ଚିଠା
ଚିଠା
ମାଆ ବାପାଙ୍କୁ କଣେଇ କଣେଇ ଚାହିଁ ଝିଅ ରୁଚି ଶେଷକୁ ପାଟି ଖୋଲିଥିଲା, ମୁଁ ଆଉ ସେଠିକୁ ଯିବିନି ବାପା. ମତେ ସେ ଘରେ ଅଣନିଶ୍ୱାସୀ ହୋଇ ମରିବାକୁ ଦିଅନା ମାଆ. ତୁମ ଦୁହିଁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ପିଲାଦିନୁ ବଢିଛି. ଶେଷକୁ ଏକ ଯୌତୁକ ଲୋଭି ପରିବାରର ବଡବୋହୁ ହୋଇ କେମିତି ସାରା ଜୀବନ ଚଳିବି କୁହ ବାପା??ରୁଚିର ବାପା ମାଆ ଦୁହେଁ ଶିକ୍ଷକତା କରୁଥିଲେ. ଶିକ୍ଷକତା ଜୀବନରେ ସମାଜର ଦିଗଦର୍ଶକ ହୋଇ ଦୁହେଁ ଅବସର ନେଇଛନ୍ତି. ଏକମାତ୍ର ଝିଅ ରୁଚି ବାହାଘରକୁ ସେ ସମସ୍ତ ପୁରୁଣା ଛାତ୍ର ଛାତ୍ରୀ, ଅଭିଭାବକ, ସ୍କୁଲ ସହିତ ସମ୍ପୃକ୍ତ ପ୍ରତିଟି ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିଛନ୍ତି. ଖାଲି ସେତିକି ନୁହେଁ ତାଙ୍କ ଗାଁରେ ହିଁ ଭୋଜିଭାତର ଆୟୋଜନ କରାଇ ଦଶଗୋଟି ସାହିକୁ ଏକଜୁଟ କରିଛନ୍ତି. ଏଥିରେ ତାଙ୍କୁ ସାଧୁ ଓ ଦିବାକର ଦୁହେଁ ଖୁବ ସାହାଯ୍ୟ ସହଯୋଗ କରିଛନ୍ତି. ଆଗରୁ ସେ ଦୁହେଁ ସାଧୁଠାରୁ ଶୁଣିଥିଲେ ଗାଁରେ ଏକତାର ଘୋର ଅଭାବ. ଏପଟ ସାହିରେ କେହି ମଲେ ସେପଟ ସାହି ଲୋକ ଜାଣନ୍ତି ନାହିଁ କି ସେପଟ ସାହିରେ କୋଉ ଭୋଜି କାହାର କଣ ପାଇଁ ହେଉଛି ଏପଟ ସାହି ଲୋକ ଜାଣନ୍ତି ନାହିଁ. ହୁଏତ ଦଶ ଗୋଟି ସାହିର ପ୍ରାୟେ ଦଶ ହଜାର ଲୋକଙ୍କୁ ଏକାଠି ଡାକି ଭୋଜିଭାତ ଦେବା ଅସହଜ ହୋଇପାରେ ଆର୍ଥିକ ଦୃଷ୍ଟିକୋଣରୁ କିନ୍ତୁ ପ୍ରସାଦ ଟିକେ ବାଣ୍ଟି ଖାଇ ଖୁଆଇବାରେ ଅସୁବିଧା କଣ?? ଏହା ଶୁଣି ରୁଚିର ପିତା ମାତା, ସୁଧୀର ଓ ସ୍ୱପ୍ନା କହିଥିଲେ ଠିକ ଅଛି ଆମ ଏକମାତ୍ର ଝିଅର ବାହାଘର ଦିନ ଆମେ ଗାଁ ସାରା ଲୋକ ଏକାଠି ହେବା. କିଛି ନହେଲେ ଲେମ୍ବୁ ସରବତ ଟିକେ ତ ଦେଇପାରିବେ ଆଜ୍ଞା ବୋଲି ସାଧୁ ସାଙ୍ଗରେ ମିଶି ଦିବାକର କହିଥିଲେ ତ ସେ ଦୁହିଁଙ୍କ ଏକତା, ସହାଭାଗିତା ଓ ବନ୍ଧୁ ପଣେ ଭୋଜିଭାତ, କ୍ରିୟା କର୍ମ, ଯାଗ ଯଜ୍ଞରେ ସହଯୋଗର ହାତ ବଢେଇବା ଏକ ଦିବ୍ୟ ଓ ଭବ୍ୟ ଗୁଣ କହି ପ୍ରଶଂସା କରିବା ସହ ସୁଧୀର ଓ ସ୍ୱପ୍ନା ଝିଅ ବାହାଘର ଗ୍ରାମରେ ଆୟୋଜନ କରିଥିଲେ.
