Kabiratna N.K. Behera

Classics Inspirational

3  

Kabiratna N.K. Behera

Classics Inspirational

ଦାସିଆ ନଡି଼ଆ

ଦାସିଆ ନଡି଼ଆ

4 mins
190


  ସାଆନ୍ତେ ତାଙ୍କ ସାଙ୍ଗସାଥୀଙ୍କ ସହିତ ତୀର୍ଥଯାତ୍ରାରୁ

ସ୍ବଗୃହକୁ ଫେରୁଥିଲେ। ସେତେବେଳେ ଏତେ ଗାଡି଼

ମଟର ନ ଥିଲା। ଯିଏ ମହାପ୍ରଭୁଙ୍କର ଦର୍ଶନ ପାଇବାକୁ

ଚାହୁଁଥିଲେ ପାଦରେ ଚାଲି ଚାଲି ରଥଯାତ୍ରା ବା ବର୍ଷର

ଯେ କୌଣସି ସମୟରେ ପୁରୀ ଯାଉଥିଲେ। ଦୂରତା

ଅନୁଯାୟୀ ବହୁ ସମୟ ସାପେକ୍ଷ ହେଉଥିଲା। ତେଣୁ

ସମ୍ଭ୍ରାନ୍ତ ବଂଶଜ ବା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନେ

ପ୍ରାୟତଃ ତୀର୍ଥ କରୁଥିଲେ ବୟସର ଆଧିକ୍ୟରେ।

ପ୍ରଭୁଙ୍କ ଦର୍ଶନ ବିନା ମୋକ୍ଷପ୍ରାପ୍ତି ମିଳେନା।

    ଶ୍ରଦ୍ଧାଳୁ ଭକ୍ତ ନିଜ ସାମର୍ଥ୍ୟ ନେଇ ବିଭିନ୍ନ ତୀର୍ଥ

ସ୍ଥାନ ପରିଭ୍ରମଣ କରୁଥିଲେ। ପଥକ୍ଳାନ୍ତ ହେଲେ ପାନ୍ଥଶାଳା ବା ମଠ ମନ୍ଦିର କିମ୍ବା ଅଜଣା ଗାଁରେ ପରିଚୟ ଦେଇ ରାତ୍ରି ଯାପନ କରୁଥିଲେ। ତତ୍କାଳୀନ ସମାଜରେ ଏହି ପ୍ରକାର ଚଳଣୀ ଚଳି ଆସୁଥିଲା।

