Sunil Bastia

Drama Tragedy Classics

3  

Sunil Bastia

Drama Tragedy Classics

ଦେବୀ ମେଘାଳି

ଦେବୀ ମେଘାଳି

6 mins
246


"ବ୍ୟାପ୍ତ ବାରିଧିର ବିଶାଳ ବେଳାଭୂମି। କନକ ମୟୀ କାନନୀକା କିର୍ତ୍ତୀ କିରଟିନୀ। ଗୁରୁ ଗମ୍ଭୀର ଗିରିରାଜି ତଥା ଶସ୍ୟ ଶ୍ୟାମଳ ସମତଳ ଛୋଟ ଛୋଟ ରାଜ୍ୟ କୁ ନେଇ ଗଠିତ ଆମ ଭାରତ। ତା' ଭିତରେ ଅନ୍ୟତମ ସୁନ୍ଦରୀ ଝିଅ ମେଘାଳୟ। ଯିଏ ପ୍ରକୃତି କୁ ହାତରେ ଧରି ସାରା ଭାରତ ବର୍ଷକୁ ଆନନ୍ଦ ବାଣ୍ଟୁଛି।"

ଅଧ୍ୟାପକଙ୍କ ଏସବୁ କଥା ମନରେ କାହିଁ କେଜାଣି ଏକ ପ୍ରକାର ଆଲୋଡନ ସୃଷ୍ଟି କରୁଥିଲା। "ସତରେ ଏ ଭାରତ କ'ଣ ଏତେ ସୁନ୍ଦର! ଏକାଥରକେ ସାରା ଭାରତ ବୁଲିଯିବା କୁ ଇଚ୍ଛା ହେଉଛି। ହଁ ଗଣପତି ଛାତ୍ରାବାସ ରୁ ରେଭେନ୍ସା ର ଏକ କିଲୋମିଟର ର ଯାତ୍ରା ସାରା ସଂସାରର ଭ୍ରମଣ ଠାରୁ ବି କୈାଣସି ପ୍ରକାରର କମ୍ ନୁହେଁ। ଏଠିତ ସକାଳେ ଯେଉଁ ଲୋକ ମଥାରେ ଲାଲ୍ ଚିତା ମାରି ଘରୁ ବାହାରେ ସେ ସନ୍ଧ୍ୟାରେ ଲାଲ୍ ମୁଖା ହୋଇ କାହାର ଚିତା ଜାଳି ଆସେ। କିଏ ଏ ପ୍ରକୃତି କୁ ରକ୍ତ ଛିଟାର ବିଭୀଷିକା ଗୋଲାପ ର ଡାଳ କୁ ଦେଖେ ତ ଆଉ କିଏ ଅମିୟ ଆନନ୍ଦର ସ୍ପର୍ଶ ଗୋଲାପ ଫୁଲକୁ।"

    ୨ ର ଫଳାଫଳ ବାହାରିବାକୁ ନେଇ ଅନେକ ଆଶା ଆଶଙ୍କା ନେଇ ପହଞ୍ଚିଲି ରେଭେନ୍ସା ରେ। ସବୁ ସାଙ୍ଗ ସାଥି ମେଳି ହୋଇ ଏହାରି ଉପରେ ଚର୍ଚ୍ଚା କରୁଥାନ୍ତି। ମୋତେ ଦେଖି ମୋ ସବୁ ସାଙ୍ଗ ଧାଇଁ ଆସି କହିଲେ "ଅଭିନନ୍ଦନ ରୋହିତ! ଆମ ମାନଙ୍କ ଆଶା ଠାରୁ ଫଳାଫଳ ଢେର ଭଲ ଆସିଛି।" ହେଲେ ଆମଠୁ ଦୂରେଇ ମନ ଦୁଃଖରେ ଠିଆ ହୋଇଥିଲା ମୋର ସବୁଠୁ ପ୍ରିୟ ମେଘାଳି। କାରଣ ତା'ର ଆଶାନୁଯାୟୀ କମ୍ ମାର୍କ ଆସିଥିଲା। ଅବଶ୍ୟ ବହୁତ ଭଲ ପାଠ ପଢୁଥିଲା ଶ୍ରେଣୀରେ। ତାକୁ ସବୁ ସାଙ୍ଗ ମିଶି ଖୁସି କରିବାକୁ ଚେଷ୍ଟା କଲୁ ହେଲେ ପାରିଲୁନି। ଫଳାଫଳ ଖୁସିରେ କେଉଁ ନୂଆ ଯାଗାକୁ ବୁଲି ଯିବାକୁ ସବୁ ସାଙ୍ଗ ପଚାରିଲେ। ମୋ ପାଟିରୁ ସାଙ୍ଗେ ସାଙ୍ଗେ ମେଘାଳୟ ବାହାରି ପଡ଼ିଲା। ଅଧ୍ୟାପକଙ୍କ ଠୁ ମେଘାଳୟ ବିଷୟରେ ଜାଣି, ସେଠାକୁ ଯିବା ପାଇଁ ଢେର ମନରେ ଉତ୍କଣ୍ଠା ଥିଲା। ସମସ୍ତେ ମଧ୍ୟ ରାଜି ହୋଇଗଲେ। ବାକି ରହିଗଲା ମେଘାଳି। ବାରମ୍ବାର ମନା କରିବା ପରେ ମଧ୍ୟ ବହୁତ କଷ୍ଟରେ ଲାଗି ପଡି ତାକୁ ରାଜି କରେଇ ଦେଲୁ।

