STORYMIRROR

Subhashree Nayak

Tragedy Inspirational

4  

Subhashree Nayak

Tragedy Inspirational

ବୋଝ

ବୋଝ

2 mins
234

ଆଖି କୋଣରେ ମୋର ଜକେଇ ଆସୁଥିଲା ଲୁହ ଯେତେବେଳେ ତାକୁ ପାଖକୁ ଡାକି ତା'ର ସେଇ ଫୁଲା ଫୁଲା ପାପୁଲିକୁ ଆଉଁସି ଦେଇ ମୁଁହକୁ ତା'ର ଚାହିଁ ଦେଲି ମୁଁ। ଓଠରେ ମୋର ଭାଷା ନଥିଲା। ଆକଟ କରି କହିବାର ଜୁ' ନଥିଲା କି ନଥିଲା ବାଧ୍ୟ ବାଧକତାରେ କାମ ହାସଲ କରିବାର ସାହସ। ବହୁତ ଦିନ ପରେ ଏକଦମ୍ ଚୁପ୍ ହେଇ ଯାଇଥିଲା ସେ। ଆଉ ତାକୁ ଦେଖି ମୁଁ।

ଦେଖିବାକୁ ଗଲେ ଯଦିଓ ସେ ଅଳ୍ପ ଜିଦିଆ, ହେଲେ ଅମାନିଆ ନୁହେଁ। ବୁଝେଇଲେ ବୁଝିଯାଏ। ବେଶୀ ପରିଶ୍ରମ କରିବାକୁ ପଡେନା। କଥା କୁହା ରେଡ଼ିଓଟେ।ତା' ପୁଣି ଯଥାବଶ୍ୟକ ଅଙ୍ଗଭଙ୍ଗୀ ସହିତ। ନ ବୁଝିଲା ଲୋକେ କହନ୍ତି - କେତେ ବକର ବକର ହଉଛି। ହେଲେ ଧୈର୍ଯ୍ୟ ର ସହ ଶୁଣିଲେ ବୋଧହୁଏ ତା' ଭିତରେ ଗୋଟିଏ କୁନି ପର୍ଯ୍ୟବେକ୍ଷକକୁ ପାଇ ହେବ। ଯାହାର ବକର ବକର କୋଇଲିର କୁହୁଠାରୁ ବି ମିଠା। ଏଇଟା ମିଛ ନୁହେଁ ଯେ ସେ ମିଛ କୁହେ। ହଁ, ସେ କହେ। ଖାଲି ମୋତେ କାହିଁକି? ମୋ ପରି ଅନେକଙ୍କୁ। କାଳେବେଳେ ଧରା ପଡ଼ିଯାଏ ନହେଲେ ଆରାମରେ ଖସିଯାଏ।

ଆଜି କିନ୍ତୁ ନା ସେ ସତ କଥାଟା ଖୋଲି କହି ପାରୁଥିଲା ନା ମିଛ କହି ସତକୁ ଲୁଚେଇବାର ପ୍ରଚେଷ୍ଟା କରୁଥିଲା। ଚୁପ୍ ଚାପ୍ ହେଇ ଯାଇଥିଲା ପୂରାପୂରି। ବୋଧହୁଏ ତା'ର ସେଇ କୁନି ମନଟି ବୁଝି ସାରିଥିଲା - ବାବା ମମିଙ୍କୁ ଖୁସି କରିବାକୁ ହେଲେ ଏସବୁ ତାକୁ କରିବାକୁ ପଡ଼ିବ। ଯେମିତି ବି ହେଉ। ହେଲେ ଏସବୁ କରି କରି ସେ ଥକି ପଡ଼ିଥିଲା। ଯାହା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ତା'ର ଆଖିର ଲୁହରୁ, ତା'ର ସେଇ ନୁଆଁଣିଆ ଚାହାଣିରୁ ଆଉ ମୋ ପାପୁଲି ଭିତରେ ଥିବା ତା'ର ସେ କୁନି କୁନି ପାପୁଲିରୁ। ରାତିକ ପରେ ବାର୍ଷିକ ପରୀକ୍ଷା। ଘରେ ବାବା ମମିଙ୍କର କଡ଼ା ତାଗିଦ୍ - ଏଥରକ ପ୍ରଥମ ସ୍ଥାନ ଆଣିବାକୁ ହିଁ ପଡ଼ିବ। ସେଥିପାଇଁ ଦିନ ନାହିଁ ରାତି ନାହିଁ, ବହି ଖାତା ଧରି ବସିବାକୁ ପଡୁଛି। କେବେ ଇଚ୍ଛା ରେ କେବେ ବାଧ୍ୟ ବାଧକତା ରେ। ସେ ଜାଣି ସାରିଛି ଏଥର ପ୍ରଥମ ନ ହେଲେ ମମିଙ୍କ ମାଡ଼ ଆଉ ବାବା ଙ୍କର ଅଣଦେଖା।

ଏ ତ ଗଲା ଘର କଥା। ଏପଟେ କ୍ଲାସ ରେ ବି। ସାର୍ ଆଉ ମିସ୍ ଙ୍କ ବାରବାର ଅଭ୍ୟାସ। ଏଇଟା ପଢ ସେଇଟା ଲେଖ । ଏଟାକୁ ୩ଥର ଲେଖ ସେଟାକୁ ୫ଥର ଲେଖ। ଶୀଘ୍ର ଲେଖ।


ଲେଖି ଲେଖି ଅଣାୟତ୍ତ ସେ। କଅଁଳିଆ କୁନି ହାତଟେ ତା'ର। କେତେ ବା ସହିବ ? କେତେ ବା ଚଲେଇ ପାରିବ ପେନସିଲ୍ ର ମୁନକୁ? ମନା କରିବାର ମନଟା ତା'ର ମରି ସାରିଥିଲା। ନୀରବୀ ଯାଇ ଥିଲା ସେ। ପୂରାପୂରି ଅଜାଣତରେ।

ତା'ର ସେଇ କୁନି ହାତକୁ ମୋ ପାପୁଲି ଭିତରେ ଧରି ରଖିଥିଲି ମୁଁ। ଆଉ ଚାହିଁ ରହିଥିଲି ତା'ର ମୁହଁ କୁ। ମନକୁ ମନ ନିଜକୁ ପଚାରି ଚାଲିଥିଲି କେତେ କ'ଣ। କ୍ଲାସ ସରିବାର ଘଣ୍ଟି ବାଜିଲା। ପ୍ରକୃତିସ୍ଥ ହେଇ ବାହାରି ଆସିଲି କ୍ଲାସ ରୁ। ହେଲେ ମନରେ ମୋର ବର୍ତ୍ତମାନ ସୁଦ୍ଧା ପ୍ରଶ୍ନଟିଏ ଉଙ୍କି ମାରୁଛି - ସତରେ କ'ଣ ଏଇ ବୋଝ ସେ ସହି ପାରିବ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Subhashree Nayak

Similar oriya story from Tragedy