ଡାକ୍ତର ବାବୁ
ଡାକ୍ତର ବାବୁ


ଏବର୍ଷ ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର ପାଇଁ ବ୍ୟକ୍ତି ଙ୍କ ନାମ ଘୋଷଣା ହେବା କ୍ଷଣି କରତାଳି ରେ ସଭାଗୃହ ପ୍ରକମ୍ପିତ ହୋଇଉଠିଲା,ସମସ୍ତେ ଉତ୍ସାହ ଓ ଉତ୍କଣ୍ଠା ର ସହ ଅପେକ୍ଷା କରିଥାନ୍ତି,କିଏ ଏହି ଗାଳ୍ପିକ ବର୍ଷ ବର୍ଷ ଧରି ଆଗଧାଡ଼ି ର ପୁରୁଖା କଲମ ଧାରୀ ଙ୍କୁ ପଛରେ ପକେଇ ଖବର କାଗଜ ହୋଉ ଅବା ପତ୍ରିକା ସବୁଠି ହସାଉଛି କନ୍ଦାଉଛି ପୁଣି କେତେବେଳ ଶାଣିତ ଲେଖନୀ ରେ ଅନ୍ୟାୟ ବିରୋଧ ରେ ତୀକ୍ଷ୍ଣ ବାଣ ବିନ୍ଧୁଚି.
ଧିରେ ଧିରେ ଜଣେ ଯୁବତୀ ନିଜ ମୁହଁ ଆବୃତ କରି ହାତ ରେ ଖଣ୍ଡେ ଡ଼ାଇରୀ ଆଉ ଭାନିଟି ଧରି ମଞ୍ଚ କୁ ଉଠିଲେ.
"ବର୍ଣ୍ଣାଳି ମହାପାତ୍ର" ନା ଟା ଯେମିତି ରଙ୍ଗୀନ ଓଡ଼ିଆ ସାହିତ୍ୟ ରେ ସତେକି ସେମିତି ରଙ୍ଗ ଭରି ଦେଇଥିଲେ,ସାଧାରଣ ସାହିତ୍ୟ ପ୍ରେମୀ ଟେ ହେଉ ଅବା ସାମ୍ବାଦିକ ପତ୍ରକାର ଆଉ ମିଡ଼ିଆ ସମସ୍ତେ ତାଙ୍କ ମୁହଁ ରୁ କିଛି ଶୁଣିବା ବ୍ୟଗ୍ର.
ଆବୃତ ମୁହଁ କୁ ଯେତେବେଳେ ଅନାବୃତ କଲେ ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ ହୋଇଗଲେ.
ଏ କଣ ଦେଖୁଛନ୍ତି ଆବଡ଼ା ଖାବଡ଼ା ଦରଜଳା ଚେହେରା, କୂତ୍ସତ କଦାକାର,ଦେଖିଲେ ଭୀତ ହୋଇଯିବେ.
ପୁରସ୍କାର ସହ ନିଜର ସମ୍ଭାଷଣ ପ୍ରାରମ୍ଭ କଲେ,"ବର୍ଣ୍ଣାଳି!ନା ଟି ଯେତିକି ମଧୁର ଆଉ ସାତରଙ୍ଗୀ ଇନ୍ଦ୍ରଧନୁ ପରି ମଧୁମୟ,ଜୀବନ ଟି ସେତିକି ଜଟିଳ ଆଉ ପାହାଡି ଗୁମ୍ଫା ଦେଇ ଆଲୋକ ଠାବ ପରି ସଂଘର୍ଷମୟ.
ଅସଲ ନାମ କାଦମ୍ବିନୀ,ରୂପ ରଙ୍ଗ ଗୁଣ ସବୁଥିରେ ଅନନ୍ୟା ଆଉ ଅନୁପମା,ରଙ୍ଗୀନ ପ୍ରଜାପତି ଟେ ପରି ଡେଣା ମେଲେଇ ଖୁବ ଉଡ଼ୁଥିଲି,ହେଲେ ପ୍ରଜାପତି ର ଉଡିବା କଣ ଭୁଲ,ତାର ସୌନ୍ଦର୍ଯ୍ୟ ତା ପାଇଁ ଆଶୀର୍ବାଦ ନା ଅଭିଶାପ.
ହଁ ମୁଁ ସେଇ କାଦମ୍ବିନୀ,ଦୁଇବର୍ଷ ତଳେ ସବୁଠୁ ଚର୍ଚ୍ଚିତା,ଖବର କାଗଜ ଠୁଁ ଟିଭି ସବୁଠି ଖାଲି ମୋ ଚେହେରା,"ଏସିଡ ମାଡ଼ ରେ ଯୁବତୀ ଗୁରୁତର"କେତେ ତର୍କ କେତେ ବିତର୍କ, ପୁଣି କେତେକ ବୁଦ୍ଧିଜୀବୀ ଙ୍କ ଆକ୍ଷେପ,ନାରୀ ସୀମା ଲଙ୍ଘିଲେ ଏମିତି ହୁଏ,ନାରୀ ନିଜ ସୀମା ଜାଣେ.ଛଳଛଳ କୁଳୁକୁଳୁ ହୋଇ ନଈଟିଏ ପରି ବହିଯାଏ,ଯେତେବେଳେ ନାରୀ ଉପରେ ଅତ୍ୟାଚାର ବଢେ ସେତେବେଳେ ସେ ଅଶାନ୍ତ ସାଗର ହୋଇ ସବୁ ସୀମା ଲଙ୍ଘି ଯାଏ.. ଆଜି ମୁଁ ସେଇ ଅଶାନ୍ତ ଝଡ...