    ପରଦିନ ଭୋର ୪ଟା ରୁ ବାହାରି ପଡ଼ିଲୁ ଭୁବନେଶ୍ୱର। ଟିକେଟ୍ ଆଗରୁ ସରିଥାଏ। ଟ୍ରେନ୍ ଆସିନଥାଏ ବର୍ଷା ଝିପିଝିପି ହେଉଥାଏ। ସେଥିପାଇଁ ଆମେ ପ୍ଲାଟଫର୍ମ ରେ ବସି ୭ ଜଣ କପେ କପେ ଚା ମାରିଲୁ। ମେଘାଳି ଢୋକେ ନେଇ ବାକି ଫୋପାଡି ଦେଲା। ଟ୍ରେନ୍ ଆସିବାରୁ ଧଡପଡ ହୋଇ ସବୁ ଚଢିଗଲୁ। ଟ୍ରେନ୍ ଚାଲିବା ସହ ଆମ ମଜା ମସ୍ତି ଚାଲିଲା। କିନ୍ତୁ ମେଘାଳି ଏକା ଚୁପଚାପ୍ ହୋଇ ଝରକା ଫାଙ୍କରେ ବାହାରକୁ ଚାହିଁ ରହିଥାଏ। ବେଳେ ବେଳେ ମୋତେ ଏକା ପାଣି ବୋତଲ, ରୁମାଲ୍ ମାଗୁଥାଏ। ଆଉ ହାତରୁ ସୁନା ମୁଦି ଟିକୁ କାଢ଼ି ମୋ ହାତରେ ଧରେଇ "ଏହାକୁ ତୋ ପାଖରେ ରଖିଥା ମୁଁ ଯେ ପର୍ଯ୍ୟନ୍ତ ନ ମାଗିଛି ସେ ପର୍ଯ୍ୟନ୍ତ ଯତ୍ନ ରେ ରଖିଥିବୁ, କାଳେ ବୁଲାବୁଲି ରେ ମୋ ହାତରୁ ଖସିଯିବ।" ତାକୁ ଦେଖି ମୋର ମଜା କରିବାକୁ ଇଚ୍ଛା ନଥାଏ। ଏପଟେ ମେଘାଳୟ ବୁଲିବାକୁ ନେଇ ମନରେ ଭାରି ଆନନ୍ଦ। ଗପି ଗପି ସବୁ ସାଙ୍ଗ ଶୋଇ ପଡିଲେ। ଏକା ମେଘାଳି ଆଉ ମୁଁ ଚେଇଁ ଥିଲୁ। ତାକୁ ମୁଁ ଅନେକ ବୁଝେଇଲି। "କହିଲି ଦେଖ୍ ଯାହା ହେବାର ଥିଲା ତାହା ହେଲା। ସେସବୁ ନ ଭାବି ଆମ ମେଘାଳୟ ଭ୍ରମଣ କୁ ଉପଭୋଗ କର। ତୋ ପାଇ ଆମ ସମସ୍ତଙ୍କ ମନ ଖରାପ।" ସେ ବୋଧହୁଏ କିଛି ବୁଝି ପାରିଲା ଆଉ ଚିଲେଇ ହସିବାକୁ ଲାଗିଲା। ସବୁ ସାଙ୍ଗ ଉଠିପଡିଲେ। ମେଘାଳି ର ହସ ହସ ମୁହଁ ଦେଖି ସେମାନଙ୍କ ଖୁସି କହିଲେ ନ ସରେ। ସିଟ୍ ରୁ ଉଠିପଡି ଫୋନ ରେ ଫୁଲ୍ ଆବାଜ ରେ ଗୀତ ଲଗାଇ ନାଚିବାକୁ ଲାଗିଲେ। ପାଖ ଲୋକ ଗୁଡା ସବୁ ସିନେମା ଦେଖିଲା ପରି ଚାହିଁ ଥାନ୍ତି। ତା'ପରେ ସବୁ ସିଟ୍ ରେ ବସିପଡ଼ିଲେ।

