ଡାଏରୀ
ଡାଏରୀ
ମହାନଦୀର ନୀରବ ଜଳରାଶି ବହି ଚାଲିଥିଲା ସୂର୍ଯ୍ୟର ସେଇ ଅସ୍ତିମ କିରଣ ସହ ମିଶିବାକୁ। କିଚିରି ମିଚିରି କରି ପକ୍ଷୀ ମାନେ ଫେରି ଆସୁଥିଲେ ନିଜ ନିଜ ବସାକୁ। ଫେରି କିନ୍ତୁ ପାରୁ ନଥିଲେ ମନୋଜ ବାବୁ। ଦୀର୍ଘ ତିନି ଘଣ୍ଟା ଧରି ବସି ରହିଥିଲେ ସେଇ ପୁରୁଣା ଡାଏରୀଟିକୁ ଧରି ଗାଁର ସେଇ ଭୂତବସା ପାହାଡ଼ ତଳଟାରେ।
ଲୋକେ କହନ୍ତି ସେ ପାହାଡ଼ରେ କାଳେ ଅନେକ ପ୍ରେତଆତ୍ମା ଆତଯାତ କରନ୍ତି। ସେଥିପାଇଁ ସନ୍ଧ୍ୟା ହେଲେ ସେ ଆଖପାଖରେ କାଉ କୋଇଲି ବି ମୁଣ୍ଡ କାଢନ୍ତିନି। ମନୋଜ ବାବୁ ଯେ ଖୁବ୍ ସାହାସୀ କିମ୍ବା ଭୂତପ୍ରେତକୁ ଭୟ କରନ୍ତି ନାହିଁ ତାହା ନୁହେଁ। ବୟସ ଆସି ଷାଠିଏ ପାଖାପାଖି ହେବ। ଅସଲ କଥାଟି ହେଲା ଲୋକଟି ଭାରି ଏକଲା। ଏଇ ଏକଲାପଣଟା ବୋଧେ ଜନ୍ମରୁ ତାଙ୍କୁ ମାଡ଼ି ବସିଛି। ଆଜି ଏଇ ପାହାଡ଼ ତଳ କଥାଟା କିନ୍ତୁ କାହିଁକି ତାହା କାହାରିକୁ ଜଣାନାହିଁ। ସେଇ ବାଟ ଦେଇ ଗଲାବେଳେ କେଇ ଜଣଙ୍କ ଆଖିରେ ପଡ଼ିଥିଲା ଯାହା। କାହାର କ'ଣ ଯାଇଛି ଯେ ସେ ତାଙ୍କୁ ପଚାରିବ।
କେତେ ବେଳରୁ ବସି ରହିଛନ୍ତି ସେଠି ମନୋଜ ବାବୁ। ସନ୍ଧ୍ୟା ଆସିଲା। ଧିରେ ଧିରେ ଅନ୍ଧାର ଘୋଟିଗଲା ଚାରିଆଡେ। ମନୋଜ ବାବୁ ସେମିତି ବସିଥାନ୍ତି। ଆଖିରୁ ଅଜାଣତରେ ଲୁହ ଝରି ଚାଲିଥାଏ। ତଳକୁ ମୁହଁ ପୋତି ବସିଥାନ୍ତି ସେ।
ହଠାତ୍ କେହି ଜଣେ ପିଠିରେ ହାତ ରଖିଲା। ସେ ହାତର ଛୁଆଁରେ କାଣିଚାଏ ବି ଚମକିଲେ ନାହିଁ ମନୋଜ ବାବୁ। ପ୍ରଶ୍ନ ଆସିଲା 'ଏଇଠି ଏମିତି ଏକଲା କାହିଁକି ଆଉ ପୁଣି ଏ ଡାଏରୀ ?' ପଛକୁ ବୁଲି ଚାହିଁଲେ ମନୋଜ ବାବୁ। ଚେହେରାଟା ସ୍ପଷ୍ଟ ଦିଶୁଥିଲେ ବି ମନ କାଇଁ ସ୍ପଷ୍ଟ ପଡୁନଥିଲା । କେବେ କାଇଁ ଦେଖିଲା ଭଳିଆ ମନେ ହଉ ନଥିଲା ତାଙ୍କୁ। ହେଲେ ବି ମନରେ ପ୍ରଶ୍ନ ନାହିଁ। ଉତ୍ତର ରେ କେବଳ ଗୋଟିଏ କଥା - ମୁଁ ହାରିଯାଇଛି।
ଜୀବନ ସାରା ଯାହାକୁ ଭରସା କରି କରି ବାଟ ଚାଲିଲି କେହି ଜଣେ ହେଲେ ମୋ ଭରସାକୁ ରଖିଲେନି। ପାଖରେ ବସିଥିବା ଚେହେରାଟା ମୁହଁରୁ ପୁଣି ଗୋଟାଏ ପ୍ରଶ୍ନ- କ'ଣ ଏମିତି ହେଇଛି ଯାହା ତୁମ ଭରସାକୁ ଏମିତି ଖିନ୍ ଭିନ୍ କରି ପକେଇଛି ? ଉତ୍ତରରେ କିଛି ନଥିଲା ମନୋଜ ବାବୁଙ୍କ ପାଖରେ। ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଲୋକଟା କଣ ଜାଣିପାରେ କୋଉ ପ୍ରଶ୍ନର କି ଉତ୍ତର ରଖିବ କାହା ଉପରେ !