ତୀର୍ଥ ଯାତ୍ରା ଏକ ଲମ୍ଵା ସମୟର ବ୍ୟବଧାନ ଥିଲା।

    ସାଆନ୍ତେ ଓ ତାଙ୍କର ସାଥୀମାନେ ରହିଥିଲେ

ଏକ ଆଶ୍ରୟ ସ୍ଥଳରେ ରାତ୍ରି ଯାପନ ପାଇଁ। ରାତି

ପାହି ଆସୁଥାଏ। କୁକୁଡା଼ ରଡି଼ କରି ଉଠିଲେ। 

ସାଆନ୍ତେଙ୍କ ନିଦ ଭାଙ୍ଗିଗଲା କୁକୁଡ଼ମାନଙ୍କର ଡା଼କ

ଶୁଣି। ଆଖି ମେଲି ଦେଖିଲେ ତାଙ୍କର ସାଥୀମାନେ

ନିଘୋଡ଼ ନିଦରେ ଶୋଇଛନ୍ତି। ସେ ଉଠିବା ସଙ୍ଗେ

ସଙ୍ଗେ ସମସ୍ତଙ୍କୁ ଡାକି ଉଠାଇଲେ। ଯିଏ ଯାର

ନିତ୍ୟକର୍ମ ସାରିବା ପାଇଁ ତରବର ହେଲେ, ଶିଘ୍ର

ପୁଣି ଚାଲିବାକୁ ହେବ। ଘରକୁ ପହଞ୍ଚିବା ପାଇଁ

ଆହୁରି ବହୁତ ବାଟ ଅଛି।

    ସାଆନ୍ତେ ସ୍ନାନ ସାରି ତାଙ୍କ ଗଣ୍ଠୁଲି ଖୋଲି

ନେଇଥିବା ଖାଦ୍ୟ ଓ ଶ୍ରୀକ୍ଷେତ୍ରରେ ଲାଗି କରିଥିବା

ଭୋଗ ସବୁ ଦେଖି କଣ ଖାଇବେ ଭାବୁଥାନ୍ତି। ଦେଖି

ପକାଇଲେ ତାଙ୍କ ଝୁଲା ଥଳୀର ଭିତରେ ଗୋଟେ

ପଟେ ନଡି଼ଆ ଖଣ୍ଡେ ଅଛି। ମନେ ପଡି଼ଗଲା ତାଙ୍କର

ଆରେ, ଏ କଣ ଦାସିଆ ଦେଇଥିବା ନଡି଼ଆ ତ

ମୁଁ ପୂଜା ପାଇଁ ଦେଇ ପାରିଲିନି। ତୀର୍ଥଯାତ୍ରାର ଶ୍ରମ

ସହିତ ମନର ଉଦବେଗ ଯୋଗୁଁ ସେ ଏ ନଡି଼ଆ

ପଣ୍ଡାଙ୍କୁ ଅପର୍ଣ କରିବାକୁ ଭୁଲି ଯାଇଛନ୍ତି। ତାଙ୍କୁ

ବହୁତ ଖରାପ ଲାଗିଲା। କଣ କରିବେ, ଏତେ ବାଟ

ତ ଫେରି ଯାଇ ପାରିବେ ନାହିଁ କି ଦାସିଆର ନଡି଼ଆ

ଦେଇ ପାରିବେ ନାହିଁ ପୂଜାରେ। ଭାରି ମନସ୍ତାପ

କଲେ, ମନଟା ଗୁଡେଇ ତୁଡେଇ ହେଲା। ଆଉ

ଖାଇବେ କଣ ?