   ତା' ଭିତରେ ଜଣେ ସାଙ୍ଗ ଅନ୍ୟ ସାଙ୍ଗକୁ ପଚାରୁଛି-

-- କହିଲୁ ଦେଖି ଏହି ପୃଥିବୀରେ କେତୋଟି ଦେଶ ଅଛି?

-- ତୁ ପୁଣି ତୋ ପାଗଳାମି ଆରମ୍ଭ କରିଦେଲୁ ! ଏହି ପୃଥିବୀରେ ଗୋଟିଏ ହିଁ ଦେଶ ଅଛି "ଭାରତ" ! ବାକି ସବୁ ତ ବିଦେଶ..!

ଏ କଥାକୁ ନେଇ ପୁଣି ସମସ୍ତେ ଜୋରରେ ହସିଲେ। ତା ଭିତରେ ମେଘାଳି ମଧ୍ୟ ଅଳ୍ପ ଅଳ୍ପ ହସୁଥାଏ। ପଛରେ ବସିଥିବା ଲୋକଟି ବିରକ୍ତ ହୋଇ ଉଠି କହିଲା "ତୁମକୁ ତୁମ ବାପା ମାଆ ଭଦ୍ରାମି ଶିଖେଇ ନାହାଁନ୍ତି, ଅଭଦ୍ର କୋଟିକାର।" ପ୍ରତ୍ୟୁତ୍ତର ରେ ଜଣେ ସାଙ୍ଗ କହିଲା "ବାପା ମାଆ ଙ୍କ ଭଦ୍ରାମି ଆମେ ବାପା ମାଆ ଙ୍କ ପାଖେ ଦେଖାଉ ଏଠି ନୁହେଁ। ହା ହା ହା..।" ଏମିତି ଉତ୍ତର ଦେବା ଅନୁଚିତ୍ କହି ତାକୁ ସମସ୍ତେ ତାଗିଦ୍ କରି ପୁଣି ସଂଯମତା ର ସହ ମଜା ମସ୍ତି ରେ ଗପ କରୁ କରୁ ଟ୍ରେନ ପହଞ୍ଚି ଗଲା ମେଘାଳୟ ର ରାଜଧାନୀ ସିଲଙ୍ଗ ରେ।

 ସେଠୁ କୁଆଡେ଼ ଯିବୁ ବୁଲିବାକୁ ଯାଣିପାରିଲୁନି। ଜଣେ ଲୋକକୁ ପଚାରିବାରୁ ସେ କ'ଣ କହିଲା କିଛି ବୁଝା ପଡିଲାନି। ପରେ ଫୋନ୍ ଜରିଆରେ ସେ ସବୁ କଥା କୁ ଅନୁବାଦ କରି ବୁଝିଲୁ। ସେଠୁ ଆଉ ୩୦ କିଲୋମିଟର ଅତିକ୍ରମ ପରେ ଯାଇ ସିରୋପୁଞ୍ଜି ଗ୍ରାମର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ସୁଯୋଗ ମିଳିବ। ଗୋଟେ ଜିପ୍ ଗାଡ଼ି ଭଡ଼ା କରି ଚାଲିଲୁ ସିରୋପୁଞ୍ଜି। ପ୍ରବଳ ବର୍ଷା ହେଉଥିବା ଯୋଗୁଁ ରାସ୍ତା ଘାଟ ଦିଶୁ ନଥାଏ। ଚତୁର୍ଦ୍ଦିଗ ଧୂଆଁମୟ। ଗାଡ଼ିରେ ସେଠିକାର ମିଠା ଗୀତ ବାଜୁଥାଏ। ଯାହା ଆମେ ଅବଶ୍ୟ ବୁଝିପାରୁ ନଥିଲୁ କିନ୍ତୁ ମନଭରି ଉପଭୋଗ କରୁଥିଲୁ।

