ଡରନା ମନା ହୈ
ଡରନା ମନା ହୈ


କାଲି ମୁଁ ଯାଇଥିଲି ମୁଭି ଦେଖିବାକୁ । "" ଭୂତ୍, ଦି ହାଉଣ୍ଟେଡ ଶିପ୍ ।"" ସେତିକି ଭୟଙ୍କର ଲାଗିଲା ନାହିଁ । ମୋତେ ଲାଗୁଛି ବୟସ ପାକଳ ହେଲେ ଭୟଟା ଟିକେ ଦୂରେଇ ଦୂରେଇ ଯାଏ କି କଣ । ସେହି ଭୂତ ଭୟ ସମ୍ପର୍କରେ ମୋର ଗୋଟାଏ ଅନୁଭୂତି କହୁଛି ।
ସେତେବେଳେ ମୁଁ ରାଉରକେଲା ଡି.ଏ.ଭି କଲେଜରେ ପ୍ଲସ ଟୁ ପଢୁଥାଏ, ମୋର ବଡ଼ଭାଇଙ୍କ ଘରେ, ସେକ୍ଟର ଅଠରରେ । ମୋର ପୁତୁରା ଝିଆରୀ ତିନି ଜଣ ଥାଆନ୍ତି । ମୋର ଝିଆରୀ ରିତା ଷଷ୍ଠ ଶ୍ରେଣୀରେ ପଢୁଥାଏ । ଆମେ ଦୁହେଁ ସାଙ୍ଗ ଭଳି ଥିଲୁ । କିଛି କିଛି ଲୁଚାଛପା କାମ ବି କରୁଥିଲୁ ଦୁହେଁ ମିଶି, ବଡ଼ ମାନେ ଯେମିତି ନଜାଣନ୍ତୁ । ମୋଟ କଥା ହେଲା ଆମେ ସଲାସୁତୁରା ହେଇ ଦୁହେଁ ଦୁହିଁଙ୍କ ରହସ୍ୟ ଗୋପନ ରଖୁଥିଲୁ । ଏଇ ଯେମିତି ମୋର ମିଲସ୍ ଏଣ୍ଡ ବୁନ୍ ନଭେଲ ପଢ଼ିବା ଆଉ ତାର ଲୁଚି ଲୁଚି ଗପବହି ପଢ଼ିବା, ଚୁପଚାପ ଗୁପ୍ ଚୁପ୍ ଚାଟ୍ ଖାଇବା, ମନା କରା ହୋଇଥିବା ସାଙ୍ଗ ସହିତ ମିଶିବା ଇତ୍ୟାଦି ଇତ୍ୟାଦି ।
ଥରେ ଭାଇ ଭାଉଜ ଗଲେ ଗାଆଁକୁ କିଛି କାମରେ । ଆମେ ତିନିଜଣ ଘରେ ରହିଲୁ । ସେତେବେଳେ ଶୁକ୍ରବାରିଆ ବୋଧେ, ରାତିରେ ଭୂତ ହରର୍ ମୁଭି ଆସୁଥାଏ ଦୂରଦର୍ଶନରେ । ଆମକୁ ସେସବୁ ଦେଖିବା କଡ଼ାକଡ଼ି ଭାବେ ମନା ହୋଇଥାଏ । ବୟସ ଏମିତି ଯେ ଯାହା ନିଷିଦ୍ଧ ତାହାପାଇଁ ବେଶି କୌତୁହଳ । ଭାରି ଇଚ୍ଛା ହେଉଥାଏ ଆମର ସେହି ଭୂତ ଫିଲ୍ମ ଦେଖିବା ପାଇଁ । କିନ୍ତୁ କିଏ ଆମକୁ ଅନୁମତି ଦେଲେ ତ ?