କଣ ମୋ ଦୋଷ ଥିଲା,ସୌନ୍ଦର୍ଯ୍ୟ ନାରୀ ର ଆଭୂଷଣ,କିଛି ଉତ୍ତାଳ ଯୁବଗୋଷ୍ଠୀ ତା ଉପଭୋଗ କରିବାରେ ବିଫଳ ହେଲେ ବୋଲି ଏପରି କାଣ୍ଡ କଲେ,କିନ୍ତୁ ସେମାନେ ଆଜି ପୂତ ପାରାବର ପରି ସ୍ୱଚ୍ଛ ଆଉ ମୁଁ ହେଇଗଲି କଳଙ୍କିନୀ.
ପରିବାର ଲୋକ ଚିକିତ୍ସା କରାଇ ଯେତିକି ନିସ୍ବ ହୋଇଗଲେ,ଲୋକ ଙ୍କର ଟାହିଟାପରା ରେ ସେତିକି ଲଜ୍ଜିତ.ମୁଁ ହେଇଗଲି ବୋଝ,ଚେହେରା ସହ ଆଖି ଦୁଇଟି ବି ଚାଲି ଯାଇଥିଲା, ମୋର ଆଉ ଜିଇଁବାକୁ ଇଚ୍ଛା ନଥିଲା.
ହେଲେ ସେହି ସମୟ ରେ ଦେବଦୂତ ପରି ଦୃଢ ଦାରୁ ହୋଇ ଠିଆ ହୋଇଥିଲେ ସେ ହେଉଛନ୍ତି ଡାକ୍ତର ବାବୁ,କେତେ ଥର ନେହୁରା ହେଇଛି ଇଚ୍ଛା ମୃତ୍ୟୁ ପାଇଁ, ହେଲେ ସବୁ ଥର ନୂଆ ଦମ୍ଭ ନୂଆ ଆଶା ଆଉ ଜୀବନ ରେ ଏକ ଦୃଢ଼ ସଂକଳ୍ପ ର ବୀଜ ବୁଣି ଦେଉଥିଲେ, କେତେଥର ସେ ସେଥିରେ ବିଫଳ ହେଇଛନ୍ତି ତାର ଠିକଣା ନାହିଁ,ଶେଷରେ କହିଲି ବାବୁ!, ଏ ଫୁଟା ଆଖି ରେ କାହିଁକି ଏତେ ସ୍ବପ୍ନ ଭରୁଛ,ଲୁହ ବି ସେଠି ରହିବାକୁ ଅନିଚ୍ଛା କରୁଛି.ସବୁବେଳେ ସେ ମୋ ଆଗ୍ରହ ଆଉ ଉଦ୍ଦୀପନା କୁ ଅଗ୍ରାଧିକାର ଦେଉଥିଲେ.
ସେହିଁ ଜଣେ ଯାହା ପାଇଁ ମୁଁ ହୃଦୟଙ୍ଗମ କଲି ନା,ମୁଁ ବଞ୍ଚିବି, ପୂର୍ଣ୍ଣ ଅଧିକାର ସହ ବଞ୍ଚିବି, ଜୀବନ ର ଅନ୍ୟ ନାମ ସଂଘର୍ଷ ସେ ହିଁ ମୋ ଭିତରେ ଯେଉଁ ନବଜନ୍ମ କରାଇଥିଲେ, ଆଜି ତାହା ମୋ କଲମମୁନରୁ ନିସୃତ ହେଉଛି.
ଶେଷରେ କଣ ଆଉ କହିବି ଆଖିଦୁଇଟି ଅସ୍ତ୍ରୋପଚାର କରେଇବା ପରେ ମୋତେ କାହା ମୁହଁ ଦେଖିବା ପାଇଁ ପଚାରନ୍ତେ, କହିଲି ଚଳନ୍ତି ଠାକୁର!!ମୋ ଡାକ୍ତର ବାବୁ..
ଆଉ ଆଖି ଖୋଲିଲା ରୁ ଦେଖିଲି ସାମ୍ନା କାନ୍ଥ ରେ ଫୁଲ ମାଳା ସହ କେଡେ ହସ ଫୁଟେଇ ଝୁଲୁଚନ୍ତି.
ପରେ ଜାଣିଲି,ଡାକ୍ତର ବାବୁ ଙ୍କୁ ହୋଇଥିଲା ରକ୍ତ କର୍କଟ,ଆଉ ତାଙ୍କ ଶେଷ ଇଚ୍ଛାପତ୍ର ବଳରେ ପାଇଥିଲି ଏ ଆଖି ଯୋଡିକ.
ଡାକ୍ତର ବାବୁ ମୋ ନା ଦେଇଥିଲେ ବର୍ଣ୍ଣାଳି, କହୁଥିଲେ ସେ କୁଆଡେ ମୋ ଆତ୍ମା କୁ ନାନା ରଙ୍ଗେ ରଙ୍ଗେଇ ହୋଇଥିବାର ଦେଖିଥିଲେ.
ଆଜିର ଏଇ ପୁରସ୍କାର ତାଙ୍କର, ମୁଁ କେବଳ ନିମିତ୍ତ.
(ସଭାଗୃହ ଏପରି ସ୍ତବ୍ଧ ଯେ ସୋରିଷଦାନା ପଡିଲେ ବି ଶବ୍ଦ ହେବ).