ଦେହ ଓ ଦାହ
ଦେହ ଓ ଦାହ
କିଏ ଏ ଝିଅଟି ! ଭୋରଟାରେ ଏଠି ଅନାବୃତ ହେଇ ଗାଧଉଚି !
ବୁଦିବୁଦିକିଆ ଜଙ୍ଗଲ।ବାହୁବଳୀ ସେଠି ଟିକିଏ ଠିଆ ହେଇ ସେଇ ଝିଅଟି ଆଡକୁ ଖୁବ୍ ଆଗ୍ରହରେ ଚାହିଁଲା।
ଝିଅଟିର ପିଠି ତା' ଆଡ଼କୁ ଥିଲା।ମୁଣ୍ଡରେ କଳା ମଚ୍ ମଚ୍ ଚୁଟିରେ ଟଭା ଫଳ ଭଳି ଖୋସାଟିଏ।କେବଳ ସେତିକି ଦେଖି ପାରୁଥିଲା ସେ।
ହେଲେ ସେତିକିରେ ସେ ସନ୍ତୁଷ୍ଟ ହେଲାନି।ଖୁବ୍ ପାଖରୁ ସେଇ ଅନାବୃତ ଝିଅଟିର ଦେହର ନମନୀୟତାକୁ ଦେଖି ଦେଖି ଉପଭୋଗ କରିବାକୁ ତା'ର ଇଚ୍ଛା ହେଲା।
ପାଦ ଚିପି ଚିପି, ବୁଦା ତଳେ ତଳେ ଲୁଚି ଲୁଚି ଝିଅଟି ପାଖରେ ପହଞ୍ଚିଗଲା ସେ।ଗୋଟେ ବୁଦା ଆଢୁଆଳରେ ଲୁଚି ତା'ର ରଙ୍ଗ ରୂପ ଦେଖିବାକୁ ଚେଷ୍ଟା କଲା।
ଦେହ ଘଷି ମାଜି ହେଇ ଗାଧେଇବାରେ ବ୍ୟସ୍ତ ଥିଲା ଝିଅଟି।ପାଚିଲା ପିଜୁଳି ରଙ୍ଗର ସେ ଝିଅର ସୁଠାମ ଦେହଟା ଦିଶୁଥିଲା ବେଶ୍ ଚିକ୍କଣ।
ଜାଗାଟା ଖୁବ୍ ନିର୍ଜନ।ଲୋକବାକ କେହି ନାହାନ୍ତି।ବାହୁବଳୀ ପାଇଁ ମୋହମୟ ପରିବେଶଟିଏ ସୃଷ୍ଟି ହୋଇଗଲା।ତା' ମନଟା ବହମାନ ନଦୀ ପରି ଚଞ୍ଚଳ ହୋଇ ଉଠିଲା।ତା'ର ଅସଂଯତ ମନ ଯେମିତି ଏକ ଅଲଭ୍ୟ ବସ୍ତୁ ପାଇବାକୁ ବ୍ୟାକୁଳ ହେଲା।
କିଏ ? କିଏ ଏଇ ଅନିନ୍ଦ୍ୟ ସୁନ୍ଦରୀ ? ସେ ତା' ନିଜକୁ ପ୍ରଶ୍ନ କଲା।
ଏତିକିବେଳେ ଝିଅଟି ତା' ଆଡକୁ ମୁହଁ କଲା।ଏବେ ବାହୁବଳୀର ସାମ୍ନାରେ ତା'ର ଅନାବୃତ ଛାତି।
ଆରେ ! ଇଏ ତ ସୁକନ୍ୟା ! ସେ ଏକ ଗମ୍ଭୀର ଉଚ୍ଚାରଣ କଲା।
ସୁକନ୍ୟାର ଉଚ୍ଚା - ନୀଚା ଫୁଙ୍ଗୁଳା ମାଂସଳ ଛାତିରୁ ଆଖି ଫେରାଇ ଆଣିବାକୁ ତା'ର ଇଚ୍ଛା ହେଉ ନ ଥିଲା।ତା'ର ମନେ ହେଉଥିଲା ସୁକନ୍ୟାର ସୁଠାମ ଦେହଟା ବ୍ୟାକୁଳ ହେଇ ଯେମିତି ତାକୁ ଡାକୁଛି।ତା' ଶରୀରର ପ୍ରତିଟି ଅଂଶରେ ଗୋଟିଏ ଅନୁଭୂତିର ତପ୍ତ ପ୍ରବାହ ତୀବ୍ର ଗତିରେ ସଂଚାଳିତ ହେବାକୁ ଲାଗିଲା।
ଗାଧେଇ ସାରି ଓଦା ଶାଢ଼ୀରେ ସୁକନ୍ୟା ଫେରିଗଲା ଘରକୁ।
ଏବେ ବାହୁବଳୀର ମନରେ ଖାଲି ଶୋଷ ଆଉ ଶୋଷ।ଭୀଷଣ ଶୋଷ।
ତେବେ କ'ଣ ସୁକନ୍ୟା ସବୁଦିନେ ଭୋର୍ ହେଲେ ଏଠିକି ଗାଧେଇ ଆସେ ? ଅନାବୃତ ହେଇ ଗାଧାଏ ?