ନିରୁତ୍ତର ମନୋଜ ବାବୁଙ୍କୁ ଦେଖି ପାଖରେ ପଡିଥିବା ଡାଏରୀଟା ଉଠେଇ ନେଲା ସେ। କେଇଟା ସ୍ୟାହି ଭରା ଡାଏରୀଟା ସେଦିନ ଭାରି ଭାରି ଲାଗୁଥିଲା। ବୋଧ ହୁଏ ସାରା ଜୀବନର କଳଙ୍କି ଲଗା ଭରସା ଗୁଡ଼ା ୟାରି ଭିତରେ ପଡ଼ି ରହିଥିଲେ ମୁହଁ ମାଡି।
ଡାଏରୀଟା ଖୋଲା ହେଲା। ପହିଲି ପୃଷ୍ଠା ଗୁଡ଼ିକ କଳା କଲମରେ ଛାଟି ଛାଟି ଲେଖା ହେଇଛି। ଏତେ ଛୋଟ ବଡ଼ ଶବ୍ଦ ଭିତରୁ ବାଛି ହେଇ ପଡୁଥିଲା ଗୋଟିଏ ନାଁ- ମିତାଲି ।
ମିତାଲି ହଉଛି ହାଇସ୍କୁଲ ବେଳର ସାଙ୍ଗ। ସାଙ୍ଗ ନୁହେଁ ତ, ମନେ ମନେ ତାକୁ ଜୀବନ ସାଥି କରିବାର ସ୍ଵପ୍ନ ବି ଥିଲା ତରୁଣ ମନୋଜ ଆଖିରେ। ମନର କଥାକୁ ମିତାଲିକୁ ଜଣାଇବା ପରେ ଆଶ୍ଚର୍ଯ୍ୟ କର ଭାବେ ସେ ମଧ୍ୟ ସମ୍ମତି ଦେଇଥିଲା। ମନୋଜର ମନ ଆହୁରି କୁରୁଳି ଉଠିଥିଲା ସେତେବେଳେ। କେତେ କେତେ ସ୍ଵପ୍ନ ସେ ଦେଖୁଥିଲା। ସତ କରିବାର ପଣ ବି କରିଥିଲା। ହେଲେ କଣ ହେବ! କିଛି ବର୍ଷ ସମ୍ପର୍କ ରଖିବା ପରେ ମିତାଲି ମୁହଁ ଫେରାଇ ନେଲା ମନୋଜ ପାଖରୁ। ମନୋଜ କେତେ ନେହୁରା ହୋଇ କହିଲା। ତଥାପି ମିତାଲି ବୁଝିଲାନି। ଚାଲିଗଲା ମନୋଜକୁ ସବୁଦିନ ପାଇଁ ଏକଲା କରି।
ଡାଏରୀରେ ଏବେ କିଛି ଫର୍ଦ୍ଦର ବିରତି। ବୋଧେ ମିତାଲିର ପ୍ରତାରଣା ଗଭୀର ଆଘାତ ଆଣିଥିଲା ମନୋଜକୁ।
କିଛିଟା ପୃଷ୍ଠାର ବିରତି ପରେ ପୁଣି ସଜା ହେଇଛି ଡାଏରୀ। ଏଥର ନାଲି ସ୍ୟାହିରେ। ଅପେକ୍ଷାକୃତ ଭଲ ଅକ୍ଷରରେ। ନମିତା - ମନୋଜର ଏକାକୀ ଜୀବନକୁ ସାଥି ହେଇ ଖୁସିରେ ଭରିବାର ସଂକଳ୍ପ ନେଇ ଆସିଥିଲା ଧର୍ମ ପତ୍ନୀ ହେଇ। କିଛି ବର୍ଷର ହସଖୁସିର ସଂସାର। ବେଶ୍ ସୁଖମୟ ଅନୁଭୁତି ସବୁ ଲିପିବଦ୍ଧ ଥିଲା ଡାଏରୀରେ। ପ୍ରଥମ ପ୍ରେମର ଯନ୍ତ୍ରଣା ସବୁକୁ ଭୂଲାଇ ଜୀବନରେ ନୂଆ ରଙ୍ଗ ଆସିବାର ଯଥେଷ୍ଟ ଭରସାକୁ ଗୋଟେ ପରେ ଗୋଟେ ସତ କରୁଥିଲା ନମିତା। ଦୁଃଖଦ ଅତୀତକୁ ଏକ ପ୍ରକାରେ ଭୁଲି ଯାଇଥିଲା ମନୋଜ। ହସଖୁସିକୁ ଦୁଇ ଗୁଣା କରି ଘରେ ପାଦ ରଖିଥିଲା କୁନି ପୁଅ। ବେଶ୍ ଆନନ୍ଦରେ ସମୟ ଅତିବାହିତ ହେଉଥିଲା।
ହେଲେ ଦିନେ ଅଚାନକ ! ନମିତା କଅଁଳା ଛୁଆ ଆଉ ସ୍ଵାମୀ ସଂସାରକୁ ଛାଡି ଚାଲିଗଲା ଆଉ କାହା ସାଥୀରେ। ଟିକ୍ ଟିକ୍ ହେଇ କଟି ଯାଉଥିଲା ମନୋଜର ହୃଦୟ। ନିଜକୁ ହଜାଇ ଦେଲା ପରି ମନେ ହେଉଥିଲା ତାକୁ। ସେଥିରେ ପୁଣି ସାହିପଡିଶାଙ୍କ ଟାହିଟାପରା। ସହିବାଟା କଷ୍ଟ ହେଲେ ବି ଉତ୍ତର କିଛି ନଥିଲା ମନୋଜ ପାଖରେ।
ବହୁତ ଚେଷ୍ଟାରେ ସେ ନିଜକୁ ସମ୍ଭାଳି ରଖିଲା। ସ୍ତ୍ରୀ ଗଲେ ଯାଉ। ପାଖରେ ପୁଅଟିଏ ତ ଅଛି। ସେଇ ତ ସବୁ କିଛି। ତାକୁ ମଣିଷ କରି ପାରିଲେ ଜୀବନ ପୁଣି ଖୁସିରେ ପୂରି ଉଠିବ। ଢେର ମେହନତ କଲା ସେ। ଜୀବନ ଲଗେଇ ବଡ଼ କଲା ପୁଅକୁ। ସେଇ ପୁଅଟି ଛଡ଼ା ତାର ଆଉ କିଏ ଅଛି ଯେ। ଅନେକ ଆଶା ଅନେକ ସ୍ଵପ୍ନ ପୁଅ ପାଇଁ ମନୋଜର। ପାଠ ପଢେଇବ ବଡ଼ ଚାକିରୀଆ କରେଇବ । ପାଞ୍ଚ ଜଣଙ୍କ ଭିତରେ ଜଣେ କରି ଛିଡ଼ା କରେଇବ। ବାପଧନ କରି ବଢ଼େଇଲା ପୁଅକୁ। କୋଉଥିରେ ଉଣା କରିନି। ଜୀବନରେ ଗୋଟିଏ ବୋଲି ମଣି ସବୁ ଅର୍ଜନ ତାରି ପାଖରେ ଲଗେଇଥିଲା ।
ମନେ ମନେ କେତେ ଖୁସି ହେଇଥିଲା। ହେଲେ ଜନ୍ମ ଯାହାକୁ ଏକାକୀ ରଖିବ ବୋଲି ପଣ କରିଛି, ସେ ବା ସାଥିରେ ରହିବ କେମିତି ! ପୁଅ ଦିନେ ଛୋଟ କଥାକୁ ମୁହଁ ବୁଲେଇ ଗଲା ଯେ ଗଲା। ବାପ ମଲା କି ଗଲା ଥରେ ପଚାରି ଦେଖିଲା ନାହିଁ। ଏବେ ଆଉ କ'ଣ ରହିଗଲା ମନୋଜ ଜୀବନରେ?