ସଂଜୋଗକୁ ଭାଇମାନେ ଗଲେ ଗୁରୁବାର ଦିନ । ଶୁକ୍ରବାର ଦିନ ଆମେ ଦୁଇ ଚଗଲି ଠିକ କଲୁ ଶୁକ୍ରବାର ଦିନ ଭୂତ ସିନେମା ଦେଖା ଯିବ । ଦିନସାରା ବେଶ୍ ଆବେଗର ସହିତ ଜଗି ରହିଲୁ କେମିତି ରାତି ହେବ ଆଉ ଆମେ ପ୍ରଥମ ଥର ପାଇଁ ହରର୍ ସିନେମା ଦେଖିବୁ । ଅଷ୍ଟମରେ ପଢ଼ୁଥିବା ପୁତୁରାକୁ ଶୀଘ୍ର ଖାଇବାକୁ ପିଇବାକୁ ଦେଇ ଦାଣ୍ଡ ଘରେ ଶୋଇବା ପାଇଁ ଜୋର୍ ଜବରଦସ୍ତି ପଠାଇ ଦେଲୁ । ଆମେ ଝିଅମାନେ ହିଁ ଶୋଇବା ଘରେ ଶୋଇବୁ ବୋଲି ରୀତିମତ ତା ସହିତ ଝଗଡ଼ା କରିଦେଲୁ । ସେ ବିଚରା ଏକୁଟିଆ ପଡ଼ିଗଲା । କାନମୁଣ୍ଡ ଆଉଁସି ଦାଣ୍ଡ ଘରେ ଶୋଇଲା ଓ ଆମେ ଏପଟରୁ କିଳିଣି ବି ଦେଇଦେଲୁ । ସେ ପାଟି କରୁଥାଏ,
- ଆରେ ମୁଁ ଏକ ଯିବି କେମିତି ? ଆମେ କହିଲୁ,
- ତୁ ସେ ଦାଣ୍ଡ ଆଡକୁ ବାଗାନକୁ ପଳେଇବୁ । ସେ ଆହୁରି ଆହୁରି ଚିଲଉଥାଏ, ଆମର କିଏ ଶୁଣୁଛି ।
ବର୍ତ୍ତମାନ ହରର୍ ସିନେମା ଦେଖିବା ବେଳ । ଦୁଇ କାନ୍ଥ କଡ଼ରେ ଦୁଇଟା ଖଟ । ଗୋଟାଏ ଖଟରେ ମୁଁ, ଆରଟିରେ ରିତା, ମୋ ଝିଆରୀ । ସାମନାରେ ଟିଭି । ଲାଇଟ୍ ସ୍ଵିଚ୍ ବୋର୍ଡଟା ଟିକେ ଦୂରକୁ, ଆମ ମୁଣ୍ଡ ଆଡ଼କୁ । ଲାଇଟ୍ ଅଫ୍ । ବାହାରେ ଭିତରେ ଚାରିଆଡ଼େ ଶୂନ୍ ଶାନ୍ । ସେତେବେଳେ ମୋବାଇଲ ବାଲା ନିଶାଚର ପ୍ରାଣୀମାନଙ୍କ ଆବିର୍ଭାବ ହୋଇ ନଥିଲା । ତେଣୁ ଶୀତଦିନ ରାତି ଦଶଟା ବେଳକୁ ସାରା ସହରଟା ନିଦ୍ରାରେ ଅଚେତ । ସେତେବେଳେ ବାହାଦୂରର ହ୍ଵିସିଲଟା ବି ଅଶରୀରିର ବିକଟ ରଡି଼ ପରି ଶୁଭେ ।
ହରର୍ ସିନେମା ଆରମ୍ଭ ହୋଇଗଲା ( ନାଁ ଟା ମନେ ନାହିଁ )। ଆମ ଦୁହିଁଙ୍କ ମଝିରେ ଅନ୍ଧାର । ଟିଭି ଭିତରେ ବି ଅନ୍ଧାର । ବିକଟାଳ ମ୍ୟୁଜିକ ଗୁଡ଼ିକ କାନ ପରଦାକୁ ଭେଦି କଲିଜା ଥରେଇ ଦେଉଥିଲା । କିଛି ଦୃଶ୍ୟମାନ ହେବା ପୂର୍ବରୁ ରିତା କହିଲା,
- ଝି (ଅପା ), ମୋତେ ଡର ଲାଗୁଛି । ମୁଁ ଭିତରେ ଥରି ଯାଉଥିଲେ ସୁଦ୍ଧା ତାକୁ ଓ ନିଜକୁ ମିଛ ଦମ୍ଭ ଦେବାକୁ କହିଲି,
- ହେ ଡରୁଇଟା । ଏବେ କଣ କିଛି ଦେଖା ଗଲାଣି ? ନିଜର ଭୟ କମେଇବାକୁ କହିଲି,
- ହେଉ ଆ, ମୋ ଖଟକୁ ।