    ସିରୋପୁଞ୍ଜି ରେ ପହଞ୍ଚିବା ପରେ ତା'ର ରୂପ ଲାବଣ୍ୟ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ବିଶାଳକାୟ ପାହାଡ଼ ପର୍ବତ ମାଳା ରୁ କୁଳୁକୁଳୁ ନାଦରେ ଝରିଆସୁଥିବା ଝରଣା, ପଶୁ ପକ୍ଷୀଙ୍କ ବକୃତା ପ୍ରତିଯୋଗୀତା ଓ ଶାନ୍ତ ପରିବେଶ ଆଦି ଅନେକ ମନ ମୋହିତ କରୁଥିଲା। ଘନ ଚିରହରିତ ବୃକ୍ଷ ମାଳା ର ବସ୍ତ୍ର ଓ ଚମକପ୍ରଦ ପୁଷ୍ପ ଅଳଙ୍କାର ପରିଧାନ କରି ପାହାଡ଼ ର ନିମ୍ନ ଦେଶରେ ସିରୋପୁଞ୍ଜି ଗ୍ରାମ ହସି ଉଠୁଛି। ମୁଣ୍ଡରେ ପଖିଆ ଭିଡ଼ି ଲୋମଶ ମେଣ୍ଢା ଚରେଇ ବାକୁ ସେ ଗାଁ ର କିଛି ସ୍ତ୍ରୀ ଲୋକ ଆସିଥାନ୍ତି। ତାଙ୍କ ଭିତରୁ ଯାଇ ଜଣକୁ ମେଘାଳୟ ବିଷୟରେ ପଚାରିଲୁ। ସେ କହିଲେ-

-- ମେଘ ଆଉ ବାଦଲର ଘର ମେଘାଳୟ। ଭାରତର ସୁଦୂର ଉତ୍ତର-ପୂର୍ବରେ ଥିବା ସାତ ଭଉଣୀ ରାଜ୍ୟ ମଧ୍ୟରୁ ଗୋଟିଏ। ଆସାମ ସହିତ ଉତ୍ତର, ଘରୋଇ ସୀମା ଏବଂ ବାଂଲାଦେଶ ସହିତ ଦକ୍ଷିଣ ସୀମା ଅଛି | ଜଙ୍ଗଲ, ଚାରଣଭୂମି, ଚାଉଳ କ୍ଷେତ ଏବଂ ଚାଷ ଜମିରେ ପରିପୂର୍ଣ୍ଣ ବିଶାଳକାୟ ପାହାଡ ସହିତ ମେଘାଳୟ ଯାତ୍ରୀ ମାନଙ୍କୁ ସ୍ଵାଗତ କରୁଛି। ମେଘାଳୟର ଜନସଂଖ୍ୟା ରୁ ପ୍ରାୟ ୭୪.୫୯% ଖ୍ରୀଷ୍ଟିଆନ ଧର୍ମ, ୧୧.୫୨% ହିନ୍ଦୁ ଆଉ ବାକି ଅନ୍ୟ ଧର୍ମାବଲମ୍ବୀ ପ୍ରକୃତି ସହିତ ଶାନ୍ତିପୂର୍ଣ୍ଣ ଭାବରେ ଜୀବନଯାପନ କରୁଛନ୍ତି। ବିଶେଷ ଭାବରେ ଏହି ଗ୍ରାମର ପରିଦର୍ଶନ ସଂସ୍କୃତି ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଏବଂ ଆକର୍ଷଣୀୟ, କାରଣ ଆମର ଏଠି ଗ୍ରାମରେ ଏକ ସଂଗ୍ରହାଳୟ ଅଛି, ଯାହା ପ୍ରାଚୀନ କାଳରୁ ରହିଆସିଛି।

