STORYMIRROR

Subhashree Nayak

Inspirational

3  

Subhashree Nayak

Inspirational

ହଳେ ଚପଲ

ହଳେ ଚପଲ

2 mins
583

ଖରାଦିନ, ରାତି ପ୍ରାୟ ସାଢେ଼ ଦଶ ହେବ। ଖଟରେ ପଡ଼ିଥାଏ। ଆଖିରେ ନିଦ ନାହିଁ। ରାତି ପାହିଲେ ବାପାଙ୍କ ଜନ୍ମ ଦିନ। ଆଗରୁ ତ ବାପାଙ୍କୁ କିଛି ଦେଲା ଭଳି କ୍ଷମତା ନ ଥିଲା। ହେଲେ ଏଥର ନିଶ୍ଚିତ କିଛି ଦେବି। କ'ଣ ଦେବି କ'ଣ ଦେବି ବୋଲି ମନଟା ଖୁଜୁବୁଜୁ ହେଉଥାଏ। ବହୁତ କିଛି ଭାବିଲି। ହେଲେ ପସନ୍ଦ ଆସିଲା ନାହିଁ। ଶେଷରେ ଧାର୍ଯ୍ୟ କଲି ଭଲ ଦାମୀ ଚପଲ ହଳେ ଆଣି ବାପାଙ୍କୁ ଉପହାର ଦେବି। ତାଙ୍କର ଅବଶ୍ୟ ଚପଲର ଅଭାବ ନାହିଁ। ତଥାପି ମୁଁ ଦେଲେ ସେ ମନା କରିବେ ନାହିଁ। ମନେ ମନେ ଏଇଆ ସ୍ଥିର କରି ଶୋଇଲି।

ସକାଳ ହେଲା। ଶେଯରୁ ଉଠି ନିତ୍ୟକର୍ମ ସାରି ଆଜିର ପ୍ରଥମ କାମ ହେଲା ବାପାଙ୍କ ପାଇଁ ନୂଆ ଚପଲ ଆଣିବି। ପ୍ରସ୍ତୁତ ହେଇ ଆସିଲି ଘରର ମୁଖ୍ୟ ଦରଜା କୁ। ଦେଖିଲି ଘରର ତଳ ପାହାଚ କୁ ଛାଡି ପଡ଼ିଛି କଳା ରଙ୍ଗର ଫାଳେ ଚପଲ। ତାକୁ ଦି'ହାତ ଛାଡି ଆଉ ଫାଳେ। ଯାହା ବି ହେଉ, ପିନ୍ଧୁଥିବା ଲୋକ ଚପଲ ପିନ୍ଧି ନାହିଁ କହିଲେ ଚଳେ। ଭାବିଲି ଆମ ଘରେ ଏ ହଳକ ପୁଣି କାହାର? ତା' ପୁଣି ଏତେ ଛିଣ୍ଡା ଅବସ୍ଥାରେ !

ସାଙ୍ଗେ ସାଙ୍ଗେ ଝାଳନାଳ ହେଇ ବାହାରି ଆସିଲା ବୁଢା ଲୋକଟିଏ।ସେଇ ଲୋକ ଯେ ଆମର ଉପର ଘରର କାମରେ ମୂଲିଆ ସାଜିଛି ଆଜି। ତରବରରେ ଆସି ସେ ଦୁଇ ଫାଳ ଚପଲକୁ ସଜାଡି ରଖି ଦେଲା ଗୋଟିଏ କୋଣରେ। ଜାଣି ପାରିଲି ଏଇ ହଳକ ତା'ରି। ମୂହୁର୍ତ୍ତକ ପାଇଁ ନଜର ପକେଇଲି ତା'ର ପାଦକୁ। ପର ମୂହୁର୍ତ୍ତ ରେ ତା'ର ଚପଲକୁ। ଦରଜା ଡେଇଁ ବଜାର ଯିବାର ଉତ୍ସାହ ଆଉ ନଥିଲା। ଧପ୍ କରି ବସି ପଡ଼ିଲି ସୋଫା ଉପରେ। ଠାକୁର ଘରୁ ବୋଉ ଡାକ ପକାଇଲା - " ତୁ ପରା ବାପାଙ୍କ ପାଇଁ କ'ଣ ଉପହାର ଆଣିଥାନ୍ତୁ । "।

ଓଠ ମୋର ନୀରବ। ସତେ ଯେମିତି କହିବାକୁ ଶବ୍ଦ ନାହିଁ ତା'ପାଖରେ। ଆଖିରେ ମୋର ଦୁଇ ଟି ଛବି। ଗୋଟିଏ ମୋ ବାପାଙ୍କ ପାଦ, ଅନ୍ୟ ଟି ସେଇ ବୁଢା ଲୋକଟିର ଚପଲ ହଳିକ......!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Subhashree Nayak

Similar oriya story from Inspirational