହେଲାଣି, ଆଉ ତମ ଚୁଟି ପାଚିନଥାନ୍ତା କି ? ମନଟା ବୁଝୁନଥିଲା ଭାସ୍କରବାବୁଙ୍କର। ହଠାତ୍ ପଶି ଆସିଲା ରାନୀ। ପାପାଙ୍କ କାନ୍ଧରେ ଝୁଲୁଝୁଲୁ କହିଲା, ପାପା, ପାପା ମ !ମୁଁ କାଲି ହଷ୍ଟେଲ ଯିବି। କ୍ଳାସ ଆରମ୍ଭ ହୋଇଗଲାଣି। ସେ ବାହାଘର ଏସବୁ କିଛି ଏବେ ନାହିଁ। ବାଇଶିବର୍ଷର ଜୀବନ ତମକୁ ଅର୍ପଣ କଲି। ଚାକିରୀକରି କିଛିଦିନ ନିଜେ ବଞ୍ଚିବାକୁ ଦିଅ। ନିଜଗୋଡରେ ନିଜେ ଠିଆ ହେଲାପରେ ବାହାଘର। ଏ ପାପା ! ଏଇ ଦେଖ ଦୁଇଟା ଚୁଟି ପାଚିଗଲା। ଚୁଟି ଛିଣ୍ଡିବା ଆରମ୍ଭ ହେଲାଣି। ଗଲ ସେ ଡାକ୍ତର ପାଖରୁ ଔଷଧ ଆଣିବ। ହସୁଥିଲେ ଭାସ୍କରବାବୁ। ଚାଲ ଅମୁଲି, ଝିଅକୁ ହଷ୍ଟେଲ ପାଇଁ କିଣାକିଣି କରିଦେବା, ଆଜି ମୋର ପାଚିଲାଚୁଟି ଦେଖିଲାବେଳେ, ଝିଅର..... କିଛିଦିନ ସେ ବାହାଘର ସ୍ଥଗିତ ରହୁ। ଆଁ କରି ଅନେଇ ଅନେଇ ବଜାର ବାହାରୁଥିଲେ ଅମୁଲି, ହସୁଥିଲା ରାନୀ। ପାଚିଲାଚୁଟି ଦୁଇଟିକୁ ଯତ୍ନରେ ଡାଏରୀରେ ରଖୁଥିଲେ ଭାସ୍କରବାବୁ। ହସୁଥିଲା ସଂସାର। ଭଲପାଇବା ପାଇଁ ଝିଅଟିକୁ ପୁଅଟିଏ, ପୁଅଟିକୁ ଝିଅଟିଏ ନିତାନ୍ତ ଆବଶ୍ଯକ ନୁହେଁ କିନ୍ତୁ.... କାରଣ..... ପରିବାର, ସଂସ୍କାର ଭାସ୍କରବାବୁଙ୍କ ପରି ରହିବାର ଆବଶ୍ଯକତା ନିତାନ୍ତ ଜରୁରୀ ।।