    କଥାରୁ ଲାଗୁଥିଲା ସ୍ତ୍ରୀ ଲୋକ ଟି ନିହାତି ଜଣେ ଉଚ୍ଚ ଶିକ୍ଷିତ। ସବୁ ଜାଣିଲା ପରେ ରାତିରେ ରହିବା ପାଇଁ ପାହାଡ଼ ଉପରେ ତମ୍ବୁ ପକେଇ ଦୁଇଟି ଛୋଟ ଛୋଟ ଘର ତିଆରି କଲୁ। ତା' ଭିତରେ ଭୋଜି ମଧ୍ୟ କଲୁ। ଏଣୁ ଶେଣୁ ଗପି ମଜା ମସ୍ତି କରିବାରୁ ଭୋଜି ସରୁ ସରୁ ରାତି ଅଧିକ ହୋଇଗଲା। ଖାଇବା ପୂର୍ବରୁ ମେଘାଳି ବାହାରକୁ ରାତିର ଦୃଶ୍ୟ ଉପଭୋଗ କରିବାକୁ ଚାଲିଗଲା। ତାକୁ ଅପେକ୍ଷା କରିବାର ଅନେକ ସମୟ ପରେ ମଧ୍ୟ ସେ ଫେରିଲାନି। ବାହାରକୁ ଯାଇ ସମସ୍ତେ ତା ନାଁ ଧରି ଡାକିଲେ, ଖୋଜାଖୋଜି କଲେ ହେଲେ କେହିବି ପାଇଲେ ନାହିଁ। ଆଖିଆ ଅପିଆ ରହି ଚାରିଆଡ଼େ ଖୋଜୁ ଖୋଜୁ ରାତି ପାହିଗଲା ହେଲେ ମେଘାଳି ର ପତ୍ତା ମିଳିଲାନି। ସମସ୍ତଙ୍କ ମନରେ ଥାଏ ଯେ, ସେ ତା ପରୀକ୍ଷା ଫଳାଫଳ କୁ ନେଇ ବୋଧହୁଏ ଆତ୍ମହତ୍ୟା କରିଦେଲା। ସକାଳୁ ଯାଇ ସେଠିକାର ପୋଲିସ ଷ୍ଟେସନ ରେ ଅଭିଯୋଗ କରିବାରୁ ମେଘାଳୟ ପୋଲିସ ଦୁଇ ଦିନ ପରେ ଓଡ଼ିଶା ପୋଲିସ କୁ ଲିଖିତ ବିବରଣୀ ଦେଲା ଯେ ମେଘାଳି ର ନିଖୋଜ ପଛରେ ଆମ ଛଅ ଜଣ ପୁରୁଷ ପିଲାଙ୍କ ହାତ ଅଛି।

    ମନ୍ଦ ଉଦ୍ଦେଶ୍ୟ ରଖି ଭ୍ରମଣ ରେ ନେବା ଅଭିଯୋଗରେ ଛଅ ମାସର ଜେଲ୍ ଦଣ୍ଡ ପରେ ଜାମିନ୍ ମିଳିଲା ପରେ ମେଘାଳି ଦେଇଥିବା ଏକମାତ୍ର ସନ୍ତକ ମୁଦି ଟି ସେଇଠି ହଯିଯାଇ ଥିବାରୁ ମୁଁ ଏକା ଚାଲିଲି ସେହି ସିରୋପୁଞ୍ଜି ର ପାହାଡ଼ ଉପରକୁ। ଗାଁର ସେହି ସେହି ସ୍ତ୍ରୀ ଲୋକ ମେଣ୍ଢା ଚରାଳି ସହ ଭେଟହେଲା।

-- ଆରେ ତୁ ସେଇ ପୁଅନା ଯିଏ ଛଅ ମାସ ତଳେ ସାଙ୍ଗ ମାନଙ୍କ ସହ ବୁଲିବାକୁ ଆସିଥିଲ।

-- ହଁ । ହେଲେ ସେହି ଦିନ ଆମର ଜଣେ ସାଙ୍ଗ ଏଠୁ ନିଖୋଜ ହୋଇଛି ତାଙ୍କ ବିଷୟରେ କିଛି ଜାଣିଛ କି?

-- ନିଖୋଜ!!! କ'ଣ କହୁଛ ତୁମେ। ତେବେ ତାହା ନିଖୋଜ ନୁହେଁ ତାହା ହତ୍ୟା।

-- ହତ୍ୟା!