କିଛି ସମୟ ପରେ ଧାଏଁ କିନା ଗୋଟେ ଶବ୍ଦ ସହିତ ଦେଖାଗଲା ପ୍ରି ମେଚ୍ୟୋର୍ ମୃତ ଗୋଟାଏ ଶିଶୁର ମୁଣ୍ଡ, ତାର ଫୁଲା ଫୁଲା ଆଖି, ତାର ଉଠି ଆସୁଥିବା ନାକ, ତାର ଅଧା ତିଆରି ପାଟି । ମୁଁ ଭୟରେ ଆଖି ବୁଜି ଦେଇଥିଲି । ରିତା ମୋତେ କୁଣ୍ଢେଇ ପକେଇ କହିଲା,
- ଝି, ଦେଖୁଛ ନା ?, ଭାରି ଡର ଲାଗିଲାଣି ।
ମୋର ପିଳେହି ପାଣି ହେଇ ସାରିଥିଲା । ତଥାପି ଦମ୍ଭିଲା ସ୍ଵରରେ ତାକୁ ଦପଟି ଦେଲି ।
- ହଁ ହଁ, ତୁ ବି ଚୁପଚାପ ଦେଖ ନା ।
ଆହୁରି କଣ କଣ ଦେଖାଇଲା କେଜାଣି, ମୋର ତ ଆଖି ବନ୍ଦ, ଇଆଡେ ଛାତି ଦୁମ ଦାମ ପଡୁଛି ଉଠୁଛି । ରିତାର କାନ୍ଦ କାନ୍ଦ ଅବସ୍ଥା ।
- ଝି, ଆଉ ଦେଖିବାନି । ଟିଭି ବନ୍ଦ କର ।
ମୋର ମଧ୍ୟ ଭୟରେ ଏକ ବାହାରି ଯିବା ଅବସ୍ଥା । ହେଲେ ଏ ଅନ୍ଧାରରେ ଟିଭି ପାଖକୁ ଯାଇ ତାର ସ୍ଵିଚ୍ ଅଫ୍ କରିବ କିଏ । ଠିକ୍ କଲୁ, ପ୍ରଥମେ ମୁଣ୍ଡ ପାଖ ଲାଇଟ୍ ସ୍ୱିଚଟି ଅନ୍ କରାଯାଉ । କିନ୍ତୁ ସେଠାକୁ ଯିବାକୁ ବି ତ ଖଟତଳକୁ ଓହ୍ଲାଇବାକୁ ପଡ଼ିବ ।
ଖଟତଳୁ ଯଦି ଭୂତ ଗୋଡ଼କୁ ଧରି ପକାଇବ, ( ଖଟତଳେ ହିଁ ଭୂତଙ୍କର ନିର୍ଭୟ ବାସ ) । କିନ୍ତୁ "ମରତା କ୍ୟା ନା କରତା " ।
ହାତ ଧରାଧରି ହୋଇ ଥରିଥରି ଦୁହେଁ ଆସି ଆଗ ଲାଇଟ୍ ଜଳେଇଲୁ । ତାପରେ ଯାଇ ଟିଭି ସ୍ଵିଚ୍ ଅଫ୍ କଲୁ । ବାରଣ୍ଡା ଲାଇଟ୍ ବି ଜଳେଇ ଦେଲୁ । ଦାଣ୍ଡଘର କିଳିଣି ଖୋଲି ଦୁହେଁ ପୁତୁରା ପାଖରେ ଗେଞ୍ଜି ହୋଇ ଶୋଇଗଲୁ, ସେଠାରେ ବି ଲାଇଟ୍ ଜଳେଇ । ନିଦ ତ ଯାଇ ବୁଲୁଥିଲା, ସେ ମୃତ ପ୍ରି ମେଚ୍ୟୋର୍ ଛୁଆ ଚାରି ପାଖରେ । ଆଖି ଆପେ ଆପେ ଖୋଲି ହେଇ ଯାଉଥିଲା । ଝିଆରୀ କହୁଥିଲା,
- ଝି, ଏକ ଲାଗୁଛି ।
ମୁଁ କହିଲି,
- ଚାପିକି ଶୋଇପଡ଼ ।
****
- ଇଏ କଣ ! ଗଦି ରେଜେଇ ସବୁ ଓଦା । ଇସ୍, ବେଡରୁମରେ ଶୋଇବା ଛାଡ଼ି ଏଠାରେ ମୋ ପାଖରେ କଣ ପାଇଁ ଶୋଇ ଏ କାଣ୍ଡ କରୁଛ ? ଛିଃ, ଛିଃ, କିଏ କରିଛି ଏମିତି ?
ସକାଳୁ ପୁତୁରାର ପାଟି ଶୁଣି ଦୁହେଁ ଉଠି ପଡ଼ିଲୁ । ସତକୁ ସତ ସାରା ବିଛଣା ଓଦା ସରସର । ଆମେ ତିନି ଜଣ ଯାକ ବି ଓଦା ସରସର ।
ହେଇଟି, ଆଉ କିଛି ପଚାରିବା ମନା...