    ତାଙ୍କର ମନକୁ ଆସିଲା ପ୍ରଭୁ ତ ଅନ୍ତର୍ଯ୍ୟାମୀ

ସବୁଠାରେ ଅଛନ୍ତି। ତାଙ୍କୁ ଭକ୍ତିରେ ଡା଼କିଲେ ଶୁଣନ୍ତି।

ତେଣୁ ପ୍ରଭୁଙ୍କୁ ଏଇଠି ଏ ନଡି଼ଆଟିଏ ମୁଁ ଅର୍ପଣ କରି

ଦେବି। ନହେଲେ ଦାସିଆ ଯେବେ ଜାଣିବ ତାର

ଏ ନଡି଼ଆ ମୁଁ ଦେଇ ନାହିଁ, ଭାରି ମନ କଷ୍ଟ କରିବ।

   ଦାସିଆ ସାଆନ୍ତେଙ୍କର ଚାକର। ତାଙ୍କ ଘରର

ଚାଷ ବାସଠାରୁ ସବୁ ହାନୀଲାଭ ବୁଝେ। ଜାତିରେ

ବାଉରୀ ହେଲେ କଣ ହେବ, ଭାରି ଶାନ୍ତ ସରଳିଆ

ସେ। ମିଛ କଣ ଜାଣେନା। ବିଚରା ଆସିବ ବୋଲି

ମୋ ସାଥୀରେ କହୁଥିଲା। ଘରର କିଛି ଅଡୁଆ ତଡୁଆ

ହେଲେ କିଏ ବୁଝିବ ଭାବି ତାକୁ ସେ ଥୟ ଧରାଇ

ଥିଲେ। ଏବେ ଖାଇବା ପୂର୍ବରୁ ସାଆନ୍ତେ ସେଇ

ନଡି଼ଆକୁ ଯୋଡ଼ହସ୍ତରେ ଧରି ଉପରକୁ ଟେକି

ପ୍ରଭୁଙ୍କୁ ସୁମରଣା କରି କହିଲେ ମନେ ମନେ,

ହେ ପ୍ରଭୁ ! ଦାସିଆ ଦେଇଥିବା ନଡି଼ଆ ମୁଁ ତୁମକୁ

ଦେବା ପାଇଁ ଭୁଲି ଯାଇଛି। ମୋର ଦୋଷ କ୍ଷମା

କର, ଦାସିଆର ଏ ନଡି଼ଆ ତୁମକୁ ଅପର୍ଣ କରୁଛି।

ଆଖି ବୁଜି ହାତ ଆଞ୍ଜୁଳାରେ ସେ ନଡି଼ଆଟିକୁ

ଉପରକୁ ଟେକି ମଣ୍ଡ ନୁଆଁଇଲେ। ଏ କଣ,

ତାଙ୍କ ହାତରେ ନଡି଼ଆ ତ ଆଉ ନାହିଁ। ଆଖି

ଖୋଲି ଦେଖିଲେ ତାଙ୍କ ହାତରୁ ବି କେହି ସାଙ୍ଗ

ନେଇ ନାହାଁନ୍ତି। କୁଆଡେ ଉଭାନ ହୋଇଗଲା

ସେ ନଡି଼ଆ।

    ସାଆନ୍ତେ ବୁଝି ଗଲେ। ସ୍ଵୟଂ ମହାପ୍ରଭୁ ଆସି

ଅଦୃଶ୍ୟରେ ଦାସିଆର ନଡି଼ଆ ନେଇ ଗଲେ।

କେଡେ କପାଳିଆଟାରେ ଦାସିଆ, ତା ନଡି଼ଆ

ସ୍ବୟଂ ପ୍ରଭୁ ନେଇ ଗଲେ ଅଥଚ ମୁଁ ମୋର ସାଙ୍ଗ

ମାନେ ଏତେ ପ୍ରକାର ସୁମିଷ୍ଟ ମିଠେଇ ଫଳ ଭୋଗ

ଲାଗି କଲୁ, ସେଥିରୁ ପ୍ରଭୁ ତ ଅଣୁଏ ବି ନେଇ

ନାହାଁନ୍ତି। କି ଅଲୌକିକ ଘଟଣା ଘଟିଲା। ସବୁ

ସାଥୀମାନେ ବି ଦେଖିଲେ। ସମସ୍ତେ ଆଶ୍ଚର୍ଯ୍ୟ

ଚକିତ ହେଲେ। ବିଶ୍ବାସ ହେଉଥାଏ ହେଉ ନ ଥାଏ।

ମନରେ ଅନେକ ଦ୍ବନ୍ଦ୍ଵ।

   ଘଟଣାଟି ତୁଣ୍ଡରୁ ତୁଣ୍ଡ ହୋଇ ବ୍ୟାପି ଗଲା

ରାଇଜ ଯାକ। ପ୍ରଭୁଙ୍କର ମହିମା କି ବିଚିତ୍ର।

  ତଥାପି ସାଆନ୍ତଙ୍କର ପୂର୍ଣ୍ଣ ବିଶ୍ଵାସ ହେଉ ନ ଥାଏ।

ମନକୁ ମନ ଭାବୁଥାନ୍ତି ଦାସିଆ ବୋଧହୁଏ କିଛି

କିମିଆଁ ଜାଣିଛି। ଏମିତି ନାନା କଥା ଭାବି ଭାବି

ସେ ଘରକୁ ଫେରିଲେ।

   ତହିଁ ଆରଦିନ ଦାସିଆକୁ ଡାକି ପାଖରେ ବସାଇ

ପଚାରିଲେ, କିରେ ଦାସିଆ ତୁ କିଛି ଗୁଣ ମନ୍ତର ଜାଣୁ

କି...

  ଦାସିଆ ଆଁ ଟା ମାରି ଦଣ୍ଡେ ସାଆନ୍ତଙ୍କୁ ଚାହିଁ ରହିଲା

ତାପରେ ଥଙ୍ଗମଙ୍ଗ ହୋଇ କହିଲା, ଏମିତି ଆପଣ

କଣ କହୁଛନ୍ତି ସାଆନ୍ତେ,ମୋତେ ଘଉଡାଇ ଦିଅନ୍ତୁ

କି ମାରି ଦିଅନ୍ତୁ ପଛେ ହେଲେ କିଛି ସନ୍ଦେହ କରନ୍ତୁ

ନାହିଁ। ମୁଁ କି ଦୋଷ କରିଛି ସାଆନ୍ତେ...

   ଆରେ ଦୋଷ ତୋର କିଛି ନାହିଁ, ମହାପୂଣ୍ୟ

ତୁ ଅରଜିଛୁ। ଶୁଣିବୁ, ହଉ ଶୁଣ ତେବେ.....

.....ସବୁ କଥା ଟିକି ନିଖି ଦାସିଆକୁ କହିଲେ ସେ।

ତା ନଡି଼ଆ ଉଭାନ ହେଲା କେମିତି ?