ସଂସ୍କାର ସମ୍ପର୍ଣ୍ଣ ଝିଅ ରୁଚି,ପିତା ମାତାଙ୍କ ଆଦର୍ଶରେ ବଢିଥିଲା. ପିତା ମାତାଙ୍କ କଥାରେ ସେମାନେ ପସନ୍ଦ କରିଥିବା ଘର ଓ ବର ମାନିନେଇଥିଲା. ତାଙ୍କ ପଟୁ ମଧ୍ୟ କୌଣସି ଯୌତୁକର ଦାବୀ ନଥିଲା. ସୁଧୀର ମଙ୍ଗଳକୃତ୍ୟ ଦିନ ଗାଁ ଭୋଜି ସାରିଦେଇଥିଲେ. ଭୋଜି ଖାଇ ତଥା ସୁଧୀର ଓ ସ୍ୱପ୍ନାଙ୍କର ସୁଵିଚାର ଦେଖି ଗ୍ରାମବାସୀ ସେମାନଙ୍କର ଜୟ ଜୟକାର କରିବା ସହ ସାଧୁ ଓ ଦିବାକାରଙ୍କ ମିଳିତ ଉଦ୍ୟମରେ କୋଉଠି କଣ ଆବଶ୍ୟକ ସବୁ ବୁଝି କରିଯାଉଥିଲେ. କିଏ ବେଦୀ ସଜାଡୁ ଥିଲା ତ କିଏ ମାଛ, ଚୁଙ୍ଗୁଡ଼ି,କଙ୍କଡା ଇତ୍ୟାଦି କୋଉଠୁ ଆସିବ ବୁଝି ନେଇ ଆଣି ଯୋଗାଡୁ ଥିଲେ . ସୁଧୀର ଓ ସ୍ୱପ୍ନା ତାଙ୍କ ଜୀବନକାଳରେ ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିବାରୁ ସବୁ କାମ ସୁରୁଖୁରୁରେ ଚାଲିଥିଲା. ଆଗକୁ କେହି ନାହିଁ ପଛକୁ ମଧ୍ୟ କେହି ନାହିଁ ତ ଏକମାତ୍ର ଝିଅର ବିଦାୟରେ ମନପସନ୍ଦର ଜିନିଷ ମଧ୍ୟ ତା ଶାଶୁ ଘରକୁ ଦେବାକୁ ସଜାଡି ରଖିଥିଲେ.ଠିକ ସମୟରେ ବରଯାତ୍ରୀ ସହ ବର ପାଲିଙ୍କି ଚଢି ଆସିଲା. ବାଣ ବାଜା ରୋଷଣୀରେ ଗାଁ ଫାଟି ପଡୁଥିଲା. ମଧୁର ବିନୟ ବଚନ ଦ୍ୱାରା ସୁଧୀର ସମସ୍ତଙ୍କ ମନ କିଣି ନେଇଥିଲେ ତ ଗାଁ ସାରା ଲୋକ ବିନା ଦ୍ଵିଧାରେ ସହଯୋଗ କରିଚାଲିଥିଲେ. କିଏ ଥଣ୍ଡା ଯୋଗେଇ ଦେଉଥିଲା ତ କିଏ ବରଯାତ୍ରୀ ମାନଙ୍କ ସୁବିଧା ଅସୁବିଧା ଖିଆ ପିଆ ବୁଝୁଥିଲା ତ କିଏ ମାର୍କଣ୍ଡି କଥା ବୁଝାବୁଝି କରୁଥିଲା. ସ୍ୱପ୍ନା ମଧ୍ୟ ଘରଣୀ ହିସାବରେ ଖୁବ ଅତିଥି ପରାୟଣ ଓ ଚଢେଇ ପେଟ ଚିହ୍ନିବା ସ୍ତ୍ରୀ ଲୋକ ଥିଲେ. ତେଣୁ ସେ ସମସ୍ତଙ୍କର ଖିଆ ପିଆ ମଧ୍ୟ ଠିକ ଠାକ ବୁଝିବାକୁ ସାଧୁ ଓ ଦିବାକରଙ୍କୁ କହିଥିଲେ.