ଡାଏରୀ ବନ୍ଦ ହେଲା। ଗୋଟେ ପରେ ଗୋଟେ ପ୍ରତାରଣାର କରୁଣ ଦୃଶ୍ୟ ଭାସୁଥିଲା ଆଖି ଆଗରେ। ମନୋଜ ବାବୁ ଏବେ ମୁହଁ ଖୋଲିଲେ। ଏବେ ଜାଣି ପାରୁଥିବ ମୋ ଏକଲା ବସିବାର କାରଣ। କିଏ ଆଉ ଅଛି ଯେ କାହାକୁ ସାହା କରି ବଞ୍ଚିବି ?? ସାରା ଜୀବନ ଯୋଉ ମାନଙ୍କ ହାତକୁ ଆଶ୍ରା କଲି ଜଣଙ୍କ ପରେ ଜଣେ ସମସ୍ତେ ହାତ ଛାଡ଼ିଦେଲେ। ଯାହା ଭରସା ଥିଲା ସବୁ ତୁଟିଗଲା। ଏଇ ଭଲପାଇବା ବିଶ୍ୱାସ ସବୁ ଗୋଟେ ଗୋଟେ ମିଛ। ସମସ୍ତେ କେବଳ ସ୍ଵାର୍ଥକୁ ଦେଖନ୍ତି। ଆଖିର ଲୁହ କାହାକୁ ଦେଖା ଯାଏନି। ଜୀବନ ସାରା ଯିଏ ଖାଲି ପ୍ରତାରଣାର ଜହର ପିଇଛି ସେ ଆଉ ବଞ୍ଚି ରହି କ'ଣ ବା କରିବ!
କିଛି ସମୟ ନୀରବ ରହିବା ପରେ ସେଇ କିଛି ସମୟର ସାଥି ଜଣଙ୍କ ମୁହଁ ଖୋଲିଲା। ତୁମ ଜୀବନରେ ଅନେକ ଥର ଭରସା ଭାଙ୍ଗିଛି ଏହା ସତ। ନିଜକୁ ବଳି ଦେଇ ଯେଉଁ ମାନଙ୍କ ପାଇଁ ତୁମେ ସବୁ କିଛି କରିଥିଲ ସେମାନେ ହିଁ ତୁମକୁ ଏକା କରିଦେଲେ। ହେଲେ ତୁମେ ହାରି ଯାଅନାହିଁ। ଜୀବନ କ'ଣ କେବଳ ଏତିକି ?? ପ୍ରେମ ଆଉ ପ୍ରତାରଣା ? ହେଇପାରେ ଯାହାକୁ ତୁମେ ପ୍ରତାରଣା ବୋଲି ଧରି ନେଇଛ ତା ପଛରେ ଅନ୍ୟ କିଛି କାରଣ ଥାଇପାରେ। ପ୍ରେମ କରିବା କି ବିଶ୍ୱାସ କରିବା କେବେ ଭୁଲ ନୁହେଁ। ଖାଲି ଯାହା ପରିସ୍ଥିତି ଆମକୁ ସେସବୁ ଭୁଲ ବୋଲି କହି ବାଟବଣା କରେଇ ଦିଏ ଆଉ ଆମେ ଦୋଛକିରେ ଠିଆ ହୋଇ ଭୁଲ ବାଟକୁ ଆପଣାଉ।
ତୁମେ ଏକା ଏକା ଅନେକ କିଛି କରିପାରିବ। ସେତିକି ସାହାସ ତୁମ ଭିତରେ ଅଛି। ବାକି ଜୀବନକୁ ପୁଣି ଥରେ ନିଜ ଅଧୀନରେ ବେଶ ଖୁସିରେ କଟେଇ ପାରିବ।ଆଉ ଏଠି ଏକା ବସି ଲୁହ ଗଡାଅନି। ଏମିତି ବି ଏଇ ଜାଗାକୁ ଲୋକବାକ ଆସନ୍ତିନି। ତୁମେ ଜାଣିଛ ନା ଏଠି ପ୍ରେତାତ୍ମା ମାନେ ଘୁରି ବୁଲନ୍ତି। ଯାଅ ଏବେ ଘରକୁ ଯାଅ। ପୁଣି ଥରେ ଜୀବନକୁ ଜିଇବା ଆରମ୍ଭ କର। ଆଉ ତା ବି ଏକାକୀ।