    ଦାସିଆ ଭକ୍ତି ଗଦଗଦ ହୋଇ କହିଲା ସାଆନ୍ତେ

ମୁଁ ଜାଣିଥିଲି ପ୍ରଭୁ ମୋ ନଡି଼ଆଟି ନେବେ। ମୋର

ଭରସା ବିଶ୍ଵାସ ଅଛି ତାଙ୍କ ଠିଁ, ମୋ ମନ କଥା ମୁଁ

ତାଙ୍କୁ କହେ...ହେ ପ୍ରଭୁ ମୋତେ ଭଲ ବାଟେ ନିଅ,

ମୁଁ ଏମିତି କିଛି ନ କରେ ତୁମର ନିନ୍ଦା ହେବ। ତୁମେ

ମହାପ୍ରଭୁ ସବୁ ତ ଜାଣ। ତୁମର ତ ସବୁ ଅଛି। ଏ

ସାରା ଜଗତଟା ତୁମର, ମୁଁ ବି ତ ତୁମର। ତୁମକୁ

ମୁଁ କଣ ଦେବି। ଘର ବାଡିରେ ନଡି଼ଆ ଫଳି ଥିଲା

ଭାରି ମଧୁରିଆ। ତୁମକୁ ଗୋଟେ ସାଆନ୍ତ ହାତରେ

ଦେଇ ପଠାଛି। ଯାଇ ନ ପାରିଲି ବୋଲି ତୁ ମନ

ଊଣା କରିବୁନିରେ କାଳିଆ, ମୋର ତ ବହୁତ

ମନ ତୋ ପାଖକୁ ଯିବାକୁ, ତୁ ନେବାକୁ ଚାହୁଁନୁ

ବୋଧେ। ହଉ ତୋ ଇଚ୍ଛା ଯା, ତୁ ପରା ଇଚ୍ଛାମୟ।

ତୋ ଦୋଷ ମୁଁ କି ଧରିବିରେ, ସ୍ବୟଂ ମାଆ ଯଶୋଦା

ପରା ଆବୁଡେଇ ଯାନ୍ତି। ମୁଁ ଛାର ହଳିଆଟା।

ସାଆନ୍ତଙ୍କ ଘରେ ମଜୁରୀ କରୁଛି। ପେଟ ତ ପୁରୁଛି,

ମନ ପୁରୁନି ତୋତେ ନ ଦେଖି...ଏମିତି ଗୁଡାଇ

କହି ଯାଉଥିବା ବେଳେ ଦାସିଆ ଆଖିରୁ ଝରି

ଯାଉଥିଲା ଧାର ଧାର ଲୁହ, ସେ ଦୁଃଖର ନଥିଲା

ଥିଲା ଭକ୍ତିର ଭାବର ଆନନ୍ଦର।

   ଦାସିଆ ପାଖରେ ସାଆନ୍ତ ହାତ ଯୋଡି଼ କ୍ଷମା

ଭିକ୍ଷା କଲେ ଆଉ କହିଲେ , ହେ ପ୍ରଭୁ ତୁମେ ସତରେ ଦୟାର ସାଗର, ମୋ ଆଖି ଖୋଲି ଦେଲ।ଦାସିଆ ସାମନ୍ୟ ମଣିଷ ନୁହେଁ, ସେ ତୁମର ଅଂଶ,ତୁମେ ମୋତେ ଆଜି ବୁଝାଇ ଦେଲ ଭକ୍ତିରେ ଶକ୍ତି।ଏ ଧନ ଦୌଲତ ମୋତେ ଅନ୍ଧ କରି ଦେଇଥିଲା।ଦାସିଆର ସେଇ ନଡି଼ଆ ମୋତେ ବୁଝାଇ ଦେଲା ହୃଦୟର ନିର୍ବିକାର ଭାବନା ହିଁ ଭକ୍ତି। ଆଉ ତା ମୋ ପାଖରେ ନାହିଁ, ତୁମେ ଚାହିଁଲେ ମୋ ହୃଦୟରେ ଭରି ଦେବ। ଯୁଗେ ଯୁଗେ କଥା ରହିବ ତୁମେ ଭକ୍ତିରେ ଭକ୍ତର ହୃଦୟେ ବନ୍ଧା, ଯା ପ୍ରମାଣ କରି ଦେଖାଇ ଦେଇଛି ତୁମେ ନେଇ ଦାସିଆର ନଡି଼ଆ....


Rate this content
Log in

Similar oriya story from Classics