ବାହୁବଳୀ ଅନୁସନ୍ଧାନ ଆରମ୍ଭ କରିଦେଲା।ତା'ର ଅନୁମାନ ସତ ଥିଲା।ପରଦିନ ବି ସେ ସୁକନ୍ୟାର ଅନାବୃତ ଦେହ ଦେଖିବାକୁ ପାଇଲା।ତା' ଦେହର ସୌନ୍ଦର୍ଯ୍ୟ ଆହୁରି ଦି'ଗୁଣ ବଢି ଯାଇଥିବା ପରି ତାକୁ ଲାଗିଲା।
ହେଲେ ସୁକନ୍ୟା ଏସବୁ କିଛି ଟିକିଏ ହେଲେ ଜାଣି ପାରି ନ ଥିଲା।ସବୁଦିନେ ଭୋର୍ ହେଲେ ସେଇ ତୁଠକୁ ଗାଧେଇବାକୁ ଆସୁଥିଲା ସେ।ଅନାବୃତ ହେଇ ଗାଧାଉଥିଲା।
ଲୁଚି ଲୁଚି ସୁକନ୍ୟାର ଅନାବୃତ,ସୁନ୍ଦର ଦେହଟାକୁ ଦେଖୁଥିଲା ବାହୁବଳୀ।
କେତେ ଦିନ ଏମିତି ଦୂରରୁ ସେ ସୁକନ୍ୟାର ରୂପ ଦେଖି ଚାଲିଥିବ !ଅସମ୍ଭବ। ଦିନେ ଭାବିଲା ତାକୁ ପ୍ରସ୍ତାବ ଦେବ।ବାହା ହୋଇଯିବ।
ପରଦିନ ସୁକନ୍ୟା ଗାଧେଇ ସାରି ଘରକୁ ଫେରୁଥିବା ବେଳେ ଆସି ତା'ର ବାଟ ଓଗାଳିଲା ବାହୁବଳୀ।ହସିଦେଇ ପଚାରିଲା - " ମତେ ବାହା ହେବୁ ? "
ବଡଘରର ପିଲା ବାହୁବଳୀ।ତା' ବାପାର ବହୁତ ସଂପତ୍ତି।ତାକୁ ଜାଣେ ସୁକନ୍ୟା।ତେଣୁ ଆଶ୍ଚର୍ଯ୍ୟ ହେଇ କହିଲା - " ହେଲେ ମୋର ବାହା ହେବାକୁ ଆଦୌ ଇଚ୍ଛା ନାହିଁ। "
- " କାହିଁକି ? ବୁଢ଼ୀ ହୋଇଗଲେ ତତେ କିଏ ଭାତ ମୁଠେ ଦବ ? " ବଡପଣରେ ପଚାରିଲା ବାହୁବଳୀ।
- " ମତେ ସେ ଭାତ ମୁଠାରୁ କ'ଣ ମିଳିବ ? କଥାରେ କଥାରେ କାହାର ଧମକ ସହି ପାରିବିନି ମୁଁ।ପିଠିକୁ ଠେଙ୍ଗାରେ ବାଡେଇଲେ କେମିତି ସହିବି ? " ସୁକନ୍ୟା କହିଲା।
- " ତେବେ କ'ଣ କହିବାକୁ ଚାହୁଁ ତୁ ? " ବାହୁବଳୀ ଆଶ୍ଚର୍ଯ୍ୟରେ ପଚାରିଲା।
- " ଗୋଟେ ବୋକା ବରକୁ ବାହାହେଲେ ମୋର ସବୁକଥାରେ ମୁଣ୍ଡ ଟୁଙ୍ଗାରିବ ସେ।ହେଲେ ସେଭଳି ବରଟିଏ ମତେ ମିଳିବ କୋଉଠି ? " ସୁକନ୍ୟା କହିଲା।
ବୋକା ବର !
ମନ୍ତୁରା ଫୁଲ ଶୁଙ୍ଘେଇ ଭେଣ୍ଡାକୁ ମେଣ୍ଢା କରି ରଖିଥିବା ମାଲ୍ୟାଣୀର କାହାଣୀ ବାହୁବଳୀର ମନେ ପଡିଲା।ସୁକନ୍ୟାକୁ ପାଇବାକୁ ହେଲେ ତାକୁ ବୋକା ହେବାକୁ ପଡିବ।ମନେମନେ ଭାବିଲା ସେ।
ହଁ,ସେଇକଥା ଭାବି ଭାବି ବାହୁବଳୀ ଖୁବ୍ ଅନ୍ୟମନସ୍କ ହୋଇଗଲା।ଓ. . . .ନିଜକୁ ନିଜେ ଦାହ କରିବାରେ ଲାଗିଲା।