ମନୋଜ ବାବୁଙ୍କୁ କଥାଟା ଶୁଣି କାଇଁ ଭାରି ଆଶ୍ବସ୍ତ ଲାଗିଲା। ପ୍ରତାରଣା ସହି ସହି ଥକି ପଡ଼ିଥିବା ଲୋକଟା ପୁଣି ଥରେ ମୁଣ୍ଡ ଟେକିବାକୁ ସାହାସ କଲା । ଉଠି ଛିଡ଼ା ହେଲା। ପଚାରିଲା - କିନ୍ତୁ ତୁମେ କିଏ ??
ଉତ୍ତରରେ କିଛି ଆସିଲାନି କେବଳ ଡାଏରୀଟା ଛଡ଼ା। ମନୋଜ ବାବୁଙ୍କ ପୁନର୍ବାର ପ୍ରଶ୍ନ - ହେଲେ ତୁମ ପରିଚୟ ? ଉତ୍ତରରେ ଗୋଟିଏ କଥା - ନିଜକୁ ଏକା ବୋଲି ଭାବିବନି। ଯଦି ଏକା ଲାଗେ ଏଠାକୁ ଆସିବ, ଆମେ ପୁଣି ଥରେ ସାଙ୍ଗ ହେଇଯିବା। ଏବେ ଯାଅ।
ମୁହଁ ବୁଲେଇ ଡାଏରୀଟି ଧରି ସେଠାରୁ ଚାଲି ଆସିଲେ ମନୋଜ ବାବୁ। ମନେ ମନେ ଭାବୁଥାନ୍ତି କିଏ ସେ..? ବାଟ ଯାକ ଉତ୍ତର ପାଇଲେନି। ଘରେ ପହଞ୍ଚି ଡାଏରୀ ଟାକୁ ଖୋଲିଲେ। ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ନାଲି ଅକ୍ଷରରେ ସଦ୍ୟ ସଦ୍ୟ ଲେଖା ହେଇଥିଲା- ମିତାଲି।
ମୁହୂର୍ତ୍ତେ ପାଇଁ ସ୍ଥାଣୁ ପାଲଟି ଗଲେ ମନୋଜ ବାବୁ। ତେବେ ସେ କ'ଣ ମୋର ସେଇ ପିଲା ଦିନର ମିତାଲି ?? ଯାହାକୁ ମୁଁ ପ୍ରତାରଣାର ପ୍ରଥମ ଅକ୍ଷର ଭାବିଥିଲି !! ହଁ ଇଏ ହିଁ ମୋ ମିତାଲି। ଦିନେ ଯାହାକୁ ମୁଁ ପ୍ରତାରଣାର ସାରଥି ଭାବୁଥିଲି, ଆଜି ସେ ହିଁ ପ୍ରେମର ପଥିକ ହେଇ ମୋ ଏକଲା ପଣର ମଲମ।
ପ୍ରକୃତ ପ୍ରେମ କେବେ ପ୍ରତାରଣାର ପରିଚିତ ନୁହେଁ। ଡାଏରୀଟାକୁ ଛାତିରେ ଜାବୁଡ଼ି ଧରି ଜୋରରେ କାନ୍ଦୁଥିଲେ ମନୋଜ ବାବୁ।