ସବୁ ଠିକ ଠାକ ଭିତରେ ବାହାଘର ହାତଗଣ୍ଠି ପଡିବା ପରେ ସୁଧୀର ଓ ସ୍ୱପ୍ନା ନିଜ ଝିଅ ପାଇଁ ଦେଇଥିବା ଜିନିଷ ଗାଡି ଦେଖି ସମୁଦୀ କହିଥିଲେ ଏସବୁ କଣ? କିଛିନୁହେଁ ଆଜ୍ଞା ଏସବୁ ଶ୍ରଦ୍ଧା ସୁମନ. ଝିଅ ଆମର ଶାଶୁ ଘରେ ପହଁଚିଲା ପରେ ଗ୍ରାମବାସୀ ମିଠା ଖାଇବା କଥା ନା ନାହିଁ. ଏହା ପରା ଓଡ଼ିଆ ମାନଙ୍କର ସଂସ୍କୃତି ଓ ପରମ୍ପରା. ନୂଆ କରି ବୋହୁ ହୋଇ ଯାଉଛି ଆମ ଝିଅ ରୁଚି. ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଅନୁଯାୟୀ ବନ୍ଧୁ ହେବା ପରେ ଖାଲି ହାତରେ କିଏ କଣ ଯାଏ, ତେଣୁ ଏ କିଞ୍ଚିତ ମାତ୍ର ଗ୍ରହଣ କରନ୍ତୁ. ମୂଳରୁ ଏସବୁ ଲକ୍ଷ କରୁଥିବା ଝିଅର ଶାଶୁ ମାନେ ସମୁଦୁଣୀ ଏସବୁ ଦୃଶ୍ୟକୁ କଣେଇ କଣେଇ ଦେଖି ଶୁଣି ଖୁବ ଉପଭୋଗ କରୁଥିଲେ. ଏଥର ପାଖକୁ ଆସି ଏକ ଚିଠା ବଢ଼େଇ ଦେଇ କହିଲେ ଏ ଚିଠା ଅନୁଯାୟୀ ଆପଣ ସବୁ ଦେଲାପରେ ଆମେ ଝିଅକୁ ଆସି ନେଇଯିବୁ କହି ସମସ୍ତେ ଫେରିଗଲା ପରେ ଗାଁ,ଘର ଲୋକବାକ ସମସ୍ତଙ୍କ ମୁଣ୍ଡରେ ଚଡକପଡିଲା ଆଉ ଝିଅ ରୁଚିର ଏକା ଜିଦ ସେ ଆଉ ସେ ଘରକୁ ଯିବନି କେବେ. ସାଧୁ ଓ ଦିବାକର ଏଥର ଆଗେଇ ଆସିଲେ ସ୍ୱପ୍ନାଙ୍କ ନିକଟକୁ କହିଲେ ମାଆ ନଈ ନଦେଖି ତରକି ଯିବା ଉଚିତ ନୁହେଁ. ଆଗ ଚିଠାରେ କଣ ଲେଖା ହୋଇଛି ପଢା ଯାଉ. ଚିଠି ଖୋଲି ଦିବାକର ପଢୁଥିଲେ. ଲେଖାଥିଲା ଆମ ବୋହୁର ସମସ୍ତ ପସନ୍ଦ ନାପସନ୍ଦ ତଥା ରୁଚି ଅରୁଚି ଲେଖି ଜଣାଇଲା ପରେ ଆମେ ଆମ ବୋହୁକୁ ନେଇଯିବୁ. ଚିଠି ପଢି ସମସ୍ତେ ହସୁଥିଲେ. ସେତିକି ବେଳକୁ ସମୁଦୀ ସମୁଦୁଣୀ ପୁଅକୁ ଧରି ପହଞ୍ଚି ଯାଇଥିଲେ ବୋହୁକୁ ନେବାକୁ ଆଉ କହୁଥିଲେ ମୋ ଜୋକ କେମିତି ଲାଗିଲା ଆପଣମାନଙ୍କୁ କହନ୍ତୁତ?? ସାଧୁ ଓ ଦିବାକର କହିଉଠିଲେ ଚାଲନ୍ତୁ ଚାଲନ୍ତୁ, ଶୁଭମୁହୂର୍ତ୍ତ ଦେଖି ଘରେ ପହଁଚିଲା ପରେ ଆମ ଦେଇଙ୍କର ପସନ୍ଦ ନାପସନ୍ଦ ସବୁ ଜଣେଇ ଦେଇ ଆମେ ଆସିବୁ. ଖୁସିରେ ସମସ୍ତେ ଠୋ ଠୋ ହସୁଥିଲେ.