-- ସେତେବେଳେ କହିବାକୁ ଭୁଲିଯାଇଥିଲି ଏଠି କିଛି ଏମିତି ଅମଣିଷ ଅଛନ୍ତି ଯେଉଁମାନେ ଏଠିକି ଆସୁଥିବା ଯୁବତୀ ମାନଙ୍କ ଇଜ୍ଜତ ଲୁଟି ପୋଲିସ ଭୟରେ ତାଙ୍କୁ ମାରି ଏଇଠି ପୋତି ଦିଅନ୍ତି। ମାଟି ଖୋଳି ଦେଖ ତୁମ ସାଥି ଯଦି ଏହାରି ଭିତରେ କେଉଁଠି ଥିବ।

ଏହା ଶୁଣି ମୋ ପାଦତଳୁ ପାହାଡ଼ ଟି ଯେପରି ଛିଡି ଯାଉଥାଏ। କ'ଣ କରିବି, କିଛି ବୁଝା ପଡୁନଥାଏ। ପାଗଳଙ୍କ ପରି ସବୁ ଯାଗାରେ ଖୋଳିବାକୁ ଲାଗିଲି। ଖୋଳୁ ଖୋଳୁ ଗୋଟିଏ ଯାଗାରେ ମେଘାଳି ର ହାତ ଘଣ୍ଟା ଉପରକୁ ବାହାରି ପଡ଼ିଲା। ଯେଉଁଠି ମୁଁ ଖୋଳିବା ପୂର୍ବରୁ ହଜିଥିବା ମେଘାଳିର ସନ୍ତକ ପାଇଥିଲି। ଆଉ ଖୋଳିବାକୁ ମନ ହେଲାନି। ଉଦାର ମନରେ ପାହାଡ଼ ତଳକୁ ଚାହିଁଲି। ନିଜ ପ୍ରାଣକୁ ଆହୂତି ଦେବାକୁ। କିନ୍ତୁ ତଳକୁ ଚାହିଁଲା ବେଳକୁ ମେଘାଳି ସେଦିନ ପିନ୍ଧିଥିବା ଲାଲ୍ ରଙ୍ଗର ଶାଢ଼ୀ ଏକ ଗଛ ଡାଳରେ ଲାଗି ଉଡୁଛି। ପାହାଡ଼ ତଳକୁ ଜୋରରେ ଧାଇଁଲି। ଗଛ ମୂଳକୁ ଯାଇ ଦେଖିଲି ସେଠିକାର କିଛି ହିନ୍ଦୁ ଲୋକ ଗଛ ମୂଳରେ ବସି ଗଛକୁ ପୂଜା କରୁଛନ୍ତି। ଏ ବିଷୟରେ ତାଙ୍କୁ ପଚାରିବାରୁ ସେ କହିଲେ-

-- ଛଅ ମାସ ତଳେ ଅଚାନକ ଏ ଗଛର ଉପର ଡାଳରେ ଦେବୀ ମା' ଙ୍କ ବାନା ଉଡିଲା। ଇଏ ଦେବୀ ମା'ଙ୍କ ବାସସ୍ଥାନ ଜାଣି ଆମେ ସେବେଠାରୁ ପୂଜାର୍ଚ୍ଚନା କରିଆସୁଛୁ। ପୁଅ ତୁମେ ବି ଦେବୀ ମା' ଙ୍କୁ ପ୍ରଣାମ କର। ତୁମର ସେ ସବୁ ଦୁଃଖ ଯନ୍ତ୍ରଣା ଦୂର କରିଦେବେ।

--(କୋହଭରା କଣ୍ଠରେ) ହଁ ହଁ ନିଶ୍ଚିତ! ପ୍ରଣାମ ଦେବୀ ମେଘାଳି, ପ୍ରଣାମ!!!

ଏହା କହିଲା ବେଳକୁ ମୋ ଆଖିରୁ ତତଲା ଲୁହ ଗୁଡା ଥପ୍ ଥପ୍ ହୋଇ ନିଗିଡ଼ି ପଡୁଥାନ୍ତି। ଏତିକି କହିିବା ପରେ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା ମୋ ଦେହ, ପ୍ରାଣ।


Rate this content
Log in

Similar oriya story from Drama